ରାଜ୍ଯରେ ଜାରି ରହିଛି ଅସହ୍ଯ ଗ୍ରୀଷ୍ମ ପ୍ରବାହ, ଆଗାମୀ ୨ ଦିନ ପ୍ରବଳ ଖରା

ଭୁବନେଶ୍ୱର: ରାଜ୍ଯରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୪୩ ଦଶମିକ ୬ ଡିଗ୍ରୀ ସହ ବାରିପଦା ଦେଶ ତଥା ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳୁଛି ଉପକୂଳ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି। କାଲି ଏବଂ ୧୯ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର। ବିଶେଷ କରି ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଏବଂ ମାଲକାନଗିରିରେ ୪୫ ଡିଗ୍ରୀ ପାର କରିବ ତାପମାତ୍ରା ।

ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲି ଏବଂ ୧୯ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହେବାର ସମ୍ଭାବନା ରହିଛି । ତେବେ ୨୧ ଏବଂ ୨୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ଗୁରୁଚାପବଳୟ ପ୍ରଭାବରେ ଘଡଘଡି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।