spot_img
Home Blog Page 1746

ମେଡିକାଲ ପ୍ରବେଶିକା ପରୀକ୍ଷା ପେପର ଲିକ୍ ପ୍ରସଙ୍ଗ: ପ୍ରଶ୍ନପତ୍ର ଲିକ୍ ହୋଇଥିବା ମାନିଲେ ୪ ଛାତ୍ର !

ନନ୍ଦିଘୋଷ ବ୍ୟୁରୋ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପେପର ଲିକ୍ ମାମଲାରେ ବଡ଼ ଖୁଲାସା। ଗୋଟିଏ ଦିନ ଆଗରୁ ପ୍ରଶ୍ନପତ୍ର ମିଳିଥିବା ସ୍ଵୀକାର କଲେ ୪ ଅଭିଯୁକ୍ତ ଛାତ୍ର। ବିହାରର ଅନୁରାଦ ଯାଦବ ନାମକ ଛାତ୍ର ଏହିକଥା ସ୍ଵୀକାର କରିଛନ୍ତି। ପରୀକ୍ଷା ପୂର୍ବଦିନ ମିଳିଥିଲା ନିଟ୍ ପ୍ରଶ୍ନପତ୍ର। ସାରା ରାତି ପିଲାମାନେ ପରୀକ୍ଷା ପ୍ରସ୍ତୁତି କରିଥିଲେ। ଅଭିଯୁକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏହି ପ୍ରଶ୍ନପତ୍ର ଯୋଗାଡ଼଼ କରିଥିଲେ। ଅନୁରାଗ ରାଜସ୍ଥାନର କୋଟାରେ କୋଚିଂ ନେଉଥିଲେ। ତେବେ ଛାତ୍ରଙ୍କ ସମ୍ପର୍କୀୟ ତାଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ। ୫ ଜୁନରେ ପରୀକ୍ଷା ଥିବାବେଳେ ୪ ତାରିଖ ଦିନ ରାତିରେ ଏହି ପ୍ରଶ୍ନପତ୍ର ମିଳିଥିଲା। ପ୍ରଶ୍ନପତ୍ର ସହ ଉତ୍ତର ପତ୍ର ମଧ୍ୟ ମିଳିଥିଲା। ଅନ୍ୟ ଏକ ସ୍ଥାନରେ ସେ ଅଭିଯୁକ୍ତ ଛାତ୍ର ଅନୁରାଗକୁ ନେଇ ଛାଡିଥିଲେ। ପରୀକ୍ଷାରେ ସମାନ ପ୍ରଶ୍ନପତ୍ର ପଡିଥିଲା ବୋଲି କହିଛନ୍ତି ଅନୁରାଗ ଯାଦବ। ଏହାପରେ ପରୀକ୍ଷା ସରିବା ପରେ ପୋଲିସ ଆସି ତାଙ୍କୁ ଧରିଥିଲା। ତଦନ୍ତ ବେଳେ ଏ ସମସ୍ତ କଥା ମାନିଛନ୍ତି ସମ୍ପୃକ୍ତ ଛାତ୍ର।

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ମାମଲାରେ ବିହାର ପୋଲିସ ଆର୍ଥିକ ଅପରାଧ ଶାଖାକୁ ରିପୋର୍ଟ ମାଗିଛି। ନିଟ୍ ପେପର ଲିକ ଘଟଣାକୁ ନେଇ ଦେଶର ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଛି। ସୁପ୍ରିମକୋର୍ଟ ସମେତ ଦେଶର ଏକାଧିକ ହାଇକୋର୍ଟରେ ଏ ପ୍ରସଙ୍ଗରେ ମାମଲା ରୁଜୁ ହୋଇଛି। ଦେଶର ବିଭିନ୍ନ ହାଇକୋର୍ଟରେ ପ୍ରସଙ୍ଗକୁ ନେଇ ରୁଜୁ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟରୁ ସ୍ଥାନାନ୍ତର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତା ମେଡିକାଲ କାଉନସେଲିଂ ବନ୍ଦ ହେବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିଟ ପରୀକ୍ଷାରେ ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଗତ ୧୪ ତାରିଖରେ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାର ଥିଲା। ତେବେ ଉତ୍ତରପୁସ୍ତିକା ମୂଲ୍ୟାଙ୍କନ ଆଗରୁ ସରିଯାଇଥିବାରୁ ୪ ଜୁନରେ ରେଜଲ୍ଟ ପ୍ରକାଶ ପାଇଥିଲା। ନିଟ୍ ରେଜଲ୍ଟ ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ ନିକଟରେ ଉତ୍ତର ରଖି ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରାଯାଇଥିବା କହିଛି ଏନଟିଏ। ସେମାନଙ୍କ ଲାଗି ଜୁନ ୨୩ରେ ହେବ ପୁନଃପରୀକ୍ଷା।

NEET Exam Paper Was Leaked: 4 Arrested Students Tell Bihar Police

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ପୁଣି ଦୁଇ ଅଭିଯୁକ୍ତ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା । ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ବାଲିଗୁଡ଼ାର ଶ୍ୟାମସୁନ୍ଦର ପାତ୍ର ଓ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଥିବା ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଗୋପାଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତ ଅନ୍ନଦା ପ୍ରସାଦ ଆଚାର୍ଯ୍ୟଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି । ଅନ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ତନାଘନା ଜାରି ରଖିଛି ।

ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢୀ। ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ସର୍ବସମ୍ମତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ କରିଥିଲେ । ଏହାପରେ ସୁରମା ସର୍ବସମ୍ମତ ଓ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏନେଇ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାର ସ୍ବାଇଁ ଘୋଷଣା କରିବା ପରେ ଗୃହର ସଦସ୍ଯଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିବା ସହ ଆସନ ଅଳଙ୍କୃତ କରିଥିଲେ ସୁରମା । ଆସନ ଗ୍ରହଣ କରିବା ପରେ ବାଚସ୍ପତି ଗୃହ ପରିଚାଳନା କରିଥିଲେ ।
ଗୃହରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତି ସମସ୍ତଙ୍କୁ ଧନ୍ଯବାଦ ଦେବାସହ ନିରପେକ୍ଷତା ଅବଲମ୍ବନ କରି ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରତିଶୃତି ଦେଇଛନ୍ତି।

ସୁରମା ହୋଇଛନ୍ତି ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି । ପୂର୍ବରୁ ନବୀନ ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା ପାଢୀ । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ସେ ଯୋଗଦେଇଥିଲେ । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ପ୍ରଥମ କରି ରଣପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ସୁରମା ।

ଡିପଥେରିଆ ନେଲା ଆଉ ଏକ ଜୀବନ

କୋରାପୁଟ: ଡିପଥେରିଆ ନେଲା ଆଉ ଏକ ଜୀବନ। କୋରାପୁଟ ଜିଲ୍ଲାରୁ ସ୍ଥାନାନ୍ତର ଜଣେ ଶିଶୁର ମୃତ୍ଯୁ ହୋଇଛି। ଡିପଥେରିଆରେ ପୀଡିତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ମୃତ ଶିଶୁ ଜଣକ ହେଲେ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁ ଗାଁର ଜିପୁନା ମେଲକା। ୧୭ ତାରିଖରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିପୁନାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ପରିସ୍ଥିତିକୁ ଦେଖି କାଶୀପୁର ବ୍ଲକରେ ୧ ବର୍ଷରୁ କମ୍ ଶିଶୁଙ୍କୁ ପେଣ୍ଟା ଟିକା, ୧ ରୁ ୭ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିପିଟି ଗୋଟିଏ ଡୋଜ ଏବଂ ୭ ବର୍ଷ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିଡି ଭ୍ୟାକସିନ ଦିଆଯାଉଛି। ସ୍ବାସ୍ଥ୍ୟ କର୍ମୀ ଘରଘର ବୁଲି ଟିକା ଦେଉଛନ୍ତି। ଗତକାଲି କାଶୀପୁର ବ୍ଲକର ଗୁମୁଣ୍ଡିମାଣ୍ଡି, ତେନ୍ତୁଳିପଦର, ଭେଣ୍ଡିଆଯୋଡି, ଖମପପଦର, କଦଳିଖୋଲ ଗାଁରେ ଟିକାକରଣ ହୋଇଛି।

ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ: ସୁରମା ପାଢୀ ହୋଇପାରନ୍ତି ଦ୍ବିତୀୟ ମହିଳା ବାଚସ୍ପତି

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ । ବିଜେପି ବିଧାୟିକା ସୁରମା ପାଢୀ ହୋଇପାରନ୍ତି ବିଧାନସଭାର ନୂଆ ତଥା ଦ୍ବିତୀୟ ମହିଳା ବାଚସ୍ପତି । ସୁରମାଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୁରମାଙ୍କ ବ୍ଯତୀତ ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସେ ହିଁ ନିର୍ବାଚିତ ହେବା ନିଶ୍ଚିତ ହୋଇଛି । ଆଜି ବାଚସ୍ପତି ନିର୍ବାଚନ ରହିଥିବାବେଳେ ସୁରମା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାଶ ନିଶ୍ଚିତ ହୋଇଛି ।

ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା। ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସୁରମା । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ୧୩ତମ ଓଡ଼ିଶା ବିଧାନସଭାକୁ ସେ ରଣପୁରରୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ସେ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜୟୀ ହୋଇଛନ୍ତି ସୁରମା । ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି ।

ବହୁଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ଯା ମାମଲା: ଆଜି ସରିବ ଫିଲ୍ମତାରକା ଦର୍ଶନଙ୍କ ହେପାଜତ ଅବଧି

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ରେଣୁକାସ୍ବାମୀ ହତ୍ଯା ମାମଲା । ଆଜି ସରୁଛି ଅଭିଯୁକ୍ତ ତଥା କନ୍ନଡ ଫିଲ୍ମତାରକା ଦର୍ଶନ ଥୁଗୁଦୀପାଙ୍କ ହେପାଜତ ଅବଧି । ଜେରା କାଳରେ ଦର୍ଶନଙ୍କଠାରୁ ପୋଲିସ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଥିବା ସୂଚନା ମିଳିଛି । ୩୩ ବର୍ଷ ବୟସ୍କ ରେଣୁକାସ୍ବାମୀ ହତ୍ଯା ମାମଲାରେ ଦର୍ଶନଙ୍କୁ ଗତ ଜୁନ ୧୧ରେ ଗିରଫ କରିଥିଲା ପୋଲିସ । ଏହାସହ ଅନ୍ୟ ୧୯ଜଣ ବି ହୋଇଛନ୍ତି ଗିରଫ। ଗିରଫଙ୍କ ମଧ୍ଯରେ ଅଛନ୍ତି ଅନୁ କୁମାର, ଜଗଦୀଶ ଓ ରବି ।  ସେପଟେ ଦର୍ଶନଙ୍କ ବିରୋଧରେ ଆସିଛି ଆଉ ଏକ ସାଂଘାତିକ ମାମଲା । ମହୀଶୂରରେ ଗତ ୨୦୨୩ ଫେବ୍ରୁଆରୀ ୨୬ରେ ସେ ଜଣେ ବ୍ଯବସାୟୀଙ୍କୁ ଧମକ ଦେବା ସହ ଆକ୍ରମଣ କରିବାର ଏକ ଭିଡିଓ ଭାଇରାଲ ହୋଇଛି । ବ୍ୟବସାୟୀ ଯଶଓ୍ବନ୍ତଙ୍କୁ ଏକ ପବରେ ଦର୍ଶନ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଏହି ଭିଡିଓରେ ରହିଛି । ଅଭିନେତା ପୁନୀଥ ରାଜକୁମାରଙ୍କ ଏକ ଗୀତ ବୋଲିବା ଲାଗି ଯଶବନ୍ତ ଜକିଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏହାକୁ ବିରୋଧ କରିଥିଲେ ଦର୍ଶନ ।

ସେପଟେ ଦର୍ଶନଙ୍କ ଆରଆର ନଗରସ୍ଥିତ ଘରୁ ପୋଲିସ କିଛି ପୋଷାକ ଓ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଥିବା ଜଣାଯାଇଛି ।ସେପଟେ ଆଉ ଏକ ବିବାଦ ବି ଆସିଛି ସାମ୍ମାନାକୁ। ଦର୍ଶନଙ୍କ ପୂର୍ବତନ ମ୍ଯାନେଜର ମଲ୍ଲିକାର୍ଜୁନ ବି. ଶଙ୍କନାଗୌଦରଙ୍କ ନିଖୋଜ ସନ୍ଦେହ ଏବେ ଘନୀଭୂତ ହୋଇଛି । କର୍ଣ୍ଣାଟକ ଗଦାଗ ଜିଲ୍ଲାର ମଲ୍ଲିକାର୍ଜୁନ ନାମକ ବ୍ଯକ୍ତି ଦର୍ଶନଙ୍କ ମ୍ଯାନେଜର ଭାବେ କାମ କରୁଥିଲେ । ମାତ୍ର ୨୦୧୬ ପରଠାରୁ ସେ ନିଖୋଜ ଅଛନ୍ତି । ବିଭିନ୍ନ ଫିଲ୍ମରେ ସେ ପୁଞ୍ଜିନିବେଶ କରିଥିଲେ ଏବଂ ସେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏପରକି ଅଭିନେତା ଅର୍ଜୁନ ସାରଜା ୨୦୧୬ ପୂର୍ବରୁ ମଲ୍ଲିକାର୍ଜୁନଙ୍କୁ କୋଟିଏ ଟଙ୍କା ଧାର ସୂତ୍ରରେ ଦେଇଥିଲେ । ମାତ୍ର ଟଙ୍କା ଫେରସ୍ତ ନ କରିପାରିବାରୁ ମଲ୍ଲିକାର୍ଜୁନଙ୍କ ବିରୋଧରେ ମାମଲା ଦାୟର କରିଥିଲେ ଅର୍ଜୁନ। ତେବେ ଦର୍ଶନଙ୍କଠାରୁ ବି ମଲ୍ଲିକାର୍ଜୁନ ୨ କୋଟି ଟଙ୍କା ହଡପ କରିଥିବା କୁହାଯାଉଛି । ଏପରିସ୍ଥଳେ ମଲ୍ଲିକାର୍ଜୁନଙ୍କ ନିଖୋଜ ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି ।

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୫୮ ମସିହା ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ତାଙ୍କର ଜନ୍ମ ହୋଇଥିଲା  । ୧୯୯୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ପ୍ରଥମେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ହୋଇଥିଲେ । ୨୦୦୦ ଓ ୨୦୦୪ରେ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୨୦୦୨ ମସିହା ଯାଏଁ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୭ରେ ସେ ଲାଭ କରିଥିଲେ ଶ୍ରେଷ୍ଠ ବିଧାୟିକା ପୁରସ୍କାର ।

ଏହାପରେ ୨୦୧୫ରୁ ୨୦୨୧ ଝାଡ଼ଖଣ୍ଡ ରାଜ୍ୟପାଳ ରହିଥିଲେ। ଦ୍ରୌପଦୀ ପ୍ରଥମ ଓଡ଼ିଆ ମହିଳା ଯେ କି ଅନ୍ୟ ରାଜ୍ୟରେ ରାଜ୍ୟପାଳ ହୋଇଥିଲେ । ପରେ ରାଇରଙ୍ଗପୁରରୁ ରାଇସିଲା ହିଲକୁ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।  ୨୦୨୨ ମସିହାରୁ ସେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ରାଷ୍ଟ୍ରପତିଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି ।

 

ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ପର୍ବ

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିଛନ୍ତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରକ୍ଷକ ଭାବେ ପରିଚିତ ଦଇତାପତି ସେବକମାନେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସମସ୍ତ ନୀତି ନିର୍ବାହ କରିବାର ପ୍ରଥା ରହିଛି । ଦଇତା ପ୍ରବେଶ ପରେ ଶ୍ରୀଜିଉଙ୍କ ବଡସିଂହାର ଭୋଗ, ପହୁଡ ଆଳତି ହେବ ।  ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଢାଙ୍କି ସବୁ ନୀତି କରାଯିବ । ବଡସିଂହାର ପରେ ଦଇତା ସେବକମାନେ ପ୍ରଭୁଙ୍କ ବାହୁଟକଣ୍ଟ ନୀତି ସଂପାଦନ କରିବେ । ପରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ପ୍ରବେଶ କରିବେ । ଚାର ବନ୍ଧାଯିବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ସଂପନ୍ନ କରିବେ ।

ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେବ ସ୍ନାନ ଯାତ୍ରା ପରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା କରିବେ । ନବଯୌବନ ଦର୍ଶନ ପରେ ଦଇତା ସେବକମାନେ ରଥଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଇବାର ବିଧି ରହିଛି।

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା

ଭଦ୍ରକ: ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ରାତି ଅଧିଆ ଚଢାଉ ବେଳେ ପୋଲିସକୁ ଅଟକ ରଖିଲେ ଗାଁ ଲୋକ । ଭଦ୍ରକ ଜିଲ୍ଲା ବ୍ରହ୍ମଡିଗିରି ଗାଁର ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା। ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ହତ୍ଯା ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ। କରଞ୍ଜମାଳ ଗାଁରେ ଅଭିଯୁକ୍ତ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବ୍ରହ୍ମଟିକିରି ଗାଁରେ ଲୁଚିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ହେଲେ ପୋଲିସ ଅଭିଯୁକ୍ତ ବଦଳରେ ଅନ୍ଯ ଜଣଙ୍କ ଝରକା କବାଟ ଭାଙ୍ଗି ଘର ଭିତରେ ପଶିଥିଲା । ସଂପୃକ୍ତ ପରିବାର ପୋଲିସ ନାଁରେ ଲୁଟ୍ ଅଭିଯୋଗ ଆଣିଛନ୍ତି ।

ପୋଲିସ ସୁନାଗହଣା ସହ ଦେଢ ଲକ୍ଷ ଟଙ୍କା ନେଇଥିବା ଏବଂ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ଦୁଇ ଏଏସଆଇ ଓ ୫ ଜଣ କନଷ୍ଟେବଳଙ୍କୁ ଅଟକ ରଖିଥିଲେ ଗାଁ ଲୋକ। ପରବର୍ତ୍ତୀ ସମୟରେ ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ବୁଝାସୁଝା ପରେ ପୋଲିସକୁ ଲୋକମାନେ ଛାଡିଥିବା ସୂଚନା ମିଳିଛି ।

ସ୍ବାଭାବିକ ହେଉଛି ବାଲେଶ୍ବର, ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ

ବାଲେଶ୍ବର: ସ୍ବାଭାବିକ ହେଉଛି ବାଲେଶ୍ବର। ଗୋଷ୍ଠୀ ସଂଘର୍ଷ ଯୋଗୁଁ ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ଯୁ ବଳବତ୍ତର ରହିଛି । ତେବେ ଆଜି କର୍ଫ୍ଯୁକୁ ୪ ଘଣ୍ଟା କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ କୋହଳ ହୋଇଛି । ଏହି ସମୟରେ ଲୋକମାନେ ସେମାନଙ୍କର ଅତ୍ଯାବଶ୍ଯକ ସମାଗ୍ରୀ କିଣାକିଣି କରୁଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ସହରରେ ଇଣ୍ଟରନେଟ ସେବା ବନ୍ଦ ରହିବ । କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଛି । ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଇଛି । ଆସନ୍ତା କାଲି ଯାଏଁ ସହରର ସମସ୍ତ ସ୍କୁଲ୍, କଲେଜ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଗୋଟିଏ କମ୍ପାନୀ ବିଏସଏଫ୍ ବାଲେଶ୍ବରରେ ମୁତୟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୫କମ୍ପାନୀ ବିଏସଏଫ ଆସିବା ନେଇ ସୂଚନା ମିଳିଛି। କର୍ଫ୍ଯୁ ଉଲ୍ଲଂଘନ କରିଥିବା ୩୦ ଜଣଙ୍କୁ ଅଟକ ରଖାଯାଇଛି । ଗଣ୍ଡଗୋଳ ଘଟଣାରେ ଏଯାଏଁ ୪୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସହରକୁ କିପରି ଶାନ୍ତି ଫେରିବ ସେନେଇ ଅନୁଧ୍ଯାନ କରାଯାଉଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ପୋଲିସ ଘନଘନ ପଇଁତରା ମାରିବା ସହ କଡ଼ା ନଜର ରଖିଛି । ଗତ ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷରୁ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା ।