spot_img
Home Blog Page 1807

ଆଜି ଓଡିଶା ପାଳୁଛି ରସଗୋଲା ଦିବସ

ପୁରୀ: ଆଜି ରସଗୋଲା ଦିବସ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହା ସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ ।

୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପରେ ୨୦୧୬ ଜୁଲାଇ ୧୭ ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା ।

ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।

ଟିମ ଇଣ୍ଡିଆର ଏହି ଖେଳାଳୀ ସହିଛନ୍ତି ଛାଡପତ୍ର ଯନ୍ତ୍ରଣା

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ଜଗତରେ ଏବେ ବିବାହ ବିଚ୍ଛେଦ  । ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ବିବାହ ବିଚ୍ଛେଦ ଘଟଣା ଏବେ ପ୍ରଶଂସକଙ୍କୁ ନିରାଶ କରିଛି  । ଏହି ଛାଡପତ୍ର ସହିତ ସେ ନିଜ ପୁଅକୁ ମଧ୍ୟ ହରାଇଛନ୍ତି। ପୁଅ ଅଗସ୍ତ୍ୟକୁ ନେଇ ମା ନତାଶା ସର୍ବିଆ ଚାଲିଯାଇଛନ୍ତି। କେବଳ ପାଣ୍ଡ୍ୟା ନୁହେଁ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନଙ୍କର ହୋଇଛି ଛାଡପତ୍ର ।

ଶିଖର ଧୱନ

ଏକଦା ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ଥିବା ଶିଖର ଧୱନ ଛାଡପତ୍ରର ଯନ୍ତ୍ରଣା ଭୋଗିଛନ୍ତି। ସେ 2009 ରେ ମେଲବର୍ଣ୍ଣର ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ  । ଉଭୟଙ୍କ ଏକ ପୁଅ ମଧ୍ୟ ଅଛି  । ଉଭୟ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିବାବେଳେ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା  । ୨୦୨୩ ମସିହାରେ ଧାୱନ ମାନସିକ ନିର୍ଯ୍ୟାତନା କାରଣ ଦର୍ଶାଇ ଆୟେଶାଙ୍କୁ ଛାଡପତ୍ର ଦେଇଥିଲେ। ଆୟେଶା ପୁଅକୁ ନେଇ ଅଷ୍ଟ୍ରେଲିଆରେ ରହୁଛନ୍ତି  ।

ଦୀନେଶ କାର୍ତ୍ତିକ

ଦୀନେଶ କାର୍ତ୍ତିକ ୨୦୦୭ ମସିହାରେ ତାଙ୍କ ପିଲାଦିନର ବନ୍ଧୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହ କେବଳ ୫ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ୨୦୧୨ରେ କାର୍ତ୍ତିକଙ୍କ ପତ୍ନୀ ତାଙ୍କ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ନିକଟତର ହୋଇଥିଲେ । କାର୍ତ୍ତିକ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ପରେ ସେମାନେ ଛାଡପତ୍ର ନେଇଥିଲେ। ପରେ, କାର୍ତ୍ତିକ ୨୦୧୫ରେ ସ୍କ୍ୱାସ୍ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ  ।

ମହମ୍ମଦ ସାମି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ୨୦୧୪ରେ ହସିନ ଜାହାନଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରଥମ ଦେଖା ଆଇପିଏଲ୍ ସମୟରେ ହୋଇଥିଲା। ହାସିନ୍ ଜାହାନ୍ ସେହି ସମୟରେ କୋଲକାତା ନାଇଟ୍ ରାଇଡର୍ସର ଚିଅର ଲିଡର୍‌ ଥିଲେ। ୪ ବର୍ଷ ବିବାହ ପରେ ହାସିନ୍ ଜାହାନ୍ ସର୍ବସାଧାରଣରେ ଶାମିଙ୍କୁ ୨୦୧୮ରେ ବିବାହ କରିଥିଲେ । କିନ୍ତୁ ସାମିଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ହାସିନ। ସେବେଠାରୁ ଉଭୟ ଅଲଗା ରୁହନ୍ତି ।ଶାମିଙ୍କର ଏକ ଝିଅ ମଧ୍ୟ ଅଛି ।

ମହମ୍ମଦ ଆଜ୍ହାରୁଦ୍ଦିନ

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଥିବା ମହମ୍ମଦ ଅଜହରୁଦ୍ଦିନ ଥରେ ନୁହେଁ ଦୁଇଥର ଛାଡପତ୍ର ଦେଇଛନ୍ତି। ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ୧୯୯୬ରେ ଛାଡପତ୍ର ଦେଇ ବଲିଉଡ ଅଭିନେତ୍ରୀ ସଂଗୀତା ବିଜଲାନିଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ସେ ସଙ୍ଗୀତା ବିଜଲାନିଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

ବିନୋଦ କାମ୍ବଲି

ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ପିଲାଦିନର ବନ୍ଧୁ ନୋଏଲା ଲୁଇସଙ୍କୁ ୧୯୯୮ ରେ ବିବାହ କରିଥିଲେ। ବିବାହ ପରେ ପତ୍ନୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ସେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ।

 

 

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ, ବଡ଼ ଦେଉଳ ପ୍ରବେଶ କରିବେ ତିନି ଠାକୁର

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ। ଏହା ହେଉଛି ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଏହାକୁ ଶ୍ରୀଜୀଉଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ ।

ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ। ଏହାପରେ ସିଂହାସନ ମାଜଣା କରାଯାଇ ପହଣ୍ଡି ଆରମ୍ଭ ହୋଇଥାଏ।ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯାଉଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡି ହୋଇ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନକୁ ଫେରିଥାନ୍ତି।

ଆସନ୍ତାକାଲିଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର। କିଛି ଦିନ ପରେ ପୁଣି ଶ୍ରୀମନ୍ଦିର ହେବ ଚଳଚଞ୍ଚଳ। ପୁଣି ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ଗହଳି ଚହଳି, ମହାପ୍ରଭୁଙ୍କ ନୀତିକାନ୍ତି ହେବ। ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ। ନୀଳାଚଳ ଧାମରୁ ପୁଣି ବାହାରିବ ନୀଳାଚଳ ଅବଢ଼ା।

ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ଦଳର ମୁଖ୍ଯ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକ ବସିବ। ଏଥିରେ ରାଜ୍ଯ ସଭାର ସବୁ ସାଂସଦ ଯୋଗଦେବେ। ଆଗାମୀ ଅଧିବେଶନ ବେଳେ ଦଳର ରଣନୀତି କଣ ରହିବ, ରାଜ୍ଯବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ କେଉଁ ପ୍ରସଙ୍ଗ ଉଠାଯିବ ଏସବୁ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସେହି ଅନୁସାରେ ରଣନୀତି ପ୍ରସ୍ତୁତ ହେବ। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ। ୨୩ ତାରିଖ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

ଭିନ୍ନ ଭିନ୍ନ ଦୁର୍ଘଟଣାରେ ୫ ମୃତ, ଦୁଇ ଗୁରୁତର

ବଣାଇ/ଢେଙ୍କାନାଳ: ବଣାଇ ଓ ଢେଙ୍କାନାଳରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ବଣାଇ ରାଜାମୁଣ୍ଡା ବାଇପାସ ନିକଟରେ ରାସ୍ତାରେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଭାରସାମ୍ୟ ହରାଇ ଚଢିଗଲା ହାଇୱା । ଦୁର୍ଘଟଣାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ ଛକରେ ଆରକେଡି ଠିକା ସଂସ୍ଥା ଦ୍ବାରା କାମ ଚାଲୁଛି । ବାଇପାସର ଏକ ନିର୍ମାଣଧୀନ ବ୍ରିଜରେ ଶ୍ରମିକମାନେ କାମ କରୁଥିବା ବେଳେ ହାଇଓ୍ବା ସେମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ଓ ମେଡିକାଲ ନେବା ପାଟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଆହତ ଦୁଇ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ମୃତାହତଙ୍କ ପରିଚୟ ମିଳପାରି ନଥିବା ବେଳେ ଲହୁଣିପଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

ସେହିପରି ୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଅନ୍ତର୍ଗତ ମେରାମୁଣ୍ଡଳୀ ଛକରେ ବାଇକକୁ ଧକ୍କା ଦେଲା ଟ୍ରକ । ଆହତ ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଚନ୍ଦ୍ରଶେଖର ପ୍ରସାଦ ଗାଁର ପିନୁ ଧଳ ଏବଂ ସାଲେପୁର ଅଞ୍ଚଳର ସୁବ୍ରତ ମହାପାତ୍ର । ମୃତ ଦୁଇ ଜଣ ଏଚଡିଏଫସି ବ୍ୟାଙ୍କର ଗ୍ରୁପ ଲୋନ କଲେକ୍ସନ କରି ଫେରୁଥିବା ବେଳେ ସେମାନେ ଦୁର୍ଘଟଣା ଗସ୍ତ ହୋଇଥିଲେ । ସେପଟେ ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ନବୀନ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ପୂରଣ ହେଲା ଯାଜପୁରବାସୀଙ୍କ ସ୍ବପ୍ନ । ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ । ଚଳିତବର୍ଷ ୫୦ ସିଟରେ ହେବ ନାମଲେଖା । ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ ।

ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ଦେଇଛନ୍ତି ମଞ୍ଜୁରୀ । ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ସରକାର ଉଦ୍ୟମ କରୁଥିଲା । ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ବିଜେଡି କରୁଥିଲା ପ୍ରୟାସ । ତେବେ ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି କହିଛନ୍ତି ନବୀନ ।

ଅନ୍ୟ ନୂଆ ମେଡିକାଲ କଲେଜ ପରି ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିବା କଥା । ତେବେ କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି କହିଛନ୍ତି ନବୀନ ।

ରଥାରୂଢ଼ ଶ୍ରୀଜିଉଙ୍କ ପାଖରେ ଲାଗି ହେଲା ଅଧରପଣା

ପୁରୀ: ରଥଯାତ୍ରାର ଅନ୍ୟତମ ନୀତି ଅଧରପଣା ଶେଷ ହୋଇଛି । ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଯଥାରୀତି ଅଧରପଣା ନୀତି ସମ୍ପନ୍ନ କରିଛନ୍ତି ସେବାୟତ । ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା । ରଥ ଉପରେ ପୂଜାର୍ଚ୍ଚନା ପରେ ସେବାୟତମାନେ ପଣା ଥିବା ତୁମ୍ବକୁ ଭାଙ୍ଗି ଦେଇଥିଲେ । ଏହାପରେ ଦେବୀ ସୁଭଦ୍ରାଙ୍କ ପାଖରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା ।

ବିଶ୍ବାସ ରହିଛି, ମହାପ୍ରଭୁଙ୍କ ଏହି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ୩୩ କୋଟି ଦେବାଦେବୀଙ୍କ ସମେତ ଚଣ୍ଡି, ଚାମୁଣ୍ଡା ଓ ଅଶରିରୀମାନେ ମଧ୍ୟ ସାମିଲ ହୋଇଥାନ୍ତି । ଏମାନଙ୍କୁ ତୃପ୍ତ କରିବାକୁ ତିନି ଠାକୁରଙ୍କ ପାଖରେ ଏହି ନୀତି ସମ୍ପନ୍ନ ହୋଇଥାଏ । ଅଧର ହାଣ୍ଡି ରଥ ଉପରେ ଭଙ୍ଗାଯିବା ପରେ ଏହି ପଣାକୁ ପାନ କରି ଏମାନେ ତୃପ୍ତ ହୋଇଥାନ୍ତି ।

କେମିତି ପ୍ରସ୍ତୁତ ହୁଏ ଅଧରପଣା

ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥିଲା । ଶ୍ରୀପଞ୍ଚମୀ ଦିନଠାରୁ ତିନି ରଥର ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱ ଦେବାଦେବୀମାନେ ବିଜେ କରି ନବ ଦିନାତ୍ମକ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ । ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟ କରିବାକୁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୂର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଇ ଏହାକୁ ରଥ ଉପରେ ଭଙ୍ଗାଯାଏ l

ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡିରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯାଇଥାଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇଥିଲେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନି ରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାର ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିବା ପରେ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ, ଚାମଣ୍ଡା ଓ ଅଶରିରୀମାନେ ଏହି ପଣାକୁ ପାନ କରି ତୃପ୍ତି ଲାଭ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ, ନିଜେ ଗାଡିରୁ ଓହ୍ଲାଇ ବୁଝାଇଲେ

ମାହାଙ୍ଗା: ମହାଙ୍ଗା ନିର୍ବାଚନ ମଣ୍ଡଳିର ନିଶ୍ଚିନ୍ତକୋଇଲ ବ୍ଲକ ତହସିଲ ଛକ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗରେ ଅପ୍ରିତିକର ସ୍ଥିତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ । ମୁଖ୍ଯମନ୍ତ୍ରୀଙ୍କ ସ୍ବାଗତ ସମୟରେ ପରାଜିତ ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ସମର୍ଥକ ଓ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଗାଡିରୁ ଓହ୍ଲାଇ ବୁଝାଶୁଝା କରିବା ପରେ କାରକେଡ଼ ଆଗକୁ ଗଡ଼ିଥିଲା ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବିଧାୟକଙ୍କ ସମର୍ଥକମାନେ ବୋତଲ ମାଡ଼ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି । ସ୍ଥିତି ଏମିତି ହୋଇଥିଲା ବିଜେପି ନେତା ସଭାସ୍ଥଳକୁ ଯାଇ ନପାରି ଫେରି ଯାଇଥିଲେ ।

ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ NEET ମାର୍କ ପ୍ରକାଶ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ଏନଟିଏକୁ ଦେଲେ ନିର୍ଦ୍ଦେଶ । ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ପିଲାଙ୍କ ମାର୍କ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ପରିଚୟ ଗୋପନ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ପରୀକ୍ଷା କେନ୍ଦ୍ର ଓ ସହର ଅନୁୟାୟୀ ମାର୍କ ପ୍ରକାଶ କରାଯିବା ଦ୍ବାରା କେଉଁଠି ଅନିୟମିତତା ହୋଇଛି, କେତେ ପରିମାଣର ଜାଲିଆତି ହୋଇଛି ଓ କିଏ କିଏ ଏହାର ଫାଇଦା ପାଇଛନ୍ତି, ତାର ପ୍ଯାଟର୍ଣ୍ଣ ଜଣାପଡ଼ିବ ବୋଲି କୁହାଯାଉଛି ।

ନିଟ୍ ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତା ନେଇ ହୋଇଥିବା ପିଟିସନ ଗୁଡିକର ଶୁଣାଣି ବେଳେ ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେତେକ ଛାତ୍ରଛାତ୍ରୀ ପୁଣି ଥରେ ଏଣ୍ଟ୍ରାନ୍ସ କରିବାକୁ ଦାବି କରିଥିଲେ । ପ୍ରଶ୍ନପତ୍ର ଲିକ୍ ନେଇ ବିହାର ପୋଲିସକୁ ମଧ୍ୟ ରିପୋର୍ଟ ମଗାଯାଇଛି । ହଜାରିବାଗ, ପାଟନାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ଏହା କେତେ ବ୍ଯାପକ ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ଡାକ୍ତରୀ ପଢିବା ପାଇଁ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଗତ ମେ’ ୫ରେ ପ୍ରାୟ ୨୪ ଲକ୍ଷ ପିଲା ନିଟ୍ ଦେଇଥିଲେ ।

ନବୀନଙ୍କ ଛାୟା କ୍ୟାବିନେଟକୁ କଂଗ୍ରେସର ପ୍ରଶଂସା, ବିଜେପି ଦେଲା ରାଜନୈତିକ ବୟାନ

ଭୁବନେଶ୍ବର: ରାଜ୍ୟରେ ଏକ ଶକ୍ତ ବିରୋଧୀ ଦଳ ଭୂମିକାରେ ବିଜେଡି । ଓଡ଼ିଶାର ହିତ ପାଇଁ ବିଭିନ୍ନ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳାନାକୁ ଜଗିବେ ବିଜେଡି ବିଧାୟକ । ପ୍ରଥମ ଥର ପାଇଁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟସ୍ବାର୍ଥ ପାଇଁ ଗଢିଛନ୍ତି ଛାୟା କ୍ୟାବିନେଟ୍ । ଦଳର ୫୦ ଜଣ ବିଧାୟକଙ୍କୁ ଦେଇଛନ୍ତି ବିଭାଗଓ୍ବାରୀ ଦାୟିତ୍ବ । ନବୀନଙ୍କ ଏହି ରଣନୀତି ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ନିଷ୍ପତ୍ତିକୁ କଂଗ୍ରେସ ପ୍ରଶଂସା କରିଥିବା ବେଳେ, ବିଜେପି ଦେଇଛି ରାଜନୀତିର ବୟାନ ।

ସରକାରଙ୍କୁ ଛାଇ ଭଳି ଜଗିବ ଛାୟା କ୍ୟାବିନେଟ୍ । ବିଜେଡିର ୫୦ ବିଧାୟକଙ୍କୁ ମିଳିଲା ବିଭିନ୍ନ ବିଭାଗର ଗୁରୁ ଦାୟିତ୍ବ । ବିକାଶ ଓ ଯୋଜନାର କାର୍ଯ୍ୟକାରିତାକୁ କରିବେ ଅନୁଧ୍ୟାନ । ବିଜେଡି କହିଲା ଆମେ ପ୍ରସ୍ତୁତ, କଂଗ୍ରେସ କଲା ସମର୍ଥନ । ଅନ୍ୟପକ୍ଷେ ପ୍ରଶ୍ନ ଉଠାଇଲା ବିଜେପି ।

ବିଧାନସଭାରେ ଦୃଢ଼ ବିରୋଧୀ ଦଳର ଭୂମିକା ନେବ ବିଜେଡି । ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବେ ୫୦ ବିଜେଡି ବିଧାୟକ । ରାଜନୀତିକୁ ଜନସେବାର ମୂଳମନ୍ତ୍ର କରି ଓଡ଼ିଶା ରାଜନୀତିରେ ପ୍ରଥମ ଥର ଲାଗି ଛାୟା କ୍ୟାବିନେଟ ଗଠନ କରିଛନ୍ତି ନବୀନ ପଟ୍ଟନାୟକ । ଶକ୍ତ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ ସ୍ବାର୍ଥରେ ଯେପରି ଆଞ୍ଚ ନଆସେ, ସେଥିପାଇଁ ବିଭାଗଓ୍ବାରୀ ଜଗିବେ ବିଜେଡି ବିଧାୟକ । ନୂଆ ସରକାରଙ୍କ କାର୍ଯ୍ୟକାରିତାକୁ ମନିଟର କରିବେ ବିଧାୟକମାନେ । ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ଏହି ନୂଆ ଦାୟିତ୍ବ ତୁଲାଇବ । ଖାସ ସେଥିପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନେତାଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ବ । ନବୀନଙ୍କ ନିର୍ଦ୍ଦେଶକୁ ବିଧାନସଭାରେ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ଗ୍ରାଉଣ୍ଡରେ ମଧ୍ୟ ସବୁ ବିକାଶର ଅନୁଧ୍ୟାନ କରିବ ଦଳ । ବିଧାନସଭାରୁ ରାଜ୍ୟସଭା ଯାଏଁ ଶକ୍ତ ବିରୋଧୀ ଦଳ ଭାବେ ବିଜେଡି ଲୋକଙ୍କ ସ୍ବର ସାଜିବ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ବିରୋଧୀ ଦଳ ହେଉଛନ୍ତି ଜନସାଧାରଣଙ୍କ ସ୍ବାର୍ଥର ଜାଗ୍ରତ ପ୍ରହରୀ । ତେଣୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯେଉଁ ଛାୟା କ୍ୟାବିନେଟ ଗଠନ କରିଛନ୍ତି, ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛି କଂଗ୍ରେସ । ନବୀନଙ୍କ ନିଷ୍ପତ୍ତି ଲୋକଙ୍କ ହିତରେ ଓ ସରକାରଙ୍କୁ ସବୁ ଦିଗରେ ସଜାଗ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ବିଜେପି କିନ୍ତୁ ନବୀନଙ୍କ ଛାୟା କ୍ୟାବିନେଟକୁ ନେଇ ରାଜନୈତିକ ବୟାନ ରଖିଛି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ଆସନ୍ତ ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ବିଭିନ୍ନ ବିଭାଗର ଦାୟିତ୍ବ ପାଇଥିବା ବିଜେଡିର ୫୦ ଜଣ ସଦସ୍ୟଙ୍କ ଭିତରୁ ୧୩ ଜଣଙ୍କର ବିଜେଡି ସରକାର ସମୟରେ ବହୁ ଅଭିଜ୍ଞତା ରହିଛି । ନବୀନଙ୍କ ୨୫ ବର୍ଷ ଶାସନରେ ବିଭିନ୍ନ କ୍ଷେତ୍ରରେ ଶୀର୍ଷରେ ରହିଥିଲା ଓଡ଼ିଶା । ଆଗକୁ ବଢ଼ିଥିଲା ବିକାଶମୂଳକ କାର୍ଯ୍ୟକ୍ରମ । ତେଣୁ ସେଥିରେ ଯେମିତି କିଛି ବାଧକ ନଆସେ, ତା’ଉପରେ ନଜର ରଖିବ ବିଜେଡିର ଛାୟା କ୍ୟାବିନେଟ ।