spot_img
Home Blog Page 1743

ସାମ୍ନାକୁ ଆସିଲା ଚିକିଟି ମଦମୃତ୍ଯୁର ସାଂଘାତିକ ସତ

ନନ୍ଦିଘୋଷ ବ୍ୟୁରୋ: କେମିତି ଦେଶୀମଦ ହେଉଥିଲା ବିଶାକ୍ତ । ସାମ୍ନାକୁ ଆସିଲା ଚିକିଟି ମଦମୃତ୍ଯୁର ସାଂଘାତିକ ସତ । ଦେଶୀ ମଦରେ ମିଶିଥିଲା ସମୁଦିମୂଳର ଚେର । ସମୁଦିମୂଳର ଚେର ଦେଶୀ ମଦରେ ମିଶାଇବା ଦ୍ବାରା ମଦ ଅଧିକ ନିଶାଯୁକ୍ତ ହୋଇଥାଏ । ଏହି ସମୁଦିମୂଳ ଚେର ଘଞ୍ଚ ଜଙ୍ଗଲରେ ମିଳିଥାଏ । ବିଷାକ୍ତ ମଦ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ପବନା ସାହୁକୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରିବା ପରେ ଏବେ ଏହି ସତ ସାମ୍ନାକୁ ଆସିଛି । ଦିଗପହଣ୍ଡିରୁ ପବନା ସାହୁକୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ । ଦିଗପହଣ୍ଡିର ସୁରେନ୍ଦ୍ର ମଲ୍ଲିକଙ୍କଠାରୁ ସମୁଦିମୂଳ ଚେର ମିଶିଥିବା ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ବିକ୍ରି କରିଥିଲା ପବନା । ଗତ ୧୯ ତାରିଖରେ ପବନା ୨୦ ଲିଟର ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ଥିବା ବିଷୋୟୀ ବନ୍ଧ ହୁଡ଼ା ନିକଟରେ ବିକ୍ରି କରିଥିଲା । ବିଷାକ୍ତ ମଦ ବିକ୍ରି ଘଟଣାରେ କେ.ନୂଆଗାଁ ଥାନା ପୋଲିସ ପୂର୍ବରୁ ସୁରେନ୍ଦ୍ରକୁ ଗିରଫ କରିସାରିଥିଲା । ମଦମୃତ୍ଯୁ ଘଟଣାରେ ପବନାର ବାପା ବାୟା ସାହୁ ଓ ଭାଇ ବିପିନ ସାହୁ ସମେତ ଏଯାଏଁ ୯ ଜଣ ଗିରଫ ହୋଇଛନ୍ତି ।

ଲଗାଣ ବର୍ଷାରେ ଭାସିଗଲା କାର

ନନ୍ଦିଘୋଷ ବ୍ୟୁରୋ: ଲଗାଣ ବର୍ଷାରେ ଭାସିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି ଠାରୁ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଜିଲ୍ଲାର ସଦର ଥାନା ରସରାଜପୁର-ଦେଓଗାଁ ରାସ୍ତା ଝଙ୍କରା ନିକଟରେ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ସୁନ୍ଦରଗଡ଼ ପଟରୁ ଏକ କାର ସେହି ରାସ୍ତା ଦେଇ ପୋଲ ଅତିକ୍ରମ କରୁଥିବା ବେଳେ କାରଟି ଭାସି ଯାଇଥିଲା । ପାଣିର ପ୍ରଖର ସ୍ରୋତରେ   ରାସ୍ତା ଠାରୁ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା କାର । ଚାଳକ କୌଣସିମତେ ବାହାରି ଯାଇଥିଲେ ସୁଦ୍ଧା କାରଟି ବୁଡ଼ି ଯାଇଥିଲା ।  ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ଯମରେ କାରଟି କୁ ଉଦ୍ଧାର କରାଯାଇଛି ।

ବିରୋଧୀଙ୍କ ସ୍ବର ଚପାଇବାକୁ ଶାସକ ବିଜେପିର ବଡ଼ ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିରୋଧୀଙ୍କ ସ୍ବରକୁ ଚପାଇଦେବାକୁ ଶାସକ ଦଳ ରାଜନୈତିକ ଷଡ଼ଯନ୍ତ୍ର ରଚିଛି । ଗୃହରେ ବିଷାକ୍ତ ମଦମୃତ୍ୟୁ  ମାମଲାରେ ଜବାବ ମାଗିବାରୁ ବିରୋଧୀ ଦଳର ଦୁଇ ବିଧାୟକଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିଛି ଶାସକ ଦଳ। ଯାହାକୁ କଡ଼ା ସମାଲୋଚନା କରିଛନ୍ତି  ବିଜେଡି ଓ କଂଗ୍ରେସ। ବିଜେପି ବିରୋଧୀ ଦଳରେ ଥିବାବେଳେ ମହିଳା ବାଚସ୍ପତିଙ୍କୁ ଡାଲି ଫିଙ୍ଗିବା ସହ ଚପଲମାଡ଼ ଘଟଣାକୁ ମନେ ପକାଇଦେଇଛନ୍ତି । ଏହା କି ପ୍ରକାର ବାଚସ୍ପତିଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହାକୁ ନେଇ ବ୍ୟାକଫୁଟକୁ ଚାଲିଆସିଛି ଶାସକ ଦଳ ।

ବିରୋଧୀଙ୍କ ସ୍ବର ଚପାଇବାକୁ ଶାସକ ବିଜେପିର ବଡ଼ ଷଡ଼ଯନ୍ତ୍ର । ବାଚସ୍ପତିଙ୍କୁ ଅସ୍ତ୍ର କରି ଗଣତନ୍ତ୍ରକୁ ହତ୍ଯା କରୁଛି ବିଜେପି । ସରକାରଙ୍କ ବିରୋଧରେ ସ୍ବର ଉଠାଇଲେ ମିଳୁଛି କାର୍ଯ୍ୟାନୁଷ୍ଠାନର ଧମକ । ବାଚସ୍ପତିଙ୍କୁ ନେଇ ତୁତୁ…ମେଁମେଁ । ଚିକିଟିରେ ବିଷାକ୍ତ ମଦ ପିଇ ୨ଜଣଙ୍କ ଜୀବନ ଯିବା ଓ ବହୁ ଲୋକଙ୍କ ଅସୁସ୍ଥ ହେବା ନେଇ ବିଜେଡି ବିଧାନସଭାରେ ତିନି ଦିନ ହେଲା ପ୍ରତିବାଦ କରିଆସୁଛି । ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଦଳର ବିଧାୟକମାନେ ଗୃହରେ ଦାବି କରିଆସୁଛନ୍ତି । ଆଜି ମଧ୍ଯ ବିଜେଡି ସଦସ୍ଯ ସମାନ ଦାବି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବାଚସ୍ପତି ଗୃହରେ ପକ୍ଷପାତିତା କରୁଥିବା ଅଭିଯୋଗ ଆଣି  ବିରୋଧୀ ଦଳର ବିଧାୟକମାନେ ପୋଡିୟମ ଉପରେ ଚଢି ପ୍ରତିବାଦ ଉଦ୍ୟମ କରିଥିଲେ ।

ଯାହା ବିଜେପିର ଦେହରେ ଯାଇନଥିଲା । ଏହା ବାଚସ୍ପତିଙ୍କ ପ୍ରତି ଅପମାନ ବୋଲି ବିଜେପି ଅଭିଯୋଗ ଆଣିବାରୁ ଏହାର ଜବାବ ଦେଇଥିଲା ବିଜେଡି । ବିଜେଡି ସରକାର ସମୟରେ ତତ୍କାଳୀନ ମହିଳା ବାଚସ୍ପତି ତଥା ବର୍ତ୍ତମାନର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରୁ ବିଜେପି ବିଧାୟକମାନେ ଡାଲି ପିଙ୍ଗିଥିଲେ । ଏହା କଣ ମହିଳା ବାଚସ୍ପତିଙ୍କ ପ୍ରତି ବିଜେପିର ସମ୍ମାନ ବୋଲି ବିଜେଡି ବିଜେପକୁ ପ୍ରଶ୍ନ କରିଥିଲା । ବିଜେପି ମହିଳାଙ୍କୁ କିପରି ସମ୍ମାନ ଦିଏ ବିଧାନସଭାରେ ତାହା ରେକର୍ଡ ଅଛି । ତେଣୁ ମହିଳା ବାଚସ୍ପତିଙ୍କ ପ୍ରତି ଅସମ୍ମାନ କଥା କହି ବିରୋଧୀଙ୍କ ସ୍ବରକୁ ଚପାଇ ନଦେବାକୁ ପରାମର୍ଶ ଦେଇଛି ବିଜେଡି । କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛି ।

ସେପଟେ ମହିଳା ବିଧାୟକ ମଧ୍ୟ ବିରୋଧୀ ଦଳଙ୍କ ବିରୋଧରେ ବିଜେପିର ବାଚସ୍ପତିକୁ ଅସମ୍ମାନ ଅସ୍ତ୍ରକୁ କଡ଼ା ସମାଲୋଚନ କରିଛନ୍ତି । କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି ଯେ ବାଚସ୍ପତି ଏକ ସାମ୍ବିଧାନିକ ପଦ । ଲୋକଙ୍କ ସମସ୍ଯାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ବିରୋଧୀ । କିନ୍ତୁ ଗୃହରେ ଶାସକ ଦଳର ଚାପରେ ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ମହିଳାଙ୍କ ସମ୍ମାନ କଥା କହୁଥିବା ବିଜେପି ବିଗତ ଦିନରେ ମହିଳାଙ୍କୁ କିପରି ସମ୍ମାନ ଦେଇଛି ତାହା ରାଜ୍ୟବାସୀ ଦେଖିଛନ୍ତି ବୋଲି କହିଛି ବିଜେଡି । ସେପଟେ ବିଜେପି କିନ୍ତୁ ନିଜର ଦୋଷ ଲୁଚାଇ ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ବିରୋଧୀଙ୍କ ଉପରେ ଦୋଷ ଲଦିଛି ।

ବାଚସ୍ପତିଙ୍କୁ ଅସମ୍ମାନ ନେଇ ବିଜେଡିର ଦୁଇ ବିଧାୟକଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଣିଛି ବିଜେପି । ଅନ୍ୟପଟେ ଗଣତନ୍ତ୍ରର ମନ୍ଦିରରେ ସ୍ବର ଚପାଇଦେବାକୁ ବିଜେପି କରିଥିବା ଷଡ଼ଯନ୍ତ୍ର ବିରୋଧରେ ଗୃହ ଭିତରେ ଓ ବାହାରେ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।

ରାଜ୍ଯ ସରକାରଙ୍କୁ ଭୃଗୁଙ୍କ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଚିକିଟି ମଦମୃତ୍ଯୁ ପରେ ବି ଲାଗୁଛି ସରକାରଙ୍କ ଚେତା ପଶିନି । ରାଜ୍ୟରେ ଆଉ ୧୬ଟି ବିଶେଷକରି କୋରାପୁଟ ଜିଲ୍ଲାରେ ୮ ଦେଶୀ ମଦ ଭାଟି ଖୋଲିବା ଲାଗି ବିଜ୍ଞାପନ ଦେଇଛନ୍ତି । ଏସବୁ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ଗୋଟିଏ ପଟେ ଡ୍ୟାନ୍ସ ବାରକୁ ବାରଣ କରିଥିବା ବେଳେ ଅନ୍ୟପଟେ ରାଜ୍ୟରେ ୧୬ଟି ଦେଶୀ ମଦ ଭାଟି ଖୋଲିବାକୁ ବିଜ୍ଞାପନ ବାହାର କରିବା କଣ ସୂଚାଉଛି ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ । ଖାଲି ସେତିକି ନୁହେଁ କୋରାପୁଟ ଭଳି ଆଦିବାସୀ ଗରିବ ଖଟିଖିଆ ବହୁଳ ଜିଲ୍ଲାରେ ୮ଟି ଦେଶୀ ମଦ ଭାଟି ଖୋଲିବା ଲାଗି ବିଜ୍ଞାପନ ଦେବା ଜିଲ୍ଲାବାସୀଙ୍କୁ ବିଚଳିତ କରିଛି । ବହୁ ଆଦିବାସୀ ଦେଶୀ ମଦ ପିଇ ସେମାନଙ୍କ ଜୀବନ ନଷ୍ଟ କରିବାକୁ ରାଜ୍ୟ ସରକାର ମସୁଧା ଚଳାଇଥିବା ଭୃଗୁ ଅଭିଯୋଗ ଆଣିଛନ୍ତି । ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟର ଦୁଇ ଦୁଇ ଜଣ ମନ୍ତ୍ରୀ  ଜେନାପୁରକୁ କାହିକିଁ ଯାଇ ପାରୁନାହାନ୍ତି ? ଅଘଟଣର ଦୀର୍ଘ ଦିନ ପରେ ବିଧାୟକ ଯାଇ ହଟହଟା ହୋଇଛନ୍ତି । ଏହା ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଭୃଗୁ । ସରକାରଙ୍କ ଅବକାରୀ ନୀତିରେ କିଛି ବି ସ୍ପଷ୍ଟତା ନାହିଁ । କିଏ କଣ କହୁଛନ୍ତି ତାର କିଛି ଠିକ ଠିକଣା ରହୁନି । ସେଥିପାଇଁ କୋରାପୁଟ ଜିଲ୍ଲାରେ ବାହାର କରିଥିବା ଦେଶୀ ମଦ ବିଜ୍ଞାପନକୁ ତୁରନ୍ତ ବାତିଲ୍ କରିବାକୁ ଦାବି କରିଛନ୍ତି ଭୃଗୁ ।

ପରକୀୟା ସନ୍ଦେହ : ଆଇସକ୍ରିମ ବେପାରୀଙ୍କୁ ପିଟିପିଟି ହତ୍ଯା

କେନ୍ଦ୍ରାପଡ଼ାରେ ବୀଭତ୍ସ ହତ୍ଯା । ପରକୀୟା ସନ୍ଦେହରେ ଆଇସକ୍ରିମ ବେପାରୀଙ୍କୁ ପିଟିପିଟି ହତ୍ଯା କରାଯାଇଛି । ମୃତକ ହେଲେ ରାଜସ୍ଥାନର କୁର୍ବାନ ମନସୁରୀ । କୁର୍ବାନ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ଆଇସକ୍ରିମ ବିକ୍ରି କରୁଥିଲା । କେନ୍ଦ୍ରାପଡ଼ାରେ ଆଇସକ୍ରିମ ଫ୍ଯାକ୍ଟ୍ରୀ କରିଥିବା ରାଜସ୍ଥାନର ପ୍ରଦୀପ ବୈଷ୍ଣବଙ୍କଠାରୁ ଆଇସକ୍ରିମ ଆଣୁଥିଲା । ନିଜ ସ୍ତ୍ରୀଙ୍କ ସହ କୁର୍ବାନର ପରକୀୟା ସମ୍ପର୍କ ଥିବା ପ୍ରଦୀପ ସନ୍ଦେହ କରିଥିଲା । ଉତ୍ତ୍ଯକ୍ତ ହୋଇ ସ୍ତ୍ରୀ ଓ କୁର୍ବାନକୁ ନିସ୍ତୁକ ପିଟିଥିଲା ପ୍ରଦୀପ ।  ଘଟଣାସ୍ଥଳରେ ହିଁ କୁର୍ବାନର ମୃତ୍ଯୁ ହୋଇଥିଲା । ଅଭିଯୁକ୍ତ ପ୍ରଦୀପକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାରକୁ ଖବର ଦିଆଯାଇଛି ।

ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ରର ମଂଜୁରୀ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେଲା ନୂଆ ପେନସନ ଯୋଜନା। ୟୁନିଫାଏଡ୍ ପେନସନ ସ୍କିମ UPSକୁ ମଂଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। କ୍ଯାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହି ଯୋଜନା ଅନ୍ତର୍ଗତ କୌଣସି କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ ପର୍ଯ୍ୟନ୍ତ ଚାକିରୀ କରି ଅବସର ନେଇଥାନ୍ତି ତାହେଲେ, ସେ କରିଥିବା ପ୍ରଥମ ଚାକିରୀର ଅନ୍ତିମ ଶେଷ ୧୨ ମାସର ମୂଳ ଦରମାର ୫୦ ପ୍ରତିଶତ ପେନସନ ଭାବେ ପାଇବେ। ଯଦି କୌଣସି ପେନସନଭୋଗୀଙ୍କ ମୃତ୍ଯୁ ହୋଇଯାଏ ତେବେ ତାଙ୍କ ପରିବାରକୁ କର୍ମଚାରୀଙ୍କ ମୃତ୍ଯୁ ପର୍ଯ୍ୟନ୍ତ ମିଳିବାକୁ ଥିବା ପେନସନର ୬୦ ପ୍ରତିଶତ ପରିବାରକୁ ମିଳିବ। ଯଦି ଜଣେ ୧୦ ବର୍ଷ ପରେ ଚାକିରୀ ଛାଡ଼ି ଦିଅନ୍ତି ତାଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସରକାରୀ କର୍ମଚାରୀଙ୍କ ଲାଗି ଘୋଷଣା କରିଛନ୍ତି ୟୁନିଫାଏଡ ପେନସନ ସ୍କିମକୁ ମଂଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖ ୨୦୨୫ରୁ ଯୋଜନା ଲାଗୁ ହେବ। ଯୋଜନାରେ ପ୍ରାୟ କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। କର୍ମଚାରୀଙ୍କ ପାଖରେ ଏନପିଏସ ଏବଂ ୟୁପିଏସ ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ପଡ଼ିବ। ୟୁନିଫାଏଡ ପେନସନ ସ୍କିମରେ ମହଙ୍ଗା ଇଣ୍ଡେକସେସନର ଲାଭ ବି ମିଳିବ।

 

 

ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଳୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। କହିଛନ୍ତି, ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ସରକାର ଆସିବାର ୩ ମାସ ଭିତରେ ଆଳୁ ସମସ୍ୟା ସମ୍ଭାଳି ପାରିଲେ ନାହିଁ। ଆଗକୁ କଣ କରିବେ ବୋଲି ପ୍ରଶ୍ନ କରିଛି ଦଳ।   ଆସନ୍ତା ୫ ବର୍ଷ ମଧ୍ୟରେ ବାହାର ରାଜ୍ୟରୁ ଗୋଟିଏ ଟ୍ରିପ ଆଳୁ ନଆଣି ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ଉତ୍ପାଦନ କରିପାରିଲେ ଜାଣିବୁ ବିଜେପି ଓଡ଼ିଆ ଅସ୍ମିତା ଧାରକ ଓ ବାହାକ। ୫ ବର୍ଷ ଧୈର୍ଯ୍ୟର ସହ ଅପେକ୍ଷା କରିବୁ ଯଦି ତୁମ ସରକାର ପାଞ୍ଚ ବର୍ଷ ଚାଲେ। ଗତ ୨୪ବର୍ଷ ଭିତରେ ନବୀନ ପଟ୍ଟନାୟକ ଚାଉଳ ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିଥିଲେ। ଖାଦ୍ୟଶସ୍ୟ ଯେତେବେଳେ ୫୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ତାକୁ ୧୫୦ ଲକ୍ଷ ମେଟ୍ରିକଟନରେ ପହଞ୍ଚାଇଥିଲେ। ବହୁତ କ୍ଷେତ୍ରରେ ଆହୁକୁ ଯାଇଛି ରାଜ୍ୟ। ଆଳୁ ଯେଉଁଠି ଅଧିକ ଉତ୍ପାଦନ ହେଉଛି ସେଠୁ ଆସି ରାଜ୍ୟରେ କେମିତି ବିକ୍ରି ବଟା ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ। ଓଡ଼ିଶାରେ ଆଳୁ ଯେତିକି ଉତ୍ପାଦନ ହେଉଛି। ତାହା ବର୍ଷକୁ ପାଖାପାଖି ୭ରୁ ୮ ମାସ ଚାଲିବା ପାଇ ଯଥେଷ୍ଟ। ୪ରୁ ୫ ମାସ ବାହାର ରାଜ୍ୟରେ ଆମଦାନୀ ହୁଏ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।

 

ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍ । ଲଗାତର କିଛିଦିନ ହେଲା ଭରା ନଈକୁ ଡେଇଁ ଆତ୍ମହତ୍ଯା କରୁଛନ୍ତି ଲୋକେ। ସେପଟେ ଆଜି ପୁଣି ଜଣେ ଛାତ୍ରୀ ବ୍ରିଜ ଉପରେ ସାଇକେଲ ରଖି ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କର ମିଳିନି ପତ୍ତା । ବାରମ୍ବାର ଏପରି ଅଭିଯୋଗ ପରେ ବ୍ଯାରିକେଡ ସହ ସଚେତନତା ପାଇଁ ବିଭିନ୍ନ ମହଲରୁ ଉଠିଛି ଦାବି।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍ । ସମ୍ବଲପୁର ଦ୍ବିତୀୟ ସେତୁରୁ ଡେଇଁ ଜୀବନ ହାରୁଛନ୍ତି ଅନେକ । ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଇଛି ଭରାନଈ । ସଚେତନତା ଓ ସୁରକ୍ଷା ପାଇଁ ବିଭିନ୍ନ ମହଲରୁ ଦାବି । ସମୟ ସକାଳ ୬ଟା । ସମ୍ବଲପୁର ଚାଉଁରପୁର ବ୍ରିଜ ନିକଟରେ ପହଞ୍ଚିଥିଲେ ହିନ୍ଦୀ ହାଇସ୍କୁଲର କାଜଲ ସାହାଣୀ । ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ । ମଣ୍ଣିଂୱାକ୍ କରୁଥିବା କିଛି ଲୋକ ପାଟି କରି ତାଙ୍କୁ ଅଟକାଇବା ପୂର୍ବରୁ ମହାନଦୀର ଭରା ନଈକୁ ଲମ୍ଫ ମାରିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଦେଇଥିଲେ ଉଦ୍ଧାର କାର୍ଯ୍ଯ । ହେଲେ କାହିଁକି ଛାତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ଥିବାବେଳେ ଝିଅକୁ ନପାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।

ସମ୍ବଲପୁର ମହାନଦୀ ଦ୍ଵିତୀୟ ସେତୁରେ ବାରମ୍ବାର ଏପରି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ହୀରାକୁଦ ପାଣି ଛାଡ଼ିଲେ ବଢୁଛି ଆତ୍ମହତ୍ୟା। ବାରମ୍ବାର ଅଭିଯୋଗ ପରେ ମଧ୍ଯ ବ୍ରିଜରେ ନା ଲାଗିଛି ସିସିଟିଭି ନା ହୋଇଛି ବ୍ଯାରିକେଡ। ଗତ ଦୁଇବର୍ଷ ମଧ୍ଯରେ ୧୦ ଜଣ ଯୁବତୀ ଏହି ବ୍ରିଜରୁ ଡେଇଁ ଆତ୍ମହତ୍ଯା କରିଥିଲେ ସୁଦ୍ଧା ପ୍ରଶାସନ ଚୁପ ବସିଥିବାରୁ ତୁରନ୍ତ ସୁରକ୍ଷା ବ୍ଯବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି । ହୀରାକୁଦ ପାଣି ଛାଡ଼ିଲେ ବଢୁଛି ମହାନଦୀର ଜଳସ୍ତର। ଆଉ ସେହି ସମୟରେ ଘଟୁଛି ଆତ୍ମହତ୍ଯା ପରି ଅଘଟଣ । ତେଣୁ ସଚେତନ ସହ ଏହି ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିବାର ଆବଶ୍ଯକତା ରହିଛି ।

 

 

କଳାହାଣ୍ଡି ଜିଲ୍ଲା ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟିଙ୍ଗୋପଖାନ ଗାଁର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ୩୦  ଜଣ ପ୍ରଭାବିତଙ୍କୁ  ୧୫ଦିନ ନପୁରୁଣୁ ଏବେ ଜୟପାଟଣା ବ୍ଲକର ଭାଟିପାସ ଗାଁରେ ଝାଡ଼ା ବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ରାସ୍ତାଘାଟ  ନଥିବାରୁ  ଏହି ଗାଁରେ ବାଇକ ଯୋଗେ  ରୋଗୀମାନଙ୍କୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଝାଡା ବାନ୍ତି ଯୋଗୁ  ୨୯ ତାରିଖ ଦିନ ସମ୍ବାରୁ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ  ୨୨ ତାରିଖ ଦିନ ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଉମର ମାଝୀଙ୍କ ମୃତ୍ୟୁ  ହୋଇଥିବା ସୂଚନା ରହିଛି  । ଏ ପର୍ଯ୍ୟନ୍ତ ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରି ଟିମ୍ ଏହି ଗାଁ ରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଛନ୍ତି ।

 

 

ଧର୍ମଶାଳା ବିଜେପି ଦୁଇଫାଳ

ନନ୍ଦିଘୋଷ ବ୍ୟୁରୋ: ଧର୍ମଶାଳା ବିଜେପି ଦୁଇଫାଳ । ସ୍ମିତାରାଣୀ ହତ୍ୟାକାଣ୍ଡର ଅନ୍ଯତମ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ନେଇ ତେଜୁଛି ଗୋଷ୍ଠୀ କନ୍ଦଳ । ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ସହଯୋଗରେ ରୁପେଶ ଭଦ୍ର ଠିକାଦାରୀ କରୁଥିବା ଅଭିଯୋଗ କରିଛି ଧର୍ମଶାଳା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଧର୍ମଶାଳା ବିଜେପି ଆଣିଥିବା ଅଭିଯୋଗ ଅନୁସାରେ, ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ସେତେବେଳେ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ରୁପେଶ ଭଦ୍ର। ଜେଲରୁ ଫେରି ଏବେ ପୁଣିଥରେ ସେ ଠିକାଦାର କାମରେ ମାତିଛନ୍ତି। ଏଥିପାଇଁ ତାଙ୍କୁ ବିଧାୟକ ହିଂମାଶୁ ସାହୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ବିଧାୟକ କାହିଁକି ଏଭଳି ଜଣେ ଅଭିଯୁକ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଛି ଧର୍ମଶାଳା ବିଜେପି। ତୁରନ୍ତ ରୁପେଶଙ୍କ ଠିକାଦାର କାମକୁ ବନ୍ଦ କରିବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ବିଜେପିର ସମସ୍ତ ନେତୃବୃନ୍ଦ  ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । ପୂର୍ବରୁ ହିଂମାଶୁ ବିଜେପିରେ ଥିଲେ। ତାଙ୍କୁ ଟିକେଟ ନମିଳିବା ପରେ ସ୍ବାଧୀନ ଭାବେ ଲଢି ଧର୍ମଶାଳାରୁ ବିଜୟୀ ହୋଇଛନ୍ତି। ଏବେ ସେ ବିଜେପିକୁ ସମର୍ଥନ ମଧ୍ଯ କରୁଛନ୍ତି। ହେଲେ ଏବେ ଧର୍ମଶାଳା ବିଜେପିର ଆଭିମୁଖ୍ଯ ଦଳରେ ସବୁକିଛି ଠିକ ଚାଲିନଥିବା ଦର୍ଶାଉଛନ୍ତି । ଖୋଦ ତାଙ୍କରି ଦଳର ନେତା ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିବା ବର୍ଷିବା ଦଳର କନ୍ଦଳକୁ ପଦାରେ ପକାଇଛି ।