spot_img
Home Blog Page 1672

ବିଧାନସଭାରେ ପ୍ରଥମ ଦିନରୁ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ନବୀନଙ୍କ ଲଢ଼େଇ ଆରମ୍ଭ

ଭୁବନେଶ୍ବର: ବିରୋଧୀ ଦଳ ନେତା ଭାବେ ବିଧାନସଭାର ପ୍ରଥମ ଦିନରୁ ହିଁ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଲଢେଇ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ପ୍ରତିବାଦ କରି ଗୃହ ପରିତ୍ୟାଗ କରିଥିଲା ବିଜେଡି । ନିଜେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କିପରି ସତସାହସ ଦେଖାଇ ଆଇନ ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ, ସେ କଥା ସରକାରଙ୍କୁ ମନେ ପକାଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଟାର୍ଗେଟ୍ କରିଛନ୍ତି ନବୀନ ।

ପ୍ରଥମ ଥର ବିରୋଧୀ ଦଳ ନେତା ଭୂମିକାରେ ନବୀନ ପଟ୍ଟନାୟକ । ଓଡ଼ିଆ ଅସ୍ମିତା ସଂଗ୍ରାମ ଜାରି ରଖି ଆକ୍ସନ ମୋଡରେ ନବୀନ । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ହିଁ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭରୁ ହିଁ ତାଙ୍କ ପୁଅଙ୍କ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲେ ନବୀନ । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଗତ ଜୁଲାଇ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସାଙ୍ଗ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବୈକୁଣ୍ଠଙ୍କ ପତ୍ନୀ ବି ନ୍ୟାୟ ସହ ପରିବାରର ସୁରକ୍ଷା ପାଇଁ କାନ୍ଦି କାନ୍ଦି ଗୁହାରୀ କଲେ । ହେଲେ ୭ ଦିନ ସମୟ ନେଇ ଘଟଣାକୁ ରାଜ୍ୟପାଳ ଏଡ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା । ଯେଉଁ ଓଡ଼ିଆ ଅସ୍ମିତାକୁ ଢାଲ କରି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି ସରକାର, ଏ ଦିଗରେ ତାଙ୍କ କାର୍ଯ୍ୟାନୁଷ୍ଠାନ ଶୂନ । ଏହାର ପ୍ରତିବାଦରେ ରାଜ୍ୟପାଳଙ୍କ ଅଭିଭାଷଣ ସାଙ୍ଗକୁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଗୃହ ପରିତ୍ୟାଗ କରିଥିଲା ବିଜୁ ଜନତା ଦଳ । ଏହି ପ୍ରସଙ୍ଗରେ ରାଜ୍ୟରେ ବିଗିଡୁଥିବା ଆଇନଶୃଙ୍ଖଳାକୁ ସମାଲୋଚନା କରିଛନ୍ତି ନବୀନ । ଏଥିସହ ନିଜେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଇନ ଭଙ୍ଗ କରୁଥିବା ବିଧାୟକ, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଯେପରି କାର୍ଯ୍ୟାନୁଷ୍ଠାନ ନେଉଥିଲେ, ତାକୁ ରାଜ୍ୟ ସରକାରଙ୍କୁ ମନେ ପକାଇ ଦେଇଛନ୍ତି ନବୀନ ।

ବିଧାନସଭାରେ ଶୁଣିବାକୁ ମିଳିଥିଲା ଆଜି ଗୋଟିଏ ସ୍ବର । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକୁ ଶାଣିତ କରିଛି ବିଜେଡି । ଏହି ଘଟଣା କେବଳ କେସ୍ ଡାଏରୀ ହୋଇ ରହିଗଲା ସିନା, କୌଣସି ପଦକ୍ଷେପ ନିଆଗଲା ନାହିଁ । ପ୍ରତିବଦଳରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ବଦଳି କରାଗଲା । ଏହି ପ୍ରସଙ୍ଗରେ ବିଜେଡି, ଶାସକ ବିଜେପି ସରକାରଙ୍କ ତଥାକଥିତ ଓଡ଼ିଆ ଅସ୍ମିତା ପ୍ରୀତିକୁ ଟାର୍ଗେଟ କରିଛି ।

ବିଜେଡି ସରକାରରେ ଆଇନ ଉଲଂଘନକାରୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଥିଲା, ସେକଥା ମନେ ପକାଇ ଦେଇଛନ୍ତି ନବୀନ । ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ପଠାଇବାକୁ ପଛଘୁଞ୍ଚା ଦେଇ ନଥିଲେ ନବୀନ । ପଞ୍ଚମ ପାଳିରେ ତତ୍କାଳୀନ ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ ମେହେର ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଜେଲ୍ ଯାଇଥିଲେ । ଏମିତି କିଛି ଉଦାହାରଣ ସହ ଆଇନକୁ ସମ୍ମାନ ଦେଇ ପାର୍ଟିକୁ ପଛରେ ପକାଇ କାର୍ଯ୍ୟାନୁଷ୍ଠାନ ନେବାର ଦକ୍ଷତା ରଖିଥିଲେ ନବୀନ ପଟ୍ଟନାୟକ ।

କେବଳ ବିଜେଡି ନୁହେଁ, ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ବିଧାୟକମାନେ ରାଜ୍ଯପାଳଙ୍କୁ ବିରୋଧ କରିଛି । ରାଜ୍ଯପାଳ ରଘୁବର ଦାସଙ୍କୁ ଗୋବ୍ଯାକ ନାରା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ବିଜେପି ଅସ୍ମିତା କଥା କହି ସରକାରକୁ ଆସିଛି । ହେଲେ, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡ଼େଇବା ପରେ ବି ତଦନ୍ତ ହେଉନି । ଏହା କି ପ୍ରକାରର ଅସ୍ମିତା । ଓଡ଼ିଆ ଅସ୍ମିତା କଥା କହି ରାଜ୍ୟପାଳ ଗୃହକୁ ଆସି ହିନ୍ଦୀରେ ଅଭିଭାଷଣ ଦେଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଆଗକୁ ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ଆମ ସମସ୍ତଙ୍କ ପାଇଁ ଆହ୍ବାନ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ତାରା କହିଛନ୍ତି । ପ୍ରତିବାଦରେ କଂଗ୍ରେସ ସଦସ୍ଯ ମଧ୍ଯ ଗୃହ ତ୍ଯାଗ କରିଥିଲେ ।

ବାପପୁଅଙ୍କୁ ହାଣିଲେ ସମ୍ପର୍କୀୟ ଭାଇ ଓ ପୁତୁରା

କପ୍ତିପଦା: ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ହାଣିଛନ୍ତି ସମ୍ପର୍କୀୟ ଭାଇ ଏବଂ ପୁତୁରା । ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ଗାଁରେ । ଯାହାର ଭିଡିଓ ଆପଣଙ୍କୁ ବି ଡରାଇ ଦେବ ।

ମିଳିଥିବା ସୂଚନା ଅନୁସାରେ ପରମାନନ୍ଦ ନାୟକ ଏବଂ ତାଙ୍କ ପୁଅ ସତ୍ୟସାଇ ନାୟକ ନିଜ ବିଲରେ କାମ କରୁଥିବା ବେଳେ ସମ୍ପର୍କୀୟ ଭାଇ ଜଗବନ୍ଧୁ ନାୟକ ଏବଂ ତାଙ୍କ ପୁଅ ତପନ ନାୟକ, ଶ୍ରୀନାଥ ନାୟକ ସେଠାରେ ପହଞ୍ଚିଥିଲେ । ବିଲରେ କାମ ବନ୍ଦ କରିବାକୁ କହିଥିଲେ । କାମ ବନ୍ଦ ନକଲେ ହାଣି ଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଝଗଡା ଏତେ ଉଗ୍ର ରୂପ ନେଲା ଯେ ସମ୍ପର୍କୀୟ ଭାଇ ଏବଂ ପୁତୁରା କଟୁରୀ ଧରି ପରମାନନ୍ଦ ଏବଂ ସତ୍ୟସାଇକୁ ଆକ୍ରମଣ କରିଥିଲେ । ଯାହାର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଗୁରୁତର ଅବସ୍ଥାରେ ଉଭୟ ବାପପୁଅଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି ।

ଅଭିନବ ପ୍ରତିବାଦ: ସରକାରଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: ଡିଜିଟାଲରେ ବିଧାନସଭା ଘେରାଉ । ତାହା ପୁଣି ସରକାରୀ କର୍ମଚାରୀଙ୍କ ଦ୍ୱାରା । କଥାଟା ଟିକେ ଖଟକା ଲାଗୁଥିଲେ ମଧ୍ୟ ସତ୍ୟ । ରାଜ୍ୟରେ ନୂଆ ବିଜେପି ସରକାରର ପ୍ରଥମ ବିଧାନସଭା ଅଧିବେଶନର ଆରମ୍ଭ ଦିନରୁ ଡିଜିଟାଲ ମାଧ୍ୟମରେ ସରକାରୀ କର୍ମଚାରୀ ସରକାରଙ୍କୁ ଘେରାଉ କରିଛନ୍ତି । ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଓ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଦାବିରେ ଡିଜିଟାଲ ମାଧ୍ୟମରେ ବିଧାନସଭା ଘେରିଛି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ।

ବିଧାନସଭା ଆରମ୍ଭରୁ ନୂଆ ବିଜେପି ସରକାରକୁ ଘେରିଛନ୍ତି ସରକାରୀ କର୍ମଚାରୀ । ରାଜରାସ୍ତାକୁ ଆସିନାହାନ୍ତି କି ହୋହାଲା କରିନାହାନ୍ତି। ସରକାରୀ କାମ ମଧ୍ୟ ବ୍ୟାହତ ହେବାକୁ ଦେଇନାହାନ୍ତି । ଡିଜିଟାଲ ମାଧ୍ୟମରେ ଜୋରଦାର ଆନ୍ଦୋଳନ କରିଛନ୍ତି ସରକାରୀ କର୍ମଚାରୀ । ପ୍ରମୁଖ ଦାବି ସବୁ ନେଇ ବିଧାନସଭା ଘେରିଛନ୍ତି ୪ ଲକ୍ଷ ସରକାରୀ କର୍ମଚାରୀ । ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ତଥା ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବିରେ ଡିଜିଟାଲରେ ବିଧାନସଭା ଘେରାଉ କରିଛନ୍ତି ।

କର୍ମଚାରୀମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହାସଟ୍ୟାଗ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକମାନଙ୍କୁ ଟ୍ୟାଗ କରାଯିବା ସହ କମେଣ୍ଟ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଉଛି । ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏହାକୁ ବ୍ୟାପକ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି କହିଛି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ।

ସେପଟେ ପୁରୁଣା ପେନସନ ବ୍ୟବସ୍ଥା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ଆନ୍ଦୋଳନକାରୀ ସରକାରୀ କର୍ମଚାରୀ । ଏହି ବ୍ୟବସ୍ଥା ବନ୍ଦ ହେବା ଦ୍ୱାରା କର୍ମଚାରୀଙ୍କ ଅବସର ପରେ ଜୀବନ ଦୁର୍ବିସହ ହେଉଛି । ଅନ୍ୟ କିଛି ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଓଡିଶା ସରକାର ତାହା ଲାଗୁ କରନ୍ତୁ ବୋଲି ସରକାରୀ କର୍ମଚାରୀମାନେ ଦାବି କରିଛନ୍ତି ।

ଏହି ପ୍ରସଙ୍ଗ ନେଇ ସରକାରୀ କର୍ମଚାରୀମାନେ ପୂର୍ବରୁ ରାସ୍ତାକୁ ଓହ୍ଲାଇ ଥିବା ବେଳେ ଏବେ ଡିଜିଟାଲ ମାଧ୍ୟମରେ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାଇ ଭାଇର ପ୍ରେମ: ବଡ଼ ଭାଇର ମୃତ୍ୟୁ ସହି ନପାରି ପାଗଳ ହୋଇଗଲା ସାନଭାଇ

ଯାଜପୁର: ବଡ଼ ଭାଇର ମୃତ ଦେଖି ସହିପାରିଲେନି ସାନଭାଇ । ପାଗଳ ହୋଇ ୧୦ ବର୍ଷ ହେବ ଗୋଟିଏ କଠୋରୀରେ ପଡି ରହିଛନ୍ତି । ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଆରୁହା ଗାଁରେ । ପାଗଳ ହୋଇଯାଇଥିବା ଯୁବକ ଜଣଙ୍କ ହେଲେ ଅଜୟ ଜେନା । ୧୭ ବର୍ଷ ବୟସର ହୋଇଥିଲା ବେଳେ ବୈତରଣୀ ନଦୀର ଭୟଙ୍କର ବନ୍ୟାରେ ଅଜୟଙ୍କ ବଡ ଭାଇ ବୁଡି ପ୍ରାଣ ହରାଇ ଥିଲେ । ଏସବୁ ନିଜ ଆଖିରେ ଦେଖି ସେବେଠୁ ମାନସିକ ଭାରସାମ୍ୟ ହରାଇଛନ୍ତି ଅଜୟ । କିଛି ଦିନ ତଳେ ବାପାଙ୍କ ମୃତ୍ଯ ପରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କରାଳ ବନ୍ୟା ସିନା ଚାଲିଗଲା କିନ୍ତୁ ଦେଇଗଲା ଅସହ୍ଯ ଦୁଃଖ । ଆଖି ଆଗରେ ବଡ ଭାଇ ବନ୍ୟା ଜଳରେ ବୁଡି ପ୍ରାଣ ହରାଇବା ଦେଖି ସହିପାରିଲାନି ସାନ ଭାଇ । ଝୁରି ଝୁରି ପାଗଳ ହୋଇ ଏବେ ଗୋଟିଏ କୋଠରିରେ ବନ୍ଧା ହୋଇ ପଡିରହିଛି ।

ମିଳିଥିବା ସୂଚନା ଅନୁସାରେ ଆରୁଆ ଗାଁର ଶତ୍ରୁଘ୍ନ ଜେନାଙ୍କ ଦୁଇ ପୁଅ । ବଡ ପୁଅ ମୃତ୍ଯ ପରେ ସାନ ପୁଅ ଅଜୟ ଏବେ ମାନସିକ ଭାରସାମ୍ୟ ହରାଇ ବସିଛି । ଏତିକିରେ ଏ ପରିବାର ଉପରୁ ଦୁଃଖ ଯାଇନି । କିଛି ଦିନ ତଳେ ଶତ୍ରୁଘ୍ନଙ୍କ ମୃତ୍ୟୁ ପରେ ପତ୍ନୀ ଏକା ହୋଇଯାଇଛନ୍ତି । ଘରେ କେହି ରୋଜଗାରିଆ ବ୍ୟକ୍ତି ନଥିବା ବେଳେ ପରିବାର କେମିତି ଚଳିବ, ଅଜୟଙ୍କ ଚିକିତ୍ସା କେମିତି ହେବ ସେହି ଚିନ୍ତାରେ ଘାରି ହେଉଛନ୍ତି ।

ଅଜୟକୁ ଭଲ କରିବାକୁ ଅର୍ଥ ସାଜିଛି ବାଧକ । ପ୍ରଶାସନ ପକ୍ଷରୁ ଆଜି ଯାଏଁ ଅଜୟଙ୍କୁ କୌଣସି ସହାୟତା ମିଳି ନଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ସରକାରୀ ସହଯୋଗ ପାଇଁ ପରିବାର ଲୋକଙ୍କ ସହ ପଡୋଶୀ ଦାବି କରିଛନ୍ତି । ସେପଟେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଅଜୟଙ୍କୁ ଚିକିତ୍ସା କରିବାକୁ ଏକ ଡାକ୍ତରୀ  ଟିମ ତାଙ୍କ ଘରକୁ ପଠାଯିବ । ଆବଶ୍ୟକ ପଡିଲେ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ।

ଡେଡ୍ ଲାଇନ୍ ସରିଲା, ବ୍ରିଜ୍ କାମ ୧୦ ପ୍ରତିଶତ ବି ସରିଲାନି

ରାୟଗଡ଼: ୪ ଦଶନ୍ଧିର ଦାବି ପୂରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ଖୁସି । ବଂଶଧାରା ନଦୀ ଉପରେ ପୋଲ ହେବ । ଗମନାଗମନ ଦୁଃଖ ଦୂର ହେବ । ଏମିତି ଅନେକ କଥା ଚିନ୍ତା କରିଥିଲେ ଲୋକେ । ହେଲେ ଠିକାଦାରଙ୍କ ଖାମଖିଆଲି ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ବ୍ରିଜ୍ କାମର ଡେଡ ଲାଇନ୍ ସରି ଯାଇଥିଲେ ବି ୧୦ ପ୍ରତିଶତ କାମ ହୋଇନି । ଏମିତି ସ୍ଥିତିରେ ଶୀର୍ଘ କାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ରାୟଗଡା ପଦ୍ମପୁର ନାଇରା ନିକଟରୁ ।

ପୂର୍ତ୍ତବିଭାଗ ପକ୍ଷରୁ ଉକ୍ତ ବ୍ରିଜ୍ କାମ ଚାଲିଛି । ୨୦୨୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରିଜ୍ କାମର ଶୁଭ ଦେଇଥିଲେ । ଅଞ୍ଚଳରେ ୪ ଦଶନ୍ଧିର ଦାବି ପରେ ବ୍ରିଜ୍ କାମକୁ ପାଇଁ ମିଳିଥିଲା ସରକାରୀ ଅନୁମତି । ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । କାମର ଅବଧି ସମୟ ୨୦୨୪ ଜୁଲାଇ ୭ ତାରିଖରୁ ଶେଷ ହୋଇଗଲାଣି, ହେଲେ ବ୍ରିଜ୍ କାମ ସରିଲାଣି । ବ୍ରିଜ୍ ନିର୍ମାଣ ପାଇଁ ୩୫ କୋଟି ୬୨ ଲକ୍ଷ ଅନୁମୋଦନ ହୋଇଥିବା ବେଳେ ଠିକାଦାର ୨୭ କୋଟି ୯୬ ଲକ୍ଷ ଟଙ୍କାରେ ବ୍ରିଜ୍ କାମ ସାରିବାକୁ ପୂର୍ତ୍ତ ବିଭାଗ ସହ ଚୁକ୍ତିନାମା କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ରିଜର ୧୦ ଭାଗ କାମ ବି ସରିନାହିଁ ।

ବ୍ରିଜ୍ ନିର୍ମାଣ ହେଲେ ନଦୀ ଉଭୟ ପାର୍ଶ୍ବର ୨୦ରୁ ଅଧିକ ଗାଁର ଲୋକେ ଉପକୃତ ହେବେ । ପାଠପଢା ପାଇଁ ପିଲାଙ୍କୁ ଯିବା ଆସିବାରେ ସମସ୍ଯା ରହିବନି । ବ୍ୟବସାୟୀଠୁ ଆରମ୍ଭ କରି ଚାଷୀ ସମସ୍ତେ ସୁବିଧା ପାଇବେ । ହେଲେ ସବୁ ଆଶା ଏବେ ଆଶାରେ ରହିଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗ୍ରାମବାସୀ ପୂର୍ତ୍ତ ବିଭାଗ ସହ ଯୋଗଯୋଗ କରି ଶୀଘ୍ର କାମ ସାରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷେ କାମ ଶୀଘ୍ର ନସରିଲେ ଓପିଡବ୍ଲୁଡି କୋଡ ଅନୁଯାୟୀ କାମରେ ବିଳମ୍ବ ପାଇଁ ଠିକାଦାରଙ୍କ ଉପରେ ଜରିମାନା ଲାଗୁ ହେବ ବୋଲି ରାୟଗଡା ଜିଲ୍ଲାପାଳ କହିଛନ୍ତି ।

ସ୍କୁଲ ପାଇଖାନାରୁ ପିଅନଙ୍କ ଝୁଲନ୍ତା ମୃତଦେହ ଜବତ

ଜଗତସିଂହପୁର: ସ୍କୁଲର ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ପିଅନଙ୍କ ମୃତଦେହ ଜବତ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପାରାଦୀପ ପୋର୍ଟ ସରକାରୀ ହାଇସ୍କୁଲରେ । ମୃତକ ହେଲେ ୪୪ ବର୍ଷୀୟ ଦିଲୀପ କୁମାର ସ୍ବାଇଁ ।

ସକାଳେ ଘରୁ ସେ ସ୍କୁଲକୁ ଯାଇଥିଲେ । ଛାତ୍ରଛାତ୍ରୀ ଆସିବା ପୂର୍ବରୁ ସ୍କୁଲ ଖୋଲି ଝାଡ଼ୁ ମାରିଥିଲେ । ହେଲେ ପିଲାମାନେ ସ୍କୁଲ ଆସି ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ପିଲାମାନେ ଶିକ୍ଷକଙ୍କୁ ଚିତ୍କାର କରି ଡାକିଥିଲେ । ଶିକ୍ଷକ ପହଞ୍ଚିବା ପରେ ଲକ୍ ଥାନାକୁ ଖବର ଦିଆଯାଇଥିଲା ।

ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି । ଆଜି ସ୍କୁଲରେ ପରୀକ୍ଷା ଥିବା ବେଳେ ପିଅନଙ୍କ ମୃତ୍ଯୁ ପାଇଁ ପରୀକ୍ଷା କରାଯାଇନାହିଁ । ଦିଲୀପ ଜଣେ ପାଲା କଳାକାର ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ତେବେ ଦିଲୀପଙ୍କ ମୃତ୍ୟୁ କେମିତି ହେଲା ? ଆତ୍ମହତ୍ୟା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନି ।

ସ୍କୁଲରେ ଏକ୍ସପାରୀ ଟାବଲେଟ ଖାଇ ୯ ଛାତ୍ରଛାତ୍ରୀ ଅସୁସ୍ଥ

ପାରାଦୀପ: ଏକ୍ସପାରୀ ଡେଟ ଫଲିକ ଏସିଡ ବଟିକା ଖାଇ ୯ ଛାତ୍ରଛାତ୍ରୀ ଅସୁସ୍ଥ । ପାରାଦୀପ ଅଠରବାଙ୍କୀ ଲକପଡା ପ୍ରାଥମିକ ସ୍କୁଲରେ ଘଟିଛି ଏଭଳି ଘଟଣା । ମଧ୍ଯାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ ଫଲିକ ଏସିଡ ବଟିକା ଖାଇବାକୁ ଦିଆଯାଇଥିଲା । ପିଲାମାନେ ବଟିକା ଖାଇବା ପରେ ଛାତ୍ରଛାତ୍ରୀଙ୍କ ପାଖରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାକୁ ନେଇ ସ୍କୁଲର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛନ୍ତି କଲୋନୀବାସୀ । ସ୍କୁଲର ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ବଟିକା ଖାଇଥିବା ବେଳେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଇରନ ବଟିକାର ଉପର ଖୋଳରେ ଏକ୍ସପାରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ର ପ୍ୟାକିଂ ୨୦୨୧ ପର୍ଯ୍ଯନ୍ତ ଏକ୍ସପାରୀ ରହିଛି ।

ନାମ ଫଳକ ବିବାଦ: ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ବର: ଉତ୍ତରପ୍ରଦେଶ କାଉଡିଆ ଯାତ୍ରାରେ ନାମଫଳକ ବିବାଦ । ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡିର ଟାର୍ଗେଟ । ଯୋଗୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରତାପ ଜେନା । ଶାନ୍ତି ବଦଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ କରାଯାଉଥିବା କହିଛନ୍ତି ପ୍ରତାପ ।

ଆଗକୁ ସେ କହିଛନ୍ତି,  ନାମ ଫଳକ ବ୍ଯକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରୁଛି । ଶ୍ରାବଣ ମାସରେ ଶାନ୍ତି ଓ ଏକତା ପାଇଁ ଉଦ୍ଯମ ହେବା ଉଚିତ । ଏଭଳି ନୀତି ଦ୍ଵାରା ସାମ୍ପ୍ରଦାୟିକ ଉତ୍ତେଜନାର ଭୟ ରହିଛି । ଏହା ନକରି ସ୍ଵାସ୍ଥ୍ଯ, ଶିକ୍ଷା ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦିଅନ୍ତୁ ୟୁପି ସରକାର । ବିଭାଜନକାରୀ ନୀତି ନଆପଣାନ୍ତୁ ଯୋଗୀ ଆଦିତ୍ୟନାଥ ।

ସୂଚନାଯୋଗ୍ୟ, କାଉଡିଆ ଯାତ୍ରା ଯାଉଥିବା ରୁଟରେ ସମସ୍ତ ଦୋକାନୀ ନିଜ ନାମ ଫଳକ ଟାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ଆଦିତ୍ୟନାଥ । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

ପୋଲିସ ହାତରେ ଶଳା ଭିଣୋଇ ଗ୍ୟାଙ୍ଗର ୩ ସଦସ୍ୟ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଶଳା ଭିଣୋଇ ଗ୍ଯାଙ୍ଗ । ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ବାଣୀବିହାର ବସ୍ତିର ଗଣେଶ ପୂର୍ତ୍ତି ଏବଂ ଶଙ୍କର ଦାସ । ଏମାନେ ସମ୍ପର୍କରେ ଶଳା ଭିଣୋଇ। ତୃତୀୟ ଅଭିଯୁକ୍ତ ଏସ. କେ. ନିୟାମତ ଓରଫ ଛୋଟୁ ଖାରବେଳ ନଗର ବସ୍ତିରେ ରୁହେ ।

ଏମାନଙ୍କ ଟାର୍ଗେଟରେ ଥିଲେ ମର୍ଣ୍ଣିଂ କରୁଥିବା, ଅଫିସ ଯାଉଥିବା, ଘରୁ ବାହାରୁଥିବା ମହିଳା । ଏପରି ମହିଳାଙ୍କୁ ଏକୁଟିଆ ଦେଖିଲେ ଟାର୍ଗେଟ କରି ସୁନା ଚେନ୍ ଲୁଟୁଥିଲେ ଏହି ଗ୍ୟାଙ୍ଗ ସଦସ୍ୟ ।

କଟକ ଓ ଭୁବନେଶ୍ବରରେ ଏମାନେ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। କଟୁରୀ ଦେଖାଇ ଲୁଟ୍ କରୁଥିଲେ ସୁନା ଚେନ୍ । ୩ ସପ୍ତାହ ଭିତରେ ୬ଟି ମାମଲା ହେବା ପରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା, ଏମାନଙ୍କ କ୍ରାଇମ ପ୍ଯାଟର୍ଣ୍ଣ ସମାନ ।

ଏମାନେ ଆଗରୁ ମଧ୍ଯ ଲୁଟପାଟରେ ସଂପୃକ୍ତ ଥିଲେ । କଟକ, ଭୁବନେଶ୍ବର, ଭଦ୍ରକରେ ଏମାନଙ୍କ ନାଁରେ ପ୍ରାୟ ୪୮ଟି ମାମଲା ରହିଛି । ଜେଲରୁ ଗତ ମେ’ ମାସରେ ବାହାରିବା ପରେ ଏକାଠି ହୋଇ ସେମାନେ ପୁଣି ଚେନ୍ ଲୁଟିବା ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କଠାରୁ ସୁନା ଚେନ, କଟୁରି, ମୋବାଇଲ, ବାଇକ ଜବତ କରିଛି ପୋଲିସ ।

ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ । ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି । ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଧ କରିଦିଆଯାଇଥିଲା ।

ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ଯାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ଯାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରମିଳା ପ୍ରଶ୍ନ କରିଛନ୍ତି ।

ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।