spot_img
Home Blog Page 1763

ଅଧାରେ ଅଟକିଛି ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ କାମ

ଜଗତସିଂହପୁର: ଅଧାରୁ ଅଟକି ଯାଇଛି ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ । ଯାହାକୁ ନେଇ ସେବାୟତ, ମନ୍ଦିର ପ୍ରଶାସନ ଓ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବାକୁ ଲାଗିଛି । ଶାରଳା ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଜୁଲାଇ ମାସରେ ଶେଷ ହେବାର ଥିଲା । ଚନ୍ଦନ ପୋଖରୀଠାରୁ ଆରମ୍ଭ କରି ଶୌଚାଳୟ, ଯାନବାହନ ରହଣୀ ସ୍ଥଳ, ରୋଷଘର, ଭୋଗ ଦୋକାନ ଆଦିର କାମ ଚାଲିଥିଲା । ନିର୍ବାଚନ ପରେ କାମ ଧିମେଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି ।

୨୦୨୨ ଏପ୍ରିଲ ୨୬ ତାରିଖରେ ବିଭାଗୀୟ ଅଧିକାରୀଙ୍କ ଗସ୍ତ ପରେ ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚନ୍ଦନ ପୋଖରୀରୁ ଆରମ୍ଭ କରି ଶୌଚାଳୟ, ଯାନବାହନ ରହଣୀ ସ୍ଥଳ, ରୋଷଘର, ଭୋଗ ଦୋକାନ, ଯାତ୍ରୀ ନିବାସ ସହ ଚତୁପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା । ଏବେ କାମ ଅଧାରେ ଅଟିକି ଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଶାରଳା ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଜୁଲାଇ ମାସରେ ଶେଷ ହେବାର ଥିଲା । କିନ୍ତୁ କାମ ଅଧାରେ ଅଟକି ଯାଇଛି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଭକ୍ତ, ସେବାୟତ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଶାରଳା ମନ୍ଦିରର ଚତୁପାର୍ଶ୍ବ ସୌନ୍ଦର୍ଯ୍ଯକରଣ ହେଲେ ଭକ୍ତ ସୁରୁଖୁରରେ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ମୋବାଇଲ ହ୍ୟାକ କରି ୫ ଲକ୍ଷରୁ ଊର୍ଦ୍ଧ୍ବ ଲୁଟି ନେଲେ ସାଇବର ଠକ

ଅନୁଗୁଳ: ପୁଣି ସାଇବର ଠକଙ୍କ ଆତଙ୍କ । ମୋବାଇଲ ହ୍ଯାକ କରି ଲୁଟି ନେଲେ ୫ ଲକ୍ଷ ୨୭ ହଜାର ୩୯୭ ଟଙ୍କା । ଅନୁଗୁଳ ଗାନ୍ଧୀମାର୍ଗ ସ୍ଥିତ ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ହୋଇଛନ୍ତି ଠକାମୀର ଶିକାର । ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ ଲକ୍ଷ ୨୭ ହଜାର ଟଙ୍କା ଥିଲା । ଆଜି ତାଙ୍କ ଆକାଉଣ୍ଟରୁ ଏକାଧିକ ଥରରେ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା କଟିଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଚଣ୍ଡିକା ଅଜଣା ଫୋନ କଲ ମାଧ୍ୟମରେ ତଥ୍ୟ ଦେଇ ନଥିବା କିମ୍ବା OTP ସେୟାର କରି ନଥିବା କହିଛନ୍ତି ।

ହ୍ଯାକର ମୋବାଇଲ ହ୍ଯାକ କରି ଟଙ୍କା ଲୁଟିଥିବା ନେଇ ସେ ସନ୍ଦେହ କରିଛନ୍ତି । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଘଟଣାର ତଦନ୍ତ କରୁଛି ପୋଲିସ । ସେପଟେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ଅଲିମ୍ପିକ୍ସ ହକି: ବେଲଜିୟମଠାରୁ ୨-୧ ଗୋଲରେ ହାରିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକରେ ବେଲଜିୟମ ବିପକ୍ଷରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତକୁ ୨-୧ ଗୋଲରେ ହରାଇଛି ବେଲଜିୟମ । ମ୍ୟାଚର ପ୍ରଥମ ଭାଗରେ ଭାରତ ୧-୦ରେ ଅଗ୍ରଣୀ ଥିବାବେଳେ ଦ୍ବିତୀୟ ଭାଗରେ ଖେଳ ଓଲଟିଯାଇଥିଲା । ଦୁଇଟି ଗୋଲ କରି ବେଲଜିୟମ ଭାରତଠାରୁ ବିଜୟ ଛଡାଇ ନେଇଛି । ପ୍ୟାରିସ ଅଲିମ୍ପିକରେ ଏହା ଭାରତର ପ୍ରଥମ ପରାଜୟ ହେଇଥିବାବେଳେ ବେଳଲଜିୟମ ଟୁର୍ଣ୍ଣାମେଣ୍ଟରେ ଅପରାଜିତି ରହିଛି । ଏହାସହିତ ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ପରାସ୍ତ କରି ବିଜୟୀ ହେଇଛି ।

ଭାରତ, ବେଲଜିୟମ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକର ଗ୍ରୁପ ବି ରେ ଅଛନ୍ତି । ବେଲଜିୟମ ୪ଟି ମ୍ୟାଚରେ ବିଜୟୀ ହେଇ ୧୨ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୩ଟି ମ୍ୟାଚରେ ବିଜୟୀ ହେଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ଭାରତ ୭ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ଏହାପୂର୍ବରୁ ଭାରତ ଦ୍ବିତୀୟ ସ୍ଥାନରେ ଥିବାବେଳେ ବେଲଜିୟମଠାରୁ ପରାସ୍ତ ହୋଇ ତୃତୀୟ ସ୍ଥାନକୁ ଖସିଆସିଛି । ବର୍ତ୍ତମାନ ଦେଖିବାକୁ ଗଲେ ଭାରତ ୨ଟି ମ୍ୟାଚରେ ବିଜୟୀ ହେବା ସହିତ ଗୋଟିଏ ମ୍ୟାଚରେ ଡ୍ର ଏବଂ ଅନ୍ୟ ଏକ ମ୍ୟାଚରେ ପରାଜିତ ହେଇଛି । ଏହିପରି ଭାବରେ ଆର୍ଜେଣ୍ଟିନା ଚତୁର୍ଥ ସ୍ଥାନରେ, ନ୍ୟୁଜିଲ୍ୟାଣ୍ଡ ପଞ୍ଚମ ସ୍ଥାନରେ ଏବଂ ଆର୍ୟଲ୍ୟାଣ୍ଡ ଷଷ୍ଠ ସ୍ଥାନରେ ଅଛନ୍ତି । ଭାରତର ପରବର୍ତ୍ତୀ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଥିବାବେଳେ ମ୍ୟାଚଟି ଶୁକ୍ରବାର ଖେଳାଯିବ ।

ଗୁରୁବାର ଭାରତ ବେଲଜିୟମ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ଉଭୟ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମ୍ୟାଚରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ମ୍ୟାଚର ୧୮ ମିନିଟରେ ଅଭିଷେକ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ । ଯଦ୍ବାରା ତିନି ତିନି ଥର ଜିତିଥିବା ବେଲଜିୟମ ଚାପ ଭିତରକୁ ଆସିଯାଇଥିଲା । କିନ୍ତୁ ବେଲଜିୟମ ଦ୍ବିତୀୟ କ୍ବାର୍ଟରର ୭ ମିନିଟରେ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । ବେଲଜିୟମ ପ୍ରାୟତଃ ପେନାଲ୍ଟି ସ୍କୋରରୁ ଗୋଲ ହାସଲ କରିଥାଏ କିନ୍ତୁ ଏହି ମ୍ୟାଚରେ ଭାରତର ଓ୍ବାଲ ଭାବେ ଜଣାଶୁଣା ଗୋଲକିପର ଶ୍ରୀଜେଶ ସ୍କୋର କରିବାକୁ ସୁଯୋଗ ଦେଇନଥିଲେ ।

ବେଲଜିୟମ ପରି ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରର ୧୦ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା କିନ୍ତୁ ଦଳ ଏହାର ଫାଇଦା ନେଇପାରିନଥିଲା । ଭାରତର ପ୍ରଥମ ଗୋଲ ପରେ ଉଭୟ ଦଳ ଆକ୍ରମଣ ଜାରି ରଖିଥିଲେ ସୁଦ୍ଧା ଦ୍ବିତୀୟ କ୍ବାର୍ଟରରେ କୌଣସି ସଫଳତା ମିଳି ନଥିଲା । ଦ୍ବିତୀୟ କ୍ବାର୍ଟର ସୁଦ୍ଧା ସ୍କୋର ଭାରତ ସପକ୍ଷରେ ଥିଲା ।

କିନ୍ତୁ ବେଲଜିୟମ ପ୍ରଥମାର୍ଦ୍ଧର ବିଫଳତାକୁ ଭୁଲି ଦ୍ବିତୀୟାର୍ଦ୍ଧରେ ଗୋଲ କରି ନିଜର ଖାତା ଖୋଲିଥିଲା । ଏହି କ୍ବାର୍ଟରର ୩ ମିନିଟରେ ଏକ ଫିଲ୍ଡ ଗୋଲ କରି ଭାରତ ସ୍କୋର ସହିତ ନିଜ ସ୍କୋରକୁ ସମାନ କରିଦେଇଥିଲା । ସ୍କୋରକୁ ସମାନ କରିବା ପରେ ବେଲଜିୟମ ଭାରତ ଉପରେ ଚାପ ପକାଇ ତୃତୀୟ କ୍ବାର୍ଟରର ୧୩ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ନେଇଥିଲା । ଏହି ପେନାଲ୍ଟି କର୍ଣ୍ଣର ପରେ ବେଲଜିୟମ ଆଉ  ଏକ ପେନାଲ୍ଟି କର୍ଣ୍ଣର ନେଇ ଗୋଲ କରିବାରେ ସଫଳ ହୋଇଥିଲା  । ଯାହା ବେଲଜିୟମକୁ ୨-୧ରେ ଆଗୁଆ କରିଥିଲା ।  ଭାରତ ଏହି ଗୋଲର ଏକ ମିନିଟ ପରେ ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଏହାକୁ ଗୋଲରେ ପରିଣତ କରିପାରି ନଥିଲା ।

ତୃତୀୟ କ୍ବାର୍ଟରେ ପରେ ଭାରତୀୟ ଦଳ ୨-୧ରେ ପଛୁଆ ଥିବା ବେଳେ ଚତୁର୍ଥ କ୍ବାର୍ଟରରେ ଭାରତ କ୍ରମାଗତ ଆକ୍ରମଣ କରିଥିଲା କିନ୍ତୁ ଗୋଟିଏ ମଧ୍ୟ ଗୋଲ ସ୍କୋର କରିପାରି ନଥିଲା । ମ୍ୟାଚର ୫୩ ମିନିଟରେ ସଞ୍ଜୟଙ୍କୁ ଏକ ଭଲ ସୁଯୋଗ ମିଳିଥିଲା, କିନ୍ତୁ ସେ ସଟରୁ ବଞ୍ଚିତ ହୋଇଥିଲେ । ଏହାର ଏକ ମିନିଟ୍ ପରେ ଯେତେବେଳେ ରେଫରୀ ରାଜକୁମାର ପାଲଙ୍କୁ ହଳଦିଆ କାର୍ଡ ଦେଖାଇଲେ ସେତେବେଳେ ଭାରତକୁ ଏକ ଝଟକା ଲାଗିଥିଲା ଏବଂ ୧୫ ମିନିଟ ପାଇଁ ତାକୁ ଫିଲ୍ଡ ବାହାରେ ରହିବାକୁ ପଡିଥିଲା । ମ୍ୟାଚର ୫୯ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । ହାର୍ଦ୍ଦିକ ବଲକୁ ଇଞ୍ଜେକ୍ଟ କରିଥିଲେ, ଯେଉଁଥିରେ ହରମାନପ୍ରୀତ ଏକ ତୀକ୍ଷ୍ଣ ସଟ୍ ନେଇଥିଲେ । ବେଲଜିୟମ ପେନାଲ୍ଟି କର୍ଣ୍ଣରକୁ ପ୍ରତିହତ କରିବାକୁ ସକ୍ଷମ ହୋଇଥିଲା ।

ପଦ୍ମ ଧରିଲେ ମମତା: ବିଜେଡି କହିଲା- ବିଜେପି ବିନାଶମୁଖୀ ରାସ୍ତା ଆପଣାଇଛି

ଭୁବନେଶ୍ବର: ବ୍ଯକ୍ତିଗତ ସ୍ବାର୍ଥ ପାଇଁ ଚଞ୍ଚକତା କରି ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇଛନ୍ତି ମମତା ମହାନ୍ତ । ରାଜ୍ଯସଭାରୁ ଇସ୍ତଫା ଦେଇ ତାଙ୍କ ଆସନଟି ସେ ଜାତୀୟ ଦଳକୁ ସମର୍ପି ଦେଇଛନ୍ତି ବୋଲି ଅଭିଯୋଗ କରି ସମାଲୋଚନା କରିଛି ବିଜେଡି । ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ କହିଛନ୍ତି, ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ମମତା ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ରରେ ସେ ଯାହା କହିଛନ୍ତି ତାହା ଅତ୍ଯନ୍ତ ନିନ୍ଦନୀୟ ।

ମହିଳାଙ୍କୁ ସଶକ୍ତ କରିବାକୁ ନବୀନ ସରକାର ଅନେକ ଯୋଜନା କରିଥିଲେ । ମମତାଙ୍କ ଭଳି ଜଣେ ପଛୁଆ ଓ କୁଡୁମୀ ସମାଜର ମହିଳାଙ୍କୁ ପ୍ରଥମେ ଜିଲ୍ଲା ପରିଷଦ ସଦସ୍ଯ ପରେ ଜିଲ୍ଲା ସଭାନେତ୍ରୀ ଓ ପରିଶେଷରେ ରାଜ୍ଯସଭା ସଦସ୍ଯ ଭାବେ ବିଜେଡି ରାଜ୍ଯସଭାକୁ ପଠାଇଥିଲା । କୁଡୁମୀ ସମାଜ ପାଇଁ ଅନେକ କିଛି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ କୁଡୁମୀ ଭବନ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ରାଇରଙ୍ଗଫୁରଠାରେ କୁଡୁମୀ ଭବନ ନିର୍ମାଣ ପାଇଁ ୩୦ ଡେସିମିଲ ଜମି ଓ ଏକ କୋଟି ଟଙ୍କା ଦିଆଯାଇଥିଲା । ତାହା ଏବେ ନିର୍ମାଣାଧୀନ ରହିଛି । ମମତା ଇସ୍ତଫାପତ୍ରରେ ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ଭିତ୍ତିହୀନ ଓ ନିନ୍ଦନୀୟ । କେବଳ ନିଜର ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଖାଲି ବିଜେଡି ନୁହେଁ ବରଂ କୁଡୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କୁ ଧୋକା ଦେଇଛନ୍ତି । ମୟୂରଭଞ୍ଜବାସୀ ଆଗାମୀଦିନରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପି ପ୍ରଲୋଭନର ଶିକାର ହୋଇଛନ୍ତି ମମତା । ଯଦି ସେ କାମ କରିବାକୁ ସୁଯୋଗ ପାଉ ନଥିଲେ ତେବେ ସେ ବିଜେଡିରୁ ଇସ୍ତଫା ଦେଇଥାନ୍ତେ । ହେଲେ ସେ ସେପରି ନକରି ତାଙ୍କ ଆସନଟି ଜାତୀୟ ଦଳକୁ ସମର୍ପି ଦେଇଛନ୍ତି । ଗତକାଲି ମମତା ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇଥିବାବେଳେ ଆଜି ନୂଆଦିଲ୍ଲୀଠାରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେପଟେ ମମତାଙ୍କୁ ନେଇ ରାଇରଙ୍ଗପୁର ବିଜେଡି ଓ କୁଡୁମୀ ସମ୍ପ୍ରଦାୟ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ଛକରେ ମମତା ମହାନ୍ତଙ୍କ ବିରୋଧରେ ନାରାବାଜି ସହିତ କୁଶ ପୁତ୍ତଳିକା ଦାହ କରାଯାଇଛି । କୌଣସି କାରଣ ନ ଥାଇ ବିଜେଡିରୁ ଇସ୍ତଫା ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛି ଦଳ । ମମତାଙ୍କୁ କୌଣସି ଅଣଦେଖା କରାଯାଇ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଓ୍ବାୟିନାଡ଼ ବିପର୍ଯ୍ୟୟ: ବିଷ୍ଣୁଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଓଡ଼ିଆ ନିଖୋଜ

ଭୁବନେଶ୍ବର: କେରଳ ୱାୟନାଡ୍ ବିପର୍ଯ୍ଯୟରେ ଜଣେ ଓଡ଼ିଆ ଡାକ୍ତର ମୃତ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ମୃତ ଡାକ୍ତର ହେଲେ ବିଷ୍ଣୁ ପ୍ରସାଦ ଚିନାରା । ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆଉ ଜଣେ ଓଡ଼ିଆ ସ୍ବାଧୀନ ପଣ୍ଡା ଏବେ ବି ନିଖୋଜ ଅଛନ୍ତି । ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳୁନି ।

ବିଷ୍ଣୁଙ୍କ ମୃତଦେହକୁ ଓଡ଼ିଶାକୁ ଆଣିବାର ବ୍ଯବସ୍ଥା କରାଯାଉଛି । ସେଠାରେ ଆହତ ଅନ୍ଯ ଓଡ଼ିଆଙ୍କୁ ମଧ୍ଯ ରାଜ୍ଯକୁ ଫେରାଇ ଆଣିବାର ବ୍ଯବସ୍ଥା କରାଯାଉଛି । ବିଷ୍ଣୁଙ୍କ ଘର କଟକ ଜିଲ୍ଲା ଚୌଦ୍ବାର ହାଉସିଂ ବୋର୍ଡରେ । ସେ ମେଡିସିନ ବିଭାଗର ଡାକ୍ତର ଥିଲେ । ବିଷ୍ଣୁ, ତାଙ୍କ ପତ୍ନୀ ପ୍ରଭା ପ୍ରିୟଦର୍ଶିନୀ ପାଲ, ବନ୍ଧୁ ଡାକ୍ତର ସ୍ବାଧୀନ ପଣ୍ଡା ଏବଂ ଝାରଗୁଗୁଡ଼ା ବେହେରାମାଲ ଓଏମପି ଛକର ସ୍ବୀକୃତି ମହାପାତ୍ର ଏକାଠି କେରଳର ୱାୟନାଡ୍ ବୁଲିବାକୁ ଯାଇଥିଲେ । ହୋଟେଲରେ ରହିଥିବା ସମୟରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହୋଇଥିଲା । ସ୍ବୀକୃତି ଓ ପ୍ରିୟଦର୍ଶିନୀଙ୍କୁ ଆଗରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ନିଖୋଜ ଥିଲେ ବିଷ୍ଣୁ ଏବଂ ସ୍ବାଧୀନ । ବିଷ୍ଣୁଙ୍କ ମୃତଦେହ ମିଳିଥିବା ବେଳେ ଏଯାଏଁ ସ୍ବାଧୀନଙ୍କ ପତ୍ତା ନାହିଁ ।

ଭୂସ୍ଖଳନରେ ମୃତାହତ ଓଡିଆଙ୍କ ମୃତଦେହ ଓଡିଶା ଫେରାଇବା ସହ ଆହତଙ୍କ ଚିକିତ୍ସା ବାବଦରେ ଅଧିକ ତଥ୍ଯ ନେବାକୁ ୱାୟନାଡ ଯାଇଛନ୍ତି ଓଡିଶା ପରିବାରର ଅଧ୍ଯକ୍ଷ ଦିଲ୍ଲୀପ ରାଉତରାୟ ଓ ସ୍ବାସ୍ଥ୍ଯ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ଯ ପ୍ରଧାନ । ସେମାନେ ଡାକ୍ତର ମୁପେନସ ମେଡିକାଲ କଲେଜ ଓ ହସପିଟାଲର ସୁପରିନଟେଣ୍ଡେଣ୍ଟ ଡାକ୍ତର ମନୋଜ ନାରାୟଣଙ୍କ ସହ ଆଲୋଚନା କରିଛନ୍ତି । ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ ବାପା ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛି ଓଡ଼ିଶା ପରିବାର ଟିମ ।

ମାଲକାନଗିରି ବିମାନ ବନ୍ଦରରେ ପାଣି

ମାଲକାନଗିରି: ଗତ ଜାନୁଆରୀ ୯ ତାରିଖରେ କାର୍ଯ୍ୟକ୍ଷମ ହୋଇଥିବା ମାଲକାନଗିରି ବିମାନ ବନ୍ଦରରେ ପାଣି । ବର୍ଷା ପାଣିରେ ବୁଡି ରହିଛି ରନଓ୍ବେ, ଟର୍ମିନାଲ ଓ ଏୟାରପୋର୍ଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ସମଗ୍ର ମାଲକାନାଗିରି। ଯେଉଁଥିରୁ ବାଦ ପଡିନି ମାଲକାନାଗିରି ବିମାନ ବନ୍ଦର ।

ତେବେ ପାହାଡ କାଟି ଉଚ୍ଚ ସ୍ଥାନରେ କରାଯାଉଥିବା ବିମାନବନ୍ଦରରେ କିଭଳି ପାଣି ଜମୁଛି ତାହା ବଡ଼ ପ୍ରଶ୍ନ ଛିଡ଼ା କରିଛି । ଅନ୍ୟପଟେ ତରବରିଆ ଭାବେ ବିମାନବନ୍ଦର କାମ କରାଯାଇଥିବାରୁ ଏଭଳି ସମସ୍ୟା ଉପୁଚୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ପୁଣି ଏକ ଲଘୁଚାପ, ଦୁଇଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଲଘୁଚାପ । ଅନବରତ ବର୍ଷା କଲାଣି ନାକେଦମ । ଏହାରି ଭିତରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ଯୁଞ୍ଜୟ ମହାପାତ୍ର । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ଓଡ଼ିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାକୁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ଵରକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରକୁ ସତର୍କତା ଜାରି କରାଯାଇଛି  ।

ଏହି ସମୟରେ କମ ଦୃଶ୍ୟମାନ ରହିବା ସହ ରାସ୍ତା ଜଳମଗ୍ନ ଏବଂ ତଳୁଆ ଅଞ୍ଚଳ ଗୁଡିକରେ ପାଣି ଜମି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୦୭ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦  ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥ ଭୋଟ ସ୍ଥଗିତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ସ୍ଥଗିତ । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାସ୍ଥ୍ଯ ଅବସ୍ଥା ଖରାପ ଥିବାରୁ ଏହାକୁ ଆଜି ସ୍ଥଗିତ ରଖାଯାଇଛି ।

ବିଜେପି ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କାଉନସିଲରମାନେ । ଏହାକୁ ନେଇ ଆଜି ଭୋଟ କରିବାକୁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଦିନ ୧୧ଟାରେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ ଅଧକାରୀ ଭାବେ ଦାୟିତ୍ଵ ଦିଆଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ନିୟମ ମୁତାବକ ସମସ୍ତ କାଉନସିଲର ମଧ୍ୟ ଉପସ୍ଥିତ ହୋଇଥିଲେ । ହେଲେ ଗୋଟିଏ ଫୋନ କଲ ପରେ ଏହାକୁ ସ୍ଥଗିତ ରଖାଯାଇଛି । ଜିଲ୍ଲାପାଳଙ୍କୁ ଫୋନ ଆସିଥିଲା ଯେ, ନିର୍ବାଚନ ଅଧିକାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏହାପରେ ଅନାସ୍ଥା ଭୋଟିଂକୁ ସ୍ଥଗତି ରଖାଯାଇଛି ।

ତେବେ ଏହାକୁ ନେଇ କାଉନସିଲରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷଙ୍କୁ ବଞ୍ଚାଇବାକୁ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଭଣ୍ଡୁର କରିବାକୁ ଚକ୍ରାନ୍ତ ହୋଇଥିବା କହି ଆଜି ଭୋଟ କରିବାକୁ ଅଡି ବସିଛନ୍ତି କାଉନସିଲରମାନେ । ଜୁନାଗଡ଼ ଏନଏସିରେ ୧୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୦ ଜଣ କାଉନସିଲର ବିଜେଡ଼ିର । ବିଜେପିର ୨ ଜଣ କାଉନସିଲର ଅଛନ୍ତି ।

ମାଆ ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ପୂଜା ପରେ ବିକ୍ରି ଯୋଜନା ଚାଲିଥିବା ବେଳେ ମାଡି ବସିଲା ବନ ବିଭାଗ

କପ୍ତିପଦା: ହାତୀ ଶିକାର କରି ଦାନ୍ତ ତାଢ଼ି ନେଲେ । ଆଉ ବିକ୍ରି କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ରଖି କରୁଥିଲେ ପୂଜାର୍ଚ୍ଚନା । ଏହି ସମୟରେ ରେଡ୍ ମାରିଲା ବନ ବିଭାଗ । ଆଉ ଜାଲରେ ପଡ଼ିଲେ ଶିକାରୀ । ଏମିତି ଘଟଣା ଘଟିଛି କପ୍ତିପଦା ଥାନା ବିଦ୍ୟାଧର ନଗର ଅଞ୍ଚଳରେ । ଲକ୍ଷ୍ମୀଙ୍କ ଫଟୋ ସାମନାରେ କଦଳୀ ପତ୍ରରେ ହାତୀ ଦାନ୍ତ ରଖି ପୂଜାର୍ଚ୍ଚନା କରିବା ସହ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କଲା ବନ ବିଭାଗ ।

ହାତୀ ଦାନ୍ତ ବିକ୍ରିର ମାଷ୍ଟରମାଇଣ୍ଡ ସାଜିଥିଲେ  ଜିଓ ଟ୍ୟାଗ ଅଧିକାରୀ ନିରଞ୍ଜନ ବେହେରା । ହାତୀ ଦାନ୍ତ ବିକ୍ରି ନିମନ୍ତେ ପୂଜାର୍ଚ୍ଚନା ଚାଲିଥିବା ବେଳେ କପ୍ତିପଦା ଓ ଉଦଳା ବନ ବିଭାଗ ସହିତ ଟାସ୍କଫୋର୍ସ ଟିମ ମିଳିତ ଭାବେ ଚଢାଉ କରିଥିଲେ । ମୁଖ୍ଯ ଅଭିଯୁକ୍ତ ନିରଞ୍ଜନ ବେହେରା ସମେତ ୭ ଜଣଙ୍କୁ ଗିରଫ କରାଯିବା ସହ ୫ଟି ହାତୀ ଦାନ୍ତ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ମୟୂରଭଞ୍ଜ କପ୍ତିପଦା ଏବଂ ଉଦଳା ଅଞ୍ଚଳର ହୋଇଥିବା ବେଳେ ଦାନ୍ତ କିଣିବାକୁ ଆସିଥିବା ଯୁବକମାନେ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ରାକେଟର ରାଜ୍ଯ ବାହାରେ ଲିଙ୍କ ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତମାନେ ୪ ବର୍ଷ ହେଲା ହାତୀଦାନ୍ତ ବେପାର କରୁଥିବା ଜଣାପଡ଼ିଛି ।

ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ୟା କରିଥିବା ସ୍ବାମୀକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ବର: ପତ୍ନୀହନ୍ତା ସ୍ବାମୀଙ୍କୁ ଫାଶୀ ଦଣ୍ଡାଦେଶ । ଘାଟିକିଆରେ ସ୍ତ୍ରୀକୁ ୩୩ ଥର ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ସଞ୍ଜିତ ଦାସ । ୨୦୨୨ ଜୁନ ୯ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଞ୍ଜିତ । ସ୍ତ୍ରୀକୁ ୩୩ ଥର ଛୁରୀ ଭୁସିବା ସହ ୬ ବର୍ଷୀୟ ଝିଅର ତଣ୍ଟି କାଟି ଦେଇଥିଲା ରାକ୍ଷସ ବାପା । ଝିଅ ସୁସ୍ଥ ହେବାକୁ ଲାଗିଥିଲା ୩ ମାସ ସମୟ ।

ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛି । ଅଭିଯୁକ୍ତର ଝିଅ, ମାଆ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ରାୟ ଶୁଣାଇଛନ୍ତି ଅଦାଲତ ।

ହତ୍ଯାକାଣ୍ଡ ପରେ ପୋଲିସ ଦେଇଥିବା ସୂଚନା ଅନୁସାରେ, ନିଶା ପାଇଁ ନାରକୀୟ କାଣ୍ଡ ଘଟଣାଥିଲା ସଞ୍ଜିତ । ମୃତ ସରସ୍ବତୀ ପେଶାରେ ଜଣେ ନର୍ସ ଥିଲେ । ଏପଟେ ଅଭିଯୁକ୍ତ ସଞ୍ଜିତ ବେରୋଜଗାର ଥିଲା । ଜମି ବିକି ନିଶା ସେବନ କରୁଥିଲା ସଞ୍ଜିତ । କୋଟି କୋଟି ଟଙ୍କା ନିଶା ଖାଇବାରେ ଖର୍ଚ୍ଚ କରୁଥିବାରୁ ପରିବାର ଚଳାଉଥିଲେ ସରସ୍ବତୀ । ନିଶା ସେବନ ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଦ ପିଇ ସ୍ତ୍ରୀଙ୍କୁ ମାରଧର କରୁଥିଲା ସଞ୍ଜିତ ।

ଘଟଣା ଦିନ ରାତି ସାଢ଼େ ଦୁଇଟା ରାତିରେ ପତିପତ୍ନୀଙ୍କ ମଧ୍ଯରେ ଝଗଡା ହୋଇଥିଲା । ରାଗରେ ସ୍ତ୍ରୀକୁ ରାତି ସାଢ଼େ ୩ଟାରେ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା ସଞ୍ଜିତ । ସକାଳ ୭ଟାରେ ବଡ଼ ଝିଅ ଉଠି ମାଆକୁ ଖୋଜିବା ପରେ ତାକୁ ବି ଆକ୍ରମଣ କରିଥିଲା ସଇତାନ । ସକାଳେ ଝିଅକୁ ଆକ୍ରମଣ କରି ରୁମରେ ବନ୍ଦ କରି ପଳାଇଥିଲା ସଞ୍ଜିତ । ହତ୍ୟା କରିବା ପରେ ମଦ ଦୋକାନରୁ ମଦ କିଣି ପିଇଥିଲା । ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ରକ୍ତ ଲଗା ଛୁରୀ ଓ ଗାମୁଛା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।