spot_img
Home Blog Page 1775

ବାହାଘର କଥା, ଭୁଲ୍‌ ଥିଲେ କ୍ଷମା କରିଦେବେ, ହାତଯୋଡ଼ି ଏମିତି କହିଲେ ନୀତା ଅମ୍ବାନୀ

ମୁମ୍ବାଇ : ଏବେ ସବୁଠି ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ । ଅମ୍ବାନୀ ପରିବାର ଦ୍ୱାରା ବିବାହର ‘ଶୁଭ ଆଶୀର୍ବାଦ’ ଏବଂ ତା’ପରେ ୧୪ ଜୁଲାଇରେ ‘ମଙ୍ଗଳ ଉତ୍ସବ’ ବା ରିସେପ୍ସନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୋସିଆଲ ମିଡିଆ ସେନ୍ସସରମାନେ ଅଂଶଗ୍ରହଣ କରିଥିଲେ। ଏହା ସହିତ ସେଲିବ୍ରିଟିମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ, ଯେଉଁମାନେ ‘ଶୁଭ ବିବାହ’ କିମ୍ବା ‘ଶୁଭ ଆଶୀର୍ବାଦ’ରେ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ କରିବାକୁ ପହଞ୍ଚି ପାରିଲେ ନାହିଁ। ‘ମଙ୍ଗଳ ଉତ୍ସବ’ରୁ ନୀତା ଅମ୍ବାନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହାତ ଯୋଡ଼ି ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି, କହିଛନ୍ତି, ‘ଯଦି କିଛି ଭୁଲ୍‌ ଅଛି, ଦୟାକରି ମୋତେ କ୍ଷମା କରନ୍ତୁ। ଏହା ବାହାଘର କଥା। ନୀତାଙ୍କ ଏହି ଭିଡିଓ ସୋସିଆଲ ମିଡିଆ ୟୁଜରମାନଙ୍କର ହୃଦୟ ଜିତିଛି।

ଭିଡିଓରେ ନୀତା ଅମ୍ବାନୀ ହାତଯୋଡ଼ି କହିଛନ୍ତି, ‘ଆପଣମାନେ ସମସ୍ତେ ମୋର ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ଆସିଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ ଦେଉଛି। ଏହା ଏକ ବାହାଘର ଏବଂ ଆପଣମାନେ ଆମର ଉତ୍ସବର ଏକ ଅଂଶ ହେବା ଉଚିତ୍‌। ଆପଣମାନଙ୍କର ଧୈର୍ଯ୍ୟ ଏବଂ ବୁଝାମଣା ପାଇଁ ବହୁତ ଧନ୍ୟବାଦ। ଏଥିରେ ଯଦି କିଛି ଭୁଲ୍‌ ହୋଇଥାଏ ତେବେ ମୋତେ କ୍ଷମା କରିଦେବେ। ମୁଁ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ।

ଶେଷରେ ନୀତା କହିଛନ୍ତି, ‘ଆପଣ ସମସ୍ତେ ଜୁଲାଇ ୧୫ ପାଇଁ ନିମନ୍ତ୍ରଣ ପାଇଥିବେ। ନିଶ୍ଚିତ ଆସିବେ। ମୁଁ ଆପଣମାନଙ୍କ ପାଇଁ ଆପେକ୍ଷା କରିବି। ଆମେ ଆପଣଙ୍କ ପରିବାର ସହିତ ଆପଣଙ୍କ ଆଗମନକୁ ଅପେକ୍ଷା କରିବୁ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ପ୍ରକୃତ ସମୃଦ୍ଧତା’। ଅନ୍ୟ ଜଣେ ଲେଖିଛନ୍ତି, ‘ଅହଂକାରୀ ସେଲିବ୍ରିଟିମାନେ ଏହି ଭିଡିଓ ଦେଖିବା ଜରୁରୀ’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ଏହାକୁ ସଂସ୍କୃତି କୁହାଯାଏ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏହି କାରଣରୁ ସେ ଈଶ୍ବରଙ୍କ ପ୍ରିୟ ଏବଂ ସେ କଳ୍ପନା ବାହାରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ଦେଖନ୍ତୁ ସେ କେତେ ଭଦ୍ର, ମୋତେ ସର୍ବୋତ୍ତମ ଉପାୟରେ ଧନ୍ୟବାଦ ଦେଉଛନ୍ତି। ଯଦି କିଛି ଭୁଲ୍‌ ହୋଇଛି ତେବେ ସେ କ୍ଷମା ମାଗିଛନ୍ତି ଏବଂ ପରିବାର ସହ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ସେଥିପାଇଁ ଅମ୍ବାନୀ ଜଣେ ରତ୍ନ ଅଟନ୍ତି।

ନୀତା ତାଙ୍କ ପୁଅ ବିବାହ ରିସେପ୍ସନ ପାଇଁ ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ। ନୀତା ଅମ୍ବାନୀ ଭାରୀ ହୀରା ଅଳଙ୍କାର, କପାଳରେ ଗୋଲାପୀ ବିନ୍ଦି ତାଙ୍କର ଲୁକ୍କୁ ହାଇଲାଇଟ୍ କରୁଥିଲେ। ଏହା ସହ ସେ ମୁଣ୍ଡରେ ଗଜରା ଲଗାଇଥିଲେ। ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥିଲା।

୪୮ଘଣ୍ଟା ପରେ ଉଦ୍ଧାର ହେଲେ ମିଲ୍ ମାଲିକ୍ ଏ. ରମେଶ ପାତ୍ର

କୋରାପୁଟ : ଅପହୃତ ମିଲ ମାଲିକ ଏ ରମେଶ ପାତ୍ର ଉଦ୍ଧାର। ମଧ୍ୟ ରାତିରେ ଅପହୃତ ରମେଶ ପାତ୍ରଙ୍କୁ କୋରାପୁଟ ପୋଲିସ ଉଦ୍ଧାର କରିଥିବା ସୂଚନା। ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠାଇ ନେଇଥିଲେ ଅପହରଣକାରୀ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ଗାଁରୁ ଉଠାଇନେଇଥିଲେ । ପେରାହାଣ୍ଡି SLVN ମୋଡେନ ରାଇସ ମିଲର ମାଲିକ ଏ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ୨ ଦିନ ତଳେ ପେରାହାଣ୍ଡି ମିଲରୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର୍ କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ଟଙ୍କା ଡିମାଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ମଧ୍ୟରାତିରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି।

୪୮ ବର୍ଷ ତଳେ ନ୍ୟୁୟର୍କରେ ରଥ ତିଆରି ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍, ରଥଯାତ୍ରା ବେଳେ ବଞ୍ଚିଲା ଜୀବନ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ନିର୍ବାଚନର ଘମାଘୋଟ ଭିତରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଉପରେ ହୋଇଛି ଆକ୍ରମଣ । ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରମ୍ପ । ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ବେଳେ ଛାତ ଉପରେ ଥିବା ସ୍ନାଇପର ତାଙ୍କୁ ଟାର୍ଗେଟ୍ କରିଥିଲା । ଗୁଳି ଲକ୍ଷ୍ୟଭେଦ କରିବାର ୩ ସେକେଣ୍ଡ୍ ପୂର୍ବରୁ ଟ୍ରମ୍ପ ନିଜ ମୁଣ୍ଡକୁ ନୁଆଁଇ ଦେଇଥିଲେ । ଫଳରେ ଗୁଳି ତାଙ୍କ କାନକୁ ଘଷି ହୋଇ ଚାଲିଯାଇଥିଲା । ରଖେ ହରି ତ’ ମାରେ କିଏ ? ଏଭଳି କଥା ଟ୍ରମ୍ପଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏହାରି ଭିତରେ ଇସ୍କନର ଜଣେ ବରିଷ୍ଠ ସାଧୁଙ୍କ ଗୋଟିଏ ଟ୍ୱିଟ୍ ପୁରା ଦୁନିଆର ଧ୍ୟାନ ଆକର୍ଷଣ କରିଛି । ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି ବୋଲି ସାଧୁ ଟ୍ୱିଟ୍ କରିଛନ୍ତି ।

ଇସ୍କନ ଉପସଭାପତି ରାଧାରମଣ ଦାସ ଟ୍ୱିଟ୍ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ବଂଚିବା ଦୈବୀ ହସ୍ତକ୍ଷେପ ଥିଲା । ଜଗନ୍ନାଥଙ୍କ କୃପାରୁ ଟ୍ରମ୍ପଙ୍କ ଜୀବନ ରକ୍ଷା ହୋଇଛି । ୪୮ ବର୍ଷ ତଳେ ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା,ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ଏହି ସମୟରେ ଟ୍ରମ୍ପ୍ ଆଶାର କିରଣ ହୋଇ ଉଭା ହୋଇଥିଲେ ।

ଜଗା ରଥ ପାଇଁ ଜାଗା ଦେଇଥିଲେ ଟ୍ରମ୍ପ୍

ନ୍ୟୁୟର୍କର ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ । ଏହି ସମୟରେ ଜଣେ କେହି ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଟ୍ରମ୍ପଙ୍କ ବୟସ ସେତେବେଳେ ୩୦ ଥିଲା । ୩୦ ବର୍ଷର ଟ୍ରମ୍ପ ସେତେବେଳେ ଆମେରିକୀୟ ରିୟଲ ଇଷ୍ଟେଟ୍ ମାର୍କେଟର ଗୋଟିଏ ବଡ଼ ଚେହେରା ଭାବେ ଉଭା ହୋଇଥିଲେ ।

ରଥ ନିର୍ମାଣ ପାଇଁ ଖାଲି ସ୍ଥାନର ଆବଶ୍ୟକତା ଥିଲା । ସେହି ସମୟରେ ଟ୍ରମ୍ପ ପେନସିଲଭିନିଆର ଗୋଟିଏ ପୁରୁଣା ରେଲ୍ ୟାର୍ଡ୍ କିଣିଥିଲେ । ଇସ୍କନ ଆମେରିକାର ପ୍ରତିନିଧି ଭକ୍ତଦାସ କିଛି ସାଥିଙ୍କ ସହିତ ଟ୍ରମ୍ପଙ୍କୁ ଭେଟିବାକୁ ତାଙ୍କ ଅଫିସକୁ ଯାଇଥିଲେ । ସେମାନେ ସାଥିରେ ମହାପ୍ରସାଦ ଓ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ଅନୁରୋଧ ପତ୍ର ନେଇଯାଇଥିଲେ । ଟ୍ରମ୍ପଙ୍କ ସେକ୍ରେଟେରି ମହାପ୍ରସାଦ ଓ ପତ୍ର ଗ୍ରହଣ କରିଥିଲେ । କିନ୍ତୁ ଏହା ମଧ୍ୟ କହିଥିଲେ ଯେ,ଆଶା ରଖନ୍ତୁ ନାହିଁ । କାରଣ ଟ୍ରମ୍ଫ ଏଭଳି କିଛି କାମ ପାଇଁ ଜମି ଦେବାର ଆଶା ନାହିଁ । କିନ୍ତୁ ଚମତ୍କାର ହେବାକୁ ଯାଉଥିଲା ।

ଇସ୍କନ ମଧ୍ୟ ଆଶା ଛାଡ଼ି ଦେଇଥିଲା ଯେ, ଟ୍ରମ୍ପ ସେମାନଙ୍କୁ ରଥ ନିର୍ମାଣ ପାଇଁ ସ୍ଥାନ ଦେବେ । କିନ୍ତୁ ଘଟଣାର ତିନି ଦିନ ପରେ ଟ୍ରମ୍ପଙ୍କ ସେକ୍ରେଟେରିଙ୍କ ଫୋନ୍ ଆସିଥିଲା । ଫୋନରେ ସେ କହିଥିଲେ ଯେ, ମୁଁ ଜାଣିନି କ’ଣ ହେଲା କିନ୍ତୁ ଟ୍ରମ୍ପ୍ ମହାପ୍ରସାଦ ଖାଇବା ପରେ ରଥ ନିର୍ମାଣ ପାଇଁ ସ୍ଥାନ ଦେବାକୁ ରାଜି ହୋଇଥିଲେ । ତାଙ୍କ ଦସ୍ତଖତ ଥିବା ଅନୁମତି ପତ୍ର ଅଫିସ ଆସି ନେଇଯାଆନ୍ତୁ ବୋଲି ସେକ୍ରେଟେରି ଇସ୍କନ କର୍ତ୍ତୁପକ୍ଷଙ୍କୁ କହିଥିଲେ ।

ମୁଁ ଜାଣିନି ମୁଁ କାହିଁକି ଦସ୍ତଖତ କରୁଛି

ଏବେ ରାଧା ରମଣ ଦାସ ଲେଖିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ନବ ଦିନାତ୍ମକ ରଥଯାତ୍ରା ଚାଲୁଥିବା ବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଓ ତାଙ୍କର ବଂଚିଯିବା କିଛି ଦୈବୀ ଚମତ୍କାରଠାରୁ କମ୍ ନୁହେଁ । ୧୯୭୬ରେ କେବଳ ଟ୍ରମ୍ପଙ୍କ ମନ ବଦଳି ନଥିଲା । ନ୍ୟୁୟର୍କ ପୋଲିସର ବି ମନ ବଦଳିଥିଲା । ୧୯୬୨ ମସିହାଠାରୁ ନ୍ୟୁୟର୍କର ଫିଫ୍ଥ ଆଭେନ୍ୟୁରେ କୌଣସି ପ୍ୟାରେଡକୁ ଅନୁମତି ମିଳୁନଥିଲା । ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏମିତିରେ ରଥ ନିର୍ମାଣ ହେଲେ ମଧ୍ୟ ରଥ କେମିତି ଚାଲିବ ତାକୁ ନେଇ ଦ୍ୱନ୍ଦ୍ୱ ଥିଲା । ଏଭଳି ପରିସ୍ଥିତିରେ ଇସ୍କନ ପ୍ରତିନିଧି ମଣ୍ଡଳି ନ୍ୟୁୟର୍କ ପୋଲିସ ମୁଖ୍ୟଙ୍କୁ ଭେଟିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ଅନୁମତି ଦେଇଥିଲେ ଓ ଅନୁମତି ପତ୍ରରେ ଦସ୍ତଖତ କରିବା ବେଳେ କହିଥିଲେ ‘ମୁଁ କାହିଁକି ଏଥିରେ ଦସ୍ତଖତ କରୁଛି,ମୁଁ ନିଜେ ଜାଣିନି’ ।

ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ ହତ୍ୟା : ଯୁବକର ଛୁରା ମାଡ଼ରେ ପ୍ରେମୀଯୁଗଳଙ୍କର ମୃତ୍ଯୁ

ସୁନ୍ଦରଗଡ଼ :  ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା କାଶୀପଡାରେ ହୋଇଛି ଡବଲ ମର୍ଡର । ଯୁବକର ଛୁରା ମାଡ଼ରେ ପ୍ରେମୀଯୁଗଳଙ୍କର ମୃତ୍ଯୁ ହୋଇଛି । ମୃତକ ରାଜଗାଙ୍ଗପୁର ରୁମାବାହାଲ ଗାଁର ପ୍ରତାପ ଲାକ୍ରା ଓ କାଶୀପଡା ଗାଁର ଲିପ୍ସା କେର୍କେଟା । ଅଭିଯୋଗ ଅନୁସାରେ ପ୍ରତାପ ଓ ଲିପ୍ସାଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଲିପ୍ସାଙ୍କୁ ସେହି ଗାଁର ରାଜୁ ନାଗ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଗତକାଲି ରାତିରେ ପ୍ରତାପ ଲିପ୍ସାଙ୍କ ଘରେଥିବା ସମୟରେ ଅଭିଯୁକ୍ତ ରାଜୁ ଘରେ ପଶି ଆକ୍ରମଣ କରିଥିଲା । ଛୁରିରେ ଉଭୟ ପ୍ରତାପ ଓ ଲିପ୍ସାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ଯୁ ହୋଇଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।

ଅଣସେବାୟତ ରଥରେ ଚଢ଼ିବା ଘଟଣା ; ୨ଜଣଙ୍କ ନାଁରେ ଏତଲା

ପୁରୀ : ସେବାୟତ ବେଶରେ ଅଣସେବାୟତ ରଥରେ ଚଢ଼ିବା ଘଟଣା । ୨ଜଣଙ୍କ ନାଁରେ ଦିଆଗଲା ଏତଲା । ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଉଭୟ ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ଅଣସେବାୟତ ଚଢ଼ିବା ଅଭିଯୋଗ ହୋଇଥିଲା । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଚଢ଼ିଥିବା ଦେଖାଦେଇଥିଲା । ଏହାଛଡ଼ା ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡ଼ି ଚଢିଥିବା ଜଣାପଡ଼ିଥିଲେ । ଏନେଇ ତଥ୍ଯ ପ୍ରମାଣ ସହିତ ନନ୍ଦିଘୋଷ ଟିଭିରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଉଭୟ ପ୍ରସନ୍ନ ବେଉରା ଓ ଅନିଲ ବରଖେଡ଼ିଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା ଦେଇଛି ।

ବାରିପଦାରେ ଘରୋଇ ହସପିଟାଲରେ ନିଆଁ, ଜଳିଲା ଆଇସିୟୁ ଡ୍ଯୁଟି ରୁମ

ବାରିପଦା : ବାରିପଦାରେ ଘରୋଇ ହସପିଟାଲରେ ନିଆଁ । ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ଡାକ୍ତରଖାନାର ଦ୍ବିତୀୟ ମହଲାର ଆଇସିୟୁ ଡ୍ଯୁଟି ରୁମରେ ନିଆଁ ଲାଗିଥିଲା । ଭୋର ସମୟରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ନିଆଁ ଲାଗିଲା ସେନେଇ ଅଗ୍ନିଶମ ବାହିନୀ ତଦନ୍ତ ଆରମ୍ଭ କରିଛି ।

ଋଣ ବୋଝ ନେଇଗଲା ତିନି ତିନିଟି ନିରୀହ ଜୀବନ

ନୀଳଗିରି : ଋଣ ବୋଝ ନେଇଗଲା ତିନି ତିନିଟି ନିରୀହ ଜୀବନ । ଦୁଇ ଦିନରେ ଆଗପଛ ହୋଇ ଜୀବନ ହାରିଲେ ପୁଅ,ବୋହୂ ଓ ବୁଢାବାପା । ପୂରା ପରିବାରକୁ ହରାଇ ଅସହାୟ ହୋଇପଡ଼ିଛନ୍ତି ନାବାଳକ ଭାଇଭଉଣୀ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଥାନା କେ. ପି. ଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗାଁରେ । ମୃତକମାନେ ହେଲେ ୪୫ ବର୍ଷୀୟ ପୁଅ ସ୍ୱରୂପାନନ୍ଦ ଦେବଗୋସ୍ୱାମୀ ଏବଂ ୪୦ ବର୍ଷୀୟା ବୋହୂ ସୁଶ୍ରୀ ସଂଗୀତା ଦେବଗୋସ୍ୱାମୀ ଓ ଜୟକୃଷ୍ଣ ନନ୍ଦ ଦେବଗୋସ୍ୱାମୀ ।

ଅଭିଯୋଗ ଅନୁସାରେ ସ୍ୱରୂପାନନ୍ଦ ଓ ସୁଶ୍ରୀ ସଂଗୀତା ବେସରକାରୀ ସଂସ୍ଥାରୁ ଋଣ ଆଣି ହଲର୍ ଓ ମୁଢ଼ି ଭଜା ମେସିନ ପକାଇ ଗୁଜୁରାଣ ମେଣ୍ଟାଉ ଥିଲେ । ମାତ୍ର ବ୍ଯବସାୟରେ ପ୍ରବଳ କ୍ଷତି ହୋଇଥିଲା । ଫଳରେ ସେମାନେ ଋଣ ସୁଝି ପାରିନଥିଲେ । ଋଣ ପ୍ରଦାନକାରୀ ସଂସ୍ଥା ଋଣ ପରିଶୋଧ ପାଇଁ ବାରମ୍ବାର ଜୁଲମ କରୁଥିଲା । ଶେଷରେ ଲୋକଲଜ୍ୟାକୁ ଡରି ଗତ ବୁଧବାର ରାତିରେ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାପା ଜୟକୃଷ୍ଣ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ କଟକ ଏସସିବି ଓ ପରେ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ଯୁ ହୋଇଥିଲା । ପୁଅ- ବୋହୂଙ୍କ ମୃତ୍ଯୁ ପରେ ଗତକାଲି ସକାଳେ ବାପା ଜୟକୃଷ୍ଣଙ୍କର ମଧ୍ଯ ମୃତ୍ଯୁ ହୋଇଛି ।

ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ସ୍ବରୂପାନନ୍ଦଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୁଅ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଝିଅଟି ଷଷ୍ଠ ଶ୍ରେଣୀରେ ପାଠ ପଢୁଛି । ପୂରା ପରିବାରକୁ ହରାଇବା ପରେ ଏବେ ସେମାନେ ବେସାହାରା ପାଲଟିଯାଇଛନ୍ତି ।

ସରିଲା ଜନ୍ମବେଦୀରେ ଲୀଳାଖେଳା, ଆଜି ବାହୁଡ଼ିଯିବେ ମହାପ୍ରଭୁ

ପୁରୀ : ସରିଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଲୀଳାଖେଳା । ଭାଇ ଭଉଣୀଙ୍କ ସାଙ୍ଗରେ ନେଇ ନବଦିନାତ୍ମକ ରଥଯାତ୍ରାରେ ଆସିଥିଲେ କାଳିଆ ସାଆନ୍ତ । ନାକଚଣା ଦ୍ବାରରେ ଅପେକ୍ଷାରେ ୩ରଥ । ଆଜି ଶ୍ରୀମନ୍ଦିର ଅଭିମୁଖେ ଫେରିବେ ନୀଳାଦ୍ରିନାଥ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି । ୭ଟାରୁ ୧୧ଟା ୩୦ରେ ଲାଗି ହେବ ସେନାପଟା । ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ହେବ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ଯରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା ହେବାର କାର୍ଯ୍ଯକ୍ରମ ହୋଇଛି । ୩ଟା ରୁ ୪ଟା ମଧ୍ଯରେ ଚାରମାଳ ଫିଟା ହୋଇ ଆରମ୍ଭ ହେବ ରଥଟଣା ।

ଜିମ୍ବାଓ୍ବେକୁ ୪୨ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ : ହାରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯାଇଥିବା ପଞ୍ଚମ ଟି-୨୦ରେ ଜିମ୍ବାଓ୍ବେକୁ ୪୨ ରନରେ ପରାସ୍ତ କରିଛି ଭାରତ । ଏହାସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ ରେ ଜିତି ନେଇଛି ଟିମ ଇଣ୍ଡିଆ । ଆଜି ଜିମ୍ବାୱେ ଟସ ଜିତ ଭାରତକୁ ବ୍ଯାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମ ବ୍ଯାଟିଂ କରି ୬ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା ଭାରତ । ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନ କରିଥିଲେ ।

ଯଶସ୍ବୀ ଜୟସ୍ବାଲ ୧୨ ରନ ଓ ଶୁଭମନ ଗିଲ ୧୩ ରନ କରି ଆଉଟ ହୋଇଥିଲେ । ରିୟାନ ପରାଗ୍ ୨୨ ରନ ଓ ଶିବମ ଦୁବେ ୨୬ ଓ ରିଙ୍କୁ ସିଂ ୧୧ ରନ କରିଥିଲେ । ତେବେ ୧୬୮ ରନର ଲକ୍ଷ୍ୟର ପିଛା କରିବାକୁ ଯାଇ ଜିମ୍ବାଓ୍ବେ ୧୮ ଓଭର ୩ଟି ବଲରେ ସମସ୍ତ ୱିକେଟ ହରାଇ ୧୨୫ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଡାୟନ ମାୟର୍ସ ୩୪ ରନ କରିଥିବାବେଳେ ଟାଡିଓ୍ବାନସେ ମାରୁମାନି ଓ ଫରାଜ ଆକ୍ରାମ ୨୭ ରନ ଲେଖାଏଁ କରିଥିଲେ ।

ପେଟ୍ରୋଲ ପମ୍ପ ଲୁଟ ଘଟଣାରେ ୬ ଅଭିଯୁକ୍ତ ଗିରଫ

କେନ୍ଦୁଝର : ପେଟ୍ରୋଲ ପମ୍ପରୁ ଅଢେଇ ଲକ୍ଷ ଲୁଟ ଘଟଣାରେ ୬ଜଣ ଲୁଟେରାଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ । ଗତ ୩ ତାରିଖ ରାତି ସାଢେ ୨ଟାରେ ଚମ୍ପୁଆସ୍ଥିତ ଲାଗୁରି ପେଟ୍ରୋଲ ପମ୍ପରେ ୩ଜଣ କର୍ମଚାରୀ କାମ କରୁଥିଲେ । ବିଳମ୍ବିତ ରାତିର ସୁଯୋଗ ନେଇ ଆଠ ଜଣ ଦୁର୍ବୃତ୍ତ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଘର ଭିତରେ ସେମାନଙ୍କୁ ବନ୍ଦ କରିଦେଇଥିଲେ । ଏହାସହ ପେଟ୍ରୋଲ ପମ୍ପର କ୍ୟାସ କାଉଣ୍ଟରରୁ ଅଢେଇ ଲକ୍ଷ ଟଙ୍କା ସହ ସିସିଟିଭିର ହାର୍ଡ ଡିସ୍କ ଓ କର୍ମଚାରୀଙ୍କ ମୋବାଇଲ ନେଇ ଫେରାର ହୋଇ ଯାଇଥିଲେ । ଏନେଇ ଥାନାରେ ଏତଲା ହେବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ପୋଲିସ । ଆଜି ୬ଜଣଙ୍କୁ ଧରିବାରେ ସଫଳ ହୋଇଛି ଚମ୍ପୁଆ ପୋଲି । ସେମାନଙ୍କ ଠାରୁ ନଗଦ ୫୦ହଜାର ଟଙ୍କା ୭ଟି ମୋବାଇଲ,୩ଟି ବାଇକ୍ ଓ ଗୋଟିଏ ବସ୍ ଜବତ କରିଥିବା ଚମ୍ପୁଆ ଏସଡିପିଓ କହିଛନ୍ତି ।