spot_img
Home Blog Page 1836

ବାରିପଦାରେ ଗଡୁନି ବସ, ଯାତ୍ରୀ ହନ୍ତସନ୍ତ

ବାରିପଦା: ବାରିପଦାରେ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ବସ ଚଳାଚଳ। ଗୋଷ୍ଠୀ ସଂଘର୍ଷ ଘଟଣାରେ ପ୍ରତିବାଦ କରାଯିବା ସହ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁ ବସ ଚଳାଚଳ ସମୟକୁ ନେଇ ବିବାଦ ଉଠିଥିଲା ସେହି ବସକୁ ବାରିପଦା ଟାଉନ ପୋଲିସ ନିଜ ହେପାଜତକୁ ନେଇଛି।

ବାରିପଦା ଘରୋଇ ବସ ମାଲିକ ସଂଘ ଅଭିଯୋଗ କ୍ରମେ ୬ ଜଣ ଆକ୍ରମଣକାରୀଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରିଥିବା ବେଳେ, ରାଇରଙ୍ଗପୁର ବସ ମାଲିକ ସଂଘର ଅଭିଯୋଗ ପରେ ବାରିପଦା ବସ ମାଲିକ ସଂଘର ୪ ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ ପୋଲିସ। ବାରିପଦା ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୁନୀଲ ଦାସଙ୍କୁ ପୋଲିସ ଗିରଫ କରିବା ପରେ ବସ ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥିତିକୁ ନଜରରେ ରଖି ଉଭୟ ବସ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିଛି ପୋଲିସ।

ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ।

ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

ସେପଟେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ଏହି ବୈଠକରେ ଯୋଗଦେବେ।

ବାଲେଶ୍ବରରେ କୋହଳ ହେଲା କଟକଣା, ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି

ବାଲେଶ୍ବର: ବାଲେଶ୍ବରରେ ଆହୁରି କୋହଳ ହେଲା କଟକଣା। ଆଜି ୯ ଘଣ୍ଟା ଯାଏଁ କର୍ଫ୍ଯୁ କୋହଳ କରାଯାଇଛି । ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି । ଏହି ସମୟରେ ଦୋକାନ ବଜାର ଖୋଲିବା ସହ ଲୋକମାନେ କିଣାକିଣି କରୁଛନ୍ତି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିଥିବା ବେଳେ ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଅଞ୍ଚଳରେ କଟକଣା ଜାରି ରହିଛି । ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ମିଳୁଛି ।

ତେବେ ମୋବାଇଲରେ ଇଣ୍ଟରନେଟ ବନ୍ଦ ରହିବ । ମ୍ୟୁନିସିପାଲିଟିରେ ଆଜି ବି ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର । ଗତ ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ପରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଘଟଣାରେ ଏଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଜେଲ୍ ଯିବେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତା । ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱିସ୍‌ କୋର୍ଟ । ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ହିନ୍ଦୁଜାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ତାଙ୍କ ବିରୋଧରେ ଲାଗିଥିବା ମାନବ ଚାଲଣ ଅଭିଯୋଗକୁ କୋର୍ଟ ଖଣ୍ଡନ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ପ୍ରକାଶ ହିନ୍ଦୁଜାଙ୍କ ସହ ପତ୍ନୀ କମଲ, ପୁଅ ଅଜୟ ଏବଂ ବୋହୂ ନମ୍ରତା କର୍ମଚାରୀଙ୍କୁ ଶୋଷଣ କରିବା ଏବଂ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ନଦେବା ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଅପାଠୁଆ ଭାରତୀୟ ଘରୋଇ ସହାୟକଙ୍କୁ ଖଟାଉଥୁଲେ । ଏଥିସହିତ ସ୍ୱିଜରଲ୍ୟାଣ୍ଡ ମୁଦ୍ରାର ଦରମା ନଦେଇ ଭାରତୀୟ ମୁଦ୍ରାରେ ଅତି ଅଳ୍ପ ଦରମା ଦେଉଥିଲେ । କେବଳ ଏତିକି ନୁହେଁ ତାଙ୍କ ପାସପୋର୍ଟକୁ ମଧ୍ୟ ଜବତ କରାଯାଇ ତାଙ୍କୁ ଦିନକୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଥିଲା।  ଏମିତିକି ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ସେମାନେ ନିଜ କୁକୁର ଉପରେ ଅଧିକ ଖର୍ଚ୍ଚ କରିଛନ୍ତି ବୋଲି ହିନ୍ଦୁଜା ପରିବାର ଉପରେ ଅଭିଯୋଗ ରହିଥିଲା । ହିନ୍ଦୁଜା ପରିବାରର ପଞ୍ଚମ ଅଭିଯୁକ୍ତ ତଥା ପରିଚାଳକଙ୍କୁ ୧୮ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

କହି ରଖୁଛୁ, ସ୍ୱିଜରଲ୍ୟାଣ୍ଡରେ ଘରୋଇ ସହାୟକଙ୍କ ଶୋଷଣ, ମାନବ ଚାଲାଣ ଏବଂ ସ୍ୱିଜରଲ୍ୟାଣ୍ଡର ଶ୍ରମ ଆଇନ ଉଲ୍ଲଂଘନ ଏକ ପ୍ରମୁଖ ଅପରାଧ ଭାବରେ ବିବେଚନା କରାଯାଏ।

ଗୌତମ ଗମ୍ଭୀର ହେବେ କି ଟିମ ଇଣ୍ଡିଆର ହେଡ୍ କୋଚ୍ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିଏ ହେବେ ପରବର୍ତ୍ତୀ ମୁଖ୍ୟ କୋଚ୍ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟି-୨୦ ବିଶ୍ୱ କପ ପରେ ଇଣ୍ଡିଆ ଟିମକୁ ସମ୍ଭାଳିବ ନୂଆ କୋଚ୍ । ଏଥିପାଇଁ ବିସିସିଆଇ ନୂଆ କୋଚ୍ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ରେସରେ ଅନେକ ଦିଗଜ ପୂର୍ବତନ ଖେଳାଳି ସାମିଲ ରହିଥିବା ବେଳେ, ସବୁଠୁ ଆଗରେ ଗୌତମ ଗମ୍ଭୀରଙ୍କ ନାଁ ରହିଛି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗୌତମ ଗମ୍ଭୀର । ସେ କହିଛନ୍ତି, ବର୍ତ୍ତମାନ ଯେଉଁଠାରେ ଅଛନ୍ତି ସେ ଖୁସି ଅଛନ୍ତି । ବହୁତ ଆଗକୁ ଚିନ୍ତା କରିନାହାଁନ୍ତି ।

ତେବେ ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଦ୍ରାବିଡ଼ଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ହେବା ନେଇ ଚର୍ଚ୍ଚା ହେଉଛି । ଏଥିସହ କୋଚ୍ ହେବା ପାଇଁ କେବଳ ଗୌତମ ଗମ୍ଭୀର ବିସିସିଆଇରେ ଆବେଦନ କରିଥିବା ଜଣାପଡିଛି । ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୌତମ ଗମ୍ଭୀର ମୁଖ୍ୟ କୋଚ ହେବା ନିଶ୍ଚିତ। କିନ୍ତୁ ବର୍ତ୍ତମାନ ଯେଉଁ ତଥ୍ୟ ବାହାରକୁ ଆସିଛି ତାହା ଆଶ୍ଚର୍ଯ୍ୟଜନକ, ଏଥିରେ କୁହାଯାଇଛି, ଗମ୍ଭୀରଙ୍କ ପୂର୍ବରୁ ଭିଭିଏସ ଲକ୍ଷ୍ମଣ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବେ।

ଟିମ ଇଣ୍ଡିଆର ନୂଆ କୋଚକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗୌତମ ଗମ୍ଭୀର କହିଛନ୍ତି ଯେ, ବର୍ତ୍ତମାନ ଏହାର ଉତ୍ତର ଦେବା କଷ୍ଟ । ମୁଁ ଆଗକୁ କିଛି ଭାବିନାହିଁ । ମୁଁ ଏବେ ଯେଉଁଠି ଅଛି, ବହୁତ ଖୁସିଅଛି । ପଶ୍ଚିମବଙ୍ଗରେ ଗମ୍ଭୀର ଏହି  ବିବୃତ୍ତି ଦେଇଥିଲେ ମଧ୍ୟ ଏହାର ଚର୍ଚ୍ଚା  ସମଗ୍ର ଦେଶରେ ହେଉଛି।

ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ହେବା ପାଇଁ ବିସିସିଆଇ ନିଜେ ଗୌତମ ଗମ୍ଭୀରଙ୍କ ସହ ଯୋଗାଯୋଗ କରିଥିଲା । ମୁଖ୍ୟ କୋଚ ପାଇଁ ମଧ୍ୟ ବୋର୍ଡ ଗମ୍ଭୀରଙ୍କ ସହ ନିରନ୍ତର ଯୋଗାଯୋଗ କରିଥିଲେ। ଏହି କାରଣରୁ ଗମ୍ଭୀର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ ନେଇ ମନେ ହେଉଥିଲା। କିନ୍ତୁ, ଗମ୍ଭୀରଙ୍କ ବିବୃତ୍ତି ପରେ, କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ, କେବଳ ବିସିସିଆଇର ସରକାରୀ ବିବୃତ୍ତି ଉପରେ ସମସ୍ତଙ୍କର ନଜର ରହିଛି ।

ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ରତ୍ନବେଦୀ ଛାଡ଼ି ସ୍ନାନବେଦିକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି

ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଦିବ୍ୟସ୍ନାନ ପରେ ଦୁର୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଆଜି ଭୋର ୫ଟାରୁ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି  । ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଏହାପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ଦିନ ୩ ଟାରେ ଛେରା ପହଁରା ୩ଟା ୪୦ରେ ହାତୀବେଶ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ହେଲେ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବାରେ ଲାଗିଛି । ଭର୍ତ୍ତୃହରିଙ୍କ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସ ସମାଲୋଚନା କରିଛି ।

ଦଳ କହିଛି ସଂସଦରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ କେ. ସୁରେଶ । ତାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯିବାର ଥିଲା । ମାତ୍ର ଏହା କରାଗଲା ନାହିଁ। ସଂସଦୀୟ ବ୍ଯାପାର ମନ୍ତ୍ରୀଙ୍କ ଏହା ତ୍ରୁଟି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ ।

ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଥିଲେ । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ସେ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ ।

ଏକାଠି ହେବେ ଜଳ ବିବାଦ ପାଇଁ କାମ କରୁଥିବା ସଙ୍ଗଠନ, ମହାନଦୀ ଲଢ଼େଇ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ପୁଣି ଥରେ ତେଜୁଛି ରାଜ୍ୟ ରାଜନୀତି । ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ, ବୟାନବାଜି ହୋଇଥିଲେ ମଧ୍ୟ ଏ ଯାଏଁ କିଛି ବି ସମାଧାନର ବାଟ ବାହାରି ପାରିନାହିଁ। ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବୁନାଲରେ ସମାଧାନର ପନ୍ଥା ବାହାରିବା ବଦଳରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ ହେବ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି । ସେଥିପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନ ସହ ଅନ୍ୟ ଜଳ ବିବାଦ ପାଇଁ ଲଢେଇ କରୁଥିବା ସଂଗଠନ ଆସନ୍ତାକାଲି ମିଳିତ ଭାବେ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ମହାନଦୀ ପାଇଁ ଆଗାମୀ ଲଢେଇ ବିଷୟରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।

ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର । ଡବଲ ନୁହେଁ ଟ୍ରିପଲ ଇଞ୍ଜିନ ଆଣିବ କି ମହାନଦୀ ଜଳ ବିବାଦ ସମାଧାନର ଫର୍ମୁଲା ? କାରଣ ଜୁନରେ ଶୁଖିଲା ପଡିଛି ଓଡିଶାର ଲାଇଫ ଲାଇନ ।

ଓଡ଼ିଶାର ହକ ପାଇଁ ତତ୍ପର ରାଜ୍ଯର ବିଭିନ୍ନ ସାମଜିକ ସଂଗଠନ । ରାଜନୈତିକ ସ୍ତରରେ କିଭଳି ତତ୍ପରତା ପ୍ରକାଶ ପାଇବ ସେଥିପାଇଁ ଆସନ୍ତାକାଲି ନଦୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମହାନଦୀ ସୁରକ୍ଷା ଅଭିଯାନ ସହ ଅନ୍ୟାନ୍ୟ ସାମାଜିକ ସଂଗଠନ ମିଳିତ ଭାବେ ଏକ ଶିବିର କରିବେ । ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନେବେ । ମହାନଦୀ ସମସ୍ୟାର ସମାଧାନ ପାଇଁ ହୋଇଥିବା ଟ୍ରିବ୍ଯୁନାଲରେ ବିଚାର ପ୍ରକ୍ରିୟା ବିଳମ୍ବିତ ହୋଇଚାଲିଛି । ଏପରିକି ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦାଖଲ ହୋଇପାରି ନାହିଁ । ତେଣୁ ମହାନଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶାର ନୂଆ ବିଜେପି ସରକାରର ସହଯୋଗ କାମନା କରିବାକୁ ଯୋଜନା କରିଛନ୍ତି ସାମାଜିକ ସଂଗଠନ ।

ଓଡିଶା ସମେତ ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଆଲୋଚନା ମାଧ୍ୟମରେ ଓଡ଼ିଶାର ହକ ହାସଲ କରିବାକୁ ଦାବି କରାଯାଇଛି । ଏଥିସହିତ ଓଡ଼ିଶାର ଅନ୍ୟାନ୍ୟ ସବୁ ନଦୀର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ନଦୀ ନୀତି ଆଣିବାକୁ ଦାବି କରାଯିବ ବୋଲି କହିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଶୋୟୀ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜନୈତିକ ଆରୋପ ପ୍ରତ୍ଯାରୋପ ମଧ୍ୟ ଆରମ୍ଭ ହୋଇଛି । ସେପଟେ ଓଡିଶା ତଥା ପରିବେଶ ସୁରକ୍ଷା ପାଇଁ ବହୁ ଗୁରୁତ୍ୱ ରଖୁଥିବା ମହାନଦୀ ପ୍ରସଙ୍ଗର ସ୍ଥାୟୀ ସମାଧାନ ପାଇଁ ନାଗରିକ ସୁରକ୍ଷା ମଞ୍ଚ ଦାବି ରଖିଛି । ନଦୀ ନାହିଁ ତ ଜୀବନ ନାହିଁ ବୋଲି ମଞ୍ଚ ପକ୍ଷରୁ କୁହାଯିବା ସହ ସରକାର ଆତ୍ମୀୟତାର ସହ ଏହି ସମସ୍ୟାର ସମାଧାନ କରି ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାକୁ ଦାବି କରାଯାଇଛି । ସେପଟେ ସମୀକ୍ଷକଙ୍କ କହିବା କଥା ଏବେ ଏଭଳି ଏକ ସମୟ ଯେତେବେଳେ ମହାନଦୀ ପ୍ରସଙ୍ଗର ସମାଧାନ କରିବାକୁ ଥିବା ଓଡିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ରହିଛି । ଏ ସମସ୍ୟାର ସମାଧାନ ରାଜନୈତିକ ସ୍ତରରେ ହିଁ ହେବ । ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାର ସମାଧାନ କରିବା ଆବଶ୍ୟକ ବୋଲି ସମୀକ୍ଷକମାନେ କହିଛନ୍ତି ।

ବହୁ ବର୍ଷ ଧରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଉଛି । କିନ୍ତୁ ଛତିଶଗଡ଼ ତାର ନିଜ ସ୍ୱାର୍ଥ ସାଧନ କରୁଥିବା ବେଳେ ଓଡିଶାକୁ ହକ ମିଳିପାରୁନାହିଁ । ବର୍ତ୍ତମାନ ରାଜନୈତିକ ସ୍ଥିତି ବଦଳିଥିବାରୁ ଏହି ସମସ୍ୟାର ସମାଧାନ ନେଇ ଲୋକେ ଆଶାବାଦୀ ହୋଇପଡିଛନ୍ତି ।

ବସ୍ ଚଳାଚଳକୁ ନେଇ ବାରିପଦାରେ ଗୋଷ୍ଠୀ ସଂଘର୍ଷ

ବାରିପଦା: ବାରିପଦା ବସଷ୍ଟାଣ୍ଡରେ ରକ୍ତାକ୍ତ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା । ୮ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ଯରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ଆହତଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪ ଗଣ୍ଡଗୋଳକାରୀଙ୍କୁ ଅଟକ ରଖାଯାଇଛି ।

ଭଦ୍ରକ ଜିଲ୍ଲାର ଦୁର୍ଗା ନାମକ ଏକ ଘରୋଇ ବସ ରାଇରଙ୍ଗପୁରରୁ ବ୍ରହ୍ମପୁର ଯିବାକୁ ବସଷ୍ଟାଣ୍ଡରେ ପଶି ତା’ର ନିର୍ଦ୍ଧାରିତ ସମୟକୁ ନ ମାନି ଯିବାକୁ ଚାହୁଁଥିଲା । ଏହାକୁ ନେଇ ସଂଘ ପକ୍ଷରୁ ପ୍ରତିବାଦ କରାଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ କିଛି ଯୁବକ ବାରିପଦା ବସ ମାଲିକ ସଂଘର କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିଲେ । ଖଣ୍ଡା, ଭୁଜାଲି ଓ ବସଷ୍ଟାଣ୍ଡରେ ଥିବା ଷ୍ଟପରରେ ମରଣାନ୍ତକ ଆକ୍ରମଣ କରିଥିବା ଆହତ ବସ ମାଲିକ ସୂଚନା ଦେଇଛନ୍ତି । ପ୍ରତିବାଦରେ ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ ରଖାଯାଇଥିବା ବସ ମାଲିକ ସଂଘ ସଭାପତି ସୁନିଲ ଦାଶ କହିଛନ୍ତି ।

ସ୍ଥଗିତ ହେଲା CSIR UGC NET ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲେ CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET । ଜୁନିଅର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ ।

୨୫ରୁ ୨୭ ତାରିଖ ମଧ୍ଯରେ ହେବାର ଥିଲା ପରୀକ୍ଷା । ସଂସାଧନ ଅଭାବରୁ ସ୍ଥଗିତ ରହିଲା ପରୀକ୍ଷା । ପରୀକ୍ଷା ଘୁଞ୍ଚିବା ନେଇ ଏନଟିଏର ସୂଚନା ।