କନ୍ଧମାଳ : ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥରେ ହେଉଛି ପୁନଃମତଦାନ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଣ୍ଟାମାଳ ବିଧାନସଭା କ୍ଷେତ୍ରର ୨୬ ନମ୍ବର ଏବଂ ୨୮ ନମ୍ବର ବୁଥରେ ରିପୋଲିଂ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ଟା ଯାଏଁ ମତଦାନ ହେବ । ପୁନଃମତଦାନ ନେଇ ପୂର୍ବରୁ ରାଜ୍ଯ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଗତ ମେ’ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ।
ନବୀନଙ୍କ ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼,ମୁଖ୍ୟମନ୍ତ୍ରୀ ପଚାରିଲେ ’ଆପଣ ମାନେ ଖୁସି ତ ?
ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱରରେ ବୁଧବାର ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ କରିଥିବା ରୋଡ୍ ଶୋ’ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ସାଲିଆ ସାହି ହେଉ କି ରେଣ୍ଟାଲ କଲୋନି ରାସ୍ତା ସବୁଠାରେ ଦେଖିବାକୁ ମିଳିଥିବା ଭିଡ଼ ।
ରୋଡ୍ ଶୋ’ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିଥିଲା । ସମ୍ବୋଧନ କାଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣ ମାନେ ଭଲ ଅଛନ୍ତି ତ ? ଜୁଲାଇ ମାସରୁ ବିଲ୍ ଆସିବ ନାହିଁ । ବିଏସକେୱାଇ କାର୍ଡ୍ ସମସ୍ତଙ୍କୁ ମିଳିବ । ଆପଣ ମାନେ ଖୁସି ତ ? ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ ।
ଏହା ସହିତ ମୁଖ୍ୟମନ୍ତ୍ରୀ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ୨୦୧୯ରେ ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ଚିର ପରିଚିତ ଆପଣ ମାନେ ଖୁସି ତ ଭୋଟରଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା,୨୦୨୪ରେ ମଧ୍ୟ ତାହା ସେହିଭଳି ଥିବା ଲାଗୁଛି ।
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ହେବ ବଡ଼ ଲଢ଼େଇ
ନନ୍ଦିଘୋଷ ବ୍ୟୁରୋ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ବିଗ୍ ଫାଇଟ୍ । କିଏ ହାତେଇବ ଆଠମଲ୍ଲିକ ଆସନ ? କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଆସନ୍ତା ୨୫ରେ ଏଠାରେ ପଡିବ ଭୋଟ । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହୋଇପାରେ। ତେବେ ଜନତାଙ୍କ ମତ ହେଲା-ବିକାଶ ଯେଉଁଠି,ଭୋଟ ସେଇଠି ।
ସଭା, ସମିତି ଶୋଭାଯାତ୍ରା । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ଗାଁ ଦାଣ୍ଡ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳିରେ ବଢିବାରେ ଲାଗିଛି ନିର୍ବାଚନୀ ପାରଦ । ୨୦୦୦ ମସିହାରୁ ବିଜେଡିର ଅଭେଦ୍ଯ ଗଡ ରହିଛି ଏହି ଆସନ । ଏଥର ମୁଖ୍ଯତଃ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ଯରେ ହେଉଛି ଲଢେଇ । ବିଜେଡିରୁ ନଳିନୀ କାନ୍ତ ପ୍ରଧାନ, ବିଜେପିରୁ ସଂଜୀବ ସାହୁ, କଂଗ୍ରେସରୁ ହିଂମାଶୁ ଚାଉଳିଆ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା ।
୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ସଂଜୀବ ସାହୁ ୬୧ ହଜାର ୩୮୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୧୨ ହଜାର ୬୭୪, କଂଗ୍ରେସର ମୌସୁମୀ ପ୍ରଧାନ ୪୨ ହଜାର ୪୦୭ ଭୋଟ ପାଇଥିଲେ । ୨୦୧୪ ମସିହାରେ ପୁଣି ବିଜେଡି କବଜାକୁ ଯାଇଥିଲା ଏହି ଆସନ । ବିଜେଡିରୁ ସଂଜୀବ ସାହୁ ୬୩ ହଜାର ୨୨୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିରୁ ଭାଗିରଥି ପ୍ରଧାନ ୨୨ ହଜାର ୪୬୩, କଂଗ୍ରେସର ସୁରେନ୍ଦ୍ର ପ୍ରଧାନ ୪୩ ହଜାର ୬୮୯ ଭୋଟ ପାଇଥିଲେ । ୨୦୧୯ରେ ବିଜେଡି ସଂଜୀବ ସାହୁଙ୍କ ବଦଳରେ ରମେଶ ସାଏଙ୍କୁ ପ୍ରାର୍ଥୀ କରିଥିଲା । ରମେଶ ସାଏ ୮୬ ହଜାର ୨୫୪ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭାଗିରଥି ପ୍ରଧାନ ୩୯ ହଜାର ୭୦, କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୩୦ ହଜାର ୯୨୫ ଭୋଟ ପାଇଥିଲେ ।
ଚଳିତ ନିର୍ବାଚନରେ ୨ ଲକ୍ଷ ୮ ହଜାର ୭୭୧ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୫ ହଜାର ୯୨୦, ମହିଳା ୧ ଲକ୍ଷ ୨ ହଜାର ୮୪୩ ଏବଂ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୮ ଜଣ ଅଛନ୍ତି । ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଅଞ୍ଚଳରେ ରାସ୍ତାଘାଟ, ସ୍କୁଲ, କଲେଜ ସମେତ ଷ୍ଟାଡିୟମ ଓ ପାର୍କ ଆଦିର ହୋଇଛି ଉନ୍ନତିକରଣ । ତେଣୁ ବିକାଶ ହିଁ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି ।

