spot_img
Home Blog Page 1735

ଲଘୁଚାପ ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା, ଆଜିଠୁ ଆହୁରି ବଢିବ ପରିମାଣ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା । ଆଜିଠୁ ପରିମାଣ ଆହୁରି ବଢିବା ସହ ଦକ୍ଷିଣ ଓଡ଼ିଶାରେ ବଡ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୨୯ରୁ ୩୧ ଯାଏଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା କରାଯାଇଥିବାବେଳେ ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ବର୍ତ୍ତମାନ ଉତ୍ତର ପଶ୍ଚିମ ଝାଡ଼ଖଣ୍ଡ ଉପରେ ରହିଛି ଲଘୁଚାପ। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

କାଲିପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପ ପ୍ରଭାବ ସର୍ବାଧିକ ରହିବ । ଆସନ୍ତା ୩୧ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ । ୩୦ ଓ ୩୧ ତାରିଖରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ପ୍ରବଳ ବର୍ଷା ଫଳରେ ଫଳରେ ନଦୀ ଫୁଲିବା ସହ ବନ୍ୟା ଆଶଙ୍କା ରହିଛି।

କାଲି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍!

ନୂଆଦିଲ୍ଲୀ : ଆସନ୍ତାକାଲି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍ । ଆଜି ସେ ଜେଏମଏମ ଏବଂ ହେମନ୍ତଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ଦେବାପରେ କାଲି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି । ଚମ୍ପାଇ ସୋରେନ ବିଜେପିରେ ମିଶିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ସୂଚନା ଦେଇଥିଲେ । ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ ଚମ୍ପାଇ। ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଚମ୍ପାଇଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ଯ ବିଜେପିରେ ସାମିଲ ହେବେ । ଆଜି ଚମ୍ପାଇ ସୋରେନ ଦିଲ୍ଲୀରୁ ଝାଡ଼ଖଣ୍ଡ ଫେରି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ। ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା। ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ସୋରେନ ଗତ ୧୦ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ୩ ଦିନ କ୍ୟାମ୍ପ କରି ଝାଡ଼ଖଣ୍ଡ ଫେରିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ବିଜେପି ସରକାରରେ ମହିଳା ଅସୁରକ୍ଷିତ: ବିଜେଡି

ଭୁବନେଶ୍ବର: ବିଜେପି ସରକାରରେ ମହିଳା ଅସୁରକ୍ଷିତ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏମିତି ଅଭିଯୋଗ କରି ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପସିତା ସାହୁ ସରକାରଙ୍କ ଉପରେ ବର୍ଷିଛନ୍ତି ।

୨୬ ତାରିଖ ରାତିରେ ଜଣେ ମହିଳା ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନାର ଜଣେ ଇନ୍ସପେକ୍ଟର ତାଙ୍କ ଏତଲାକୁ ଗ୍ରହଣ କରି ନଥିଲେ । ସେତିକି ନୁହେଁ, ଏତଲାକୁ ଚିରି ଦେବା ସହ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବାର ଅଭିଯୋଗ କରିଛି ବିଜେଡି । ବିଜେଡି ସରକାର ସମୟରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ବିଜେପି ସରକାରରେ ମହିଳା ନିଜକୁ ଅସୁରକ୍ଷିତ ମଣୁଥିବା ଇପସିତା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବେଳେ ଏପରି ବିଶୃଙ୍ଖଳା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଖଣ୍ଡଗିରି ଥାନାର ଇନ୍ସପେକ୍ଟର ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ତରଫରୁ ସେ ଦାବି କରିଛନ୍ତି ।

ସମ୍ବଲପୁରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ସମ୍ବଲପୁରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସମ୍ବଲପୁର ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ନୂଆଁଖାଇ ଲଗ୍ନ ସ୍ଥିର କରାଯାଇଛି । ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଲଗ୍ନର ସମୟ ଧାର୍ଯ୍ୟ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ନୂଆଁଖାଇ ଲଗ୍ନ ବାହାର କରାଯାଇଥାଏ । ଚଳିତବର୍ଷ ପଣ୍ଡିତ ମହାସଭା ବସି ପ୍ରଥମେ ବିଷ୍ଣୁ ଶହସ୍ରନାମ ପାଠ କରାଯିବା ପରେ, ଲଗ୍ନ ନେଇ ଆଲୋଚନା କରାଯାଇଥିଲା ।

ଆସନ୍ତା ୮ ତାରିଖ ପଞ୍ଚମୀତିଥି ଦିନ ୯ଟା ୧୨ରୁ ୯ଟା ୨୭ ମଧ୍ଯରେ ମାଆ ସମଲେଶ୍ବରୀଙ୍କ  ପାଖରେ ନବାନ୍ବ ଲାଗି କରାଯିବ । ଏହା ପରେ ସମଗ୍ର ପଶ୍ଚିମ ଓଡିଶାର ଘରେ ଘରେ ନୂଆ ଖାଇବେ ଲୋକେ । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ନୂଆଁଖାଇ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଘର ବାହାରେ ଥିବା ଲୋକମାନେ ଘରମୁହାଁ ହେବା ସହ ପରିବାର ସହ ମିଶି ନବାନ୍ନ ଭକ୍ଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି ।

ଏମ୍ସରେ ରୋଗୀଙ୍କ ପତ୍ନୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି କର୍ମଚାରୀ

ଭୁବନେଶ୍ବର:  ଭୁବନେଶ୍ବର ଏମ୍ସରେ ମହିଳାଙ୍କୁ ଦୁର୍ବ୍ୟବହାର । ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ଯ କରୁଛନ୍ତି ଏମ୍ସ କର୍ମଚାରୀ । ସ୍ବାମୀ ବ୍ଲଡ କ୍ଯାନସରରେ ଚିକିତ୍ସିତ ହେଉଥିବା ବେଳେ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଏମ୍ସ କର୍ମଚାରୀ ବାଧ୍ଯ କରୁଥିବା ନେଇ ହୋଇଛି ସାଂଘାତିକ ଅଭିଯୋଗ ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସ୍ବାମୀଙ୍କୁ କ୍ଯାନସର ଚିକିତ୍ସାରେ ସାହାଯ୍ଯ ଆଳରେ ତାଙ୍କୁ ନିର୍ଯାତନା ଦିଆଯାଉଛି । ରକ୍ତ ଦେବା, ଟିକେଟ କରାଇବା, ଅନ୍ୟାନ୍ୟ ଟେଷ୍ଟ କରାଇବାର ଆଳରେ ଦୁର୍ବ୍ଯବହାର କରାଯାଉଛି । ଏନଇ ଥାନାରୁ ନିରାଶ ହେବା ପରେ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ମହିଳା । ମହିଳା କମିଶନ ମାମଲା ରୁଜୁ କରିବା ସହ ତୁରନ୍ତ ହାଜର ହେବାକୁ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ, ସ୍କୁଲ ଛୁଟି

ଟିଟିଲାଗଡ଼: ସ୍କୁଲ ଭିତରେ ପଶିଛି ବାଘ । ଏଥିପାଇଁ ସ୍କୁଲ କରାଗଲା ଛୁଟି । ଏମିତି ଘଟଣା ଘଟିଛି ଟିଟିଲାଗଡ଼ରେ । ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବାଘ ଦେଖିବାକୁ ମିଳିବା ପରେ ସ୍କୁଲକୁ ଛୁଟି କରିଦିଆଯାଇଛି ।

ଗତକାଲି ରାତିରେ ବାଘକୁ ଦେଖିଲେ ସ୍କୁଲର କର୍ମଚାରୀ । ଏହାପରେ ସ୍କୁଲକୁ ଆଜି ଛୁଟି ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଗତକାଲି ରାତିରେ ଏକ କଲରା ପତରିଆ ବାଘ ସ୍କୁଲ ଭିତରକୁ ପଶୁଥିବା ଲୋକେ ଓ ସ୍କୁଲ କର୍ମଚାରୀ ଦେଖିଥିଲେ । ବାଘଟି ସ୍କୁଲ ଭିତରେ ରହିଥିବା ସନ୍ଦେହ କରି ଆଜି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ଖବର ପ୍ରଚାର ହେବା ପରେ ଟିଟିଲାଗଡ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହିତ ସ୍କୁଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇ ଜଗି ରହିଛନ୍ତି । ବଡମାଲ ଗୋଳାବାରୁଦ କାରଖାନାଟି ଜଙ୍ଗଲ ଭିତରେ ଥିବାରୁ ଓ ଏହା ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ସମୟରେ ଲୋକେ ବଘକୁ ଦେଖୁଥିବାରୁ ବନ ବିଭାଗ ବିଶେଷ ସତର୍କତା ଅବଲମ୍ବନ କରିଛି ।

ସୁଶାନ୍ତ ଧଳସାମନ୍ତ ସେଲକୁ କେମିତି ଗଲା ମୋବାଇଲ, ଚାଲିଛି ଯାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲରୁ ମୋବାଇଲ ମିଳିବା ଖବର । ଜେଲ୍ ଡିଆଇଜି କୁଳମଣି ବେହେରା ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ସହିତ ମିଶି ଡିଆଇଜି ତଦନ୍ତ କରୁଛନ୍ତି ।

ଜେଲ ଭିତରକୁ କେମିତି ମୋବାଇଲ ଆସିଲା ? କିଏ କିଏ ଏଥିରେ ସଂପୃକ୍ତ ? କାହାକୁ ଜେଲ ଭିତରୁ ସୁଶାନ୍ତ ଫୋନ୍ କରିଥିଲା କି ? ଏ ସବୁ ପ୍ରଶ୍ନ ଏବେ ଛିଡା ହୋଇଛି । ଧଳସାମନ୍ତର ସେଲରୁ ମୋବାଇଲ ମିଳିଥିବାରୁ ଏ ସଂପର୍କରେ ଟାଉନ ଥାନାରେ ଏତଲା ଦେଇଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ । ତେଣୁ ଟାଉନ ଥାନା ପୋଲିସ ମଧ୍ୟ ତଦନ୍ତ କରୁଛି । ବଲାଙ୍ଗୀର ଏସପି ଋଷିକେଶ ଖିଲାରିଙ୍କ ନେତୃତ୍ଵରେ ତଦନ୍ତ କରାଯାଉଛି । ଜବତ ମୋବାଇଲକୁ ନେଇ ସାଇବର ଓ ଟେକ୍ନିକାଲ ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି ।

ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକତା, ୧୧ ଜଣ ନାବିକ ଉଦ୍ଧାର

ପାରାଦ୍ବୀପ: ପାରାଦ୍ବୀପ କୋଷ୍ଟଗାର୍ଡର ସାହସିକ ଓ ତତ୍କାଳ ପଦକ୍ଷେପ ଯୋଗୁ ସମୁଦ୍ର ଗର୍ଭରେ ବୁଡ଼ି ଯାଉଥିବା ଏକ ଜାହାଜର ୧୧ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଛି। ଏବେବି ଜାହାଜର ତିନିଜଣ ନାବିକ ନିଖୋଜ ରହିଛନ୍ତି । ଉଦ୍ଧାର ହୋଇଥିବା ୧୧ ଜଣଙ୍କୁ ପାରାଦୀପ ସ୍ଥିତ କୋଷ୍ଟଗାର୍ଡ ହେଡକ୍ବାର୍ଟର୍ସରେ ଛଡ଼ାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ଟିମର ରେସକ୍ୟୁ ଅପରେସନ ଜାରି ରହିଛି। କୋଲକାତାରୁ ପୋର୍ଟବ୍ଲେୟର ଅଭିମୁଖେ ଯାଉଥିବା ଏମଭି ଆଇଟିଟି ପୁମା ନାମକ ଜାହାଜ ମଝି ସମୁଦ୍ରରେ ବୁଡ଼ି ଯାଇଥିଲା। ସାଗର ଦ୍ବୀପରୁ ଦକ୍ଷିଣରେ ସମୁଦ୍ର ମଧ୍ୟରେ ୯୦ ନଟିକାଲ ମାଇଲ ଦୂରରେ ଏହି ଘଟଣା ଘଟିଥିଲା। ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ସମସ୍ତ ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଉଦ୍ଧାର ନାବିକଙ୍କ ସୂଚନା ଅନୁଯାୟୀ ଜାହାଜରେ ୧୪ ଜଣ ରହିଥିଲେ।

ନବାନ୍ନ ଅଭିଯାନକୁ କାହିଁକି ଡରୁଛନ୍ତି ମମତା ?

ନନ୍ଦିଘୋଷ ବ୍ୟୁରୋ: କୋଲକାତା RG କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଏହାର ପ୍ରତିବାଦ କରି କୋଲକାତାରେ ପଶ୍ଚିମବଂଗ ଛାତ୍ର ସଂଗଠନର ଆଜି ନବାନ୍ନ ଅଭିଯାନ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଜି ମହାବିକ୍ଷୋଭ କରିବେ ଛାତ୍ର ସଂଗଠନ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ପଶ୍ଚିଂବମଗ ଛାତ୍ର ସଙ୍ଗଠନ। କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ।

ଏଥି ସହ ବିଜେପି ମଧ୍ୟ ଏହି ବିରୋଧକୁ ସମର୍ଥନ କରିଛି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଟିଏମସି ଏହି ପ୍ରଦର୍ଶନକୁ ବିଜେପିର ଷଡଯନ୍ତ୍ର ବୋଲି କହିଛି। ସୂଚନାନୁସାରେ, ‘ନବାନ୍ନ ଅଭିଯାନ’ କୁ ଦୃଷ୍ଟିରେ ରଖି କୋଲକତା ସହରରେ ୬୦୦୦ରୁ ଅଧିକ ପୋଲିସ ମୁତୟନ କରାଯାଇଛି। ନବାନ୍ନ ଭବନ ବାହାରେ କୋଲକାତା ପୋଲିସ ଏବଂ ହାୱାର ସିଟି ପୋଲିସର ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ନବାନ୍ନ ଅଭିଯାନ କ’ଣ ?

ସୂଚନାନୁଯାୟୀ ପୂର୍ବରୁ ବଙ୍ଗଳାର ସଚିବାଳୟ ରଏଟର୍ସ ବିଲଡିଂରେ ଥିଲା। କିନ୍ତୁ ଯେତେବେଳେ ମମତା ବାନାର୍ଜୀ ୨୦୧୧ରେ କ୍ଷମତାକୁ ଆସିଲେ, ସେତେବେଳେ ସେ ହାଓ୍ବାଡାର ହୁଗୁଳି ନଦୀ କୂଳରେ ଏହି କୋଠା ନିର୍ମାଣ କରି ଏହାର ନାମ ରଖିଥିଲେ ନବାନ୍ନ । ନବାନ୍ନର ଅର୍ଥ ହେଉଛି ନୂଆ | ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇବ। ଏହି ରାଲିକୁ ନବନ୍ନା ଅଭିଯାନ କୁହାଯାଉଛି। ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭ ଡାକରା ଦିଆଯାଇଛି।

ନବାନ୍ନ ଏକ କୋଠା, ଯାହା ହାୱାଡାରେ ଅବସ୍ଥିତ | ଏହା ୨୦୧୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ଏକ ୧୪ମହଲା ବିଶିଷ୍ଟ କୋଠା ଅଟେ | ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପର ମହଲାରେ ରହିଛି ଏବଂ ମୁଖ୍ୟ ଓ ଗୃହ ସଚିବଙ୍କ କାର୍ଯ୍ୟାଳୟ ୧୩ତମ ମହଲାରେ ଅଛି ଓ ଚତୁର୍ଥ ଏବଂ ପଞ୍ଚମ ମହଲାରେ ଅନେକ ବିଭାଗ ଅଛି  ।

ନବାନ୍ନ ଅଭିଯାନକୁ କାହିଁକି ଡରୁଛନ୍ତି ମମତା ?

ଆର.ଜି କର ମେଡିକାଲ କଲେଜର ଜଣେ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଛାତ୍ରୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲର ପ୍ରିନ୍ସିପାଲ୍ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଫୋନ୍ ମାଧ୍ୟମରେ କହିଥିଲେ ଯେ ‘ସେମାନଙ୍କ ଝିଅ ଆତ୍ମହତ୍ୟା କରିଛି’। ଏହି ଘଟଣା ସାମ୍ନାକୁ ଆସିବା ପରେ ମମତା ସରକାର ନିରନ୍ତର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ନବାନ୍ନ ପଦଯାତ୍ରାକୁ ଆହ୍ବାନ କରି ତାଙ୍କ ସମସ୍ୟା ବଢାଇଛନ୍ତି ।

 

ରାହୁଲ ଗାନ୍ଧୀ କହିଲେ, କେବେ ହେବ ତାଙ୍କ ବିବାହ ..

ନନ୍ଦିଘୋଷ ବ୍ୟୁରୋ: କିଛିଦିନ ଧରି ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜ ବିବାହ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେବେ ବିବାହ କରିବେ କହିଛନ୍ତି ରାହୁଲ । ଜମ୍ମୁକଶ୍ମୀର ଗସ୍ତ ସମୟରେ କଶ୍ମୀରୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ସମୟରେ ନିଜ ବିବାହ ସମେତ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି ଏଭଳି କହିଛନ୍ତି ରାହୁଲ।

ନିଜ ବିବାହକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ୍ ଅଛି। ଶ୍ରୀନଗରର କାଶ୍ମୀରୀ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଗତ ୨୦ ରୁ ୩୦ ବର୍ଷ ମଧ୍ୟରେ ସେ ବିବାହର ଚାପରୁ ବାହାରି ଆସିଛନ୍ତି। ଗତ ସପ୍ତାହରେ ଯେତେବେଳେ କଂଗ୍ରେସ ସାଂସଦ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଥିଲେ, ସେତେବେଳେ ସେ ଏହି ବାଳିକାମାନଙ୍କ ସାମ୍ନାରେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ।

ସେ ସୋମବାର ନିଜ ୟୁଟ୍ୟୁବ ଚ୍ୟାନେଲରେ କାଶ୍ମୀରୀ ବାଳିକା ଛାତ୍ରଙ୍କ ସହ ଏହି ବାର୍ତ୍ତାଳାପର ଭିଡିଓ ମଧ୍ୟ  ଅପଲୋଡ୍ କରିଛନ୍ତି। ଏଥିରେ ସେ ଝିଅମାନଙ୍କ ସହିତ କଣ କଣ ଆଲୋଚନା କରିଛନ୍ତି ତାହା ଉଲ୍ଲେଖ ଅଛି । ଛାତ୍ରୀମାନେ ତାଙ୍କୁ ତାଙ୍କ ବିବାହ ଯୋଜନା ବିଷୟରେ ପଚାରିଥିଲେ ସେ ଏହାର ଉତ୍ତର ରଖି ଯଦି କେବେ ତାଙ୍କର ବିବାହ ହୁଏ ତାହେଲେ ସେ ନିଶ୍ଚିତ ସେ  ଝିଅମାନଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିବେବୋଲି କହିଛନ୍ତି ।

ତାଙ୍କୁ ପ୍ରଧାନମନ୍ତ୍ରୀ ସହିତ ଥିବା ସମ୍ପର୍କକୁ ନେଇ ପଚାରିବା ପରେ ସେ କହିଛନ୍ତି ତାଙ୍କ ସହିତ ବ୍ୟକ୍ତିଗତ ଭାବରେ କୌଣସି ଶତ୍ରୃତା ନାହିଁ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହିତ ମୋର ଗୋଟିଏ ସମସ୍ୟାଯେ, ସେ କାହାରି କଥା ଶୁଣନ୍ତି ନାହିଁ । ମୋତେ ଏଭଳି ଲୋକ ପସନ୍ଦ ନୁହେଁ ଯିଏ ଆରମ୍ଭରୁ ମାନିନିଏ କି ସେ ସମ୍ପୂର୍ଣ୍ଣ ଠିକ୍ । ଏବଂ ଯଦି ତାଙ୍କୁ କିଏ ଭୁଲ ବା ଠିକ ଦେଖାଏ ସେ ତାହା ମଧ୍ୟ ସ୍ବୀକାର କରିନଥାନ୍ତି । ଏବଂ ଏହିଭଳି ବ୍ୟକ୍ତି ସବୁବେଳେ ସମସ୍ୟା ସୃଷ୍ଟି କରିଥାଆନ୍ତି । ତାଙ୍କ କହିବାନୁଯାୟୀ ଏଭଳି ପ୍ରକୃତି ନିଜର ଦୁର୍ବଳତା ଏବଂ ଭୟରୁ ଆସିଥାଏ ।

ରାହୁଲ ଗାନ୍ଧୀ ଆଗାମୀ ବିଧାନସଭା ପାଇଁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତିକି ଏହା ଭାରତ ଇତିହାସରେ ପ୍ରଥମ କି ଗୋଟେ ପ୍ରଦେଶରୁ ତାର ପୂର୍ଣ୍ଣ କ୍ଷମତ ଛଡାଇନେବା । ଯେଉଁଭଳି ଭାବରେ ଏହା କରାଗଲା ତାହା ଆମକୁ ପସନ୍ଦ ଆସିଲାନି । କିନ୍ତୁ ବର୍ତ୍ତମାନ ଆମର ଗୋଟିଏ ଲକ୍ଷ୍ୟ କେମିତି ଜମ୍ମୁକଶ୍ମୀର ନିଜର ପୂର୍ଣ୍ଣ କ୍ଷମତା ଫେରି ପାଇବ। ଏବଂ ଜାମ୍ମୁ କାଶ୍ମୀରର ସମ୍ପୂର୍ଣ୍ଣ ରାଜ୍ୟର ପୁନରୁଦ୍ଧାର ପାଇଁ ଦାବି ଉଠାଇ କହିଛନ୍ତି ଯେ ଦିଲ୍ଲୀରୁ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଚଳାଇବାରେ କୌଣସି ଅର୍ଥ ନାହିଁ ।