spot_img
Home Blog Page 1820

ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆଉ ଦିନକ ପରେ ବଲାଙ୍ଗୀରରେ ହେବ ଭୋଟିଂ । ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ୨୦ ତାରିଖରେ ଗଣତନ୍ତ୍ରର ମହାନପର୍ବରେ ନେତା ବାଛିବେ ବଲାଙ୍ଗୀର ଜନତା I ଜିଲ୍ଲାର ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ I ଭୋଟ ପରିଚାଲନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଆସନ୍ତାକାଲି ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି I

ଥମିଲା ପ୍ରଚାର । ଏବେ ଜନତାଙ୍କ ହାତରେ ନେତାଙ୍କ ଭାଗ୍ଯ । ଶେଷ ଦିନରେ ଲୋକଙ୍କ ମନ ଜିତିବାକୁ ଜୋରଦାର ପ୍ରୟାସ । ୨୦ ତାରିଖରେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜ ନେତା ନିର୍ବାଚନ କରିବେ ଜନତା । ବଲାଙ୍ଗୀର ଲୋକସଭା ଓ ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପଡିବ ଭୋଟ I ଜିଲ୍ଲାରେ ମୋଟ ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ । ତେବେ ଶେଷ ଦିନରେ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି ।

ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ଯବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ଯାପକ ପୋଲିସ ମୁତୟନ ହେବେ । ମାଓ ପ୍ରବଣ ଅଂଚଳ ଉପରେ ରହିଛି କଡ଼ା ନଜର । ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି I 48 ଘଣ୍ଟା ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକୁ ସିଲ କରାଯିବ । ନିର୍ବାଚନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି  ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାର I

 

 

କଟକ ବାରବାଟୀରେ ବିଜେଡି ଲହର

ନନ୍ଦିଘୋଷ ବ୍ୟୁରୋ: ସରଗରମ ହେଲାଣି କଟକ ନିର୍ବାଚନ ମାହୋଲ । ୨୫ରେ ନେତା ବାଛିବେ ଜନତା । ୨୨ରେ କଟକରେ ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ବିଜେଡିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହରର ବିକାଶ ପାଇଁ ଲୋକେ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି କହିଛନ୍ତି ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପୂର୍ବରୁ ଘରକୁ ଘର ବୁଲି ଦଳର ବିକାଶର ବାର୍ତ୍ତା ପହଞ୍ଚାଇ ଯୋଗାଡ କରୁଛନ୍ତି ସମର୍ଥନ । ବିଜେପି ଓ କଂଗ୍ରେସ ମଧ୍ଯ ନିଜ ନିଜ ଢଙ୍ଗରେ ଜାରି ରଖିଛନ୍ତି ପ୍ରଚାର ।

କଟକ ବିଜେଡିରେ ଉତ୍ସାହ । ୨୨ରେ ସହରରେ ପ୍ରଚାର କରିବେ ଦଳର ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ପାଇଁ ସହରବାସୀ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନେତା । ଆସନ୍ତା ୨୫ ତାରିଖରେ ଏଠାରେ ନେତା ବାଛିବେ ଜନତା । ଏହା ପୂର୍ବରୁ ଦଳର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଘରକୁ ଘର ବୁଲି ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।

ସେପଟେ କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ଯ ନିଜ ନିଜ ଢଙ୍ଗରେ ନିଜ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏଠି ବିଜେଡି ସହ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୌସ ଏବଂ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ଯରେ ହେଉଛି ତ୍ରିମୁଖି ଲଢେଇ । ତେବେ ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ଶୋ ଲୋକଙ୍କୁ ବିଜେଡି ପ୍ରତି ଆକର୍ଷିତ କରିଛି । ହଜାର ହଜାର ଲୋକ କାର୍ତ୍ତିକ ପାଣ୍ଡିଆନ ଓ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଉ ୨୨ ତାରିଖରେ ତଳ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରାଟ ସଭାରେ ଉଦବୋଧନ ଦେବେ ।

କଟକ ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା । ପ୍ରାର୍ଥୀଙ୍କ ନିକଟରେ ପ୍ରଚାର ପାଇଁ ଆଉ ମାତ୍ର ୫ ଦିନ ସମୟ ରହିଛି । ଏହା ଭିତରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସମସ୍ତ ପ୍ରାର୍ଥୀ ।

 

 

 

ସୋରଡ଼ାରେ କିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ପ୍ରଚାରରେ କମ୍ପୁଛି ମଇଦାନ । ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ଦେଖିବ ବିଗ୍ ଫାଇଟ୍ । ଏକଦା ଏହି ନିର୍ବାଚନମଣ୍ଡଳିଟି କଂଗ୍ରେସ ଏବଂ ବିଜେପି ହାତରେ ରହିଥିବା ବେଳେ ଗତ ୨୦୦୯ ମସିହାଠାରୁ ଏହା ଲଗାତର ଭାବେ ବଜେଡି କବଜାରେ ରହିଛି l ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।

ଗଞ୍ଜାମ ଜିଲ୍ଲାର ସୋରଡା ନିର୍ବାଚନମଣ୍ଡଳି ସୋରଡ଼ା ଓ ବେଲଗୁଣ୍ଠା । ୨ଟି ବ୍ଲକ ଓ ଦୁଇଟି ଏନଏସିକୁ ନେଇ ଗଠିତ l ମେ ୨୦ରେ ଏଠାରେ ପଡିବ ଭୋଟ । ୨ ଲକ୍ଷ ୩୫ ହଜାର ୩୪୧ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୩ ହଜାର ୧୨୬, ମହିଳା ୧ ଲକ୍ଷ ୧୨ ହଜାର ୧୯୮ ଥିବାବେଳେ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୭ ଜଣ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ସ୍ଵାଇଁ, ବିଜେପିରୁ ନୀଳମଣି ବିଷୋୟୀ ,କଂଗ୍ରେସରୁ ହରେକୃଷ୍ଣ ରଥ ମଇଦାନକୁ ଓହ୍ଲାଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିକାଶକୁ ଅସ୍ତ୍ର କରି ଲୋକଙ୍କୁ ଭିଡିବାକୁ ପ୍ରାଣମୂର୍ଚ୍ଛା ଉଦ୍ଯମ କରୁଛନ୍ତି ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ନୀଳମଣି ବିଷୋୟୀ ୩୯ ହଜାର ୨୮୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡିର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ୬୭ ହଜାର ୫୪୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭଗବାନ ପଣ୍ଡା ୯ ହଜାର ୨୭୦, କଂଗ୍ରେସର ବସନ୍ତ ବିଷୋୟୀ ୫୧ ହଜାର ୫୪୬ଟି ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୬ ହଜାର ୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନୀଳମଣି ବିଷୋୟୀ ୬୨ ହଜାର ୫୦୫, କଂଗ୍ରେସର କେଶରୀ ମହାନ୍ତି ୭ ହଜାର ୨୯୩ ଭୋଟ ପାଇଥିଲେ । ତେବେ ଗତ ତିନିଟି ଯାକ ନିର୍ବାଚନରେ ବିଜେଡି ହିଁ ବାଜିମାତ କରି ଆସୁଛି ।

 

 

ତାତିରୁ ମିଳିବ ଆଶ୍ଵସ୍ତି, ଆସୁଛି ଲଘୁଚାପ ବର୍ଷା

ଭୁବନେଶ୍ବର: ଆସୁଛି ଲଘୁଚାପ । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ମେ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ କେନ୍ଦ୍ର । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ  । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୂପ ନେଇପାରେ । ମେ ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ସୃଷ୍ଟି ହୋଇଛି । ଏହାସହ ଆଗାମୀ ୪ ରୁ ୫ ଦିନ ମଧ୍ୟ୍ୟରେ କିଛି କିଛି ସ୍ଥାନରେ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ୨ ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ବୋଲି ସୂଚନା ଦେଉଛି କେନ୍ଦ୍ର ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ କେତେ କ୍ଷତି ସହିଲା ମୁମ୍ବାଇ ଇଣ୍ଡିଆନ୍ସ?

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ବେଶ ରୋମାଞ୍ଚକ ହୋଇଛି । କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ କ୍ବାଲିଫାଇ କରିଥିବାବେଳେ ୫ଥରର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ଚଳିତ ସିଜିନରେ ଏଲିମିନେଟ ହୋଇସାରିଛି । ଦଳର ଅଧିନାୟକ ଭାର ସମ୍ଭଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ସିଜିନ ଖରାପ ପ୍ରଦର୍ଶନ ହୋଇଥିବା ପ୍ୟାନ୍ସମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ଏପରିକି ପାଣ୍ଡ୍ୟାଙ୍କ ପାଇଁ ୩୦ ଲକ୍ଷ ଟଙ୍କା କ୍ଷତି ସହିଛି ଏମଆଇ । ଦଳର ଓଭର ରେଟ ପାଇଁ ୩୦ ଲକ୍ଷ ଟଙ୍କା ଫାଇନ ମଧ୍ୟ ଦେବାକୁ ପଡ଼ିଛି । ଇଏ କେବଳ ଅଧିନାୟକ ଭାବେ ତାଙ୍କର ପ୍ରଦର୍ଶନ । ମାତ୍ର ବ୍ୟାଟିଂ, ବୋଲିଂ କଥା ଯଦି କହିବା ତାହେଲେ ଚଳିତ ସିଜିନରେ ବେଶ ଖରାପ ପ୍ରଦର୍ଶନ କରିଛନ୍ତି । ପାଣ୍ଡ୍ୟା ୧୧ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି । ଗୋଟିଏ ମଧ୍ୟ ମ୍ୟାଚରେ ବଡ଼ ପାଳି ଖେଳିନାହାନ୍ତି । ପାଣ୍ଡ୍ୟାଙ୍କୁ ଅଧିନାୟକ ବନାଇବା ପରଠାରୁ ମୁମ୍ବାଇର ଫଲୋର୍ସ ମଧ୍ୟ କମି ଯାଇଛନ୍ତି ।

ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି । ପ୍ରେସମିଟରେ ବିଜେପି ନେତାଙ୍କ ଅପପ୍ରଚାରର ସତ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ତାମିଲନାଡୁକୁ ବିଦ୍ୟୁତ ଦେବା ନେଇ ବିଜେପି ପ୍ରଚାରର କଡ଼ା ଜବାବ ଦେଇ ବିଜେଡି କହିଛି, କୌଣସି ରାଜ୍ୟକୁ ସିଧାସଳଖ ବିଦ୍ୟୁତ ଦେଇପାରିବନି ଓଡ଼ିଶା । ବଳକା ବିଦ୍ୟୁତକୁ ନ୍ୟାସନାଲ ଗ୍ରୀଡ଼କୁ ଦିଆଯାଇଥାଏ । ଏହି ବିଦ୍ୟୁତକୁ CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଅନ୍ୟ ରାଜ୍ୟକୁ ଦେଇଥାଏ । ଏଥିରେ କୌଣସି ରାଜ୍ୟର କିଛି ଭୂମିକା ନାହିଁ । ଯାହାକି କେନ୍ଦ୍ରମନ୍ତ୍ରୀ ଭଲଭାବେ ଜାଣି ଅଜଣା ହେଉଛନ୍ତି । ସବୁ ଜାଣି ମଧ୍ୟ ଓଡ଼ିଶାରେ ମିଛ ଖବର ପ୍ରଚାର କରୁଛନ୍ତି ।

ଅନ୍ୟପଟେ ବିଜୁଳି ଦରର ହିସାବ ଦେଇ ବିଜେଡି କହିଛି, ଅନ୍ଯ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ କମ୍ । ବିଜେପି ଶାସିତ ରାଜ୍ୟରେ ବିଦ୍ୟୁତର ଉଚ୍ଚା ଦର ରହିଛି । ବିଦ୍ୟୁତ ନେଇ ବିଜେପି ଅପପ୍ରଚାର କରୁଛି । ଖାଲି ବିଦ୍ଯୁତ ନୁହେଁ ବରଂ ପୁରୀ କାମ ନେଇ ମଧ୍ୟ ବିଭ୍ରାନ୍ତ କରାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ହଜାର ୨୦୦କୋଟି ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଥିବାବେଳେ ଏଥିରେ ମାତ୍ର ୩୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଶାକୁ ଏବେ ପଲିଟିକାଲ ଟୁରିଷ୍ଟ ଆସିଛନ୍ତି । ମିଛ କହିବା ସେହି ପଲିଟିକାଲ ଟୁରିଷ୍ଟଙ୍କ ଧର୍ମ ବୋଲି କହି ସମାଲୋଚନା କରିଛି ବିଜେଡି ।

ଚିଲିକାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ବିଜେଡିର ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ । ବିକାଶର ହିସାବ ଦେବା ସହ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେପିକୁ ନବୀନଙ୍କ ଶାଣିତ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ନିଜ ରାଜ୍ଯକଥା ଚିନ୍ତା କରନ୍ତୁ ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ମାଳମାଳ କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ଏଭଳି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ଓଡ଼ିଶାକୁ ଏକନମ୍ବର କରିବାକୁ ପ୍ରତିଶୃତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ଯ କଥା ଦେଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମୁଣ୍ଡପିଛା ଋଣର ହିସାବ ଦେଇ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ସେ ପ୍ରଥମେ ନିଜ ରାଜ୍ଯକଥା ବୁଝନ୍ତୁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ  । ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ବ୍ୟବହାର ଅଭିଯୋଗରେ ବିଭବଙ୍କୁ ଗିରଫ କରାଯାଇଛି  ।

ଅଭିଯୋଗ ପରେ ଦିଲ୍ଲୀ ଏମ୍ସ‌ରେ ସ୍ଵାତି ମାଲିୱାଲଙ୍କ ମେଡିକାଲ ଟେଷ୍ଟ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର ସ୍ଵାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ଦିଲ୍ଲୀର ଚନ୍ଦ୍ରାବଲ ନଗରସ୍ଥିତ ବିଭବ କୁମାରଙ୍କ ଘରକୁ ଯାଇଥିଲା ଦିଲ୍ଲୀ ପୋଲିସ। ସେଠାରେ ତାଙ୍କୁ ପାଇନଥିଲା। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସମେତ ସ୍ପେଶାଲ୍ ସେଲ୍ ଟିମ ବିଭବ କୁମାରଙ୍କୁ ଖୋଜୁଥିଲା।

ହତ୍ୟା ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ, ମୋବାଇଲରେ ଘୁରି ବୁଲୁଛି ଭାଇରାଲ ଅଡିଓ

ବଲାଙ୍ଗୀର: ବିଜେପି ବିଧାୟକ ପ୍ରାର୍ଥୀଙ୍କ ହତ୍ଯା ଧମକ । ମୋବାଇଲରୁ ମୋବାଇଲ ଭାଇରାଲ୍ । ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ନବୀନ ଜୈନ ମୋବାଇଲରେ ଜଣେ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିବାର ଅଡିଓ ଭାଇରାଲ୍ ହେବାରେ ଲାଗିଛି। ବିପିନ ଠାକୁର ନାମକ ବ୍ଯକ୍ତିଙ୍କୁ ନବୀନ ଜୈନ ଗାଳି ଗୁଲଜ କରିଛନ୍ତି।

ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନବୀନ ଜୈନ ଓ ମୁକେଶ ଜୈନ ଆଶାୟୀ ଥିବା ବେଳେ ନବୀନ ଜୈନଙ୍କୁ ଟିକେଟ ମିଳିଛି। କିନ୍ତୁ ମୁକେଶ ଜୈନଙ୍କ ସହିତ ବିପିନ ଠାକୁର ବୁଲାବୁଲି କରୁଥିଲେ । ବିପିନ ଠାକୁରଙ୍କୁ ନବୀନ ଜୈନ ଫୋନ କରି ଅଶ୍ରାବ୍ଯ ଭାଷାରେ ଗାଳିଗୁଲଜ ଦେବା ସହ ହତ୍ୟା ଧାମକ ଦେଇଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ବିପିନ ଠାକୁର ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଦି ଜଣେ ବିଧାୟକ ପ୍ରାର୍ଥୀ ନିଜ ଦଳର ସଦସ୍ଯଙ୍କୁ ଏପରି ଗାଳି ଗୁଲଜ କରିପାରନ୍ତି ଓ ହତ୍ଯା ଧମକ ଦେଇପାରନ୍ତି, ତେବେ ସେ ଅନ୍ୟଙ୍କୁ କିଭଳି ବ୍ୟବହାର କରିବେ ବୋଲି ବିପିନ ପ୍ରଶ୍ନ କରିଛନ୍ତି।