spot_img
Home Blog Page 1693

କୋଲକାତା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା : ଦେଶବ୍ଯାପୀ ଆନ୍ଦୋଳନ ଜାରି

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣା। ଦେଶର ବିଭିନ୍ନ ସ୍ଥାନରେ ଜାରି ପ୍ରତିବାଦ ଆନ୍ଦୋଳନ। ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ଯାହାର ହେଲା ବୋଲି ଗତକାଲି ଘୋଷଣା କରାଯାଇଥିଲେ ବି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଦିଲ୍ଲୀ ଏମସ ଆବାସିକ ଡାକ୍ତର ସଂଘ। ଫଳରେ ଆଜି ଦିଲ୍ଲୀ, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି।

ଗତକାଲି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହାର କରାଗଲା ବୋଲି କହିଥିଲା ଆବାସିକ ଡାକ୍ତର ସଂଘ ବା ଫୋର୍ଡା । ଏହା ସହ ମେଡିକାଲ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ଯସେବା ସୁରକ୍ଷା ଆଇନ ଲାଗୁ କରାଯିବ ବୋଲି କହିଥିଲେ ନଡ୍ଡା। ସେପଟେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ସର୍ବଭାରତୀୟ ମେଡିକାଲ ସଂଘ ବା ଏଫଏଆଇଏମଏ।

ସେହିପରି ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ଆବାସିକ ଡାକ୍ତର ସଂଘ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଜୁନିଅର ଡାକ୍ତର ସଂଘ, ପାଟନା, ଭବୁନେଶ୍ବର, ଋଷିକେଶ, ମଙ୍ଗଳଗିରି ଏମସ ଡାକ୍ତର ସଂଘ, ବେଙ୍ଗାଲୁରୁ ନିମହାନ୍ସ, ପିଜିଆଇ ଚଣ୍ଡୀଗଡ଼, କେଜିଏମୟୁ ଲକ୍ଷ୍ମୌ ଆଦି ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି।

ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା, ଗର୍ଭବତୀ ମାଆ ସହ ଆଠ ବର୍ଷ ପୁଅର ମୃତ୍ୟୁ

ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ହାତୀ ଉପଦ୍ରବ । ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି। ଅନ୍ୟ ତିନି ଶିଶୁକନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ତିନି ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ମାଆ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା । ମୃତ ମାଆ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ସାତ ଦିନ ପୂର୍ବରୁ ବାପା ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିଲେ । ଏନେଇ ବରସୁଆଁ ବନାଞ୍ଚଳ ଅଧିକାରୀ ଧରଣୀଧର ସାହୁ କହିଛନ୍ତି ହାତୀଟି ଟ୍ରାକିଂ ରେ ରହିଥିବା ଓ ପ୍ରବଳ ବର୍ଷା ଯୋଗୁଁ ଟ୍ରାକିଂରେ ଅସୁବିଧା ଯୋଗୁଁ ଏଭଳି ଘଟଣା ଘଟିଛି। ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛିl

ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ୧୫୫ ଓଡ଼ିଆ

ନୀଳଗିରି : ଓଡିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ୧୫୫ ଓଡିଆ। ଓଡ଼ିଶାରୁ ପଶ୍ଚିମବଙ୍ଗ ମେଦନିପୁର ପଞ୍ଚୁଖଡିକା ଅଞ୍ଚଳରେ ଜୈନିକ କବିରାଜଙ୍କ ପାଖକୁ ଯାଇଥିଲେ ଲୋକେ। ଓଡିଶାର ଲୋକ ଜାଣିପାରି ସ୍ଥାନୀୟ ଲୋକେ ମାରଣାସ୍ତ୍ର ଧରି ଅଟକ ରଖିଥିଲେ। ଏବାବଦରେ ଅଟକଥିବା ଲୋକେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ତତ୍ପରତା ପ୍ରକାଶ କରିଥିଲା ପ୍ରଶାସନ।

ଦୁଇଟି ବସ, ତିନିଟି ବଲେରୋ ଓ ଗୋଟିଏ କାରରେ ନୀଳଗିରି, ମିତ୍ରପୁର, କଲ୍ୟାଣି ଏବଂ ମୟୁରଭଞ୍ଜ ବିଷୋୟୀ ଅଂଚଳର ଲୋକେ ଚିକିତ୍ସା ପାଇଁ ଯାଇଥିଲେ। ଓଡିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଜଣାଇବା ପରେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ରାତି ପ୍ରାୟ ଗୋଟାଏ ସମୟରେ ଓଡିଶା ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଆଣି ପହଞ୍ଚାଇବା ପରେ ଜଳେଶ୍ବର ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଲୋକଙ୍କୁ ପାଣି, ଖାଦ୍ୟ ଦେବା ସହ ଜଳେଶ୍ବର ପୋଲିସ ସୁରକ୍ଷା ମଧ୍ୟରେ ଘରେ ଆଣି ଛାଡ଼ିଛି।

ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୀଳଗିରି : ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅର୍ଥ ହଡ଼ପ ଅଭିଯୋଗରେ ଚାଲିଛି ଖୋଳତାଡ଼। ଚଢାଉରେ ୨ ଡିଏସପିଙ୍କ ନେତୃତ୍ଵରେ ସାମିଲ୍ ଅଛନ୍ତି ୧୨ ଜଣିଆ ଟିମ୍। ଗୁରୁତ୍ୱପୂର୍ଣ୍ଣ କାଗଜ ଖୋଜୁଛି ଟିମ୍। ତିନିଟି ପ୍ଲଟ, ଗୋଟିଏ ବ୍ରିଜା କାର, ୨ ଗୋଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୨ ଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୨ ଏଏସଆଇଙ୍କ ସମେତ ୧୨ ଜଣ ସାମିଲ ଅଛନ୍ତି।

ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ଶ୍ରୀମନ୍ଦିରରେ ସଜେଇ ହେଲାଣି ଝୁଲଣ କୁଞ୍ଜ

ପୁରୀ : ଆଜିଠୁ ଝୁଲଣ ଯାତ୍ରା। ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଭିଭିନ୍ନ ମଠ ବାଡ଼ି ମାନଙ୍କରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେଉଛି  । ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯିବା ସହ କୁଞ୍ଜରେ ମଦନ ମୋହନ ଭୂଦେବୀ ଶ୍ରୀଦେବୀ ବିଜେ କରିବାର ପରମ୍ପରା ରହିଛି  ।

ତେବେ ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୁଏ । ଝୁଲଣ କୁଞ୍ଜରେ ଭିନ୍ନଭିନ୍ନ ପକ୍ଷୀ ବିରାଜମାନ କରିଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।ଶ୍ରୀ ଜଗନ୍ନାଥ ବଲ୍ଲବ ମଠ ସମେତ ଶ୍ରୀକ୍ଷେତ୍ରରେ ଥିବା ସହିତ ଅନେକ ଛୋଟ ବଡ଼ ମଠ ମାନଙ୍କରେ ଏହି ଝୁଲଣ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ  । ଏହି ଅବସରରେ ଭିବିନ୍ନ ସ୍ଥାନରେ ପାରମ୍ପରିକ ଚମ୍ପୁ, ଛନ୍ଦ ଓ ପୂରାତନ ଝୁଲଣର ରାସ ଗୀତ ପରିବେଷଣ ହୋଇଥାଏ  । ଜଗନ୍ନାଥ ବଲ୍ଳଭ ମଠରେ ଚଳିତ ବର୍ଷ ଅନେକ ନୂଆ ସାଜ ତିଆରି ହୋଇ ଦ୍ୱାପର ଯୁଗ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପ ପ୍ରସ୍ତୁତି କରାଯାଇଛି ।

ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ପଦକ ନିଷ୍ପତ୍ତି । ତୃତୀୟ ଥର ପାଇଁ ସିଏଏସ ନିଷ୍ପତ୍ତି ଘୁଞ୍ଚିଛି। ଆସନ୍ତା ୧୬ ତାରିଖ ରାତି ୯ଟା ୩୦ ସୁଦ୍ଧା କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ବା CAS ରାୟ ପ୍ରକାଶ କରିବେ। ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ ଏହାକୁ ନେଇ ଏବେ ବି ସନ୍ଦେହ ରହିଛି।

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ୫୦ କେଜି ବର୍ଗରେ ଭାଗ ନେଇଥିଲେ। ପ୍ରଥମ ମ୍ୟାଚରେ ସେ ବିଶ୍ୱର ନଂ ୧ ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ଜାପାନର ୟୁଇ ସୁସାକିଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଏହାପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ଏବଂ ସେମିଫାଇନାଲରେ କ୍ୟୁବାର ଗୁଜମାନଙ୍କୁ ୫-୦ ବ୍ୟବଧାନରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲେ। ତେବେ ୧୦୦ ଗ୍ରାମ ଅଧିକ ଓଜନ ଥିବାରୁ ତାଙ୍କୁ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଦିଆଯାଇ ନ ଥିଲା।

ଏହା ବିରୋଧରେ ଫୋଗାଟ କୋର୍ଟ ଅଫ୍ ଆବ୍ରିଟ୍ରେସନ ଅଫ୍ ସ୍ପୋର୍ଟସରେ ଲଢ଼େଇ ଜାରି ରଖିଛନ୍ତି । ଭିନେଶଙ୍କ ଆଇନୀଜୀଙ୍କ କହିବା ଅନୁସାରେ, ୧୦୦ ଗ୍ରାମର ଓଜନ ବୃଦ୍ଧି ଏକ ବଡ କଥା ନୁହେଁ। ଗ୍ରୀଷ୍ମ ଋତୁରେ ଶରୀରରେ ଜଳର ପରିମାଣ ଅଧିକ ଥାଏ। ଏହି କାରଣରୁ ଶରୀରର ଓଜନ ସହଜରେ ୧୦୦ ଗ୍ରାମ ବୃଦ୍ଧି ପାଇପାରେ। ଏହା ବ୍ୟତୀତ, ଗୋଟିଏ ଦିନରେ ୩ଟି ପ୍ରତିଯୋଗିତାରେ ଜିତିବା ପରେ ମଧ୍ୟ ଆଥଲେଟଙ୍କ ଶରୀରରେ ଅଧିକ ରକ୍ତ ସଞ୍ଚାଳନ ହୋଇଥିଲା। ଯେଉଁ କାରଣରୁ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥିଲା।

କଠିନ ପରିଶ୍ରମ ପରେ ଭିନେଶ ସେମିଫାଇନାଲରେ ଜିତି ରୌପ୍ୟ ପଦକ ଜିତିଥିଲେ। ସେ ନିଶ୍ଚିତ ଭାବରେ ତାଙ୍କର ପରିଶ୍ରମର ଫଳ ପାଇବା ଉଚିତ୍। କୋର୍ଟ ସବୁ ରାୟ ଶୁଣିବା ପରେ ୯ ତାରିଖରେ ରାୟ ପ୍ରକାଶ କରିବାର ଥିଲା। କିନ୍ତୁ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ପୁଣି ରାୟ ପ୍ରକାଶ ତାରିଖକୁ ୧୬ ଅଗଷ୍ଟକୁ ବୃଦ୍ଧି କରାଯାଇଛି ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ଯରେ ପ୍ରବଳ ବର୍ଷା; ୯ଟି ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ଯରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୯ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୬ ତାରିଖରେ ୫ ଜିଲ୍ଲା, ୧୭ ତାରିଖରେ ୬ଟି ଓ ୧୮ ତାରିଖରେ ୫ ଜିଲ୍ଲାକୁ ସତର୍କ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିମ୍ନଚାପରେଖା ସକ୍ରିୟ ରହିଥିବା ବେଳେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ରାଜସ୍ଥାନ ଦେଇ ବାଂଲାଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି।

ବିଶେଷ କରି ଉପକୂଳ ଓଡ଼ିଶାରେ ଆକାଶ ମେଘାଛନ୍ନ ରହିଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ତାପମାତ୍ରା ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ରେକର୍ଡ ହେଉଥିବା ବେଳେ ଆଦ୍ରତା ୭୦ ରୁ ୮୦ ପ୍ରତିଶତ ରହୁଛି। ପ୍ରଭାବରେ ହାଲୁକା ବର୍ଷା ସତ୍ତ୍ବେ ଅସହ୍ୟ ହେଉଛି ଗୁଳୁଗୁଳି । ବାୟୁମଣ୍ଡଳରେ ଅଚାନକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଥିବାରୁ କିଛି ସ୍ଥାନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି।

ଆଜିଠୁ ନିଟ୍-ୟୁଜି ୨୦୨୪ କାଉନସେଲିଂ : ୨୧ ତାରିଖ ଦିନ ୧୨ ସୁଦ୍ଧା ପଞ୍ଜୀକରଣ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ନିଟ୍-ୟୁଜି ୨୦୨୪ କାଉନସେଲିଂ। ଦେଶର ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ ମଧ୍ଯ କାଉନସେଲିଂ ହେବ। ଅଲ ଇଣ୍ଡିଆ କୋଟା ଆଧାରରେ ୧୫ ପ୍ରତିଶତ ଓ ବାକି ୮୫ ପ୍ରତିଶତ ସିଟରେ ରାଜ୍ଯ କୋଟାରେ କାଉନସେଲିଂ କରାଯିବ ।

୩ଟି ମୁଖ୍ଯ ରାଉଣ୍ଡରେ ନିଟ ୟୁଜି କାଉସେଲିଂକୁ ଏମସିସି ପରିଚାଳନା କରିବ । ଆଜିଠୁ ୨୧ ତାରିଖ ଦିନ ୧୨ ସୁଦ୍ଧା ପଞ୍ଜୀକରଣ ଚାଲିବ । ୨୧ ତାରିଖ ଦିନ ୩ଟା ସୁଦ୍ଧା ପେମେଣ୍ଟ ସୁବିଧା ମିଳିବ। ୧୬ରୁ ୨୦ ତାରିଖ ଦିନ ୧୧ଟା ୫୫ ସୁଦ୍ଧା ଚଏସ ଫିଲିଂ ଏବଂ ଅଗଷ୍ଟ ୨୦ ଅପରାହ୍ନ ୪ଟାରୁ ରାତି ୧୧ଟା ୫୫ ମିନିଟ ପର୍ଯ୍ୟନ୍ତ ଚଏସଲ ଲକିଂ ହେବ। ପରେ ୨୧ରୁ ୨୨ ତାରିଖ ପର୍ଯ୍ୟନ୍ତ ସିଟ୍ ଆଲଟମେଣ୍ଟ ପ୍ରକ୍ରିୟା ହେବ। ଅଗଷ୍ଟ ୨୩ରେ ଆଲଟମେଣଅଟ ରେଜଲ୍ଟ ପ୍ରକାଶ ପାଇବ।

ପରେ ୨୪ରୁ ୨୯ ତାରିଖ ମଧ୍ଯରେ ଜଏନିଂ ରହିଛି। ଅଗଷ୍ଟ ୩୦ରୁ ୩୧ ତାରିଖ ମଧ୍ଯରେ ଅନୁଷ୍ଠାନ ଗୁଡ଼ିକ ଦ୍ବାରା ଜଏନ କରିଥିବା ପ୍ରାର୍ଥୀଙ୍କ ଡାଟା ଭେରିଫିକେସନ ସହ ଏମସିସି ଡାଟା ସେୟାର କରିବ। ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ପରେ ଏକାଧିକ ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏହାକୁ ଖାରଜ କରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ଏହି ବିବାଦୀୟ ପ୍ରବେଶିକା ପରୀକ୍ଷାର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଘୋଷଣା କରିଥିଲା।

ରାଜ୍ଯସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ନୂଆଦିଲ୍ଲୀ : ୯ ରାଜ୍ଯର ୧୨ଟି ରାଜ୍ଯସଭା ଆସନରେ ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଫଳରେ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଛି। ଅଗଷ୍ଟ ୨୨ରେ ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୭ ରହିଛି । ୩ ସେପ୍ଟେମ୍ବରରେ ମତଦାନ ହେବ ଏବଂ ଫଳାଫଳ ସେହିଦିନ ପ୍ରକାଶ ପାଇବ ।

ମହାରାଷ୍ଟ୍ର, ବିହାର ଓ ଆସାମର ୨ଟି ଲେଖାଏଁ ଆସନରେ ହେବ ଉପନିର୍ବାଚନ। ସେହିପରି ଓଡ଼ିଶା, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେବ। ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଏହି ଆସନ ପାଇଁ ନିର୍ବାଚନ ହେବ।

ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟସଭାକୁ କିଏ ଯିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସଂଖ୍ୟା ଦୃ୍ଷ୍ଟିରୁ ବିଜେପି ଖାତାକୁ ଗୋଟିଏ ଆସନ ଯିବା ନିଶ୍ଚିତ ହୋଇଥିବା ବେଳେ ଦଳ କାହାକୁ ରାଜ୍ୟସଭା ପଠାଇବ ତାହାକୁ ନେଇ ଆଲୋଚନା ଚାଲିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟସଭାପତି ସମୀର ମହାନ୍ତି ଓ ବିଜେପିରୁ ପୁଣିଥରେ ମମତା ମହାନ୍ତଙ୍କ ନାଁ ଚର୍ଚ୍ଚା ହେଉଛି । ଏହାଛଡ଼ା ମଧ୍ୟ କିଛି ପୁରୁଖା ବିଜେପି ନେତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

ଏସସିବି ଅସଦାଚରଣ ଘଟଣା, ଡାକ୍ତରଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ

କଟକ: ଏସସିବିରେ ମହିଳା ରୋଗୀଙ୍କୁ ଅସଦାଚରଣ ମାମଲା । ଗିରଫ ହୋଇଛନ୍ତି  ସିନିୟର ରେସିଡେଣ୍ଟ ଡାକ୍ତର ଦିଲବାଗ ସିଂ । ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ଏପଟେ ମଧ୍ଯପ୍ରଦେଶରୁ ଓଡ଼ିଶା ଆସିଛନ୍ତି ଗିରଫ ଡାକ୍ତରଙ୍କ ପରିବାର । ଡାକ୍ତରଙ୍କ ପରିବାରର ଅଭିଯୋଗ ମାମଲାରେ ଟୁଇଷ୍ଟ ଆଣିଛି ।

ଅଭିଯୁକ୍ତ ଡାକ୍ତରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତରଙ୍କୁ ଫସାଇ ଦିଆଯାଇଛି । ତିନି ବର୍ଷ ହେବ ଡାକ୍ତର ଦିଲବାଗ ସିଂ ଏସସିବିରେ ପଢୁଛନ୍ତି । ମିଛ ମାମଲାରେ ଫସାଇ ତାଙ୍କ କ୍ୟାରିୟରକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗକାରିଣୀଙ୍କ ସଂପର୍କୀୟଙ୍କ ଅନୁରୋଧରେ ଛୁଟି ଦିନରେ ଇକୋ କରିବାକୁ ଦିଲବାଗ ଆସିଥିଲେ । ସେ ଯଦି ଅସଦାଚରଣ କରିଥିଲେ ତେବେ ଅଭିଯୋଗ ନକରି କାହିଁକି ମାରପିଟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ନେଇ ନିରପେକ୍ଷ ଭାବେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଗତ ୧୧ ତାରିଖ ରାତିରେ ଦୁଇ ମହିଳା ରୋଗୀ ହୃଦରୋଗ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ଇସିଜି କରିବା ବାହାନାରେ ଡାକ୍ତର ଜଣଙ୍କ ସେମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୧୬୧ ଧାରାରେ ପୀଡ଼ିତାଙ୍କର ବୟାନ ରେକର୍ଡ ହୋଇଥିବା ବେଳେ ଆବଶ୍ଯକ ପଡ଼ିଲେ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତିନି ଜଣିଆ କମିଟି ଗଠନ କରିଛି ସ୍ବାସ୍ଥ୍ଯ ବିଭାଗ ।