ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ। ହାଇଦ୍ରାବାଦର ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ। ଲିଭର ପ୍ରତିରୋପଣ ପ୍ରଥମ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଆଜି କରାଯାଇଛି ଦ୍ୱିତୀୟ ପ୍ରତିରୋପଣ। ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲିଭର ଖରାପ ହେବାର ୨୦ରୁ ଅଧିକ କାରଣ ରହିଛି। ଅଧିକ ପରିମାଣର ଜ୍ଵର ଔଷଧ ଏକା ସଙ୍ଗେ ସେବନ, ହେପାଟାଇଟିସ E ରେ ପୀଡିତ ଗର୍ଭବତୀ ମହିଳାଙ୍କ ନିୟମିତ ଅତ୍ୟଧିକ ମଦ ସେବନ, ଜଙ୍କ ଫୁଡ ସେବନ ଆଦିରେ ନଷ୍ଟ ହୁଏ ଲିଭର। ତେବେ ଯୁବାବସ୍ଥାରେ ନିଶା ସେବନ ଦ୍ଵାରା ଅଧିକ ସଂଖ୍ଯାରେ ଏହି ରୋଗ ଦେଖାଯାଉଥିବା କହିଛନ୍ତି ବିଶେଷଜ୍ଞ।
ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ସଂଚାର ବ୍ୟୁରୋ: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡ଼ିଛି। ସନ୍ଦେହରେ ସଂଗରୋଧରେ ବ୍ଯକ୍ତି ଜଣଙ୍କୁ ରଖାଯାଇଛି। ତେବେ ସନ୍ଦିଗ୍ଧ ଜଣଙ୍କର ରିପୋର୍ଟ ନୂଆ ଷ୍ଟ୍ରେନର ନଥିବା ଜଣାପଡିଛି। ଏହି ଷ୍ଟ୍ରେନରେ ଏତେଟା ବିପଦ ନାହିଁ। ପ୍ରୋଟୋକଲ ଅନୁଯାୟୀ ଆଡଭାଇଜରି ଜାରି ହୋଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜଳ, ସ୍ଥଳ, ଆକାଶ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ଥିତି ତଦାରଖ କରାଯାଉଛି। ମଙ୍କିପକ୍ସ ରୋକିବାକୁ ପ୍ରତିଷେଧକମୂଳକ ପଦକ୍ଷେପ ସହ ଲକ୍ଷଣ ଏବଂ କାରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି।
ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଦିନ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଭୀଷଣ ବର୍ଷା ନେଇ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଅରେଞ୍ଜ ଏବଂ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟରେ ଥିବା ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର । ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଳାହାଣ୍ଡି, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।କାଲି ସକାଳ ପର୍ଯ୍ୟନ୍ତ ସର୍ବାଧିକ ବର୍ଷାର ପ୍ରଭାବ ରହିବ । କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ବରଗଡ ଏବଂ ନୂଆପଡାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଗଭୀର ଅବପାତଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡଖଣ୍ଡ ଦେଇ ଛତିଶଗଡ ମୁହାଁ ହେବ।


