ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସର ପଥରବନ୍ଧ ଠାରେ ଦୁର୍ଘଟଣା । ରାସ୍ତାରେ ଥୁଆ ହୋଇଥିବା ଟ୍ରକକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ହେଲ୍ପରଙ୍କର ମୃତ୍ଯୁ ହୋଇଛି । ଗାଡି ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ମୃତ ହେଲ୍ପରଙ୍କର ପରିଚୟ ମିଳିନଥିବା ବେଳେ ଟ୍ରକ ଚାଳକ ବିହାରର ବ୍ରିଜ କିଶୋର ଗିରି ବୋଲି ଜଣାପଡିଛି । ଗୋଟିଏ ଟ୍ରକ ଖରାପ ହୋଇଯିବାରୁ ଟ୍ରକ ଚାଳକ ରାସ୍ତା ଉପରେ ଟ୍ରକକୁ ପାର୍କିଂ ମରାମତି କରୁଥିଲେ। ପଛରୁ ଗୋଟିଏ ଟ୍ରକ ଆସି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଟ୍ରକ ହେଲ୍ପଙ୍କ ମୁଣ୍ଡ ଟି କଟି ଯାଇଥିଲା। ଏଥିସହ ଟ୍ରକ ଚାଳକର ଗୋଡ଼ ଦୁଇଟି ନଷ୍ଟ ହୋଇ ଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଗଣେଶ ପୂଜା ଚାନ୍ଦା ଦେଲେନି ବୋଲି ଘର ଜାଳିଦେଲେ ଦୁର୍ବୃତ୍ତ
ସମ୍ବଲପୁର: ଗଣେଶ ପୂଜା ଚାନ୍ଦା ଦେଲେନି ବୋଲି ଘର ଜାଳିଦେଲେ । ସମ୍ବଲପୁର ସହରରେ ଦେଖିବାକୁ ମିଳିଛି ଏଭଳି ଉନ୍ମତକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟାଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ ଦୁର୍ଗାପାଲି ଅଞ୍ଚଳର ଜୟନ୍ତ ମେହେର ଗତକାଲି ପୂଜା ଚାନ୍ଦା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତ୍ତ୍ଯକ୍ତ ହୋଇ କିଛି ଯୁବକ ଆଜି ଭୋର ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ସମସ୍ତେ ଶୋଇଥିବା ସମୟରେ ଅଭିଯୁକ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଫଳରେ ଦୁଇଟି ବାଇକ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ କ୍ଷେତରାଜପୁର ଥାନାରେ ଅଭଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ଯାରିସ ପାରାଅଲିମ୍ପିକ୍ସରେ ଭାରତର କମାଲ, ସପ୍ତମ ଦିନରେ ୪ ପଦକ
ନନ୍ଦିଘୋଷ ବ୍ୟୁରୋ: ପ୍ଯାରିସ ପାରାଅଲିମ୍ପିକ୍ସରେ କମାଲ କରୁଛି ଭାରତ । ସପ୍ତମ ଦିନରେ ଭାରତ ହାତେଇଛି ଆଉ ୪ଟି ପଦକ । ୨ଟି ସ୍ବର୍ଣ୍ଣ ଓ ୨ଟି ରୌପ୍ଯ ପଦକ ହାତେଇଛନ୍ତି ଭାରତୀୟ କ୍ରୀଡ଼ାବିତ । ତୀରନ୍ଦାଜରେ ହରବିନ୍ଦର ସିଂ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ପୁରୁଷ ବ୍ଯକ୍ତିଗତ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି । ଏକପାଖିଆ ଭାବେ ୬-୦ ବ୍ୟବଧାନରେ ପୋଲାଣ୍ଡର ଲୁକାଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିନେଇଛନ୍ତି ହରବିନ୍ଦର । ସେହିପରି କ୍ଲବ ଥ୍ରୋରେ ଧରମବୀରଙ୍କୁ ମିଳିଛି ଗୋଲ୍ଡ ମେଡାଲ । ପ୍ରଣବ ସୋରମାଙ୍କୁ ରୌପ୍ଯ ପଦକ ମିଳିଥିବାବେଳେ ସଟଫୁଟରେ ସରଜିରାଓ ଖିଲାରୀ ଜିତିଛନ୍ତି ରୌପ୍ଯ ପଦକ । ଦ୍ବିତୀୟ ପ୍ରୟାସରେ ସେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ କରି ଏହି ସଫଳତା ହାସଲ କରିଛନ୍ତି । ଚଳିତ ପାରାଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ଯକ ପଦକ ଜିତିଲାଣି । ଏବେ ସୁଦ୍ଧା ଭାରତ ମୋଟ ୨୪ଟି ପଦକ ଲାଭ କଲାଣି । ଯେଉଁଥିରେ ରହିଛି ୫ଟି ସ୍ବର୍ଣ୍ଣ, ୯ଟି ରୌପ୍ଯ ଓ ୧୦ଟି କାଂସ୍ଯ ।
ଆଜି ବି ବିଧାନସଭାରେ ଗର୍ଜିବେ ବିରୋଧୀ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ
ଭୁବନେଶ୍ବର: ବିଧାନସଭାରେ ଆଜି ମଧ୍ୟ ଗର୍ଜିପାରନ୍ତି ବିରୋଧୀ । ସୁଭଦ୍ରା, ମାଗଣା ବିଜୁଳି, ଡେଙ୍ଗୁ, ଛାତ୍ର ସଂସଦ ନିର୍ବାଚନ ଭଳି ପ୍ରସଙ୍ଗରେ ଗୃୃହ ହୁଲସ୍ତୁଲ ହୋଇପାରେ ।
ସୁଭଦ୍ରା ଆବେଦନ ଓ ସେପଟେମ୍ବର ୧୭ରେ ପ୍ରଥମ କିସ୍ତି ମିଳିବ ବୋଲି ଘୋଷଣା ପରେ ମୋ ସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ହେଉଛି। ଏହା ସହିତ ଆଧାର ଅପଟେଡ୍ କରିବାକୁ ବିଭିନ୍ନ ସ୍ଥାନରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳୁଛି ।

ଏହାକୁ ବିରୋଧୀ ପ୍ରସଙ୍ଗ କରି ସରକାରଙ୍କୁ ଅଡୁଆରେ ପକାଇପାରନ୍ତି । ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ଯ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ବି ଆସିପାରେ । ଅପରାହ୍ନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି।
ଶ୍ରୀମନ୍ଦିରରେ ଆଜି ନିକୁଞ୍ଜ ଲୀଳା
ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ନିକୁଞ୍ଜ ଲୀଳା ପାଳିତ ହେବ । ସନ୍ଧ୍ୟାଧୂପ ସରିଲା ପରେ ଶ୍ରୀରାମକୃଷ୍ଣ ଆଜ୍ଞାମାଳ ପାଇ ଜଗମୋହନ ଖଟ ଉପରେ ବିଜେ ହେବେ। ସେଠାରେ ଭୋଗ ଓ ବନ୍ଦାପନା କରାଯିବ। ଏହି ନୀତିରେ ହରଚଣ୍ଡୀ ସାହିର ବାସିନ୍ଦାମାନେ ଠାକୁରଙ୍କୁ ସାମିଲ କରାଇଥାନ୍ତି ।

ଏନେଇ ଏକ କଥାବସ୍ତୁ ରହିଥିବା କୁହାଯାଏ । କିଶୋର ଅବସ୍ଥାରେ ଗୋପଲୀଳା କରୁଥିବେ ଶ୍ରୀକୃଷ୍ଣ । ଗୋପୀଙ୍କ ଭିତରେ ଜଣେ ରାକ୍ଷସୀ ଥିଲେ । କଂସର ଏସବୁ ମାୟା ଥିଲା ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କୁ ମୋହିତ କରି ହରଣ କରିବା ଥିଲା ଉଦ୍ଦେଶ୍ୟ । ହେଲେ ଶ୍ରୀକୃଷ୍ଣ ଏହା ଜାଣି ପାରି ଗୋପୀ ରୂପୀ ରାକ୍ଷସୀଙ୍କୁ ବଶୀଭୂତ କରି ବିଦା କରିଦେଇଥିଲେ। ଯାହାକୁ ଶ୍ରୀକୃଷ୍ଣଙ୍କ ନିକୁଞ୍ଜ ଲୀଳା ରୂପେ ବିବେଚନା କରାଯାଏ।ଗତକାଲି ଶ୍ରୀମନ୍ଦିରରେ ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା।
ଆମେରିକାର ଏକ ହାଇସ୍କୁଲରେ ଗୁଳିମାଡ଼, ୪ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଏକ ହାଇସ୍କୁଲରେ ହରର । ଜର୍ଜିଆର ଏକ ହାଇସ୍କୁଲରେ ଗୁଳିମାଡ଼ । ସହପାଠୀ ଓ ଶିକ୍ଷକଙ୍କୁ ଗୁଳିମାରିଲା ଛାତ୍ର । ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ଯକରେ ୨ ଜଣ ଛାତ୍ର ଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ୯ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ଜଣକ ସେହି ସ୍କୁଲର ଜଣେ ୧୪ ବର୍ଷର ବାଳକ । ସେ ସେହି ସ୍କୁଲରେ ହିଁ ପାଠ ପଢୁଥିଲା । ହଠାତ ଶ୍ରେଣୀଗୃହରେ ପଶି ଗୁଳି ଚଳାଇବା ଯୋଗୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ଯୁ ହୋଇଛି । ଅଭିଯୁକ୍ତକୁ ଆମେରିକା ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ୍ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଗୁଳିମାଡ ପରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।
ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କ, ଆଜି ପାଳିତ ହେଉଛି ଗୁରୁଦିବସ
ଭୁବନେଶ୍ୱର : ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର । ଈଶ୍ବରଙ୍କର ଅନ୍ଯ ରୂପ ହେଲେ ଗୁରୁ । ଶିକ୍ଷକଙ୍କ ଭୂମିକାକୁ ମନେ ପକାଇ ସାରା ଆଜି ସାରା ଦେଶ ପାଳୁଛି ପବିତ୍ର ଗୁରୁ ଦିବସ । ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରିନାହାନ୍ତି । କଞ୍ଚା ମାଟି ପିଣ୍ଡୁଳାକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ନିରନ୍ତ ଚେଷ୍ଟା କରିଥାନ୍ତି ଗୁରୁ ।
ବାପାମାଆଙ୍କ ପରେ ଗୁରୁ ହିଁ ଜୀବନରେ ଆଗକୁ ବଢିବା ପାଇଁ ସଠିକ ମାର୍ଗ ଦେଖାଇଥାଆନ୍ତି । ଶିକ୍ଷା ପ୍ରଦାନ ସହ ଜୀବନକୁ ମାର୍ଜିତ ଓ ଶୃଙ୍ଖଳିତ କରିବାରେ ତାଙ୍କ ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ଆମ ଭାରତୀୟ ସଂସ୍କୃତି ଗୁରୁ-ଶିଷ୍ଯର ପରମ୍ପରା ଉପରେ ପ୍ରତିଷ୍ଠିତ । ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ରାଷ୍ଟ୍ରପତି ଥିବା ସମୟରେ ଛାତ୍ରଛାତ୍ରୀତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ । ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ ତାହା ବଡ଼ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇ ସେବେଠୁ ତାଙ୍କ ଜନ୍ମଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।
ନଭେମ୍ବର ୧୫ରୁ କଟକ ଐତିହାସିକ ବାଲିଯାତ୍ରା , ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
କଟକ : ନଭେମ୍ବର ୧୫ରେ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ, ସିସିଟିଭି, ଆମ୍ବୁଲାନ୍ସ ଯୋଗାଇ ଦିଆଯିବବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ କହିଛନ୍ତି । ଓରମାସ୍ ଷ୍ଟଲ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
କନ୍ନଡ ଆକ୍ଟର ଦର୍ଶନ ଥୁଗୁଦୀପାଙ୍କ ବଢିଲା ଅଡୁଆ, ରେଣୁକାସ୍ଵାମୀ ହତ୍ଯାକାଣ୍ଡରେ ଚାର୍ଜସିଟ୍ ଦାଖଲ
ବେଙ୍ଗାଲୁରୁ : କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କ ବଢିଲା ଅଡୁଆ। ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ଵାମୀ ହତ୍ଯାକାଣ୍ଡ ଘଟଣାରେ ଚାର୍ଜସିଟ ଦାଖଲ କଲା ପୋଲିସ। ଅଭିନେତା ଦର୍ଶନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପୋଲିସ ୨ଶହଟି ପ୍ରମାଣ ଥିବା ଉଲ୍ଲେଖ କରିଛି। ଏଥିରେ ଫରେନସିକ୍ ରିପୋର୍ଟ ସହ ରକ୍ତଛିଟାର ମିଳିଛି ପ୍ରମାଣ। ଅଭିନେତ୍ରୀ ପବିତ୍ରା ଗୌଡାଙ୍କ ସ୍ଯାଣ୍ଡଲରେ ମୃତକ ରେଣୁକାସ୍ଵାମୀର ରକ୍ତ ଛିଟା ମିଳିଥିବା ପୋଲିସ ରିପୋର୍ଟରେ ଦର୍ଶାଇଛି। କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ପୋଷାକରେ ମଧ୍ୟ ରେଣୁକାସ୍ଵାମୀଙ୍କ ରକ୍ତଛିଟା ଥିବା ପ୍ରମାଣ ମିଳିଛି।
ବେଙ୍ଗାଲୁରୁ ପୋଲିସ ଦାଖଲ କରିଥିଲା ଚାର୍ଜସିଟରେ ଏହି ସମସ୍ତ ତଥ୍ୟ ଦର୍ଶାଇଛି । ଚାର୍ଜସିଟରେ ପୋଲିସ ୨୩୦ଟି ପ୍ରମାଣ ଦର୍ଶାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ଦାଖଲ କରିଛି ପୋଲିସ। ଫ୍ଯାନ୍ସ ରେଣୁକାସ୍ଵାମୀଙ୍କୁ ହତ୍ଯା ଅଭିଯୋଗରେ ଗତ ଜୁନ ୧୧ ତାରିଖରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଗିରଫ କରିଥିଲା ପୋଲିସ। ଦର୍ଶନଙ୍କ ସାଥି ପବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ କରିବା ଘଟଣାକୁ ନେଇ ରେଣୁକାସ୍ଵାମୀଙ୍କ ହତ୍ଯା କରିଥିବା ଅଭିଯୋଗ ହୋଇଥିଲା। ଦର୍ଶନଙ୍କ କୋଷ୍ଟାର ପବିତ୍ରା ଗୌଡାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ମାମଲାରେ ମୋଟ ୧୯ ଜଣ ଗିରଫ ହୋଇଛନ୍ତି।
ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର : ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ। ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଆଜିଠାରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିଭଳି ଆସନ୍ତାକାଲି ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହିଭଳି ୭ ତାରିଖ ଗଣେଶ ପୂଜାରେ ମଧ୍ୟ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି। ଆଜି ସକାଳ ସମୟରେ ଟୁଇନ୍ ସିଟିରେ ପ୍ରବଳ ଖରା ଅନୁଭବ ହୋଇଥିଲେ ମଧ୍ୟ ସନ୍ଧ୍ୟାରେ ଘଡଘଡି ବିଜୁଳି ସହ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେଲେ ମଧ୍ୟ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

