ଭୁବନେଶ୍ବର ଆଇଗିଣିଆ ଏନଏଚ ଦବିବା ଘଟଣା । ଏନଏଚଏଆଇ କାର୍ଯ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । କାର୍ଯ୍ୟରେ ଅନିୟମିତତା ଓ ଏନଏଚଏଆଇର ଅପାରଗତା ବିରୋଧରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମାତ୍ର ୬ ମାସରେ କେମିତି ଫ୍ଲାଏଓଭର ରାସ୍ତା ଦବିଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ୮ତାରିଖ ଦିନ ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ୫ ଫୁଟ ଦବିଯାଇଥିଲା । ୬ମାସ ତଳେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଜାତୀୟ ରାଜପଥରେ ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା । ତେବେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ ।
ମୃତ୍ତିକା ସଂରକ୍ଷଣ କେନ୍ଦ୍ରରୁ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ: ଯାଜପୁରରେ ଚାଞ୍ଚଲ୍ଯ । ମୃତ୍ତିକା ସଂରକ୍ଷଣ କେନ୍ଦ୍ର ପରିସରରେ ଅଧିକାରୀଙ୍କ ଝୁଲନ୍ତା ମୃତଦେହ । ମୃତକ ହେଲେ ମୃତକ ସଏଲ କଞ୍ଜରଭେସନ ଓଭରସିଅର ଅଫିସର ସୁରେଶ ମଲ୍ଲିକ । ଦୁଇଦିନ ଧରି ସେ ଅଫିସକୁ ଆସିନଥିବା ବେଳେ ଆଜି ସକାଳୁ କାର୍ଯ୍ୟାଳୟ ପରିସରରେ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୁରେଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅବଦଲପୁର ଗାଁରେ । ୱାଚମ୍ଯାନଙ୍କ କହିବା ଅନୁସାରେ ପୂର୍ବରୁ ଦେହ ଖରାପ ପାଇଁ ସୁରେଶ ଔଷଧ ଖାଉଥିଲେ । ଗତ ଦୁଇଦିନ ଧରି ସେ ଅଫିସ ଆସୁନଥିଲେ । ଆଜି ସକାଳୁ ଅଫିସ ଆଗରେ ତାଙ୍କ ଗାଡ଼ି ଥୁଆ ହୋଇଥିବବେଳେ ଗେଟ୍ ଖୋଲିବାରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । କେଉଁ କାରଣ ପାଇଁ ସୁରେଶ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ସେନେଇ ପଚରାଉଚରା ପଚରାଉଚରା କରାଯାଉଛି । କାର୍ଯ୍ୟକ୍ଷେତ୍ରରେ କୌଣସି ଚାପ ଏବଂ ପାରିବାରିକ ସମ୍ପର୍କ ବିଷୟରେ ଅନୁଧ୍ଯାନ କରାଯାଉଛି। ତଦନ୍ତ ପରେ ଆତ୍ମହତ୍ଯାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ମାଆକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ
ନନ୍ଦିଘୋଷ ବ୍ୟୁରୋ: ମାଆକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ ପୁଅ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି । ବାରଙ୍ଗ ଥାନା କାନପୁର ପୁରୀ କେନାଲରେ ଅଘଟଣ। ସକାଳ ୯ଟା ସମୟରେ ନନ୍ଦନକାନନ ଥାନା ପଦାସହି ଅଞ୍ଚଳର ଦୁଇ ଭଉଣୀ ପିଲାଙ୍କୁ ନେଇ ପୁରୀ କେନାଲକୁ ଯାଇଥିଲେ। କେନାଲରେ ଗାଧୋଇବା ବେଳେ ହଠାତ ଦୁଇ ଭଉଣୀ ମଧ୍ୟରୁ ଗୋଟିଏ ଭଉଣୀ ବୁଡି ଯାଉଥିଲେ। ମାଆ ବୁଡିଯାଉଥିବା ଦେଖି ଦୁଇ ପୁଅ ମାଆକୁ ବଞ୍ଚାଇବାକୁ ପାଣି ଭିତରକୁ ପଶି ଯାଇଥିଲେ। ପହଁରା ଆସିନଥିବାରୁ ୨ ପୁଅ ବୁଡ଼ି ଯାଉଥିଲେ। ସେହି ସମୟରେ ପାଖରେ ଗାଧଉଥିବା କିଛି ଲୋକ ଦୁଇ ନାବାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ।
ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ । ଇଡି ଗିରଫଦାରୀ ମାମଲାରେ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବଡ଼ ଖଣ୍ଡପୀଠରେ ଶୁଣାଣି ଯାଏ ଅନ୍ତରୀଣ ଜାମିନ ମିଳିଛି । ୩ଜଣିଆ ଖଣ୍ଡପୀଠରେ କେଜ୍ରିୱାଲ ମାମଲାର ଶୁଣାଣି ହେବ । କିନ୍ତୁ ଜାମିନ ସତ୍ତ୍ବେ କେଜ୍ରିୱାଲ ଏବେ ଜେଲରୁ ମୁକୁଳିପାରିବେ ନାହିଁ । ସିବିଆଇ ତାଙ୍କୁ ଗିରଫ କରିଥିବାରୁ ଜେଲରେ ରହିବେ କେଜ୍ରିୱାଲ । ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲ ଆବେଦନ କରିଥିଲେ । ମେ ୧୭ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପକାନ ଦତ୍ତାଙ୍କୁ ନେଇ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି । ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କୁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଜୁନ୍ ୨୫ରେ ସିବିଆଇ କେଜରିୱାଲଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଜାମିନ ମିଳିନଥିବାରୁ କେଜ୍ରିୱାଲ ଏବେ ବି ଜେଲରେ ରହିବେ ।
ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି । ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ଯା କରିଥିବା ସୂଚନା ମିଳିଛି । ଦୁର୍ଯ୍ଯୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ପୋଲିସ ତଦନ୍ତ କରୁଛି । ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ଯ୍ଯୋଧନ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୈତ୍ରୀବିହାର ଥାନା ପୋଲିସ ପହଞ୍ଚି ପଚରାଉଚରା କରିଛି । ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁର ଅସଲ କାରଣ ଜଣାପଡ଼ିବ ।
୫ଦିନ ପରେ ଉଦ୍ଧାର ହେଲା ନିଖୋଜ ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଛାତ୍ର ନିଖୋଜ ଘଟଣା । ୫ଦିନ ପରେ ଉଦ୍ଧାର ହେଲା ନିଖୋଜ ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ । ଆଜି ସକାଳୁ ଉଦ୍ଧାରକାରୀ ଦଳ ଓମର ମୃତଦେହ ଉଦ୍ଧାର କରିଛି । ଭାସୁଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ରେସ୍କ୍ଯୁ ଟିମ୍ । ପରିବାରବର୍ଗ ପୁଅର ମୃତଦେହକୁ ଚିହ୍ନଟ କରିଛନ୍ତି । ଗତ ୮ ତାରିଖ ଦିନ ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଅଘଟଣ ଘଟିଥିଲା । ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିବା ସମୟରେ ଦୁଇଜଣ ଖଣି ପୋଖରୀରେ ପଡ଼ିଯାଇଥିଲେ । ଜଣେ ଛାତ୍ର କୂଳକୁ ଚାଲିଆସିଥିବାବେଳେ ସେବେଠୁ ନିଖୋଜ ଥିଲେ ଓମ୍ ପ୍ରକାଶ । କଟକ, ଢେଙ୍କାନାଳ, ଖୋର୍ଦ୍ଧାରୁ ସ୍ବତନ୍ତ୍ର ରେସ୍କ୍ଯୁ ଟିମ୍ ସହ ତାଲିମ ପ୍ରାପ୍ତ ବୁଡାଳୀ, କ୍ୟାମେରାର ସହାୟତା ନିଆଯାଇଥିଲା । ଏନଡିଆରଏଫ୍ ଟିମ୍ ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଅଗ୍ନିଶମ ବାହିନୀ, ନାଭାଲ ଟିମ୍, ଓଡ୍ରାଫ୍ଟ ଟିମ୍ ସମେତ ରାଉରକେଲା ଏନ୍ଆଇଟି ଟିମ୍ ବି ଲାଗିଥିଲେ । ଉଦ୍ଧାର ପାଇଁ ସମସ୍ତ ବୈଷୟିକ ଜ୍ଞାନ କୌଶଳ, ଉନ୍ନତମାନର କ୍ୟାମେରା, ରୋବଟର ସହାୟତା ନିଆଯାଇଥିଲା । ରୋବର୍ଟ ୩୦୦ ଫୁଟ ଗଭୀର ଜଳରାଶିରେ ସର୍ଚ୍ଚ ଅପରେସନ କରିଥିଲା । ସବୁ ଟିମ୍ ମିଶାଇ ଏକ୍ସପର୍ଟ ବୁଡାଳୀଙ୍କ ସହ ପ୍ରାୟ ୫୦ଜଣ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆଜି ସକାଳେ ଉଦ୍ଧାରକାରୀ ଦଳ ଓମର ମୃତଦେହ ଉଦ୍ଧାର କରିଛନ୍ତି ।
ପୁଣି ଆସୁଛି ବଡ଼ ବର୍ଷା
ନନ୍ଦିଘୋଷ ବ୍ୟୁରୋ: ପୁଣି ଆସୁଛି ବଡ଼ ବର୍ଷା । ଆସନ୍ତାକାଲିଠୁ ରାଜ୍ଯରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପଟେ ରାଜ୍ଯରେ ତାପମାତ୍ରା ଯଦିଓ ୪୦ ଡିଗ୍ରୀ ଭିତରେ ରହୁଛି କିନ୍ତୁ ଆଦ୍ରତା ୮୦ ରୁ ୯୦ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ଦୁଇ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ । ମୌସୁମୀ ଓ ଲଘୁଚାପ ସତ୍ତ୍ବେ ବର୍ତ୍ତମାନ ଏବେସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି ।
ନଦୀରେ ଭାସିଗଲା ବସ୍, ୬୩ ନିଖୋଜ
ନନ୍ଦିଘୋଷ ବ୍ୟୁରୋ: ନେପାଳରୁ ଆସିଲା ଦୁଃଖଦ ଖବର । ନେପାଳରେ ଭୂସ୍ଖଳନ ପରେ ନଦୀରେ ଭାସିଗଲା ବସ୍ । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି । ଉଭୟ ବସରେ ଡ୍ରାଇଭରଙ୍କୁ ମିଶାଇ ୬୩ ଜଣ ଥିବା ସୂଚନା ମିଳିଛି । ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧ ଯାତ୍ରୀ ରହିଥିଲେ । ତେବେ ୨ ଜଣ ଯାତ୍ରୀ ବସରୁ ଡେଇଁବାରେ ସଫଳ ହୋଇଛନ୍ତି । ବାକି ବସ ବସ କୌଣସି ଯାତ୍ରୀଙ୍କ ପତ୍ତା ମିଳିନାହିଁ । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।
ଚିତଓ୍ବାନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି, ଭୂସ୍ଖଳନ ହେବା ପରେ ବସ୍ଗୁଡିକ ରାଜରାସ୍ତାରୁ ନଦୀ ମଧ୍ୟକୁ ପଶିଯାଇଥିଲେ। ଉଭୟ ବସ୍ ଡ୍ରାଇଭରଙ୍କ ସମେତ ମୋଟ୍ ୬୩ ଜଣ ଯାତ୍ରୀ ନିଖେଜ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଭୂସ୍ଖଳନ ହୋଇଥିଲା। ସେ କହିଛନ୍ତି, ଆମେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ ଏବଂ ସର୍ଚ୍ଚ ଅପରେସନ ଚାଲିଛି। ଲଗାଣ ବର୍ଷା ବାଧା ସୃଷ୍ଟି କରୁଛି। ନିଖୋଜ ବସ୍ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। କାଠମାଣ୍ଡୁରୁ ଭରତପୁରକୁ ଯିବାକୁ ଥିବା ବିମାନ ଚଳାଚଳ ବନ୍ଦ ରହିଛି। ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସର୍ଚ୍ଚଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କଲ ଦହାଲ।
ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି
ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରକୁ ଫେରିବେ ମହାବାହୁ । ଆରମ୍ଭ ହୋଇଗଲାଣି ବାହୁଡ଼ାଯାତ୍ରା ପ୍ରସ୍ତୁତି । ଆଜି ଷଷ୍ଠୀରେ ତିନିରଥ ନେବ ଦକ୍ଷିଣ ମୋଡ଼ । ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ ରଥ । ଏଥିପାଇଁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ରଥଯାତ୍ରା ପରଠାରୁ ତିନିରଥ ଉତ୍ତରମୁହାଁ ହୋଇ ରହିଥିଲେ। ବାହୁଡ଼ାଯାତ୍ରା ପୂର୍ବପ୍ରସ୍ତୁତି ସ୍ବରୂପ ତିନିରଥକୁ ଦକ୍ଷିଣମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ଆଜି ସେବାୟତ ଓ ପୁଲିସଙ୍କ ସହଯୋଗରେ ତିନିରଥକୁ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ନିଆଯିବ । ମଧ୍ୟାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନିରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁଯାୟୀ, ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୁହାଁ କରି ରଖାଯିବ। ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୩ ରଥର ଯାଞ୍ଚ କରାଯାଇଛି । ୧୪ ତାରିଖ ନବମୀ ସନ୍ଧ୍ୟା ଦର୍ଶନ । ସକାଳ ୭ଟା ରୁ ଅପରାହ୍ନ ୫ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅପରାହ୍ଣ ୫ଟା ପରେ ଦର୍ଶନ ବନ୍ଦ ହୋଇ ୧୫ ତାରିଖରେ ହେବ ବାହୁଡ଼ାଯାତ୍ରା ।
ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ
ନନ୍ଦିଘୋଷ ବ୍ୟୁରୋ: ଜନ୍ମବେଦୀରେ ମହାପ୍ରଭୁଙ୍କ ମାନବୀୟ ଲୀଳା । ପତି-ପତ୍ନୀ ସମ୍ପର୍କର ଅଦଭୁତ ଦୃଶ୍ଯ ଦେଖି ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ । ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିଲେ ମାଆ ଲକ୍ଷ୍ମୀ । ପରମ୍ପରା ଅନୁସାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଆଳତି ନୀତି ଶେଷ ପରେ ଶ୍ରୀମନ୍ଦିରରୁ ବିଜେ କରିଥିଲେ ମହଲଷ୍ମୀ । ଘଣ୍ଟ,ଛତା ପଟୁଆରରେ ମହାଲଷ୍ମୀ ବିମାନରେ ବିଜେ କରି ବଡଦାଣ୍ଡ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ଅଭିଳାସାରେ ଆସିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥ ନିକଟରେ ପହଂଚିବା ପରେ ସେଠାରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା । ପରେ ମହାଲଷ୍ମୀଙ୍କ ବିମାନ ଜଗମୋହନ ହୋଇ ଗୁଣ୍ଡିଚା ମନ୍ଦିର ଭିତରକୁ ବିଜେ କରିଥିଲା । ତେବେ ସେହି ସମୟରେ ସନ୍ଧ୍ୟା ଧୂପ ଭୋଗ ବସିଥିବା ହେତୁ ଜଗନ୍ନାଥଙ୍କର ଦର୍ଶନ ପାଇନଥିଲେ ମହାଲଷ୍ମୀ । ମହାପ୍ରଭୁଙ୍କର ଅଧରଚୁମ୍ବିତ ମାଳାପାଇ ଲଷ୍ମୀ ଠାକୁରାଣୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ଅଭିମାନରେ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବା ସହ ହେରାଗୋହରି ସାହି ରାସ୍ତା ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ । ପତି-ପତ୍ନୀଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଶରଧାବାଲିରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ହେରାପଞ୍ଚମୀରେ ମାତା ଆସିଥିବା ଜାଣିପାରି ଫେରିବା ପାଇଁ ମନସ୍ତ କରିଛନ୍ତି କାଳିଆ ସାଆନ୍ତ ।

