ଆଠଗଡ଼: ବୋହୂର ନାକ କାଟିଲା ଶ୍ବଶୁର। ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଘଟିଛି ଏଭଳି ଘଟଣା। ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରରେ ଶ୍ବଶୁର ବୋହୂର ନାକ କାଟିଦେଇଛି। ଶ୍ବଶୁରଙ୍କ ଆକ୍ରମଣରେ ବୋହୂଙ୍କ ନାକ ସାମାନ୍ଯ କଟିଯାଇଛି। ତାଙ୍କୁ ଆହତ ଅବସ୍ଥାରେ ଗୁରୁଡ଼ିଝାଟିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ଶ୍ବଶୁର ଅମର ବେହେରାଙ୍କୁ ପୋଲିସ ପଚରାଉଚରା କରୁଛି ।
ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ସୁପ୍ରିମ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ବଡ଼ ସୁପ୍ରିମ ଝଟକା। ଦିଲ୍ଲୀ ମହାନଗର ନିଗମରେ ୧୦ ମନୋନୀତ ସଦସ୍ୟଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନେଇପାରିବେ ଉପରାଜ୍ୟପାଳ। ଦିଲ୍ଲୀ ମହାନଗର ନିଗମରେ ୧୦ ପାର୍ଷଦଙ୍କ ନିଯୁକ୍ତି ନେଇ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ ପିଏସ ନରସିଂହା ଏବଂ ଜଷ୍ଟିସ ଜେବି ପାରଦିୱାଲାଙ୍କୁ ନେଇ ବେଞ୍ଚ ଏହି ରାୟ ପ୍ରଦାନ କରିଛନ୍ତି। ଏମସିଡିରେ ୧୦ ମନୋନୀତ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବେ ଦିଲ୍ଲୀ ଉପରାଜ୍ୟପାଳ।
ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଙ୍କ ଏକ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଦିଲ୍ଲୀର ଆପ ସରକାର। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆପ ସରକାରକୁ ବଡ଼ ଝଟକା ଲାଗିଛି। କୋର୍ଟ କହିଛନ୍ତି ଯେ, ମନୋନୀତ ସଦସ୍ୟଙ୍କ ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିକାର। ସରକାରଙ୍କ ବିନା ପରାମର୍ଶରେ ସେ ଏମସିଡିରେ ସଦସ୍ୟ ନିଯୁକ୍ତି କରିପାରିବେ। ୧୯୯୩ର ଅଧିନିୟମ ଅନୁସାରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦିଆଯାଇଛି। ଏଥିଲାଗି ଦିଲ୍ଲୀ ସରକାରଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ଏମସିଡି ଅଧିନିୟମ ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଧିକାର ମିଳିଛି। ଏହି ଅଧିକାର କାର୍ଯ୍ୟପାଳିକା ଅଧିକାର ହୋଇନଥିବାରୁ ଏଥିଲାଗି ପରାମର୍ଶ ନେବାର ଆବଶ୍ୟକ ନାହିଁ।
ଏହା ପୂର୍ବରୁ ଗତ ୧୭ ତାରିଖରେ ସୁପ୍ରିମକୋର୍ଟ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଦିଲ୍ଲୀ ମହାନଗର ନିଗମରେ ମୋଟ ୨୫୦ ସଦସ୍ୟ ରହିଥିବାବେଳେ ୧୦ ମନୋନୀତ ସଦସ୍ୟ ରହିଛନ୍ତି। ଦିଲ୍ଲୀ ମହାନଗର ନିଗମରେ ଉପରାଜ୍ୟପାଳଙ୍କୁ ଏହି ଅଧିକାର ଦେବାର ଅର୍ଥ ହେଉଛି ଉପରାଜ୍ୟପାଳ ଚାହିଁଲେ ମହାନଗର ନିଗମକୁ କୌଣସି ସମୟରେ ଚାହିଁଲେ ଭଙ୍ଗ କରିପାରିବେ।
ସ୍ତ୍ରୀକୁ ବାଲଟିରେ ପିଟିପିଟି ମାରିଦେଲା ସ୍ବାମୀ
ବାଲେଶ୍ବର: ସ୍ତ୍ରୀକୁ ବାଲଟିରେ ପିଟିପିଟି ମାରିଦେଲା ସ୍ବାମୀ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ କଳ୍ପନା ମହାନ୍ତି । ଅଭିଯୋଗ ଅନୁସାରେ ଦମ୍ପତିଙ୍କ ମଧ୍ଯରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ଆଜି ଉତ୍ତ୍ଯକ୍ତ ହୋଇ ସ୍ବାମୀ କାଦୁ ମହାନ୍ତି ସ୍ତ୍ରୀକୁ ବାଲଟିରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ଯୁ ହୋଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ବାଂଲାଦେଶରେ ହିଂସାର ନୂଆ ପର୍ଯ୍ୟାୟ, ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସତର୍କତା ଅବଲମ୍ବ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ହିଂସାର ନୂଆ ପର୍ଯ୍ୟାୟ ଭିତରେ ଭାରତ ସରକାର ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରିଛନ୍ତି । ଏହି ନମ୍ବରରେ ଯୋଗାଯୋଗ କଲେ ଢାକାସ୍ଥିତ ଭାରତୀୟ ହାଇକମିଶନ ନିଜ ନାଗରିକଙ୍କୁ ସାହାଯ୍ୟ କରିବ।
ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ବାଂଲାଦେଶରେ ଜାରିଥିବା ହିଂସା ନୂଆ ରୂପ ନେଇଛି । ଏବେ ଦେଶରେ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରିବା ଆରମ୍ଭ କଲେଣି । ହିଂସା ଉପରେ ନିୟନ୍ତ୍ରଣ ପାଇଁ ସରକାର ସମ୍ପୂର୍ଣ୍ଣ ଦେଶରେ ୪ ଅଗଷ୍ଟ ସଂଧ୍ୟା ୬ରୁ ଅନିଶ୍ଚିତକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ।
ହିଂସାର ନୂଆ ଲହରି ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ହିଂସା କାରଣରୁ ବାଂଲାଦେଶରେ ଅନେକଙ୍କ ଜୀବନ ଗଲାଣି । ତାଜା ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୯୧ ଜଣ ଆନ୍ଦୋଳନକାରୀ ଓ ୧୩ ଜଣ ପୋଲିସ କର୍ମୀଙ୍କ ଜୀବନ ଯାଇଛି ।
ଏମରଜେନ୍ସି ନମ୍ବର ଜାରି:
ଭାରତ ସରକାରଙ୍କ ଅନୁସାରେ ବାଂଲାଦେଶରେ ମୋଟ ୭ ହଜାର ଭାରତୀୟ ରହୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ହାଇକମିଶନଙ୍କ ପକ୍ଷରୁ ଶକ୍ତ ପରାମର୍ଶ ଜାରି କରାଯାଇଛି । ଭାରତ ସରକାର ନିଜ ନାଗରିକଙ୍କୁ ସତର୍କତା ଅବଲମ୍ବନ ସହିତ ଅଯଥାରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଭାରତୀୟ ହାଇକମିଶନ ଜରୁରୀକାଳିନ ସହାୟତା ନମ୍ବର ଜାରି କରିଛନ୍ତି । ନମ୍ବର ଗୁଡିକ ହେଉଛି +8801958383679, +8801958383680, +8801937400591 ଏହି ସବୁ ନମ୍ବରକୁ କଲ କରି ଭାରତୀୟ ନାଗରିକ ସହାୟତା ମାଗି ପାରିବେ ।
ବାଂଲାଦେଶରେ ବନ୍ଦ ଇଣ୍ଟରନେଟ୍
ଗତ ମାସରୁ ବାଂଲାଦେଶରେ ସ୍ଥିତି ସାମାନ୍ୟ ନାହିଁ । ଦେଶରେ ସଂରକ୍ଷଛଣକୁ ନେଇ ହିଂସା ଜାରି ରହିଛି । ଏବେ ଏହା ପୁରା ଦେଶକୁ ବ୍ୟାପିଛି । ଆନ୍ଦୋଳନକୁ ଦବାଇବା ପାଇଁ ବାଂଲାଦେଶ ସରକାର ସୁରକ୍ଷକର୍ମୀଙ୍କୁ ନିୟୋଜି କରିଥିବା ବେଳେ ଦେଶରେ ଇଣ୍ଟରନେଟ୍ ଉପରେ ବ୍ୟାନ ଲଗାଇଛନ୍ତି। ସୋସିଆଲ ମିଡିଆରେ ଯେମିତି ଫେକ୍ ନ୍ୟୁଜ୍ ପ୍ରସାରିତ ନହୁଏ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି । ବାଂଲାଦେଶରେ ଏବେ ଫେସବୁକ,ହ୍ୱାଟସଆପ୍,ମେସେଂଜର ଓ ଇନଷ୍ଟାଗ୍ରାମ ବନ୍ଦ ଅଛି ।
ସ୍କୁଲ,କଲେଜ ବନ୍ଦ
ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ ରଖାଯାଇଛି । ବାଂଲାଦେଶ ସରକାର ବର୍ତ୍ତମାନ ସୁଧା ୧୧ ହଜାର ଛାତ୍ରଛାତ୍ରୀଙ୍କୁ ଗିରଫ କରିଛନ୍ତି । ଏହ ସହିତ ପ୍ରଧାନମନ୍ତ୍ରୀ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ତଦନ୍ତର ଆଶ୍ୱାସନା ଦେଇଛନ୍ତି ।
କେନ୍ଦୁଝରରେ ୨୬ ଟିକିଆ ହାତୀପଲଙ୍କ ଉତ୍ପାତ; ଲୋକଙ୍କ ନିଦ ହଜାଇ ଦେଲେଣି ହାତୀପଲ
କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉତ୍ପାତ । କଣ୍ଡରାପଶି ଗାଁକୁ ଫେରିଛନ୍ତି ୨୬ ଟିକିଆ ହାତୀପଲ । ଦୁଇ ଦିନ ହେଲା ହାତୀମାନେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ଅଞ୍ଚଳକୁ ପଳାଇଥିଲେ । ଏବେ ହାତୀମାନେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛନ୍ତି । ବିଭିନ୍ନ ଗାଁରେ ବହୁ ଘର ଭାଙ୍ଗିବା ସହ ଘରେ ଲୋକଙ୍କ ଘରୁ ଧାନଚାଉଳ ଖାଇଯାଉଛନ୍ତି । ସାରା ରାତି ଲୋକଙ୍କୁ ନାକେଦମ କରୁଛନ୍ତି ହାତୀ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ ବନ ବିଭାଗ ହାତୀଙ୍କ ଉପରେ ନଜର ରଖିଛି । ହାତୀପଲ କିଭଲି ଗାଁ ମୁହାଁ ହେବେନି ସେନେଇ ବନ ବିଭାଗର ସ୍କ୍ବାଡ୍ ନଜର ରଖିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା: ଓଡିଶାରେ ହିତାଧିକାରୀ, ଝାଡଖଣ୍ଡକୁ ଚାଲିଗଲା ଆବାସ ଟଙ୍କା
ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା । ଘର ତିଆରି କରି ହଟହଟା ହିତାଧିକାରୀ । ହିତାଧିକାରୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଆସିବା ବଦଳରେ ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା। ଏଭଳି ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ମୁଦୁଲିଗୁଡା ଗାଁରେ । ଗତ ୨୦୨୩ ମସିହା ଏପ୍ରିଲ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ଯମରେ ମୁଦୁଲିଗୁଡ଼ା ଗାଁର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ ଘର ପାଇଁ କାର୍ଯ୍ଯାଦେଶ ମିଳିଥିଲା । ନୂଆ ଆବାସ ତିଆରି କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ ହିତାଧିକାରୀ। ଘର ତୋଳିବାକୁ ଧାର କରଜ କରି ପଥର, ବାଲି, ଇଟା ଜମା କରିଥିଲେ ଏବଂ ନୂଆ ଘର କାମ ଆରମ୍ଭ କରିଦେଇଥିଲେ । କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ । କିନ୍ତୁ ତାହା କନକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିଲା । ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିଥିଲା। ତଥାପି ଟଙ୍କା ମିଳି ନଥିଲା। ପରେ ଟଙ୍କା ନେଇ ଯାଞ୍ଚ କରିଥିଲେ କନକ । ହେଲେ ତାଙ୍କ ଆକାଉଣ୍ଟକୁ ଆସିବାକୁ ଥିବା ଟଙ୍କା ଝାଡଖଣ୍ଡର ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ନେଇ ଜାଣିବାକୁ ପାଇଥିଲେ । ହେଲେ ଦୀର୍ଘ ୧୪ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ଜମି ବନ୍ଧକ ରଖିଛନ୍ତି ହିତାଧିକାରୀ ।
ଆବାସ ଟଙ୍କା ଝାଡଖଣ୍ଡ ଚାଲିଯାଇଥିବା ଜାଣି ହିତାଧିକାରୀ ଟଙ୍କା ଫେରି ପାଇବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ । ହିତାଧିକାରୀଙ୍କ ଆଧାର କାର୍ଡ ଅନୁସାରେ ଟଙ୍କା ଟ୍ରାନ୍ସଫର ହେଉଥିବାରୁ ଏଥିରେ ବ୍ଲକ ପ୍ରଶାସନର ଭୁଲ ନ ଥିବା ପ୍ରକାଶ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ପରୋକ୍ଷରେ ବ୍ଯାଙ୍କର କୌଣସି ତ୍ରୁଟି କାରଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ନଯାଇ ଝାଡଖଣ୍ଡ ଚାଲିଯାଇଥିବା ନେଇ କହିଛନ୍ତି । ଏଥିସହିତ ବ୍ଲକ ପ୍ରଶାସନ ତରଫରୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଟଙ୍କା ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।
ଅପରପକ୍ଷରେ ଗରିବ ହିତାଧିକାରୀ ଯେପରି ସରକାରୀ ଟଙ୍କା ଠିକ ସେ ପାଇପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ତାହା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ସାଧାରଣରେ କୁହାଯାଉଛି ।

