ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ପିସିସି ସଭାପତି ନାନା ପାଟୋଲ ସଙ୍କୋଳି ଆସନରୁ ଲଢିବା ଏକପ୍ରକାର ନିଶ୍ଚିତ ହୋଇଛି। ବିରୋଧୀ ଦଳ ନେତା ବିଜୟ ୱାଦେତିୱାର ବ୍ରାହ୍ମଣପୁରୀ ଆସନରୁ ଲଢିବା ସୂଚନା ମିଳିଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ସଙ୍ଗମେନରରୁ ଲଢିବେ। ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ଶକ୍ତିମନ୍ତ୍ରୀ ନୀତୀନ ରାୱତ ଉତ୍ତର ନାଗପୁରରୁ, ପୂର୍ବତନ ମନ୍ତ୍ରୀ ଯଶୋମତି ଠାକୁର ତେଓସାରୁ ଲଢିପାରନ୍ତି। ସେପଟେ ପୂର୍ବ ବିଦର୍ଭର କୌଣସି ଆସନ ଶିବସେନା ୟୁବିଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ । ସେପେଟ ମୁମ୍ବାଇ ମହାନଗରୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ କଂଗ୍ରେସ ଲାଗି ଛାଡିବାକୁ ରାଜି ହୋଇନାହିଁ ଶିବସେନା-ୟୁବିଟି । ମୋଟ ୨୮୮ ଆସନରୁ ୨୬୦ ଆସନ ଲାଗି ଏମଭିଏରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିବାଦୀୟ ୨୮ଟି ଆସନ ଲାଗି ହୋଇପାରିନି ସହମତି। ଏହି ୨୬ଟି ଆସନରେ ତିନି ଦଳର ହେଭିୱେଟମାନେ ଥିବାରୁ ଚୂଡାନ୍ତ ନିଷ୍ପତ୍ତି ନେଇପାରିନାହାନ୍ତି ତିନି ଦଳ। ବୁଝାମଣା ଅନୁସାରେ କଂଗ୍ରେସ ୧୧୦ରୁ ୧୧୫, ଶିବସେନା(ୟୁବିଟି) ୮୩ରୁ ୮୬, ଏନସିପି(ଏସପି) ୭୨ରୁ ୭୫ ଆସନରେ ଲଢିପାରେ। ସେପଟେ ସମାଜବାଦୀ ପାର୍ଟି ମାଗିଥିବା ୧୨ ଆସନକୁ ନେଇ ଚାଲିଛି ବିଚାରବିମର୍ଷ। ଏସପିର ୨ ବିଧାୟକ ଥିବାରୁ ଏହି ସଂଖ୍ଯା ବଢାଇବା ଲାଗି ଦଳ ଉଦ୍ଯମ କରୁଛି।
ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ
କଟକ: ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ । ସିଏମସିର ବିକାଶ ଭବନ ପରିସରରେ ଏକ ପରିତ୍ୟକ୍ତ ସ୍ଥାନରେ ପାଲ ଘୋଡାଇ ପ୍ଲାଷ୍ଟିକ ରସିରେ ଟେଲିଫୋନ ଖୁଣ୍ଟରେ ବାନ୍ଧି ରଖାଯାଇଛି ପ୍ରତିମୂର୍ତ୍ତି । ନେତାଜୀ ବସ ଟର୍ମିନାଲ ସମ୍ମୁଖରୁ ରାସ୍ତା ସଂପ୍ରସାରଣ ପାଇଁ ଏକ ବର୍ଷ ତଳେ ହଟାଯାଇ ଥିଲା । ସେବେଠାରୁ ଏଠାରେ ବାନ୍ଧି ରଖାଯାଇଛି । ଯାହାକୁ ବୁଦ୍ଧିଜୀବୀ ଓ ସମାଜ ସେବୀ ନନ୍ଦା କରିବା ସହ ତୁରନ୍ତ ସମ୍ମାନର ସହ ଏହାକୁ ସ୍ଥାନିତ କରିବାକୁ ଦାବି ହୋଇଛି ।
ଭଜନ ସମ୍ରାଟ ଭିକାରୀ ବଳଙ୍କୁ କିଏ ବା ନ ଜାଣେ । ତାଙ୍କ କଣ୍ଠରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ସାରା ବିଶ୍ବରେ ଲୋକପ୍ରିୟ । ପରିତାପର ବିଷୟ, ତାଙ୍କ ମୃତ୍ଯୁ ପରେ ସମ୍ମାନ ଦେବାକୁ ଭୁଲି ଯାଇଛନ୍ତି କର୍ତ୍ତୃପକ୍ଷ । ପୂର୍ବ ସରକାର ଏକ ବିରାଟ ସୁନ୍ଦର ପ୍ରତିମୂର୍ତ୍ତି କଟକ ନେତାଜୀ ବସ ଟର୍ମିନାଲ ସମ୍ମୁଖ କାଠଯୋଡି ନଦୀକୂଳ ପାର୍କରେ ସ୍ଥାପନ କରିଥିଲେ । ଏବେ କିନ୍ତୁ ଏହା ପ୍ଲାଷ୍ଟିକ ପଲିଥିନରେ ଘୋଡାଇ ରସିରେ ଟେଲିଫୋନ ଖୁଣ୍ଟିରେ ବାନ୍ଧି ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି । ରାସ୍ତା ସଂପ୍ରସାରଣ ପାଇଁ ଏହାକୁ ସ୍ଥାନାନ୍ତର କରାଯାଇ ଥିଲେ ସୁଦ୍ଧା ଏହାକୁ ବିକାଶ ଭବନ ପରିସରରେ ଥିବା ପୁରୁଣା ଷ୍ଟକ ୟାର୍ଡରେ ରଖା ଯାଇଥିବାରୁ ନନ୍ଦା କରିଛନ୍ତି ସମାଜସେବୀ ।
ବିକାଶ ପାଇଁ କୌଣସି ଭିତ୍ତିଭୂମୀର ସ୍ଥାନାନ୍ତର ଏକ ସ୍ବଭାବିକ ପ୍ରକ୍ରିୟା । ତେବେ ପ୍ରତିଭା ପୂଜା ବଦଳରେ ଏପରି ଅବହେଳାକୁ ସମସ୍ତେ ନାପସନ୍ଦ କରିଛନ୍ତି । ବର୍ଷକ ଭିତରେ ମୂର୍ତ୍ତି ପ୍ରତିଷ୍ଠା ପାଇଁ ୪ ଫୁଟର ଜାଗାଟିଏ ପ୍ରଶାସନ ସ୍ଥିର କରି ପାରୁ ନଥିବା କହିଛନ୍ତି ଲୋକେ । ତୁରନ୍ତ ମୂର୍ତ୍ତିଟିକୁ ସମ୍ମାନର ସହ ସ୍ଥାପନ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
କେନାଲରେ ପଡ଼ିଥିବା ବଲ କାଢ଼ିବାକୁ ଯାଇ ବୁଡ଼ିଗଲେ ୩ ନାବାଳକ
ବାରିପଦା: କେନାଲରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ବୁଡି ଏମାନଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମଦନ ମୋହନ ସାହୁ, ଶ୍ରେୟାଂଶୁ ସାହୁ ଏବଂ ସାଇ ଶଙ୍କର ସାହୁ ।
ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଖେଳୁଥିବା ସମୟରେ ବଲ କେନାଲ ପାଣିରେ ପଡିଯାଇଥିଲା । ବଲ୍ ଆଣିବାକୁ ଯାଇ ତିନି ନାବାଳକ ବୁଡି ଯାଇଥିଲେ । ପହଁରା ଜାଣି ନଥିବାବେଳେ ହାତ ଧରାଧରି ହୋଇ ବଲ କାଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସି ଯାଇ ପାଣିରେ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପାଖରେ ଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ସିର୍ସା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଓଡ଼ିଶାକୁ ବାତ୍ୟା ଭୟ: ସୋମବାର ପରେ ସ୍ପଷ୍ଟ ହେବ ଲ୍ଯାଣ୍ଡଫଲ ଚିତ୍ର… ୨୩ରୁ ୨୬ ଯାଏଁ ନନଷ୍ଟପ ବର୍ଷା
ଭୁବନେଶ୍ବର: ସ୍ପଷ୍ଟ ହେଉଛି ବାତ୍ୟା ଚିତ୍ର । ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୧ ତାରିଖ ମଧ୍ୟରେ ଏହା ଲଘୁଚାପ ରୂପ ନେବ । ୨୪ରୁ ୨୫ ମଧ୍ୟରେ ବାତ୍ୟା ଆଶଙ୍କା ଦେଖାଦେଇଥିବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି । ଆନ୍ତର୍ଜାତିକ ପାଣିପାଗ ମଡେଲ ଅନୁସାରେ ବାତ୍ୟାର ପ୍ରଭାବ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରହିବ । ତେବେ ବାତ୍ୟାର ତୀବ୍ରତା ଓ ଗତିପଥ ଏଯାଏଁ ସ୍ପଷ୍ଟ ହୋଇନି । ବାତ୍ଯା ନେଇ ଆଇଏମଡି କୌଣସି ସୂଚନା ଦେଇ ନଥିବା ବେଳେ ବର୍ଷା ନେଇ ସତର୍କତା ଜାରି କରିଛି ।
ସମୟ ଯେତିକି ଗଡୁଛି, ବାତ୍ୟା ଆଶଙ୍କା ସେତିକି ବଢୁଛି । ଓଡ଼ିଶାକୁ ବାତ୍ଯା ଭୟ ଭିତରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୧ ସୁଦ୍ଧା ନେବ ଲଘୁଚାପ ରୂପ । ୨୩ରେ ଅବପାତ, ୨୨ରୁ ସମୁଦ୍ର ହେବ ଅଶାନ୍ତ । ୨୧ ପରେ ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ । ୨୩ ତାରିଖରୁ ୨୬ ଯାଏଁ ନନଷ୍ଟପ ବର୍ଷା । ଜିଏଫ୍ଏସ୍ ମଡେଲ ଅନୁସାରେ ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟାଟି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।
ସେହିଭଳି ECMWFର ଆକଳନ କହୁଛି ସାମ୍ଭାବ୍ୟ ଲଘୁଚାପଟି ବାଲେଶ୍ବର କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ । ଓ୍ବିଣ୍ଡିର ଗ୍ରାଫିକ୍ସ ଅନୁସାରେ ସାମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବାତ୍ୟା ହେବାର ସମ୍ଭାବନା ଅଧିକ ରହିଛି । କାରଣ ସମୁଦ୍ରର ତାପମାତ୍ରା ଓ ସ୍ଥଳଭାଗର ତାପମାତ୍ରା ବାତ୍ୟା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି ।
ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେବା ପରେ ୨୩ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ପ୍ରଭାବରେ ୨୨ ତାରିଖରୁ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ୨୩ରୁ ଏହାର ପରିମାଣ ଏବଂ ବିସ୍ତୃତି ବଢି ୨୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟା ନେଇ ଆଇଏମଡି କୌଣସି ସୂଚନା ଦେଇ ନଥିବା ବେଳେ ସମୁଦ୍ର ଅଶାନ୍ତ ସହ ବର୍ଷା ପବନ ନେଇ ସତର୍କତା ଜାରି କରିଛି ।
ଅକ୍ଟୋବର ମାସ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ । ମୌସୁମୀ ପ୍ରତ୍ୟାବର୍ତ୍ତନ କରିସାରିଥିବା ବେଳେ ବର୍ତ୍ତମାନ ତାପମାତ୍ରା ଉପର ମୁହାଁ । ସମୁଦ୍ର ପତନର ତାପମାତ୍ରା ୩୨ ଡିଗ୍ରୀ ଉପରେ । ଫଳରେ ବାତ୍ୟାକୁ ବଳ ଗୋଟାଇବା ପାଇଁ ପାଗ ଅନୁକୂଳ ରହିଛି ।

