ଚଣ୍ଡିଖୋଲ : ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ । ତା ଭିତରେ ଜମି ରହିଛି ପାଣି । ବିପଦ ମୁଣ୍ଡେଇ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥାନ ବାଲିଚନ୍ଦ୍ରପୁର ବଜାର । ବାଲିଚନ୍ଦ୍ରପୁର ବଜାର ଉପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା ଭଳି ତିନୋଟି ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି । ହେଲେ ବଜାରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାଆସ କରିବା ମୁସ୍କିଲ ହୋଇ ପଡୁଛି । ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଗୋଟିଏ ପଟେ ବାଲିଚନ୍ଦ୍ରପୁର ବଜାରକୁ ଏହି ରାସ୍ତାଟି ସଂଯୋଗ କରୁଥିବା ବେଳେ ଅନ୍ୟପଟେ ଚଣ୍ଡିଖୋଲ – ପାରାଦୀପ ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ ରାସ୍ତାର ଦୁରାବସ୍ଥା ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

