ଭାଲୁ ସହ ଲଢିଲା ୧୩ ବର୍ଷର ନାବାଳକ । ବାଲେଶ୍ବର ଜିଲ୍ଲା ପୋଡାଶୂଳ ଗ୍ରାମରେ ଦିନ ୯ ଟାରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଦୁଇଟି ଭାଲୁ ଗାଁରେ ପଇଁତରା ମାରୁଥିଲେ । ପୋଡାଶୂଳ ଗ୍ରାମ ପାତ୍ରସାହିର ପ୍ରଭାତ ପାତ୍ର ଘରୁ ବାହାରିବା ସମୟରେ ଦୁଇଟି ଭାଲୁ ହଠାତ ଆକ୍ରମଣ କରିଥିଲେ । ପ୍ରଭାତ ଏଥିରେ ବିଚଳିତ ନହୋଇ ସାହସର ସହ ସାମ୍ନା କରିଥିଲେ । ଭାଲୁକୁ ଧରି ପିଟି ସେ ନିଜର ଜୀବନ ବଞ୍ଚାଇଥିଲେ । ଭାଲୁ ଆକ୍ରମଣରେ ପ୍ରଭାତଙ୍କର ପେଟ ଓ ଗୋଡରେ ଆଘାତ ଲାଗିଛି । ଗାଁରେ ଭାଲୁ ପଶୁଥିବା ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି।
ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ଧାରଣାରେ ମୃତକଙ୍କ ପରିବାର ଲୋକେ
ସୋଲାର ଲାଇଟ ଚୋରି ଅଭିଯୋଗରେ ଗ୍ରାମବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ମାଡ଼ରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପାଳଲହଡା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଲେ ମୃତକଙ୍କ ପରିବାର ଲୋକେ । ଅନୁଗୁଳ ଜିଲ୍ଲା ପାଳଲହଡା ସଇଡା ପଞ୍ଚାୟତ ଡ଼ଙ୍ଗାଧର ଗାଁରେ ହାତୀ ଗତିବିଧି ନିରୀକ୍ଷଣ ପାଇଁ ବନବିଭାଗ ପକ୍ଷରୁ ସୋଲାର ଲାଇଟ ଲଗାଯାଇଛି । ଡ଼ାଲ ଗାଁରେ ସମ୍ପର୍କୀୟ ମାମୁଁ ଘରେ ରହୁଥିବା ବିପିନ ଦାସ ନାମକ ଯୁବକ ଏହାକୁ ଚୋରି କରୁଥିଲା । ସେହି ସମୟରେ ଗ୍ରାମବାସୀ ତାଙ୍କୁ ନିସ୍ତୁକ ମାଡ ମାରିବା ସହ କାବୁ କରିଥିଲେ । ପରେ ପାଳଲହଡା ବନବିଭାଗକୁ ଜିମା ଦେଇଥିଲେ । ସେଠାରେ ତାଙ୍କୁ ନିସ୍ତୁକ ମାଡ ମରାଯାଇ ଗୁରୁତର ଆହତ କରିଥିଲେ । ପରେ ଯୁବକଙ୍କୁ ଏକ ଚୁକ୍ତିନାମା ଲେଖା କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ ।
ଯୁବକଙ୍କୁ ଗୁରୁତର ଅବସ୍ଥାରେ ଦେଖି ଡାକ୍ତରଖାନା ନେବାକୁ ବନ ବିଭାଗକୁ ନିବେଦନ କରିଥିଲେ ପରିବାର ଲୋକ । ବନ ବିଭାଗ ନଶୁଣିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ବିପିନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିପିନର ଗତକାଲି ମୃତ୍ୟୁ ହୋଇଛି । ଆଜି ସକାଳୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ।
କୋଣାର୍କରେ କାଜୁ ଗୋଦାମରେ ଚଢାଉ
କୋଣାର୍କରେ କାଜୁ ଗୋଦାମରେ ଚଢାଉ । ଅସାଧୁ ବ୍ୟବସାୟୀ ମାନେ କାଜୁ ପ୍ୟାକେଟରେ ନକୁଳ ଦାନା ଓ ନିମ୍ନମାନର କାଜୁ ବିକ୍ରି କରୁଥିବା ଅଭିଯୋଗରେ କୋଣାର୍କ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି । ନିମାପଡା ଏସଡିପିଓଙ୍କ ନେତୃତ୍ୱରେ କୋଣାର୍କ ଆଇଆଇସି ପୂର୍ଣଚନ୍ଦ୍ର ସେଠୀ ପ୍ରମୁଖ କୋଣାର୍କ ଜଗନ୍ନାଥ ମନ୍ଦିର ନିକଟ ଏକ ଗୋଦାମରେ ଚଢଉ କରିଥିଲେ । ଗୋଦାମରୁ କୁଇଁଟାଲ କୁଇଁଟାଲ କାଜୁ, ପ୍ୟାକିଙ୍ଗ ମେସିନ, ଓଜନ ମେସିନ, ୨ବସ୍ତା ରାମଦାନା ଅଥବା ନକୁଳ ଦାନା ଜବତ କରି ଥାନାକୁ ଆଣିଛନ୍ତି । ଏହାସହ ୨ ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି । ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ହେବ ମହାରାଷ୍ଟ୍ରର ପର୍ଯ୍ୟଟକମାନଙ୍କୁ କୋଣାର୍କ ରିଙ୍ଗ ରୋଡ ନିକଟରେ କାଜୁ ପ୍ୟାକେଟକୁ ୬ଶହ ଟଙ୍କାରେ ୧୫ପ୍ୟାକେଟ ବିକ୍ରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କୋଣାର୍କରେ ଖାଦ୍ୟ ନିରୀକ୍ଷକ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରି ଅସାଧୁ କାଜୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ବୋହୂକୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ
ବୋହୂକୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ଘସିପୁରା ଥାନା ବେଲବାହାଳି ଗ୍ରାମର ଅଯୋଧ୍ୟା ସାହୁଙ୍କ ଝିଅ ଗୋଲାପମଞ୍ଜରୀ ସାହୁ ସାତ ବର୍ଷ ତଳେ ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ବିବାହ କରିଥିଲେ । । ଅଚାନକ ଗୋଲାପ ଘର ଭିତରେ ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଥିଲେ । ଗୋଲାପ ପୋଡି ହୋଇଯିବାର ଖବର ପାଇଥିଲେ ବାପଘର ଲୋକେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ । ଗୋଲାପଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଶାଶୁ ଘର ଲୋକେ କିପରି ତାଙ୍କୁ ଦିଆସିଲି ମାରି ପୋଡି ମାରିବା ପାଇଁ ଯୋଜନା କରିଥିଲେ ସେ ସବୁର ସମ୍ପୂର୍ଣ ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ । ଏବେ ପୁନର୍ବାର ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ରାଜେଶ, ଶଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳା ସାହୁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋର ପୋଲିସକୁ ବଡ଼ ସଫଳତା: ୬ ଚୋରା ବାଇକ ଜବତ ସହ ଜଣେ ଗିରଫ
ବାଲେଶ୍ବର ସୋର ପୋଲିସକୁ ବଡ଼ ସଫଳତା । ୬ ଚୋରା ବାଇକ ଜବତ ସହ ଜଣେ ଗିରଫ ହୋଇଛି l ସୋର ପୁଲିସ ପକ୍ଷରୁ ବାରିକପୁର ହାଟ ନିକଟରେ ଚଢ଼ାଉ କରି ୬ ଟି ଚୋରା ବାଇକକୁ ଜବତ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ରାତିରେ ସୋର ପୋଲିସ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ହାଟ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ସୋର ପୁଲିସ ହଠାତ ହାଟ ନିକଟରେ ଚଢ଼ାଉ କରିଥିଲେ । ଫଳରେ ପୁଲିସ ଗାଡିକୁ ଦେଖି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପୁରୁଣା ବାଲେଶ୍ୱର ଗ୍ରାମର ବିଶ୍ୱନାଥ ସାହୁକୁ ଧରିବାକୁ ସକ୍ଷମ ହୋଇଥିଲା । ପରେ ତାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ତାନିକଟରୁ ୬ଟି ଚୋରି ବାଇକକୁ ଜବତ କରିଥିଲେ । ଏବାବଦରେ ପୁଲିସ ଥାନରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଥିଲେ । ପୁଲିସ ତାକୁ କୋର୍ଟ ଚାଲାଣ କରିଛି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ସୂଚନା ଦେଇଛନ୍ତି ।
ସିବିଆଇ କଲା ସିବିଆଇ ଏଏସଆଇଙ୍କ ବିରୋଧରେ ମାମଲା ରୁଜୁ
ସିବିଆଇ କଲା ସିବିଆଇ ଏଏସଆଇଙ୍କ ବିରୋଧରେ ମାମଲା ରୁଜୁ। ଏମସିଏଲରୁ ଲାଞ୍ଚ ନେଉଥିବା ଜଣା ପଡିବା ପରେ ହୋଇଛି ମାମଲା ରୁଜୁ । ଦିଲ୍ଲୀ CBI ଭୁବନେଶ୍ବର ସିବିଆଇ ଏଏସଆଇଙ୍କ ନାଁରେ ମାମଲା ରୁଜୁ କରିଛି। ସୁନ୍ଦରଗଡ଼ ଏମ୍ସିଏଲ୍ରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ାଉ ପରେ, ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ଭୁବନେଶ୍ବର ଶାଖାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ ସନ୍ଦେହ ଘେରକୁ ଆସିଛନ୍ତି। ବସୁନ୍ଧରା ଅଞ୍ଚଳରେ ଏମ୍ସିଏଲ୍ ଗର୍ଜନବାହାଲ ଓପନ କାଷ୍ଟ ପ୍ରୋଜେକ୍ଟର ଡେସ୍ପାଚ୍ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ଏଏସଆଇ ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ ବା କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ସିବିଆଇର ଏଏସ୍ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି। ଏହି ଲିଙ୍କ୍ରେ ଦିଲ୍ଲୀ ସିବିଆଇର ୩ଜଣିଆ ଟିମ୍ ସୁନ୍ଦରଗଡ଼ର ଏମ୍ସିଏଲ୍ରେ ଚଢ଼ଉ କରୁଥିବା ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡିର ପ୍ରକୋପ
ପୁଣି କଡ଼ ଲେଉଟାଇଲା କୁହୁଡି l ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡିର ପ୍ରକୋପ ଦେଖିବାକୁ ମଳିଛି । ଆସିକା, ଶେରଗଡ଼ ଓ ଧରାକୋଟ ଅଞ୍ଚଳରେ କୁହୁଡର ମାତ୍ରା ବେଶି ଦେଖିବାକୁ ମିଳୁଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମି ଯାଇଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୁହୁଡି ଏତେ ମାତ୍ରାରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି ।
କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ: ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ
କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ । ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ । ସେହିପରି ଆସନ୍ତା ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୬ରୁ ୧୦ ଡିଗ୍ରୀ ରହିବ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉତ୍ତର ଉପକୂଳ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ତାପମାତ୍ରା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜଗତ୍ସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ ।

