ନନ୍ଦିଘୋଷ ବ୍ୟୁରୋ: ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ଓଡ଼ିଶା ଶାଖା ସଭାପତି ମହେନ୍ଦ୍ର ନାଏକ ବିଜେଡିରେ ଥିବାବେଳେ ସେ ବିଜେପିରେ ଯୋଗଦେଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି । ଖୋଦ ମହେନ୍ଦ୍ର ହିଁ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି ମହେନ୍ଦ୍ର ନାଏକ । ଅଭିଯୋଗ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ଆକାଉଣ୍ଟରେ କିଛି ବ୍ୟକ୍ତି ବିଜେପିରେ ଯୋଗଦେଇଥିବା ନେଇ ଫଟୋ ଛାଡ଼ିଥିଲେ। ମହେନ୍ଦ୍ର ନାଏକ ବିଜେପିରେ ଯୋଗଦାନ କରିଛନ୍ତି ଏବଂ ମୁଁ ତାଙ୍କୁ ସ୍ବାଗତ କଲି ବୋଲି ଲେଖଥିଲେ ଧର୍ମେନ୍ଦ୍ର। ହେଲେ ମହେନ୍ଦ୍ର ଏବେ ବିଜେଡିରେ ଅଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ଏବଂ ଏହା ଧର୍ମେନ୍ଦ୍ରଙ୍କର ମିଛ ପଲିଟିକାଲ ଷ୍ଟଣ୍ଟ ବୋଲି ମହେନ୍ଦ୍ର କହିଛନ୍ତି। ଏଭଳି ଅପପ୍ରଚାର ପାଇଁ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।
ବିରାଟ ଶୋଭାଯାତ୍ରା ଏବଂହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ
ପୁରୀ: ହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ବଡ଼ଦାଣ୍ଡରେ ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ଆଉ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅରୂପ। ଏହି ସମୟରେ ଅରୂପଙ୍କ ସହ ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାଶବର୍ମା, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଓ ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଉପସ୍ଥିତ ଥିଲେ।
ସକାଳେ ପ୍ରଥମେ ପିପିଲି ବାଟ ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ଗ୍ରହଣ କରିଥିଲେ ଅରୂପ। ଏହାପରେ ପୁରୀ ଯାଇ ବିରାଟ ଶୋଭାଯାତ୍ରା କରିଥିଲେ। ରାଲିରେ ପାରମ୍ପରିକ ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅରୂପ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ଭଲପାଇବା ରହିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଭିମୁଖ୍ଯ ସମସ୍ତଙ୍କୁ ଅନୁପ୍ରାଣିତ କରିଛି। ପୁରୀ ଲୋକସଭା କ୍ଷେତ୍ରବାସୀ ସବୁବେଳେ ବିଜେଡିକୁ ସମର୍ଥନ କରିଆସିଛନ୍ତି। ଏଥର ବି ବିଜେଡିକୁ ଲୋକ ଆଶୀର୍ବାଦ କରିବେ ବୋଲି ଅରୂପ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ବିଜେଡିରେ ମିଶିଲେ କଟକ ସଦର ନିର୍ବାଚନ ମଣ୍ଡଳୀର ସତ୍ୟ ଜେନା
ଭୁବନେଶ୍ୱର: ବିଜେଡିରେ ମିଶିଲେ କଟକ ସଦର ନିର୍ବାଚନ ମଣ୍ଡଳୀର ସତ୍ୟ ଜେନା। ସେ ପୂର୍ବତନ ରାଜ୍ୟ ସମ୍ପାଦକ ବିଜେପିର ଯୁବ, ମହିଳା ଓ ସମାଜ ସଶକ୍ତିକରଣ ପାଇଁ ସେ କାମ କରିଛନ୍ତି। ସେହିପରି ମହିଳା ଶସକ୍ତିକରଣ କରିଥିବା ଅନ୍ନପୂର୍ଣ୍ଣା ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି। ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ସସ୍ମିତ ପାତ୍ର କହିଛନ୍ତି। ତାଙ୍କ ସହ ଅନେକ ସମର୍ଥକ ବି ବିଜେଡି ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର।
କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଅନେକ ନେତାଙ୍କ ଏହି ମିଶ୍ରଣ ହୋଇଛି। ନବୀନଙ୍କ ବିକାଶ ଧାରାକୁ ସେମାନେ ଅନୁଭବ କରିଛନ୍ତି। ବିକାଶ କେବଳ ନବୀନ ପଟ୍ଟନାୟକ ଓ ବିଜେଡି ଦ୍ୱାରା ସମ୍ଭବ ବୋଲି ସେମାନେ ଜାଣିଲେ । ମୁଖ୍ୟମନ୍ତ୍ରୀଙ୍କ ଭିଜନ ୨୦୩୬ ସ୍ବପ୍ନକୁ ମିଳିମିଶି ଆଗେଇବୁ। ସତ୍ୟ ଜେନା କହିଛନ୍ତି ଯେ, ଧନ୍ୟବାଦ ଯେ ସମସ୍ତେ ବହୁ ସଂଖ୍ୟାରେ ଉପସ୍ଥିତ ରହି ବିଜେଡିକୁ ସମର୍ଥନ ଦେଲେ। ନବୀନ ପଟ୍ଟନାୟକଙ୍କ ବିକାଶ କାମ ଯୋଗୁଁ ଆମେ ମିଶିଲୁ। ଚନ୍ଦ୍ର ସାରଥୀ ବେହେରାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ବୋଲି ଆଶା। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଵି ବହୁତ ଅବଦାନ ରହିଛି ଏହି ମିଶ୍ରଣରେ ବୋଲି ସସ୍ମିତ ପାତ୍ର କହିଛନ୍ତି। ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି, ସମସ୍ତଙ୍କୁ ହୃଦୟରୁ ପ୍ରଣାମ । ଲୋକଙ୍କ ସହ ଥିଲି, ବହୁ ପରିଶ୍ରମ କରିଛି, ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ କାର୍ଯ୍ୟକ୍ରମ ଦେଖି ସେବା କରିବାକୁ ଆସିବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ କାମ କରିବୁ ବୋଲି ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି ।
ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କଲେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ
ଖୋର୍ଦ୍ଧା: ନିଆରା ଢଙ୍ଗରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ଆର୍ମି ଅଫିସରରୁ ରାଜନେତା ବନିଥିବା ମନ୍ମଥଙ୍କ ନାମାଙ୍କନ ଦାଖଲ ବେଶ ଚର୍ଚ୍ଚା ସାଉଁଟିଛି। ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ। ହଜାର ହଜାର ସମର୍ଥକଙ୍କୁ ଧରି ଖୋର୍ଦ୍ଧାରେ ପହଞ୍ଚିଥିଲେ ମନ୍ମଥ। ବୀର ପାଇକ ନୃତ୍ଯ ସହ ପାରମ୍ପରିକ ନାଚଗୀତରେ ସମର୍ଥକ ଶୋଭାଯାତ୍ରା ଗହଣରେ ବାହାରି ମନ୍ମଥ ନାମାଙ୍କନ ଭରିଛନ୍ତି । ପାଖେ ପାଖେ ଉପସ୍ଥିତ ଥିଲେ ବାପା ତଥା ଭେଟରାନ ସୁରେଶ ରାଉତରାୟ।
ତେବେ ସକାଳେ ଗାଡ଼ି ବା କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଯୁବକଙ୍କ ସହ ଦୌଡ଼ି ଦୌଡ଼ି ଅଭିଯାନ ଆରମ୍ଭ କରିଥିଲେ ମନ୍ମଥ ରାଉତରାୟ । ରାସ୍ତା ଦୁଇ ପାର୍ଶ୍ବରେ ଲୋକମାନେ ଶୁଭେଚ୍ଛା ଓ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ସବୁଥର ନିଜେ ପ୍ରାର୍ଥିପତ୍ର ଦାଖଲ କରୁଥିବା ସୁରେଶ ଏଥର କିନ୍ତୁ ନିଜ ପୁଅ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ସୁସଜ୍ଜିତ ବଳଦ ଯୋଚା ହୋଇଥିବା ଶଗଡ଼, ପାଇକ ନୃତ୍ୟ , ଢୋଲ ମହୁରୀ ଶଙ୍ଖ ଆଦି ନେଇ ବାହାରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ।

