spot_img
Home Blog Page 17

ଖଜା ବି ଭେଜାଲ! ପୁରୀରେ ଚଢ଼ାଉ, ୩ କୁଇଣ୍ଟାଲରୁ ଅଧିକ ଖଜା ଜବତ

ନନ୍ଦିଘୋଷ ବ୍ୟୁରୋ : ଆଧ୍ୟାତ୍ମିକ ସହର ପୁରୀରେ ଖଜାର ମାନକୁ ନେଇ ଉଠିଛି ପ୍ରଶ୍ନ। ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖଜା ବିକ୍ରି ନେଇ ଅଭିଯୋଗ ପରେ ଆକ୍ସନ୍ ମୋଡ୍‌କୁ ଆସିଛି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ। ସକାଳୁ ସକାଳୁ ପୁରୀ ସହରର ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଖଜା ଗୋଦାମ ଓ ପ୍ରସ୍ତୁତି ୟୁନିଟ୍‌ରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଖଜା ଜବତ କରାଯାଇଥିବା ସୂଚନା ମିଳିଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ କରୁଥିବା କିଛି ଦୋକାନୀଙ୍କୁ ମଧ୍ୟ ତାଗିଦ କରାଯାଇଛି। ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ଟାଉନ୍ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଥିଲେ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନିମ୍ନମାନର ଖଜା ବିକ୍ରି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ପୁରୀ ଖଜା ସହ ଆଧ୍ୟାତ୍ମିକ ଭାବନା ଜଡ଼ିତ ଥିବାରୁ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ରହିଛି। ପୁରୀ ଭଳି ଆଧ୍ୟାତ୍ମିକ ସହରରେ ଖାଦ୍ୟର ମାନ ଓ ଶୁଦ୍ଧତା ବଜାୟ ରଖିବାକୁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ନିୟମିତ ଭାବେ ଜାରି ରହୁ ବୋଲି ସାଧାରଣରେ ଦାବି ହୋଇଛି।

ଟୁଇନ୍ ସିଟିରେ କଡ଼ାକଡ଼ି ହେଲା NBW ଡ୍ରାଇଭ୍, ଅମାନିଆଠାରୁ ଅପରାଧୀ—କାହାରିକୁ ତ୍ରାହି ନାହିଁ

ନନ୍ଦିଘୋଷ ବ୍ୟୁରୋ : ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ। ସ୍ପେଶାଲ୍ ଡ୍ରାଇଭ୍‌ରେ ହାର୍ଡକୋର୍ ଅପରାଧୀଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଥିବା ବେଳେ, ନିୟମିତ ହାଜିରା ନଦେଉଥିବା ଅଭିଯୁକ୍ତଙ୍କ ଉପରେ ମଧ୍ୟ କଡ଼ା ନଜର ରହିଛି। ହାଜିରା ନଦେଲେ ହାତରେ ପଡ଼ିପାରେ ହାତକଡ଼ି। ଅଭ୍ୟାସଗତ ଅପରାଧୀ, ଚୋରି, ରାହାଜାନି ଓ ଗଣ୍ଡଗୋଳରେ ସମ୍ପୃକ୍ତ ଦାଗୀଙ୍କ ସମେତ ହାର୍ଡକୋର୍ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏକାଧିକ ଅପରାଧୀଙ୍କୁ ତଡ଼ିପାର କରାଯାଇଥିବା ବେଳେ, ଆହୁରି ପ୍ରାୟ ୩୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି। କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ NSAରେ ବୁକ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ କୁଖ୍ୟାତ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସ ଓ ସ୍ପେଶାଲ୍ ଟାସ୍କ ଫୋର୍ସ ପକ୍ଷରୁ ଅଭିଯାନ ଚାଲିଥିବା ବେଳେ, ଟୁଇନ୍ ସିଟିରେ ମଧ୍ୟ ଏହାକୁ ଜୋରଦାର କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

କମିଶନରେଟ୍ ପୋଲିସର ଏହି କ୍ଲିନ୍ ସୁଇପ୍ ଅପରେସନ୍‌ରେ ନିଶା ମାଫିଆମାନେ ମଧ୍ୟ ଟାର୍ଗେଟ୍‌ରେ ଅଛନ୍ତି। ନିଶାଦ୍ରବ୍ୟ ବିକ୍ରି କରି ନିଜର ପତିଆରା ଦେଖାଉଥିବା ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି। ପାର୍ବଣ ପୂର୍ବରୁ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରୋକିବା ପାଇଁ ଚଢ଼ାଉ ମଧ୍ୟ ଜାରି ରହିଛି।

ସେହିପରି ଦାଦାବଟି କିମ୍ବା ପୂଜା ଚାନ୍ଦା ନାଁରେ ଜୋରଜବରଦସ୍ତି ଟଙ୍କା ମାଗିଲେ ତୁରନ୍ତ ୧୧୨କୁ କଲ୍ କରିବାକୁ ପୋଲିସ ପକ୍ଷରୁ ଅପିଲ୍ କରାଯାଇଛି। ଖଟି ସ୍ଥାନରେ ଉପଦ୍ରବ ରୋକିବା ସହ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍‌ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏହାସହ ସହରରେ ଟ୍ରାଫିକ୍ ସମସ୍ୟା ଉପରେ ନଜର ରଖିବା ସହ ଏନ୍‌ଫୋର୍ସମେଣ୍ଟକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପାର୍ବଣ ସମୟରେ ଟୁଇନ୍ ସିଟିରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି ସ୍ପେଶାଲ୍ ଡ୍ରାଇଭ୍ ଜାରି ରହିବ।

ଓଡ଼ିଶାକୁ ଆସିବ କି ବାତ୍ୟା? ବଙ୍ଗୋପସାଗରରେ ସିଷ୍ଟମ୍, ଗୁଜବରୁ ଦୂରେଇବାକୁ ପାଣିପାଗ ବିଭାଗର ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ :  ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ସିଷ୍ଟମ୍‌କୁ ନେଇ ବଢ଼ିଛି ଚର୍ଚ୍ଚା। କିଛି ପାଣିପାଗ ମଡେଲରେ ବାତ୍ୟାର ସମ୍ଭାବନା ନେଇ ଆକଳନ ଆସୁଥିବା ବେଳେ, ଏବେ ଠାରୁ ଏଭଳି ଆକଳନ କରି ଭୟଭୀତ ନହେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବର୍ତ୍ତମାନ ଉତ୍ତର ଥାଇଲ୍ୟାଣ୍ଡ ଉପରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ। ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଏହି ସିଷ୍ଟମ୍ ଧୀରେ ଧୀରେ ତୀବ୍ର ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ରହିଛି। ତେବେ ଏହା କେତେ ଘନୀଭୂତ ହେବ, ତାହା ଏବେଠାରୁ ସ୍ପଷ୍ଟ ନୁହେଁ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

ଅନ୍ୟପଟେ ECMWF, GFS, NCUM ସମେତ ବିଭିନ୍ନ ମଡେଲର ଆକଳନରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ସଂଗଠିତ ସିଷ୍ଟମ୍‌ ଗଠନର ସଙ୍କେତ ମିଳୁଛି। କିଛି ମଡେଲରେ ଏହାର ତୀବ୍ରତା ବଢ଼ିବାର ସମ୍ଭାବନା ମଧ୍ୟ ଦେଖାଯାଉଛି। ତେବେ ମଡେଲ ଆକଳନ ଓ ବାସ୍ତବ ପାଣିପାଗ ସ୍ଥିତି ମଧ୍ୟରେ ପରିବର୍ତ୍ତନ ହୋଇପାରୁଥିବାରୁ, ଏବେଠାରୁ ବାତ୍ୟା ନେଇ ନିଶ୍ଚିତ ଭାବେ କହିବା ଠିକ୍ ନୁହେଁ। ଏନେଇ ଲୋକଙ୍କୁ ଗୁଜବ ଓ ସୋସିଆଲ ମିଡିଆର ଅପ୍ରମାଣିତ ଖବରରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ। ୧୯ ତାରିଖ ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ଏବଂ ଆବଶ୍ୟକ ହେଲେ ଆଗୁଆ ସତର୍କ ସୂଚନା ଜାରି କରାଯିବ। ସେପଟେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ସରକାର ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କରାଯାଇଥିବା ବେଳେ, ଆଗାମୀ ଦିନରେ ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର ରାଡାର ସ୍ଥାପନ ଯୋଜନା ରହିଛି। ଏହା ଦ୍ୱାରା ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଅଧିକ ସଠିକ୍ ନିରୀକ୍ଷଣ ଓ ପୂର୍ବାନୁମାନରେ ସହାୟତା ମିଳିବ।

 

କାଶତଣ୍ଡୀ ଦେଉଛି ଆଗମନୀ ବାର୍ତ୍ତା, ଧରାକୁ ଛୁଇଁଲା ପାର୍ବଣ

ନନ୍ଦିଘୋଷ ବ୍ୟୁରୋ :  ଧରାକୁ ଛୁଇଁଲାଣି ପାର୍ବଣ। ଶରତର ଆଗମନରେ ସଜେଇ ହୋଇଛି ପ୍ରକୃତି ରାଣୀ। ଧୋବ ଫରଫର କାଶତଣ୍ଡୀ ଫୁଲରେ ଧବଳ ଦିଶୁଛି ଧରଣୀ। ଆଉ କାଶତଣ୍ଡୀ ଫୁଲ ଦେଉଛି ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା। ସତେ ଯେମିତି ମାଆଙ୍କ ସ୍ୱାଗତ ପାଇଁ ବାହୁ ମେଲାଇ ଅପେକ୍ଷା କରିଛି କାଶତଣ୍ଡୀ। ସମ୍ବଲପୁର କୁଚିଣ୍ଡାରେ ନଦୀପଠାଠାରୁ ଆରମ୍ଭ କରି କ୍ଷେତ, ପୋଖରୀ ହୁଡ଼ା ଓ ରାସ୍ତାକଡ଼ରେ ହସୁଛି ଧଳା ଧଳା କାଶତଣ୍ଡୀ ଫୁଲ। ଥିରି ଥିରି ପବନରେ ଦୋଳି ଖେଳି ଖେଳି ବାଟୋଇଙ୍କୁ କରୁଛି ଆନମନା। ଏହି ମନୋରମ ଦୃଶ୍ୟ ଦେଖି କବିଙ୍କ ଲେଖନୀରୁ ଝରିପଡ଼ୁଛି ଅନେକ କବିତା। ନୀଳ ଆକାଶର ଛାତି ଉପରେ ଭସା ଭସା ମେଘର ମେଲଣ, ଆଉ ମାଟିର ମଲାଟ ଉପରେ ଧଳା ଧଳା ଫୁଲର ସମ୍ଭାର। ଶରତର ଆଗମନୀରେ ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ। ପ୍ରକୃତିର ଏହି ଅପୂର୍ବ ସଜବାଜ ଦେଖି ଲାଗୁଛି, ସତେ ଯେମିତି ପାର୍ବଣକୁ ସ୍ୱାଗତ କରିବାକୁ ସଜେଇ ହୋଇଛି ସାରା ପୃଥିବୀ।

ମାଆ ଆସୁଛନ୍ତି, ଜଗତ ଜନନୀ ଧରାବତରଣ କରୁଛନ୍ତି—ଏହି ଶୁଭ ସନ୍ଦେଶ ନେଇ ବାଟେଘାଟେ ଫୁଟିଛି କାଶତଣ୍ଡୀ। ପ୍ରକୃତିର ଏହି ଧଳା ସୌନ୍ଦର୍ଯ୍ୟ ଏବେ ପାର୍ବଣର ଆଗମନୀକୁ କରୁଛି ଆହୁରି ମନୋରମ।

ଗୋଡ଼ ଅଚଳ, ହାତରେ ଯାଦୁ; କାଠରେ କଳାର ଜୀବନ ଭରୁଛନ୍ତି ତ୍ରିଲୋଚନ

ନନ୍ଦିଘୋଷ ବ୍ୟୁରୋ : ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ। ଗୋଡ଼ ସିନା କାମ କରୁନି, ହେଲେ ହାତର ଯାଦୁରେ ନିଜ ଭାଗ୍ୟ ବଦଳାଇଛନ୍ତି। ଶୁଖିଲା କାଠରେ ଫୁଟାଉଛନ୍ତି ଜୀବନ୍ତ କଳାକୃତି। ଏ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁରର ତ୍ରିଲୋଚନ ଓଝା। ମୂଳ ଘର ଯାଜପୁର ଜିଲ୍ଲାରେ। ପେଟ ପାଟଣା ପାଇଁ ଗତ ୧୬ ବର୍ଷ ହେଲା ପରିବାର ସହ କାକଟପୁରରେ ରହୁଛନ୍ତି।  ଗୋଡ଼ରେ ଚାଲିବା ସମ୍ଭବ ନୁହେଁ, ହେଲେ ହାତରେ ରହିଛି ଅପୂର୍ବ କଳାର ଯାଦୁ। ଛେଣୀ ଓ ହାତୁଡ଼ିର ମୁନରେ ଶୁଖିଲା କାଠକୁ ନୂଆ ଜୀବନ ଦେଉଛନ୍ତି ତ୍ରିଲୋଚନ। କାଠ ଉପରେ ତାଙ୍କ ହାତର ସ୍ପର୍ଶରେ ଫୁଟି ଉଠୁଛି ଅପୂର୍ବ କଳାକୃତି। ରାଧାକୃଷ୍ଣଙ୍କଠାରୁ ଆରମ୍ଭ କରି ମହାପ୍ରଭୁ ଜଗନ୍ନାଥ, ମା’ ଲକ୍ଷ୍ମୀ, ଗଣେଶ, ମହାଦେବ ଓ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜୀବନ୍ତ ମୂର୍ତ୍ତି ତିଆରି କରୁଛନ୍ତି। କେବଳ ମୂର୍ତ୍ତି ନୁହେଁ, ଖଟ, କବାଟ, ପାଲିଙ୍କି ଓ ବିଭିନ୍ନ ଆସବାବପତ୍ରରେ ଏତେ ସୂକ୍ଷ୍ମ ଡାଳି କାମ କରୁଛନ୍ତି, ଦେଖିଲେ ଲାଗିବ ଯେମିତି ମେସିନରେ ତିଆରି ହୋଇଛି।

କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ଅନେକ ଘରେ ରହିଛି ତ୍ରିଲୋଚନଙ୍କ ହାତ ତିଆରି କବାଟ ଓ ମୂର୍ତ୍ତି। ନିଜେ ଚାଲିପାରୁନଥିଲେ ବି ହଜାର ହଜାର ଲୋକଙ୍କ ଘରକୁ ନିଜ କଳାରେ ସଜାଇଛନ୍ତି ସେ। ତାଙ୍କ ପ୍ରତିଭା ଦେଖିଲେ ଲାଗେ, ସତରେ ଯେମିତି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଶୀର୍ବାଦ ରହିଛି ତ୍ରିଲୋଚନଙ୍କ ଉପରେ। ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଦକ୍ଷତାକୁ ସାଥୀ କରି ଆଗକୁ ବଢ଼ିଛନ୍ତି ସେ। ତାଙ୍କ କଥାରେ, “ମୋ ଗୋଡ଼ ସିନା କାମ କରୁନି, ହେଲେ ମୋ ହାତରେ ଦେବଶିଳ୍ପୀଙ୍କ ବରଦାନ ରହିଛି।” ତ୍ରିଲୋଚନଙ୍କ ଏହି କାହାଣୀ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା।

କମ୍ୟୁନିଟି ହଲ୍ ନାଁରେ ହରିଲୁଟ୍! ଉଦ୍‌ଘାଟନ ପୂର୍ବରୁ ଧସୁଛି ମାଙ୍କଡ଼ଝୋଲା ବହୁମୁଖୀ କେନ୍ଦ୍ର

ନନ୍ଦିଘୋଷ ବ୍ୟୁରୋ : ପୌରପରିଷଦ ପାଣ୍ଠିରୁ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି  କମ୍ୟୁନିଟି ହଲ୍। ନିର୍ମାଣ କାମ ସରିଛି, ହେଲେ ଏଯାଏଁ ହୋଇପାରୁନି ଉଦ୍‌ଘାଟନ। କାରଣ, ନାଗାବଳୀ ନଦୀ କୂଳଠାରୁ ମାତ୍ର କିଛି ମିଟର ଦୂରରେ ନିର୍ମାଣ ହୋଇଛି କୋଠା। ଏବେ ଏହାର ତଳ ଭାଗରୁ ମାଟି ଧସିବା ଆରମ୍ଭ କରିଥିବାରୁ ବଢ଼ିଛି ଚିନ୍ତା। ଏପଟେ କୋଠାକୁ ସୁରକ୍ଷା ଦେବା ପାଇଁ ନାହିଁ ପ୍ରୋଟେକ୍ସନ ୱାଲ୍। ଫଳରେ ବନ୍ୟା ଆସିଲେ ପୂରା କୋଠା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ନାଗାବଳୀ ନଦୀରେ ପ୍ରତିବର୍ଷ ମାଟି ଅତଡ଼ା ଖସି କୂଳ ଲଂଘୁଥିବା ବେଳେ ଏଭଳି ବିପଜ୍ଜନକ ସ୍ଥାନରେ କାହିଁକି କୋଠା ନିର୍ମାଣ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କି ନିଆଯିବ କାର୍ଯ୍ୟାନୁଷ୍ଠାନ? ଏସବୁ ପ୍ରଶ୍ନ ମଧ୍ୟରେ କୋଠା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ସେପଟେ ଘଟଣାର ତଦନ୍ତ କରାଯିବା ସହ କମ୍ୟୁନିଟି ହଲ୍‌ର ସୁରକ୍ଷା ପାଇଁ ପ୍ରୋଟେକ୍ସନ ୱାଲ୍ ନିର୍ମାଣ କରାଯିବ ବୋଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା କହିଛନ୍ତି।

କୌଣସି ବି ନଦୀରେ ହୋଇପାରିବ ନାହିଁ ବିସର୍ଜନ।

ନନ୍ଦିଘୋଷ ବ୍ୟୁରୋ : କୌଣସି ବି ନଦୀରେ ହୋଇପାରିବ ନାହିଁ ବିସର୍ଜନ। ପ୍ରଶାସନକୁ କରିବାକୁ ପଡ଼ିବ କୃତ୍ରିମ ପୋଖରୀ। ପାର୍ବଣରେ ପ୍ରଦୂଷଣ ଭୟ ଥିବାରୁ ଏନେଇ ପ୍ରଶାସନ ହୋଇଛି ସଜାଗ। ମୂର୍ତ୍ତି ବିସର୍ଜନ ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ହେଉଛି ଅଧିକ ପ୍ରଦୂଷିତ। ସେଥିପାଇଁ ଘରେ କୁଣ୍ଡ କରି ବିସର୍ଜନ କରିବାକୁ SOP ଜାରି କରିଛି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏନେଇ ଜିଲ୍ଲାପାଳ ଓ ପୋଲିସକୁ କରାଯାଇଛି ଚିଠି।  ସରସ୍ବତୀ ପୂଜା ଯାଏଁ ପ୍ରତି ୧୫ ଦିନକୁ ଥରେ ଗଣମାଧ୍ୟମରେ SOP ଜାରି କରାଯିବ। ସେହିପରି ଦୁର୍ଗା ପୂଜାରେ ବାଜି ପାରିବନି ଡିଜେ। ଅନୁମତି ନେଇ କେବଳ ୬୫ ଡେସିବଲ ମ୍ୟୁଜିକ ବାଜିବ । ରାତି ୧୦ଟା ଯାଏ  ମ୍ୟୁଜିକ ବାଜିବାକୁ ଏହି ଅନୁମତି ଦିଆଯାଇଛି।….

ଭାରତ ଲାଗି ବଢ଼ିଲା ଟାରିଫ ବିପତ୍ତି

ନନ୍ଦିଘୋଷ ବ୍ୟୁରୋ : ଭାରତ ଲାଗି ବଢ଼ିଲା ଟାରିଫ ବିପତ୍ତି। ଆମେରିକା ପ୍ରତିନିଧି ସଭାରେ ଗୃହୀତ ହୋଇଛି ରୁଷିଆ ବିରୋଧୀ କଟକଣା ବିଲ୍। ଏହି ବିଲ୍ ଯୋଗୁ ରୁଷିଆଠାରୁ ତୈଳ କ୍ରୟ କରୁଥିବା ରାଷ୍ଟ୍ର ବିରୋଧରେ ଆମେରିକା ରାଷ୍ଟ୍ରପତି ଜାରି କରିପାରିବେ ୧୦୦ ପ୍ରତିଶତ କଟକଣା। ଏହି ନିଷ୍ପତ୍ତି ବଳରେ ଭାରତ, ଚୀନ ସମେତ ରୁଷଆଠାରୁ ତୈଳ କ୍ରୟ କରୁଥିବା ବିଭିନ୍ନ ରାଷ୍ଟ୍ର କଟକଣାର ଶିକାର ହୋଇପାରନ୍ତି। ପ୍ରତିନିଧି ସଭା ଭୋଟରେ ଡେମୋକ୍ରାଟଙ୍କ ସହ ରିପବ୍ଲିକାନ ସାଂସଦ ହାତ ମିଳାଇବା ଯୋଗୁ ଏହି ପ୍ରସ୍ତାବ ୨୬୨-୧୫୯ରେ ଗୃହୀତ ହୋଇଛି। ଦି ଲିଣ୍ଡସେ ଓ. ଗ୍ରାହମ ସାଙ୍କସନିଙ୍ଗ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ ୨୦୨୬କୁ ପୂର୍ବରୁ ସିନେଟରେ ୮୬-୧୧ଭୋଟରେ ସ୍ବୀକୃତି ମିଳିଥିଲା। ବର୍ତ୍ତମାନ ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲାଗି ପଠାଯାଇଛି। ଖୁବ୍ ଶୀଘ୍ର ଏହା ଆଇନରେ ପରିଣତ ହେବ। ଏହି ଆଇନ ଯୋଗୁ ରୁଷିଆକୁ ଆର୍ଥିକ କ୍ଷତି ସହିବାକୁ ପଡିପାରେ। ୟୁକ୍ରେନ ବିରୋଧୀ ଯୁଦ୍ଧ ଜାରି ରହିଥିବାବେଳେ ଆମେରିକାର ଏହି ଆଇନ ରୁଷିଆ ଲାଗି ଅନେକ ସଙ୍କଟ ସୃଷ୍ଟି କରିବ।

ଚୀନ୍ ତିଆରି କଲା ବିଶ୍ୱର ସବୁଠୁ ଛୋଟ CT ସ୍କାନର!

ନନ୍ଦିଘୋଷ ବ୍ୟୁରୋ : ମେଡିକାଲ ଓ ବୈଜ୍ଞାନିକ ଇମେଜିଂ କ୍ଷେତ୍ରରେ ଚୀନ୍ ବୈଜ୍ଞାନିକମାନେ ଏକ ନୂଆ ଛୋଟ ଆକାରର CT ସ୍କାନର ବିକଶିତ କରିଥିବା ଦାବି କରିଛନ୍ତି। Xtomo-Cube ନାମକ ଏହି ଡିଭାଇସ୍ର ଓଜନ ପ୍ରାୟ ୬ କିଲୋଗ୍ରାମ ଏବଂ ଏହା ଏକ ଡେସ୍କଟପ୍ ସ୍ପିକର ଆକାରର ବୋଲି ସୂଚନା ମିଳିଛି। ଶାଣ୍ଡୋଙ୍ଗ ପ୍ରଦେଶର କମ୍ପାନୀ Rayim ଏହାକୁ ବିକଶିତ କରିଛି। କମ୍ପାନୀର ବରିଷ୍ଠ ଇଞ୍ଜିନିୟର ତଥା ଜେନେରାଲ ମ୍ୟାନେଜର ଲିଉ ବାଓଡୋଙ୍ଗଙ୍କ ଅନୁସାରେ, ଏହି CT ସ୍କାନରର ସ୍ଥାନିକ ରିଜୋଲ୍ୟୁସନ୍ ୮୦ ମାଇକ୍ରୋମିଟର ପର୍ଯ୍ୟନ୍ତ। ଏହା ଦ୍ୱାରା ଅତ୍ୟନ୍ତ ଛୋଟ ବସ୍ତୁର ଭିତର ଗଠନକୁ ଉଚ୍ଚ ବିବରଣୀରେ ଅଧ୍ୟୟନ କରାଯାଇପାରିବ।

Xtomo-Cube ମୁଖ୍ୟତଃ ଛୋଟ ବସ୍ତୁ ଓ ଗବେଷଣା ନମୁନାର ଆଭ୍ୟନ୍ତରୀଣ ଗଠନ ଅଧ୍ୟୟନ ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ଶାମୁକା ଖୋଳ, ଜୀବାଶ୍ମ, ହାଡ଼, ପ୍ରତ୍ନତାତ୍ତ୍ୱିକ ବସ୍ତୁ ଏବଂ ଔଷଧ କ୍ୟାପସୁଲ ଭଳି ଛୋଟ ନମୁନା ସ୍କାନ୍ କରାଯାଇପାରେ।ଏହି ପ୍ରକ୍ରିୟାରେ ବସ୍ତୁକୁ ନଷ୍ଟ ନକରି ତାହାର ଭିତର ଗଠନ ସମ୍ପର୍କରେ ତଥ୍ୟ ମିଳିପାରେ। ତେଣୁ ଗବେଷଣା, ଶିକ୍ଷା ଏବଂ ଛୋଟ ବୈଜ୍ଞାନିକ ନମୁନାର ପରୀକ୍ଷଣରେ ଏହା ବ୍ୟବହାର ହୋଇପାରିବ।

ଏହି ଡିଭାଇସ୍ର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାର ଆକାର ଓ ଓଜନ। ପ୍ରାୟ ୬ କେଜି ଓଜନ ହୋଇଥିବାରୁ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ। ଏହା ପ୍ରାୟ ୨୦୦ ୱାଟ୍ ଶକ୍ତିରେ ଚାଲିପାରୁଥିବାରୁ କ୍ଷେତ୍ରସ୍ତରୀୟ ଗବେଷଣା କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରିବା ସହଜ ହୋଇପାରେ। କମ୍ପାନୀର ଦାବି ଅନୁସାରେ, ଏହାର ଏକ୍ସ-ରେ ସୋର୍ସ, ଘୂର୍ଣ୍ଣନ ପ୍ଲାଟଫର୍ମ ଓ ଡିଟେକ୍ଟର ସମେତ ପ୍ରମୁଖ ଉପାଦାନ ଚୀନ୍ରେ ଡିଜାଇନ୍ ଓ ନିର୍ମାଣ କରାଯାଇଛି।

ତେବେ ଏହି ଡିଭାଇସ୍କୁ ମଣିଷଙ୍କ ମେଡିକାଲ CT ସ୍କାନ୍ ପାଇଁ ବ୍ୟବହାର କରାଯିବ ବୋଲି ଧରିନେବା ଠିକ୍ ହେବ ନାହିଁ। ଏହାର ମୁଖ୍ୟ ଡିଜାଇନ୍ ଛୋଟ ବସ୍ତୁ ଓ ଗବେଷଣା ନମୁନା ସ୍କାନ୍ କରିବା ଉଦ୍ଦେଶ୍ୟରେ। ମାନବଙ୍କ ଉପରେ କ୍ଲିନିକାଲ୍ ବ୍ୟବହାର ପାଇଁ ଅଲଗା ଭାବେ ପ୍ରମାଣୀକରଣ ଓ ନିୟାମକ ଅନୁମୋଦନ ଆବଶ୍ୟକ ହେବ।

ସାଧାରଣ ହସ୍ପିଟାଲ୍ CT ସ୍କାନର ବହୁତ ବଡ଼ ଓ ଭାରୀ ହୋଇଥାଏ। ସେଗୁଡ଼ିକ ମଣିଷଙ୍କ ଶରୀରର ଭିତର ଅଂଶର ତ୍ରିମାତ୍ରିକ ଚିତ୍ର ପାଇଁ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ Xtomo-Cube ଛୋଟ ବସ୍ତୁକୁ ନେଇ ଅଧିକ ସୂକ୍ଷ୍ମ ତଥ୍ୟ ପାଇବା ଉପରେ କେନ୍ଦ୍ରିତ। ଏହାର ଏକ୍ସ-ରେ ସୋର୍ସ, ଡିଟେକ୍ଟର ଓ ଘୂର୍ଣ୍ଣନ ବ୍ୟବସ୍ଥାକୁ ପ୍ରାୟ ୪ ଲିଟର ଜାଗା ମଧ୍ୟରେ ଫିଟ୍ କରିବା ଏହାର ବିକାଶ ସମୟରେ ଏକ ବଡ଼ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ଥିବା କୁହାଯାଇଛି।

କମ୍ପାକ୍ଟ ଆକାର ଓ କମ୍ ଶକ୍ତି ଆବଶ୍ୟକତା ଯୋଗୁଁ ଏହାକୁ ବିଶ୍ୱବିଦ୍ୟାଳୟ, ଶ୍ରେଣୀଗୃହ ଓ ଗବେଷଣାଗାରରେ ବ୍ୟବହାର କରାଯାଇପାରେ। ଏହାର ସେଟିଂସ୍ ଓ କଞ୍ଚା ଇମେଜିଂ ଡାଟା ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିବାରୁ CT ଇମେଜ୍ କିପରି ସଂଗ୍ରହ, ପୁନଃନିର୍ମାଣ ଓ ଉନ୍ନତ କରାଯାଏ, ସେନେଇ ପ୍ରାୟୋଗିକ ଅଧ୍ୟୟନର ସୁଯୋଗ ମିଳିପାରେ।

ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ସାଗର କବଚ-୨ ମହାସମରାଭ୍ୟାସ

ନନ୍ଦିଘୋଷ ବ୍ୟୁରୋ :  ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ଚନ୍ଦ୍ରଭାଗା ଉପକୂଳରେ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି ସାଗର କବଚ-୨ ମହାସମରାଭ୍ୟାସ। ସକାଳ ୬ଟାରୁ ପୁଣି ଆରମ୍ଭ ହୋଇଛି ଶତ୍ରୁ ନିପାତ ଅଭ୍ୟାସ। ଗତକାଲିଠାରୁ ଆରମ୍ଭ ହୋଇଥିଲା  ଦୁଇ ଦିନିଆ ମିଳିତ ସମରାଭ୍ୟାସ। ସମୁଦ୍ର ପଥ ଦେଇ ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବା ଲାଗି ଏହି ସମରାଭ୍ଯାସ ଉଦ୍ଦିଷ୍ଟ।  ୨୦୦୮ ମସିହା ମୁମ୍ବାଇ ୨୬/୧୧ ଆକ୍ରମଣ ପରେ ସାରା ଦେଶର ଉପକୂଳ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି। ଅସ୍ତରଙ୍ଗ ବ୍ଲକର ନୂଆଗଡ, କାଳିଆକଣ, ସହନ, ସୁଦିକେଶର, ଗୁଣ୍ଡଳବା ଭଳି ସମ୍ବେଦନଶୀଳ ଶହ କୋଣାର୍କ ଚନ୍ଦ୍ରଭାଗା, ସୂର୍ଯ୍ୟ ମନ୍ଦିର ଉପକୂଳରେ ଏହି ଅଭ୍ୟାସ ଚାଲିଛି। ..