spot_img
Home Blog Page 1901

ନଜର ପକାନ୍ତୁ ଏଯାବତ୍ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି। ସଭିଙ୍କ ନଜର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ। ତେବେ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜାଣିରଖନ୍ତୁ? ଆଜି ୫ମ ପର୍ଯ୍ୟାୟରେ ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏହାସହ  ବିଜେଡି ଏଯାଏଁ ୧୨୬  ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେପି ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ କଂଗ୍ରେସ ୧୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଖୁବଶୀଘ୍ର ଅନ୍ଯ ଆସନ ପାଇଁ ବି ଦଳ ଗୁଡ଼ିକ ପ୍ରାର୍ଥୀ ଘୋଷଣା କରିବେ। ଆଜି ବିଜେଡି ୨ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି ରେଢାଖୋଲ ଆସନରେ ପୂର୍ବରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଏବେ ତାଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।

ଆଜି ପ୍ରାର୍ଥୀ ଘୋଷଣାର ବିଶେଷ ଆକର୍ଷଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବା। ପୂର୍ବରୁ ସେ ଗଞ୍ଜାନ ଜିଲ୍ଲାର ହିଞ୍ଜିଳି ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇସାରିଛି। ଫଳରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବେ। ଆଜି ସୁଦ୍ଧା ବିଜେଡି ଆହୁରି ୨୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୫ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ପରେ ପରେ ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ଜୁନ ୪ ତାରିଖରେ ଫଳାପଳ ପ୍ରକାଶ ପାଇବ।


                

ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଚନ୍ଦ୍ର ଧଳ

ଭୁବନେଶ୍ୱର:  ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲାର ମହେଶ ଚନ୍ଦ୍ର ଧଳ। ଆଦର୍ଶ ଗ୍ରୁପର ପ୍ରତିଷ୍ଠାତା ଅଛନ୍ତି ମହେଶ। ସେ ଶିକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଅନୁଗୁଳରେ ପ୍ରଥମ ୨୦୦ ଶଯ୍ୟା କୋଭିଡ ହସ୍ପିଟାଲ କରିବା ସହ ମାଗଣା ଆକ୍ସିଜେନ ଦେଇଥିଲେ । ୨୦୧୦ ରେ ରେକର୍ଡ ୧୦୦୧ ରକ୍ତ ୟୁନିଟ କରି ରକ୍ତ ଅଭାବ ଦୂର କରିଛନ୍ତି ମହେଶ । ଦକ୍ଷତା ବିକାଶ ପାଇଁ ITI ଆରମ୍ଭ କରିବା ସହ ଗରିବ ପିଲାଙ୍କ ପାଇଁ ଶିକ୍ଷା ଓ କ୍ରୀଡା ହବ କରିଛନ୍ତି । ତାଙ୍କ ସହଯୋଗୀ ସୁଶାନ୍ତ ସାହୁ ବି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ଅନୁଗୁଳ ଜିଲ୍ଲାରେ ବିଜେଡି ଆହୁରି ସଶକ୍ତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ସ୍ୱପ୍ନ ସଫଳ ହେବ ।

ମହେଶ ଧଳ କହିଛନ୍ତି, ଆଜି ମୋ ପାଇଁ ଏକ ମହାନ ଦିନ କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି। ତେଣୁ ମୁଁ ତାଙ୍କ ପାଖରେ ଚିର ଋଣୀ ବୋଲି କହିଛନ୍ତି ମହେଶ ଚନ୍ଦ୍ର ଧଳ ।

ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା,କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡି ବୁଧବାର ଦିନ ବିଧାନସଭା ପାଇଁ ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ। ଅନ୍ୟପକ୍ଷରେ ସମ୍ବଲପୁର ଓ ରେଢାଖୋଲର ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ସମ୍ବଲପୁରରୁ ରୋହିତ ପୁଜାରୀ ଲଢିବେ ଓ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ।
ବୁଧବାର ଦିନ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ
ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ
ପଦ୍ମପୁରରୁ ବର୍ଷା ସିଂ ବରିହା
କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୁଳରୁ ସଞ୍ଜୁକ୍ତା ସିଂ
ନିମାପଡାରୁ ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡିରୁ ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ
ଜୟପୁର ଡକ୍ଟର ଇନ୍ଦିରା ନନ୍ଦ

ଆଜିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ସହ ବିଜେଡି ମୋଟ ୧୨୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଉ ମାତ୍ର ୨୧ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି। ବିଜେପି ବର୍ତ୍ତମାନ ସୁଦ୍ଧା ୧୩୧ ଓ କଂଗ୍ରେସ ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ରାଜ୍ୟର ୨୧ଟି ଯାକ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେପି ମଧ୍ୟ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ରହିଛି। କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମାତ୍ର ୧୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ଯରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ପରେ ପରେ ଆଉ ୩ଟି ପର୍ଯ୍ୟାୟରେ ଅର୍ଥାତ ମେ ୨୦, ମେ ୨୫ ଓ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ। ଜୁନ୪ ତାରିଖରେ ଫଳାଫଳ ଘୋଷଣା କରାଯିବ।

ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୧୮ ତାରିଖଠୁ ୨୦ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧିପାଇବ । ଆସନ୍ତା ୨୦ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠୁ ୩ ଦିନ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଲଗାଣ ବର୍ଷା ଯୋଗୁଁ ଦୁବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି

ବ୍ୟୁରୋ ରିପୋର୍ଟ: ଦୁବାଇରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଲଗାଣ ବର୍ଷା ଯୋଗୁଁ ଦୁବାଇ ସୃଷ୍ଟି ହୋଇଛି ବନ୍ୟାସ୍ଥିତି ଦୁବାଇରେ ୨୪ ଘଣ୍ଟାରେ ହୋଇଥିବା ବର୍ଷାର ପରିମାଣ ବର୍ଷକ ମଧ୍ୟରେ ହେଉଥିବା ବର୍ଷାର ପରିମାଣଠୁ ଯଥେଷ୍ଟ ଅଧିକ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା, ଘାଟ, ବିମାନବନ୍ଦର ଆଦି ଜଳମଗ୍ନ ହୋଇ ଯାଇଛି। ଚାରିଆଡେ ଆଣ୍ଠୁଏ ଉଚ୍ଚର ପାଣି। ଦୁବାଇ ବିମାନବନ୍ଦର ରନୱେ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ହାରାହାରି ଦେଖିବାକୁ ଗଲେ ପ୍ରତି ବର୍ଷ ଦୁବାଇରେ ୮୮. ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ।

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଂପାଦକ

କଟକ: ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଂପାଦକ। ସାଧାରଣ ନିର୍ବାଚନ ଯେତେ ପାଖେଇ  ଆସୁଛି ବିଜେଡି ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ଟିକେଟ ବଣ୍ଟନକୁ ନେଇ ବଢୁଛି ଅସନ୍ତୋଷ। ବିଜେପି ଛାଡ଼ି ବିଜେଡିରେ ଯୋଗଦେଉଛନ୍ତି ନେତା ଓ କର୍ମୀ। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ  କେନ୍ଦୁପାଟଣା ପଂଚାୟତ ପୂର୍ବତନ ସରପଞ୍ଚ ତଥା କଟକ ଜିଲ୍ଲା ବିଜେପି ସଂପାଦକ ବିବେକାନନ୍ଦ ବେହେରା ୨୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ  ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ତାଙ୍କ ସୁପୁତ୍ର ଅଙ୍କିତ ପ୍ରତାପ ଜେନାଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଆଜିଠାରୁ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ସାହି ଯାତ ଆରମ୍ଭ

ପୁରୀ: ରାମ ନବମୀକୁ ନେଇ ଉତ୍ସବମୁଖର ପୁରୀ ସହର। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଆଜିଠାରୁ ପୁରୀରେ ପ୍ରସିଦ୍ଧ ସାହି ଯାତ ଆରମ୍ଭ। ପ୍ରତ୍ୟେକଟି ସାହି ଏହି ସାହି ଯାତରେ ଭାଗନେଇ ଥାଏ  । ଶ୍ରୀକ୍ଷେତ୍ରର ୮ଟି ସାହି ଓ ୪୨ କନ୍ଦିରେ ବୀରବାଦ୍ୟରେ ହେବ ପ୍ରକମ୍ପିତ। ଆଜିଠୁ ଆରମ୍ଭ ହୋଇ ରାମ ଅଭିଷେକ ନୀତି ପର୍ଯ୍ୟନ୍ତ ନିଆରା ସାହି ଜାତ ଅନୁଷ୍ଠିତ ହେବ। ଏହି ଅବସରରେ  ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ ।

ଆଜି ପ୍ରଥମ ଦିନରେ କାଳିକା ଦେବୀ ସାହି ପକ୍ଷରୁ ରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ବାଦୀ ସାହି ଭାବେ ପରିଚିତ ମାଟିମଣ୍ଡପ ସାହିକୁ ଆଜି ପଟୁଆର ବାହାରିବା ସହ ଶ୍ରୀକ୍ଷେତ୍ରର ନିଆରା ପରମ୍ପରିକ ନୃତ୍ୟ ଓ ରଣ କୌଶଳ ଦେଖିବାକୁ ମିଳିବ।

ନିର୍ବାଚନ ପୁର୍ବରୁ ସକ୍ରିୟ ମାଓବାଦୀ; ଓଡିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓ କ୍ୟାମ୍ପ ଠାବ

ଝାଡ଼ଖଣ୍ଡ: ସୀମାନ୍ତରେ ମାଓ କ୍ୟାମ୍ପ ଠାବ। ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ। କମ୍ବିଂ ଅପରେସନ ସମୟରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି।  ବିଷାକ୍ତ ଲେପ ଥିବା ୨୧ଟି ତାର, ଅଢ଼େଇ କିଲୋର ଗନ ପାଉଡ଼ର, ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର, ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି।

ବିଶେଷ ସୁତ୍ରରୁ ଖବର ପାଇ ସୁରକ୍ଷା କର୍ମୀ କରିଥିଲେ କମ୍ବିଂ ଅପରେସନ। ହେଲେ ଛତ୍ରଭଙ୍ଗ ଦେଇଥିଲେ ମାଓନେତା। ନିର୍ବାଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ସୀମାବର୍ତ୍ତୀ ଅଞ୍ଚଳରେ ଉଭୟ ଝାଡ଼ଖଣ୍ଡ ଓ ଓଡିଶା ପୋଲିସରେ ହାଇ ଆଲର୍ଟ ଜାରି କରାଯାଇଛି।

ପାଟଣା ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ

କେନ୍ଦୁଝର: ପାଟଣା ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ। କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରାର୍ଥୀତ୍ୱକୁ ବିଜେପିର ଅନ୍ୟ ଏକ ଗୋଷ୍ଠୀର ବିରୋଧ। ଜିଲ୍ଲା ଯୁବ ବିଜେପିର ସଭାପତି ସବିର ଦାଶଙ୍କ ନେତୃତ୍ଵରେ ବିଜେପି କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି।

ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ଅଖିଳ ଚନ୍ଦ୍ର ନାଏକଙ୍କୁ ବିଜେପି ଘୋଷଣା କରିଥିଲା । ଏହି ସମୟରେ ଅଖିଳ ଚନ୍ଦ୍ର ନାଏକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ସେ ନିର୍ବାଚନ ମଣ୍ଡଳୀର ୫୬ଟି ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଭଲଭାବେ ଅବଗତ ଥିବା ଓ ନିର୍ବାଚନ ଜିତିବା ନେଇ ଆଶାବାଦୀ ଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ସବୀର ଦାଶଙ୍କ ନେତୃତ୍ଵରେ କିଛି ବିଜେପି କର୍ମୀ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

ରାଜ୍ଯରେ ଜାରି ରହିଛି ଅସହ୍ଯ ଗ୍ରୀଷ୍ମ ପ୍ରବାହ, ଆଗାମୀ ୨ ଦିନ ପ୍ରବଳ ଖରା

ଭୁବନେଶ୍ୱର: ରାଜ୍ଯରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୩ ଦଶମିକ ୬ ଡିଗ୍ରୀ ସହ ବାରିପଦା ଦେଶ ତଥା ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳୁଛି ଉପକୂଳ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି। କାଲି ଏବଂ ୧୯ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ବିଶେଷ କରି ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଏବଂ ମାଲକାନଗିରିରେ ୪୫ ଡିଗ୍ରୀ ପାର କରିବ ତାପମାତ୍ରା ।

ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ଏବଂ ୧୯ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହେବାର ସମ୍ଭାବନା ରହିଛି । ତେବେ ୨୧ ଏବଂ ୨୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ଗୁରୁଚାପବଳୟ ପ୍ରଭାବରେ ଘଡଘଡି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।