spot_img
Home Blog Page 1740

ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ କରି ଫସିଛନ୍ତି ୩ ଦେଶର ନାଗରିକ

ସାଓ ପାଓଲୋ: ମହଙ୍ଗା ପଡିଲା ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ । କିଛି ସପ୍ତାହ ଧରି ବ୍ରାଜିଲର ସାଓ ପାଓଲୋ ବିମାନ ବନ୍ଦରରେ ଫସିଛନ୍ତି ଭାରତ, ନେପାଳ ଓ ଭିଏତନାମର ୬୬୬ ନାଗରିକ । ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମ ସଂସ୍ଥାନ ଆଶାରେ ଏହି ଉଦ୍ୟମ କରିଥିବା ସୂଚନା ମିଳିଛି । ସାଓ ପାଓଲୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବେଶ କରିବା ଲାଗି ଅପେକ୍ଷାରତ ନାଗରିକମାନେ ଅତି ଦୟନୀୟ ସ୍ଥିତିରେ ଜୀବନ ସହ ସଂଘର୍ଷ କରୁଥିବା ଜଣାଯାଇଛି ।

ବିନା ଖାଦ୍ଯ, ପାନୀୟ ଜଳରେ ସେମାନେ ମୃତ୍ଯୁ ସହ ସଂଘର୍ଷ କରୁଛନ୍ତି । ସେମାନଙ୍କ ମଧ୍ଯରେ ରହିଥିବା କିଛି ଶିଶୁ ମଧ୍ଯ ଦୟନୀୟ ଅବସ୍ଥାରେ ରହିଛନ୍ତି । ଅଧିକାଂଶ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ପରିଲକ୍ଷିତ ହେଉଥିଲେ ବି କୌଣସି ବିକଳ୍ପ ବ୍ଯବସ୍ଥା ନାହିଁ । ଏପରିକି ଶୀତରୁ ରକ୍ଷା ପାଇବା ଲାଗି ସେମାନଙ୍କ ନିକଟରେ ଚଦର ଖଣ୍ଡିଏ ବି ନାହିଁ । ସେମାନଙ୍କୁ ତଳେ ଶୋଇବାକୁ ପଡୁଛି । ସେମାନଙ୍କୁ ନିଜ ନିଜ ଦେଶକୁ ନ ଫେରାଇ ମାନବିକତା ଦୃଷ୍ଟିରୁ ଆପଣାଇବା ଲାଗି ବ୍ରାଜିଲସ୍ଥିତ ପବ୍ଲିକ ଡିଫେଣ୍ଡର୍ସ ଅଫିସ ଅନୁରୋଧ କରିଥିଲେ ବି କିଛି ଫଳ ହୋଇନାହିଁ ।

ଏହି ଲୋକଙ୍କୁ ଶରଣାର୍ଥୀ ଭାବେ ଗ୍ରହଣ କରିବା ଲାଗି ବ୍ରାଜିଲ ନିକଟରେ ଅନୁରୋଧ କରାଯାଇଥିଲେ ବି ଫଳ କିଛି ମିଳୁନାହିଁ । ସାଓ ପାଓଲୋ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେମାନେ ଆମେରିକା ଓ କାନାଡାର ବିଭିନ୍ନ ଗନ୍ତବ୍ଯସ୍ଥଳକୁ ଯିବା କଥା । ମାତ୍ର ଭିସା ଅଭାବରୁ ସେମାନଙ୍କୁ ବିମାନବନ୍ଦରରେ ରହିବାକୁ ପଡୁଛି ।

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଅବ୍ୟବସ୍ଥାକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲମ୍ବା ଧାଡି ସହ ବ୍ୟାରିଗେଡ଼ ଭିତରେ ରହି କଲବଳ ହୋଇଥିଲେ ଶ୍ରଦ୍ଧାଳୁ l ଅନେକ ଭକ୍ତ ଘଣ୍ଟା ଘଣ୍ଟା ଧରି ବ୍ୟାରିଗେଡରେ ଛିଡା ହୋଇ ଚେତା ହରାଇଥିବା ଦେଖିବାକୁ ମିଳିଥିଲା  । ସେପଟେ ଶ୍ରୀମନ୍ଦିର ଭିତରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା  । ସାତ ପାହାଚରୁ ପ୍ରବଳ ଭିଡ଼ ଲାଗି ରହିଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଅନେକ ଶ୍ରଦ୍ଧାଳୁ  । ପ୍ରଶାସନର ଅବ୍ୟବସ୍ଥା ନେଇ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା ।  ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବା ଅଭିଯୋଗ  ଆଣିଲେ ଭକ୍ତ । ଆଜି ଛୁଟି ଦିନ ଥିବାରୁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡ଼ ଯୋଗୁଁ  ମହାପ୍ରଭୁଙ୍କୁ ଦର୍ଶନ କରିବା ମୁସ୍କିଲ ହୋଇପଡୁଛି । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି

ଖୋର୍ଦ୍ଧା : ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଜାରି କରିଛି ପ୍ରଶାସନ । ଓ୍ବାର୍ଡ ନମ୍ବର ୧, ୨, ୩, ୨୧ ଓ ୨୨ ନମ୍ବର ଓ୍ବାର୍ଡରେ BNSS-163  ଧାରା ଜାରି କରାଯାଇଛି । ୫ ଜଣରୁ ଉର୍ଦ୍ଧ୍ବ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେହିବି କୌଣସି ପ୍ରକାର ମାରଣାସ୍ତ୍ର ଧରି ପାରିବେ ନାହିଁ । ରାସ୍ତାରେ ଜଳାପୋଡା କରିବାକୁ ମଧ୍ୟ ବାରଣ କରାଯାଇଛି ।  ବାଣ ଫୁଟାଇବା ଏବଂ ଫୋପାଡିବା ଉପରେ କଟକଣା ଲଗାଯାଇଛି । ସ୍କୁଲ ଓ କଲେଜ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଖୋର୍ଦ୍ଧା ଜିଲ୍ଲାପାଳ । ମୁକୁନ୍ଦପ୍ରସାଦରେ ପୋଲିସ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଛି । ଗଳିଗନ୍ଦିକୁ ଜଗିଛି ୭ ପ୍ଲାଟୁନ ସଶସ୍ତ୍ର ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି ଓ୍ବାଇ ବି ଖୁରାନିୟା । ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । ପୀଡିତ ପରିବାର ଥାନାର ଦ୍ବାରସ୍ଥ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।  ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିୁସକ ସେ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁକୁନ୍ଦପ୍ରସାଦ , ପୋଡା ସାହି ଓ ଦଧିବାମନ ସାହି ବୁଲି ସ୍ଥିତିପରଖିଲେ ଡିଜିପି ।ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଛନ୍ତି । ଘଟଣାକୁ ନେଇ ଏସପି ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଅନେକ ଘର ଓ ଗାଡି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଶାନ୍ତିରକ୍ଷା କରିବାକୁ ଅପିଲ କରିଛନ୍ତି ଡିଜିପି । ଆଜି ଦିନ ଦ୍ବିପ୍ରହରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ଯାକାଣ୍ଡ ଘଟିଥିଲା। ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ହସ୍ପିଟାଲରେ ରହିଛି ଶେଖ ସାଜିଦଙ୍କ ମୃତଦେହ।  ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ରହିଥିଲା ତିକ୍ତତା। ଏହାକୁ ନେଇ ଆଜି ଗ୍ଯାରେଜ ଭିତରେ ପଶି ଦୁର୍ବୃତ୍ତ ମାନେ ଶେଖ୍ ସାଜିଦକୁ ହାଣିଛନ୍ତି । ଗତ କିଛି ଦିନ ତଳେ ମୁକୁନ୍ଦପ୍ରସାଦରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଙ୍ଘର୍ଷ ହୋଇଥିଲା ।  ଆଜିର ଏହି ହତ୍ୟାକାଣ୍ଡ ପଛରେ ପୂର୍ବର ଗୋଷ୍ଠୀ ସଂଙ୍ଘର୍ଷ କାରଣ ବୋଲି କୁହାଯାଉଛି। ଏହି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ପରିସ୍ଥିତି ଅଣାୟତ ହୋଇପଡିଛି। ମୃତକଙ୍କ ପକ୍ଷ ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଟାୟାର ଜାଳି ଏହି ଗୋଷ୍ଠୀ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛି। ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।   ଗତ କିଛିଦିନ ତଳେ ଛଣଗିରିରେ ମଧ୍ଯ ହୋଇଥିଲା ଗୋଷ୍ଠୀ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କୁହୁଡିରେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ସମାନ ବିବାଦ ଦେଖା ଦେଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ଉଦ୍ଯମ କରୁନଥିବା ଅଭିଯୋଗ ହେଉଛି।

ପୁଣି ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ମଧ୍ଯପ୍ରାଚ୍ଯରେ ପୁଣି ଯୁଦ୍ଧର ଘନଘଟା। ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା। ଲେବାନନର ସନ୍ଦିଗ୍ଧ ଟେରର ଟାର୍ଗେଟ ଉପରେ ଇସ୍ରାଏଲର ୧୦୦ରୁ ଅଧିକ ଫାଇଟର ଜେଟ ହମଲା। ଜବାବରେ ଇସ୍ରାଏଲର ସ୍ପେସାଲ ମିଲିଟାରୀ ଟାର୍ଗେଟ ଉପରେ ୩ଶହରୁ ଅଧିକ  କାତ୍ଯୁସା ରକେଟ ଓ ମାନବ ବିହୀନ ଯାନ ମାଡ କରିଛି ହେଜବୁଲ୍ଲା। ଏପରିକି ଇସ୍ରାଏଲର ଆଇରନ ଡୋମ ପ୍ଲାଟଫର୍ମକୁ ବି ଟାର୍ଗେଟ କରିଛି ସଂଗଠନ। ମିଲିଟାରୀ କମାଣ୍ଡର ଫୁଆଦ ଶୁକରର ହତ୍ଯାର ଜବାବରେ ଏହି ଆକ୍ରମଣ କରାଗଲା ବୋଲି କହିଛି ହେଜବୁଲ୍ଲା। ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ୪୦ ଲଞ୍ଚ ଏରିଆ ଧ୍ବଂସ ହୋଇଛି। ଇସ୍ରାଏଲରେ ୪୮ ଘଣ୍ଟିଆ ଏମର୍ଜେନସି ଜାରି କରିବା ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ। ତେଣେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ। ଲେବାନନରେ ବି ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନାଜିବ ମିକାତି। ମଧ୍ଯପ୍ରାଚ୍ଯ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଏବେ ଆସନ୍ତୁ ନଜର ପକାଇବା କାତ୍ଯୁସା ରକେଟ ଉପରେ। ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ସୋଭିଏତ ବାହିନୀ ଦ୍ବାରା ଏହି ରକେଟ ବ୍ଯବହୃତ ହେଉଥିଲା। ବର୍ତ୍ତମାନ ଏହି ରକେଟ ସାଜିଛି ହେଜବୁଲ୍ଲାର ମୁଖ୍ଯ ଆୟୁଧ। ଯୁଦ୍ଧ କାଳରେ ସୋଭିଏତ ବାହିନୀର ଏକ ଜନପ୍ରିୟ ଗୀତରୁ ଏହି ଶବ୍ଦର ଉଦ୍ଭବ ହୋଇଥିଲା। ୧୯୪୧ରେ ପ୍ରଥମ ଥର ଲାଗି ପ୍ରୟୋଗ ହୋଇଥିଲା। ଏହା ଶସ୍ତା ଏବଂ ସର୍ବାଧିକ ୮୦ କିଲୋମିଟର ଦୂରକୁ ହିଟ୍ କରିଥାଏ।

ଏବେ ଆସନ୍ତୁ ନଜର ପକାଇବା କାହିଁକି ହେଜବୁଲ୍ଲା ଉପରେ ଆକ୍ରମଣ କଲା ଇସ୍ରାଏଲ। ଗତ ମାସରେ ବିବାଦୀୟ ଗୋଲାନ ହାଇଟସ୍ ଉପରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୧୨ ଯୁବକ। ଏହାର ଜବାବରେ ଲେବାନନ ବେରୁଟରେ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିଲେ ହେଜବୁଲ୍ଲା କମାଣ୍ଡର ଫୁଆଦ ଶୁକର।  ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସମଗ୍ର ମଧ୍ଯପ୍ରାଚ୍ଯରେ ଘୋଟିଚାଲିଛି ଯୁଦ୍ଧର କଳାବାଦଲ। ସେପଟେ ୟେମେନ ଉପକୂଳରେ ଲୋହିତ ସାଗରରେ ଏକ ତୈଳ ଟ୍ଯାଙ୍କର ଉପରେ ହୌଥି ଆତଙ୍କୀଙ୍କ ଆକ୍ରମଣକୁ ନେଇ ଉତକ୍ଷିପ୍ତ ହୋଇଛି ଆମେରିକା। ଇସ୍ରାଏଲ ଉପରେ ହେଜବୁଲ୍ଲାର ଆକ୍ରମଣକୁ ପ୍ରଶଂସା କରିଛି ହୌଥି।

ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ଯରେ ବାରମ୍ବାର ସଂଘର୍ଷ ମଧ୍ଯପ୍ରାଚ୍ଯରେ ଏକ ଦୀର୍ଘସ୍ଥାୟୀ ଯୁଦ୍ଧର ସମୀକରଣ କରୁଛି ପ୍ରସ୍ତୁତ। ଗାଜାରେ ଇସ୍ରାଏଲ ହମଲାରେ ଗଲାଣି ୪୦ ହଜାର ଲୋକଙ୍କ ଜୀବନ। ହାତବାନ୍ଧି ବସିଛନ୍ତି ଜାତିସଂଘ ଓ ଅନ୍ଯାନ୍ଯ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା।

ୟୁନିଫାଏଡ୍ ପେନସନ୍ ସ୍କିମରେ ଆରମ୍ଭରୁ କେଁ, କେନ୍ଦ୍ର ସରକାର ଘୋଷଣା କରୁ କରୁ ଏହାକୁ ବିରୋଧ !

ଭୁବନେଶ୍ବର : ଓପିଏସ୍ କି ଏନପିଏସ୍ ନୁହେଁ, ଏଣିକି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଲାଗୁ ହେବ, ୟୁନିଫାଏଡ୍ ପେନସନ୍ ସ୍କିମ୍, ୟୁପିଏସ୍। କେନ୍ଦ୍ର କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୨୦୨୫ ଏପ୍ରିଲ ମାସରୁ ଏହା ଲାଗୁ କରିବାକୁ ଯୋଜନା ହୋଇଛି। ହେଲେ ଏହାକୁ ରାଜ୍ୟ ସରକାରଙ୍କ କର୍ମଚାରୀ ଘୋର ବିରୋଧ କରିଛନ୍ତି। ୟୁନିଫାଏଡ଼୍ ପେନସନ୍ ସ୍କିମରେ ଅନେକ ଦ୍ଵନ୍ଦ୍ଵ ଥିବାରୁ ଏହାକୁ ଗ୍ରହଣ କରିବାକୁ ନାରାଜ ରାଜ୍ୟ କର୍ମଚାରୀ ସଂଘ। ନୂଆ ସ୍କିମରେ ସର୍ବନିମ୍ନ ୧୦ବର୍ଷ ଚାକିରି କରିଥିଲେ ମିଳିବ ୧୦ ହଜାର ଟଙ୍କାର ପେନସନ୍, ପୁରା ପେନସନ୍ ପାଇବାକୁ ୨୫ ବର୍ଷ ଚାକିରି କରିଥିବା ଜରୁରୀ। ପୁଣି ଜିପିଏଫ ଜମା ରାଶିରେ ମିଳିବ ନାହିଁ ସୁଧ। ଅବସର ପୂର୍ବରୁ ୧୨ ମାସର ବେସିକ ହାରାହାରିର ୫୦ ପ୍ରତିଶତ ପେନସନ୍ ମିଳିବ। ଓଡ଼ିଶାରେ ଅନୁଦାନପ୍ରାପ୍ତ ପଦବୀରେ ଠିକା ଭାବେ କାମ କରି ୬ବର୍ଷ ପରେ ସ୍ଥାୟୀ ହୋଇଥିବା କର୍ମଚାରୀଙ୍କ ପାଇଁ ସମସ୍ୟା ଦ୍ବିଗୁଣିତ ହେବ। ଏହି ୬ ବର୍ଷ ସେମାନଙ୍କ ଚାକିରି ଅବଧିରେ ଗଣାଯାଉନଥିବାରୁ ୨୫ବର୍ଷର ଚାକିରି ପରେ ପୁରା ପେନସନ୍ ନିୟମରେ ଏମାନେ ବଳି ପଡ଼ିବେ। ଏସବୁ ଦୃଷ୍ଟିକୋଣରୁ ୟୁନିଫାଏଡ଼୍ ପେନସନ୍ ସ୍କିମକୁ ବିରୋଧ କରିବା ସହ ପୁରୁଣା ପେନସନ୍ ସ୍କିମକୁ ଅବିକଳ ଲାଗୁ କରିବାକୁ କର୍ମଚାରୀ ସଂଘ ଦାବି କରିଛି।

୨୦୦୪ ପରେ ସରକାରୀ ଚାକିରିଆଙ୍କ ପାଇଁ ନୂଆ ପେନସନ୍ ବ୍ୟବସ୍ଥା ହୋଇଛି। ଏଥିରେ କର୍ମଚାରୀମାନେ ମାସକୁ ମାସ ନିଜ ଦରମାର କିଛି ଅଂଶ ଦେଉଛନ୍ତି। ସେଥିରେ ସରକାରଙ୍କ ଅନୁଦାନ ମିଶି ଏକ ଫଣ୍ଡ ହୋଇଛି। ଅବସର ପରେ ସେହି ଜମା ରାଶିରୁ ପେନସନ ମିଳିବାର ହୋଇଛି ବ୍ଯବସ୍ଥା । ହେଲେ ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ କର୍ମଚାରୀ, ସେମାନେ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଆସୁଛନ୍ତି। ପୁରୁଣା ପେନସନ୍ ସ୍କିମରେ ଅବସର ବେଳେ ଯାହା ଦରମା ଥିବ, ତାର ଅଧା ପେନସନ୍ ଆକାରରେ କର୍ମଚାରୀଙ୍କୁ ମିଳୁଥିଲା। କେନ୍ଦ୍ର କ୍ୟାବିନେଟ ଏବେ ଏଥିପାଇଁ ନୂଆ ଯୋଜନା ୟୁପିଏସ୍ ଆଣିବା ପରେ ଏହାକୁ ସ୍ବାଭାବିକ ଭାବେ ବିରୋଧ କରିଛନ୍ତି ଏନପିଏସ୍ କର୍ମଚାରୀ। ଓଡ଼ିଶା ସରକାର ପୁରୁଣା ପେନସନ୍ ସ୍କିମ ଲାଗୁ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ।

ଫାଭିଓ-ଅବସର ପରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀ କେତେ ପେନସନ୍ ପାଇବେ, ସେ ନେଇ ବି ୟୁନିଫାଏଡ଼୍ ପେନସନ୍ ସ୍କିମରେ ସ୍ପଷ୍ଟତା ନାହିଁ। ବଜାର ଦର ବୃଦ୍ଧି ଅନୁସାରେ ମହଙ୍ଗା ଭତ୍ତା ପେନସନ୍ ଧାରୀଙ୍କୁ ମିଳିବ କି ନାହିଁ, ତାର ବି କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥିବାରୁ ରାଜ୍ୟ କର୍ମଚାରୀ ଏହାକୁ ତୀବ୍ର ବିରୋଧ କରିବା ସହ ଅବିକଳ ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ଦାବି କରିଛନ୍ତି।

 

କନ୍ଦାଇଲାଣି ପିଆଜ, ଦିନକୁ ଦିନ ବଢି ଚାଲିଛି ଦର

ଭୁବନେଶ୍ବର : ଆଳୁ ଚିନ୍ତା ବଢାଇଥିଲା, ଏବେ କନ୍ଦାଇଲାଣି ପିଆଜ । ଦିନକୁ ଦିନ ବଢି ଚାଲିଛି ଦର । ହାପ ସେଞ୍ଚୁରି ପାର କରି ଆଳୁର ରେକର୍ଡ କାଟିଲା ପିଆଜ। ଡାଲି ଛୁଙ୍କରୁ ଗାୟବ ହେଲାଣି ପିଆଜ । କ’ଣ କିଣିବ କଣ ଖାଇବ ଚିନ୍ତାରେ ଲୋକ । ଆଳୁ ରେଟ ଏବେ ବି ସ୍ଵାଭାବିକ ହୋଇନଥିବା ବେଳେ ପିଆଜ ଦର ବଢିବା ସାଧାରଣ ଖାଉଟିଙ୍କ ପକେଟ ଉପରେ ଚଡକ ପକାଇଛି । ଦର ବୃଦ୍ଧି ଦାଉରେ ହନ୍ତସନ୍ତ ହେଲେଣି ମଧ୍ୟବିତ ଓ ଗରିବ ଲୋକ ।  ଏବେ ଭୁବନେଶ୍ୱର ଏକ ନମ୍ବର ହାଟ ଓ ନୟାପଲ୍ଲୀ ହାଟରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଲୋ-କ୍ବାଲିଟି ପିଆଜ ୫୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି କହିଛନ୍ତି ବ୍ୟବସାୟୀ । କିଛି ବେପାରୀଙ୍କ କହିବାକଥା,  ମାର୍କେଟରେ ପିଆଜ ଷ୍ଟକ୍ ନାହିଁ,  ଯାହା ବାହାରୁ ଆସୁଥିଲା ବର୍ଷା ପାଇଁ ତାହା ଆସି ପାରୁନି। ଆଉ ଯାହା ବସ୍ତା ରହିଛି ସେଥିରୁ ୫ ରୁ ୬ କେଜି ପଚା ବାହାରୁଛି । ସେଥପାଇଁ ଦର ବଢାଇ ବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୋକାନୀ ।

ଏକ ମାସ ଧରି ପନି ପରିବା ଦର ବଢ଼ି କି ରହିଛି , ଆଳୁ ଦର ବି କମିବାର ନାଁ ଧରୁନି ।  କିଲୋ ପିଛା ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ପୁଣି ପିଆଜ ଦର ବଢ଼ାଇଛି ଚିନ୍ତା । ୬୦ ଟଙ୍କା ଛୁଇଁବା ପରେ ଏବେ ଆହୁରି ବଢ଼ି ପାରେ ପିଆଜ ଦର । ସେପଟେ ଦର ନିୟନ୍ତ୍ରଣ ଉପରେ ସରକାରଙ୍କୁ ଦୋଶ ଦେଇଛି ଓଡ଼ିଶା ବ୍ଯବସାୟୀ ମହାସଂଘ  । ବାଜାର ଦର୍ ନିୟନ୍ତ୍ରଣ ପଲିସି କାହିଁକି ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଓଡ଼ିଶା ବ୍ଯବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା । ଭୁଲ କାହାର ଠିକ କାହାର ତାହା ଆଲୋଚନା ଭିତରେ ରହିଯିବ ,ହେଲେ ସାଧାରଣ ଲୋକ ଏଥିରେ ହନ୍ତସନ୍ତ ହେବେ ।  ଦର୍ ନିୟନ୍ତ୍ରଣ କ୍ଷେତ୍ରରେ ସରକାର ଫେଲ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖାଉଟୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସରକାର ଚୁପ୍ ପ୍ରଶାସନ ବି ଚୁପ୍,  ହେଲେ ଗରିବ ଓ ମଧ୍ୟବିତ ଦର ବୃଦ୍ଧି ଦାଉରୁ କିଭଳି ରକ୍ଷା ପାଇବେ ସେନେଇ ପ୍ରଶ୍ନ ଉଠିଛି ।

ସୁଭଦ୍ରା ଯୋଜନାକୁ ନେଇ ସରକାର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର : ରାଜ୍ୟ  ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି। ଗତ ନିର୍ବାଚନରେ ରାଜ୍ୟର ସବୁ ମହିଳାଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଦେବେ ବୋଲି କହିଥିଲା ବିଜେପି। ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା। ୧୫୦୦ ଟଙ୍କା ମାସିକ ଆଧାରରେ ପାଉଣା ପାଇଥିବା ଆଶା, ଅଙ୍ଗନବାଡି ସୁଭଦ୍ରା ଯୋଜନାର ପାଇବେନି ଲାଭ। ଋଣ କରି ଯେଉଁମାନେ ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ। ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ୨ଥର ଦେବେ। ଏଥିରେ ମହିଳା ମାନେ କି ବ୍ୟବସାୟ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ। ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନାଁର ଲାଭ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହା ଏବେ ପାଣିର ଗାର ହୋଇଛି। ସରକାରଙ୍କ ଧୂଆଁବାଣ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପୂର୍ବରୁ ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବୃତ୍ତି ବ୍ୟବସ୍ଥା  କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ। ହେଲେ ଏହା ଏବେ ବନ୍ଦ ହୋଇଯାଇଛି। ଏବେର ସରକାରଙ୍କ ଅହଂକାର ବଢ଼ିଯାଇଛି। ନିଜକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କହୁଛନ୍ତି। ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି ବୋଲି କହି ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ ମାଗଣା ବିଜୁଳି କଥା କହିଥିଲା ବିଜେପି। ହେଲେ ଏଯାଏ ଗୋଟିଏ ୟୁନିଟ ମଧ୍ୟ ଚାଷୀଙ୍କ ପାଖକୁ ଗଲାନି । ବିଜେପି ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି। କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି। ୩, ୫୦୦ ଭତ୍ତା ଦେବାକୁ କହିଥିଲେ ହେଲେ ଏବେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଲୋକଙ୍କ ସହ ପ୍ରତାରଣା ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଦଳର ଅନ୍ୟ କିଛି ବିଧାୟକ ମଧ୍ୟ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ମଦ ବିଭୀଷିକା ପରେ ଶୂନଶାନ ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ

ଦିଗପହଣ୍ଡି : ଖାଁ ଖାଁ ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ । ଲୋକଙ୍କ ମୁହଁରୁ ହସ ଛଡ଼ାଇ ନେଇଛି ମଦ ବିଭୀଷିକା । ଖୁସିରେ ଯାଇ ମଦପିଇଥିଲେ, ହେଲେ କିଏ ଯାଣିଥିଲା ନିଶାର ସେହି କ୍ଷଣ ତାଙ୍କ ପାଇଁ ଆଣିବ ଏତେବଡ଼ ବିପଦ । ବିଷାକ୍ତ ମଦ ଦୁଇଜଣଙ୍କ ଜୀବନ ନେଇଛି । ଏବେବି ୧୩ ଜଣ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଓ ପୁରା ଗ୍ରାମବାସୀ ।

ବୁଢୀ ବୟସରେ ଆଖିରୁ ନିଦ ହଜି ଯାଇଛି । କୋରଡ଼ ଆଖିରୁ ଝରି ଝରି ଶୁଖି ଯାଇଛି ଲୁହ । ୬ ଝିଅ ପରେ ଗୋଟିଏ ପୁଅ ଜନ୍ମ ହୋଇଥିଲା । ନାଁ ଦେଇଥିଲେ ବିପିନ । ପରିବାରର ଏକମାତ୍ର ଶାହା ଭରସା ଏବେ ମେଡିକାଲର ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛି । ବାପାଙ୍କ ବାଟକୁ ଚାହିଁ ବସିଛି କୁନି ଝିଅ । ମଦ ନିଶା ଘରର ଶାନ୍ତି ଛଡ଼ାଇ ନେଇଛି । ଇଏ ହେଉଛି ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ । ମଦ ବିଭିଷୀକା ପରେ ପୁରା ଗାଁ ଏବେ ଶୂନସାନ । ସପ୍ତାହ ହେଲା ଘରେ ଚୂଲି ଜଳୁନି । ବାପା, ମାଆ ଓ ବଡ଼ଭାଇ ମରିବା ପରେ ସାନ ଭାଇ ପ୍ରଦୀପ ଜେନା ଥିଲେ ଭଉଣୀ ରୀତାଙ୍କ ଏକମାତ୍ର ସାହସ । ରାକ୍ଷୀ ପୂର୍ଣ୍ଣିମାରେ ଖୁସିରେ ରାକ୍ଷୀ ବାନ୍ଧିଥିଲା । ହେଲେ ସଂଧ୍ଯାରେ ବିଷାକ୍ତ ମଦ ପିଇ ଭାଇ ଏବେ ମେଡିକାଲରେ । ୭ ଦିନ ହେଲା ଆଇସିୟୁରେ ଚିକିତ୍ସା ଚାଲିଥିଲେ ସୁଦ୍ଧା ସ୍ଥିତିରେ ସୁଧାର ଆସି ନଥିବା କହି ଭଉଣୀର ଆଖି ଜକେଇ ଆସୁଛି ।

କେବଳ ବିପନ ଓ ପ୍ରଦୀପ ନୁହନ୍ତି ଏବେବି ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ଗାଁର ୧୩ ଜଣ । ଗୁରୁତରଙ୍କ ସଂଖ୍ଯା ବଢୁଥିବାରୁ ୭ ଜଣଙ୍କୁ ଆଇସିୟୁ ସ୍ଥାନାନ୍ତର କରାଯାଇଛି । ଦୁଇଜଣଙ୍କ ଜୀବନ ନେଇଛି ଏହି ବିଷାକ୍ତ ମଦ । ଗାଁର ଜୁର ଓ ଲୋକନାଥଙ୍କ ମୃତ୍ୟୁ ହେବା ପରେ ଅସୁସ୍ଥଙ୍କ ପରିବାର ଲୋକଙ୍କ ନିଦ ହଜି ଯାଇଛି । ସୌଭାଗ୍ଯ ବସତଃ ସୁସ୍ଥ ହୋଇ ଫେରିଛନ୍ତି ଗାଁର ରାମ ବେହେରା । ଜୀବନରେ ମଦ ନିଶା ତାଙ୍କ ଉପଯୁକ୍ତ ଶିକ୍ଷା ଦେଇଛି । ତେଣୁ ଆଉ ଜୀବନରେ ମଦ ଛୁଇଁବେ ନାହିଁ ବୋଲି କହିଛନ୍ତି ରାମ । ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ଠିକରୂପେ କିପରି ଚିକିତ୍ସା ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ରାଜ୍ଯ ସରକାରଙ୍କ ଅନୁରୋଧ କରିଛନ୍ତି ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ।

 

ବୋଲବମ ପାଇଁ ଯାଇ ନିଖୋଜ ଯୋଗେନ୍ଦ୍ର

ଉମରକୋଟ : ବୋଲବମ ପାଇଁ ଯାଇ ନିଖୋଜ ହୋଇଯାଇଛନ୍ତି ବ୍ଯକ୍ତି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ବୋଲବମ ଯାଇ ପୁରୀରେ ଜଣେ ବ୍ୟକ୍ତି ୧୦ରୁ ଅଧିକ ଦିନ ହେବ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଙ୍କର କୌଣସି ସନ୍ଧାନ ନମିଳିବାରୁ ଚିନ୍ତାରେ ପରିବାର। ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖର ଛାୟା। ସ୍ଵାମୀ ନିଖୋଜ ନେଇ ସ୍ତ୍ରୀ ଓ ୭ ବର୍ଷର ଛୋଟ ଝିଅ ଆଖିରୁ ସୁଖୁନି ଲୁହ। ନବରଙ୍ଗପୁର ଉମରକୋଟ ଚିକଲପଦର ଗାଁର ଯୋଗେନ୍ଦ୍ର ରାଉତ ଗାଁର ପ୍ରାୟ ୬୦ ଜଣ ପୁରୁଷ ମହିଳାଙ୍କ ସହ ଭୁବନେଶ୍ୱର ଯାଇଥିଲେ। ୧୧ ତାରିଖରେ ଗଡ ଗଡିଆ ଘାଟରୁ ପାଣି ଉଠେଇ ୧୨ ତାରିଖ ସକାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଉପରେ ପାଣି ଢାଳିଥିଲେ । ତା’ପରେ କୋଣାର୍କ ଏବଂ ପୁରୀ ବୁଲିବାକୁ ଯାଇଥିଲେ। ସାଙ୍ଗରେ ସ୍ତ୍ରୀ ମଧ୍ଯ ଥିଲେ। ଯୋଗେନ୍ଦ୍ରଙ୍କ ସ୍ତ୍ରୀ ସ୍ବର୍ଗଦ୍ଵାର ପାଖରେ ଠିଆ ହୋଇଥିଲେ। ଯୋଗେନ୍ଦ୍ରୀ କିଛି କିଣିବାକୁ ଯାଇ ଆଉ ଫେରିନଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ହୋଇ ଖୋଜାଖୋଜି ହୋଇଥିଲେ ବି ଏ ପର୍ଯ୍ୟନ୍ତ ପତ୍ତା ମିଳିନି।  ପୋଲିସ ଏହି ଘଟଣାରେ କୌଣସି ତତ୍ପରତା ଦେଖାଉ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମାଆ। ଯୋଗେନ୍ଦ୍ର ନିଖୋଜ ହେବା ପରେ ଘରେ ଆର୍ଥିକ ଅନାଟନ ଦେଖାଦେଇଛି। ତୁରନ୍ତ ରାଜ୍ୟ ସରକାର, ନବରଙ୍ଗପୁର ଓ ପୁରୀ ଜିଲ୍ଲା ପ୍ରଶାସନ ଯୋଗେନ୍ଦ୍ରକୁ ଖୋଜି ବାହାର କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ

ଢେଙ୍କାନାଳ : ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଓଡ଼ପଡ଼ା କାଲିକା ପ୍ରସାଦ ବନ୍ଦ ସାହିର ପିଲା ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ନାଳ ଉପରେ କୌଣସି ବ୍ରିଜ ନଥିବାରୁ ବର୍ଷା ଦିନେ ଯିବା ଆସିବାରେ ସମସ୍ଯା ହେଉଛି। ବର୍ଷା ୪ ମାସ ଏମିତି ଅବସ୍ଥା। ଅଧା ଓଦା ହୋଇ ସ୍କୁଲରେ ପହଞ୍ଚନ୍ତି ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ। ତୁରନ୍ତ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦୁଇଟି ବ୍ଲକ ତଥା ସଦର ଓ ଓଡ଼ପଡ଼ା ବ୍ଲକ ମଧ୍ୟରେ ଯିବା ଆସିବା ପାଇଁ ବାଧକ ସାଜିଛି ଏହି ନାଳ। ବର୍ଷା ହେଲେ ନାଳ ଫୁଲିବା ସହିତ ଆଣ୍ଠୁଏ ଉଚ୍ଚର ପାଣି ଚାଲେ। ଫଳରେ ଟେଣୁଆ, ଭୁବନପୂର୍, କଲାଙ୍ଗ, କାଲିକା ପ୍ରସାଦ, କରଡାମଡା ଓ ଚନ୍ଦ୍ରଶେଖର ପ୍ରସାଦର ଗାଁ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରନ୍ତି।

ରାସ୍ତା ଦେଇ ପାଖାପାଖୀ ୬ଟି ଗାଁର ୪ ହଜାର ଲୋକ ଯିବା ଆସିବା କରନ୍ତି। ନାଳର ଗୋଟିଏ ପଟେ ଗାଁ ଓ ଅନ୍ୟପଟେ ସ୍କୁଲ। ମଝିରେ ଭରା ପାଣି ପ୍ରବାହିତ ନାଳ। ତେବେ ଏହି ନାଳ ଭିତରେ ଯେମିତି ଫସି ଯାଇଛି କୁନି କୁନି ପିଲାଙ୍କ ଭବିଷ୍ୟତ। ସ୍କୁଲ ଆସିବାକୁ ହେଲେ ଓଦା ହୋଇ ଆସିବାକୁ ପଡୁଛି। ସେଇ ଓଦା ଡ୍ରେସରେ ବସି ପଢିବାକୁ ପଡୁଛି। ଗ୍ରାମବାସୀ ଓ ସ୍କୁଲର ପ୍ରଧାନ ଶିକ୍ଷକ ପାଣିରେ ପସି ଓଦା ହୋଇ ସ୍କୁଲ ପିଲାଙ୍କୁ ପାର କରାନ୍ତି। ପିଲା ମଧ୍ୟ ଏହି ବର୍ଷା ୪ ମାସ ସ୍କୁଲକୁ ଆସୁନଥିବା ଅଭିଯୋଗ ହୁଏ। ତେବେ ନାଳ ଉପରେ ବ୍ରିଜ ଟିଏ ହେଲେ ପିଲା ସୁବିଧାରେ ଯାତାୟାତ କରିପାରିବେ। ତୁରନ୍ତ ବ୍ରିଜ ଟେ କରିବାକୁ ଲୋକେ ଦାବି କରିଛନ୍ତି ।