ନନ୍ଦିଘୋଷ ବ୍ୟୁରୋ: ପୁଣି ଆସୁଛି ବଡ ବର୍ଷା । ଚଳିତ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଜୁଲାଇ ୩୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବର୍ଷା ଲାଗି ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖରେ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ୩୧ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଏଥିପାଇଁ ଉତ୍ତର-ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୧, ୨ ଏବଂ ୩ ତାରିଖରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଉତ୍ତର-ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବା ପରେ ହିରାକୁଦର ୨୦ଟି ଗେଟ ଖୋଲାଯାଇଛି । ତେବେ ଆଗକୁ ଛତିଶଗଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ମହାନଦୀରେ ଆହୁରି ଅଧିକ ଜଳ ପ୍ରବାହିତ ହୋଇପାରେ । ମହାନଦୀ ଫୁଲିବା ପରେ ଶାଖା ନଦୀ ଗୁଡିକ ବି ଫୁଲିବା ଆରମ୍ଭ କରିବ । ତେଣୁ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ଯଦି ଲଘୁଚାପର ରୂପ ନିଏ ତେବେ ବନ୍ୟା ସ୍ଥିତି ସଂଗୀନ ହୋଇପାରେ । ସେପଟେ ଲଗାଣ ବର୍ଷା ସମ୍ଭାବନା କୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ସବୁ ନଦୀ ବନ୍ଧର ଦୁର୍ବଳ ସ୍ଥାନ ଉପରେ ତୀକ୍ଷ୍ନ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ
ନନ୍ଦିଘୋଷ ବ୍ୟୁରୋ: ସୋମବାର ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ । ଦିନ କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଏଏସଆଇ ଅଧିକାରୀ ସାମିଲ ହେବାର ସୂଚନା ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନେଇ ବୈଠକରେ ଆଲୋଚନା କରାଯିବ । ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ ଏଏସଆଇ। ସେଥିପାଇଁ ପ୍ରାଥମିକ ଯାଞ୍ଚ ସରିଥିବା ବେଳେ ଏସଓପିରେ କିଛିଟା ସଂଶୋଧନ କରାଯାଇଛି। ମରାମତି ସମୟରେ ଯେମିତି ଶ୍ରୀଜୀଉଙ୍କ ରୀତିନୀତିରେ କିଛି ବାଧା ନ ଉପୁଜେ ତାକୁ ପ୍ରାଥମିକତା ଦିଆଯାଉଥିବା ଆଇନ ମନ୍ତ୍ରୀ କହିଛନ୍ତି ।ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କାମ ହୋଇ ସାରିଲା ପରେ ଭିତର ରତ୍ନଭଣ୍ଡାର ମରାମତି କାମ କରାଯିବ । ହେଲେ ଲେଜର ସ୍କାନିଂ ହେବ କି ନହେବ ସେନେଇ ନିଷ୍ପତ୍ତି ନିଆଯିବ ।
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ
ନନ୍ଦିଘୋଷ ବ୍ୟୁରୋ: ଆଜି ବିଧାନସଭା ଅଧିବେଶନର ଷଷ୍ଠ ଦିନ। ୨୦୨୪-୨୫ ଆର୍ଥିକ ବଜେଟ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ । ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଛନ୍ତି। ଏହା ଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିବେ । ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ନୂଆ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ l ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ । ଏହାକୁ ପ୍ରଥମେ ଗୃହରେ ପାଠ କରିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ଯମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇପାରନ୍ତି ବିରୋଧି l ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ସ୍ୱରାଷ୍ଟ୍ର,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଅର୍ଥ ଭଳି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ରହିଛି । ଯେହେତୁ ଗୋଟେ ଦୁଇଟି ବିଭାଗ ଛାଡିଦେଲେ ଅନ୍ୟ ମନ୍ତ୍ରାଳୟ ଗୁଡ଼ିକ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରହିଛି ତେଣୁ ଆଜି ଗୃହ କିପରି ଚାଲୁଛି ତାଉପରେ ସମସ୍ତଙ୍କ ନଜର ରହିଛି l
ମାଆ କୋଳରୁ ୭ ମାସର ପୁଅକୁ ଆଣି କୂଅରେ ପିଙ୍ଗିଦେଲା ଦୁର୍ବୃତ୍ତ
ନନ୍ଦିଘୋଷ ବ୍ୟୁରୋ: ମାଆ କୋଳରୁ ୭ ମାସର ପୁଅକୁ ଆଣି କୂଅରେ ପିଙ୍ଗିଦେଲା ଦୁର୍ବୃତ୍ତ । ଏଭଳି ଚାଞ୍ଚଲ୍ଯକର ଘଟଣା ଘଟିଛି ନରସିଂହପୁର ସୁବଳୟା ଗାଁରେ । ମାଆପୁଅ ଶୋଇଥିବାବେଳେ କେହି ପୁଅକୁ ଆଣି କୁଅରେ ଫୋପାଡ଼ି ଦେଇଥିଲା । ପରିବାର ଲୋକ ଦୀର୍ଘସମୟ ଧରି ଖୋଜିବା ପରେ କୂଅରୁ ଶିଶୁପୁତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ପିଲାଟିକୁ କୂଅରେ ଫୋପାଡ଼ିଲା ସେନେଇ କୌଣସି ସୂଚନା ମିଳିପାରିନି । ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ।
ଦରବୃଦ୍ଧି ସମସ୍ଯାରେ ଘାଣ୍ଟି ହେଉଛନ୍ତି ଲୋକ, ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ସରକାର
ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ମୀବସ, ଓମଫେଡ କ୍ଷୀର ପରେ ଏବେ ଟାର୍ଗେଟ ରାଜଧାନୀ ରାସ୍ତାକଡ଼ ପାଚେରୀ । ଧୀରେଧୀରେ ହଟୁଛି ସବୁଜ ଆଉ ହେଉଛି ଗେରୁଆ ରଙ୍ଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଜୋରସୋର ଚାଲିଛି ରଙ୍ଗ ପରିବର୍ତ୍ତନ ରାଜନୀତି । ଯାହାକୁ ନେଇ ଲୋକେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦରଦାମ ବୃଦ୍ଧି ନିୟନ୍ତ୍ରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସରକାର ଗୁରୁତ୍ୱ ନ ଦେଇ ରଙ୍ଗ ପରିବର୍ତ୍ତନରେ ମାତିଥିବାରୁ ସବୁ ମହଲରୁ ହୋଇଛି ସମାଲୋଚନା ।
ରାଜଧାନୀରେ ରଙ୍ଗ ପରିବର୍ତ୍ତନ ରାଜନୀତି। ଗେରୁଆ ହେଉଛି ଭୁବନେଶ୍ବର । ହଟୁଛି ସବୁଜ, ଲାଗୁଛି ଗେରୁଆ ରଙ୍ଗ । ଦରବୃଦ୍ଧି ସମସ୍ଯାରେ ଲୋକ ଘାଣ୍ଟି ହେଉଥିବାବେଳେ ରଙ୍ଗ ବଦଳାଇବାରେ ବ୍ଯସ୍ତ ରାଜ୍ଯ ବିଜେପି ସରକାର । ପ୍ରଥମେ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ରାଜନୀତି ଥମି ନଥିବାବେଳେ ଓମଫେଡ଼ କ୍ଷୀର ନୂଆ ଗେରୁଆ ରଙ୍ଗରେ ମାର୍କେଟକୁ ଆସିଲା । ଆଉ ଏବେ ରାଜଧାନୀର ରାସ୍ତାକଡ଼ ପାଚେରୀରୁ ସବୁଜ ରଙ୍ଗ ଉଠାଇ ଗେରୁଆ ରଙ୍ଗରେ ଦିଆଯାଉଛି ବିଜ୍ଞାପନ । ଲୋକଙ୍କ ସେବା ଓ ସଚେତନତା ପାଇଁ ଏହା ଲେଖାଯାଇଥିଲେ ମଧ୍ୟ ରଙ୍ଗ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ଲୋକେ ।
ଡବଲ ଇଞ୍ଜିନ ନାରା ଦେଇ ରାଜ୍ଯରେ ସରକାରକୁ ଆସିଲା ବିଜେପି । ବଜେଟ ଉପରେ ଥିଲା ରାଜ୍ଯବାସୀଙ୍କ ନଜର । ନୂଆ ଓ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବେ ବୋଲି ଆଶା ରଖିଥିଲେ ଜନତା । ହେଲେ ଯୋଜନାର ନାଁ ବଦଳାଇ ପୁରୁଣା ନଥିରେ ଗେରୁଆ ମଲାଟ ପକାଇଦେଲେ । ରାଜ୍ୟରେ ଦରଦାମ ବୃଦ୍ଧି ସମେତ ଅନ୍ଯାନ୍ଯ ପ୍ରସଙ୍ଗ ଭଳି ମୌଳିକ ସମସ୍ୟାର ସମାଧାନ ନ କରି ରଙ୍ଗ ଓ ନାଁ ପରିବର୍ତ୍ତନକୁ ସରକାର ଗୁରୁତ୍ୱ ଦେଉଥିବାରୁ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ନାପସନ୍ଦ କରାଯାଇଛି। ନୂଆ ସରକାରଙ୍କ ଉପରେ ଅନେକ କିଛି ଆଶା ରଖିଛନ୍ତି ରାଜ୍ଯବାସୀ । ତେଣୁ ଲୋକଙ୍କ ମୌଳିକ ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ନେଇ ରଙ୍ଗ ପରିବର୍ତ୍ତନ ରାଜନୀତିରୁ ବିରତ ରହିବାକୁ ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଇଛି।
ଗୋଟିଏ ବର୍ଷରେ ଓଡ଼ିଶା ଋଣ କରିବ ୪୩ ହଜାର ୪୯୫ କୋଟି
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ବର୍ଷରେ ରାଜ୍ୟର ଋଣ ପରିମାଣ ୪୩ ହଜାର ୪୯୫ କୋଟି ଯାହା ସର୍ବକାଳୀନ ରେକର୍ଡ଼ । ମୋହନ ସରକାରଙ୍କ ପ୍ରଥମ ବଜେଟ୍ରେ ଋଣ ପରିମାଣକୁ ଦେଖି ଏପରି ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏତେ ପରିମାଣର ଋଣ କୌଣସି ଶିକ୍ଷା କିମ୍ବା ସ୍ବାସ୍ଥ୍ୟ ପାଇଁ ନୁହେଁ । ଅଭିଯୋଗ ହୋଇଛି ବିଜେପି ସରକାର କେବଳ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସମ୍ବଳ ଯୋଗାଡ଼ କରିବାକୁ ଯାଉଛନ୍ତି । ଏବେଠୁ ଏତେ ପରିମାଣର ଋଣଭାର ବଢିଲେ ଓଡ଼ିଶା ପୁଣି ଥରେ ୨ ହଜାର ମସିହା ସ୍ଥିତିକୁ ଫେରିଯିବ ବୋଲି ଆଶଙ୍କା ଉପୁଜିଛି ।
ଆଖି ତରାଟିଲେଣି ବିଶେଷଜ୍ଞ । ଗୋଟିଏ ବର୍ଷରେ ଓଡ଼ିଶା ଋଣ କରିବ ୪୩ ହଜାର ୪୯୫ କୋଟି ଟଙ୍କା । ଯାହାକି ରାଜ୍ୟ ସରକାରଙ୍କ ଇତିହାସରେ ସର୍ବକାଳୀନ ରେକର୍ଡ଼ । ମୋହନ ସରକାରଙ୍କ ପ୍ରଥମ ବଜେଟ୍ରେ ଋଣ ପରିମାଣକୁ ନେଇ ପ୍ରଶ୍ନ ଉଠିଛି । ୨୦୧୪ରେ ଏନ୍ଡିଏ ସରକାର ଆସିବା ପୂର୍ବରୁ ଦେଶର ଋଣଭାର ୫୪ ଲକ୍ଷ କୋଟି ଥିଲା । ଏବେ ଭାରତ ସରକାରଙ୍କ ଋଣ ପରିମାଣ ବି ପ୍ରାୟ ୨୦୦ ଲକ୍ଷ କୋଟିରେ ପହଞ୍ଚିଲାଣି । ଋଣ କରିବା ପାପ ନୁହଁ । ଋଣ ଅର୍ଥ ଉତ୍ପାଦିକା ବୃଦ୍ଧିରେ ଲାଗିବା ଦରକାର । ବିଜେପି ସରକାରର ପ୍ରଥମ ବଜେଟ୍ରେ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ବିଶେଷ ବ୍ୟୟ ବରାଦ ହୋଇନି ।
କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଅନୁକରଣ କରି ରାଜ୍ୟମାନେ ବି ଋଣ ବୋଝ ବଢାଇ ଚାଲିଛନ୍ତି । ଏହା ଆଦୌ ଭଲ ଲକ୍ଷଣ ନୁହଁ । ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ତାମିଲନାଡ଼ୁ ସରକାର ୭ ଲକ୍ଷ ୫୩ ହଜାର ୮୬୦ କୋଟି ଋଣ କରିଥିବାବେଳେ ଉତ୍ତରପ୍ରଦେଶ ସରକାର ୭ ଲକ୍ଷ ୧୦ ହଜାର ୨୧୦ କୋଟି, ମହାରାଷ୍ଟ୍ର ସରକାର ୬ ଲକ୍ଷ ୮୦ ହଜାର ୩୫୭ କୋଟିର ଋଣ କରିଛନ୍ତି । ଓଡ଼ିଶା ଏ ଦୃଷ୍ଟିରୁ ଭଲ ସ୍ଥିତିରେ ଥିଲା । ପୂର୍ବ ସରକାର ସମୟରେ ରାଜ୍ୟର ଋଣଭାର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଥିଲା । ଏବେ ନୂଆ ସରକାର ଯେପରି ଋଣ ଉପରେ ନିର୍ଭରତା ବଢାଇଛନ୍ତି, ଆଶଙ୍କା ହେଉଛି ଏ ରାଜ୍ୟର ଆର୍ଥିକ ସ୍ଥିତି ପୁଣି ଥରେ ୨୪ ବର୍ଷ ତଳକୁ ଫେରିଯିବ ।
ପୂର୍ବ ସରକାରଙ୍କ ଅନ୍ତରୀଣ ବଜେଟ୍ ତୁଳନାରେ ଏଥରକ ବଜେଟ୍ରେ ପୁଞ୍ଜିଗତ ବ୍ୟୟ ବରାଦ କମିଛି । ପୂର୍ବ ବଜେଟ୍ରେ ଏ ବାବଦ ବ୍ୟୟ ବରାଦ ଥିଲା ୬୩ ହଜାର ୧୬୨ କୋଟି । ଏବେ ହୋଇଛି ୫୮ ହଜାର ୧୯୫ କୋଟି । ସେହିପରି ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତ ବଦଳରେ ୩.୫ ପ୍ରତିଶତ ଓ ରାଜସ୍ବ ବଳକା ୪ ପ୍ରତିଶତ ବଦଳରେ ଆକଳନ କରାଯାଇଛି ୨.୯୬ ପ୍ରତିଶତ । ପୁଞ୍ଜିଗତ ବ୍ୟୟ ବରାଦ ପାଇଁ ଋଣ କଲେ ଫାଇଦା ମିଳିବ । ଏଥରକ ବଜେଟ୍ରେ ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର ।
ବଜେଟ ଆକାର ବଢିବା ସହିତ ଋଣ ପରିମାଣ ବି ବଢୁଛି । ଖଣି ରାଜସ୍ବ ଦେବାରେ ଦେଶରେ ରେକର୍ଡ଼ କରିଛି ଓଡ଼ିଶା । ଡବଲ ଇଞ୍ଜିନ ସରକାରରେ ଡବଲ୍ ଫାଇଦା ମିଳିବ ଲୋକେ ଆଶା ରଖିଛନ୍ତି । ହେଲେ ବିଜେପି ସରକାରଙ୍କ ପ୍ରଥମ ବଜେଟ୍ର ଷ୍ଟ୍ରାଟେଜି ଦେଖି ଏବେ ବୁଦ୍ଧିଜୀବୀ ମହଲ ସନ୍ଦିହାନ ହୋଇଛନ୍ତି ।
ଢେଙ୍କାନାଳରେ ବୋମାମାଡ଼
ଢେଙ୍କାନାଳରେ ବୋମାମାଡ଼ । ଟାଉନଥାନା ଖମାର ସାହିରେ ସୁଶାନ୍ତ କୁମାର ସାହୁଙ୍କ ଘରକୁ ବୋମାମାଡ ହୋଇଛି । ଦୁଇ ଯୁବକ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡରେ ସୁଶାନ୍ତଙ୍କ ଘର ଗେଟ ଭାଙ୍ଗିଯାଇଛି । ବୋମାମାଡର କିଛି ସମୟ ପୂର୍ବରୁ ଦୁର୍ବୃତ୍ତମାନେ ସୁଶାନ୍ତଙ୍କୁ ଫୋନରେ ଧମକ ଦେଇଥିଲେ । କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି ।
ଓଡ଼ିଆ ସିନେ ଜଗତକୁ ଅବହେଳା, ବଜେଟ ନେଇ ନିରାଶ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଜ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିଜ ଆଗକୁ ବଢିବ । ଏଥିପାଇଁ ନୂଆ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସମସ୍ଯା ବିଷୟରେ ଜଣାଇଥିଲେ ପ୍ରଯୋଜକ, କଳାକାର । ବଜେଟରେ ଏନେଇ ବ୍ଯବସ୍ଥା ହେବ ବୋଲି ଆଶା ବି ରଖିଥିଲେ । ହେଲେ ମିଳିଲା ନିରାଶା । ପୂର୍ବ ସରକାର କଳିଙ୍ଗ ଷ୍ଟୁଡିଓ ପାଇଁ ଦେଇଥିଲେ ଦୁଇଶହ କୋଟି, ନୂଆ ବିଜେପି ସରକାର ଦେଲା ମାତ୍ର ୨୦ କୋଟି । ରାଜ୍ଯ ସରକାରଙ୍କ ସିନେ ଜଗତ ପ୍ରତି ଏହି ଅନୁକମ୍ପାକୁ ନେଇ ଦାନା ବାନ୍ଧିଛି ପୁଞ୍ଜିଭୂତ ଅସନ୍ତୋଷ ।
ଓଡ଼ିଆ ସିନେ ଜଗତକୁ ଅବହେଳା । ପ୍ରୋତ୍ସାହନ ନାଁରେ ମିଳିଲା ଲଲିପପ । ବଜେଟ ନେଇ ନିରାଶ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଜ । ଦାନା ବାନ୍ଧୁଛି ପୁଞ୍ଜିଭୂତ ଅସନ୍ତୋଷ । ଓଡ଼ିଆ ଅସ୍ମିତା କଥା କହି ରାଜ୍ଯରେ ଶାସନକୁ ଆସିଥିଲା ବିଜେପି ସରକାର । ଆଶାଥିଲା ଏହି ଅସ୍ମିତାର ବାର୍ତ୍ତାବର ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିଜର ହେବ ଉନ୍ନତି । ବଦଳିବ କଳାକାରଙ୍କ ଦୁର୍ଦ୍ଦିନର ଦିନ । ହେଲେ ଚଳିତ ବଜେଟରେ ସିନେମା ପାଇଁ କିଛି ମିଳିଲାନି । କେବଳ କଳିଙ୍ଗ ଷ୍ଟୁଡିଓ ପାଇଁ ଆସିଲା ୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ । ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ କରିବାକୁ ଯୋଜନା । ଯାହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅସନ୍ତୋଷ ପ୍ରକାଶ ପାଇଛି । ସିନେ ପ୍ରଯୋଜକ, ସିନେ ସମୀକ୍ଷକ ଓ ମିଡ଼ିଆ ପ୍ଲାନରଙ୍କ କହିବା କଥା, ସରକାର ବଜେଟ୍ ଆଣିଲେ ଅଥଚ ଓଡ଼ିଆ ସିନେମାର ଉନ୍ନତି ତଥା ଅନ୍ୟାନ୍ୟ ଦିଗକୁ ଦେଖିଲେ ନାହିଁ । ୮୮ ବର୍ଷ ଓଡ଼ିଆ ସିନେମା ଶିଳ୍ପରେ ଅନେକ ସମସ୍ୟା ରହିଛି । ଏଥିପାଇଁ ଅନେକ ସଂଘ, ଅନୁଷ୍ଠାନ ଓ ବ୍ୟକ୍ତି ନିଜ ନିଜ ସ୍ତରରେ ସରକାରଙ୍କ ସହ ଆଲୋଚନା କରିଥିଲେ । କିଛି ଫଳ ମିଳିଲା ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଓ ସମୀକ୍ଷକ ।
ଓଡ଼ିଆ ସିନେମା ଜଗତ ପାଇଁ ଏହା ଏକ ନୈରାଶ୍ୟ ଜନକ ବଜେଟ୍ ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ତେଣୁ ସରକାର ଭଲ ସିନେମା ନିର୍ମାଣ ପାଇଁ ୨୦ କୋଟି ସବସିଡି ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା । ପୂର୍ବ ସରକାର କଳିଙ୍ଗ ଷ୍ଟୁଡିଓ ପାଇଁ ଦୁଇଶହ କୋଟି ଦେଇଥିଲେ । ଏବେ ପୁଣି ୨୦ କୋଟି ଦେଇ ସରକାର କାହାର ଉନ୍ନତି କରିବାକୁ ଚେଷ୍ଟା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।ଓଡ଼ିଆ ଅସ୍ମିତାର କଥା କହି ଓଲିଉଡକୁ ଠକି ଥିବାରୁ ଆଗାମୀ ଦିନରେ ସମସ୍ଯାର ସମାଧାନ ନହେଲେ ସିନେ କଳାକାର ଓ ପ୍ରଯୋଜକ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।
ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ
ନନ୍ଦିଘୋଷ ବ୍ୟୁରୋ: ଉଦଘାଟନର ଦୁଇ ଦିନ ପରେ ମେଡ଼ିକାଲର ଆରଓ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଗତ ତିନି ବର୍ଷ ଧରି ଝୁଲୁଛି ତାଲା। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ଓ ଗରମ ପାଣି ଯୋଗାଇଦେବାର ମହତ ଉଦ୍ଦେଶ୍ଯ ରଖି ଆରଓ ପ୍ଲାଣ୍ଟ ନିର୍ମାଣ ହୋଇଥିଲା। ପାଣି ଅଭାବରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ନାନା ଅସୁବିଧାର ସାମ୍ନା କରୁଛନ୍ତି।
ଉଦଘାଟନର ଦୁଇ ଦିନ ପରେ ବନ୍ଦ ହେଲା ମେଡ଼ିକାଲର ଆରଓ ପ୍ଲାଣ୍ଟ । ଗତ ତିନି ବର୍ଷ ଧରି ଝୁଲୁଛି ତାଲା, ରୋଗୀ ଓ ସମ୍ପର୍କୀୟ ପାଣି ପାଇଁ ଭୋଗୁଛନ୍ତି ସମସ୍ଯା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ଓ ଗରମ ପାଣି ଯୋଗାଇଦେବାର ମହତ ଉଦ୍ଦେଷ୍ୟ ଲାଗିଥିଲା ଆରଓ ପ୍ଲାଣ୍ଟ। ରାଜ୍ୟସଭା ସାଂସଦ ମୁନ୍ନା ଖାଁ ନିଜ ସାଂସଦ ପାଣ୍ଠିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବସାଇଥିଲେ ଆରଓ ପ୍ଲାଣ୍ଟ। କିନ୍ତୁ ଦୀର୍ଘ ଦିନ ହେବ ଏହା ବନ୍ଦ ପଡିଥିବାରୁ ପାଣି ପିଇବାକୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସାମ୍ନା କରୁଛନ୍ତି । ଏଥିସହ ବାହାର ଦୋକାନରୁ ପାଣି କିଣି ପିଇବାକୁ ପଡୁଛି। ଯେଉଁଥିପାଇଁ ରୋଗୀଙ୍କ ମନରେ ତେଜୁଛି ଅସନ୍ତୋଷ। ତେବେ କେଉଁଥିପାଇଁ ତାଲା ପଡିଛି ତାର କୌଣସି ସ୍ପଷ୍ଟ କାରଣ ମିଳିପାରିନାହିଁ।
ଦୂଷିତ ପାଣି ପିଇ ପୁନର୍ବାର ରୋଗ ବୃଦ୍ଧି ସହ ଲୋକେ ବିଭିନ୍ନ ରୋଗରେ ପୀଡିତ ହେବାର ଆଶଙ୍କା ରହିଛି । କିନ୍ତୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ମେଡିକାଲ କତ୍ତୃପକ୍ଷଙ୍କ ନିଘା ନାହିଁ । ଗୁରୁତ୍ୱ ପୂର୍ଣ୍ଣ ICU ସାମ୍ନାରେ ଏହି ଆରଓ ପ୍ଲାଣ୍ଟ ରହିଥିଲେ ମଧ୍ୟ ସମସ୍ତଙ୍କ ଅଣଦେଖା ଏଥିପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଏହାକୁ ବନ୍ଦ କରାଯାଇଥିଲା । ଆଗାମୀ ସାତଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ସିଡିଏମଓ ।
ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ, ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ
ନନ୍ଦିଘୋଷ ବ୍ୟୁରୋ: ଦେବୀ ନଦୀକୂଳରୁ ଉଠୁଛି ଟନ ଟନ ବାଲି। ଲକ୍ଷ ଲକ୍ଷ ଟଙ୍କା ରାଜ୍ଵସ ଲୁଟ କରୁଛନ୍ତି ବାଲି ମାଫିଆ। ପୁରୀ କାକଟପୁରରୁ କିଛି ଦୂରରେ ଥିବା ବାଲିକୂଳ ନଦୀପଠାରେ ବାଲି ମାଫିଆଙ୍କ ରାଜ। ନିର୍ଦ୍ଧାରିତ ଲିଜ ଏରିଆକୁ ବାଦ ଦେଇ ମାଫିଆ ବାଲି ଉଠାଉଥିବା ଅଭିଯୋଗ। ନଦୀଗର୍ଭରେ ସୃଷ୍ଟି ହେଉଛି ବଡ଼ ବଡ଼ ଗାତ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ନଦୀ କୂଳିଆ ବାସିନ୍ଦା।
ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ । ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । କିଟ୍ ମିଟ୍ ଅନ୍ଧାରରେ ଚାଲିଛି କୋଟି କୋଟି ଟଙ୍କାର ଖେଳ। ରାତି ସହିତ ଯେମିତି ଶୋଇଯାଇଛି ପ୍ରଶାସନ। ଲୁଟ ହେଉଛି ହଜାର ହଜାର ଟ୍ରାକ୍ଟର ବାଲି। ଦେବୀ ନଦୀ କୂଳ କାକଟପୁର ଓ ଜଗତସିଂହପୁର ଜିଲ୍ଲା ସଂଲଗ୍ନ ଅଞ୍ଚଳ। ବାଲି ଚୋରା ଚାଲାଣର ଏ ଦୃଶ୍ଯ ଦେଖନ୍ତୁ। ନଦୀପଠାରେ ଲାଗିଛି ଏକାଧିକ ଟ୍ରକ ଓ ଟ୍ରାକ୍ଟର । ଏ ଚିତ୍ର ହିଁ ବୟାନ କରୁଛି କେତେ ବେଖାତିର ଓ ବେଫିକର ବାଲି ମାଫିଆ। ଯୁଆଡେ ଚାହିଁବେ କେବଳ ବଡ଼ ବଡ଼ ଗର୍ତ୍ତ। ସତେ ଯେମିତି ପୋଖରୀ ଖୋଳାଯାଇଛି। ଦିନ ହେଉ କି ରାତି ଜେସିବି ଟ୍ରାକ୍ଟର ଲଗାଇ ଲୁଟ କରୁଛନ୍ତି ବାଲି। ଏହାର ପ୍ରତିବାଦରେ ବାଲି ମାଫିଆ ମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ରାତି ହେଉକି ଦିନ ମାଫିଆ ରାଜ ସହ ଚାଲିଛି ବାଲି ଚୋରା ଚାଲାଣ। ଫଳରେ ଭଣ୍ଡିସାହି, ବାଲିକୂଳ, ମୁତୁଣିଆ, ଡାହାଣୀଖିଆ, ତାଳଦା ପର୍ଯ୍ୟନ୍ତ ଦେବୀ ନଦୀ ସଲଗ୍ନ ବାଲିବନ୍ତ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। ବାଲି ମାଫିଆଙ୍କ ରାଜ ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିବେ ବୋଲି କାକଟପୁର ବିଧାୟକ ତୁଷାରକାନ୍ତି ବେହରା କହିଛନ୍ତି। ସ୍ଥିତି ଅନୁଧ୍ୟାନ କଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କାକଟପୁର ତହସିଲଦାର।

