spot_img
Home Blog Page 1711

ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ବର: ଓଡ଼ିଶାକୁ ଆସିବେ ୫ ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ଟି ବାଘୁଣୀ ଓ ଗୋଟିଏ ବାଘ ଓଡ଼ିଶାକୁ ଆସିବେ । ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ଦେବ୍ରୀଗଡ଼ ଅଭୟାରଣ୍ୟରେ ୩ଟି ବାଘ ଛଡ଼ାଯିବାକୁ ଥିବା ବେଳେ ଶିମିଳିପାଳରେ ୨ଟି ବାଘ ଛଡ଼ାଯିବ । ଏଥିପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ଦେବ୍ରିଗଡ଼ରେ ୨ଟି ବାଘୁଣୀ ଓ ଗୋଟିଏ ବାଘ ପହଞ୍ଚିବାକୁ ଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳରେ ୨ଟି ବାଘୁଣୀ ପହଞ୍ଚିବେ ।

ବନ୍ୟଜନ୍ତୁ ଅଦଳବଦଳ ଯୋଜନାରେ ହରିଣ, କୃଷ୍ଣସାର ମୃଗ, ସମ୍ବର ଭଳି ବନ୍ୟଜନ୍ତୁଙ୍କୁ ନନ୍ଦନକାନନ ଓ ସମ୍ଭଲପୁର ଚିଡ଼ିଆଖାନାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ନନ୍ଦନକାନନ ଚିଡ଼ିଆଖାନାରୁ ୬୦୦ ଚିତ୍ରା ହରିଣ ଢେଙ୍କାନାଳ, ସାତକୋଶିଆ ଏବଂ ମୟୂରଭଞ୍ଜର କୁଲଡ଼ିହା ଅଭୟାରଣ୍ୟରେ ଜୁଲାଇ ଶେଷ ସୁଦ୍ଧା ଛଡ଼ାଯିବ । ସେହିପରି ଜୁଲାଇ ୧୦ ତାରିଖରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ-କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି ।

ତପ୍ତପାଣି ହରିଣ ପାର୍କରୁ ୪୦ଟି ଚିତ୍ରା ହରିଣ ଜୁଲାଇ ୨୦ରେ ଲଖାରୀ ଉପତ୍ୟକାରେ ଛଡ଼ାଯିବାକୁ ଥିବା ବେଳେ ୩୨ଟି ସମ୍ବର ଚନ୍ଦକା ଅଭୟାରଣ୍ୟରେ ଜୁଲାଇ ଶେଷ ସୁଦ୍ଧା ଛଡ଼ାଯିବ । ବନ୍ୟଜନ୍ତୁ ଅଦଳବଦଳ ଯୋଜନାରେ ସ୍ଥିରୀକୃତ ସମୟସୀମା ସୁଦ୍ଧା ଏହା ସାରିବାକୁ ସମସ୍ତ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ବନ ସଂରକ୍ଷକ ।

ଦିଆସିଲ ଓ ଆଇସକ୍ରିମ୍ କାଠିରେ ଦେଢ଼ ଫୁଟର ରଥ, ଚର୍ଚ୍ଚାରେ ପିପିଲି ଚାନ୍ଦୁଆ କାରିଗର

ପିପିଲି: ଚର୍ଚ୍ଚାରେ ପିପିଲିର ଚାନ୍ଦୁଆ କାରିଗର ଅକ୍ଷୟ ମହାପାତ୍ର । ଦିଆସିଲି ଓ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ରଥ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଗତବର୍ଷ ସୋଲରେ ରଥ ନିର୍ମାଣ କରିଥିବା ବେଳେ ଚଳିତବର୍ଷ ଦିଆସିଲି ଓ ଆଇସକ୍ରିମ କାଠିରେ ରଥ ନିର୍ମାଣ କରିଛନ୍ତି ।

ଦିଆସିଲି ଓ ଆଇସକ୍ରିମ କାଠିରେ ପୁରୀ ଭଳି ଅବିକଳ ରଥ । ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସବୁବେଳେ ଛୁଞ୍ଚି ସୂତାରେ ହାତର କମାଲ ଦେଖାଇ ଆସୁଥିବା ଅକ୍ଷୟ ଦିଆସିଲି କାଠିରେ ରଥ ନିର୍ମାଣ କରି ଏବେ ଚର୍ଚ୍ଚାରେ । ଏହି ରଥ ନିର୍ମାଣ ପାଇଁ ଅକ୍ଷୟଙ୍କୁ ପ୍ରାୟ ଦେଢ଼ ମାସ ସମୟ ଲାଗିଛି । ଚାନ୍ଦୁଆ କାମ ସାରିବା ପରେ ପ୍ରତିଦିନ ରାତିରେ ରଥ କାମ କରୁଥିଲେ । ରଥ କାର୍ଯ୍ୟରେ ଲାଗିଛି ୧ ହଜାର ୮୭୦ ଦିଆସିଲି  କାଠି ଓ ୧୫୦ଟି ଆଇସକ୍ରିମ କାଠି । ରଥ କାମ କରି ଅକ୍ଷୟ ବେଶ ଉତ୍ସାହିତ ଥିବା ବେଳେ ପୁଅର ଏଭଳି କାମ ପାଇଁ ବେଶ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ମାଆ ସଞ୍ଜୁଲତା ମହାପାତ୍ର ।

ଚାନ୍ଦୁଆ କାରିଗର ଅକ୍ଷୟଙ୍କ ଏଭଳି ପ୍ରତିଭା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏଥିସହିତ ଦିଆସିଲି କାଠିରେ ରଥ ନିର୍ମାଣ କରି ପିପିଲି ପାଇଁ ଗୌରବ ଆଣିଛନ୍ତି ଅକ୍ଷୟ ।

ମହାପ୍ରଭୁଙ୍କ ପାଇଁ ଅନେକ ସ୍ଥାନରେ ଭକ୍ତମାନେ ବିଭିନ୍ନ କାମ କରି ଚର୍ଚ୍ଚାକୁ ଆସୁଥିବା ବେଳେ, ଚାନ୍ଦୁଆ କାରିଗର ଅକ୍ଷୟ ଦିଆସିଲି କାଠିରେ ରଥ ନିର୍ମାଣ କରି ସମସ୍ତଙ୍କ ନଜରକୁ ଆସିପାରିଛନ୍ତି ।

ଭିତରକନିକା ଓ ଗହୀରମଥା ଇକୋ ସେନସିଟିଭ ଜୋନ ଘୋଷଣା ପରେ ଚିନ୍ତାରେ ୨୦୫ ଗାଁର ଲୋକେ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଜୈବ ବିବିଧତାର ସୁରକ୍ଷା ପାଇଁ ଏହି ଅଞ୍ଚଳଗୁଡ଼ିକୁ ଇକୋ ସେନସିଟିଭ ଜୋନ ଭାବେ ଘୋଷଣା କରାଯାଇଛି । ଯାହା ଏହି ଅଞ୍ଚଳ ମଧ୍ୟରେ ଥିବା ୨୦୫ ଖଣ୍ଡ ଗାଁ ଲୋକଙ୍କ ଚିନ୍ତା ବଢ଼ାଇଛି । ସେମାନେ ଆଶଙ୍କା କରୁଛନ୍ତି, ଏହି ଆଇନ ଲାଗୁ ହେବା ଦ୍ବାରା ସେମାନଙ୍କର ସାଧାରଣ ଜୀବନ ଯାତ୍ରା ବ୍ଯାହତ ହେବ । କେନ୍ଦ୍ର ସରକାରଙ୍କ ଅଧିସୂଚନା ପ୍ରକାଶର ୬୦ ଦିନ ଭିତରେ ଲୋକଙ୍କ ପ୍ରସ୍ତାବ ବା ପରାମର୍ଶ ଆହ୍ୱାନ କରାଯାଇଛି । ୬୦ ଦିନ ପରେ ଏହା ଆଇନରେ ପରିଣତ ହୋଇଯିବ ।

ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବା ଇକୋ ସେନସିଟିଭ ଜୋନ ଭାବେ ଘୋଷଣା କରାଯାଇଛି । ୩  ସଂରକ୍ଷିତ ଅଞ୍ଚଳର ୧୦୦ ମିଟରରୁ ୮ କିଲୋମିଟର ୭ ମିଟର ଯାଏଁ ଏହି ଆଇନ ଲାଗୁ ହେବ ।

ଭିତରକନିକାରେ ୮୮ ପ୍ରକାରର ବିରଳ ଲୁଣା ଗଛ, କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ଗହୀରମଥାରେ ବିରଳ ଅଲିଭ ରିଡଲେ କଇଁଛ ସମୂହ ଅଣ୍ଡାଦାନ କରନ୍ତି । ଏହି ଅଞ୍ଚଳ ଜୈବ ବିବିଧତାରେ ସମୃଦ୍ଧ । ଏହି କାରଣରୁ ପୂରା ଅଞ୍ଚଳକୁ ସଂରକ୍ଷିତ କରାଯିବା ଆବଶ୍ୟକ । ସେଥିପାଇଁ ଭିତରକନିକାର ଶହେ ମିଟରରୁ ୮.୭ କିଲୋମିଟର ପର୍ଯ୍ୟନ୍ତ ଇକୋ ସେନସିଟିଭ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ୩ ସଂରକ୍ଷିତ ଅଞ୍ଚଳରେ ଥିବା ଜଳଉତ୍ସ, ଭୂମିକୁ ମଧ୍ଯ ଇକୋ ସେନସିଟିଭ ଜୋନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ।

ଭିତରକନିକା ସୀମାନ୍ତ ଅନେକ ଗାଁ ଏହି ପରିଧିରେ ଆସୁଥିବାରୁ ଅନେକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଆଇନ କାର୍ଯ୍ୟକାରୀ ହେଲେ ୨୦୫ଟି ଗାଁ ଲୋକଙ୍କ ବିକାଶରେ ବାଧା ଆସିପାରେ । ତେଣୁ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି ।

ଇକୋ ସେନସିଟିଭ ଜୋନ ଘୋଷିତ ଅଞ୍ଚଳ ପରିଧିରେ ଆସୁଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୫୨ଟି ଗାଁ, ପଟ୍ଟମୁଣ୍ଡାଇ ବ୍ଲକର ୮ଟି ଗାଁ, ମହାକାଳପଡା ବ୍ଲକର ୩୮ଟି ଗାଁ, ଆଳି ବ୍ଲକର ୩୨ଟି ଗାଁ, ରାଜକନିକା ବ୍ଲକର ୩୦ଟି ଗାଁ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାଂଶଡା, ତିହିଡି ବ୍ଲକର ୪୫ଟି ଗାଁ । ଆଇନ ଲାଗୁ ହେବାର ଗେଜେଟ୍ ପ୍ରକାଶ ପାଇଲା ପରେ ୨୦୫ଟି ଗାଁରେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୂ ପ୍ରଦୂଷଣ, ଭୂମି ପରିଚାଳନା, ଜଳଉତ୍ସର ବ୍ୟବହାର, ଆବର୍ଜନା ପରିଚାଳନା ଉପରେ ରୋକ୍ ଲାଗିବା ସହିତ ଗାଡି ଚଳାଚଳ ମଧ୍ୟ ନିୟନ୍ତ୍ରିତ ହେବ । ଏପରିକି ଇକୋ ସେନସିଟିଭ ଜୋନ୍ ମଧ୍ୟରେ ନୂତନ କନଷ୍ଟ୍ରକସନ୍ ଉପରେ କଟକଣା କରାଯାଇଥିବା ବେଳେ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ବି ଗାଇଡଲାଇନ୍ ଭିତରେ ହେବ ବୋଲି ଜଣାପଡିଛି । ଏହାକୁ ନେଇ ଅଞ୍ଚଳବାସୀ ନାହିଁ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହାର ପୁନର୍ବିଚାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଲୋକଙ୍କ ଚିନ୍ତା ଓ ସମସ୍ୟା ସହ ରାଜନଗର ବିଧାୟକ ଧ୍ରୁବ ସାହୁ ଏକମତ ହୋଇଛନ୍ତି । ଅପରପକ୍ଷରେ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି, ଇକୋ ସେନସିଟିଭ ଜୋନ୍ ଆଇନ୍ ଏତେ ବି କଠୋର ନୁହେଁ ଯେ ଏହା ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପକାଇବ । ଜଣେ ଚାହିଁଲେ ନିଜର ଆପତ୍ତି ଜଣାଇ ପାରିବ ।

ଭିତରକନିକା ଓ ଗହୀରମଥାର ସୁରକ୍ଷା ସହ ଲୋକଙ୍କ ଜୀବନ ଶୈଳୀ କିଭଳି ସୁରକ୍ଷିତ ରହିପାରିବ, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକଶ ପାଇଛି ।

ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ମାଡ଼ିବସି ଇଞ୍ଜେକ୍ସନ ଦେଇ ଦେଲେ ୫ ଅଜଣା ଯୁବକ

କଣ୍ଟାମାଳ: ସବୁଦିନ ପରି ସ୍କୁଲ ଯାଉଥିଲେ ଛାତ୍ର । ହେଲେ ବାଟରେ ଅଟକାଇଲେ ୫ ଅଜଣା ଯୁବକ । ମାଡ଼ି ବସି ଜୋର ଜବରଦସ୍ତ ଦେଇ ଦେଲେ ଇଞ୍ଜେକ୍ସନ । ଫଳରେ ସେହିଠାରେ ଅଚେତ ହୋଇଗଲେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋରରେ ଘଟିଛି । ଘଟଣା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଭାବକମାନେ ଭୟଭିତ ଅବସ୍ଥାରେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ମନମୁଣ୍ଡା ଥାନା ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ । ସବୁଦିନ ପରି ଆଜି ବି ଗବଯୋର ଉଚ୍ଚ ବିଦ୍ୟାଳୟକୁ ଆସୁଥିଲା l ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗବଯୋର ଗାଁରେ ହଠାତ ୫ ଜଣ ଅଜଣା ଯୁବକ ଆସି ସମ୍ବିତକୁ ମାଡ଼ିବସି ଏକ ଇଞ୍ଜେକ୍ସନ ଦେଇ ଦେଇଥିଲେ l ଏହା ସ୍ଥାନୀୟ ଲୋକେ ଦେଖି ପାଟି କରିବାରୁ ଦୁର୍ବୃତ୍ତିମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକେ ସମ୍ବିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ବିତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସମ୍ବିତଙ୍କ ଚିକିତ୍ସା ଚାଲିଛି । ତେବେ କିଏ ଓ କାହିଁକି ସମ୍ବିତଙ୍କୁ ଏମିତି ଇଞ୍ଜେକ୍ସନ ଦେଲା ତାହା ସ୍ପଷ୍ଟ ହୋଇନି ।

ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୭ ଗୁରୁତର

ଭଞ୍ଜନଗର: ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୭ ଜଣ ଗୁରୁତର ଆଡତ ହୋଇଥିବା ବେଳେ ୬ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖୁଣ୍ଟେଶ୍ଵରୀ ମନ୍ଦିର ରାସ୍ତାରେ ଘଟିଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରୁ ୧୩ ଜଣ ଟୁରିଷ୍ଟ ବ୍ରହ୍ମପୁରରୁ ଏକ ଟ୍ରାଭେଲର ଯୋଗେ ଦାରିଙ୍ଗବାଡି ବୁଲିବା ପାଇଁ ଆସିଥିଲେ । ସୋରଡ଼ାରେ ଥିବା ଖୁଣ୍ଟେଶ୍ୱରୀ ମନ୍ଦିର ପାହାଡ ଉପରକୁ ବୁଲିବା ପାଇଁ ଯାଇ ଫେରିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ୧୦୮ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ସେମାନଙ୍କ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ମନ୍ଦ ଉଦ୍ଦେଶ୍ୟ ରଖି ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି: ବିଜେଡି

ଭୁବନେଶ୍ବର: ରତ୍ନଭଣ୍ଡାର କମିଟି ଭଙ୍ଗାଯିବାକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭଙ୍ଗାଯିବା ଘଟଣାରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଥିବା ପ୍ରମିଳା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଜଷ୍ଟିସ ଅରିଜିତ ପଶାୟତ ଜଣେ ସୁନାମଧନ୍ୟ ବ୍ୟକ୍ତି । ମାତ୍ର ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ କମିଟିରୁ ହଟାଇ ଦିଆଗଲା । ନୂଆ ସରକାର କେତେ ବେଳେ କ’ଣ କହୁଛନ୍ତି ତାହାର କୌଣସି ଠିକ୍ ଠିକଣା ନାହିଁ । କେତେ ବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେ ବେଳେ ମନା କରୁଛନ୍ତି ।

ଆଗକୁ ସେ କହିଛନ୍ତି, ବିଜେପି ସରକାରର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି । ନୂଆ ସରକାର ଠିକ୍ କଥା କରିବେନି କି ଠିକ୍ ବାଟରେ ଯିବେନି । ଖାଲି ଭୁଆଁ ବୁଲେଇବେ ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା ।

ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାରକୁ ନେଇ ଯାତ୍ରା କରୁଛନ୍ତି । ବିଜେପି ସରକାରଙ୍କ ଭେଳିକିକୁ ଲୋକେ ବୁଝି ସାରିଲେଣି । ମହାପ୍ରଭୁ ଯେବେ ଚାହିଁବେ ରତ୍ନଭଣ୍ଡାର ଖୋଲିବ । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏଭଳି ଭେଳିକି ବିଜେପି ଦେଖାଉଛି ।

ପ୍ରସାଦ ହରିଚନ୍ଦନ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାର ନେଇ ସରକାରଙ୍କ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନାହିଁ । ରତ୍ନଭଣ୍ଡାର ଖୋଲିବେ କି ନା ସେ ନେଇ ମଧ୍ଯ ସ୍ପଷ୍ଟତା ନାହିଁ ।

ଏସବୁ ଭିତରେ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇ ନୂଆ କମିଟି ଗଠନ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଆସନ୍ତାକାଲି କମିଟିର ବୈଠକ ବସିବା ସହ କେବେ ରତ୍ନଭଣ୍ଡାର ଖୋଲିବ ତାରିଖ ନିର୍ଦ୍ଧାରଣ ହେବ । ଯାହା ସୁବିଧାଜନକ ମନେ ହେବ ସରକାର ସେହି ଅନୁଯାୟୀ ନିଷ୍ପତ୍ତି ନେବେ । ଯେଉଁମାନଙ୍କୁ ନେଇ ରତ୍ନଭଣ୍ଡାର କମିଟି ତିଆରି ହୋଇଛି ସେମାନେ ସଠିକ ଢଙ୍ଗରେ କାର୍ଯ୍ୟ କରିବେ ବୋଲି ସରକାରଙ୍କ ଅନୁଭବ ହେବାରୁ ନୂଆ କମିଟି ଗଠନ କରାଯାଇଛି । ସେ ଆହୁରି କହିଛନ୍ତି, ପୂର୍ବ କମିଟିକୁ ଭଙ୍ଗା ଯାଇନାହିଁ, କେବଳ ରିପ୍ଲେସ କରାଯାଇଛି । ପୁରୁଣା ସରକାର ସମୟରେ ସେ କମିଟି ଗଠନ ହୋଇଥିଲା । ଉକ୍ତ କମିଟି ଭଣ୍ଡାର ଖୋଲିବାକୁ ନେଇ କୌଣସି ପଦକ୍ଷେପ ନେଇ ନ ଥିଲା । ଏବେ ସମୟରେ ସରକାର କମିଟି ପରିବର୍ତ୍ତନ କରିବା ପାଇଁ ଅନୁଭବ କଲେ ।

ନିଟ୍ ପିଜି ୨୦୨୪ ସଂଶୋଧିତ ପରୀକ୍ଷାସୂଚୀ ପ୍ରକାଶ, ଅଗଷ୍ଟ ୧୧ରେ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ପିଜି ୨୦୨୪ର ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଅଗଷ୍ଟ ୧୧ ତାରିଖରେ ହେବ ପରୀକ୍ଷା । ଦୁଇଟି ସିଫ୍ଟରେ ପରୀକ୍ଷା ହେବ ବୋଲି କୁହାଯାଇଛି । ଆଜି NBE ପକ୍ଷରୁ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଏହି ପରୀକ୍ଷା ଜୁନ୍ ୨୩ ତାରିଖରେ ହେବାର ଥିଲା । ୨୨ ତାରିଖ ରାତିରେ ହିଁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଅନିୟମିତତା ହେବା ସନ୍ଦେହରେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା । ଏଥର ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ବ୍ଯାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି । ସେଣ୍ଟର ସିଲେକ୍ସନରେ ଘୋଟାଲାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ହୋଇଥିବାର ଅଭିଯୋଗ କରି ବିଭିନ୍ନ ସ୍ଥାନରେ ପିଲାମାନେ ବିକ୍ଷୋଭ କରିଛନ୍ତି ।

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ

କାକଟପୁର: କାକଟପୁରର ପୂବର୍ତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସକାଳୁ ସୁରେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ପୁଅ ସ୍ବାଧୀନ କୁମାର ନାୟକ ସୂଚନା ଦେଇଛନ୍ତି ।

କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ନେତା ଥିଲେ ସୁରେନ୍ଦ୍ର । ସେ କାକଟପୁରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅସ୍ତରଙ୍ଗ ପଞ୍ଚାୟତ ସମିତିର ଚେୟାରମ୍ଯାନ ଭାବେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୭ ଓ ୧୯୮୫ ମସିହାରେ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୯୦ରେ ଜନତା ଦଳ, ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦ ଓ ୨୦୦୪ ମସିହାରେ ବିଜେଡି ଟିକେଟରେ କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ର । ଏହାସହିତ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇଥିଲେ । ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ୧୯୯୦ରେ ଅବକାରୀ ଓ ରାଜସ୍ବ ବିଭାଗ, ୨୦୦୦ ମସିହାରେ ପଞ୍ଚାୟତିରାଜ, ୨୦୦୨ରେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୁରେନ୍ଦ୍ରନାଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ । ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ । ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ କ୍ଷତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସଂତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

ନବୀନ ପଟ୍ଟନାୟକଙ୍କ ଶୋକ

ସେହିପରି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁରେନ୍ଦ୍ରନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, କାକଟପୁରବାସୀଙ୍କ ସେବା ଓ କଲ୍ୟାଣ ଦିଗରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ସ୍ମରଣୀୟ । ଜଣେ ଦକ୍ଷ ରାଜନେତା ଏବଂ ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି ।

ବ୍ରିଟେନରେ ଋଷି ସୁନକଙ୍କ ଶାସନର ଅନ୍ତ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି କେର ଷ୍ଟାରମର

ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ ପରାଜିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କଞ୍ଜରଭେଟିବ ପାର୍ଟିର ସୁନକଙ୍କୁ ବିପୁଳ ବ୍ୟବଧାନରେ ହରାଇ ଲେବର ପାର୍ଟିର କେର ଷ୍ଟାରମର ହେବାକୁ ଯାଉଛନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ସୁନକଙ୍କ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ, ସ୍ୱପ୍ନରେ ରହିଯାଇଛି ।

ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା । ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି । ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି । ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି ।

ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ମ୍ୟାଜିକ୍ ନମ୍ବର ୩୨୬ ଥିବା ବେଳେ ଲେବର୍ ପାର୍ଟି ୩୫୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି । ସେପଟେ ସୁନକଙ୍କ ପାର୍ଟିକୁ ୮୧ଟି ଆସନ ମିଳିଥିବା ବେଳେ ବାକି ଆସନରେ ଅନ୍ୟମାନେ ଜିତିଛନ୍ତି ।

ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି । ସୁନକ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଓ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି ।

୪୪ ବର୍ଷୀୟ ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ।

ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି ଋଷି ସୁନକ । ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ସହ କେର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା । ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା । ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ । ପାର୍ଲାମେଣ୍ଟର ଅବଧି ସରି ନଥିଲେ ମଧ୍ଯ ୬ ମାସ ଆଗରୁ ନିର୍ବାଚନ କରାଇଥିଲେ ଋଷି ସୁନକ । ଯାହା ତାଙ୍କୁ ବୁମେରାଂ ସାବ୍ଯସ୍ତ ହୋଇଛି । ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଥିଲା ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ । ଦୁଇ ପ୍ରମୁଖ ଲେବର ପାର୍ଟି ଓ କଞ୍ଜରଭେଟିବ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ ।

ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା ଘଟଣା, ଥାନାରେ ୯ ଅଟକ

ସୋର: ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବରପଦା ଗାଁରେ ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ବିଭତ୍ସ ଭାବେ ଗଳା କାଟି ହତ୍ୟା କରିବା ପରେ ପାହାଡ଼ରେ ଶବ ଫିଙ୍ଗିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଘଟଣାରେ ସଂପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ୧୪ରୁ ଅଧିକ ଲୋକ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଅନ୍ୟାମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଲାଇଛି ।

ତଥ୍ୟ ଅନୁସାରେ, ବରପଦା ଗାଁର ସମ୍ଭାରି ସିଂ, ଦାମ୍ପା ସିଂ ଏବଂ ତାଙ୍କ ପତ୍ନୀ ପାଗିଳି ସିଂଙ୍କୁ ଗତ ଜୁନ ମାସ ୩୦ ତାରିଖ ରବିବାର ରାତିରେ ଗାଁର କିଛି ଲୋକ ସଂଘବଧ ଆକ୍ରମଣ କରିଥିଲେ । ସେମାନେ ୩ ଜଣଙ୍କୁ ଠେଙ୍ଗାରେ ପିଟିବା ସହିତ ଗଳା କାଟି ହତ୍ୟା କରିଥିଲେ । ଏହାପରେ ଗାଁରୁ ୫ କିମି ଦୂରରେ ଥିବା ଦଲଦଲି ପାହାଡ଼ରେ ଶବ ଫିଙ୍ଗି ଦେଇଥିଲେ । ମୃତ ସମ୍ବାରି ସିଂଙ୍କ ପୁଅମାନେ ବାହାରେ ରହୁଛନ୍ତି । ମାଆ ନିଖୋଜ ଥିବା ଜାଣିବା ପରେ ତାଙ୍କ ବଡ଼ ପୁଅ ନିରଞ୍ଜନ ସିଂ ଘରକୁ ଆସି ଆଜି ଔପଦା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ତାଙ୍କ ଟିମ ନେଇ ଘଟଣାର ତଦନ୍ତ କରିବା ସହ ଖୋଜା ଖୋଜି କରି ପାହାଡରୁ ୩ ମୃତ ଦେହକୁ ଠାବ କରିଥିଲେ ।

ଘଟଣାର ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଘଟଣା ସ୍ଥଳରୁ ଏକ କୁରାଢ଼ି ଓ ବାଉଁଶ ଜବତ ହୋଇଛି । ଗୁଣି ଗାରେଡିକୁ କେନ୍ଦ୍ର କରି ଏଭଳି ହତ୍ୟା କାଣ୍ଡ ଘଟିଥିବା ନେଇ ସମ୍ଭାରୀର ଦୁଇ ପୁଅ ରାଜୁ ଓ ନିର ଅଭିଯୋଗ କରିଛନ୍ତି । ଘଟଣାରେ ୧୨ରୁ ୧୪ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ନିର ଅଭିଯୋଗ କରିଛନ୍ତି l

ଗତ ରାତି ୧୨ଟା ୩୦ ମିନିଟରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଶବକୁ ପାହାଡ଼ ତଳକୁ ଆଣି ରାତି ୩ଟାରେ ସୋର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଗୃହରେ ରଖିଛି l ବାହାରେ ବୁଲୁଥିବା ଅଭିଯୁକ୍ତମାନେ ନିର ଓ ରାଜୁ ପରିବାରକୁ ଫୋନ ଯୋଗେ ଧମକ ଦେଉଥିବା ଅଭିଯୋଗ ହୋଇଛି  l ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ  ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ନିର ଓ ରାଜୁ ଦାବି କରିଛନ୍ତି ।