ପୁରୀ : ଆଜି ପୁଣିଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରାଯିବ । ଏହାକୁ ନେଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯିବ । ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ । ରାଜ୍ଯସରକାର ଧାର୍ଯ୍ଯ କରିଥିବା ଏସଓପି ମାଧ୍ଯମରେ ଦିନ ଗୋଟାଏରୁ ଏହି କାର୍ଯ୍ଯ କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ନଉପୁଯିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି । ଦିନ ଗୋଟାଏରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଭକ୍ତମାନେ ମହାପ୍ରସାଦ ପାଇବାରେ କୌଣସି ସମସ୍ୟା ହେବନି । ଆନନ୍ଦ ବଜାରରୁ ମହାପ୍ରସାଦ କିଣିବା ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ବାରରେ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିପାରିବେ। ଗତ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୧୧ଜଣିଆ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ ହେଁ ସିନ୍ଦୁକ ଓ ଆଲମିରା ଖୋଲିନଥିଲେ। ତେଣୁ ଜୁଲାଇ ୧୮ ତାରିଖରେ ପୁନର୍ବାର ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ଟି ସିନ୍ଦୁକ ଓ ୪ଟି ଆଲମାରିରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ଏହା ମଧ୍ୟରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ରତ୍ନଭଣ୍ଡାରର ଅଳଙ୍କାର ଖଟଶେଜ ଘର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।
ଅଧ୍ୟକ୍ଷ ଭାବେ ଜିତିବା ପରେ ନବୀନଙ୍କୁ ଭେଟିଲେ ଲିଲିତା
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାବେ ନିର୍ବିବାଦରେ ନିର୍ବାଚିତ ହେବା ପରେ ଲିଲିତା ଦାସ ନବୀନ ନିବାସକୁ ଆସି ବିଜେଡି ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।
ଏହି ଅବସରରେ ନବୀନ ଲିଲିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନବୀନ କହିଥିଲେ, ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଲୋକଙ୍କ ପାଇଁ ଭଲ କାମ ଜାରି ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ ।
ଏହି ଅବସରରେ ବିଧାୟକ ପ୍ରତାପ ଦେବ, ଧ୍ରୁବ ସାହୁ, ଅରବିନ୍ଦ ମହାପାତ୍ର, ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦ ପ୍ରାର୍ଥୀ ଶ୍ରୀ ଅଂଶୁମାନ ମହାନ୍ତିଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ
କ୍ରିଷ୍ଣା ଗୋଶାଳା ହେବ ସବୁଜମୟ, ବଜ୍ରପାତରୁ ରକ୍ଷା ପାଇବାକୁ ଲାଗିବ ତାଳଗଛ
ଭୁବନେଶ୍ବର: ଜାମୁକୋଳିରେ ଥିବା କ୍ରିଷ୍ଣା ଗୋଶାଳା ହେବ ସବୁଜମୟ । ସ୍ବାସ୍ଥ୍ଯକର ପରିବେଶ ସହିତ ବଜ୍ରପାତରୁ ରକ୍ଷା ପାଇବା ଲାଗି ଲାଗିବ ତାଳ ଗଛ । ଗୋଶାଳା ପରିସରରେ ଉନ୍ନତ ଭିତିଭୂମି ସଜାଡିବା ଲାଗି ପ୍ଲାନ କରିଛି ବିଏମସି । ୨୫ ଏକର ଜାଗାରେ ଆଉ ୩ଟି ନୂଆ ସେଡ ସହିତ ତିଆରି ହେବ କ୍ରିମେସେନ ସେଣ୍ଟର । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗୋଶାଳା ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।
ଭୁବନେଶ୍ବର ଉପକଣ୍ଠ ଜାମୁକୋଳିରେ ଅଚାନକ ପରିଦର୍ଶନ କଲେ ଭୁବନେଶ୍ବର ମେୟର । କେମିତି ଚାଲିଛି ଗୋଶାଳା ? ଗୋରୁ, ଗାଈ, ବାଛୁରୀ, ଷଣ୍ଢଙ୍କ ପାଇଁ କେମିତି ରହିଛି ପରିବେଶ ? ସ୍ବାସ୍ଥ୍ଯକର ପରିବେଶ ଉପଯୋଗୀ ବାସସ୍ଥାନ, ଖାଦ୍ଯ, ପାନୀୟ ଠିକଠାକା ରହିଛି ନା ନାହିଁ ଯାଞ୍ଚ କରିଥିଲେ ମେୟର । ବିଏମସିର ସବୁଜ ଅଭିଯାନ କାର୍ଯ୍ଯକ୍ରମରେ ଗୋଶାଳା ପରିସରକୁ ସାମଲି କରାଯିବ । ଗ୍ରୀଷ୍ମଦାଉରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ କରାୟିବ । ଏପରିକି ବଜ୍ରପାତରୁ ଗାଈ, ଗୋରୁ, ବାଛୁରୀ ଓ ଷଣ୍ଢଙ୍କୁ ରକ୍ଷା କରିବା ଲାଗି ତାଳ ଗଛ ପୋତାଯିବ । ଯାହା ଫଳରେ ସେଠାରେ କାମ କରୁଥିବା ଲୋକ ଓ ପଶୁଙ୍କ ଜୀବନ ରକ୍ଷା ପାଇ ପାରିବ । ପଥୁରିଆ ଜାଗା ଥିବାରୁ ଗାଈ, ଷଣ୍ଢକୁ ଗରମ ହେଉଛି । ଅନ୍ଯପଟେ କ୍ରିଷ୍ଣା ଗୋଶାଳା ପରିସର ସମ୍ମୁଖରେ ଥିବା ୨୫ ଏକର ଜାଗାରେ ଆଉ ଟିକେ ଉନ୍ନତ ଧରଣର ଗୋଶାଳା ହେବ । ଆଉ ୩ଟି ନୂଆ ସେଡ଼ ତିଆରି କରିବା ସହିତ ବୃକ୍ଷରୋପଣ କରାଯିବ । ଏହାସହ ଗାଈ, ଗୋରୁ, ବାଛୁରୀ, ଷଣ୍ଢଙ୍କ ମୃତ୍ୟୁ ହେଲେ ସେମାନଙ୍କ ଲାଗି ଅନ୍ତିମ ସଂସ୍କାର ପାଇଁ କ୍ରିମେସନ ସେଣ୍ଟର ମଧ୍ଯ ତିଆରି ହେବ ବୋଲି ମେୟର କହିଛନ୍ତି ।
ସେପଟେ ଜାମୁକୋଳିର କ୍ରିଷ୍ଣା ଗୋଶାଳାରେ ୬୨୫ ଗାଈ, ଗୋରୁ, ଷଣ୍ଢ ଓ ବାଛୁରୀ ଅଛନ୍ତି । କେବଳ ୪୩୪ଟି ଷଣ୍ଢ ରହିଛନ୍ତି । ପ୍ରତ୍ଯେକ ପିଛା ୨୦୦ ଟଙ୍କା ଖର୍ଚ୍ଚ କରାଯାଉଛି । ଘାସ, ପରିବା, ଚୋକଡ, ଦାନା ଖାଇବା ଲାଗି ଦିଆଯାଉଛି । ୨ ଜଣ ଡାକ୍ତର, ଫାର୍ମାସିଷ୍ଟ ଓ ୪୬ ଜଣ କେୟାର ଟେକର ଅଛନ୍ତି । ଏଠାରୁ ବାହାରୁ ଥିବା ଗୋବରରୁ ଖତ ବାହାରୁଛି । ଏହାସହ ବିଏମସି ଚାହିଁଲେ ଗୋବରୁ କମ୍ପୋଷ୍ଟ କରି ବ୍ଯବହାର କରି ପାରିବ । ସେପଟେ ରାଜଧାନୀରେ ରାସ୍ତା ଉପରେ ବୁଲୁଛନ୍ତି ବୁଲାଗୋରୁ ଓ ଷଣ୍ଢ । ଯାହା ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି । ସ୍ପେଶାଲ ଡ୍ରାଇଭରେ ୬୦ଟି ବୁଲା ଗୋରୁ ଓ ଷଣ୍ଢକୁ ଉଦ୍ଦାର କରାଯାଇଛି ।
ଏବେବି ରାଜଧାନୀରେ ଏକାଧିକ ରାସ୍ତାରେ ବୁଲା ଗାଈ ଓ ଷଣ୍ଢଙ୍କ ଶୋଇ ରହୁଥିବା ଦେଖିବାକୁ ମିଳୁଛି । କିଛି ଅମାନିଆ ମାଲିକ ଖାଦ୍ଯ ଦେବାକୁ ପଡିବ ବୋଲି ଗାଈଙ୍କୁ ରାଜରାସ୍ତାକୁ ଛାଡି ଦେଉଛନ୍ତି । ଦିନ ହେଉ କି ରାତି ଯାତାୟତ ବେଳେ ଲୋକେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ଘଟୁଛି ।
ସୁରକ୍ଷା ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଡାକ୍ତରୀ ସଂଘ
ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା । ୧୧ ଦିନ ପରେ ଆନ୍ଦୋଳନରୁ ଓହରିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ ଓ ରାମ ମନୋହର ଲୋହିଆ ଡାକ୍ତର ସଂଘ । ଆନ୍ଦୋଳନରତ ଡାକ୍ତରଙ୍କ ସୁରକ୍ଷା ଓ ଅନ୍ଯାନ୍ଯ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛି ସଂଘ ।
ଏହି ଧରଣର ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି ନ କରିବାକୁ ଉଭୟ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ଖଣ୍ଡପୀଠ । ମାମଲାର ପରବର୍ତ୍ତୀ ଶୁଣାଣି ହେବ ସେପ୍ଟେମ୍ବର ୫ରେ । ସେପଟେ ଦୁଷ୍କର୍ମ ବିରୋଧରେ କଡା ଆଇନ ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସରକାର ଦମନ କରିପାରିବେନି ବୋଲି କହିଛନ୍ତି କୋର୍ଟ । ଟାସ୍କ ଫୋର୍ସର ପଦକ୍ଷେପ ସମ୍ପର୍କରେ ତଥ୍ଯ ଦର୍ଶାଇବା ଲାଗି ପୋର୍ଟାଲ ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ଯ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହାସହ ସୋସିଆଲ ମିଡିଆ ଉପରେ ଭରସା ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହିଥିଲେ ସୁପ୍ରିମକୋର୍ଟ ।
ଏହି ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ ସିବିଆଇ ଓ ପଶ୍ଚିମବଙ୍ଗ ସରକାର । ସୁପ୍ରିମକୋର୍ଟ କହିଛନ୍ତି, ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଯଦି ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ତେବେ ସାଧାରଣ ପ୍ରଶାସନର ଭିତ୍ତି ଉପରେ ଆଞ୍ଚ ଆସିବ । ଏହାସହ କୋଲକାତା ଘଟଣାରେ ପୋଲିସର ତଦନ୍ତ ଧାରା ନେଇ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ । ହସ୍ପିଟାଲରେ ଡାକ୍ତରଙ୍କ ଦୀର୍ଘକାଳୀନ ଡ୍ଯୁଟି ସମ୍ପର୍କରେ ବି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ମୃତ୍ଯୁ ନେଇ ପରିବାରକୁ କାହିଁକି ଭୁଲ ତଥ୍ଯ ଦିଆଯାଇଥିଲା ? ପୋଲିସର କାର୍ଯ୍ୟ ଧାରା ଠିକ୍ ନଥିଲା । ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେପଟେ ଷ୍ଟାଟସ ରିପୋର୍ଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି ସିବିଆଇ । କୁହାଯାଇଛି, ଛାତ୍ରୀ ଆତ୍ମହତ୍ଯା କରିଛନ୍ତି ବୋଲି ତାଙ୍କ ପରିବାରକୁ ପ୍ରଥମେ ଭୁଲ ତଥ୍ଯ ଦିଆଯାଇଥିଲା । ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଷ୍ଟାଟସ ରିପୋର୍ଟ ଦାଖଲ ଲାଗି ଦେଇଥିଲେ ନିର୍ଦ୍ଦେଶ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କପିଳ ସିବଲ, ମାନେକ ଗୁରୁସ୍ବାମୀ, ସଞ୍ଜୟ ବାସୁ, ଆସ୍ଥା ଶର୍ମାଙ୍କ ସମେତ ୨୧ ଜଣେ ଓକିଲ ପ୍ରତିନିଧିତ୍ବ କରୁଥିବାବେଳେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ମାଧବୀ ସିଂହଲ, ଅର୍କାଜ କୁମାର, ସ୍ବାତୀ ଗିଲଦିୟାଲ, ଏମକେ ମାରୋରିଆ ।
ମଧ୍ୟାହ୍ନ ଭୋଜନ: ମୁଣ୍ଡ ପିଛା ଏକ ଟଙ୍କା ବଢ଼ାଇ ଗୁଣାତ୍ମକ ଖାଦ୍ୟ ଦେବାକୁ ସ୍ବପ୍ନ ଦେଖୁଛନ୍ତି ସରକାର
ଭୁବନେଶ୍ବର: ମଧ୍ୟାହ୍ନ ଭୋଜନ ଉପରେ ଦରବୃଦ୍ଧିର ପ୍ରଭାବ । ମିଲ୍ ପାଇଁ ମିଳୁନି ପର୍ଯ୍ୟାପ୍ତ ସହାୟତା । ମୁଣ୍ଡ ପିଛା ୧ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକି ସମୁଦ୍ରକୁ ଶଙ୍ଖେ । ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ମିଲ୍ ପିଛା ୧ ଟଙ୍କା ବଢ଼ାଇଲେ କେମିତି ଗୁଣାତ୍ମକ ମାନର ଖାଦ୍ୟ ମିଳିବ ସେନେଇ ଉଠିଛି ପ୍ରଶ୍ନ ।[ନ୍ୟପକ୍ଷେ ମିଲ୍ ପିଛା ୧ ଟଙ୍କା ବଦଳରେ ୨୦ ଟଙ୍କା ବୃଦ୍ଧି କରିବାକୁ ଦାବି କରିଛି ଅଭିଭାବକ ମହାସଂଘ ।
ମଧ୍ୟାହ୍ନ ଭୋଜନ ଉପରେ ଦରବୃଦ୍ଧିର ପ୍ରଭାବ । ୫ ଟଙ୍କା ୯୦ ପଇସାରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଖାଉଥିଲେ । ଏବେ ଏଥିରେ ଆଉ ଟଙ୍କାଟିଏ ମିଶାଇଲେ କ’ଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇପାରିବ ଗୁଣାତ୍ମକ ଭୋଜନ ? ମଧ୍ୟାହ୍ନ ଭୋଜନ ମିଲ୍ ପିଛା ୧ ଟଙ୍କା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।
ବଜାରରେ ପନିପରିବା ଓ ତେଜରାତି ସାମଗ୍ରୀ ଦରବୃଦ୍ଧି ତୁଳନାରେ ମଧ୍ୟାହ୍ନ ଭୋଜନରେ ମାତ୍ର ଏକ ଟଙ୍କା ବୃଦ୍ଧି ସମୁଦ୍ରକୁ ଶଙ୍ଖେ ବୋଲି କହିଛି ସଂଘ । ତେଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏଭଳି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅଧିକ ବ୍ୟୟ ବରାଦ କରିବାକୁ ଦାବି ହୋଇଛି । ମାତ୍ର ଏକ ଟଙ୍କା ବଢ଼ାଇଲେ ପିଲାଙ୍କୁ ଦେଇ ହେବନି ଉନ୍ନତମାନର ଖାଦ୍ୟ । ଅତି କମରେ ମଧ୍ୟାହ୍ନ ଭୋଜନ ମିଲ୍ ୨୦ ଟଙ୍କା କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।
ସେପଟେ ମନ୍ତ୍ରୀ ଏକ ଟଙ୍କା ବଢିବ ବୋଲି କହିଥିଲେ ମଧ୍ୟ ସରକାରୀ ସ୍ତରରେ କିଛି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ । ମଧ୍ୟାହ୍ନ ଭୋଜନ ଦରବୃଦ୍ଧି ପାଇଁ ସରକାରଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ଅନୁମୋଦନ ମିଳିଲେ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଏମଡିଏମ ନୋଡାଲ ଅଫିସର । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଗତ ମାସରେ ପାଚିକା ସହାୟିକାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଯେଉଁଥିରେ ୮୦୦ ପାଚିକା ଭାଗ ନେଇଥିଲେ । ଆଗାମୀ ଦିନରେ ବ୍ଲକ ଓ କ୍ଲଷ୍ଟର ସ୍ତରରେ ତାଲିମ ଦେବାକୁ ସ୍ଥିର ହୋଇଛି । ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ଓ ପୁଷ୍ଟିକର ଖାଦ୍ୟ କିଭଳି ପ୍ରସ୍ତୁତ ହେବ ଏ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଛନ୍ତି ଏମଡିଏମ ନୋଡାଲ ଅଫିସର ।
ଚାଉଳଠୁ ଆରମ୍ଭ କରି ଡାଲି, ଆଳୁ, ପନିପରିବା, ଖାଇବା ତେଲ ଆଦି ସବୁ ସାମଗ୍ରୀର ଦର ବଢ଼ି ଚାଲିଛି । ଆଉ ଏହାର ପ୍ରଭାବ ସିଧାସଳଖ ମଧ୍ୟାହ୍ନ ଭୋଜନ ଉପରେ ପଡିଛି । ତେଣୁ ଏଭଳି ସ୍ଥିତିରେ ଟଙ୍କାଟିଏ ବୃଦ୍ଧି ଗୁଣାତ୍ମକ ଭୋଜନ ଦେବାରେ କେତେ ସହାୟକ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

