ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ପୋଲିସ ବର୍ଦ୍ଦିରେ କଳଙ୍କ। ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ଯୁକୁ ନେଇ ତୀବ୍ର ଉତ୍ତେଜନା। ଶହ ଶହ ଲୋକଙ୍କ ନାରାବାଜି। ଚିନହାଟ ପୋଲିସ ଥାନା ଅଞ୍ଚଳରେ ଘଟିଛି ଘଟଣା। ୩୨ ବର୍ଷ ବୟସ୍କ ଡ୍ରେସ ସପ୍ଲାୟର ମୋହିତ ପାଣ୍ଡେଙ୍କ ମୃତ୍ଯୁକୁ ନେଇ ବି ବଢିଛି ରାଜନୀତି। ସେପଟେ ଚିନାହାଟ ପୋଲିସ ଥାନା ଅଧିକାରୀ ଅବିନାଶ କୁମାର ଚତୁର୍ବେଦୀ ଓ ଅନ୍ଯ ୨ ଜଣଙ୍କ ବିରୋଧରେ ହତ୍ଯା ମାମଲା ରୁଜୁ ହୋଇଛି। ଗୋମତୀନଗରର ବୈଭବ କୁଣ୍ଡ ଅଞ୍ଚଳର ମୋହିତ ଏକ ଡ୍ରେସ ପ୍ରସ୍ତୁତ ୟୁନିଟ ଚଳାଉଥିଲେ ଏବଂ ଭାଇ ଶୋଭା ରାମଙ୍କ ସହ ବ୍ଯବସାୟ କରୁଥିଲେ। ଜଣେ ମାଲପରିବହନ କରୁଥିବା ଡ୍ରାଇଭରର ଅଭିଯୋଗ କ୍ରମେ ଗତ ଶୁକ୍ରବାର ଜୈନାବାଦରୁ ପୋଲିସ ମୋହିତଙ୍କୁ ଗିରଫ କରିଥିଲା। ପରେ ଥାନାକୁ ଭାଇ ଶୋଭାରାମ ଯାଇଥିବାବେଳେ ତାଙ୍କୁ ମଧ୍ଯ ପୋଲିସ ଅଟକ ରଖିଥିଲା। ତେବେ ଥାନାରେ ଥିବାବେଳେ ମୋହିତଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହୋଇଥିଲା ଏବଂ ପୋଲିସ ତାଙ୍କୁ ପ୍ରଥମେ ସିଏଚସି ଓ ପରେ RMLIMS ହସ୍ପିଟାଲକୁ ନେଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟିହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ହାଜତ ମୃତ୍ଯୁ ଅଭିଯୋଗ କରି ହଙ୍ଗାମା ସୃଷ୍ଟିକରିଥିଲେ। ଭାଇ ଶୋଭାରାମ ଅଭିଯୋଗ କରିଛନ୍ତି- ଥାନାରେ ତାଙ୍କ ଭାଇଙ୍କୁ ପାଣି ବି ଦିଆଯାଇନଥିଲା। ଗୁରୁତର ଅବସ୍ଥାରେ ଥିବା ସତ୍ତ୍ବେ ତାଙ୍କୁ ମେଡିକାଲକୁ ନିଆଯାଇ ନଥିଲା। ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ପୋଲିସ କମିଶନର ଅମରେନ୍ଦ୍ର ସେନଗାର। ସେପଟେ ଏହି ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ।
ଦରଦାମ ନିୟନ୍ତ୍ରଣରେ ସରକାର ଫେଲ୍
ନନ୍ଦିଘୋଷ ବ୍ୟୁରୋ: ଦରଦାମ ନିୟନ୍ତ୍ରଣରେ ସରକାର ଫେଲ୍ । ସବୁଆଡୁ ଚାପ ପଡିବା ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଅଠାବୋଳି ଖସିଯିବାକୁ ବସିଛନ୍ତି ରାଜ୍ଯ ସରକାର । ଯାହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବ୍ୟବସାୟୀ ସଂଘ। ଆଗାମୀ ଦିନରେ ସରକାରଙ୍କୁ ଆଦୌ ସହଯୋଗ କରାଯିବ ନାହିଁ ବୋଲି ରୋକଠୋକ ଜଣାଇଦେଇଛନ୍ତି ବ୍ଯବସାୟୀ । ଖୁବଶୀଘ୍ର ସାଧାରଣ ଲୋକେ ବି ସରକାରଙ୍କ ହାତ ଛାଡ଼ିଦେବେ ବୋଲି ଚେତାଇ ଦେଇଛି ନାଗରିକ ସୁରକ୍ଷା ମଞ୍ଚ ।
ସରକାରଙ୍କ ବିରୋଧରେ ଖପ୍ପା ବ୍ଯବସାୟୀ । ସରକାରଙ୍କୁ ଖୋଲାଖୋଲି ଅସହଯୋଗ ଚେତାବନୀ । ଦରଦାମ ସଂକଟ ସୃଷ୍ଟି ହେଲେ ବି ସହଯୋଗ କରିବନି ବ୍ଯବସାୟୀ ସଂଘ । ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସାମିଲ ହେବେନି କି ବନ୍ଯାବତ୍ଯା ବେଳେ ହସ୍ତକ୍ଷେପ କରିବନି । ଲଗାତାର ବ୍ଯବସାୟୀଙ୍କୁ ନେଇ ସରକାରଙ୍କ ନକରାତ୍ମକ ଆଭିମୁଖ୍ଯ ବିରୋଧରେ ଏଭଳି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରାଜ୍ୟ ବ୍ୟବସାୟୀ ସଂଘ । ତୁରନ୍ତ ମୁଖ୍ଯମନ୍ତ୍ରୀ ଏଥିରେ ହସ୍ତକ୍ଷେପ ନକଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାଇ ଦେଇଛି । ବ୍ଯବସାୟୀ ସଂଘର ଅଭିଯୋଗ, ଆଳୁ ସମସ୍ୟା ବେଳେ ସରକାର କୌଣସି ପଦକ୍ଷେପ ନେଇନଥିଲେ । ବ୍ୟବସାୟୀମାନେ ଆଳୁ ମଗାଇ ଲୋକଙ୍କୁ ଦେଇଥିଲେ। ଏସବୁ ପରେ ବି ରାଜ୍ୟ ସରକାର ବ୍ୟବସାୟୀଙ୍କୁ ନିନ୍ଦିତ କରୁଛନ୍ତି । ଅସାଧୁ ବ୍ଯବସାୟୀଙ୍କୁ ଦଣ୍ଡିତ ନକରି ସମ୍ପୂର୍ଣ୍ଣ ବ୍ୟବସାୟୀ ସମ୍ପ୍ରଦାୟକୁ ବଦନାମ କରାଯାଉଛି । କ୍ଷୁଦ୍ର ବ୍ଯବସାୟୀମାନେ ବି ସରକାରଙ୍କ ଆଭିମୁଖ୍ଯକୁ ସମାଲୋଚନା କରିଛନ୍ତି ।
ରାଜ୍ଯରେ ବିଜେପି ସରକାର ଆସିବା ଦିନଠୁ ଦରଦାମରେ ଲଗାମ ନାହିଁ । ନିଜ ଅପରାଗତାକୁ ଲୁଚାଇବାକୁ ସରକାର କ୍ରମାଗତଭାବେ ଅନ୍ଯ ଉପରେ ଦୋଷ ଲଦୁଥିବା ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ । ବିରୋଧୀ ଥିବାବେଳେ ବିଜେପି ଅନେକ କଥା କହୁଥିଲା । ହେଲେ ଏବେ ସେସବୁ କୁଆଡେ ଗଲା ବୋଲି ମଞ୍ଚ ପ୍ରଶ୍ନ କରିଛି । ଏହାସହ ଚେତାଇଦେଇଛି, ଏବେ ବ୍ୟବସାୟୀ ସଂଘ ସରକାରଙ୍କ ହାତ ଛାଡିଛି, ଆଗକୁ ସାଧାରଣ ଲୋକେ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଗତ ଚାରିମାସ ଧରି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢି ବଢି ଚାଲିଛି । ଦରଦାମ ସରକାରଙ୍କ ନିୟନ୍ତ୍ରଣରେ ନଥିବାବେଳେ ବ୍ଯବସାୟୀଙ୍କ ଅସହଯୋଗ ଚେତାବନୀ ଆଗକୁ ସଂଗୀନ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ଦୀପ ତିଆରିରେ ଲାଗିଛନ୍ତି କାରିଗର
ନନ୍ଦିଘୋଷ ବ୍ୟୁରୋ: ବାଣ ବଦଳରେ ଜଳିବ ଦୀପ। ସାରା ଦେଶ ଦୀପାବଳି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଛନ୍ତି ନବରଙ୍ଗପୁରର କୁମ୍ଭାର ପରିବାର। ପାପଡାହାଣ୍ଡି ତଣ୍ଡାଗୁଡା ଗାଁର କୁମ୍ଭାର ପରିବାର ବିଭିନ୍ନ ଡିଜାଇନର ଦୀପ ପ୍ରସ୍ତୁତ କରୁଛନ୍ତି। ଓରମାସ ପକ୍ଷରୁ ଦୀପ ବିକ୍ରି ପାଇଁ ବଜାର ପ୍ରସ୍ତୁତ ହୋଇଛି। ମାଟି ଦୀପର ଚାହିଦା ଥିବାରୁ ଚଳିତ ବର୍ଷ ଭଲ ରୋଜଗାରର ମଧ୍ଯ ଆଶା ରଖିଛନ୍ତି କାରିଗର।
ଚଳିତ ବର୍ଷ ଦୀପାବଳି ହେବ ଦୀପମୟ। ପରିବେଶ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ବାଣ ବଦଳରେ ଇକୋ ଫ୍ରେଣ୍ଡଲି ଦୀପାବଳୀ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ଏଥିପାଇଁ ମାଟି ଦୀପର ଚାହିଦା ବୃଦ୍ଧି ପାଉଛି। ନବରଙ୍ଗପୁର ପାପଡାହାଣ୍ଡି ତଣ୍ଡାଗୁଡା ଗାଁରେ ଦୀପ ତିଆରି କରିବାରେ ବ୍ଯସ୍ତ କାରିଗର। ପ୍ରାୟ ୧୨୦ଟି ପରିବାର ଦୀପ ପ୍ରସ୍ତୁତ କରୁଛନ୍ତି। ଛୋଟ, ବଡ଼ ଦୀପ ସହିତ ପଞ୍ଚ ମୁଖୀ, ସାତ ମୁଖୀ , ନଅ ମୁଖୀ ଦୀପ ପ୍ରସ୍ତୁତ ହେଉଛି।
ଦୀପ କାରିଗରଙ୍କୁ ପ୍ରୋତ୍ସାହିତ କରିବା ଓ ତାଙ୍କୁ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଗାଁର କୁମ୍ଭାର ପରିବାର ମାନଙ୍କ ମାଟି ଦୀପ ସାମଗ୍ରୀ ବିକ୍ରି ପାଇଁ ଓରମାସ ପକ୍ଷରୁ ବଜାର ସୃଷ୍ଟି କରାଯାଇଛି। ଓରମାସ ତରଫରୁ ନବରଙ୍ଗପୁର ଠାରେ ବିକ୍ରି ପାଇଁ ଷ୍ଟଲ ଖୋଲାଯାଇଛି।
ବିଷାକ୍ତ ସାପ କାମୁଡାରେ ଚାଲିଗଲା ମାଆ, ଝୁରୁଛନ୍ତି ପିଲା
ନନ୍ଦିଘୋଷ ବ୍ୟୁରୋ: ଜନ୍ମକଲା ମାଆର ମୃତୁ ପରେ ଝୁରୁଛନ୍ତି ପିଲା। ବିଷାକ୍ତ ସାପ କାମୁଡାରେ ସାନଖେମୁଣ୍ଡି ପାଟପୁର ତିତିଖଣ୍ଡି ଗାଁର ଗୀତାଞ୍ଜଳିଙ୍କର ମୃତ୍ଯୁ ହୋଇଛି। ଗୀତାଞ୍ଜଳିଙ୍କର ୩ ବର୍ଷର କନ୍ୟା ସନ୍ତାନ ଏବଂ ୭ ମାସର ପୁତ୍ର ସନ୍ତାନ ଅଛନ୍ତି। ମାଆଙ୍କୁ ଝୁରି ଝୁରି ଦୁଇ ପିଲାଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଛେଉଁଣ୍ଡ ପିଲାଙ୍କର କେମିତି ଲାଳନ ପାଳନ ହେବ ସେହି ଚିନ୍ତାରେ ପରିବାର।
ବିଷାକ୍ତ ସାପ କାମୁଡାରେ ଚାଲିଗଲା ମାଆ। ଝୁରୁଛନ୍ତି ପିଲା। ୧୩ ତାରିଖ ଦିନ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ସାହାସପୁର ତିତିଖଣ୍ଡି ଗାଁର ଏମ. ଗୀତାଞ୍ଜଳିଙ୍କର ସାପ କାମୁଡାରେ ମୃତ୍ଯୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଗୀତାଞ୍ଜଳିଙ୍କର ୩ ବର୍ଷର କନ୍ୟା ସନ୍ତାନ ଏବଂ ୭ ମାସର ପୁତ୍ର ସନ୍ତାନ ଅଛନ୍ତି। ମାଆଙ୍କୁ ଝୁରି ଝୁରି ଦୁଇ ପିଲାଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଛେଉଁଣ୍ଡ ପିଲାଙ୍କର କେମିତି ଲାଳନ ପାଳନ ହେବ ସେହି ଚିନ୍ତାରେ ପରିବାର।
ଗୀତାଞ୍ଜଳିଙ୍କ ପରିବାର ଆର୍ଥିକ ସ୍ଥରରେ ସ୍ୱଚ୍ଛଳ ନୁହନ୍ତି। ଚାଳ ଏବଂ ମାଟି କାନ୍ଥ ଘରେ ରୁହନ୍ତି ପରିବାର। ଏହି ସମୟରେ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ପଡୋଶୀଙ୍କ ସହାୟତାରେ ଗୀତାଞ୍ଜଳିଙ୍କର ଅନ୍ତିମ ସଂସ୍କାର କରିଥିଲେ ପରିବାର।
ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ୍
ନନ୍ଦିଘୋଷ ବ୍ୟୁରୋ: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ । ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ଖଣି ଅଧିକାରୀ ଅଫିସ ଆସୁନାହାଁନ୍ତି । ଆଉ ମାସକରେ ଥରେ ଅଧେ ଆସି ନିଜ ଦାୟୀତ୍ବ ସାରିଦେଉଛନ୍ତି । ଅନ୍ୟପଟେ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି ।
ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଲୁଟ ଚାଲିଛି । ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଖଣି ବିଭାଗ । ଦେଖନ୍ତୁ ଏହି ଦୃଶ୍ୟକୁ,ବିନା ଲିଜ୍ ପରିମିଟରେ ଟ୍ରକ୍ ଟ୍ରକ୍ ବାଲି ଲୁଟ୍ ଚାଲିଛି । ସେପଟେ ପଥର କୁଆଁରି ଖନନ ଲିଜ୍ ସରିଯିବା ପରେ ମଧ୍ୟ ପାହାଡ କାଟି ପଥର ଲୁଟ୍ ଚାଲିଛି । ହେଲେ ସବୁଜାଣି ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଖଣି ଅଧିକାରୀ ଚୁପ୍ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ହେଲା, ଖଣି ଅଧିକାରୀଙ୍କ ବିନା ଜାଣତରେ ଏତେ ବଡ ଲୁଟ୍ ସମ୍ଭବ ନୁହେଁ ।
ଜିଲ୍ଲାର ୯ଟି ବାଲିଘାଟ ମଧ୍ୟରୁ ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ 5 ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷ ରେ ଜମା କରାଯାଇ ନାହିଁ l ମାତ୍ର ସମସ୍ତ ବାଲି ଘାଟରୁ ପ୍ରତିଦିନ ଶହଶହ ଟ୍ରିପ ବାଲି ହାଇୱା ଯୋଗେ ପଡୋଶୀ ଜିଲ୍ଲାକୁ ଚାଲାଣ କରାଯାଉଛି l ଏଥି ପାଇଁ କିଛି ବାଲି ମାଫିଆ ଜିଲ୍ଲା ଖଣି ଅଧିକାରୀ ଚିତ୍ତରଞ୍ଜନ ସାହୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାଲି ମାଫିଆ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି । ଜିଲ୍ଲାରେ ବାଲି ଓ ପଥର ଖାଦାନର ସଂଖ୍ୟା ଓ ତାହାର ସ୍ଥିତି ସମ୍ପର୍କରେ ଜିଲ୍ଲା ଖଣି ଅଧିକାରୀଙ୍କ ମତାମତ ନେବାକୁ ସାମ୍ବାଦିକ ମାନେ ଉଦ୍ୟମ କରିଥିଲେ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ । ସାମ୍ବାଦିକ ମାନଙ୍କୁ ଦେଖି ଜିଲ୍ଲା ଖଣି ଅଧିକାରୀ ପ୍ରଥମେ ଲାଇଟ ବନ୍ଦ କରିଦେଉଛନ୍ତି । ସାମ୍ବାଦିକ ମାନେ ବାରମ୍ବାର ପ୍ରଶ୍ନ କଲେ ମଧ୍ୟ ତାର ଉତ୍ତରେ ଦେଉନାହାଁନ୍ତି । ଓଲଟା ପୋଲିସରେ ମାମଲା କରିବାକୁ ଧମକ ଦେଉଛନ୍ତି । ଅନ୍ୟ ପକ୍ଷରେ ଛୁଟି ଦିବସରେ କାର୍ଯ୍ୟାଳୟ ମଧ୍ୟରେ କେତେକ ବାଲି ମାଫିଆଙ୍କ ସହ କଥାବାର୍ତ୍ତା ଚଲାଇଥିବା ଏବଂ ଅର୍ଥ କାରବାର କରି ନିଜ ପକେଟରେ ପୁରାଉଥିବା ଭିଜୁଆଲ କ୍ୟାମେରାରେ ରେକର୍ଡ ହେବା ଜାଣି ଖଣି ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇକୁ ପଛାଇନଥିଲେ l
ଡେଟିଂ କରିବାକୁ ଆସି ଫସିଲେ ଯୁବକ: ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ଦାବି କଲେ ଯୁବତୀ
ନୂଆଦିଲ୍ଲୀ: ଦିଲ୍ଲୀରେ ମାତିଛନ୍ତି ଡେଟିଂ ଗ୍ୟାଙ୍ଗ । ଯୁବକଙ୍କୁ ଫସାଇ ଲୁଟୁଛନ୍ତି ମୋଟା ଅଙ୍କାର ଟଙ୍କା । ନଦେଲେ ଯୁବକ ବନ୍ଧୁଙ୍କ ଜରିଆରେ ଅଟକ ରଖି ଦେଉଛନ୍ତି ଧମକଚମକ । ଏମିତି ଏକ ଡେଟିଂ ଗ୍ୟାଙ୍ଗକୁ କାବୁ କରିଛି ଦିଲ୍ଲୀ ପୋଲିସ । ଲୋକଙ୍କୁ ଡେଟିଂ ପାଇଁ ଡାକି ଲଗାଉଥିଲେ ଚୂନ । ଠକାମୀର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଅନ ଦି ସ୍ପଷ୍ଟରେ ପୋଲିସ ଉଦ୍ଧାର କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଡେଟିଂ ପାଇଁ ଆସିଥିବା ଯୁବକଙ୍କୁ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍ଗସ୍ ପାଇଁ ୧୬ ହଜାର ୪ ଶହ ଟଙ୍କା ବିଲ୍ ଦେବାକୁ କୁହାଯାଇଥିଲା । ଯୁବକ ଜଣଙ୍କ ଏଥିରେ ଆପତ୍ତି ଉଠାଇବାରୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦାବି କରିଥିଲେ ଉକ୍ତ ଗ୍ୟାଙ୍ଗର ପୁରୁଷ ସଦସ୍ୟ ।
ପୋଲିସ ସୂଚନା ଅନୁସାରେ,ଗତ ୨୧ ତାରିଖରେ ଜଣେ ଯୁବକଙ୍କୁ ଗାଜିଆବାଦ କୌସମ୍ବିକୁ ଡେଟିଂ ପାଇଁ ନିମନ୍ତ୍ରଣ ଆସିଥିଲା । ଯେଉଁଠି ତାଙ୍କୁ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କୁ ୧୬ ହଜାର ୪ ଶହ ଟଙ୍କା ଦେବାକୁ କୁହାଯାଇଥିଲା ।
ଡେଟିଂ ଆପରେ ଯୋଗାଯୋଗ ପରେ ଯୁବକଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜରେ କୌସମ୍ବି ମେଟ୍ରୋ ଷ୍ଟେସନକୁ ଆସିବାକୁ କୁହାଯାଇଥିଲା । ଏହାପରେ ଜଣେ ଯୁବତୀଙ୍କ ସହ ଯୁବକ ଜଣଙ୍କ କୌସମ୍ବି ହୋଟେଲର ପ୍ରଥମ ମହଲାରେ ଥିବା ଟାଇଗର କାଫେକୁ ଯାଇଥିଲେ । ତେବେ କାଫେରେ କୌଣସି ସାଇନ ବୋର୍ଡ ନଥିବା ବେଳେ ଅନଲାଇନରେ ମଧ୍ୟ କାଫେ ସମ୍ପର୍କରେ କୌଣସି ସୂଚନା ନଥିଲା । ଯାହାକୁ ନେଇ ଯୁବକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେ ତାଙ୍କର ଜଣା ବନ୍ଧୁଙ୍କ ପାଖକୁ କାଫେର ଲାଇଭ୍ ଲୋକେସନ୍ ସେୟାର କରିବା ସହ ତାଙ୍କୁ ମେସେଜ କରିଥିଲେ ।
ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପିଇବା ପରେ ଯୁବକ ଜଣଙ୍କ ସେଠାରୁ ଯିବାକୁ ବାହାରିଥିଲେ । ହେଲେ ଏହା ତାଙ୍କର ଭୁଲ ଥିଲା ଓ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଥିଲା । କାରଣ ସମ୍ପୃକ୍ତ ଯୁବତୀଙ୍କ ନିର୍ଦ୍ଦେଶରେ ଗୋଟିଏ ଗ୍ଲାସ୍ କୋଲ୍ ଡ୍ରିଙ୍କସ୍ ପାଇଁ ତାଙ୍କ ହାତରେ ୧୬ ହଜାର ୪ ଶହ ଟଙ୍କା ବିଲ୍ ଧରାଇ ଦିଆଯାଇଥିଲା । ଯୁବକ ଜଣଙ୍କ ଏତେ ଟଙ୍କା ଦେବାକୁ ମନା କରିବାକୁ ତାଙ୍କୁ ଅଟକ ରଖି ୫୦ ହଜାର ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା ।
ଅନ୍ୟପକ୍ଷରେ ଯୁବକଙ୍କ ବନ୍ଧୁ କାଫେ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାସହ ପୋଲିସକୁ ସାଙ୍ଗରେ ଧରି କାଫେରେ ପହଞ୍ଚିବା ସହ ଉକ୍ତ ଡେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସାହାଯ୍ୟ କରିଥିଲେ । ଯେଉଁଥିରେ ୫ ଜଣ ଯୁବତୀ ଓ ୩ ଜଣ ଯୁବକ ସମ୍ପୃକ୍ତ ଥିଲେ ।
ଗ୍ୟାଙ୍ଗର ୪ ଜଣ ଯୁବତୀ ଦିଲ୍ଲୀରେ ଥିବା ବେଳେ ଡେଟିଂ ଆପରେ ସକ୍ରିୟ ଥିଲେ । ସେମାନେ ଯୁବକଙ୍କୁ ଯୋଗାଯୋଗ କରୁଥିଲେ ଏବଂ ଟାଇଗର କାଫେକୁ ଆସିବାକୁ କହୁଥିଲେ । ଯେଉଁଠି ଯୁବକମାନଙ୍କଠାରୁ ଖାଇବା, ପିଇବା ବାବଦକୁ ଜୋରଜବରଦସ୍ତ ଅତ୍ୟଧିକ ବିଲ୍ ଆଦାୟ କରାଯାଉଥିଲା । ଗ୍ୟାଙ୍ଗରେ ଥିବା ଯୁବକମାନେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଦେବା ପର୍ଯ୍ୟନ୍ତ ଅଟକ ରଖି ବିଭିନ୍ନ ପ୍ରକାର ଧମକଚମକ ଦେଉଥିଲେ ।
ପୋଲିସ ଘଟଣା ସ୍ଥଳରୁ ଡେଟିଂ ସ୍କାମରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସିପି ସ୍ବତନ୍ତ୍ର ସିଂ ।
ଜବତ ହେଲା ୮ ଲକ୍ଷ ଟଙ୍କାର ବାଣ
ନନ୍ଦିଘୋଷ ବ୍ୟୁରୋ: ରାଉରକେଲାରୁ ୮ ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ଵାଣ ଜଵତ । ସହରର ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଵିନା ଲାଇସେନ୍ସରେ ବେଆଇନ ଭାବେ ମହଜୁଦ ବାଣ ରଖାଯାଇଥିବା ଅଭିଯୋଗ ପରେ ପ୍ଲାଣ୍ଟ ସାଇଟ ପୋଲିସ ପକ୍ଷରୁ କରାଯାଇଥିଲା ଚଢାଉ । ଜଣେ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଜଵତ ଵାଣକୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା ସହରରେ ଦୀପାବଳୀ ସମୟରେ କେହି ଵିନା ଲାଇସେନ୍ସରେ ଓ ବେଆଇନ ଭାବେ ଵାଣ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଲରେନ୍ସ ବିଷ୍ଣୋଇଙ୍କ ଧମକ ଭିତରେ ସଲମାନଙ୍କ ବଡ଼ ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ବାବା ସିଦ୍ଧିକଙ୍କ ହତ୍ୟା ପରେ ଭାଇଜାନଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଉଛି । ଗାଲାକ୍ସିରେ ଗୁଳି ବିନିମୟ ପରେ ସବୁବେଳେ ସଲମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଉଛି । ତେବେ ଏବେ ସଲମାନଙ୍କ ପରିବାର ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ରହିଛନ୍ତି । ତେବେ ଲରେନ୍ସ ବିଷ୍ଣୋଇର ଧମକ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ସଲମାନ । ସେ ନିଜର ପରବର୍ତ୍ତୀ ଫିଲ୍ମ ଦ-ବାଙ୍ଗ ଦ ଟୁର ରିଲୋର୍ଡର ଏକ ପୋଷ୍ଟର ସେୟାର କରିଛନ୍ତି । ଦୁବାଇରେ ଏହାର ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି କାର୍ଯ୍ୟକ୍ରମରେ ସଲମାନ ମଧ୍ୟ ଯୋଗ ଦେବାକୁ ଯାଉଛନ୍ତି । ଏଣୁ ଏଥିରୁ ସ୍ପଷ୍ଠଭାବେ ଜଣାପଡ଼ୁଛି କି, ସଲମାନ ବୋଧହୁଏ ଲରେନ୍ସ ବିଷ୍ଣୋଇର ଧମକକୁ ଡରୁ ନାହାନ୍ତି । ଡିସେମ୍ବର ୭ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ସେ ସେୟାର କରିଥିବା ପୋଷ୍ଟରରେ ସୋନାକ୍ଷୀ ସିହ୍ନା, ଦୀଶା ପଟାନୀ, ତମନ୍ନା ଭାଟିଆ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ନଜର ଆସିଛନ୍ତି । ସେପଟେ ପ୍ରଭାସ ଏବଂ ସୁନୀଲ ଗୋଭର ମଧ୍ୟ ଏହି ପୋଷ୍ଟରରେ ରହିଛନ୍ତି ।
DUBAI get ready for DA-BANGG THE TOUR – RELOADED on 7th December 2024#SonakshiSinha @Asli_Jacqueline @DishPatani @tamannaahspeaks @PDdancing @ManishPaul03 @WhoSunilGrover @GillAastha @patel_jordy @theJAEvents @SohailKhan #AdilJagmagia #SohailKhanEntertainment
🎟 Tickets are… pic.twitter.com/H4saVX4gDp
— Salman Khan (@BeingSalmanKhan) October 27, 2024
ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି ମହମ୍ମଦ ସାମି
ନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ଏବେ ୨-୦ରେ ପଛୁଆ ରହିଛି । ଏହି ସିରିଜ ପରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସିରିଜ ଖେଳିବାକୁ ଯାଉଥିବାବେଳେ ୧୫ ଜଣିଆ ଟିମ ଘୋଷଣା ହୋଇଛି । ସେପଟେ ୩ ଜଣ ରିଜର୍ଭ ଖେଳାଳି ମଧ୍ୟ ରହିଛନ୍ତି । ଆଶା କରାଯାଉଥିଲା କି, ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳକୁ ମହମ୍ମଦ ସାମି ଦଳକୁ ଫେରିବେ ମାତ୍ର ପୁଣିଥରେ ପ୍ରଂଶସକମାନେ ନିରାଶ ହୋଇଛନ୍ତି । ଏବେ ଯଦି ସାମି ପୁଣିଥରେ ଫିଟନେସ ଟେଷ୍ଟରେ ପାସ୍ କରନ୍ତି ତାହେଲେ ଦଳକୁ ଫେରିବାର ସମ୍ଭାବନା ରହିଛି । ମାତ୍ର ସାମିଙ୍କ ଆଣ୍ଠୁ ଫୁଟିଥିବା ସୂଚନା ମିଳିଛି । ସେ ଶତପ୍ରତିଶତ ଫିଟ୍ ହୋଇନଥିବାବେଳେ ଦଳକୁ ଫେରିବାର ଆଶା ଏବେ ମଉଳିଛି । ପରବର୍ତ୍ତୀ ସମୟରେ ରଣଜୀ ମ୍ୟାଚ ଖେଳିବାର ଯୋଜନା ରହିଛି । ପଶ୍ଚିମବଙ୍ଗ ପକ୍ଷରୁ ରଣଜୀ ଖେଳୁଥିବା ମହମ୍ମଦ ସାମି ରଣଜି ଦଳକୁ ଖୁବଶୀଘ୍ର ଫେରିବେ ବୋଲି ବୋଲି କୋଚ କହିଛନ୍ତି ।
ସେପଟେ ରୋହିତ କହିଛନ୍ତି କି, ସାମି ଶତପ୍ରତିଶତ ଫିଟ୍ ହେବାପରେ ଦଳରେ ସାମିଲ ହେବେ । ଏବେ ସେ ଆହତ କାରଣରୁ ୧୧ ମାସ ଧରି ଦଳରୁ ବାହାରେ ରହିଛନ୍ତି । ଶେଷଥର ଲାଗି ଦିନିକିଆ ବିଶ୍ବକପରେ ଖେଳିଥିଲେ ସାମି । ଆଉ ଏବେ ଆଣ୍ଠୁରେ ଆଘାତ କାରଣରୁ ଅସ୍ତ୍ରୋପଚାର ହୋଇଛି । ସେ ସମ୍ପୂର୍ଣ୍ଣ ଫିଟ୍ ନହୋଇଥିବାବେଳେ ନେଟରେ ପ୍ରାକ୍ଟିସ ଜାରି ରଖିଛନ୍ତି । ଭାରତୀୟ ଦଳ ଏବେ ଯେଭଳି ଖରାପ ପ୍ରଦର୍ଶନ କରୁଛି ଏବଂ ନ୍ୟୁଜିଲାଣ୍ଡଠାରୁ ହାରିଛି ଦଳରେ ସାମିଙ୍କୁ ସାମିଲ କରାଯାଉ ବୋଲି ଫ୍ୟାନ୍ସମାନେ ଦାବି କରିଛନ୍ତି ।
ଟଙ୍କା ଦିଅ ନହେଲେ ଉଡ଼େଇ ଦେବୁ, ଇମେଲରେ ଆସିଲା ବୋମା ଧମକ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୌର ୧୦ଟି ପ୍ରମୁଖ ହୋଟେଲକୁ ଇ-ମେଲରେ ବୋମା ଧମକ। ଇମେଲରେ ଆସିଥିବା ଧମକରେ ଟଙ୍କା ଦାବି କରାଯାଇଛି। ଟଙ୍କା ନ ମିଳିଲେ ବୋମାରେ ଉଡାଇଦେବାକୁ ହୋଟେଲଗୁଡିକୁ ଧମକ ଦିଆଯାଇଛି। ଇମେଲରେ କୁହାଯାଇଛି- ହୋଟେଲର ତଳ ଭାଗରେ ବୋମା ରହିଥିବା କଳା ବ୍ଯାଗ ରହିଛି। ଯଦି ଟଙ୍କା ନ ମିଳେ ତେବେ ବୋମା ଫୁଟିବ। ଯେଉଁ ହୋଟେଲଗୁଡିକୁ ବୋମା ଧମକ ଆସିଛି ସେହି ହୋଟେଲଗୁଡିକ ହେଲା ମାରିଅଟ, ସାରାକା, ପିକାଡିଲି, କମ୍ଫୋର୍ଟ ଭିସ୍ତା, ଫର୍ଚ୍ଯୁନ, ଲେମନ ଟ୍ରି, କ୍ଲାର୍କ ଅୱଧ, କାସା, ଦୟାଲ, ଗେଟୱେ, ସିଲଭେଟ। ଇମେଲରେ ବୋମା ଧମକ ମିଳିବା ପରେ ପୋଲିସକୁ ହୋଟେଲ ମ୍ଯାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅଭିଯୋଗର ତଦନ୍ତ କରୁଛି ପୋଲିସ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଥିବା ୩ଟି ହୋଟେଲକୁ ବୋମା ଧମକ ଆସିବା ପରେ ଲକ୍ଷ୍ମୌର ହୋଟେଲଗୁଡିକୁ ଧମକ ମିଳିଛି। ସେପଟେ ବୋମା ଧମକ ପରେ ଅଯୋଧ୍ଯାର ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ। ବେଙ୍ଗାଳୁରୁରୁ ଅଯୋଧ୍ଯା ଅଭିମୁଖେ ଆସୁଥିବା ଏକ ବିମାନକୁ ବୋମା ଧମକ ମିଳିଥିଲା। ତେବେ ବୋମା ଧମକ ମିଳିବା ପରେ ବିମାନକୁ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଯାଞ୍ଚ ସରିବା ପରେ ଏହା ଏକ ହୋକ୍ସ କଲ୍ ବୋଲି ଜଣାପଡିଛି।

