ନନ୍ଦିଘୋଷ ବ୍ୟୁରୋ: ରବିବାର କେନ୍ଦୁଝର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳିକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୦ଟା୧୫ ମିନିଟରେ ପ୍ରଥମେ ସଦର ନିର୍ବାଚନମଣ୍ଡଳିର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଠାରେ ୪୦ ହଜାର ଲୋକଙ୍କର ବସିବା ପାଇଁ ଆୟୋଜନ କରାଯାଇଥିବା ବେଳେ, ୫ଟି ନିର୍ବାଚନମଣ୍ଡଳିର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନମଣ୍ଡଳିର ହାଟଡିହି ନିକଟ ଅଣା ଫୁଟବଲ୍ ପଡିଆରେ ୧୧ଟା ୧୫ ମିନିଟରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମହାନତା
ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମହାନତା। ଅସହାୟଙ୍କୁ ସାହା ହେଲେ ପ୍ରଣବ ପ୍ରକାଶ । ସମ୍ବଲପୁର ସହର ମୋତିଝରଣର ପାର୍ବତୀ କଣ୍ଟାକୁ ଯୋଗାଇଦେଲେ ଘର। ମୋତିଝରଣ ଅଞ୍ଚଳରେ ଥିବା ବସ୍ତିରେ ରୁହନ୍ତି ପାର୍ବତୀ । ପୂର୍ବରୁ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିବା ବେଳେ କିଛି ଦିନ ପୂର୍ବରୁ ୨୨ ବର୍ଷର ପୁଅ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସ୍ବାମୀ ଏବଂ ପୁଅ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇ ଏକ ଜରିପାଲ ଘରେ ରହୁଥିଲେ ପାର୍ବତୀ। ଯାହାକୁ ପୂର୍ବ ୫ ବର୍ଷ ଭୋଟ ଦେଇ ଜିତାଇଥିଲେ ସେ ବିଧାୟକ କିମ୍ବା ସାଂସଦ ତାଙ୍କୁ ସହାୟତା କରିବା ତ ଦୂରର କଥା ଦେଖା ବି ଦେଲେ ନାହିଁ। ବସ୍ତିବାସିନ୍ଦାଙ୍କ ସହଯୋଗ ରେ ପାର୍ବତୀ ମାଗିଯାଚି ଚଳୁଥିଲେ। ଏହି ଖବର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି କୁ ଆସିବା ପରେ ସେ ତୁରନ୍ତ ଘରଟିଏ ଯୋଗାଇ ଦେଇଛନ୍ତି। ଦଳର ଦୁଇ ନେତା ସୌଭାଗ୍ୟ ନାୟକ ଏବଂ ସିଦ୍ଧାର୍ଥ ଶାହା ପାର୍ବତୀଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇ ଦେବା ସହ ଘର ତିଆରିର ଶୁଭ ଦେଇଛନ୍ତି। ଘର ପାଇବା ପରେ ପ୍ରଣବଙ୍କୁ ଆର୍ଶୀବାଦ ଅଜାଡି ଦେଇଛନ୍ତି ପାର୍ବତୀ। ସେ କହିଛନ୍ତି ଅସହାୟ କୁ ଯିଏ ବାସ ଯୋଗାଇ ଦେଲେ ସେ କେଉଁ ଭଗବାନଙ୍କ ଠାରୁ କମ୍ ନୁହଁନ୍ତି। ଭଗବାନଙ୍କ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ। ସେପଟେ ପାର୍ବତୀ ଙ୍କୁ ସହାୟତା ମିଳିବା ପରେ ଖୁସି ପ୍ରକାଶ କରିବା ସହ ପ୍ରଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବସ୍ତିବାସିନ୍ଦା।
ବୈଜୟନ୍ତଙ୍କ ଅପରାଗତା ଓ କେନ୍ଦ୍ରାପଡ଼ା ପ୍ରତି ଅବହେଳାକୁ ନେଇ ପଢ଼ନ୍ତୁ ପୁରା ଖବର
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଅଣନିଶ୍ବାସୀ ହୋଇପଡ଼ିଲେଣି ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନିର୍ବାଚନ ଲଢିବାକୁ ଚାହୁଁନଥିବା ବୈଜୟନ୍ତ ଏବେ ବିଜେଡି ସ୍ରୋତ ଦେଖି ଆକ୍ତାମାକ୍ତା । ସେଥିପାଇଁ କେତେବେଳେ ଆଖି ଅପରେସନର ବାହାନା ଦେଖାଉଛନ୍ତି ଆଉ କେତେବେଳେ ଭୁବନେଶ୍ବର ଆସି ପ୍ରେସମିଟରେ ମିଛ ଗପୁଛନ୍ତି । ଏପଟେ ଏଥର ଗତଥର ଅପେକ୍ଷା ଅଧିକ ଭୋଟରେ ହରାଇବାକୁ କେନ୍ଦ୍ରୀପଡ଼ାବାସୀ କହିବୁଲିଲେଣି । ବୈଜୟନ୍ତଙ୍କ ଅପରାଗତା ଓ କେନ୍ଦ୍ରାପଡ଼ା ପ୍ରତି ଅବହେଳାକୁ ନେଇ ପଢ଼ନ୍ତୁ ପୁରା ଖବର ।
୨୦୧୯ରେ ଏକ ଲକ୍ଷ ୫୨ ହଜାର ୫୮୪ ଖଣ୍ଡ ଭୋଟ୍ । ଏଥର କେତେ ଭୋଟରେ ହାରିବେ ବୈଜୟନ୍ତ ପଣ୍ଡା ? କାରଣ ଚର୍ଚ୍ଚା ହେଉଛି, ଭାରତୀୟ ଗଣତନ୍ତ୍ର ଇତିହାସରେ ପ୍ରଥମ କରି ଜଣେ ନେତାଙ୍କୁ ଠେଲିପେଲି ନିର୍ବାଚନ ଲଢିବାକୁ ପଠାଇଛି ଭାରତୀୟ ଜନତା ପାର୍ଟି । ତା ପୁଣି ନିଶ୍ଚିତ ପରାଜୟ ଜାଣି ପଛ ଦୁଆର ଖୋଜୁଥିବା ବୈଜୟନ୍ତ ପଣ୍ଡାଙ୍କୁ । ଆଉ ରେକର୍ଡ ଭୋଟରେ ହାରିଥିବା ସେଇ କେନ୍ଦ୍ରାପଡ଼ା ମାଟିରୁ । ଏବେ ବୈଜୟନ୍ତଙ୍କୁ ଦେଖି ଲୋକ କହିଲେଣି, ପବନା ପଣ୍ଡା ଫେରିଛନ୍ତି ୫ ବର୍ଷ ପରେ । ୨୦୧୯ରେ ପ୍ରତ୍ଯାକ୍ଷାନ ହେବାପରେ ନିରୁଦ୍ଦିଷ୍ଟ ବୈଜୟନ୍ତଙ୍କୁ ଏଥର ଦୁଇଗୁଣା ଭୋଟରେ ହରାଇବାକୁ ଖୋଲାଖୋଲି କହିବୁଲିଲେଣି କେନ୍ଦ୍ରାପଡ଼ାବାସୀ ।
ଲୋକେ କୁହନ୍ତି ଭାରତର ଏକମାତ୍ର ବିରଳ ରାଜନେତା ବୈଜୟନ୍ତ । କିଏ ତାଙ୍କୁ ଟୁଇଟର ନେତା ଡାକେ ଆଉ କିଏ କହେ ହେଲିକପ୍ଟର ନେତା । କଚ୍ଚା ବେପାରୀଠୁ କେନ୍ଦ୍ରାପଡ଼ାର ବୋଝ ଯାଏଁ ବୈଜୟନ୍ତଙ୍କୁ ଉପାଧିରେ ପୋତିପକାଇଛନ୍ତି କେନ୍ଦ୍ରାପଡ଼ାବାସୀ । ରାଜନୀତି ଇତିହାସରେ ବୈଜୟନ୍ତ ଏକମାତ୍ର ବ୍ଯକ୍ତି ଯିଏ ଲୋକଙ୍କ ପାଖରେ ପାଦରେ ଚାଲିକି ନୁହେଁ ବରଂ ମୁଣ୍ଡ ଉପରେ ବୁଲନ୍ତି । ହେଲିକପ୍ଟରେ ପୁସିଂ କାର୍ଡ ଫୋପାଡନ୍ତି । ସୁଖଦୁଃଖରେ ଠିଆ ହେବା ତ ଦୂରର କଥା, ତାଙ୍କ ଦେଖା ମିଳିବା ବି ସାତସପନ ।
ଗୁଣଜାଣି ବୈଜୟନ୍ତଙ୍କୁ ୨୦୧୯ରେ କଡ଼ା ଜବାବ ଦେଇଥିଲେ କେନ୍ଦ୍ରାପଡ଼ାବାସୀ । ଆଉ ସେବେଠୁ ସେ ପରାଜୟ ଭୟରେ ପଳାତକ ଭୂମିକା ନିଭାଉଥିଲେ । ୟୁପି ପ୍ରଭାରୀ ବାହାନା ଦେଖାଇ ନିର୍ବାଚନ ମଇଦାନକୁ ନଓହ୍ଲାଇବାକୁ ମନେମନେ ମୁଆଁ ଖାଇ ବସିଥିଲେ । ହେଲେ ତାଙ୍କରି ଦଳର ନେତା ହିଁ ଜୟଙ୍କୁ ଫସାଇ ଦେଇ ବାଧ୍ଯବାଧକତାରେ ନିର୍ବାଚନୀ ବୈତରଣୀକୁ ଠେଲିଦେଇଛନ୍ତି । ବିଚରା ବୈଜୟନ୍ତ ପଅଁରା ନଜାଣି ଅଣନିଶ୍ବାସୀ ହୋଇପଡ଼ିଲେଣି । ବିଜେଡି ସ୍ରୋତକୁ ସାମ୍ନା କରିନପାରି କେବେ ଆଖି ଅପରେସନର ବାହାନା ଦେଖାଉଛନ୍ତି ଆଉ କେବେ ଭୁବନେଶ୍ବରରେ ବସି ଗପ ଶୁଣାଉଛନ୍ତି । ଶୁଣନ୍ତୁ ବୈଜୟନ୍ତଙ୍କ ଆଖି ବାହାନା ନେଇ କଣ କହୁଛନ୍ତି ଖୋଦ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ବାସିନ୍ଦା ।
ବିଜେଡି ଟିକେଟରେ ନେତା ହେବାର ସୁଯୋଗ ପାଇଥିଲେ ବୈଜୟନ୍ତ । ରାଜ୍ଯସଭା ସାଂସଦ ସହ ୨୦୦୯ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେବା କରିବାର ସୁଯୋଗ ପାଇ ବି ବେପାରୀ ଗୁଣ ଛାଡ଼ିନଥିଲେ । ୧୦ ବର୍ଷର ପ୍ରତିନିଧିତ୍ବ ସମୟରେ ନା ଲୋକଙ୍କ ସମସ୍ଯା ବୁଝିଥିଲେ ନା ବିକାଶ ପାଇଁ ପ୍ରୟାସଟିଏ କରିଥିଲେ । ହେଲେ ଏବେ ନିର୍ବାଚନ ଆସିବାରୁ ସେଲୁନରେ ବସି ଚୁଟି କାଟିବାର ବାହାନା ଦେଖାଉଛନ୍ତି । ଶୁଣନ୍ତୁ ବୈଜୟନ୍ତଙ୍କ କାମ ନେଇ କଣ କହୁଛନ୍ତି ଜନସାଧାରଣ
ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ଆଜି ବିଶ୍ବର ଅନ୍ଯତମ ସର୍ବବୃହତ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି ରାଜ୍ଯ ସରକାର । କେନ୍ଦ୍ରାପଡାକୁ ରେଳ ସଂଯୋଗ ଓ ମୌଳିକ ଭିତ୍ତିଭୂମି ସହ ଲୋକଙ୍କ ସମସ୍ଯାର ସମାଧାନ କରୁଛନ୍ତି । ମାତ୍ର ରୂପାନ୍ତରଣ ଦେଖି ବୈଜୟନ୍ତଙ୍କ ବଦହଜମି ବାହାରିପଡ଼ିଛି । ହାତରେ ଖଡ଼ା ଶିଝେଇ ନପାରି ଏବେ ଔଷଧ ବିକଳରେ ତାଟିଆ କାମୁଢୁଛନ୍ତି । କେବଳ ନିଜ ପାରିବାରିକ ମାଲିକାନାରେ ଥିବା ନିର୍ଦ୍ଦିଷ୍ଟ ନ୍ଯୁଜ ଚ୍ଯାନେଲକୁ ଲଗାଇ ନିଜକୁ ଲୋକପ୍ରିୟ ନେତାମାନେ ପ୍ରତିପାଦିତ କରୁଛନ୍ତି । ହେଲେ ବୈଜୟନ୍ତଙ୍କ ଔକାତ କେତେ ତାହା ୨୦୧୯ରେ କେନ୍ଦ୍ରାପଡାବାସୀ ପ୍ରମାଣିତ କରିସାରିଛନ୍ତି । ଏଥର ବି ଭଲକି ଜବାବ ଦେବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି ।
ବାଙ୍କୀରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ବାଙ୍କୀରେ ବିଜେଡିର ଦୁଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ହାଇଭୋଲଟେଜ ପ୍ରଚାର । ବାଙ୍କୀ ବ୍ଲକ ୩୬ନଂ ଜୋନରେ ବାଙ୍କୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ଓ କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି। ଗାଁ ଗାଁ ବୁଲି ନିଜର ପ୍ରଚାର କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦୁଇ ପ୍ରାର୍ଥୀ ଗାଁ ଗାଁ ବୁଲି ପ୍ରଚାର କରୁଥିବା ବେଳେ ଛକ ଛକରେ ମାଆ ମାନେ ଅରୁଆ ଚାଉଳ ଓ ପୁଷ୍ପ ପକାଇ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି। ବାଙ୍କୀରେ ମେ ୨୫ରେ ଭୋଟ ଗ୍ରହଣ ହେବ। କଟକ ସଂସଦୀୟ କ୍ଷେତ୍ର ସହ ଏହା ଅଧୀନ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳିରେ ହେବ ମତଦାନ। ଭୋଟ ପୂର୍ବରୁ ପୂରା ଦମରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ବିକାଶକୁ ମୁଖ୍ୟ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯାଉଛନ୍ତି। ଭୋଟର ବି ରୋକଠୋକ କହିଛନ୍ତି ବିକାଶର ସାରଥୀଙ୍କୁ ହିଁ ଜଣାଇବୁ ସମର୍ଥନ ।
ରଣପୁରରେ ବିକାଶର ବାର୍ତ୍ତା ଦେଲେ କାର୍ତ୍ତିକ ପାଣ୍ଡିଆନ
ନନ୍ଦିଘୋଷ ବ୍ୟୁରୋ: ପୁରୀରୁ ରଣପୁର ସବୁ ମଠ ମନ୍ଦିର ଓ ଧାର୍ମୀୟ ଅନୁଷ୍ଠାନର ରୂପାନ୍ତରଣ ହୋଇଛି । ରଣପୁର ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ବେଳେ ମଣିନାଗ ମନ୍ଦିର ପାଇଁ ୪ କୋଟି ଓ ତଳ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ରଣପୁରରେ ବିକାଶର ଧାରା ଜାରି ରଖିବାକୁ ବିଜେଡି ପ୍ରାର୍ଥୀଙ୍କୁ ବଡ ଭୋଟ ବ୍ୟବଧାନରେ ଜାତାଇବାକୁ ଅପିଲ କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶପଥ ନେବା ପରେ ବିଜୁଳ ବିଲ ଛାଡ ହେବା ସହ ବିଏସକେୱାଇ କାର୍ଡ ଓ ମିଶନଶକ୍ତି ମହିଳାଙ୍କୁ ପେନସନ ସମ୍ପର୍କିତ ଫାଇଲ ଦସ୍ତଖତ କରିବେ । ଏହି ପ୍ରଚାର ସଭାରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ।
ଚାଲିଛି ରଥକାମ
ପୁରୀ: ପୁରୀ ଶ୍ରୀନଅର ସାମ୍ନା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ନିହାଣ ଓ ମୁଗୁର ମାଡ଼ରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ୩ ରଥର ୪୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ସରିବା ପରେ ଏବେ ବିନ୍ଧ କରାଯାଉଛି । ପ୍ରତି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କରାଯିବ । କରତି ସେବକମାନେ ତୁମ୍ବ ଘେରର ବଳକା ଅଂଶ କାଟୁଛନ୍ତି l ଆସନ୍ତା ୨୨ ତାରିଖରେ ନୃସିଂହ ଚତୁର୍ଦଶୀ ଦିନ ରୂପକାର ସେବକ ମାନେ ରଥ ଖଳାରେ ଯୋଗଦାନ କରି କୋଣ ଗୁଜ ଅନୁକୂଳ କରିବେ l ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ରଥକାର୍ଯ୍ୟ ଅନୁକୂଳ କରାଯିବା ପରେ ରଥ ନିର୍ମାଣ କରାଯାଏ l ଶନିବାର ରଥ ନିର୍ମାଣରେ ୧୧୦ ରୁ ଉର୍ଦ୍ଧ୍ବ ସେବକ ନିୟୋଜିତ ହୋଇଛନ୍ତି । ଚକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ବକର୍ମା, ଭୋଇ ସେବକ, କରତି ସେବକ l ଗୁରୁବାର ତିନି ରଥର ମୁଖ୍ୟ ବିଶ୍ବକର୍ମା ବିନ୍ଧ ଅନୁକୂଳ କରିଥିଲେ । ଏବେ ସମସ୍ତ ବିଶ୍ବକର୍ମା ତୁମ୍ବ ଖୋଦେଇରେ ଲାଗିଛନ୍ତି । ତାଳଧ୍ବଜ ରଥର ୧୪ଟି ଚକ, ନନ୍ଦିଘୋଷ ରଥର ୧୬ଟି ଚକ ଚକ ଓ ଦର୍ପଦଳନ ରଥର ୧୨ଟି ଚକ । ମୋଟ୍ ୪୨ଟି ଚକର ୪୨ଟି ତୁମ୍ବ ରେ ବିନ୍ଧ କରାଯାଉଛି । ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ଧା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍ ହେବ । ପରେ ରଥଖଳାଲେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରାଯିବ ।
ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଆଉ ଦିନକ ପରେ ବଲାଙ୍ଗୀରରେ ହେବ ଭୋଟିଂ । ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ୨୦ ତାରିଖରେ ଗଣତନ୍ତ୍ରର ମହାନପର୍ବରେ ନେତା ବାଛିବେ ବଲାଙ୍ଗୀର ଜନତା I ଜିଲ୍ଲାର ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ I ଭୋଟ ପରିଚାଲନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଆସନ୍ତାକାଲି ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି I
ଥମିଲା ପ୍ରଚାର । ଏବେ ଜନତାଙ୍କ ହାତରେ ନେତାଙ୍କ ଭାଗ୍ଯ । ଶେଷ ଦିନରେ ଲୋକଙ୍କ ମନ ଜିତିବାକୁ ଜୋରଦାର ପ୍ରୟାସ । ୨୦ ତାରିଖରେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜ ନେତା ନିର୍ବାଚନ କରିବେ ଜନତା । ବଲାଙ୍ଗୀର ଲୋକସଭା ଓ ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପଡିବ ଭୋଟ I ଜିଲ୍ଲାରେ ମୋଟ ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ । ତେବେ ଶେଷ ଦିନରେ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି ।
ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ଯବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ଯାପକ ପୋଲିସ ମୁତୟନ ହେବେ । ମାଓ ପ୍ରବଣ ଅଂଚଳ ଉପରେ ରହିଛି କଡ଼ା ନଜର । ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି I 48 ଘଣ୍ଟା ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକୁ ସିଲ କରାଯିବ । ନିର୍ବାଚନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାର I
କଟକ ବାରବାଟୀରେ ବିଜେଡି ଲହର
ନନ୍ଦିଘୋଷ ବ୍ୟୁରୋ: ସରଗରମ ହେଲାଣି କଟକ ନିର୍ବାଚନ ମାହୋଲ । ୨୫ରେ ନେତା ବାଛିବେ ଜନତା । ୨୨ରେ କଟକରେ ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ବିଜେଡିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହରର ବିକାଶ ପାଇଁ ଲୋକେ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି କହିଛନ୍ତି ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପୂର୍ବରୁ ଘରକୁ ଘର ବୁଲି ଦଳର ବିକାଶର ବାର୍ତ୍ତା ପହଞ୍ଚାଇ ଯୋଗାଡ କରୁଛନ୍ତି ସମର୍ଥନ । ବିଜେପି ଓ କଂଗ୍ରେସ ମଧ୍ଯ ନିଜ ନିଜ ଢଙ୍ଗରେ ଜାରି ରଖିଛନ୍ତି ପ୍ରଚାର ।
କଟକ ବିଜେଡିରେ ଉତ୍ସାହ । ୨୨ରେ ସହରରେ ପ୍ରଚାର କରିବେ ଦଳର ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ପାଇଁ ସହରବାସୀ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନେତା । ଆସନ୍ତା ୨୫ ତାରିଖରେ ଏଠାରେ ନେତା ବାଛିବେ ଜନତା । ଏହା ପୂର୍ବରୁ ଦଳର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଘରକୁ ଘର ବୁଲି ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।
ସେପଟେ କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ଯ ନିଜ ନିଜ ଢଙ୍ଗରେ ନିଜ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏଠି ବିଜେଡି ସହ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୌସ ଏବଂ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ଯରେ ହେଉଛି ତ୍ରିମୁଖି ଲଢେଇ । ତେବେ ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ଶୋ ଲୋକଙ୍କୁ ବିଜେଡି ପ୍ରତି ଆକର୍ଷିତ କରିଛି । ହଜାର ହଜାର ଲୋକ କାର୍ତ୍ତିକ ପାଣ୍ଡିଆନ ଓ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଉ ୨୨ ତାରିଖରେ ତଳ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରାଟ ସଭାରେ ଉଦବୋଧନ ଦେବେ ।
କଟକ ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା । ପ୍ରାର୍ଥୀଙ୍କ ନିକଟରେ ପ୍ରଚାର ପାଇଁ ଆଉ ମାତ୍ର ୫ ଦିନ ସମୟ ରହିଛି । ଏହା ଭିତରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସମସ୍ତ ପ୍ରାର୍ଥୀ ।
ସୋରଡ଼ାରେ କିଏ ମାରିବ ବାଜି?
ନନ୍ଦିଘୋଷ ବ୍ୟୁରୋ: ପ୍ରଚାରରେ କମ୍ପୁଛି ମଇଦାନ । ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ଦେଖିବ ବିଗ୍ ଫାଇଟ୍ । ଏକଦା ଏହି ନିର୍ବାଚନମଣ୍ଡଳିଟି କଂଗ୍ରେସ ଏବଂ ବିଜେପି ହାତରେ ରହିଥିବା ବେଳେ ଗତ ୨୦୦୯ ମସିହାଠାରୁ ଏହା ଲଗାତର ଭାବେ ବଜେଡି କବଜାରେ ରହିଛି l ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।
ଗଞ୍ଜାମ ଜିଲ୍ଲାର ସୋରଡା ନିର୍ବାଚନମଣ୍ଡଳି ସୋରଡ଼ା ଓ ବେଲଗୁଣ୍ଠା । ୨ଟି ବ୍ଲକ ଓ ଦୁଇଟି ଏନଏସିକୁ ନେଇ ଗଠିତ l ମେ ୨୦ରେ ଏଠାରେ ପଡିବ ଭୋଟ । ୨ ଲକ୍ଷ ୩୫ ହଜାର ୩୪୧ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୩ ହଜାର ୧୨୬, ମହିଳା ୧ ଲକ୍ଷ ୧୨ ହଜାର ୧୯୮ ଥିବାବେଳେ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୭ ଜଣ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ସ୍ଵାଇଁ, ବିଜେପିରୁ ନୀଳମଣି ବିଷୋୟୀ ,କଂଗ୍ରେସରୁ ହରେକୃଷ୍ଣ ରଥ ମଇଦାନକୁ ଓହ୍ଲାଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିକାଶକୁ ଅସ୍ତ୍ର କରି ଲୋକଙ୍କୁ ଭିଡିବାକୁ ପ୍ରାଣମୂର୍ଚ୍ଛା ଉଦ୍ଯମ କରୁଛନ୍ତି ।
୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ନୀଳମଣି ବିଷୋୟୀ ୩୯ ହଜାର ୨୮୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡିର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ୬୭ ହଜାର ୫୪୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭଗବାନ ପଣ୍ଡା ୯ ହଜାର ୨୭୦, କଂଗ୍ରେସର ବସନ୍ତ ବିଷୋୟୀ ୫୧ ହଜାର ୫୪୬ଟି ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୬ ହଜାର ୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନୀଳମଣି ବିଷୋୟୀ ୬୨ ହଜାର ୫୦୫, କଂଗ୍ରେସର କେଶରୀ ମହାନ୍ତି ୭ ହଜାର ୨୯୩ ଭୋଟ ପାଇଥିଲେ । ତେବେ ଗତ ତିନିଟି ଯାକ ନିର୍ବାଚନରେ ବିଜେଡି ହିଁ ବାଜିମାତ କରି ଆସୁଛି ।
ତାତିରୁ ମିଳିବ ଆଶ୍ଵସ୍ତି, ଆସୁଛି ଲଘୁଚାପ ବର୍ଷା
ଭୁବନେଶ୍ବର: ଆସୁଛି ଲଘୁଚାପ । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ମେ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ କେନ୍ଦ୍ର । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୂପ ନେଇପାରେ । ମେ ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ସୃଷ୍ଟି ହୋଇଛି । ଏହାସହ ଆଗାମୀ ୪ ରୁ ୫ ଦିନ ମଧ୍ୟ୍ୟରେ କିଛି କିଛି ସ୍ଥାନରେ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ୨ ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ବୋଲି ସୂଚନା ଦେଉଛି କେନ୍ଦ୍ର ।

