spot_img
Home Blog Page 1896

ରାଜଧାନୀରେ କ୍ରୀଡା ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର: କ୍ରୀଡା ସାମ୍ବାଦିକ ସରୋଜ ଜେନାଙ୍କୁ ମରଣାନ୍ତକ ଆକ୍ରମଣ। ରସୁଲଗଡ଼ ଅଞ୍ଚଳରେ ଥିବା ଅଫିସରୁ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ କିଛି ମଦ୍ୟପ ଯୁବକ କରିଛନ୍ତି ଆକ୍ରମଣ। ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ସ୍କୁଟିରେ ୩ ଜଣ ଆସି ପ୍ରଥମେ ସାଇଡ଼ ମାରିଲେ ।ଏହାପରେ ସରୋଜ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ।

ରାସ୍ତାରେ ପଡ଼ିଥିବା ଇଟା ପଥର ଉଠାଇ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହା ଦ୍ବାରା ସରୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସରୋଜ। ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଛି।

ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ

ସମ୍ବଲପୁର: ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସକାଳୁ ସକାଳୁ ତାଳବ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ସେ ମନ୍ଦିରକୁ ଯାଇଥିଲେ । ଜନସାଧାରଣ ପ୍ରଣବଙ୍କୁ ସ୍ବାଗତ କରିବା ସହ ବାଜାବାଣରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ଏହାପରେ ପ୍ରଣବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।

ନିର୍ବାଚନ ପାଇଁ ମାଆଙ୍କଠାରୁ ଆଶିଷ ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଦୁଆର ଦୁଆର ବୁଲି ଲୋକଙ୍କ ନିକଟତର ହୋଇ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଣବ । ସବୁ ବର୍ଗର ଲୋକ ପ୍ରଣବଙ୍କୁ ପାଛୋଟି ନେବା ସହ ମହିଳାମାନେ ଫୁଲ ପକାଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତି ପ୍ରଣବଙ୍କ ପ୍ରତି ସମ୍ବଲପୁରର ଭଲପାଇବାକୁ ପ୍ରତିପାଦିତ କରୁଥିଲା ।

ସାହି ସାହି ବୁଲିବା ସହ ଗାଁ କୋଠ ଘରେ ପ୍ରଣବ ବସି ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ଯାର ସମାଧାନ ପାଇଁ ପ୍ରଣବ ପ୍ରତିଶୃତି ଦେଇଥିଲେ । ଏହାପରେ ମାଆମାନଙ୍କୁ ଭେଟି ସୁବିଧାଅସୁବିଧା ପଚାରି ବୁଝିଥିଲେ ପ୍ରଣବ । ପ୍ରଣବ କହିଛନ୍ତି, ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି । ମୁଖ୍ଯମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ଗ୍ରହଣ କରି ସମର୍ଥନ ଅଜାଡ଼ି ଦେଉଛନ୍ତି । ଲୋକଙ୍କ ମଧ୍ଯରେ ଉତ୍ସାହ ରହିଛି । ମୁଖ୍ଯମନ୍ତ୍ରୀଙ୍କୁ ସମସ୍ତେ ଉଚିତ ସମ୍ମାନ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଣବ ।

ସମ୍ବଲପୁରରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଣବ ପ୍ରକାଶ ଦାସ ଏଠାରୁ ବିଜେଡିର ପ୍ରାର୍ଥୀ ହେବାପରେ ଏହି ଆସନ ଉପରେ େବେ ସମଗ୍ର ରାଜ୍ଯର ନଜର ରହିଛି । ପ୍ରଣବଙ୍କ ପିତା ବିଶିଷ୍ଟ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ଜୀବନର ଏକ ଲମ୍ବା ସମୟ ସମ୍ବଲପୁରରେ ବିତାଇଥିଲେ । ସେଥିପାଇଁ ସମ୍ବଲପୁର ସହ ପ୍ରଣବ ଭବଗତ ଭାବେ ଜଡିତ ବୋଲି ବରାବର କହି ଆସିଛନ୍ତି । ପ୍ରଣବଙ୍କ ପିତା ଅଶୋକ ଦାସ ବିଧାୟକ ଥିବାବେଳେ ସେ ପଶ୍ଚିମ ଓଡ଼ିଶା ବିଶେଷକରି ସମ୍ବଲପୁର ଅଞ୍ଚଳର ବିକାଶ ପାଇଁ ବରାବର ବିଧାନସଭାରେ ଦାବି କରିଆସୁଥିଲେ ।

ଏବେ ରାଜ୍ଯର ବିଜେଡି ସରକାର ମଧ୍ଯ ସମ୍ବଲପୁର ବିକାଶ ପାଇଁ ବରାବର ଉଦ୍ଯମ କରିଆସୁଛନ୍ତି । ସବୁଠୁ ବଡ଼ ଉଦାହରଣ ହେଉଛି ସମଲେଇ ପ୍ରକଳ୍ପ । ସମ୍ବଲପୁର, କୁଚିଣ୍ଡା, ରେଙ୍ଗାଳି, ଦେବଗଡ଼, ଆଠମଲ୍ଲିକ, ରେଢାଖୋଲ, ଛେଣ୍ଡିପଦା ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି । ଗତକାଲି ପ୍ରଣବ ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ତାଙ୍କର ପ୍ରଚାର କରିଥିଲେ । ପୂର୍ବରୁ ମଧ୍ଯ ସେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ । ସବୁଠାରେ ପ୍ରଣବଙ୍କୁ ଉଚ୍ଛ୍ବସିତ ସ୍ବାଗତ କରାଯିବା ସହ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନର ନ୍ୟୁକ୍ଲିଅର ପ୍ଲାଣ୍ଟରେ ଆକ୍ରମଣ

ତେହରାନ: ଇରାନ ଉପରେ ପୁଣି ଏକ ବଡ଼ ଆକ୍ରମଣ କରିଥିବା ଦାବି କରିଛି ଇସ୍ରାଏଲ। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହି ଦାବି କରିଛନ୍ତି। ଇରାନର ଇସଫାହାନ ବିମାନବନ୍ଦର ନିକଟରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

କିଛି ଭିଡିଓରେ ଦେଖାଯାଇଛି ଯେ ବାୟୁସେନାର ପ୍ରତିରକ୍ଷା ବ୍ୟବସ୍ଥା ଇରାନର ଏହି ସହରରେ କାମ କରୁଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଇରାନର ପରମାଣୁ କେନ୍ଦ୍ର ଅବସ୍ଥିତ ସହର ଇସଫାହାନରେ ଇସ୍ରାଏଲ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏପର୍ଯ୍ୟନ୍ତ ଇରାନର ୯ଟି ସ୍ଥାନକୁ ଟାର୍ଗେଟ କରିବାର ଖବର ରହିଛି। ଇରାନ ସହିତ ଇସ୍ରାଏଲ ମଧ୍ୟ ଇରାକ ଏବଂ ସିରିଆରେ ଇରାନ ସମର୍ଥିତ ସାମରିକ ବେସ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି।

ଗଣତନ୍ତ୍ରର ମହାପର୍ବ: ଭାଗ୍ୟପରୀକ୍ଷା କରୁଛନ୍ତି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ସିଏମ ଓ ଜଣେ ପୂର୍ବତନ ରାଜ୍ୟପାଳ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟାଦଶ ଲୋକସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ । ୨୧ ରାଜ୍ଯର ୧୦୨ ଆସନ ଲାଗି ଚାଲିଛି ମତଦାନ  । ଏବେ ଆସନ୍ତୁ ନଜର ପକାଇବା ପ୍ରଥମ ପର୍ଯ୍ୟାୟର କେତେକ ହାଇଭୋଲଟେଜ ସିଟ ସମ୍ପର୍କରେ।

ଆସାମ ଦିବ୍ରୁଗଡରୁ ବିଜେପି ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ତାଙ୍କୁ ଟକ୍କର ଦେଉଛନ୍ତି ଆସାମ ଜାତୀୟ ପରିଷଦର ଲୁରିନଜ୍ୟୋତି ଗୋଗୋଇ। ବିହାରର ଗୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନଝି ହାମ-ଏସରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଆରଜେଡିର କୁମାର ସରବଜିତ। ନୱାଦ ଆସନରେ ବିଜେପି ପ୍ରାର୍ଥୀ ବିବେକ ଠାକୁରଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଶ୍ରବଣ କୁସୱାହା।

ବିହାର ଜାମ୍ମୁଇରେ ଏଲଜେପି- ରାମବିଳାସ ପ୍ରାର୍ଥୀ ଅରୁଣ ଭାରତୀଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଅର୍ଚ୍ଚନା ରବିଦାସ। ବସ୍ତରରେ ବିଜେପିର ମହେଶ କାଶ୍ଯପଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସ କାୱାସି ଲକ୍ଷ୍ମୀ। ମଧ୍ଯପ୍ରଦେଶ ମାଣ୍ଡଲାରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଓଁକାର ସିଂ ମାର୍କମ। ଛିନ୍ଦାୱାରାରେ କଂଗ୍ରେସର ନକୁଲନାଥଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ବିବେକ ବଣ୍ଟି ସାହୁ।

ମହାରାଷ୍ଟ୍ର ନାଗପୁରରେ ବିଜେପି ପ୍ରାର୍ଥୀ ନୀତୀନ ଗଡ଼କରୀଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର ବିକାଶ ଠାକରେ। ମେଘାଳୟ ଟୁରାରେ କଂଗ୍ରେସର ସାଲେଙ୍ଗ ଏ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆଗାଥା କେ ସାଂଗମା। ରାଜସ୍ଥାନ ବିକାନେରର ବିଜେପିର ଅର୍ଜୁନ ରାମ ମେଘୱାଲଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଗୋବିନ୍ଦ ସିଂ ମେଘୱାଲ। ଅଲୱରରେ ବିଜେପିର ଭୂପେନ୍ଦ୍ର ଯାଦବକୁ ପ୍ରତିଦ୍ବନ୍ଦିତା କରୁଛନ୍ତି କଂଗ୍ରେସ ଲଳିତ ଯାଦବ।

ଚେନ୍ନାଇ ସାଉଥରୁ ବିଜେପିର ତାମିଲସାଇ ସୁନ୍ଦରରାଜନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଡିଏମକେର ଏ. ଥାଙ୍ଗପାନ୍ଦିଆନ। ଚେନ୍ନାଇ ସେଣ୍ଟ୍ରାଲରେ ବିଜେପିର ଭିନୋଜ ପି. ସୋଲଭାମଙ୍କ ବିରୋଧରେ ଲଢୁଛନ୍ତି ଡିଏମକେର ଦୟାନିଧି ମରାନ। ଶ୍ରୀପେରୁଦୁମ୍ବୁରରେ ଡିଏମକେର ଟିଆର ବାଲୁଙ୍କୁ ବିରୋଧରେ ଲଠୁଛନ୍ତି ଏଆଆଇଏଡିଏମକେର ଡି. ପ୍ରେମକୁମାର।

ନୀଳଗିରିସରେ ବିଜେପିର ଏଲ ମୁରୁଗାନଙ୍କ ବିରୋଧରେ ଲଢୁଛନ୍ତି ଡିଏମକେର ଏ. ରାଜା। କୋଏମ୍ବାଟୁରରରେ ବିଜେପି ରାଜ୍ଯ ସଭାପତି କେ. ଆନ୍ନାମଲାଇଙ୍କ ବିରୋଧରେ ଲଢୁଛନ୍ତି ଡିଏମକେ ଗଣପତି ପି. ରାଜକୁମାର। ଶିବଗଙ୍ଗାରେ ବିଜେପିର ଡି. ଦେବନାଥନ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କାର୍ତ୍ତି ଚିଦାମ୍ବରମ। ଥୁଥୁକୁଡି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତ କାନିମୋଝୀ କରୁଣାନିଧି। ତ୍ରିପୁରା ୱେଷ୍ଟରେ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବିପ୍ଳବ କୁମାର ଦେବ। ଉତ୍ତର ପ୍ରଦେଶ ପିଲଭିଟରୁ ବରୁଣ ଗାନ୍ଧୀଙ୍କ ବଦଳରେ ଲଢୁଛନ୍ତି ବିଜେପିର ଜିତିନ ପ୍ରସାଦ। ଉତ୍ତରାଖଣ୍ଡ ହରିଦ୍ବାରରେ ଭାଗ୍ୟ ପରୀ୍କ୍ଷା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ ପୂର୍ବତନ ମୁଖ୍ଯମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାଓ୍ବ

ଦୁଇ ରାଜ୍ଯରେ ବିଧାନସଭା ନିର୍ବାଚନ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଗୋଟିଏ ପର୍ଯ୍ୟାୟରେ ଭୋଟ

ନନ୍ଦିଘୋଷ ବ୍ୟୁରୋ: ୬୦ ସଦସ୍ଯ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ୬୦ ଆସନ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ଯରେ ଅଛନ୍ତି ମୁଖ୍ଯମନ୍ତ୍ରୀ ପେମା ଖାଂଡୁ। କେତେକ ପ୍ରଥମ ଥର ଲାଗି ନିର୍ବାଚିତ ବିଧାୟକ ବି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୫୦ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବାବେଳେ ୧୯ ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି କଂଗ୍ରେସ । ଏନପିପି ୨୦ ଆସନରେ ପ୍ରାର୍ଥୀ ଦେଇଛି ।

ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେବେ ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର। ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୧୪ରୁ ସାଂସଦ ଅଛନ୍ତି କିରନ ରିଜିଜୁ।

ସେହିପରି ସିକ୍କିମରେ ମଧ୍ଯ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୩୨ ସଦସ୍ୟ ବିଶିଷ୍ଟ ଗୃହ ଲାଗି ଭୋଟିଂ ଆରମ୍ଭ ହୋଇଛି । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ ଅଛନ୍ତି ୩ ଜଣ ।

ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ । ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ଦୁଇ ଜୁନରେ ହିଁ ଫଳାଫଳ ପ୍ରକାଶ ପାଇବ ।

ଅଷ୍ଟାଦଶ ଲୋକସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ, ୨୧ ରାଜ୍ଯରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ସାତୋଟି ପର୍ଯ୍ୟାୟରେ ଗଣତନ୍ତ୍ରର ୪୪ ଦିନିଆ ମହାନ ପର୍ବ ଆଜିଠୁ ଆରମ୍ଭ। ନେତା ବାଛୁଛି ଭାରତ । ନୂଆ ସରକାର ବାଛିବାକୁ ଆଜିଠୁ ଆରମ୍ଭ ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଦାନ । ୨୧ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ଆସନ ଲାଗି ହେଉଛି ମତଦାନ ।

ଏହା ସହ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ବିଧାନସଭା ଲାଗି ହେଉଛି ନିର୍ବାଚନ। ୧୬.୬୩ କୋଟିରୁ ଅଧିକ ଭୋଟର ଆଜି ମତଦାନ ସାବ୍ୟସ୍ତ କରିବେ  । ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରିବେ  । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍‌ ଦେବେ ଭୋଟର  । ଆସନ୍ତା ଜୁନ ୪ରେ ପ୍ରକାଶ ପାଇବ ନିର୍ବାଚନ ଫଳ  ।

ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଭୋଟ ଲାଗି ସମସ୍ତ ବ୍ଯବସ୍ଥା କରାଯାଇଛି। ଆସାମ, ବିହାର, ଅରୁଣାଚଳ, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ରାଜସ୍ଥାନ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ, ପୁଡୁଚେରୀର ୧୦୨ ଲୋକସଭା ଆସନରେ ହେଉଛି ଭୋଟ । ମାଓ ଅଧ୍ୟୁଷିତ ଅଞ୍ଚଳରେ ଭୋଟ ଲାଗି କରାଯାଇଛି ବ୍ଯାପକ ବ୍ଯବସ୍ଥା।

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର: ନିର୍ବାଚନ ଆଚରଣବିଧି ଲାଗୁ ପରେ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂକୁ ଜୋରଦାର କରାଯାଇଛି । ବିଶେଷକରି ନିଶା ଓ ଟଙ୍କା କାରବାର ଉପରେ ରହିଛି କଡ଼ା ନଜର । ଆଜି ଜଳେଶ୍ବର ଥାନା ଆମ୍ବିଳିଅଠା ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବାବେଳେ ମାଡ଼ି ବସିଛି ଅବକାରୀ ସ୍କ୍ବାଡ । ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୋଗରାଇ ଥାନା ସୁନାଧରବସାଣ ଗ୍ରାମର ସେଖ୍ ଆସରତ ଆୟୁବ । ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ବାଇକ ଜବଦ କରିଛି ଟମ୍  । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ । ସାଟେଲାଇଟ ବିଭାଗ ପକ୍ଷରୁ ୧୦/୨୪ ମୂଳେ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି।

ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ବିରୋଧ

ଝାରସୁଗୁଡ଼ା: ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ବିରୋଧ କଲେ ଝାରସୁଗୁଡ଼ାର କିଛି ବ୍ୟକ୍ତି। ବାହାରିଆ ନେତା ଗୋ ବ୍ୟାକ କହି ଟଙ୍କଧରଙ୍କୁ ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀ ଛକରେ ରାଲିକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଜି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିମୂର୍ତ୍ତି ସମ୍ମୁଖରେ ସ୍ଥାନୀୟ ଜନସାଧାରଣ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିରୋଧ କରି ଧାରଣା ଦେଇଥିଲେ। ସୂଚନା ଅନୁସାରେ ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଭାବେ ଦଳ ଟଙ୍କଧର ତ୍ରିପାଠୀଙ୍କୁ ଭରସା କରିଛି। ତେବେ ଟଙ୍କଧର ତ୍ରିପାଠୀ ପଡୋଶୀ ଜିଲ୍ଲା ସୁନ୍ଦରଗଡର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଜନସାଧାରଣ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଧୀରେ ଧୀରେ ଟଙ୍କଧରଙ୍କୁ ନେଇ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅସନ୍ତୋଷ ଦେଖାଦେଇଛି।

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ: ପୁରୀରେ ପହଞ୍ଚିଲା ରଥ ଦଉଡି। ୩ରଥ ପାଇଁ ୨୬ରଥ ଦଉଡି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏଥିରେ ୧୪ ରଥଟଣା, ୧୨ କଡନ ଦଉଡି ରହିଛି । ଦଉଡି ଯୋଗାଉଛି ଓଡ଼ିଶା କଏର କର୍ପୋରେସନ । ଏନେଇ ଶ୍ରୀମନ୍ଦିର ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ । ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ରହିଛି। ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା।

କାହା ସପକ୍ଷରେ ଯିବ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ? 

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇଛି ରାଜନୀତି। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ବାଲିକୁଦା -ଏରସମା ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନର ପାଣିପାଗ ଉଷ୍ମ ହେବାରେ ଲାଗିଛି। ଏଠାରେ ପାଖାପାଖି ୩ ଲକ୍ଷ ଭୋଟର। ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ଓ ଏରସମା ବ୍ଲକର ୨୫ଟି ପଞ୍ଚାୟତକୁ ନେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ।

ଜଗତସିଂହପୁର ଜିଲ୍ଲାର ୪ ଟି ବିଧାନସଭା କ୍ଷେତ୍ରରୁ ବାଲିକୁଦା-ଏରସମା  ଅନ୍ଯତମ। ବାଲିକୁଦା ବ୍ଲକର ୩୦ଟି ପଞ୍ଚାୟତ ଓ ଏରସମା ବ୍ଲକର ୨୫ଟି ପଞ୍ଚାୟତକୁ ନେଇ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଠିତ। ଏଠାରେ ଜୁନ ୧ ତାରିଖରେ ମତଦାନ ହେବ। ସମୁଦାୟ ୨ ଲକ୍ଷ ୬୭ ହଜାର ୭୯୦ ଜଣ ମତଦାତା ଅଛନ୍ତି। ସେଥିରୁ ପୁରୁଷ ୧ ଲକ୍ଷ ୩୯ ହଜାର ୬୧୫, ମହିଳା ୧ ଲକ୍ଷ ୨୮ ହଜାର ୩୩୯  ଓ ତୃତୀୟ ଲିଙ୍ଗୀ ୨୬ ଜଣ ମତଦାତା ଅଛନ୍ତି। ଚଳିତ ନିର୍ବାଚନରେ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ନଳିନୀ ସ୍ୱାଇଁଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ସତ୍ୟ ସାରଥୀ ମହାନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ନିର୍ବାଚନୀ ମାହୋଲ ଜମିଲାଣି।

୨୦୦୯ ମସିହାରୁ ଏଠାରେ ବିଜେଡି ଲଗାତାର ଭାବେ ବିଜୟର ବାନା ଉଡ଼ାଇ ଚାଲିଛି। ବିଜେଡିର ପ୍ରଶାନ୍ତ କୁମାର ମୁଦୁଲି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୧୯ ମସିହାରେ ରଘୁନନ୍ଦନ ଦାସ ବିଜେପି ଦଳରୁ ଆସି ବିଜେଡି ଟିକେଟ ପାଇ ଜିତିଥିଲେ। ୨୦୧୯ରେ ବାଲିକୁଦା- ଏରସମା ବିଧାନସଭା ଆସନରୁ  ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ୧୦୩, ୮୧୪ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ୪୯, ୨୩୧ ଖଣ୍ଡ ଭୋଟ ମିଳିଥିଲା।  ବିଜେପିରୁ ଦାମୋଦର ରାଉତ ୩୭,୬୧୧ ଖଣ୍ଡ ଭୋଟ ପାଇଥିଲେ। ବାଲିକୁଦା- ଏରସମାରେ ପ୍ରଚାର ଜମି ଆସିଲାଣି।  ଜୁନ ୧ ତାରିଖରେ ଭୋଟଗ୍ରହଣ କରାଯିବ। ଲୋକମାନେ ବିକାଶମୂଳକ କାମକୁ ଫୋକସ କରୁଛନ୍ତି। ଭୋଟ ଗଣତି ପରେ ଜଣା ପଡ଼ିବ କାହା ମୁଣ୍ଡରେ ଭୋଟର ହାତୀ ସୁନା କଳସ ଢାଳୁଛନ୍ତି।