spot_img
Home Blog Page 1729

ରାଜଧାନୀରେ ନରବଳି ଯୋଜନା; ବନ୍ଦ ଘରେ ଚାଲିଥିଲା ଗୁଣିଗାରେଡି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୁଣି ଗାରେଡି । ଭଡ଼ା ଘରେ ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ରମନ୍ତ୍ର ସାଧନା । ବନ୍ଦ ଘରୁ ମିଳିଲା ହାଡ଼ କଙ୍କାଳ । କବାଟ କିଳି ଚାଲିଥିଲା ପୂଜାର୍ଚ୍ଚନା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନଭିନ ।

ପ୍ରବୀର କୁମାର ପାତ୍ର ଓ ରଶ୍ମି ରଞ୍ଜନ ନାୟକଙ୍କ ଘରକୁ ଚର୍ଚ୍ଚିଲ କାନୁନଗୋ ନାମକ ଜଣେ ବ୍ୟକ୍ତିଙ୍କ କିଛି ଦିନ ଅଫିସ୍ କରିବା ପାଇଁ ଭଡ଼ାରେ ନେଇଥିଲେ । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଘରେ ରହିବା ପରେ ଘର ଛାଡିବାକୁ ଚର୍ଚ୍ଚିଲକୁ କହିଥିଲେ ଘର ମାଲିକ । କିନ୍ତୁ ଘର ନ ଛାଡ଼ିବାରୁ ଘର ମାଲିକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପ୍ରବୀର ସେହି ଘରକୁ ଯାଇ ଦେଖିଲେ ଘର ଭିତରେ ୪ ଫୁଟର ଗାତ ଖୋଳା ହୋଇଛି । ତନ୍ତ୍ର ସାଧନାର ସମସ୍ତ ସାମଗ୍ରୀ ରହିଛି । ଘରେ ଲାଲ କପଡା, ମାଟି ହାଣ୍ଡି, ହୋମ କାଠ, ସାବଳ, କୋଡ଼ି, ଲୁହା ତ୍ରୀସୁଳ, କିଛି ହାଡ଼ କଙ୍କାଳ ଦେଖି ଭୟଭୀତ ହୋଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଚର୍ଚ୍ଚିଲ ଏଠାରେ ଗୁଣି ଗାରେଡି ସହ ନରବଳି ଦେବାକୁ ଯୋଜନା କରୁଥିଲା ବୋଲି ଅଭିଯୋଗ ହୋଇଛି ।

ବିଜ୍ଞାପନକୁ ନେଇ ବିଭ୍ରାନ୍ତିରକ ଖବର ପ୍ରସାରଣ କରୁଛନ୍ତି ନିର୍ଦ୍ଦିଷ୍ଟ ଗଣମାଧ୍ୟମ: ବିଜେଡି

ଭୁବନେଶ୍ବର: ସନସନି କରିବା ପାଇଁ ତଥ୍ଯକୁ କରାଯାଉଛି ଭଙ୍ଗାରୁଜା । ନିଜ ମନ ମୁତାବକ ଓ ଉଦ୍ଦେଶ୍ଯ ସାଧିତ ପାଇଁ ତଥ୍ଯକୁ କରାଯାଉଛି କଦର୍ଥ । ଆଜି ଗଣମାଧ୍ଯମରେ ସେଭଳି କିଛି ଘଟିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଆସିଥିବା ତଥ୍ଯକୁ ମାଡ଼ି ମକଚି ବିଭ୍ରାନ୍ତିକରଣ ଖବର କିଛି ଗଣମାଧ୍ଯମ ପରିବେଷଣ କରିଛନ୍ତି । ଉଦ୍ଦେଶ୍ଯ ହେଲା ପୂର୍ବ ସରକାର ଓ ପୂର୍ବ ସରକାରର କିଛି ଅଧିକାରୀଙ୍କୁ ବଦନାମ କରିବା ।

ରାଜ୍ଯ ସରକାରଙ୍କ ବିଜ୍ଞାପନ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମରେ ଚାଲିଛି ମିଛ ଖବର ପ୍ରସାରଣ । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଆଧାରରେ କିଛି ଗଣମାଧ୍ଯମ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେତେ ଟଙ୍କା ବିଜ୍ଞାପନ ଓ ଆଡଭୋଟୋରିଆଲରେ ଖର୍ଚ୍ଚ କରିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଉତ୍ତର ଅନୁସାରେ ବିଜ୍ଞାପନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ପ୍ରକଳ୍ପ ସହ ସଂପୃକ୍ତ ବିଭିନ୍ନ ଅଧିକାରୀଙ୍କ ଫଟୋ ରହିଥିଲା । ଏହି ପ୍ରକଳ୍ପଗୁଡିକ ହେଲା ପ୍ରଥମ ବିଶ୍ବ ଭାଷା ସାହିତ୍ୟ ସମ୍ମିଳନୀ ସମ୍ପର୍କରେ ୨ଟି ଆଡଭୋଟୋରିଆଲ, ନୂଆ-ଓ ସ୍ମାର୍ଟ କାର୍ଡ ଯୋଜନା, ମାଆ ସମଲେଇ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨ଥର ଆଡଭୋଟୋରିଆଲ ପ୍ରକାଶ ପାଇଥିଲା ।

ଏହି ଉତ୍ତରକୁ ଭିତ୍ତିକରି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଖବର ପରିବେଷଣ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କୌଣସି ଆଡଭୋଟୋରିଆଲରେ କାର୍ତ୍ତିକ ପାଣ୍ଡିଆନଙ୍କ ଫଟୋ ପ୍ରକାଶ ପାଇନାହିଁ । ଏଭଳି ଖବରକୁ ଉଦ୍ଦେଶ୍ଯମୂଳକ ଭାବେ ପ୍ରସାରଣ କରାଯାଉଛି । ଏହି ଧାରାରେ ଆଉ ପାଦେ ଆଗକୁ ଯାଇ ଏକ ନ୍ୟୁଜ ଚ୍ଯାନେଲର ଡିଜିଟାଲରେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ ୧୫ କୋଟି ବୋଲି ଲେଖି ଲୋକଙ୍କଠୁ ମତାମତ ଆହ୍ବାନ କରାଯାଇଛି  । ଯାହାକି ଅତ୍ୟନ୍ତ ନିମ୍ନମାନର ଓ ଜନସାଧାରଣଙ୍କୁ ବିଭ୍ରାନ୍ତ କରି ହଇଚୟି ସୃଷ୍ଟି କରିବାକୁ ଉଦ୍ଧିଷ୍ଟ ।

ରାଜ୍ୟରେ ବିକାଶ କାମ ଠପ୍, ସରକାର ଆଲୋଚନାକୁ ଡରୁଛନ୍ତି: ବିଜେଡି

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ପରେ ବିକାଶମୂଳକ କାମ ଠପ୍ ହୋଇଯାଇଛି । ଦୁଇଥର ବିଜେଡି ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଛି  l ହେଲେ ଏହାକୁ ଗ୍ରହଣ କରାଯାଉନାହିଁ l ଆମେ ବିଧାନସଭା ନିୟମ ଅନୁସାରେ ମୁଲତବୀ ପ୍ରସ୍ତାବ ଦେଉଛୁ । ହେଲେ ରାଜ୍ୟ ସରକାର ଆଲୋଚନାକୁ ଡରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ସେ କହିଛନ୍ତି, ୩୧୪ ବ୍ଲକରେ ବିକାଶ କାମ ଠପ୍ ହୋଇଯାଇଛି l ତେଣୁ ଆମେ ବାରମ୍ବାର ଏ ପ୍ରସଙ୍ଗ ଉଠାଇଛୁ l ସରକାର ଏ ପ୍ରସଙ୍ଗରେ କାହିଁକି ଆଲୋଚନାରୁ ପଛଘୁଞ୍ଚା ଦେଉଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

ବିଜେଡି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି l ମୁଲତବୀ ପ୍ରସ୍ତାବ ହେଉଛି ବିରୋଧୀଙ୍କ ସାମ୍ବିଧାନିକ ଅଧିକାର l କାହିଁକି ସେଥିରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ଗଣେଶ୍ଵର ।

ପଏଣ୍ଟ ଅଫ ଅଡର ଜରିଆରେ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ । ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଉ ନଥିବାରୁ ବିଜେଡି ବିଧାୟକମାନେ ହଟଗୋଳ କରିଥିଲେ l ବାଚସ୍ପତିଙ୍କ ଅବହେଳା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ ।

ରାଜଧାନୀରେ ଲଭ୍-ସେକ୍ସ- ଧୋକା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ ସିକ୍ସ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ କଲେ ଏସିଡ ଫିଙ୍ଗି ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ ପ୍ରେମିକ ।

ମହିଳା ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼ିଗଲାଣି ଛାତ୍ର ଆତ୍ମହତ୍ୟା ହାର

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ଛାତ୍ର ଆତ୍ମହତ୍ୟା ଘଟଣା । ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି ଛାତ୍ରଙ୍କ ଆତ୍ମହତ୍ୟା । ଏପରିକି ଜନସଂଖ୍ୟା ବୃଦ୍ଧି ହାରକୁ ଅତିକ୍ରମ କରିଯାଇଛି ଛାତ୍ର ଆତ୍ମହତ୍ୟା ହାର । ଜାତୀୟ ଅପରାଧ ରେକର୍ଡ ବ୍ଯୁରୋ ବା ଏନସିଆରବିର ରିପୋର୍ଟ ଆଧାରରେ ଏହି ଚିନ୍ତାଜନକ ତଥ୍ଯ ପଦାକୁ ଆସିଛି । ଦେଶରେ ଛାତ୍ର ଆତ୍ମହତ୍ଯା ଏବେ ମହାମାରୀ ଆକାର ଧାରଣ କରିଛି । ବାର୍ଷିକ ଆଇସି-୩ ସମ୍ମିଳନୀ ଅବସରରେ ଏନସିଆରବି ତଥ୍ଯକୁ ଆଧାର କରି ଏହା କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି, ଦେଶରେ ସାମଗ୍ରିକ ଆତ୍ମହତ୍ଯା ହାର ବାର୍ଷିକ ୨ ପ୍ରତିଶତ ବଢୁଥିବା ବେଳେ କେବଳ ଛାତ୍ର ଆତ୍ମହତ୍ଯା ହାର ବଢୁଛି ୪ ପ୍ରତିଶତ । ତେବେ ଯଦି ପ୍ରକୃତ ଆତ୍ମହତ୍ଯା ସଂଖ୍ଯା ହିସାବକୁ ନିଆଯାଏ ତେବେ ଏହି ହାର ବଢିବା ଆଶଙ୍କା ରହିଛି । ଗତ ଦୁଇ ଦଶନ୍ଧିରୁ ଛାତ୍ର ଆତ୍ମହତ୍ଯା ୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ୨୦୨୨ରେ ମୋଟ ଛାତ୍ରଛାତ୍ରୀ ଆତ୍ମହତ୍ଯା ମଧ୍ଯରୁ ଛାତ୍ରଙ୍କ ହାର ଥିଲା ୫୩ ପ୍ରତିଶତ । ୨୦୨୧ରୁ ୨୦୨୨ ମଧ୍ଯରେ ଛାତ୍ରଙ୍କ ଆତ୍ମହତ୍ଯା ହାର ବଢିଥିଲା ୬ ପ୍ରତିଶତ । ସେହି ସମୟ କାଳରେ ଛାତ୍ରୀ ଆତ୍ମହତ୍ଯା ବଢିଥିଲା ୭ ପ୍ରତିଶତ ।

ରିପୋର୍ଟରେ କୁହାଯାଇଛି, ଜନସଂଖ୍ଯା ବୃଦ୍ଧି ହାର ତୁଳନାରେ ଛାତ୍ରଛାତ୍ରୀ ଆତ୍ମହତ୍ଯା ହାର ବଢିଛି । ଗତ ଦଶନ୍ଧିରେ ୦ରୁ ୨୪ ବର୍ଷ ବୟସ୍କ ଯୁବକଙ୍କ ସଂଖ୍ଯା ୫୮୨ ନିୟୁତରୁ ୫୮୧ ନିୟୁତକୁ ହ୍ରାସ ପାଇଥିଲା । ମାତ୍ର ଗତ ଦଶନ୍ଧିରେ ଛାତ୍ରଛାତ୍ରୀ ମୃତ୍ଯୁ ହାର ୬ ହଜାର ୬୫୪ରୁ ୧୩ ହଜାର ୪୪କୁ ବୃଦ୍ଧି ପାଇଥିଲା । ଛାତ୍ରଛାତ୍ରୀ ଆତ୍ମହତ୍ଯା କ୍ଷେତ୍ରରେ ଶୀର୍ଷରେ ରହିଛି ମହାରାଷ୍ଟ୍ର । ପଛକୁ ରହିଛି ତାମିଲନାଡୁ ଓ ମଧ୍ଯପ୍ରଦେଶ । ଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ଯାର ଏକ ତୃତୀୟାଂଶ ଆତ୍ମହତ୍ଯା ଏହି ତିନି ରାଜ୍ଯରେ ଘଟୁଛି । ଆତ୍ମହତ୍ଯା ନେଇ ଚର୍ଚ୍ଚାରେ ରହିଥିବା ରାଜସ୍ଥାନର ସ୍ଥାନ ରହିଛି ୧୦ରେ । ଦକ୍ଷିଣ ଭାରତ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆତ୍ମହତ୍ଯା ହାର ଜାତୀୟ ହାରର ୨୯ ପ୍ରତିଶତ ରହିଛି । ମାନସିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଶକ୍ତିଶାଳୀ ନ କରିବା କାରଣରୁ ଏହି ଆତ୍ମହତ୍ଯା ହାର ବଢୁଛି ବୋଲି କହିଛନ୍ତି ଆଇସି-୩ ମୁଭମେଣ୍ଟର ପ୍ରତିଷ୍ଠାତା ଗଣେଶ କୋହଲି ।

ଜମ୍ମୁ ଓ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀର:  ଜାମୁ ଓ କାଶ୍ମୀରରେ ଡବଲ ଏନକାଉଣ୍ଟର । ପୃଥକ ପୃଥକ ଦୁଇଟି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । କୁପୱାଡା ଜିଲ୍ଲା ମାଛିଲ ସେକ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ତଙ୍ଗଧାର ସେକ୍ଟରରେ ଜଣେ ମରିଛି ।

ଜାମ୍ମୁ ଓ କାଶ୍ମୀର ପୋଲିସ ଏବଂ ସେନାର ଯବାନଙ୍କୁ ନେଇ ଆରମ୍ଭ ହୋଇଥିଲା ମିଳିତ ଅପରେସନ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅଭିଯାନ ଆରମ୍ଭ କରିଥିଲା ମିଳିତ ଟିମ । ଗତକାଲି ରାତିରୁ ଚାଲିଛି ଏହି ଅପରେସନ । କୁପୱାଡା ଜିଲ୍ଲାର ମାଛିଲ ଅଂଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ ବେଳେ ଗୁଳିମାଡ଼ରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ସେନାର ଶ୍ରୀନଗର କର୍ପସ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି ।

ସେହିଭଳି ତଙ୍ଗଧାର ସେକ୍ଟରରେ ମଧ୍ୟ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ସଫା ହୋଇଛି । ଆହୁରି କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ମିଳିତ ଟିମ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି ।

ରଜୌରୀ ଜିଲ୍ଲା ଲାଠି ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ସେନାର ଏହି ଅପରେସନ ।

ବ୍ରିଜଭୂଷଣଙ୍କ ବିରୋଧରେ ଦାୟର ଯୌନ ନିର୍ଯାତନା ମାମଲା ହାଇକୋର୍ଟରେ କାଏମ

ଦିଲ୍ଲୀ: ପୂର୍ବତନ କୁସ୍ତିଯୋଦ୍ଧା ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କୁ ଝଟକା । ମହିଳା ରେସଲରଙ୍କ ଦ୍ବାରା ଦାୟର ଯୌନ ନିର୍ଯାତନା ମାମଲା ଖାରଜ ଲାଗି ହୋଇଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ । ଏହାସହ ବ୍ରିଜଭୂଷଣଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା ।

ସେ କହିଛନ୍ତି, ସବୁ କ୍ଷେତ୍ରରେ ଦିଆଯାଇ ପାରିବନି ଏକ ପ୍ରକାର ରାୟ । ଥରେ କୌଣସି ମାମଲାର ବିଚାର ଚାଲିଲେ ଏହା ଜଟିଳ ପ୍ରକ୍ରିୟା ମଧ୍ଯରେ ଚାଲିଥାଏ । ବ୍ରିଜଭୂଷଣଙ୍କ ଓକିଲ ରାଜୀବ ମୋହନ କହିଛନ୍ତି, ତାଙ୍କ ବିରୋଧରେ ମାମଲା ଦାୟର କ୍ଷେତ୍ରରେ ଏକ ଲୁକ୍କାୟିତ ଯୋଜନା ରହିଛି । ରେସଲିଂ ଫେଡେରେସନ ସଭାପତି ପଦରୁ ତାଙ୍କୁ ହଟାଇବା ଲାଗି ଅଭିଯୋଗକାରୀମାନେ ଯୋଜନା କରିଥିଲେ । ଯୌନ ନିର୍ଯାତନା ଅଭିଯୋଗକୁ ଖାରଜ କରିବା ଲାଗି ଏକ ସର୍ଟ ନୋଟ ପ୍ରସ୍ତୁତ କରିବା ସକାଶେ ବ୍ରିଜଭୂଷଣଙ୍କ ଓକିଲଙ୍କୁ ଦୁଇ ସପ୍ତାହ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ ।

ଗତ ମେ’ ୨୧ରେ ବ୍ରିଜଭୂଷଣଙ୍କ ବିରୋଧରେ କୋର୍ଟ ମାମଲା ରୁଜୁ କରିଥିଲେ । ମହିଳାଙ୍କୁ ଯୌନ ନିର୍ଯାତନା, ଧମକ ଆଦି ଅଭିଯୋଗ ଅନୁସାରେ ରୁଜୁ ହୋଇଥିଲା ମାମଲା । ଗତବର୍ଷ ମେ’ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା ।

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ କ୍ରମାଗତ ବର୍ଷା ଯୋଗୁ ସାରା ଦିଲ୍ଲୀରେ ଜନଜୀବନ ହୋଇଛି ବ୍ଯାହତ। ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ହଜାର ହଜାର ଯାନ। ଅଧିକାଂଶ ଭାଗରେ ଜଳ ପ୍ରବାହିତ ହେବା ଯୋଗୁ ଲକ୍ଷାଧିକ ଲୋକ ହୋଇଛନ୍ତି ଜଳବନ୍ଦୀ। ମେହରୁଲି-ବାଦରପୁର ରୋଡରେ ପାଣି ପ୍ରବାହିତ ହେବା ଯୋଗୁ ସେଠାରେ ନାହିଁ ନଥିବା ଅସୁବିଧା ପରିଲକ୍ଷିତ ହୋଇଛି। ସେହିପରି ଧୌଳାକୁଆଁ ଅଞ୍ଚଳରେ ବି ଲୋକମାନେ ସମସ୍ଯାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ବର୍ଷା ଜଳ ଜମା ହୋଇ ରହିଥିବାରୁ ହଜାର ହଜାର ଯାନବାହନ ଅଟକି ରହିଥିବା ସୂଚନା ମିଳିଛି। ଗତକାଲି ବି ଦିଲ୍ଲୀ ଓ ଏନସିଆର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ସମସ୍ଯା ସୃଷ୍ଟି ହୋଇଥିଲା। ସେପଟେ ଗୁଜରାଟରେ ବି ବନ୍ଯା ରଚୁଛି ତାଣ୍ଡବ। ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୨୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ମୋର୍ବି, ଭଦୋଦରା, ଭାରୁଚ, ଜାମନଗର, ପଞ୍ଚମହଲ, ଦ୍ବାରକାରେ ବ୍ଯାପକ କ୍ଷତି ଘଟାଇଛି ବନ୍ଯା।

MBBS ପାଠ୍ୟକ୍ରମରେ ନାମ ଲେଖାଇଲେ ବଣ୍ଡାଘାଟିର ପ୍ରଥମ ଛାତ୍ର, ଅଭିନନ୍ଦନ ଜଣାଇଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ବଣ୍ଡାଘାଟିର ପ୍ରଥମ ଆଦିବାସୀ ଛାତ୍ର ମଙ୍ଗଳା ମୁଦୁଲି MBBS ପାଠ୍ୟକ୍ରମରେ ନାମ ଲେଖାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ବାଟ ଫିଟାଏ ବୋଲି କହିଛନ୍ତି ନବୀନ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ମଙ୍ଗଳା ମୁଦୁଲି ହେଉଛନ୍ତି ଏହାର ଜ୍ଵଳନ୍ତ ଉଦାହରଣ। ନଜ ଦୃଢ ମନୋବଳ ଓ ନିଷ୍ଠାପର ଉଦ୍ୟମବଳରେ ସେ ଡାକ୍ତରୀ ପଢିବାକୁ ଯାଉଛନ୍ତି। ମଙ୍ଗଳାଙ୍କ ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସବ। ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ବଢିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାକୁ ନେଇ ବଢିଲା ରାଜନୀତି। ଏହାକୁ ନେଇ ଶାସକ ଏନଡିଏରେ ସୃଷ୍ଟି ହୋଇଛି ବିବାଦ। ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର ନେତୃତ୍ବାଧୀନ ଏନସିପି। ଯେଉଁମାନେ ଏହି ଘଟଣା ପଛରେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏନସିପି। ଏନସିପି ରାଜ୍ଯ ସଭାପତି ସୁନିଲ ତତକାରେ କହିଛନ୍ତି- ସିନ୍ଧୁଦୁର୍ଗ ଅନ୍ତର୍ଗତ ରାଜକୋଟ ଫୋର୍ଟରେ ପ୍ରତିଷ୍ଠିତ ଶିବାଜୀଙ୍କ ପ୍ରତିମୂର୍ତ୍ତି ମାତ୍ର ୮ ମାସରେ ଭାଙ୍ଗିପଡିଲା। ଏହା ଦୁର୍ଭାଗ୍ଯଜନକ। ଏକ୍ଷେତ୍ରରେ ଅକ୍ଷମଣୀୟ ତ୍ରୁଟି କରାଯାଇଛି। ଭବିଷ୍ଯତରେ ଯେପରି ଏହି ଧରଣର ଘଟଣା ଘଟିବ ନାହିଁ ସେଥିପ୍ରତି ପଦକ୍ଷେପ ନିଆଯିବା ଦରକାର। ସେଠାରେ ତୁରନ୍ତ ଏକ ନୂଆ ପ୍ରତିମୂର୍ତ୍ତି ଗଠନ ଲାଗି ଦାବି କରିଛି ଏନସିପି। ଗତବର୍ଷ ଡିସେମ୍ବର ୪ରେ ଶିବାଜୀଙ୍କ ୩୫ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ଅଗଷ୍ଟ ୨୬ ତାରିଖରେ ଏହି ପ୍ରତିମୂର୍ତ୍ତି ଭୁଶୁଡି ପଡିବା ପରେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ, ଶିବସେନା-ୟୁବିଟି ଓ ଏନସିପି-ଶରଦ ପାୱାର। ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ବି ଦାବି କରାଯାଇଥିଲା। ଏହି ଘଟଣାରେ ଠିକାଦାର ଜୟଦୀପ ଆପ୍ତେ ଓ ଷ୍ଟ୍ରକଚରାଲ କନସଲଟାଣ୍ଟ ଚେତନ ପାଟିଲଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ତେବେ ଏନସିପି ଗୋଷ୍ଠୀର ଆନ୍ଦୋଳନ ଶାସକ ମେଣ୍ଟ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।