spot_img
Home Blog Page 1833

ସିଲଭର ସିଟିରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

କଟକ: ସିଲଭର ସିଟିରେ ବିଜେଡିର ସାନଦାର ଶୋ । ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ । ବିକାଶର ସାରଥିଙ୍କ ପାଇଁ ଭାଇଚାରାର ସହରରେ ଲାଗିଲା ଭଲପାଇବାର ଭିଡ଼ । ସ୍ନେହ ଆଦରର ଲମ୍ବାଧାଡ଼ିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ କଟକ ବାସିନ୍ଦା । ସନ୍ଧ୍ଯାରୁ ପ୍ରାୟ ୪ ଘଣ୍ଟା ଧରି ଲୋକାରଣ୍ଯ ପାଲଟିଯାଇଥିଲା ସାରା ସହର । ସବୁଠି କେବଳ ବିଜେଡି ଆଉ ଶଙ୍ଖର ଧ୍ବନୀ ଶୁଭିବା ସହ ସମର୍ଥନର ବିଶାଳ ଶୋଭାଯାତ୍ରା ଆଖି ଝଲସାଇ ଦେଉଥିଲା । ରାସ୍ତାର ଦୁଇ ପାଖ ସମେତ ଏମିତିକି ଛାତ ଉପରେ ରହି ବି ପାଣ୍ଡିଆନଙ୍କୁ ସ୍ବାଗତ କରୁଥିଲେ କଟକ ବାସିନ୍ଦା ।

ଫୁଲ ପକାଇ, ଶଙ୍ଖ ବଜାଇ, ପାରମ୍ପରିକ ବାଜାବାଣ ସହ ଧୁମଧାମରେ ସମସ୍ତେ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ । ବିକାଶ ପାଇଁ କୃତଜ୍ଞତା ପ୍ରଦାନ କରି ବିଜେଡିକୁ ହିଁ ସମର୍ଥନ ବୋଲି ସୂଚେଇଦେଇଥିଲେ । ହଜାର ହଜାର ଲୋକଙ୍କ ଭିଡ଼ ଭିତରେ କିଲୋମିଟର କିଲୋମିଟର ଯାଏଁ ଶୋଭାଯାତ୍ରାରେ ଯାଇଥିଲେ ପାଣ୍ଡିଆନ । ଶୋଭାଯାତ୍ରା ସମୟରେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ବିଜେଡିର ଉଭୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନତାଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ରାଜ୍ଯର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଉଦ୍ଯମ କରୁଛନ୍ତି । ଫାଇଭ-ଟି ସ୍ପର୍ଶରେ କଟକର ରୂପାନ୍ତରଣ ହୋଇଛି । ଏଣୁ ବିକାଶ ପାଇଁ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ ମାଗିବାକୁ ପାଣ୍ଡିଆନ ।

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ଜଳେଶ୍ବର: ଯାଞ୍ଚ ବେଳେ ଧରା ପଡିଲା ପ୍ରାୟ ୪ ଲକ୍ଷ ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ କରିଛି SST ଟିମ ।  ନିର୍ବାଚନ ପାଇଁ ରାଜ୍ୟ ସୀମାରେ ଚେକିଂ କଡାକଡ଼ି କରାଯାଇଛି । ଆଜି ଅପରାହ୍ଣ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ WB 02 AL 9567 ଫରଚୁନର ଗାଡିକୁ ଯାଞ୍ଚ କରିଥିଲା ଟିମ୍ । ସେଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ବାହାରିବା ପରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ଟିମ୍ । SST କୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ

ସୁନ୍ଦରଗଡ଼: ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ । ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଏହାସହ ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ, ୩ଟି ବାଇକ୍  ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରାଯାଇଛି । ଗିରଫ  ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ, ସଂଜୟ ସାହୁ, ସଂଜୟ କୁମାର ସାହୁ, ଖମାରୀପଡ଼ାର ସୁବୋଧ ଚୌଧୁରୀ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହାଦେବପଡ଼ାରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ବେହେରା ଓ ଟାଉନଥାନା ଅଧିକାରୀ ଆଦିତ୍ଯ ମହାକୁଡ଼, ଏଏସଆଇ  ଅନିଲ କୁମାର ସାମଲ ଚଢ଼ାଉ କରିଥିଲେ ।

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି । ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବ୍ରହ୍ମାଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୁର୍ତ୍ତୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ ।ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ । ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ । ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ । ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ବିଜେପିରୁ ଇସ୍ତଫା ଦେଲେ ହିମାଂଶୁ ଶେଖର ସାହୁ

ନନ୍ଦିଘୋଷ ବ୍ୟୁରୋ: ବିଜେପିରୁ ଇସ୍ତଫା ଦେଲେ ହିମାଂଶୁ ଶେଖର ସାହୁ । ଯାଜପୁର ଧର୍ମଶାଳା ବିଜେପି ନେତା ହିମାଂଶୁ ଆଜି ବିଜେପିର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ଏକ ସାମ୍ବାଦିକ ସମିଳନୀ ଜରିଆରେ ସୂଚନା ଦେଇଛନ୍ତି ହିମାଂଶୁ । ଧର୍ମଶାଳା ବିଜେପି ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିଲେ ହିମାଂଶୁ । ସେ ଦଳୀୟ ଟିକଟ ପାଇଁ ଆଶାୟୀ ଥିବା ବେଳେ ଦଳ ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ହିମାଂଶୁ । ବଡ଼ କଥା ହେଲା ସେ ଗତକାଲି ସ୍ୱାଧୀନ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳ କେଉଁ ସ୍ୱାର୍ଥରେ ଧର୍ମଶାଳା ଟିକେଟ ବଣ୍ଟନ କରିଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜେପିରେ ସବୁକିଛି ଠିକ ଠାକ ଚାଲୁ ନଥିବା ବେଳେ ଦଳର କିଛି ନେତା ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି । ଦଳ ବ୍ୟକ୍ତିକୈନ୍ଦ୍ରିକ ଭାବେ ପରିଚାଳିତ ହେଉଛି । ଏ ନେଇ ତୁଙ୍ଗ ନେତୃତ୍ୱକୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବାରୁ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ସ୍ୱାଧୀନ ଭାବେ ଆଗାମୀ ଦିନରେ ଧର୍ମଶାଳାବାସୀଙ୍କ ସ୍ୱାଭିମାନ ପାଇଁ ଲଢେଇ କରିବେ ବୋଲି ହିମାଂଶୁ କହିଛନ୍ତି ।

 

କିଏ ହାତେଇବ ଖଣ୍ଡପଡ଼ା ଗଡ଼ ?

ନୟାଗଡ଼: ୨୦୨୪ ନିର୍ବାଚନକୁ ନେଇ ଖଣ୍ଡପଡ଼ା ରାଜନୀତିରେ ବଢ଼ିଲାଣି ତାତି l ଏଥର କାହା ହାତକୁ ଯିବ ଖଣ୍ଡପଡ଼ା ସେନେଇ ଚାଲିଛି ଅଙ୍କକଷା l ପ୍ରଚାର ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ଯରେ ମୁଖ୍ଯତଃ ପ୍ରତିଦ୍ବନ୍ଦ୍ବିତା ହେବ । ନିଜ ସପକ୍ଷରେ ଭୋଟ ବ୍ଯାଙ୍କ ଭିଡିନେବାକୁ ତିନି ଦଳ ଝାଳବୁହା ପରିଶ୍ରମ କରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳା ମହାନ୍ତିଙ୍କୁ ମିଳିଛି ଟିକେଟ୍।

୨୦୦୦ ପରଠାରୁ ବିଜେଡିର ଗଡ଼ ରହିଛି ଖଣ୍ଡପଡ଼ା ବିଧାନସଭା ଆସନ । ଚଳିତ ନିର୍ବାଚନରେ ବିଜେଡ଼ିରୁ ସାବିତ୍ରୀ ପ୍ରଧାନ, ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ, କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳାଙ୍କୁ ଟିକେଟ୍ ମିଳିଛି। ଏଥର ମଧ୍ଯ ବିପୁଳ ଜନସମର୍ଥନରେ ବିଜେଡ଼ି ଖଣ୍ଡପଡାରୁ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଘରକୁ ଘର ବୁଲି ନବୀନ ସରକାରଙ୍କ ବିକାଶକୁ ମୁଦ୍ଦା କରି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ। ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ମୋଦି ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତୀମାଳା ମହାନ୍ତି ବିଜେଡ଼ି ଛାଡ଼ି କଂଗ୍ରେସରେ ମିଶିବା ପରେ କଂଗ୍ରେସ ତାଙ୍କୁ ଟିକେଟ ଦେଇଛି l କଂଗ୍ରେସ କର୍ମୀଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ କରିବା ସହ କଂଗ୍ରେସ ଆସିଲେ ମୌଳିକ ସମସ୍ୟା ଦୂର କରିବାକୁ ସେ ପ୍ରତିଶୃତି ଦେଉଛନ୍ତି ।

ଭାପୁର ବ୍ଲକ, ଖଣ୍ଡପଡ଼ା ବ୍ଲକ ଏବଂ NACକୁ ନେଇ ଗଠିତ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳି । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୭୯ ହଜାର ୯୨୩ l ଏଥିରୁ ମହିଳା ଭୋଟର ୮୪, ୧୫୫ ଏବଂ ପୁରୁଷ ଭୋଟର ୯୫, ୭୬୮ l ୨୦୧୯ରେ ଏଠାରୁ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବାଜିମାତ କରିଥିଲେ। ସୌମ୍ୟରଞ୍ଜନଙ୍କୁ ୧ ଲକ୍ଷ ୩୮ଟି ଭୋଟ ମିଳିଥିବା ବେଳେ, ଦ୍ବିତୀୟ ସ୍ଥାନରେ ଥିବା ସ୍ଵାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁଙ୍କୁ ୧୮ହଜାର ୬୦୮ ଭୋଟ୍ ମିଳିଥିଲା l ସେହିପରି ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪ ଖଣ୍ଡ ଭୋଟ୍ ପାଇଥିଲେ l କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣାଙ୍କୁ ମିଳିଥିଲା ମାତ୍ର ୮୮୫ ଭୋଟ l

ଧର୍ମେନ୍ଦ୍ରଙ୍କ ସଭାରେ ସିଟ୍ ଫାଙ୍କା

ସମ୍ବଲପୁର: ଧର୍ମେନ୍ଦ୍ରଙ୍କ ପ୍ରଚାର ସଭାକୁ ଲୋକ ଆସୁନାହାନ୍ତି । ଚେୟାର ଭରା ସଭାରେ ଦେଖାଯାଉଛି ଜନମରୁଡ଼ି । ଗତକାଲି ଧର୍ମେନ୍ଦ୍ର ପ୍ରଧାନ ବଇଣ୍ଡାରେ ବିଜୟ ସଂକଳ୍ପ ସମାବେଶ କରୁଥିଲେ । ମଞ୍ଚରେ ନେତା ଭର୍ତ୍ତି ହୋଇଥିବାବେଳେ ମଞ୍ଚ ତଳ ଥିଲା ଏକଦମ ଖାଲି । ପୂର୍ବରୁ ବି ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ସଭାକୁ ଲୋକ ଆସୁନଥିବା ଦେଖିବାକୁ ମିଳିଥିଲା । ବାରମ୍ବାର ଏଭଳି ଦୃଶ୍ଯ ଦେଖି ପ୍ରଶ୍ନ ଉଠୁଛି, ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁନାହାନ୍ତି କି ସମ୍ବଲପୁରବାସୀ ।

କେଉଁଠି ଚେୟାର ଖାଲି, କେଉଁଠି ଲୋକ ଉଠିକି ପଳୋଉଛନ୍ତି । ହଜାର ହଜାର ଚେୟାର ପଡ଼଼ିଛି, ହେଲେ ମୁଣ୍ଡ ଗଣିଦେବା ବେଳକୁ ଶହେ ଲୋକ ବି ହେଉନାହାନ୍ତି । ସମ୍ବଲପୁରରେ ଏମିତି ଲୋକହସା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳିର ବଇଣ୍ଡାଠାରେ ହୋଇଥିବା ଏ ସଭା ଉପରେ ନଜର ପକାନ୍ତୁ । ୧୩ ମେରେ ବିଜେପି ଆୟୋଜନ କରିଥିଲା ବିଜୟ ସଂକଳ୍ପ ସମାବେଶ ।

ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ବି ଉପସ୍ଥିତ ଥିଲେ । ମଞ୍ଚ ସିନା ନେତାରେ ଭର୍ତ୍ତି ହୋଇଥିଲା । ହେଲେ ମଞ୍ଚ ତଳ ଜନଶୂନ୍ଯ । ଏମିତିକି ଧର୍ମେନ୍ଦ୍ର ଭାଷଣ ଦେବାବେଳେ ବି ଲୋକଙ୍କ ଦେଖା ହିଁ ନଥିଲା । ବିଜେପିର ଦୁର୍ବଳ ସଂଗଠନ ଓ ବିଶେଷ କରି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ରହଣିୟତା ନଥିବା ପ୍ରମାଣିତ କରୁଛି । ବିଜୟ ସଂକଳ୍ପ କାର୍ଯ୍ୟକ୍ରମ କରୁଥିବା ବିଜେପିର ବିଜୟ ପ୍ରତିଶତ କେତେ ଏ ଖାଲି ଚେୟାର ହିଁ ବୟାନ କରୁଛି।

ଶୁଣାଯାଉଛି ଧର୍ମେନ୍ଦ୍ରଙ୍କ ନାଁ ଶୁଣିଲେ କାଳେ ସଭାକୁ ଆସିବାକୁ ଲୋକ ମୁହଁମୁହେଁ ମନା କରିଦେଉଛନ୍ତି । ବଡ଼ ମଞ୍ଚ ସିନା ବନ୍ଧା ହେଉଛି ହେଲେ ହାତଗଣତି ଦଳୀୟ କର୍ମୀଙ୍କ ଛଡ଼ା ସଭାକୁ ଆଉ କେହି ଆସୁନାହାନ୍ତି । ଏମିତିକି ଲୋକ ଆଣିବାକୁ ଧର୍ମେନ୍ଦ୍ର ପ୍ରଚୁର ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ବି ଏକାଧିକ ସଭାରେ ଧର୍ମେନ୍ଦ୍ର ହଟାହଟା ହୋଇଥିଲେ । ସମ୍ବଲପୁର ପିଏଚଡି ପଡିଆରେ ଧର୍ମେନ୍ଦ୍ର ଭାଷଣ ଆରମ୍ଭ କରିବା କ୍ଷଣି ଲୋକ ସଭାସ୍ଥଳ ଖାଲି କରି ପଳାଇଥିଲେ । ଏକ ଭଜନ ସମାରୋହରେ ବି ଧର୍ମେନ୍ଦ୍ର ପହଞ୍ଚିବା କ୍ଷଣି ଲୋକେ ଉଠିକି ପଳାଇଥିଲେ ।

(ଫାଭିଓ) ପୂର୍ବରୁ ଦେବଗଡର ସାଂସଦ ଥିଲେ ଧର୍ମେନ୍ଦ୍ର । ହେଲେ ନିଜ କାର୍ଯ୍ୟକାଳ ସମୟରେ ଲୋକସଭା କ୍ଷେତ୍ର ପାଇଁ କୌଣସି ଅବଦାନ ନାହିଁ । ଏପରିକି ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ମନ୍ତ୍ରୀ ଥିଲେ ବି ଓଡ଼ିଶା କଥା ଛାଡ଼ନ୍ତୁ ନିଜ ଜନ୍ମମାଟି ପାଇଁ ବି କିଛି କରିନାହାନ୍ତି । ସମ୍ବଲପୁର ପାଇଁ ଧର୍ମେନ୍ଦ୍ରଙ୍କ ଅବଦାନ ଶୂନ୍ । ଏଭଳି ଜଣେ ନେତାଙ୍କୁ କାହିଁକି ସାଂସଦ କରିବୁ ବୋଲି ସମ୍ବଲପୁରବାସୀ ପ୍ରଶ୍ନ କରୁଛନ୍ତି । ଯେଉଁଥି ପାଇଁ ଧର୍ମେନ୍ଦ୍ରଙ୍କୁ ଲୋକ ପସନ୍ଦ ହିଁ କରୁନାହାନ୍ତି ।

 

କିଏ ହାତେଇବ ଜଗତସିଂହପୁର ଲୋକସଭା ଆସନ ?

ଜଗତସିଂହପୁର: କିଏ ହାତେଇବ ଜଗତସିଂହପୁର ଲୋକସଭା ଆସନ ? ବିଜେଡି ଗଡ଼ ଭାବେ ପରିଚିତ ଜଗତସିଂହପୁର ସଂସଦୀୟ କ୍ଷେତ୍ର । ୨୦୨୪ ନିର୍ବାଚନରେ ଚାରି ଲୋକସଭା ପ୍ରଥୀଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଚଳିତ ନିର୍ବାଚନରେ ଏଠାରେ ବିଜେଡିରୁ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ଏବଂ ସିପିଆଇ ପ୍ରାର୍ଥୀ ହୋଇଛନ୍ତି ରମେଶ କୁମାର ସେଠୀ ।

ଜଗତସିଂହପୁର ଲୋକସଭା ଆସନଟି କାକଟପୁର, ନିମାପଡା, ନିଆଳି, ଜଗତସିଂହପୁର, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା -ଏରସମା ବିଧାନସଭା ସିଟକୁ ନେଇ ଗଠିତ। ୨୦୧୯ରେ ସମସ୍ତ ବିଧାନସଭା ସିଟରେ ଜିତି କ୍ଲିନ ସୁଇପ କରିଥିଲା ବିଜେଡି । ଲୋକସଭା ସିଟରେ ବିଜୟ ବ୍ୟବଧାନ ଥିଲା ୨ ଲକ୍ଷରୁ ଅଧିକ। ବିଜେଡି ପ୍ରାଥୀ ରାଜଶ୍ରୀ ମଲ୍ଲିକ ପାଇଥିଲେ ପ୍ରାୟ ୬ ଲକ୍ଷ ୨୦ହଜାର ଭୋଟ୍। ୨୦୧୪, ୨୦୧୯ନିର୍ବାଚନ ଫଳାଫଳ ଦେଖିଲେ ବିଜେଡିର ରହିଛି ଷ୍ଟ୍ରଙ୍ଗ ହୋଲଡ । ଚବିଶ ନିର୍ବାଚନ ଯୁଦ୍ଧରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ସାମ୍ନାସାମ୍ନି। ବିଜେଡିରୁ ରାଜଶ୍ରୀ ମଲ୍ଲିକ, ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ ହୋଇଛନ୍ତି । ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଡକ୍ଟର ରାଜଶ୍ରୀ ମଲ୍ଲିକ। ବିଜେପିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଭୁପ୍ରସାଦ ତରାଇ। ଗତ ୩ଟି ନିର୍ବାଚନରେ ଅଲଗା ଅଲଗା ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଭୁ । ୨୦୦୯ରେ ସିପିଆଇରୁ ଲଢ଼ି ସାଂସଦ ହୋଇଥିଲେ । କିନ୍ତୁ , ୨୦୧୪ରେ ଦଳ ବଦଳାଇ କଂଗ୍ରେସ ଓ ୨୦୧୯ରେ ବିଜେପି ଟିକେଟରେ ଲଢ଼ି ହାରିଛନ୍ତି ବିଭୁ ତରାଇ।

କଂଗ୍ରେସ ପକ୍ଷରୁ ଜଗତସିଂହପୁର ଲୋକସଭା ପାଇଁ ରବୀନ୍ଦ୍ର ସେଠୀଙ୍କୁ ଦଳ ଟିକେଟ ଦେଇଛି । ରବୀନ୍ଦ୍ର ପୂର୍ବରୁ ୨୦୧୪ରେ କାକଟପୁର ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। କଂଗ୍ରେସ ୯ଟି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ନିକଟତର ହେବେ ପ୍ରାର୍ଥୀ । ଚାଷୀଙ୍କୁ ପ୍ରତାରିତ କରୁଛନ୍ତି କେନ୍ଦ୍ରସରକାର। କୃଷି ଓ କୃଷକଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ପ୍ରାର୍ଥୀ । ସେହିପରି ଜଗତସିଂହପୁର ଲୋକସଭା ଆସନରୁ ଚଳିତ ସାଧାରଣ ନିର୍ବାଚନରେ ସିପିଆଇ ତରଫରୁ ରମେଶ ସେଠୀ ପ୍ରାର୍ଥୀ ହେବା ପରେ ଦଳକୁ ସୁଦୃଢ କରିବାକୁ ଲୋକଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ସ୍ଥାନରେ ସିପିଆଇ ତରଫରୁ ରମେଶ ସେଠି ପହଂଚି ବୈଠକ ସହ କର୍ମୀ ସମ୍ମିଳନୀ କରୁଛନ୍ତି। ୨୦୨୪ ନିର୍ବାଚନ ପରୀକ୍ଷାରେ କିଏ କରିବ ବାଜିମାତ ତାହା ଉପରେ ରହିଛି ନଜର । କିନ୍ତୁ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

 

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା । ଘଡଘଡି, ପବନ ସହ ବର୍ଷା ନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୪୮ ଘଣ୍ଟା ଅର୍ଥାତ ୧୬ ତାରିଖ ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହିତ ଦିନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ତେବେ ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ଵେଭ ସ୍ଥିତି ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ । ତେବେ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଯାଇ ଏହା ଓଡ଼ିଶାରେ କେବେ ପ୍ରବେଶ କରିବ ତାହା ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ରାଜ୍ୟରେ ଚାଲିଛି ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ । ଗାଁ ଗାଁରେ ପ୍ରାର୍ଥୀ ଚଳାଇଛନ୍ତି ଜୋରସୋରରେ ପ୍ରଚାର। ନିଜ ନିଜର ମୁଲ୍ୟବାନ୍ ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ନେତା ଓ କର୍ମୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ସିନ୍ଦ୍ରିଗାଁ ଠାରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତର ୧୫ଶହରୁ ଅଧିକ କର୍ମୀ ଓ ନେତା କାର୍ଯ୍ଯକ୍ରମରେ ସାମିଲ୍ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତେ ଶପଥ ନେଇଛନ୍ତି ।

ଚାନ୍ଦବାଲି ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପ୍ରଚାର । ପ୍ରାର୍ଥିପତ୍ର ଦାଖଲ ପରେ ବ୍ୟୋମକେଶ ରାୟ ଆରମ୍ଭ କରିଛନ୍ତି ପ୍ରଚାର।  ଲଗାତାର ଦୁଇ ଥର ଜିତିବା ପରେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ବ୍ୟୋମକେଶ। ବିଜୟନଗର ଓ  ଭାଟପଡା ପଞ୍ଚାୟତରେ ବିଶାଳ ବାଇକ ରାଲିରେ ପଞ୍ଚାୟତର ସମସ୍ତ ଗାଁ ପରିକ୍ରମା କରିଥିଲେ। ବାଇକ ରାଲିରେ ଶହ ଶହ ସଂଖ୍ୟାରେ ଯୁବକ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ବ୍ୟୋମକେଶ ରାୟ ସମସ୍ତ ପଞ୍ଚାୟତ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ  ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଉକ୍ତ ବାଇକ ରାଲିରେ ବିଜୟନଗର ସରପଞ୍ଚ ଦିଲ୍ଲୀପ ରାଉତ, ଭାଟପଡା ସରପଞ୍ଚଙ୍କ ପ୍ରତିନିଧି ପ୍ରଭାସ ନାୟକ, ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ବରିଷ୍ଠ ନେତା ଶରତ ସାହୁ, ନରେଶ ମାଝୀ, ଦିଜ୍ଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।