ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ

ସମ୍ବଲପୁର: ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସକାଳୁ ସକାଳୁ ତାଳବ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ସେ ମନ୍ଦିରକୁ ଯାଇଥିଲେ । ଜନସାଧାରଣ ପ୍ରଣବଙ୍କୁ ସ୍ବାଗତ କରିବା ସହ ବାଜାବାଣରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ଏହାପରେ ପ୍ରଣବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।

ନିର୍ବାଚନ ପାଇଁ ମାଆଙ୍କଠାରୁ ଆଶିଷ ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଦୁଆର ଦୁଆର ବୁଲି ଲୋକଙ୍କ ନିକଟତର ହୋଇ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଣବ । ସବୁ ବର୍ଗର ଲୋକ ପ୍ରଣବଙ୍କୁ ପାଛୋଟି ନେବା ସହ ମହିଳାମାନେ ଫୁଲ ପକାଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତି ପ୍ରଣବଙ୍କ ପ୍ରତି ସମ୍ବଲପୁରର ଭଲପାଇବାକୁ ପ୍ରତିପାଦିତ କରୁଥିଲା ।

ସାହି ସାହି ବୁଲିବା ସହ ଗାଁ କୋଠ ଘରେ ପ୍ରଣବ ବସି ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ଯାର ସମାଧାନ ପାଇଁ ପ୍ରଣବ ପ୍ରତିଶୃତି ଦେଇଥିଲେ । ଏହାପରେ ମାଆମାନଙ୍କୁ ଭେଟି ସୁବିଧାଅସୁବିଧା ପଚାରି ବୁଝିଥିଲେ ପ୍ରଣବ । ପ୍ରଣବ କହିଛନ୍ତି, ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି । ମୁଖ୍ଯମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ଗ୍ରହଣ କରି ସମର୍ଥନ ଅଜାଡ଼ି ଦେଉଛନ୍ତି । ଲୋକଙ୍କ ମଧ୍ଯରେ ଉତ୍ସାହ ରହିଛି । ମୁଖ୍ଯମନ୍ତ୍ରୀଙ୍କୁ ସମସ୍ତେ ଉଚିତ ସମ୍ମାନ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଣବ ।

ସମ୍ବଲପୁରରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଣବ ପ୍ରକାଶ ଦାସ ଏଠାରୁ ବିଜେଡିର ପ୍ରାର୍ଥୀ ହେବାପରେ ଏହି ଆସନ ଉପରେ େବେ ସମଗ୍ର ରାଜ୍ଯର ନଜର ରହିଛି । ପ୍ରଣବଙ୍କ ପିତା ବିଶିଷ୍ଟ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ଜୀବନର ଏକ ଲମ୍ବା ସମୟ ସମ୍ବଲପୁରରେ ବିତାଇଥିଲେ । ସେଥିପାଇଁ ସମ୍ବଲପୁର ସହ ପ୍ରଣବ ଭବଗତ ଭାବେ ଜଡିତ ବୋଲି ବରାବର କହି ଆସିଛନ୍ତି । ପ୍ରଣବଙ୍କ ପିତା ଅଶୋକ ଦାସ ବିଧାୟକ ଥିବାବେଳେ ସେ ପଶ୍ଚିମ ଓଡ଼ିଶା ବିଶେଷକରି ସମ୍ବଲପୁର ଅଞ୍ଚଳର ବିକାଶ ପାଇଁ ବରାବର ବିଧାନସଭାରେ ଦାବି କରିଆସୁଥିଲେ ।

ଏବେ ରାଜ୍ଯର ବିଜେଡି ସରକାର ମଧ୍ଯ ସମ୍ବଲପୁର ବିକାଶ ପାଇଁ ବରାବର ଉଦ୍ଯମ କରିଆସୁଛନ୍ତି । ସବୁଠୁ ବଡ଼ ଉଦାହରଣ ହେଉଛି ସମଲେଇ ପ୍ରକଳ୍ପ । ସମ୍ବଲପୁର, କୁଚିଣ୍ଡା, ରେଙ୍ଗାଳି, ଦେବଗଡ଼, ଆଠମଲ୍ଲିକ, ରେଢାଖୋଲ, ଛେଣ୍ଡିପଦା ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି । ଗତକାଲି ପ୍ରଣବ ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ତାଙ୍କର ପ୍ରଚାର କରିଥିଲେ । ପୂର୍ବରୁ ମଧ୍ଯ ସେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ । ସବୁଠାରେ ପ୍ରଣବଙ୍କୁ ଉଚ୍ଛ୍ବସିତ ସ୍ବାଗତ କରାଯିବା ସହ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।