ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ବିତୀୟ ଦିନ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ନେଇ ଲୋକଙ୍କୁ ସଚେତନ କରାଯାଉଛି । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯାଉଛି । ଏଥର ଦୁଇଟି ପର୍ଯ୍ଯାୟରେ ୧୫ ଦିନ ଧରି ବିଜେଡି ପଦଯାତ୍ରା ହେଉଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୬ ତାରିଖ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ । ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ। ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ । ପଦଯାତ୍ରା ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଜେଡି ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଏହାସହ ବିଜେପି ସରକାରର ବିଫଳତା, ପ୍ରତାରଣା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଜଣାଇବ ବିଜେଡି।
ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । ଗତ କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି ।
ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । କିଏ ମା ଓ ବାପାକୁ ହରାଉଛି ତ କିଏ ତା ଛୁଆକୁ ହରାଉଛି । କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ମାଆ ଆଗରେ ତାର ଦୁଇ ଯାଆଁଳା ପିଲା ଟ୍ରକ ତଳେ ଚାପିହୋଇ ମୃତ୍ଯୁବରଣ କରିଥିଲା । ମାଆଟି ରାସ୍ତା ଉପରେ ତା ମୃତ ପିଲାଙ୍କୁ କୋଳରେ ଧରି ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ଯ ସମସ୍ତଙ୍କୁ ବ୍ଯଥିତ କରିଥିଲା । ଘଟଣା ପରେ ଉତ୍ତ୍ଯକ୍ତ ଲୋକେ ରାସ୍ତାରୋକ କରିଥିଲେ । ଫଳରେ କିଛି ସମୟ ପାଇଁ କଟକ-ଅନୁଗୁଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଉତ୍ତ୍ଯକ୍ତ ଲୋକେ ସବୁ ଧାରଣାରୁ ଉଠିଥିଲେ ।
ଦୁର୍ଘଟଣା ପରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ପୋଲିସ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । ତଥାପି ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବା ନେଇ ଅଭିଯୋଗ ହେଉଛି । ଅନ୍ଯପଟେ ଢେଙ୍କାନାଳ ଦେଇ ଯାଇଥିବା ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି । ବର୍ଷା ଦିନେ ରାସ୍ତାର ଅବସ୍ଥା କହିଲେ ନସରେ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବା ବେଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ଯାହାକୁ ନେଇ ଗତ କିଛି ଦିନ ତଳେ ମନ୍ତ୍ରୀ ରବି ନାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଉତ୍ୟକ୍ତ ଲୋକେ ଏନଏଚ ୫୫ କୁ ୩ ଘଣ୍ଟା ଧରି ବନ୍ଦ ରଖିବା ସହିତ ମନ୍ତ୍ରୀଙ୍କୁ ଅଟକ ରଖିଥିଲେ। ସେପଟେ ଦୁର୍ଘଟଣାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଢେ଼ଙ୍କାନାଳ ମହିଶିଆଁ ପାଟ ଛକ, କଣ୍ଟା ନାଳୀ ବାଇପାସ୍ ଓ ଗୋବିନ୍ଦ ପୁର ଛକରେ ଓଭର ବ୍ରିଜ ନିର୍ମାଣ ପାଇଁ ଏନଏଚ ବିଭାଗକୁ ଚିଠି ଲେଖିଛନ୍ତି। ସେପଟେ ଦୁର୍ଘଟଣାର ହଟସ୍ପଟ ପାଲଟିଥିବା ସ୍ଥାନ ମାନଙ୍କରେ ୭ ଦିନ ମଧ୍ଯରେ ସ୍ପିଡ ଲିମିଟ କ୍ଯାମେରା ଲଗାଯିବ ବୋଲି ସଦର ତହସିଲଦାର କହିଛନ୍ତି ।
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ନନ୍ଦିଘୋଷ ବ୍ୟୁରୋ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । କ୍ରମଶଃ ଏହା ପଶ୍ଚିମ ଉତ୍ତର – ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ । ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍ । ଏହା କେବଳ ଲଘୁଚାପ ହୋଇ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହାକୁ ନେଇ କୌଣସି ବାତ୍ୟା ଭୟ ନଥିବା କହିଛନ୍ତି ଭାରତୀୟ ପାଣିପାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।
ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଓ ରହିବ : ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଓ ରହିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାରେ ଅଭିଭାଷଣ ରଖି ଦୃଢୋକ୍ତ ଦେଖାଇଛନ୍ତି । ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଲୋକଙ୍କ ସୁଖ ଦୁଃଖରେ ଦଳ ସାମିଲ ଅଛି । ସ୍ୱାଭିମାନ ସହ ଲୋକଙ୍କ ସହ ଦଳ ରହିଛି । ଦଳ ବିକାଶରେ ବିଶ୍ୱାସ କରେ । ଗତ ୨୪ ବର୍ଷରେ ବିଜେଡି ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ବାସ୍ଥ୍ଯ, ସ୍ବଚ୍ଛ ପ୍ରଶାସନ, ମହିଳା ସଶକ୍ତିକରଣ, ନିବେଶ ବୃଦ୍ଧି ଆଦି କରି ରାଜ୍ଯ ବିକାଶରେ ବ୍ରତୀ ହୋଇପାରିଥିଲା । ଏଥିପାଇଁ ରାଜ୍ଯରେ ଅର୍ଥନୈତିକ ସ୍ଥିରତା ଆସିଥିଲା । ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ଖସିଛି ଦାରିଦ୍ର୍ଯ ସୀମାରେଖା । ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ଦ୍ବାରା ବିଜେଡି ସରକାର ଲୋକଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି କରିପାରିଥିଲା । ଯାହା ଡବଲ ଇଞ୍ଜିନ ସରକାର ରାଜ୍ଯରେ ନାହିଁ । ଡବଲ ଇଞ୍ଜିନ ସରକାରଠୁ ଓଡିଶା ଆଗରେ ପହଞ୍ଚିଥିଲା । ବିଏସକେୱାଇରେ ଲୋକେ ବହୁତ ସୁବିଧା ପାଉଥିଲେ । ହେଲେ ବିଜେପି ସରକାର ଏବେ ଏହାର ନାଁ ବଦଳାଇ ଦେଇଛି । ଏଥିରେ କିଛି ଲାଭ ହେବନି ବୋଲି କହିଛନ୍ତି ନବୀନ । ଆଜି ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଜେଡିର ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ନବୀନ । ଏହି ଅବସରରେ ସେ କହିଥିଲେ, ପଦଯାତ୍ରା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ଶକ୍ତିଶାଳୀ ମାଧ୍ଯମ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନବୀନ ପହଞ୍ଚି ଚାଲିଚାଲି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ । ଏହି ଅବସରରେ ଜନସାଧାରଣ, ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କୁ ସ୍ବାଗତ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ସେଠାରୁ ନେତାଜୀ ପଡ଼ିଆକୁ ଯାଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ନବୀନ । ସେଠାରେ ନବୀନଙ୍କୁ ସମସ୍ତେ ପାଛୋଟି ନେବା ସହ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜଣ ଜଣ କରି ନବୀନ ଭେଟିବା ସହ ସମସ୍ତଙ୍କଠୁ ଫୁଲ ଗ୍ରହଣ କରିଥିଲେ ।.. ..
ମଣିପୁରରେ ପୁଣି ହିଂସା
ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପୁଣି ହିଂସା। ଚୁରାଚାନ୍ଦପୁର ନିକଟସ୍ଥ ଆଙ୍ଗଲୋ-କୁକୀ ଯୁଦ୍ଧସ୍ମାରକୀ ଗେଟ୍ ନିକଟରେ ଜଣେ କୁକୀ ନେତାଙ୍କ ଗୁଳିବିଦ୍ଧ ମୃତଦେହ ଠାବ ହୋଇଛି। ସେ କୁକୀ ସଂଗଠନର ଜଣେ ଆତ୍ମଘୋଷିତ କମାଣ୍ଡର ବୋଲି ସୂଚନା ମିଳିଛି। ଚୁରାଚାନ୍ଦପୁରର କାପରଙ୍ଗ ଗ୍ରାମର ଏହି କମାଣ୍ଡର ହେଉଛନ୍ତି ଶେଖୋହାଓ। ସେ ସଂଯୁକ୍ତ କୁକୀ ଜାତୀୟ ସେନାର କମାଣ୍ଡର ବୋଲି କୁହାଯାଇଛି। ସେପଟେ ରାଜ୍ଯର ବିଭିନ୍ନ ସ୍ଥାନରେ ପୁଣି ମେଇତେଇ ଓ କୁକୀଙ୍କ ମଧ୍ଯରେ ଉତ୍ତେଜନା ଦେଖାଯାଇଛି। ଗତବର୍ଷ ମେ ମାସରୁ ହୋଇଥିବା ସଂଘର୍ଷର ୨୨୦ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି। ସଂଖ୍ଯାଲଘୁ ମେଇତେଇମାନେ ତଫସିଲଭୁକ୍ତ ଜନଜାତି ମାନ୍ଯତା ଦାବି କରୁଥିବାରୁ ଏହାକୁ ନେଇ ସଂଘର୍ଷ ତୀବ୍ର ହୋଇଛି।
ଧର୍ମଶାଳା ବିଜେପିରେ ଗୋଷ୍ଠୀ କନ୍ଦଳ !
ନନ୍ଦିଘୋଷ ବ୍ୟୁରୋ: ଧର୍ମଶାଳାରେ ବିଜେପି-ବିଜେପି ମୁହାଁମୁହିଁ । ଦୁଇ ଗୋଷ୍ଠୀ ଭିତରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ଜେନାପୁର ଥାନା ଅଧୀନ ବାରକଣା ଖେଳ ପଡିଆରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମକୁ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ସ୍ମୃତିରେଖା ପହିଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଧସ୍ତାଧସ୍ତି ହେବା ସହ ଟେକା ପଥର ମାଡ଼ ମଧ୍ୟ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ବୁଝାସୁଝା କରୁଛି । ନିର୍ବାଚନ ପୂର୍ବରୁ ଲାଗି ରହିଥିବା ହିମାଂଶୁ ଓ ସ୍ମୃତିରେଖାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉ ନଥିବାବେଳେ ଯେଉଁଠି ଦୁଇ ଗୋଷ୍ଠୀ ଏକାଠି ହେଉଛନ୍ତି ସେଠାରେ ଏକ କନ୍ଦଳ ସୃଷ୍ଟି ହେଉଛି । ଯାହା ଆଜି ଉଗ୍ରରୂପ ନେଇଛି ।
ନାଁ ବଦଳେଇପାର କିନ୍ତୁ ଇତିହାସ ବଦଳାଇପାରିବନି: ନବୀନ
ଭୁବନେଶ୍ବର : ଆଜି ଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ବର ନେତାଜୀ ପଡିଆରେ ନଜସଭାକୁ ସମ୍ବୋଧନ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି । ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି । ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି । ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି । ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନ ବେଳେ ହାତୀ ଦେବି ଘୋଡ଼ା ଦେବି ବୋଲି କହିଥିଲା ବିଜେପି । ଏବି ବିଜେପିର ମିଛକୁ ଜାଣି ସାରିଲେଣି ଓଡ଼ିଶାର ଲୋକ । ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ । ଓଡ଼ିଶାରେ ମା’ମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି । ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏହି ସରକାରକୁ ଲୋକ ଭରସା କରି ପାରୁନାହାନ୍ତି । ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଓଡ଼ିଶାର ଦ୍ରାରିଦ୍ର୍ୟ ୭୦ ପ୍ରତିଶତ ଥିଲା । ଆଜି ଏହା ୧୦ ପ୍ରତିଶତକୁ କମିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଆନେକ ଡବଲ ଇଂଜିନ ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ ଅଛି । ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି । ମୁଁ ସରକାରରେ ଥାଏ କି ନଥାଏ ଆପଣ ମାନଙ୍କ ସେବା କରିବି । ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଆଉ ରହିବ ।
ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍
ଜୟପୁର : କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡୁମୁରିପଦର ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ବସଟି ରାୟଗଡ଼ାରୁ କୋରାପୁଟ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଛି । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭର ଗାଡ଼ିରେ ଚାପିହୋଇ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଛି ।
5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା
ବିଞ୍ଝାରପୁର : 5T ସ୍କୁଲକୁ ମିଳିଲା ପିଏମଶ୍ରୀର ମାନ୍ୟତା। ନବୀନ ସରକାର ସମୟରେ କରଯାଇଥିଲା ସ୍କୁଲର ଉନ୍ନତିକରଣ। ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟକୁ ଏହି ମାନ୍ଯତା ମିଳିଛି। ଯାଜପୁର ଜିଲ୍ଲାରେ ୧୨ ଟି ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ବିଞ୍ଝାରପୁର ବ୍ଲକର ଏକ ମାତ୍ର ସ୍କୁଲ ଭାବେ ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟ ଏହି ମାନ୍ୟତା ପାଇଛି । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଭିତ୍ତିଭୁମି, ସ୍ମାର୍ଟ କ୍ଲାସରୁମ, ପିଲାଙ୍କ ପାଇଁ ପ୍ରଶସ୍ଥ ଖେଳ ପଡିଆ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଥିବ ତେବେ ସେହି ବିଦ୍ୟାଳୟ ଗୁଡିକ ପିଏମଶ୍ରୀ ଶ୍ରେଣୀରେ ଅନ୍ତର୍ଗତ ହେବ। ପୂର୍ବ ସରକାର ସମୟରେ 5T ସ୍କୁଲ ମଧ୍ଯରେ ଏହି ସ୍କୁଲର ଉନ୍ନତିକରଣ କରାଯାଇଥିବା ସହ ସ୍ଥାନୀୟ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ଏହି ସ୍କୁଲ ପାଇଁ ଅନେକ ଅବଦାନ ରହିଛି। ପିଏମଶ୍ରୀ ମାନ୍ୟତା ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅଂଚଳବାସୀ ନିଜର ଖୁସୀ ବ୍ୟକ୍ତ କରିଛନ୍ତି।
ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ, ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା !
ଅନୁଗୁଳ : ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ଅଭିଯୋଗ । ଶିଶୁ ବଦଳକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଗତ ସେପ୍ଟେମ୍ବର ୨୭ରେ ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଡ୍ୟାମ ସାହିର ବାପୁ ଗୋଛାୟତଙ୍କ କଣିହାଁ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟିର ଓଜନ କମ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗତ ୨୮ ତାରିଖ ଦିନ ଶିଶୁଟିକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଶିଶୁଟିକୁ ଆଇସିୟୁର ୧୬ନମ୍ୱର ବେଡରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ମଙ୍ଗଳବାର ଦିନ ଶିଶୁଟିକୁ ୧୨ନମ୍ବର ବେଡକୁ ସ୍ଥାନନ୍ତରିତ କରାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଶିଶୁଟିକୁ କାହିଁକି ସ୍ଥାନାନ୍ତରିତ କରାଗଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ । ଅଧିକ ଅକ୍ସିଜେନ ପାଇଁ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ସନ୍ଧ୍ୟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିବା ପରେ ମେଡିକାଲରେ ଚାପା ଉତ୍ତେଜନା ଦେଖା । ଶିଶୁଟିକୁ ବଦଳ କାରାଯାଇଥିବା ଅଭିଯୋଗ କରି ପାରିବାର ଲୋକ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ଅନୁଗୁଳ ଟାଉନ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା ।…

