spot_img
Home Blog Page 1876

ଆଜି ଟ୍ବିନସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି

ଭୁବନେଶ୍ୱର: ଆଜି ଟ୍ବିନ ସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆହୁରି ବଢିବ ତାପମାତ୍ରା। ଫଳରେ ଆସନ୍ତାକାଲି ୧୩ ଜିଲ୍ଲାକୁ ରେଡ ଆଲର୍ଟ ଓ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ତିନି ଦିନ ପରେ ଓଡ଼ିଶାରେ ହିଟ୍ ୱେଭର ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ୪୧.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ତାପମାତ୍ର ୪୧.୨, କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁର ୪୦, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬, ଗୋପାଳପୁର ୩୪.୪, ପୁରୀ ୩୪.୪ ଓ ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ, ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

ମହାନଦୀକୁ ନେଇ ସମ୍ବଲପୁରରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି: ବିଜେଡି

ଭୁବନେଶ୍ୱର: ମହାନଦୀକୁ ନେଇ ସମ୍ବଲପୁରରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଦୀର୍ଘ ପାଞ୍ଚ ବର୍ଷ ଏଠି ସାଂସଦ ଓ ବିଧାୟକ ଲୁଚି ଲୁଚି ବୁଲିଲେ। ମହାନଦୀକୁ ନେଇ ବିଜେପି ଯେଉଁ ହୀନ ରାଜନୀତି କରିଛି, ତା’ର ପର୍ଦ୍ଦାଫାସ୍ ହେବା ଜରୁରୀ ବୋଲି କଡା ଜବାବ ରଖିଛି ବିଜେଡି। ମହାନଦୀକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କହିଛନ୍ତି, ମହାନଦୀ ଆମର ମାଆ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଆ ମାଟି ବିରୋଧରେ ଯାଇ ଛତିଶଗଡ଼ର ସ୍ୱାର୍ଥ ପାଇଁ ଉଦ୍ୟମ କରିଛନ୍ତି। ମହାନଦୀକୁ ମାରିବା ପାଇଁ ଧର୍ମେନ୍ଦ୍ର ଯେଉଁ ପ୍ରୟାସ କରିଥିଲେ, ତାହା ଜନସାଧାରଣ ଜାଣିଛନ୍ତି । ସମ୍ବଲପୁରବାସୀ ଏହା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ଟ୍ରିବ୍ଯୁନାଲକୁ ମଧ୍ଯ ଧର୍ମେନ୍ଦ୍ର ରୋକିବାକୁ ଚେଷ୍ଟା କରିଥିଲେ ।

ଛତିଶଗଡ଼ରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ତାଙ୍କର ଉଦ୍ଦେଶ୍ୟ ଥିଲା। କିନ୍ତୁ ତାଙ୍କର ଭାଗ୍ୟଡୋରୀ ଆଜି ସମ୍ବଲପୁରବାସୀଙ୍କ ହାତରେ ବୋଲି ସଞ୍ଜୟ ବାବୁ କହିଛନ୍ତି।

ଧର୍ମଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର, କହିଲେ- ଆପଣଙ୍କ ସାଂସଦ…

ଧର୍ମଗଡ: ପ୍ରଗତିର ଚିହ୍ନ ଶଙ୍ଖ । ଶଙ୍ଖ ଚିହ୍ନ ଜିତିଲେ ଓଡିଶାର ଉନ୍ନତି ହେବ। ଧର୍ମଗଡ ବିଧାନସଭା କ୍ଷେତ୍ର କୋକସରା ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅବସରରେ ଏଭଳି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ନିର୍ବାଚନ ବେଳେ କିଛି ନେତା ଡବଲ ଇଂଜିନ କଥା କହିବେ। କିନ୍ତୁ ପଡୋଶୀ ଛତିଗଡରେ ପ୍ରଥମେ ଡବଲ ଇଂଜିନ ଥିଲା, ତାପରେ ସିଙ୍ଗଲ ଇଂଜିନ ହୋଇଗଲା । ଏବେ ଆଉ ଗୋଟେ ଇଂଜିନ ସରକାରରେ ଅଛି । ଓଡିଶାରେ କେବଳ ନବୀନ ଇଂଜିନ ହିଁ କାମ କରିବ। କାରଣ ଏହା ଲୋକଙ୍କ ସରକାର ।

ସ୍କୁଲ, କଲେଜ, ହସ୍ପିଟାଲ, ମନ୍ଦିର ସବୁ କ୍ଷେତ୍ରରେ ବିକାଶ କେବଳ ବିଜେଡି ସରକାର ହିଁ କରିପାରିବ। ଏହି ଅବସରରେ 5T ଅଧ୍ୟକ୍ଷ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ ୱେ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଖାଇ ପୂର୍ବର ବିଜେପି ସାଂସଦଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଦେଇଥିବା ସବୁ ପ୍ରତିଶୃତିକୁ ଜିତିବା ପରେ ଭୁଲିଗଲେ। ନିର୍ବାଚନ ପରେ ତାଙ୍କର ଆଉ ଦେଖାମିଳିଲା ନାହିଁ। ତେଣୁ ଏମିତି ପ୍ରାର୍ଥୀଙ୍କୁ ଜିତାନ୍ତୁ ଯିଏ ସାଥିରେ ରହିବ ଆଉ ଲୋକଙ୍କ କାମ କରିବ।

ଗତ ସାତ ମାସ ମଧ୍ୟରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ଧର୍ମଗଡ ବିଧାନସଭା କ୍ଷେତ୍ର ପାଇଁ ୧୧୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଭଣ୍ଡାରଘରଣୀ ମନ୍ଦିରର ଉନ୍ନତିକରଣ ପାଇଁ ୧କୋଟି ୯ ଲକ୍ଷ ମିଳିଥିବା ବେଳେ ଧର୍ମଗଡରେ ୨୪ ଘଣ୍ଟିଆ ପିଇବା ପାଣି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ଯେଉଁଥିପାଇଁ ଆଦିବାସୀ ଭାଷା, କଳା ଓ ସଂସ୍କୃତିର ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି । ଧର୍ମଗଡରେ ବିକାଶର ଧାରା ବଜାୟ ରଖିବାକୁ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ସେ ଅପିଲ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାରରେ ଆଇଏଫଏସ୍ ଅଫିସର ସହଯୋଗ କରୁଥିବା ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ଆଇଏଫଏସ୍ ଅଫିସର ବିନୟ ପ୍ରଧାନ ସହଯୋଗ କରୁଥିବା ଅଭିଯୋଗ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି। ବିନୟ ପ୍ରଧାନ କନସଲ ଜେନରାଲ ଭାବେ ଆମେରିକାରେ କାର୍ଯ୍ୟରତ ରହିଛନ୍ତି। ଏବେ ଛୁଟିରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପି ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଦାୟିତ୍ଵ ତୁଲାଉଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ବିନୟ ପ୍ରଧାନ ତାଙ୍କ ଓଏସଡି  ଥିଲେ। ସେ ଧର୍ମେନ୍ଦ୍ରଙ୍କ ପାଇଁ କାମ କରୁଥିବାରୁ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ନାହିଁ। ତେଣୁ  ବିନୟ କାର୍ଯ୍ୟରତ ଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ବିଜେଡି ଦାବି କରିଛି। ଏହା ସହ ତାଙ୍କର ମୋବାଇଲ ଟ୍ରାକିଂ ଓ ସିଡିଆର୍ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ନିର୍ବାଚନ କମିଶନଙ୍କୁ ମେଲ୍ ଜରିଆରେ ବିଜେଡି ଦାବି କରିଥିଲା। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ପ୍ରତିନିଧି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି, ସିଇଓଙ୍କ ନିକଟରେ ବିଜେଡିର ଫେରାଦ

ଭୁବନେଶ୍ୱର: ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି। ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛି ବିଜେପି। ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି।

ପିଲାମାନଙ୍କୁ ବିଜେପି ପତାକା ଓ ଉତ୍ତରୀୟ ପକାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଚିକିଟି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମଧ୍ୟ ସମାନ କାମ କରୁଥିବା ନେଇ ସିଇଓଙ୍କୁ ଜଣାଇଥିଲା ବିଜେଡି ଟିମ୍।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NCC କ୍ୟାଡେଟଙ୍କୁ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି।

ଆଗାମୀ ୪ରୁ ୫ ଦିନ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି। ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ।

ଖାଲି ସେତିକି ନୁହେଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନର ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ। ଏହାସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ। ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆର୍ଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ୪୧.୪ ଡିଗ୍ରୀ ସହ ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱରରେ ତାପମାତ୍ର ୪୧.୨, କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁର ୪୦, ଚାନ୍ଦବାଲି ୩୯.୬, ହୀରାକୁଦ ୩୯, ରାଉରକେଲା ୩୮.୬, ଗୋପାଳପୁର ୩୪.୪, ପୁରୀ ୩୪.୪ ଓ ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ: 5T ଅଧ୍ୟକ୍ଷ

ନୂଆପଡା: ନୂଆପଡା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହି ଗସ୍ତ ସମୟରେ ବିଭିନ୍ନ ସମାଜ ପକ୍ଷରୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି।

ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି 5T ଅଧ୍ୟକ୍ଷ କହିଛନ୍ତି ଯେ, ଓଡିଶାରେ କେବଳ ନବୀନ ଇଞ୍ଜିନ ଚାଲିବ। ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟେ ଇଞ୍ଜିନ ଆସିଛି । ଯଦି ଡବଲ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟେ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି।

୨୦୧୯ରେ ନୂଆପଡାବାସୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିଲେ ବି ସାଂସଦ ଭାବେ ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ ହୋଇଥିଲେ। ହେଲେ ଏଇ ପାଞ୍ଚ ବର୍ଷ ଧରି ତାଙ୍କୁ ନୂଆପଡାବାସୀ ଦେଖିବାକୁ ପାଇନଥିଲେ। ନୂଆପଡାରେ ଯଦି ନିଯୁକ୍ତି ସମସ୍ୟା ରହିଛି ତେବେ ସାଂସଦ କାହିଁକି ନୂଆପଡାରେ ଦକ୍ଷତା ବିକାଶ କେନ୍ଦ୍ର କଲେ ନାହିଁ। ସେହିଭଳି ନୂଆପଡା-ଭବାନୀପାଟଣାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବେ ବି ଦୁଇ ଥାକିଆ  ଅଛି। ହେଲେ ରାଜ୍ୟ ସରକାର ଚାରିଥାକିଆ ବିଜୁ ଏକ୍ସପ୍ରେସ ୱେ କରୁଛନ୍ତି । ଏହା ପ୍ରାମାଣିତ କରୁଛି ଯେ, ନୂଆପଡାର ବିକାଶ ନେଇ ୨୦୧୯ରେ ନିର୍ବାଚିତ ସାଂସଦ ନୂଆପଡାର ବିକାଶ ପାଇଁ କୌଣସି କାମ କରିନାହାଁନ୍ତି। କିନ୍ତୁ ଲୋକଙ୍କ ପାଖରେ ଉତ୍ତରଦାୟୀ ବିଜେଡି ସରକାର ସବୁବେଳେ ନୂଆପଡାର ବିକାଶକୁ ଗୁରୁତ୍ବ ଦେଇଆସୁଛନ୍ତି।

ଏହି ଅବସରରେ 5T ଅଧ୍ୟକ୍ଷ ଗତ ମେ’ ମାସରେ ନୂଆପଡା ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ସମ୍ପର୍କିତ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ ନୂଆପଡା ନିର୍ବାଚନମଣ୍ଡଳିକୁ ୧୩୧ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି । ପାଟୋରା ଯୋଗେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସୁନ୍ଦେଇ ମନ୍ଦିରର ବିକାଶ ପ୍ରକଳ୍ପକୁ ବି ମଂଜୁରୀ ମିଳିଛି । ଏଥିସହିତ ସୁନାବେଢା ରାସ୍ତା କାମ ଆରମ୍ଭ ହୋଇଛି । ଛଅ ମାସ ମଧ୍ୟରେ କାମ ସରିବ ବୋଲି ସେ କହିଛନ୍ତି।

ସେହିପରି ୫ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆପଡାରେ ନିର୍ମିତ ହୋଇଛି ବହୁମୁଖୀ ଇଣ୍ଡୋର ହଲ। ନିର୍ବାଚନ ଆସିଲେ ଅନ୍ୟଦଳର ବହୁ ନେତାମାନେ ଆସିବେ, ବଡ ବଡ ଭାଷଣ ଦେବେ। କିନ୍ତୁ ନିର୍ବାଚନ ସରିଗଲେ ଆଉ ଦେଖା ମିଳିବନି। କିନ୍ତୁ ବିଜେଡି ଲୋକଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ ଏବଂ ସବୁ ଦରଖାସ୍ତର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନୂଆପଡାରେ ବିକାଶ ଧାରାକୁ ବଜାୟ ରଖିବାକୁ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବଡ ମାର୍ଜିନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଗୁଣୁପୁରରେ ଦୁଇ ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ଦୁଇ ଶତାୟୁ ଭୋଟରଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ। ଗୁଣୁପୁର ପୌରପରିଷଦ ଶାନ୍ତି ନଗରର ଗୌରଚନ୍ଦ୍ର ପାଢୀ ଓ ବେବର୍ତ୍ତା ସାହିର ଗୁଣ ମଞ୍ଜରୀ ବେବର୍ତ୍ତାଙ୍କୁ ସମ୍ମାନ। ଉଭୟ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ଶହେ ପାର ହୋଇଛି। ଖବର ଲୋକ ଲୋଚନକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଉଭୟଙ୍କୁ ସମ୍ମାନିତ କରିଛନ୍ତି।

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣୁପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଏହି ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଣମଞ୍ଜରୀ ବେବର୍ତ୍ତାଙ୍କ ବୟସ ୧୦୭ ଓ ଗୌରଚନ୍ଦ୍ର ପାଢ଼ୀଙ୍କ ବୟସ ୧୦୪ ହେବ।

ଅନୁଗୁଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକ୍ ଧକ୍କାରେ ୩ ମୃତ

ଅନୁଗୁଳ: ପୁଣି ଜାତୀୟ ରାଜପଥ ୫୫ ନେଲା ଜୀବନ। ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚାପାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣ ଯୁବକ ଏକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଟ୍ରକ ପଛରୁ ଧକ୍କା ଦେଇଥିଲା। ୩ ଜଣଙ୍କୁ ଟ୍ରକ କିଛି ବାଟ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତକ ୩ ଜଣ ହେଲେ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରାଯାଇଛି। ଦୀର୍ଘ ବର୍ଷ ଧରି ୫୫ ନମ୍ବର ଜାତୀୟ ରାଜପଥ କାମ ଚାଲିଥିଲେ ବି ଏପର୍ଯ୍ୟନ୍ତ ସରୁନି। କାମ ସରୁନଥିବାରୁ ମରଣଯନ୍ତା ପାଲଟିଛି NH-55।

ପ୍ରତିଦିନ ଦୁର୍ଘଟଣା ଘଟିବା ସହ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ତଥାପି କେନ୍ଦ୍ରମନ୍ତ୍ରୀଙ୍କ ଚିନ୍ତା ନାହିଁ। ଆଉ କେତେ ଜୀବନ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗିବ। ଏବେ ନିର୍ବାଚନ ଥିବାରୁ ଅନେକ ବଡ଼ ବଡ଼ ଭାଷଣ ଦେଉଛନ୍ତି। କିନ୍ତୁ ୫୫ ନମ୍ବର ଜାତୀୟ ରାଜପଥ କାମ ପ୍ରତି କାହିଁକି କେନ୍ଦ୍ରମନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକ ମଙ୍ଗୁଳି ଛକ ଠାରୁ ଢେଙ୍କାନାଳ ଅନୁଗୁଳ ଦେଇ ସମ୍ବଲପୁରକୁ ଯାଇଛି ଏନଏଚ-୫୫ ଜାତୀୟ ରାଜପଥ । ବିଶେଷ କରି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁରର ଲାଇଫ ଲାଇନ୍ ଏହି ରାସ୍ତା । ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ଶେଷ ହେବା କଥା। ହେଲେ ପୂରିବାକୁ ଯାଉଛି ୭ ବର୍ଷ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ଅନୁଯାୟୀ ରାସ୍ତା କାମ ମାର୍ଚ୍ଚ ୩୦ରେ ସରିବା କଥା ହେଲେ ଆଜି ପର୍ଯ୍ଯନ୍ତ କାର୍ଯ୍ଯ ସରିପାରିନାହିଁ । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ସଡ଼କ ସୁରକ୍ଷା କମିଟିକୁ ଖାତିର କରୁନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ। ଆଞ୍ଚଳିକ ପରିବହନ ବିଭାଗର ସୂଚନା ଅନୁଯାୟୀ ୨୦୨୩ ମସିହାରେ ୪୦୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୫ ଜଣଙ୍କର ଜୀବନ ଯାଇଛି । ୪୦୩ ଜଣ ଆହତ ହୋଇଛନ୍ତି। ସେହିପରି ଜାତୀୟ ରାଜପଥରେ ୨୦୨୪ ମାର୍ଚ୍ଚ ଭିତରେ ୧୫ଟି ଦୁର୍ଘଟଣାରେ ୨୨ ଜଣଙ୍କର ଜୀବନ ଗଲାଣି।

କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୮ ଆହତ

କୋରାଇ: ଯାଜପୁର କୋରାଇ ଥାନା ଆଲୋଡ଼ା ଗ୍ରାମରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସେପଟେ ଅଭିଯୋଗ ପାଇବା ପରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ପୂଜାର ଗତକାଲି ଉଦଯାପନ ଦିବସ ଥିଲା। ଏହି ଅବସରରେ ଗତକାଲି ରାତିରେ କଳସ ଶୋଭାଯାତ୍ରା ହେଉଥିବା ସମୟରେ କୗେଣସି କାରଣରୁ ଠେଲାପେଲାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ପରିସ୍ଥିତି ଆହୁରି ବିଗିଡିବା ସହ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି କୋରାଇ ପୋଲିସ।