spot_img
Home Blog Page 1777

ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ, ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ

ନନ୍ଦିଘୋଷ ବ୍ୟୁରୋ: ଦେବୀ ନଦୀକୂଳରୁ ଉଠୁଛି ଟନ ଟନ ବାଲି। ଲକ୍ଷ ଲକ୍ଷ ଟଙ୍କା ରାଜ୍ଵସ ଲୁଟ କରୁଛନ୍ତି ବାଲି ମାଫିଆ। ପୁରୀ କାକଟପୁରରୁ କିଛି ଦୂରରେ ଥିବା ବାଲିକୂଳ ନଦୀପଠାରେ ବାଲି ମାଫିଆଙ୍କ ରାଜ। ନିର୍ଦ୍ଧାରିତ ଲିଜ ଏରିଆକୁ ବାଦ ଦେଇ ମାଫିଆ ବାଲି ଉଠାଉଥିବା ଅଭିଯୋଗ। ନଦୀଗର୍ଭରେ ସୃଷ୍ଟି ହେଉଛି ବଡ଼ ବଡ଼ ଗାତ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ନଦୀ କୂଳିଆ ବାସିନ୍ଦା।

ଦେବୀ ନଦୀକୂଳରେ ବାଲି ମାଫିଆଙ୍କ ରାଜ । ରାତି ହେଲେ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । କିଟ୍ ମିଟ୍ ଅନ୍ଧାରରେ ଚାଲିଛି କୋଟି କୋଟି ଟଙ୍କାର ଖେଳ। ରାତି ସହିତ ଯେମିତି ଶୋଇଯାଇଛି ପ୍ରଶାସନ। ଲୁଟ ହେଉଛି ହଜାର ହଜାର ଟ୍ରାକ୍ଟର ବାଲି। ଦେବୀ ନଦୀ କୂଳ କାକଟପୁର ଓ ଜଗତସିଂହପୁର ଜିଲ୍ଲା ସଂଲଗ୍ନ ଅଞ୍ଚଳ। ବାଲି ଚୋରା ଚାଲାଣର ଏ ଦୃଶ୍ଯ ଦେଖନ୍ତୁ। ନଦୀପଠାରେ ଲାଗିଛି ଏକାଧିକ ଟ୍ରକ ଓ ଟ୍ରାକ୍ଟର । ଏ ଚିତ୍ର ହିଁ ବୟାନ କରୁଛି କେତେ ବେଖାତିର ଓ ବେଫିକର ବାଲି ମାଫିଆ। ଯୁଆଡେ ଚାହିଁବେ କେବଳ ବଡ଼ ବଡ଼ ଗର୍ତ୍ତ। ସତେ ଯେମିତି ପୋଖରୀ ଖୋଳାଯାଇଛି। ଦିନ ହେଉ କି ରାତି ଜେସିବି ଟ୍ରାକ୍ଟର ଲଗାଇ ଲୁଟ କରୁଛନ୍ତି ବାଲି। ଏହାର ପ୍ରତିବାଦରେ ବାଲି ମାଫିଆ ମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ରାତି ହେଉକି ଦିନ ମାଫିଆ ରାଜ ସହ ଚାଲିଛି ବାଲି ଚୋରା ଚାଲାଣ। ଫଳରେ ଭଣ୍ଡିସାହି, ବାଲିକୂଳ, ମୁତୁଣିଆ, ଡାହାଣୀଖିଆ, ତାଳଦା ପର୍ଯ୍ୟନ୍ତ ଦେବୀ ନଦୀ ସଲଗ୍ନ ବାଲିବନ୍ତ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି। ବାଲି ମାଫିଆଙ୍କ ରାଜ ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିବେ ବୋଲି କାକଟପୁର ବିଧାୟକ ତୁଷାରକାନ୍ତି ବେହରା କହିଛନ୍ତି। ସ୍ଥିତି ଅନୁଧ୍ୟାନ କଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କାକଟପୁର ତହସିଲଦାର।

 

ଅନାଥ ଝିଅକୁ ସାହାଯ୍ୟ କରିବେ କହି ଭୁଲିଗଲେ ରାଜ୍ୟପାଳ!

ନନ୍ଦିଘୋଷ ବ୍ୟୁରୋ: ବାପ ମାଆ ଛେଉଣ୍ଡ ଅନାଥ ଝିଅକୁ ସାହାଯ୍ୟ କରିବେ କହି ଭୁଲିଗଲେ ରାଜ୍ୟପାଳ l ଦେବଗଡ ବାରକୋଟ ବଳମ ପଞ୍ଚାୟତ ନୂଆଗାଁର ପୂଜା କିଷନଙ୍କୁ ରାଜ୍ଯପାଳ ସହଯୋଗ କରିବାକୁ କହି ଭୁଲି ଯାଇଥିବା ଅଭିଯୋଗ ହୋଇଛି। ବାପା ମାଆଙ୍କୁ ହରାଇଛନ୍ତି ପୂଜା। ପରିବାରରେ କେହି ନଥିବା ବେଳେ ମୁଣ୍ଡରେ ଘାରିଛି ପାଠ ପଢା ଚିନ୍ତା।

ବାପ ମାଆ ଛେଉଣ୍ଡ ଅନାଥ ଝିଅକୁ ସାହାଯ୍ୟ କରିବେ କହି ଭୁଲିଗଲେ  ରାଜ୍ୟପାଳ l ଏଭଳି ଅଭିଯୋଗ ଆସିଛି ଦେବଗଡ ବାରକୋଟ ବଳମ ପଞ୍ଚାୟତ ନୂଆଗାଁରୁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୪ ତାରିଖ ଦିନ ମହାମହିମ ରାଜ୍ୟପାଳ ରଘୁବର ଦାସ ଦେବଗଡ଼ ଗସ୍ତ ସମୟରେ ନୂଆଗାଁର ୧୪ବର୍ଷୀୟା ପୂଜା କିଷନଙ୍କୁ ଭେଟିଥିଲେ। ବାପା ମାଆଙ୍କୁ ହରାଇ ପୂଜା ଆର୍ଥିକ ସମସ୍ଯା ଭୋଗୁଥିବା ଜାଣି ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ l ସେଠାରେ ଉପସ୍ଥିତ ଜିଲ୍ଲାପାଳ ମଧ୍ୟ ପୂଜାଙ୍କୁ ଶିଶୁ ସୁରକ୍ଷା ବିଭାଗ ମାଧ୍ୟମରେ ପାଠ ପଢା ସହ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବଡ ବଡ ଲୋକଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖୁଥିଲେ ପୂଜା। ହେଲେ ୪ମାସ ବିତିଗଲା ପରେ ମଧ୍ୟ ନା ରାଜ୍ୟପାଳଙ୍କ ଏକଲକ୍ଷ ଟଙ୍କା ସହାୟତା ମିଳିଲା ନା,ଜିଲ୍ଲାପାଳ ଦେଇଥିବା ପ୍ରତିଶୃତି ରଖିଲେ । ଏବେ କେଉଁଠୁ ବି ସହାୟତା ନମିଳିବାରୁ ନିରାଶ ହୋଇପଡିଛନ୍ତି ପୂଜା।

ଏବେ ଆସନ୍ତୁ ଦେଖିବା  ପୂଜାଙ୍କ ଦୁର୍ଭାଗ୍ୟ ।  ବାରକୋଟ ବ୍ଲକ ବଳମ ପଞ୍ଚାୟତ ନୂଆଗାଁର ଶିବ କିଷାନଙ୍କ ଝିଅ ପୂଜା। ୨୦୧୧ରେ ବାପାଙ୍କର ଦେହାନ୍ତ ହୋଇଗଲା। ଶିବଙ୍କ ପତ୍ନୀ ଯାମିନୀ କିଷାନ ମୁଲ ମଜୁରୀ କରି ଦୁଇ କନ୍ୟା ସନ୍ତାନ ଲିଜା ଓ ପୂଜାକୁ ଲାଳନ ପାଳନ କରୁଥିଲେ l ୨୦୨୩ରେ ଯାମିନୀ ମଧ୍ୟ ଆଖି ବୁଜିଥିଲେ l ବଡ ଭଉଣୀ ଲିଜାର ବିବାହ ସରିଛି। ସାନ ଝିଅ ପୂଜା ବାପା ମାଆଙ୍କୁ ହରାଇବା ପରେ ଘରେ ଏକୁଟିଆ ରହୁଛନ୍ତି। ଆଗକୁ କେମିତି ପଢା ଖର୍ଚ୍ଚ ବହନ କରିବେ ସେଇ ଚିନ୍ତା। ତେବେ ରାଜ୍ଯପାଳଙ୍କ ସହାୟତା ଲୋଭରେ ପୂଜା ଉଚ୍ଚ ଶିକ୍ଷା ପାଇବା ସ୍ବପ୍ନ ଦେଖିସାରିଥିବା ବେଳେ ଏବେ ସହାୟତା ନମିଳିବାରୁ କଣ କରିବେ ତାକ ନେଇ ଚିନ୍ତାରେ । ସେପଟେ ରାଜ୍ୟପାଳ ଓ ଜିଲ୍ଲାପାଳ ପ୍ରତିଶୃତି ଦେଇ ପୂଜାଙ୍କୁ ଭୁଲି ଦେଇଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

ମୋ ବସରେ ମାତିଛନ୍ତି ଛତିଶଗଡ଼ ମହିଳା ଲୁଟେରା

ନନ୍ଦିଘୋଷ ବ୍ୟୁରୋ: ମୋ ବସରେ ଯାଉଥିଲେ ସାବଧାନ । ମାତିଛନ୍ତି ଛତିଶଗଡ଼ ମହିଳା ଲୁଟେରା । ଏକାଠି ହୋଇ ଓଡ଼ିଶା ଆସୁଛନ୍ତି, ଜନଗହଳି ସ୍ଥାନ ଦେଖି ଯାତ୍ରୀଙ୍କୁ କରୁଛନ୍ତି ଟାର୍ଗେଟ୍ । ମୋ ବସରୁ ଲୁଟ ନେଇ ଗତକାଲି ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ୍ । ଜଣେ ଯୁବକ ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟ ନାବାର୍ଡ ସ୍ଥିତ ମୋ ବସ ଷ୍ଟାଣ୍ଡରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଥିବା ୨୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ସାଦା ପୋଷାକରେ ବସରେ ବୁଲି ୩ ଜଣ ମହିଳାଙ୍କୁ କାବୁ କରିଛି ପୋଲିସ୍ । ଗ୍ରୁପ ହୋଇ ଛତିଶଗଡ଼ରୁ ଭୁବନେଶ୍ୱର ଆସିବା ପରେ ଏମାନେ ବିଭିନ୍ନ ସ୍ଥାନରେ ରହିବା ସହ ଲୁଟ କରନ୍ତି ବୋଲି ଜଣାପଡ଼ିଛି । ବିଗତ କିଛିଦିନ ଧରି ମୋ ବସରେ ଲୁଟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଜନଗହଳିର ସୁବିଧା ନେଇ ଲୁଟପାଟ କରୁଥିଲେ ଲୁଟେରା । ପାର୍ବଣ ସମୟରେ ପ୍ରତ୍ଯେକ ଦିନ ଏଭଳି ଅଭିଯୋଗ ପାଇବା ପରେ ଆନ୍ତଃରାଜ୍ଯ ଲୁଟେରା ଗ୍ଯାଙ୍ଗକୁ କାବୁ କରିଥିଲା କମିଶନରେଟ ପୋଲିସ୍ । ଏବେ ପୁଣି ମହିଳାଗ୍ଯାଙ୍ଗ ରାଜଧାନୀରେ ରହିବା ସାଙ୍ଗକୁ ମୋ ବସରୁ ଲୁଟିବା ଘଟଣା ପୋଲିସ୍ ପାଇଁ ଚ୍ଯାଲେଞ୍ଜ ସାବ୍ଯସ୍ତ ହୋଇଛି । ସେପେଟେ ଜାତାୟାତ କରିବା ସମୟରେ ଅଧିକ ସଚେତନ ହେବାକୁ କହିଛନ୍ତି ଏସିପି ।

ରାସ୍ତାରେ ତଳି ରୋଇ ପ୍ରତିବାଦ କରିଛନ୍ତି ଶତାଧିକ ଲୋକ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଅଭିନବ ପ୍ରତିବାଦ । ରାସ୍ତାରେ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି ଶତାଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡ଼ା  ପଂଚାୟତ ମଙ୍ଗଳପୁର ଗାଁରେ । ଏହି ଗାଁରେ ବହୁ ଦିନ ଧରି ରାସ୍ତା ସମସ୍ଯା ଲାଗି ରହିଥିଲା । ପ୍ରଶାସନକୁ ଅନେକ ଥର ଗ୍ରାମବାସୀ ଜଣାଇଥିଲେ ମଧ୍ଯ ପ୍ରଶାସନ ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି ଗ୍ରାମବାସୀ ମାନେ ରାସ୍ତାରେ ଧାନ ତଳି ରୋଇ ରାସ୍ତା ପାଇଁ ପ୍ରତିବାଦ କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ ରାସ୍ତା ସମସ୍ୟାର ସମାଧାନ ନ କରନ୍ତି। ତେବେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ମଙ୍ଗଳପୁର ଗ୍ରାମବାସୀ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ସୋମବାରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ । ଏହାକୁ ପ୍ରଥମେ ଗୃହରେ ପାଠ କରିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ଯମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ। ନୀତି ଆୟୋଗ ବୈଠକରବ ମୁଖ୍ଯମନ୍ତ୍ରୀ ସ୍ବତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ। KBK, BRGF, ଆଦିବାସୀ ବିକାଶ ଯୋଜନା କାଟି ଦେଇଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ KBK ଉଠାଇ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଏହା ସହ ରତ୍ନ ଭଣ୍ଡାରକୁ ନେଇ ରାଜନୀତି ନ ହେଉ। ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ଭକ୍ତ। ତାଙ୍କ ନିଷ୍ପତ୍ତିକୁ ରାଜ୍ଯ ସରକାର ମାନନ୍ତୁ ବୋଲି କହିଛନ୍ତି ତାରା।.

ପ୍ୟାରିସ ଅଲିମ୍ପିକ୍ସରେ ଖୋଲିଲା ଭାରତର ଖାତା, ସୁଟିଂରୁ ଆସିଲା ପ୍ରଥମ ପଦକ

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଖୋଲିଲା ଭାରତର ଖାତା । ସୁଟିଂରୁ ଆସିଲା ପ୍ରଥମ ପଦକ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ଜିତିଛନ୍ତି ମହିଳା ସୁଟର ମନୁ ଭାକର । ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାତେଇଛନ୍ତି । ୨୨୧.୭ ପଏଣ୍ଟ ସ୍କୋର କରି ସଫଳତା ହାସଲ କରିଛନ୍ତି ମନୁ । ଏହି ବର୍ଗରେ ପଦକ ହାତେଇବାରେ ସେ ପ୍ରଥମ ଭାରତୀୟ ମହିଳା । ପ୍ରଥମ ସିରିଜର ୫ ସୁଟରେ ମନୁ ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ । ସମ୍ପୂର୍ଣ୍ଣ ରାଉଣ୍ଡରେ ୩ ନମ୍ବରରୁ ତଳକୁ ଖସିନଥିଲେ ମନୁ । ଗୋଟିଏ ସମୟରେ ସେ ଦୁଇ ନମ୍ବର ରାଙ୍କକୁ ମଧ୍ଯ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଶେଷ ରାଉଣ୍ଡରେ ଦକ୍ଷିଣ କୋରିଆର କିମ ଭଲ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଥିଲେ । ଆଉ ମନୁ ଭାକର ବ୍ରୋଞ୍ଜ ପଦରେ ସନ୍ତୁଷ୍ଟ ହୋଇଛନ୍ତି । କିମଙ୍କ ସ୍କୋର ୨୪୩.୨ ରହିଥିବାବେଳେ ମନୁ ୨୪୧.୩ ସ୍କୋର ହାସଲ କରିଥିଲେ ।  ମନୁଙ୍କ ଘର ହାଇଦ୍ରାବାଦରେ । ଟୋକିଓ ଅଲିମ୍ପିକ୍ସରେ ମନୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ଯ ଫାଇନାଲରେ ପ୍ରବେଶ କରିପାରିନଥିଲେ । ପୂର୍ବରୁ ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସୁମା ଶିରୁର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ପଦକ ଜିତି ପାରି ନଥିଲେ । ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଲାଭ କରିଛନ୍ତି ।

ବିରାଟଙ୍କ ଏହି ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ତଥା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସୂର୍ଯ୍ୟ କୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨୬ ବଲରୁ ୫୮ ରନର ପାଳି ଖେଳିଛନ୍ତି । ଭାରତ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଦଳ ଜିତିବା ସହ ସୂର୍ଯ୍ୟ ମଧ୍ୟ ରେକର୍ଡ କରିଛନ୍ତି । ତେବେ ଏହି ମ୍ୟାଚରେ ସେ ବିରାଟ କୋହଲି ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି । ବିରାଟ କୋହଲି ୧୬ଥର ଟି-୨୦ରେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ତେବେ ବିରାଟଙ୍କଠାରୁ ୫୬ଟି ମ୍ୟାଚ କମ ଖେଳି ମଧ୍ୟ ସୂର୍ଯ୍ୟକୁମାର ଏହି ରେକର୍ଡ ଅର୍ଜନ କରିଛନ୍ତି । ସୂର୍ଯ୍ୟ ୬୯ ଟି-୨୦ ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ବନିଛନ୍ତି । ସେପଟେ ଏହି ରେସରେ ଜିମ୍ବାଓ୍ବେର ସିକନ୍ଦର ରଜ୍ଜା ୯୧ଟି ମ୍ୟାଚରେ ୧୫ଥର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ସେପଟେ ଆଫଗାନିସ୍ତାନର ଖେଳାଳି ମହମ୍ମଦ ନବୀ ୧୪ଥର ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ବର୍ଷାରେ ଲାଗିବନି ବ୍ରେକ, ୩୧ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର: ବର୍ଷାରେ ଲାଗିବନି ବ୍ରେକ । ୩୧ ତାରିଖରେ ପୁଣି ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣିବଳୟ ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ। ୩୧ ରୁ ୨ ଯାଏଁ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାର ଆଶଙ୍କା କରି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ମୟୂରଭଂଜ, କେଉଁଝର, ସୁନ୍ଦରଗଡ଼ ଏବଂ ଯାଜପୁର। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ୩୧ ତାରିଖରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏବେ ରାଜ୍ୟରେ  ୮ ପ୍ରତିଶତ ବର୍ଷା ନିଅଣ୍ଟ ରହିଛି। ୧୧ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ବର୍ଷା ନିଅଣ୍ଟିଆ ରହିଥିବା ବେଳେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଯେଉଁ ବର୍ଷା ହେବ-ସେଥିରେ ତାହା ଭରଣ ହେବ ବୋଲି ଆଶା କରାଯାଉଛି।

ଓଡିଶାରେ ପ୍ରଥମ ଥର ଆୟୋଜିତ ହୋଇଛି ‘ମିସ୍ ୟୁନିଭର୍ସ ଓଡ଼ିଶା’

ନନ୍ଦିଘୋଷ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ‘ମିସ୍ ୟୁନିଭର୍ସ ଓଡ଼ିଶା’ ଆୟୋଜିତ ହୋଇଛି। ସୌନ୍ଦର୍ଯ୍ୟ ଜଗତରେ ଏବେ ବିଶ୍ବରେ ସ୍ଥାନିତ ହେବାର ସ୍ବପ୍ନ ନେଇ ଆଗେଇଛି ଓଡ଼ିଶା। ରାଜ୍ୟର ୧୬ ଜଣ ସୁନ୍ଦରୀ ଏହି ସୋତ୍ରରେ ସାମିଲ ହୋଇଛନ୍ତି। ଓଡିଶାରେ ପ୍ରଥମ ଥର ପାଇଁ ‘ମିସ୍ ୟୁନିଭର୍ସ ଓଡିଶା’, ମିସ୍ ୟୁନିଭର୍ସ ଇଣ୍ଡିଆ ପାଇଁ ଏହାର ପ୍ରଥମ ପ୍ରତିନିଧି ଚୟନ କରିବାକୁ ଯାଉଛି। ଓଡ଼ିଶାର ସୁଶ୍ରୀ ସଂଗୀତା ଏବଂ ତାଙ୍କ କମ୍ପାନୀ ଗୋଲଡେନ୍ କର୍ଡ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସେଲିବ୍ରେଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନୁଧ୍ୟାନ କରିଛନ୍ତି । ରାଜ୍ୟର ବଛା ବଛା ୧୦୦ଜଣ ସୁନ୍ଦରୀଙ୍କ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିଜର ପାରଦର୍ଶିତା ଦେଖାଇବା ପାଇଁ ୧୬ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇ ଆଗାମୀ ମିସ୍ ୟୁନିଭର୍ସ ଓଡିଶା ଚୟନ କରିବେ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୨ର ପ୍ରାଚୀ ନାଗପାଲ, ବହୁ ଜଣାଶୁଣା ଷ୍ଟାଇଲିଷ୍ଟ ତଥା ଇଭେଣ୍ଟ ନିର୍ଦ୍ଦେଶକ ସେରେନା ଖାଟ୍, ରାଜ୍ୟର ଜଣାଶୁଣା ଡିଜାଇନର୍ ସବ୍ୟସାଚୀ ଶତପଥୀ ଏବଂ ସେଲିବ୍ରେଟି ଫଟୋଗ୍ରାଫର ଆଶୁତୋଷ ସାହୁ ।

ପ୍ରତିଯୋଗୀମାନେ ତିନି ରାଉଣ୍ଡରେ ନିଜର ଟ୍ୟାଲେଣ୍ଟକୁ ପଦର୍ଶିତ କରି ଜଜମାନଙ୍କୁ ମୁଗ୍ଧ କରିଥିଲେ। ପରିଶେଷରେ ମିସ୍ ୟୁନିଭର୍ସ ଓଡିଶା ୨୦୨୪ର ବିଜେତା ହେଲେ ବାର୍ବି ମିଶ୍ର। ରନର୍ସ ଅଫ ହେଲେ ଜାନଭି ସୋନି ଓ ଦ୍ବୀତୀୟ ରନର୍ସ ଅଫ ହେଲେ ମୈତ୍ରୀ ମୋନାଲି ପ୍ରଧାନ।

ହସ୍ପିଟାଲର ଅବ୍ୟବସ୍ଥା ନେଇ ଭୁବନେଶ୍ବର ବିଏମସି ହସ୍ପିଟାଲ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ବର ବିଏମସି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ। ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସ୍ଥାନୀୟ ଲୋକେ। ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ଚାଲିଛି ହସ୍ପିଟାଲ। ହସ୍ପିଟାଲରେ ଆଉ ପୂର୍ବପରି ନାହାନ୍ତି ଡାକ୍ତର। ୪୧ ଡାକ୍ତରରୁ ଏବେ ୧୪ ଜଣ ଡାକ୍ତରକୁ ନେଇ ଚାଲିଛି ରୋଗୀ ସେବା। ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଖାଲି ପଡ଼ିଥିବା ଡାକ୍ତରଙ୍କ ପୋଷ୍ଟ ପୂରଣ, ଷ୍ଟାଫ ନିଯୁକ୍ତି, ବିଭିନ୍ନ ରୋଗ ଚିହ୍ନଟ ପାଇଁ ଅତ୍ୟାଧୁନିକ ମେସିନ ଯୋଗାଇ ଦେବା ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ।