ପୁରୀ: ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଦୁର୍ଘଟଣାରେ ୯ ଆହତ , ଜଣେ ଗୁରୁତର। ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡିରେ ପ୍ରାୟ ୨0 ଜଣ ବ୍ୟକ୍ତି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରୁ ଦର୍ଶନ ସାରି ଘରକୁ ଫେରିବା ବେଳେ ନିମାପଡା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ । ଗାଡ଼ି ଭିତରେ ଚାପି ହୋଇ ପ୍ରାୟ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତର ଛବି ଲତା ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।
ରଥଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣା, ୨ ମୃତ
ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ ରାସ୍ତା ଧୁବଳପଡା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଟଣାଗଡ଼ରୁ ରଥ ଯାତ୍ରା ଦେଖି ଗୋଟିଏ ବାଇକରେ ତିନି ଜଣ ଯୁବକ ଫେରୁଥିବା ବେଳେ ଭାରସାମ୍ଯ ହରାଇ ବାଇକ ଦୁର୍ଘଟଣା ଘଟିଛି ।
ମୃତକ ହେଲେ ଚୁଡାପାଲି ଗାଁର ପ୍ରକାଶ ସାହୁ ଓ ଧୁବଳପଡା ଗାଁର ବିକାଶ ସାହୁ । ପାଟଣାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।
ଆଜି ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭଗୃହ
ପୁରୀ: ପ୍ରତିବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ବାର୍ଷିକ ଯାଞ୍ଚ ଏବଂ ମରାମତି ହୋଇଥାଏ । ଏହି କ୍ରମରେ ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରାଯିବ। ଏଥିରେ ଏଏସଆଇ, ପୂର୍ତ୍ତ ବିଭାଗର ବିଶେଷଜ୍ଞ ସହ ଶ୍ରୀମନ୍ଦିର ବୈଷୟିକ କୋର କମିଟି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ସାମିଲ ହେବେ। ବିଶେଷ କରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ, ଜଗମୋହନ, ଗର୍ଭଗୃହର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାର ରୁଟିନ ଯାଞ୍ଚ କରାଯିବ। ଏଥିସହ ଅଁଳାବେଢା ଏବଂ ଅନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ।
ସୂଚନାଥାଉ କି, ଠାକୁର ଶ୍ରୀମନ୍ଦିରକୁ ଫେରିବା ବେଳକୁ କେଉଁ ସବୁ କାମ କରାଯିବ, ପୂର୍ବରୁ ଏଏସଆଇ ପକ୍ଷରୁ ଯୋଜନା କରାଯାଇଛି। ସେହିଭଳି ଯାଞ୍ଚ ସମୟରେ ଯାହା ଜଣାପଡିବ ତାହାର ମରାମତି କରାଯିବ। ଗତବର୍ଷ ରଥଯାତ୍ରା ସମୟରେ ଯେଉଁ ସବୁ ସ୍ଥାନରେ ଯୋଡ଼େଇ ମରାମତି କରାଯାଇଥିଲା ତାହାର ସ୍ଥିତି କେମିତି ରହିଛି ତାହାକୁ ମଧ୍ୟ ଯାଞ୍ଚ କରାଯିବ । ଗର୍ଭଗୃହରୁ କଳା ଆସ୍ତରଣ ଛଡାଯିବ ବୋଲି ଜଣାପଡିଛି ।
ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର: ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ମଞ୍ଚେଶ୍ୱର ଥାନା ଶ୍ରୀରାମନଗର ବସ୍ତିରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉତ୍ତରପ୍ରଦେଶର ୧୪ ବର୍ଷୀୟ ନାବାଳିକାଙ୍କୁ ଘରେ ତାଲା ପକାଇ ରଖା ଯାଇଥିବା ବେଳେ, ଘର ଭିତରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ବାହାର ପଟୁ ତାଲା ପଡ଼ିଥିବା ବେଳେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଛନ୍ତି ନାବାଳିକା ଜଣକ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ।
ସେପଟେ ନାବାଳିକା ଜଣଙ୍କୁ କାମ କରାଇବା ପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ, ସେ ଜଣେ ପୁଅକୁ ଭଲ ପାଉଥିଲା । ତାକୁ ଘରେ ତାଲା ପକାଇ ରଖିବାରୁ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ନାବାଳିକାକୁ ରଖିଥିବା ମହିଳା । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।
ଟ୍ରେନ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ
ବାଲେଶ୍ୱର: ସୋର ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଅଘଟଣ। ଟ୍ରେନରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ପୁରୀ ହାୱଡା ଏକ୍ସପ୍ରେସ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ବାଇକରେ ଆସୁଥିବା ବେଳେ ରେଳ ଫାଟକ ପଡ଼ିଥିବାରୁ ଛିଡ଼ା ହୋଇଥିଲେ। କିନ୍ତୁ ଏହି ସମୟରେ ପଛରେ ବସିଥିବା ଯୁବକ ଜଣଙ୍କ ଟ୍ରେନ ସମ୍ମୁଖକୁ ଦୌଡିଥିବା ବେଳେ ଅନ୍ୟ ଜଣେ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଫଳରେ ପୁରୀରୁ ହାଓ୍ବଡା ଅଭିମୁଖେ ଯାଉଥିବା ପୁରୀ ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ହୋଇ ପଡ଼ିଥିଲା।
ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବାଲେଶ୍ୱର ପଠାଇଛି। ଦୁଇ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।

