spot_img
Home Blog Page 18

ପୁରୀରେ ହବିଷ୍ୟାଳୀ ବ୍ରତ ପାଇଁ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨୬ ତାରିଖରୁ ପୁରୀରେ ଆରମ୍ଭ ହେବାକୁ ଥିବା ହବିଷ୍ୟାଳୀ ବ୍ରତ ନେଇ ହବିଷ୍ୟାଳୀ ଶିବିର ମାନଙ୍କରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଚୟନ ମାନଦଣ୍ଡ ଅନୁଯାୟୀ ୨୪ ଶହ ହବିଷ୍ୟାଳୀଙ୍କୁ ଶିବିରରେ ସୁବିଧା ଯୋଗାଇ ଦେବାକୁ ମନୋନୀତ କରାଯାଇଥିବା ବେଳେ ଦୁଇଟି ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପୁରୀରେ ପ୍ରଶାସନ ପକ୍ଷରୁ ତିନୋଟି ଶିବିରରେ ବ୍ରତ ପାଳନ ନେଇ ନିଶୁଳ୍କ ରହଣୀ, ମାଗଣା ମହାପ୍ରସାଦ ଓ ବସ୍ ସେବା ଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ।

ଶିବିର ବାହାରେ କାର୍ତ୍ତିକ ପାଳୁଥିବା ବ୍ରତଧାରୀଙ୍କ ପାଇଁ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଥିବା ବେଳେ  ତୀର୍ଥ ପୁଷ୍କରିଣୀରେ ହବିଶ୍ୟାଳୀଙ୍କ ସ୍ନାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ତେବେ ମାସେ ପର୍ଯ୍ୟନ୍ତ ପୁରୀରେ ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ପ୍ରାୟ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ କରାଯିବ । ଆଗାମୀ ୨୬ ତାରିଖ ସକାଳେ ବୃନ୍ଦାବତୀ ନିବାସ ଶିବିରରେ ଚୟନ ହୋଇଥିବା ବ୍ରତଧାରୀଙ୍କୁ ପରିଚୟ ପତ୍ର ସହ ସିଟ୍ ଆଲଟମେଣ୍ଟ ମିଳିବ । ବିନା ପଞ୍ଜୀକରଣରେ କାହାରିକୁ ନରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ବୃନ୍ଦାବତୀ ନିବାସ, ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସ ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ସମସ୍ତ ହବିଶ୍ୟାଳୀଙ୍କ ରହଣୀର ହୋଇଛି ବ୍ୟବସ୍ଥା ।

ତୀର୍ଥ ପୁଷ୍କରିଣୀରେ ବ୍ୟାରିୟର ଓ ମହୋଦଧିରେ ଲାଇଫ ଗାର୍ଡ ମୁତୟନ କରାଯାଇଥିବା ବେଳେ ଆମ୍ବୁଲାନ୍ସ , ମେଡ଼ିକାଲ ଟିମ୍ ସହ ଅଗ୍ନିଶମ ବିଭାଗ ଅଧିକାରୀ ଓ ସ୍ୱେଚ୍ଛାସେବୀଙ୍କ ସମନ୍ୱୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ହବିଶ୍ୟାଳୀ ମାନଙ୍କ ପାଇଁ  ଫ୍ରି ଦର୍ଶନ, ଶିବିରରେ ବ୍ରତଧାରୀଙ୍କ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାସକ ଯାକ ଶ୍ରୀକ୍ଷେତ୍ରରେ କ୍ରାଉଡ୍ କଣ୍ଟ୍ରୋଲ, ଟ୍ରାଫିକ ରେଗୁଲେସନ୍ ଓ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ତେବେ ଆଜି କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ସମସ୍ତ ତିନି ଗୋଟି କେନ୍ଦ୍ର ବୁଲି ସମୀକ୍ଷା କରିଥିଲେ।

 

 

 

 

 

କୋହଲି ଏବଂ କୁମ୍ବଲେଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଲେଗ୍-ସ୍ପିନର ଅମିତ୍ ମିଶ୍ର

ନନ୍ଦିଘୋଷ ବ୍ୟୁରୋ:ନିଜ କ୍ରିକେଟ୍ କ୍ୟାରିଅରକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଭିଜ୍ଞ ଲେଗ୍-ସ୍ପିନର ଅମିତ୍ ମିଶ୍ର କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା। ଦଳରୁ ହଠାତ୍ ବାଦ୍ ପଡ଼ିବା ଏବଂ ପରେ ତାଙ୍କର କମବ୍ୟାକ୍ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ପଡକାଷ୍ଟ ‘ବୈଠ୍ ଆଣ୍ଡ ବୋଲ୍’ରେ ସେ ତତ୍କାଳୀନ ଟ୍ରେନର୍ ଅନିଲ କୁମ୍ବଲେ ଏବଂ ବିରାଟ କୋହଲିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

କୁମ୍ବଲେ ଏବଂ କୋହଲିଙ୍କ ପ୍ରତିଶୃତି

୨୦୧୭ ମସିହାରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଏକ ଟି-୨୦ ମ୍ୟାଚ୍ ସମୟରେ ଅମିତ୍ ମିଶ୍ରଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ସେ ସମୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ଅନିଲ କୁମ୍ବଲେ। ଅମିତ୍ ମିଶ୍ର କୁମ୍ବଲେଙ୍କୁ ଏ ବିଷୟରେ ଜଣାଇବାରୁ ସେ ଆଶ୍ୱାସନା ଦେଇ କହିଥିଲେ, “ଚିନ୍ତା କର ନାହିଁ, ତୁମେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ପୁଣି ଦଳକୁ ଫେରିଆସିବ।” ଠିକ୍ ସେହିପରି, ସେତେବେଳେ ଦଳର ଅଧିନାୟକ ଥିବା ବିରାଟ କୋହଲି ମଧ୍ୟ ତାଙ୍କୁ ସମାନ ଭରସା ଦେଇ କହିଥିଲେ,”ତୁମେ ସମ୍ପୂର୍ଣ୍ଣ ଫିଟ୍ ହୁଅ ,ଦଳରେ ତୁମେ ନିଶ୍ଚୟ ରହିବ  । ପ୍ରତିଶୃତି ପରେ ଅମିତ୍ ନିଜର ଫିଟନେସ୍ ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ।

କୋହଲି ତାଙ୍କର ଫୋନ୍ କଲ୍ ନ ଉଠାଇବା ଅଭିଯୋଗ

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ, ଦଳକୁ କମବ୍ୟାକ୍ କରିବା ପାଇଁ  ଅମିତ୍ ବିରାଟ କୋହଲିଙ୍କ ସହ ଯୋଗାଯୋଗ କରିଥିଲେ ।ଅମିତ୍ ମିଶ୍ରଙ୍କ ଅନୁଯାୟୀ, କୋହଲି ତାଙ୍କୁ ୭ ରୁ ୧୦ ଦିନ ଭିତରେ ସ୍ଥିତି ଜଣାଇବେ ବୋଲି କହିଥିଲେ। କିନ୍ତୁ ସପ୍ତାହ ପରେ ସପ୍ତାହ ଗଡିଲା ପରେ ମଧ୍ୟ କୋହଲିଙ୍କ ପକ୍ଷରୁ କୌଣସି ପ୍ରକାର ଅପଡେଟ୍ ମିଳି ନଥିଲା। ଅମିତ୍ କହିଛନ୍ତି ଯେ ସେ ବାରମ୍ବାର ବିରାଟ କୋହଲିଙ୍କୁ ଫୋନ୍ କରିଥିଲେ ଏବଂ ମେସେଜ୍ ମଧ୍ୟ ପଠାଇଥିଲେ, କିନ୍ତୁ କୋହଲି ନା ତାଙ୍କ ଫୋନ୍ ଉଠାଇଲେ ନା କୌଣସି ମେସେଜର ଜବାବ ଦେଲେ।

ଅନ୍ୟ ଖେଳାଳିଙ୍କୁ ସୁଯୋଗ କିନ୍ତୁ ତାଙ୍କୁ ଅଣଦେଖା

ଅମିତ୍ ମିଶ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ସେତେବେଳେ ଯେଉଁ ଅନ୍ୟ ଖେଳାଳିମାନେ ତାଙ୍କ ଅପେକ୍ଷା ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଦୀର୍ଘ ଦିନ ଧରି ଦଳରୁ ବାହାରେ ରହିଥିଲେ, ସେମାନେ ଫିଟ୍ ହେବାମାନେ ସଙ୍ଗେ ସଙ୍ଗେ ଦଳକୁ ଫେରିଥିଲେ। କିନ୍ତୁ ତାଙ୍କ କ୍ଷେତ୍ରରେ କାହିଁକି ଏଭଳି ଦ୍ୱୈତ ନୀତି ଅବଲମ୍ବନ କରାଗଲା ଏବଂ ପ୍ରୋଟୋକଲ୍ ଅଣଦେଖା କରାଗଲା,, ତାହାର କୌଣସି ଉତ୍ତର ଆଜି ପର୍ଯ୍ୟନ୍ତ ସେ ପାଇନାହାନ୍ତି।

କ୍ୟାରିଅରର ଅନ୍ତ

ଶେଷରେ ନିଜର ଦୁଃଖ ବ୍ୟକ୍ତ କରି ଅମିତ୍ ମିଶ୍ର କହିଛନ୍ତି ଯେ, “ଯେତେବେଳେ କେହି ଆପଣଙ୍କୁ ଦଳରେ ରଖିବାକୁ ଚାହାନ୍ତି ନାହିଁ, ସେତେବେଳେ ଆପଣ ଆଉ କ’ଣ କରିପାରିବେ?” ଏହି ଘଟଣା ଏବଂ ମ୍ୟାଚ୍ ପରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅର ଏକପ୍ରକାର ଶେଷ ହୋଇଯାଇଥିଲା ଏବଂ ସେ ଆଉ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇନଥିଲେ।

ରାଜନୀତିର ପଶାପାଲିରେ ବଳି ପଡ଼ିଗଲା ସ୍କୁଲ

ନନ୍ଦିଘୋଷ ବ୍ୟୁରୋ: ରାଜନୀତିର ପଶାପାଲିରେ ବଳି ପଡ଼ିଗଲା ସ୍କୁଲ । 5T ସ୍କୁଲରେ ନା ଅଛି ବିଜୁଳି ନା ପାନୀୟ ଜଳ । ଅନ୍ଧାରରେ ପାଠ ପଢ଼ା ଚାଲିଥିବା ବେଳେ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ । ସେପଟେ ପାଚେରୀ ନଥିବାରୁ ସ୍କୁଲ ପରିସରକୁ ଅସାମାଜିକ ବ୍ୟକ୍ତି ଅବାଧରେ ପ୍ରବେଶ କରୁଛନ୍ତି । ଏଭଳି ଘୋର ସମସ୍ୟା ଘେରରେ ରହିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଖିରିଡ଼ା ହାଇସ୍କୁଲ ।

ପୂର୍ବ ସରକାରଙ୍କ ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଖିରିଡ଼ା ହାଇସ୍କୁଲର ହୋଇଥିଲା ରୂପାନ୍ତରୀକରଣ। ସ୍ମାର୍ଟ କ୍ଲାସରୁମ୍, ସାଇନ୍ସ ଲାବ୍ରଟୋରୀ, ଇ-ଲାଇବ୍ରେରୀ, ପାନୀୟ ଜଳ, ଶୌଚାଳୟ ସହ ସ୍କୁଲ କ୍ୟାମ୍ପସର ହୋଇଥିଲା ସୌନ୍ଦର୍ଯ୍ୟକରଣ । ହେଲେ ରୂପାନ୍ତରିତ ସ୍କୁଲର ଦାୟିତ୍ଵ ନେବାକୁ ଭୁଲିଗଲେ ରାଜ୍ୟ ସରକାର । ଫଳରେ ଅନ୍ଧାରରେ ଚାଲିଛି ପିଲାଙ୍କ ପାଠପଢା । କେବଳ ବିଦ୍ୟୁତ୍ ନୁହେଁ, ସ୍କୁଲ ଚାରିପଟେ ପାଚେରୀ ମଧ୍ୟ ନାହିଁ । ଅସାମାଜିକ ବ୍ୟକ୍ତି ମାନେ ସ୍କୁଲ ପରିସରକୁ ଅବାଧରେ ପ୍ରବେଶ କରୁଛନ୍ତି । ଝରକା କାଚ ଭାଙ୍ଗି ଦେଉଛନ୍ତି । ଖାଲି ଏତିକିରେ ସରିନି ଛାତ୍ରଛାତ୍ରୀଙ୍କ ଦୁଃଖ, ପିଇବା ପାଇଁ ସ୍କୁଲରେ ପାନୀୟ ଜଳର ମଧ୍ୟ ସୁବିଧା ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସ୍କୁଲର ଏସବୁ ସମସ୍ୟା ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇବା ପରେ ବି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

 

ଆସୁଛି ଗଜଲକ୍ଷ୍ମୀ ପୂଜା, ଜୋରସୋରରେ ଚାଲିଛି ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ଆସୁଛି ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମାଆ ଧନଦାତ୍ରୀ । ମାଆଙ୍କ ପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ଚଳିତ ବର୍ଷ ୪୧ ମଣ୍ଡପରେ ବିରାଜିବେ ମାଆ ଲକ୍ଷ୍ମୀ । ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ଜୋରଦାର ଚାଲିଛି ତୋରଣ ନିର୍ମାଣ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେପଟେ ଗଜଲକ୍ଷ୍ମୀ ପୂଜା ନେଇ କେନ୍ଦ୍ରାପଡ଼ାରେ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ଚାଲିଛି ମଣ୍ଡପ ନିର୍ମାଣ, ତ ଆଉ କେଉଁଠି ଚାଲିଛି ରଙ୍ଗ ଓ ସାଜସଜ୍ଜା କାମ । ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସୁନ୍ଦର କାରୁକାର୍ଯ୍ୟ ଓ ଭଳିକି ଭଳି ତୋରଣରେ ସଜେଇ ହେଲାଣି କେନ୍ଦ୍ରାପଡ଼ା ସହର । ଚଳିତ ବର୍ଷ ଜିଲ୍ଲାର ୨୫୦ରୁ ଉର୍ଦ୍ଧ୍ଵ ସ୍ଥାନରେ ପୂଜା ପାଇବେ ମାଆ ଲକ୍ଷ୍ମୀ । ଭକ୍ତଙ୍କ ଭିଡ଼କୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ସେଥିପାଇଁ ଦିନରାତି କାମରେ ଲାଗି ପଡିଛନ୍ତି କାରିଗର ଓ ପୂଜା କମିଟି ।

 

 

 

 

ଏଣିକି ଫୋନରେ ସିମ୍ ନଥିଲେ କାମ କରିବନି ହ୍ବାଟ୍ସଆପ

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରୁ ନୂଆ ନିୟମ । ଏଣିକି ହ୍ବାଟ୍ସଆପ ପାଇଁ ଲାଗୁ ହେବ ‘ସିମ୍ ବାଇଣ୍ତିଂ’ ନିୟମ । ତେବେ ନୂତନ ସାଇବର ସୁରକ୍ଷା ଲାଗୁ ହେବା ପରେ ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ଡ଼ିଭାଇସରେ ଆଉ ପୂର୍ବ ଭଳି କାମ କରିବନି ହ୍ବାଟ୍ସଆପ ।

ସୂଚନା ଅନୁଯାୟୀ, ସାଇବର ଠକେଇ ଓ ଫେକ୍ ଆକାଉଣ୍ଟ ରୋକିବା ପାଇଁ ସରକାର ଓ ଟେଲିକମ୍ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ‘ସିମ୍ ବାଇଣ୍ଡିଂ’ ନିୟମ ଅନୁଯାୟୀ, ଯେଉଁ ଫୋନ୍ ବା ଡିଭାଇସ୍‌ରେ ସମ୍ପୃକ୍ତ ସିମ୍ କାର୍ଡ ସକ୍ରିୟ ଥିବ, କେବଳ ସେହି ଫୋନ୍‌ରେ ହିଁ ହ୍ୱାଟ୍ସଆପ୍ ଚାଲିପାରିବ । ଯଦି ଆପଣ ଫୋନ୍‌ରୁ ସିମ୍ କାର୍ଡ କାଢ଼ି ଦେଉଛନ୍ତି କିମ୍ବା ୱାଇଫାଇ ସାହାଯ୍ୟରେ ଅନ୍ୟ ଡିଭାଇସ୍‌ରେ ସେହି ନମ୍ବର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଏହା ଛଡ଼ା ପୁରୁଣା ଅପରେଟିଂ ସିଷ୍ଟମ୍ ଓ ଅଣ-ପଞ୍ଜୀକୃତ କିମ୍ବା କ୍ଲୋନ୍ କରାଯାଇଥିବା ସିମ୍ ରେ ସକ୍ରିୟ ଥିବା ହ୍ବାଟ୍ସଆପ ଆକାଉଣ୍ଟ ଉପରେ ଏହା ପ୍ରଭାବ ପଡ଼ିବ ।

ତେବେ ବ୍ୟାଙ୍କିଙ୍ଗ୍ ଆପ୍ ଭଳି ଏବେ ହ୍ୱାଟ୍ସଆପ୍ ମଧ୍ୟ ନିୟମିତ ଭାବେ ଡିଭାଇସ୍‌ରେ ଥିବା ସିମ୍‌କୁ ଭେରିଫାଏ କରିବ । ଆକାଉଣ୍ଟ ହ୍ୟାକ୍, ଠକେଇ ଓ ଫେକ୍ ପ୍ରୋଫାଇଲ୍ ରୋକିବା ନେଇ ଏହି ନିୟମ ଲାଗୁ କରାଯିବ । ତେଣୁ ନିଜ ସ୍ମାର୍ଟଫୋନ୍‌ରେ ସକ୍ରିୟ ସିମ୍ ନରଖିଲେ ଆଗାମୀ ଦିନରେ ହ୍ୱାଟ୍ସଆପ୍ ସେବା ବନ୍ଦ ହେବାର ସମ୍ଭାବନା ରହିଛି । ଏହି ନିୟମ ଲାଗୁ ହେଲେ ଅସ୍ଥାୟୀ ଭର୍ଚୁଆଲ୍ ନମ୍ବର ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲୁଥିବା ଠକମାନଙ୍କ ଉପରେ ନଜର ରଖିବା ସହଜ ହୋଇଯିବ । ସିମ୍ କାର୍ଡ ବାହାର କରିଦେଲେ ହ୍ୱାଟ୍ସଆପ୍ ନିଜେ ନିଜେ ଲଗ୍-ଆଉଟ୍ ହୋଇଯିବ ।

 

 

 

 

 

 

 

 

ରାପିଡ଼ୋ ଉପରେ ବଡ଼ ଆକ୍ସନ୍! ବିନା ଅନୁମତିରେ ଗାଡ଼ି କାଢିଲେ ଫାଇନ୍

ନନ୍ଦିଘୋଷ ବ୍ୟୁରୋ: ଏଣିକି ରାସ୍ତାରେ ଚାଲିପାରିବନି ବିନା ଅନୁମତିରେ ଚାଲିଥିବା ରାପିଡ଼ୋ ବାଇକ୍ ଓ ଟ୍ୟାକ୍ସି । ପୁଣେରେ ବିନା ଅନୁମତିରେ ଚାଲିଥିବା ରାପିଡ଼ୋ ବାଇକ୍ ଓ ଟ୍ୟାକ୍ସି ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ । କମ୍ପାନୀ ବିରୋଧରେ ଅଭିଯୋଗ ପରେ ପୁଣେ ଆରଟିଓ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ରାପିଡ଼ୋ ଆପ୍ ରୁ ବାଇକ୍-ଟ୍ୟାକ୍ସି ବୁକିଂ ବିକଳ୍ପକୁ ତୁରନ୍ତ ହଟାଇବା ପାଇଁ ପୁଣେ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ।

ସୂଚନା ଅନୁଯାୟୀ, କମ୍ପାନୀ ବେଆଇନ ଭାବେ ବାଇକ୍-ଟ୍ୟାକ୍ସି ଚଲାଉଥିବା ଅଭିଯୋଗ ହୋଇଛି। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଛି ପରିବହନ ବିଭାଗ । ଆଶ୍ଚର୍ଯ୍ୟର କଥା, ଅଭିଯୋଗର ଗୋଟିଏ ସପ୍ତାହ ପରେ ମଧ୍ୟ, ରାପିଡ଼ୋ ଆପରେ ବାଇକ୍ ଓ ଟ୍ୟାକ୍ସି ବୁକିଂ ସକ୍ରିୟ ରହିଛି। କମ୍ପାନୀର ଏହି ମନମାନୀ ପରେ ପୁଣେ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷର (RTA) ଅଧ୍ୟକ୍ଷ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପୋଲିସ କମିଶନରଙ୍କୁ ଆବଶ୍ୟକୀୟ ଅନୁମତି ନମିଳିବା ପର୍ଯ୍ୟନ୍ତ ସାଇବର ସେଲ୍‌କୁ ଆପ୍‌ରୁ ବୁକିଂ ଫିଚରକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଣେ ଆରଟିଓ ଅଧିକାରୀ କହିଛନ୍ତି, ‘ଏପର୍ଯ୍ୟନ୍ତ ୧୦ରୁ ଅଧିକ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୬୦ ହଜାରରୁ ଅଧିକ ଜରିମାନା ଆଦାୟ କରାଯାଇଛି।

ରାପିଡ଼ୋର ଆପ୍‌ରେ ବୁକିଂ ଜାରି ରହିବା ନେଇ ଅଟୋ-ରିକ୍ସା ଚାଳକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ଏଫଆଇଆର୍ ସତ୍ତ୍ୱେ ଯାତ୍ରୀମାନେ କିପରି ବାଇକ୍-ଟ୍ୟାକ୍ସି ବୁକ୍ କରିପାରୁଛନ୍ତି ବୋଲି ମହାରାଷ୍ଟ୍ର କାମଗାର ସଭା ଓ ବାଗତୋୟ ରିକ୍ସାୱାଲା ୟୁନିୟନର ସଭାପତି କେଶବ କ୍ଷୀରସାଗର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସଂଘ ଖୁବ୍ ଶୀଘ୍ର ଆରଟିଓ ଅଧିକାରୀଙ୍କ ସହିତ ସାକ୍ଷାତ କରି ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ରାପିଡ଼ୋକୁ ଜବାବ ମଗାଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

ଭାରତ-ଚୀନ ମୁହାଁମୁହିଁ; ଡିଜିଙ୍କ ବଡ଼ ଖୁଲାସା ପରେ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଚୀନ୍ ସୀମାରେ ତିକ୍ତତା କମିବାର ନାଁ ନେଉନି। ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ଭାରତୀୟ ସେନା ଏବଂ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ବା PLA ସୈନ୍ୟମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ ଜୁଲାଇ ମାସରୁ ଏହି ପରିସ୍ଥିତି ଲାଗି ରହିଥିବା ବେଳେ ବର୍ତ୍ତମାନ ଏହାର ସର୍ବସାଧାରଣରେ ପୁଷ୍ଟି କରିଛନ୍ତି ITBP ବା ଭାରତ-ତିବ୍ଦତ ସୀମା ପୁଲିସର ମହାନିର୍ଦ୍ଦେଶକ ଶତ୍ରୁଜୀତ ସିଂହ କପୁର। ଏବେ ବି ଦୁଇ ଦେଶର ସେନା ଏକାଧିକ ସ୍ଥାନରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ସୀମାରେ ଏହି ସ୍ଥିତିର ମୁକାବିଲା କରିବା ପାଇଁ ITBP ପକ୍ଷରୁ ନବଗଠିତ ‘ଶୌର୍ଯ୍ୟ କମାଣ୍ଡୋ’ ଟିମକୁ ମୁତୟନ କରାଯାଇଛି। ତାଙ୍କର ଏହି ବୟାନକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି। କିଛି ମାସ ଧରି ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏହି ଖୁଲାସା ସାମ୍ନାକୁ ଆସିଛି।

ITBP ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର କହିଛନ୍ତି ଯେ ଗତ ଜୁଲାଇ ମାସରୁ ଅରୁଣାଚଳ ପ୍ରଦେଶ ସୀମାର ଏକାଧିକ ସ୍ଥାନରେ ଚୀନ୍ ସେନା ସହ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ଜୁଲାଇରେ ତକସିଂ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବା ପ୍ରମୁଖ ପାଟ୍ରୋଲିଂ ପଏଣ୍ଟଗୁଡ଼ିକରେ ଭାରତୀୟ ସୁରକ୍ଷା ବାହିନୀର ପ୍ରବେଶକୁ ଚୀନ୍ ସେନା ବାଧା ଦେଉଥିବା ନେଇ ରିପୋର୍ଟ ଆସିଥିଲା।

୧୯୬୨ ମସିହାରେ ଗଠିତ ITBP ଚୀନ୍ ସହ ଥିବା ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ସୁରକ୍ଷା ଦାୟିତ୍ୱ ତୁଲାଉଛି।

ଚୀନ୍ ସୀମାକୁ ସବୁଠାରୁ କଠିନ ସୀମା ବୋଲି ବର୍ଣ୍ଣନା କରି ITBP ମୁଖ୍ୟ କହିଛନ୍ତି ଯେ ସୀମାନ୍ତରେ ଥିବା ସମସ୍ତ ୟୁନିଟ୍‌ରେ ଡ୍ରୋନ୍ ପ୍ଲାଟୁନ୍ ଗଠନ କରାଯାଇଛି। ଗଲୱାନ୍ ଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୁଦ୍ଧ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିସହ ସୀମାନ୍ତ ଅଞ୍ଚଳରେ ଭୂତଳ ଭିତ୍ତିଭୂମି ନିର୍ମାଣ ମଧ୍ୟ ଚାଲିଛି।

ମ୍ୟୁଜିୟମରେ ଆଉ ଦେଖିବାକୁ ମିଳିବନି ‘ମମି’ !

ନନ୍ଦିଘୋଷ ବ୍ୟୁରୋ: ମ୍ୟୁଜିୟମ୍ ରୁ ହଟିଲା ‘ମମି’ । ମରିବା ପୂର୍ବରୁ ଅନୁମତି ଦେଇନଥିବାରୁ ପ୍ରଦର୍ଶନୀରୁ ହଟାଇ ଦିଆଗଲା । ସ୍କଟଲ୍ୟାଣ୍ଡର ଏକ ମ୍ୟୁଜିୟମ୍ ଏବେ ଏଭଳି ନିଷ୍ପତ୍ତି ନେଇଛି । ଏଠାରେ ଥିବା ମିଶ୍ରର ମମିକୁ ପ୍ରଦର୍ଶନୀରୁ ହଟାଇ ଦେଇଛି । କାରଣ ସେମାନଙ୍କ ପାଖରେ ଯାହାର ମମି ଥିଲା, ସେହି ମୃତ ବ୍ୟକ୍ତିଙ୍କର ସମ୍ମତି ନଥିଲା । ଦି ଟେଲିଗ୍ରାଫର ରିପୋର୍ଟ ମୁତାବକ, ସ୍କଟଲାଣ୍ଡର ଗ୍ଲାସଗୋରେ ଥିବା କେଲଭିନଗ୍ରୋଭ ଆର୍ଟ ଗ୍ୟାଲେରୀ ଏବଂ ସଂଗ୍ରହାୟକୁ ଆସୁଥିବା ଲୋକଙ୍କୁ ଏଭଳି ଏକ ନୋଟିସ ମିଳିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ମ୍ୟଜିୟମର ମ୍ୟାନେଜମେଣ୍ଟ ସମ୍ମାନ ସ୍ବରୂପ ଏହି ପ୍ରଦର୍ଶନୀରୁ ମାନବ ଅବଶେଷକୁ ହଟାଇ ଦେଇଛି ।

ତେବେ ଅପସାରିତ ଜିନିଷଗୁଡିକ ଭିତରେ ଏକ କଫିନ୍ ରହିଥିଲା, ଯେଉଁଥିରେ ଜଣେ ପୂଜାରୀଙ୍କ ଶରୀରର ଅବଶେଷ ଥିଲା । ଏହାସହ ମିଶ୍ରର ଲକ୍ସରରେ ଥିବା କିଙ୍ଗ୍ସ ଘାଟିରୁ ମିଳିଥିବା ମମି ହୋଇଥିବା ଡାହାଣ ହାତ, ସେହିପରି ମମି ହୋଇଥିବା ପୁରୁଷ ମୁଣ୍ଡ ଏବଂ ଡାହଣ ପାଦ ବି ରହିଥିଲା । ସେପଟେ ଡେଲି ମେଲ୍ ର ରିପୋର୍ଟ  ଅନୂସାରେ, SNP ନେତୃତ୍ବାଧୀନ ଗ୍ଲାସଗୋ ସିଟି କାଉନସିଲ ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଥିବା ଏକ ଚାରିଟେବଲ୍ ସଂସ୍ଥା ‘ଗ୍ଲାସଗୋ ଲାଇଫ’ କହିଛି ଯେ କେଲଭିନଗ୍ରୋଭ୍ ଏବଂ ସେଣ୍ଟ ମୁଙ୍ଗୋ ସଂଗ୍ରହାଳୟରୁ ଆହୁରି ମଧ୍ୟ ମାନବ ଅବଶେଷ ହଟାଇବାକୁ ଯୋଜନା କରୁଛି । ସୁଚନା ମୁତାବକ, କେଲଭିନଗ୍ରୋଭ ଆର୍ଟ ଗ୍ୟାଲେରୀ ଏବଂ ସଂଗ୍ରହାୟ ୧୯୦୧ ମସିହାରେ ଖୋଲା ଯାଇଥିଲା  । କେବଳ ମମିକୁ ଦେଖିବା ପାଇଁ ପ୍ରତିବର୍ଷ ଏଠାକୁ ୧୩ ଲକ୍ଷରୁ ଅଧିକ ଲୋକ ଆସିଥାନ୍ତି । ସେଠାକାର ପ୍ରାଚୀନ ମିଶ୍ର ଗ୍ୟାଲେରୀରେ ଦୀର୍ଘ ସମୟରୁ ମିଶ୍ରର ମମି ଏବଂ ଅନ୍ୟାନ୍ୟ ଅବଶେଷକୁ ସ୍ଥାନିତ କରାଯାଇଛି । ଏହି ମମିଗୁଡିକ ସଂଗ୍ରହାଳୟର ସବୁଠାରୁ ଲୋକପ୍ରିୟ ଆକର୍ଷଣ ମଧ୍ୟରୁ ଗୋଟିଏ । ଏହା ପଛର କାରଣ ହେଉଛି, ପ୍ରାଚୀନ ମିଶ୍ରର ଲୋକମାନେ ‘ମମିଫିକେସନ୍’ ମାଧ୍ୟମର ସେମାନଙ୍କର ପ୍ରିୟଜନକଙ୍କ ମୃତ ଶରୀରକୁ ସଂରକ୍ଷଣ କରି ରଖୁଥିଲେ । ତାଙ୍କ ବିଶ୍ବାସ ରହିଥିଲା ଯେ ପରଲୋକ ପାଇଁ ଶରୀର ଠିକ ଭାବରେ ରହିବା ଦରକାର ।  ଆଉ ସେବେଠାରୁ ନେଇ ଏବେ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ମ୍ୟୁଜିୟମରେ ମମିକୁ  ପ୍ରଦର୍ଶନ କରାଯାଉଛି।

କହିରଖୁଛୁ ଯେ, କୌଣସି ମଣିଷ କିମ୍ବା ପଶୁର ମୃତ୍ୟୁ ପରେ ତାର ମରଶରୀରକୁ ଔଷଧ ଏବଂ ପଟି ଳଗାଇ ହଜାର ହଜାର ବର୍ଷ ପର୍ଯ୍ୟନ୍ତ କ୍ଷୟ ହେବାକୁ ରୋକା ଯାଇଥାଏ, ତାହାକୁ ମମି କୁହାଯାଏ । ଏହି ମମି ଭିତରେ ସବୁଠାରୁ ଫେମସ୍ ହେଉଛି ମିଶ୍ରର ମମି, ଯେଉଁଠାରେ ରାଜାମାନଙ୍କୁ ମମି କରି ପିରାମିଡରେ ରଖାଯାଇଥାଏ ।

 

ଏସିଆନ୍ ପାରାଗେମ୍ସରେ ଭାରତକୁ ପୁଣି ଡବଲ ସ୍ବର୍ଣ୍ଣ

ଏସିଆନ୍ ପାରାଗେମ୍ସରେ ଭାରତୀୟ ଆଥଲେଟ୍‌ମାନଙ୍କର ବିଜୟ ଅଭିଯାନ ଜରୀରହିଛି । ଭାରତ ପାଇଁ ପୁଣି ଏକ ଗୌରବମୟ ଦିନ ସାବ୍ୟସ୍ତ ହୋଇଥିବା ବେଳେ ଗୋଟିଏ ଦିନରେ ଦେଶକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜୀ ଏବଂ ବ୍ୟାଡମିଣ୍ଟନରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଏହି ସଫଳତା ଆଣିଦେଇଛନ୍ତି।

ମେନ୍ସ ଡବଲ୍ସ ତୀରନ୍ଦାଜୀ ଇଭେଣ୍ଟରେ ଭାରତୀୟ ଯୋଡ଼ି ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ଆରମ୍ଭରୁ କଡ଼ା ମୁକାବିଲା କରି ଶକ୍ତିଶାଳୀ ଚୀନ୍ ଦଳକୁ ୫-୧ ସେଟ୍‌ରେ ଏକତରଫା ଭାବେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

ସେହିପରି ବ୍ୟାଡମିଣ୍ଟନରେ ଭାରତର ନୀତେଶ କୁମାର ଜିତିଛନ୍ତି ସ୍ବର୍ଣ୍ଣ ପଦକ। ସେ ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଓଡ଼ିଶାର ଗର୍ବ ତଥା ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ପରାସ୍ତ କରିଥିଲେ। ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟ ପରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଏହି ଦ୍ୱିଗୁଣିତ ସଫଳତା ପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦେଶ ପାଇଁ ଗୌରବ ଆଣିଥିବା ଏହି ସମସ୍ତ ବିଜେତା ଖେଳାଳିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଛି।

AI ନଉଛି IT ଚାକିରି: ୬ ବଡ଼ କମ୍ପାନୀ ଓ ବାର୍କଲେଜ୍‌ରେ ବଡ଼ ଛଟେଇ

ନନ୍ଦିଘୋଷ ବ୍ୟୁରୋ: ଭାରତର ବଡ଼ ୬ଟି ଆଇଟି ଏବଂ ଇଞ୍ଜିନିୟରିଂ କମ୍ପାନୀରେ ଗତ ଏକ ବର୍ଷ ମଧ୍ୟରେ ମୋଟ ୨୪,୪୨୨ କର୍ମଚାରୀ କମିଛନ୍ତି। ଷ୍ଟାଫିଂ ଫର୍ମ ‘ଏକ୍ସଫେନୋ’ ଅନୁସାରେ, ଏହି କମ୍ପାନୀଗୁଡ଼ିକରେ ପୁରୁଣା କର୍ମଚାରୀଙ୍କ ଚାକିରି ଛାଡ଼ିବାର ଗତି ନୂଆ ନିଯୁକ୍ତିଠାରୁ ଅଧିକ ରହିଛି। ଫଳରେ ମୋଟ କର୍ମଚାରୀ ସଂଖ୍ୟାରେ ଏକ ବଡ଼ ହ୍ରାସ ଦେଖାଯାଇଛି।

ଏହି ହ୍ରାସ ମୁଖ୍ୟତଃ ଟିସିଏସ୍, ଇନଫୋସିସ୍, ଏଚସିଏଲ୍ ଟେକ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଏବଂ ଏଲଟିଆଇ ମାଇଣ୍ଡଟ୍ରିରେ ଦେଖିବାକୁ ମିଳିଛି। ଗତ ଏକ ବର୍ଷରେ ମଧ୍ୟରେ ଏହି କମ୍ପାନୀଗୁଡ଼ିକୁ ମୋଟ ୯୨ ହଜାର କର୍ମଚାରୀ ଛାଡ଼ିଛନ୍ତି। କିନ୍ତୁ ଖାଲି ପଦଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଇନଥିବାବେଳେ ମାତ୍ର ୬୮ ହଜାର ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାର ପରିଣାମ ସ୍ୱରୂପ, ଅକ୍ଟୋବର ୨୦୨୫ରେ ଏହି କମ୍ପାନୀଗୁଡ଼ିକରେ ଥିବା ୮,୨୨,୧୪୪ କର୍ମଚାରୀଙ୍କ ତୁଳନାରେ ଅକ୍ଟୋବର ୨୦୨୬ ସୁଦ୍ଧା ମୋଟ କର୍ମଚାରୀ ସଂଖ୍ୟା ପ୍ରାୟ ୩ ପ୍ରତିଶତ କମି ୭,୯୭,୭୨୨କୁ ଖସିଛି ।

ବିଶେଷଜ୍ଞ ଅନୁସାରେ, ଚାକିରି କମିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣ ହେଉଛି AI। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପ୍ଲିକେସନ୍ ମେଣ୍ଟେନାନ୍ସ, ମାନୁଆଲ୍ ଟେଷ୍ଟିଂ ଏବଂ ଇନ୍ଫ୍ରାଷ୍ଟ୍ରକଚର୍ ସପୋର୍ଟ ଭଳି ପାରମ୍ପରିକ IT କାମକୁ ଏବେ AI ନିଜେ ସମ୍ଭାଳିବାରେ ସକ୍ଷମ ହେଉଛି। ଫଳରେ ଏପରି ଭୂମିକା ପାଇଁ ନୂଆ ନିଯୁକ୍ତି ବହୁତ କମ୍ ହେଉଛି।

ଦ୍ୱିତୀୟ କାରଣ ହେଉଛି ଦୁର୍ବଳ ବିଶ୍ୱ ଅର୍ଥନୈତିକ ବୃଦ୍ଧି। ଏପରି ପରିସ୍ଥିତିରେ କମ୍ପାନୀମାନେ ସେହି କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି, ଯେଉଁମାନେ କୌଣସି ସକ୍ରିୟ କ୍ଲାଏଣ୍ଟ ପ୍ରୋଜେକ୍ଟରେ କାମ କରୁନାହାନ୍ତି। ଏହା କରିବା ଦ୍ୱାରା କମ୍ପାନୀର ଆୟ ଉପରେ ବଡ଼ ପ୍ରଭାବ ପଡ଼ୁନଥିବାବେଳେ କମ୍ପାନୀର ଖର୍ଚ୍ଚ କମୁଛି।

ଅନ୍ୟପଟେ, ବାର୍କଲେଜ୍ ବ୍ୟାଙ୍କ ନିଜର ଖର୍ଚ୍ଚ କମାଇବା ପାଇଁ ବିଶ୍ୱସ୍ତରରେ ପ୍ରାୟ ୫ ହଜାର ଚାକିରି କମାଇବାକୁ ଯାଉଛି। ବ୍ୟାଙ୍କର ତୃତୀୟ ତ୍ରୟମାସିକର ମିଶ୍ର ଫଳାଫଳ ଏବଂ ଟ୍ରେଡିଂ ରେଭେନ୍ୟୁରେ ହ୍ରାସ ପରେ ଖର୍ଚ୍ଚ କମାଇବା ପାଇଁ AI ଏବଂ ଅଟୋମେସନ୍‌ର ବ୍ୟବହାରକୁ ଦ୍ରୁତଗତିରେ ବଢ଼ାଇବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହି ଛଟେଇରେ ମୁଖ୍ୟତଃ ବ୍ୟାକ୍-ଅଫିସ୍, ସପୋର୍ଟ ଏବଂ ମିଡିଲ୍ ମ୍ୟାନେଜମେଣ୍ଟ ଭୂମିକାରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ। କମ୍ ଖର୍ଚ୍ଚରେ ରୁଟିନ୍ ଏବଂ ଡାଟା ସମ୍ପର୍କିତ କାମ ସମ୍ପନ୍ନ କରିବା ପାଇଁ ବ୍ୟାଙ୍କ ବଡ଼ ପରିମାଣରେ AI ଆଧାରିତ ପ୍ରଯୁକ୍ତିକୁ ଲାଗୁ କରୁଛି। ଏହି ଛଟେଇ ଫଳରେ ବାର୍କଲେଜ୍‌ର ବର୍ଷକୁ ପ୍ରାୟ ୧୨,୩୨୩ କୋଟି ଟଙ୍କା ବା ୧.୩ ବିଲିୟନ୍ ଡଲାର ସଞ୍ଚୟ ହେବ।

ଭାରତ ଉପରେ ସିଧାସଳଖ ପ୍ରଭାବ :

AI ଆଧାରିତ ଏହି ଛଟେଇର ପ୍ରଭାବ ଭାରତ ଉପରେ ସିଧାସଳଖ ପଡ଼ିପାରେ, କାରଣ ଭାରତ ହେଉଛି ବ୍ରିଟିଶ୍ ବ୍ୟାଙ୍କ ବାର୍କଲେଜ୍‌ର ଦ୍ୱିତୀୟ ସବୁଠାରୁ ବଡ଼ ବିଶ୍ୱସ୍ତରୀୟ କେନ୍ଦ୍ର। AI ଏବେ କୋଡ ଲେଖିବା ସହିତ ଅନେକ ପ୍ରାଥମିକ ଟେକ୍ନିକାଲ୍ କାମକୁ ଦ୍ରୁତଗତିରେ ସଫଳ କରୁଛି। ଏହି କାରଣରୁ ବ୍ୟାଙ୍କକୁ ପୂର୍ବପରି ଏତେ ସଂଖ୍ୟାରେ ଡେଭେଲପର୍‌ଙ୍କ ଆବଶ୍ୟକତା ରହୁନାହିଁ।