ଭୁବନେଶ୍ବର : ଦାନା ବାନ୍ଧୁଛି ବାତ୍ଯା ଦାନା । ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ରୂପ ନେବ । ଏହା ଆହୁରି ଘନୀଭୂତ ହୋଇ କାଲି ସକାଳ ବେଳକୁ ଏକ ଅବପାତ ଏବଂ ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଆହୁରି ଘନୀଭୁତ ହୋଇ ଏକ ଭୀଷଣ ବାତ୍ୟାର ପରିଣତ ହେବ । ୨୪ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନ ଥିଲେ ମଧ୍ୟ ଓଡ଼ିଶା ଉପକୂଳକୁ ବିପଦ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ୨୩ ତାରିଖ ସନ୍ଧ୍ୟାଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ୨୪ ତାରିଖ ବେଳକୁ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କେନ୍ଦ୍ରାପଡା, କଟକ, ନୟାଗଡ, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ବି ତାଣ୍ଡବ ରଚିପାରେ ବର୍ଷା । ବଡ଼ ବଡ଼ ଗଛ ଭାଙ୍ଗିବାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ରହିଛି। ବନ୍ଦର ଓ ଜାହାଜ ଚଳାଚଳ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି। ବର୍ଷା ପବନରେ କ୍ଷତିଗ୍ରସ୍ତ ହୋଇପାରେ ପାଚିଲା ଧାନ। ସମୁଦ୍ରରେ ବଡ଼ ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।
ପଡ଼ିଛି ଅଜଣା ବ୍ୟାଗ, ଅଛି କି ବୋମା ?
ସମ୍ବଲପୁର: ସମ୍ବଲପୁର ଅଇଁଠାପାଲିରେ ପଡ଼ିଛି ଅଜଣା ବ୍ୟାଗ । କେହି ଜଣେ ବ୍ୟାଗଟିକୁ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ । ବ୍ୟାଗରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ତାକୁ ନେଇ ପୂରା ସହରରେ ଆତଙ୍କ ଖେଳିଯାଇଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ସ୍ପା ମାଲିକ ସାବଧାନ ! ଅନୈତିକ କାମ ଚାଲିଥିଲେ, ନାମ ନେବ
ଭୁବନେଶ୍ବର: ରାଜଧାନୀରେ ଥିବା ସ୍ପା ଓ ପାର୍ଲରରେ ହେବ ଚଢ଼ାଉ । ଅନୈତିକ କାମ କରୁଥିଲେ ହୋଇଯାନ୍ତୁ ସାବଧାନ । ସମସ୍ତ ଆଇଆଇସିଙ୍କୁ ରୁଟିନ ଚେକ ପାଇଁ ନିର୍ଦ୍ଦେଶ ଦେଲେ ଡିସିପି । ଦୀପାବଳି ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ପୋଲିସ ।
ରାଜଧାନୀରେ ବଦଳୁଛି ଦେହ ବେପାରର ତରିକା । ବଡି ମସାଜ ସାଙ୍ଗକୁ ମିଳୁଛି ସ୍ପେଶାଲ ସର୍ଭିସ । ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରୁ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରୁଥିଲେ ସ୍ପା ମାଲିକ । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହୋଇଥିଲା । ତଦନ୍ତ ପରେ ସ୍ପାର ମାଳିକାଣୀଙ୍କ ସମେତ ଅନ୍ୟ ୨ ଜଣ ଗିରଫ ହୋଇଥିଲେ । ରାଜଧାନୀର ଅନେକ ସ୍ଥାନରେ ଏଭଳି ମସାଜ ପାର୍ଲର ଓ ସ୍ପା ଖୋଲି ଯୁବତୀଙ୍କୁ ଅନୈତିକ କାରବାରରେ ଲିପ୍ତ କରାଉଥିବା ଘଟଣା ସାମ୍ନାକୁ ଆସିବା ପରେ ନିଜ ନିଜ ଥାନା ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।
କିଛିଦିନ ତଳେ ଠିକ ସମାନ ଷ୍ଟାଇଲରେ ଖାରବେଳନଗର ଏକ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ଗତ ୬ ବର୍ଷ ଭିତରେ ଏଭଳି ୭୯ଟି ସେକ୍ସ ରାକେଟ ଠାବ କରିଛି ପୋଲିସ । ୨୫୬ ଜଣ ଗରାଖ ଓ ୨୦୯ ଜଣ ରୂପଜିବୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯାଇଛି । ଡିଜିପି ୱାଇ.ବି. ଖୁରାନିଆ ଟୁଇନ ସିଟି ପୋଲିସ କମିଶନର ଥିବା ବେଳେ ରାଜଧାନୀରେ ଚାଲିଥିବା ସେକ୍ସ ରାକେଟ ଉପରେ ମାରାଥନ ରେଡ଼ ହୋଇଥିଲା । କୋର୍ଟରେ ଏସବୁ ପ୍ରମାଣିତ ହେବା ପରେ ସଂପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ବିଦେଶୀ ଯୁବତୀଙ୍କ ଭିସା ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲା ପୋଲିସ ।
ଆଗକୁ ଦୀପାବଳି ଓ ନୂଆବର୍ଷ । ତେଣୁ ଏଭଳି କାରବାର ଓ ମାନବ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଡିସିପି ।
ସ୍କୁଲ ପାଚେରୀ ନିକଟରେ ବିସ୍ଫୋରଣ
ଦିଲ୍ଲୀ: ରୋହିଣୀ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ବିସ୍ଫୋରଣ । ସ୍କୁଲର ପାଚେରୀ ନିକଟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଖବର ପାଇବା ପରେ ପୋଲିସ ଓ ଏଫଏସଏଲର ଟିମ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି । ଡଗ୍ ସ୍କ୍ଵାଡ୍, ଆଣ୍ଟି ଟେରର ୟୁନିଟ ସହ ଏନଏସଜି କମାଣ୍ଡୋ ଆସି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।
ଆଶ୍ଵସ୍ତିର ଖବର ହେଉଛି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ରୋହିଣୀ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଜଣେ ପ୍ରତକ୍ଷଦର୍ଶୀ ବିସ୍ଫୋରଣ ସମୟରେ ଭିଡିଓ ପୋଲିସକୁ ହସ୍ତାନ୍ତର କରିଛନ୍ତି । ବିସ୍ଫୋରଣର ତୀବ୍ର ଅତି ଉଚ୍ଚକ୍ଷମତା ସମ୍ପନ୍ନ ଥିବାରୁ ବୋମା ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସର ସ୍ପେଶାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଜୋରଦାର ଥିଲା ଯେ ଆଖପାଖରେ ଥିବା ଗାଡିଗୁଡିକର କାଚ ଭାଙ୍ଗି ଯାଇଛି । ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ସିଆରପିଏଫ୍ ସ୍କୁଲ ନିକଟରେ କିଛି ଦୋକାନ ଥିବାରୁ ଏଥିରୁ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।
ଦୁବାଇରେ ଚମକିଲେ ଓଡ଼ିଆ ଝିଅ ଆରାଧନା: ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍
ଦୁବାଇ: ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ । ଗତ ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ବିତୀୟ ସିଜିନ୍ ଫାଇନାଲରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ପିନ୍ଧିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ।
ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଦ୍ୱିତୀୟ ସିଜିନ୍ ଆୟୋଜିତ ହୋଇଛି । ଭାରତର ବିଭିନ୍ନ ସହରରୁ ଆସି ମଧ୍ଯପ୍ରାଚ୍ଯରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ଯ୍ଯ, ବୁଦ୍ଧି, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଓ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ଯାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା ।
ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଆରାଧନା ଭୁବନେଶ୍ୱରର ବାସିନ୍ଦା ଏବଂ ଗତ ୭ ବର୍ଷ ଧରି ଦୁବାଇରେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି। ଆରାଧନାଙ୍କୁ ରନର୍ସ ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି ।
ଆରାଧନା କହିଛନ୍ତି, ଏଭଳି କାର୍ଯ୍ଯକ୍ରମରେ ଭାଗ ନେବାକୁ ଚାହୁଁଥିଲି । ହେଲେ ଅନ୍ଯ ପ୍ରାଥମିକତା ଯୋଗୁଁ ସମୟ ଦେଇପାରି ନଥିଲେ । ଦୁବାଇରେ ଏହି ପ୍ରତିଯୋଗିତା ହେଉଥିବା ବିଷୟରେ ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ । ଭଗବାନଙ୍କ କୃପା ଓ ପରିବାରର ସମର୍ଥନ ଯୋଗୁଁ ଆଜି ମୁଁ ଏହି ସଫଳତା ପାଇଛି ଓ ଓଡ଼ିଶା ପାଇଁ ଏହି ସମ୍ମାନଜନକ ଟାଇଟଲ୍ ଜିତିପାରିଛି । ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ ଓ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଉପସ୍ଥାପନ ନିମନ୍ତେ ଅନ୍ୟ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

