spot_img
Home Blog Page 1661

ନଭି ମୁମ୍ୱାଇରେ ଭୁଶୁଡିଲା ୩ ମହଲା କୋଠା

ମୁମ୍ୱାଇ: ନଭି ମୁମ୍ୱାଇର ଶାହବାଜ ଗାଁରେ ଭୁଶୁଡିଲା ୩ ମହଲା କୋଠା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବାହିନୀ ୨ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ କୋଠା ଭଗ୍ନାବଶେଷ ତଳେ ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ, କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି ।

ନାଭି ମୁମ୍ବାଇ ନଗର ନିଗମ କମିଶନର କୈଳାଶ ସିନ୍ଦେ କହିଛନ୍ତି ଯେ, ସକାଳ ପ୍ରାୟ ସାଢେ ୫ଟା ବେଳେ କୋଠା ଭୁଶୁଡି ପଡିଛି । ବିଲଡିଂରେ ୧୩ ଟି ଫ୍ଲାଟ ଥିଲା । ଘଟଣା ସ୍ଥଳରୁ ଦୁଇ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଗୁଳି ବିନିମୟରେ ୩ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ। ଏହି ଏନକାଉଣ୍ଟରରେ ସେନାର ୩ ଜଣ ଯବାନ୍ ଆହାତ ହୋଇଛନ୍ତି । ଆହାତ ଯବାନମାନଙ୍କୁ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, କୁପୱାଡ଼ାର କୁମକରୀ ଅଞ୍ଚଳରେ ୮ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଡ୍ରୋନ୍ ଏବଂ ହେଲିକପ୍ଟର ଯୋଗେ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଛାନଭିନ୍ ଜାରି ରଖିଥିଲେ ସୁରକ୍ଷାବାହିନୀ ।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ଅପରେସନ ଗତ ୫ ଦିନ ଧରି କୁପୱାରାଠାରେ ଚାଲିଛି  । ୩  ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୁପୱାରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ତିନି ଦିନ ପୂର୍ବେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ‘ପ୍ଯାରିସ ଅଲିମ୍ପିକ୍ସ’

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ଯାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଅନୁଷ୍ଠିତ। ଫ୍ରାନସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ। ଅଲିମ୍ପିକସ ଇତିହାସରେ ପ୍ରଥମଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀ କୂଳରେ ଅନୁଷ୍ଠିତ ହୋଇଛି। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ। ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତଙ୍କ ପରେଡ୍‌ ହେବ। ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ କ୍ରୀଡ଼ାବିତଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ସେନ ନଦୀରେ ପ୍ରାୟ ୬ କିଲୋମିଟର ଯାତ୍ରା କରିବେ କ୍ରୀଡାବିତ। ଏଫିଲ୍ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଏଇଫିଲ୍‌ ଟାୱର ନିକଟରେ ଥିବା ଚାମ୍ପିଅନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମରେ ପରିଣତ କରାଯାଇଛି। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକସ ଉଦ୍ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ତେବେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ସର ଶୁଭାରମ୍ଭ କରିବେ। ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ୩ ହଜାରରୁ ଅଧିକ କଳାକାର ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦର୍ଶକ ଯେପରି ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ ସେଥିପାଇଁ ସାରା ସହରରେ ୮ଟି ବଡ଼ ପରଦା ଲଗାଯାଇଛି। ନୌକାଯାତ୍ରାର ଆରମ୍ଭରୁ ଉଦ୍‌ଘାଟନୀ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭ ହୋଇ ପାଖାପାଖି ୪ ଘଣ୍ଟା ଧରି ଚାଲିବ।

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ୱଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ୬୧୨.୬୫ ଫୁଟରେ ପହଞ୍ଚିଲାଣି ଜଳସ୍ତର। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୩୨ ହଜାର ୧୮୦ ଘନଫୁଟ ବନ୍ୟାଜଳ। ବିଭିନ୍ନ କେନାଲ ଓ ପାୱାର କେନାଲ ଦେଇ ନିଷ୍କାସନ ହେଉଛି ୩୯ ହଜାର ୫୮୮ ଘନଫୁଟ ବନ୍ୟାଜଳ। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।

ଗୁଜରାଟରେ ବର୍ଷାର ତାଣ୍ଡବ, ଉବୁଟୁବୁ ନବସାରୀ ଜିଲ୍ଲାର ଅନେକ ଅଞ୍ଚଳ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟରେ ଜଳ ପ୍ରଳୟ। ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷାରେ ବେହାଲ ହୋଇଛି ଜୀବନ। ନବସାରୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୮ ଘଣ୍ଟା ମଧ୍ୟରେ ନବସାରୀ ଅଂଚଳରେ ସର୍ବାଧିକ ୩୦୩ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷାରୁ ତଳିଆ ଅଂଚଳରେ ପାଣି ଜମିଛି। ସ୍ଥିତି ବିଗିଡିବାରୁ ପାଖାପାଖି ୨୫ଶହ ଲୋକଙ୍କୁ ତଳିଆ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଂଚଳରେ ୧୫ଟି ମେଡିକାଲ ଟିମକୁ ନିୟୋଜିତ କରାଯାଇଛି। ନବସାରୀ ଦେଇ ବହି ଯାଇଥିବା ପୂର୍ଣ୍ଣ ନଦୀ ବିପଦ ସଂକେତ ଟପି ୨୮ ଫୁଟରେ ଚାଲିଛି। ପୂର୍ଣ୍ଣ ନଦୀରେ ବିପଦ ସଙ୍କେତ ୨୩ ଫୁଟ ରହିଛି।

ସେହିପରି ଆଖପାଖ ଅଂଚଳର ୭୦ଟି ରାସ୍ତାରେ ପାଣି ଜମି ଯାଇ ଗାଡି ଚଳାଚଳ ପ୍ରଭାବିତ ହୋଇଛି।  ତାପି ଜିଲ୍ଲାର ଭାଲୋଦ ଅଂଚଳରୁ ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତାପି ଜିଲ୍ଲାରେ ୧୧୩ଟି ରାସ୍ତାରେ ପାଣି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଗୁଜରାଟ ଭଳି ମୁମ୍ବାଇରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଆଜି ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୁମ୍ବାଇ, ପୁଣେ, ରାଇଗଡ଼ ଓ ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। ମୁମ୍ବାଇର ମିଠି ନଦୀରେ ଏକ କୁମ୍ଭୀର ଚାଲି ଆସିଥିବା ଲୋକେ ଦେଖିଥିଲେ। ପୁଣେରେ ମଧ୍ୟ ପ୍ରବଳ ବର୍ଷାରୁ ତଳିଆ ଅଂଚଳରେ ପାଣି ଜମି ରହିଛି। ସତାରା ଜିଲ୍ଲାରେ ପ୍ରବଳ ବର୍ଷାରୁ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରଭାବିତ ହୋଇଛି। ଆସନ୍ତାକାଲି ମଧ୍ୟ ମହାରାଷ୍ଟ୍ର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଲାଗି ଆସନ୍ତାକାଲି ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି। ରତ୍ନଗିରି, ରାଇଗଡ଼, ସିନ୍ଦୁଦୁର୍ଗ, ପୁଣେ ଓ ସତାରା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।

ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ କାଉନସିଲ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ନୀତି ଆୟୋଗ ବୈଠକ। ଦିଲ୍ଲୀରେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ବୈଠଖ ବସିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେଉଛନ୍ତି। ଓଡିଶାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ସହ ଦୃଷ୍ଟିକୋଣ ଉପରେ ଏହି ବୈଠକରେ ଆଲୋଚନା ହେବ। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗିତା ଓ ସମନ୍ବୟ ବଜାର ରଖିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ।

ଆଜିର ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ଦସ୍ତାବିଜ ଉପରେ ଚର୍ଚ୍ଚା କରାଯିବ। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ଚର୍ଚ୍ଚା ହେବ। ଗତ ବର୍ଷ ଡିସେମ୍ବରରେ ଆୟୋଜିତ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଆସିଥିବା ସୁପାରିସ ଉପରେ ମଧ୍ୟ ଆଲୋଚନା ହେବ।

‘ଆଳୁ’ କେଉଁଠି କେଜି ୫୦ ତ କେଉଁଠି ୬୦, ଲୋକେ ଖାଇବେ କ’ଣ ?

ଭୁବନେଶ୍ବର: ହାଫ୍ ସେଞ୍ଚୁରି ମାରିଲା ଆଳୁ । କେଉଁଠି କେଉଁଠି ଏହାର ରେଟ୍ ୬୦ରେ ବି ପହଞ୍ଚିଛି । ବର୍ତ୍ତମାନର ମହଙ୍ଗା ମାଡ଼ରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ନଇଁ ପଡ଼ିଥିବାବେଳେ, ସେଥିରେ ବଡ଼ ପ୍ରହାର କରିଛି ଆଳୁ ରେଟ୍ । କଞ୍ଚା ପରିବା ଅଧିକ ଦାମ୍ ଯୋଗୁଁ ଲୋକେ ଆଳୁରେ କାମ ଚଳାଉ ନେଉଥିଲେ । ଏବେ ତାହା ବି ହେଉନି । କେବଳ ଯେ, ଗ୍ରାହକଙ୍କୁ ବାଧୁଛି ତାହା ନୁହେଁ, ଅଧିକ ରେଟ୍ ଯୋଗୁଁ ବିକ୍ରି ବଟା ଭଲରେ ହୋଇପାରୁ ନଥିବାରୁ ବେପାରୀଙ୍କୁ ବି ଘାଟା । ଉଭୟ କିଣିବା ଲୋକ, ବିକିବା ଲୋକ ହେଉଛନ୍ତି ଛଟପଟ । ଏହାର ମୁଖ୍ଯ କାରଣ ପଶ୍ଚିମବଙ୍ଗରୁ ଓଡି଼ଶାକୁ ଆଳୁ ଆସୁନି । ଓଡ଼ିଶାର ଚାହିଦା ମୁଖ୍ଯତଃ ପଶ୍ଚିମବଙ୍ଗ ପୂରଣ କରୁଥିବା ବେଳେ ସେଠାରୁ ଆଳୁ ଆସୁ ନଥିବାରୁ ଦେଖା ଦେଇଛି ସମସ୍ଯା ।

ତରକାରୀ ତାଟିଆରୁ ଆଳୁ ଗାଏବ । ଯେଉଁ ଆଳୁ ସବୁ ତରକାରୀରେ ପଡ଼ିଥାଏ, ତାହା ଏବେ ଏତେ ମହରଗ ହୋଇଯାଇଛି ଯେ, ଦାମ୍ ଶୁଣି ଲୋକେ ଛାନିଆ ହୋଇପଡ଼ିଛନ୍ତି । କିଛି ଦିନ ମଧ୍ଯରେ ଏହାର ଦାମ୍ ଅହେତୁକ ଭାବେ ବଢ଼ିଛି । କେଉଁଠି କିଲୋ ୫୦ ତ କେଉଁଠି ୬୦ ।

ରାଜ୍ଯର ଅନ୍ଯତମ ବଡ଼ ପରିବା ମାର୍କେଟ କଟକ ଛତ୍ରବଜାରରେ ଆଳୁ ଏକ ପ୍ରକାର ଉଭାନ ହୋଇଯାଇଛି । ଯିଏ ୩ କିମ୍ବା ୪ କିଲୋ କିଣୁଥିଲା ସେ କିଲେ କିଣୁଛି । ଯେଉଁ ବେପାରୀ ପାଖରେ ଆଳୁ ଅଛି, ସେ ଚଢ଼ା ଦରରେ ବିକୁଛି । ହେଲେ ବିକ୍ରି କମ୍ ହେଉଥିବାରୁ ଘାଟା ହେଉଛି । ଏଥିରେ ଉଭୟ ଗ୍ରାହକ ଓ ବ୍ଯବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ବି ଏହି ଅବସ୍ଥା । ମାର୍କେଟରେ କମ୍ ଆଳୁ ଥିବାରୁ କଳାବଜାରୀ ହୁ ହୁ କରି ରେଟ୍ ବଢାଉଥିବାର ଅଭିଯୋଗ ହୋଇଛି ।

ଏପରି ରେଟ୍ ବଢ଼ିବାର କାରଣ ପଶ୍ଚିମବଙ୍ଗରୁ ଆସୁନି ଆଳୁ । ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସମେତ ଅନ୍ଯ ରାଜ୍ଯକୁ ଆଳୁ ପଠାଯାଉନାହିଁ । କାରଣ ଯେତେ ଆଳୁ ଚାଷ ହୁଏ, ଏ ବର୍ଷ ସେତେ ହୋଇ ନାହିଁ । ପଶ୍ଚିମବଙ୍ଗରେ ରେଟ୍ ବଢ଼ିଥିବାରୁ ଅନ୍ଯ ରାଜ୍ଯକୁ ଆଳୁ ପଠାଇବାକୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଓଡ଼ିଶା ଆସୁଥିବା ବହୁ ଟ୍ରକକୁ ଅଟକାଯାଇଥିବା ଜଣାପଡ଼ିଛି । ଆଜି ତ ବାଲେଶ୍ବର ଜିଲ୍ଲା ସୀମାନ୍ତ ସୁନାକଣିଆ ଚେକପୋଷ୍ଟରେ ଅଟକି ଥିବା ଆଳୁ ଟ୍ରକ ପଶ୍ଚିମବଙ୍ଗକୁ ଫେରାଇ ନେଇଥିଲା ଜିଲ୍ଲା ପ୍ରଶାସନ ।

ଓଡ଼ିଶା ପାଇଁ ବର୍ଷକୁ ଦରକାର ୧୪ ଲକ୍ଷ ୫୯ ହଜାର ଟନ ଆଳୁ । କିନ୍ତୁ ରାଜ୍ଯରେ ଉତ୍ପାଦନ ହେଉଛି ୭୦ରୁ ୮୦ ହଜାର ଟନ । ତେଣୁ ସିଂହଭାଗ ଆସେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ । ବ୍ଯବସାୟୀ ମହାସଂଘର ସୁଧାକର ପଣ୍ଡା କହିଛନ୍ତି, ସାରା ରାଜ୍ଯର ଶୀତଳ ଭଣ୍ଡାରରେ ୨୦ରୁ ୨୫ ହଜାର ଟନ ଆଳୁ ଅଛି, ଯାହାକି ୫ ଦିନରେ ସରିଯିବ । ପାଣିପାଗ ଦୃଷ୍ଟିରୁ ଉତ୍ତର ପ୍ରଦେଶରୁ ଏବେ ଆଳୁ ମଗାଇବା ସୁବିଧା ନୁହେଁ । ତେଣୁ ପଶ୍ଚିମବଙ୍ଗରୁ ଶୀଘ୍ର ଆଳୁ ଆଣିବାକୁ ଓ ଦର ନିଯନ୍ତ୍ରଣ କରିବାକୁ ସରକାରଙ୍କୁ କହିଛନ୍ତି ସୁଧାକର ପଣ୍ଡା ।

ତରକାରୀରେ ଆଳୁ ହେଉଛି ସବୁଠୁ ମୁଖ୍ଯ ପରିବା । ଅନ୍ଯ ପରିବା ଅପେକ୍ଷା ଏହା ଶସ୍ତା ମଧ୍ଯ । ବାକି କଞ୍ଚା ପରିବାର ରେଟ୍ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଆଳୁ ଥିଲା ସମସ୍ତଙ୍କର ଭରସା । ଏବେ ମାର୍କେଟରେ ତାହା ମଧ୍ଯ ପର୍ଯ୍ଯାପ୍ତ ପରିମାଣରେ ମିଳୁନାହିଁ । ତା’ ସାଙ୍ଗକୁ ରେଟ୍ ଆକାଶ ଛୁଆଁ ହୋଇଛି, ଯାହାକି ଖାଉଟିଙ୍କୁ ବହୁତ ଚିନ୍ତାରେ ପକାଇଛି ।

’ମୋହନ ସରକାରଙ୍କ ବଜେଟ୍ ପୁରୁଣା ସରକାରଙ୍କ ଯୋଜନାର କପି ପେଷ୍ଟ’

ଭୁବନେଶ୍ବର: ଗତକାଲି ମୋହନ ସରକାର ପ୍ରଥମ ବଜେଟ ଉପସ୍ଥାପନ କଲେ । ହେଲେ ଏହା ପୁରୁଣା ସରକାରଙ୍କ ଯୋଜନାର କପି ପେଷ୍ଟ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବଜେଟରେ ନୂଆ କିଛି ନାହିଁ । କେବଳ ବିଜୁ ବାବୁଙ୍କ ନାଁ ହଟାଇବାକୁ ଏହି ବଜେଟ ଆସିଥିବା ନେଇ କଟାକ୍ଷ କରିଛି କଂଗ୍ରେସ । ସେପଟେ ନବୀନ ସରକାରର ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବି ପରିବର୍ତ୍ତନ ହୋଇଛି । ହେଲେ ସେହି କାମକୁ ରାଜ୍ୟ ସରକାର ଆଗେଇ ନେଉ ନଥିବା ଅଭିଯୋଗ କରିଛି ବିଜେଡି ।

ବଜେଟରେ କିଛି ନାହିଁ, କିଛି ନୂଆ କରିନାହାଁନ୍ତି । ସବୁଜ ଭଲ ଲାଗିଲାନି ରଙ୍ଗ ବଦଳାଇ ଦେଇଛନ୍ତି । ଏହା ମୋହନ ସରକାରଙ୍କ ନାମ ପରିବର୍ତ୍ତନ ବଜେଟ । ବଦଳିଛି ନବୀନ ସରକାରଙ୍କ ୪୦ ଯୋଜନାର ନାଁ । ବଜେଟରେ ରାଜ୍ଯରେ ଚାଲୁଥିବା ବିଭିନ୍ନ ଯୋଜନାର ନାଁ ବଦଳାକୁ ନେଇ ଏପରି ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସରକାର ସମୟର ଯୋଜନାର ନାଁ ବଦଳାଇ ରାଜ୍ୟ ସରକାର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ବଜେଟରେ ମହିଳାଙ୍କ ପାଇଁ କିଛି ନାହିଁ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସମୟରେ କେବଳ ୭ ପ୍ରତିଶତ ମହିଳା ସ୍ୱାବଲମ୍ବୀ ଥିଲେ । ଏବେ ୭୭ ପ୍ରତିଶତ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି କେବଳ ନବୀନଙ୍କ ଉଦ୍ଯମ ପାଇଁ ।

ଗତ ସରକାର ବିଜୁ ବାବୁଙ୍କ ନାମରେ ଯେଉଁ ଯୋଜନା କରିଥିଲା, ସେହି ବିଜୁ ବାବୁ ନାମକୁ ଉଚ୍ଛେଦ କରିବା ହିଁ ବଜେଟର ମୂଳ ଉଦେଶ୍ୟ ବୋଲି କଂଗ୍ରେସ ଅନୁଭବ କରିଛି । ଏଥିରେ ରାଜ୍ୟରେ ଆଦିବାସୀ, ଗରିବ ଖଟିଖିଆଙ୍କ ପାଇଁ କିଛି ନୂଆ ନାହିଁ । ସାଧାରଣ ବର୍ଗ, ଗରିବଙ୍କ ପାଇଁ ବି ଯୋଜନା ନାହିଁ । ଦାଦନ, ମହିଳା ଓ ନିଯୁକ୍ତି ନେଇ ବି ବଜେଟରେ କିଛି ନଥିବା କଂଗ୍ରେସ ଅଭିଯୋଗ କରିଛି । ଏ ସରକାର ଯେଉଁ ବିକାଶର ସରକାର ବୋଲି ନାରା ଦେଉଛନ୍ତି ତାହା ବିନାଶର ସରକାର ପାଲଟିଥିବା କଂଗ୍ରେସ କଟାକ୍ଷ କରିଛି । ଏହା ଲୋକଙ୍କର ନୁହେଁ, ଅଫିସରଙ୍କ ବଜେଟ । ଯାହା ଅଫିସର ଲେଖୁଛନ୍ତି, ମନ୍ତ୍ରୀ ପଢୁଥିବା କଂଗ୍ରେସ କହିଛି ।

ଯୋଜନା ଗୁଡିକର ନାମ ପରିବର୍ତ୍ତନର ଯୁକ୍ତିଯୁକ୍ତତା କ’ଣ ବୋଲି ପ୍ରଶ୍ନ କରିଛି ବିଜେଡି । ଗୋଲାପକୁ ଯାହା ନାଁ ଦେଲେ ବି ବାସ୍ନା ସମାନ ରହିବ । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୫୦ ଲକ୍ଷ ଅନୁମୋଦନ ମିଳିଛି । ହେଲେ ନିର୍ବାଚନ ପରେ ଏହା ବନ୍ଦ ରଖାଯାଇଥିବା ବିଜେଡି ଅଭିଯୋଗ କରିଛି । ବିଜେପି ବିଧାୟକ ଏହା ବନ୍ଦ ହୋଇଯାଇଥିବା କହୁଥିବାବେଳେ ବିଭାଗୀୟ ସଚିବ ଏହା ବନ୍ଦ ହୋଇ ନାହିଁ ବୋଲି କହିଛନ୍ତି । ତୁରନ୍ତ କାର୍ଯ୍ୟାଦେଶ ଦିଆଯାଇ କାମ କରାଯାଉ । ବିକଶିତ ଗାଁ ହେଲେ ଯାଇ ହିଁ ବିକଶିତ ଓଡିଶା ହେବ । ନହେଲେ ବିକାଶ କେବଳ ଧ୍ୱନୀରେ ରହିଯିବ ବୋଲି କହିଛି ବିଜେଡି ।

କେନ୍ଦ୍ର ପରି ରାଜ୍ୟ ବଜେଟ ବି ନିରାଶ କରୁଥିବା ଅଭିଯୋଗ ହୋଇଛି । ଯଦି ଲୋକଙ୍କ ପାଇଁ ବଜେଟ ନ ହୁଏ ଓ କେବଳ ପୁରୁଣା ଯୋଜନାର ନାଁ ବଦଳାଇ କାମ ଚାଲେ, ଧୀରେ ଧୀରେ ଲୋକେ ସବୁ ବୁଝିଯିବେ । ଯାହା ନୂଆ ସରକାର ପାଇଁ ଅଡୁଆ ପରିସ୍ଥିତି କରି ପାରେ ।

ବିଧାନସଭାରେ ରଥଯାତ୍ରା ମହାବିଭ୍ରାଟକୁ ନେଇ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଚଳିତ ରଥଯାତ୍ରାରେ ବିଭ୍ରାଟ ନୁହେଁ, ମହାବିଭ୍ରାଟ ହୋଇଛି । ରଥଯାତ୍ରା ଇତିହାସରେ ଯାହା ଘଟି ନଥିଲା ତାହା ଦେଖିବାକୁ ମିଳିଲା । ବଡ଼ ଠାକୁର ପଡ଼ିଗଲେ, ଭକ୍ତଙ୍କ ଉପରେ ଲାଠିମାଡ଼, ଅଣ ସେବାୟତ ରଥରେ ବସିଲେ ଓ ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ ହେଲା । ଏଥର ପୁରୀ ରଥଯାତ୍ରାରେ ‘ନୀତି ମହାବିଭ୍ରାଟ: ସରକାର ନୀରବ ଦ୍ରଷ୍ଟା’ ଶୀର୍ଷକ ମୁଲତବୀ ଆଲୋଚନାରେ ସରଗରମ ହୋଇଛି ଗୃହ । ବିରୋଧୀ ବିଜେଡି ଓ କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ଗୃହରେ ସରକାରଙ୍କୁ ଘେରିବା ସହ ଆଗକୁ ଯେପରି ଏ ଘଟଣାର ପୂନରାବୃତ୍ତି ନହେବ ସେ ନେଇ ସଚେତନ କରିଛନ୍ତି । ଯାହାର ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃ୍ଥୀରାଜ ହରିଚନ୍ଦନ ।

ରଥଯାତ୍ରାରେ ମହାବିଭ୍ରାଟକୁ ନେଇ ବିଧାନସଭାରେ ଝଡ଼ । ନୀତିକାନ୍ତି ବିଳମ୍ବ, ବଡ଼ ଠାକୁର ଚାରମାଳରେ ଅଧଘଣ୍ଟା ରହିଲେ ଓ ତଳେ ପଡିଲେ, ରଥ ଉପରେ ଅଣସେବାୟତ ଚଢିବା, ନୀତିକାନ୍ତି ଦେଖିବା ପାଇଁ କେହି ଦାୟିତ୍ବରେ ନରହିବା । ପୁଣି ରଥଯାତ୍ରାରେ ଭକ୍ତଙ୍କ ଉପରେ ପୋଲିସର ଲାଠିଚାର୍ଜ, ପେଲାଠେଲାରେ ଜଣେ ଭକ୍ତଙ୍କ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ବିଧାନସଭାରେ କଂଗ୍ରେସ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ସରଗରମ ହୋଇଛି ଗୃହ । କଂଗ୍ରେସ ବିଧାୟକ ଦଳ ନେତା ଅଭିଯୋଗ କରିଛନ୍ତି ଯେ, ରଥଯାତ୍ରା ସଫଳ ହୋଇନାହିଁ । ବରଂ ମହାବିଭ୍ରାଟ ସହ ବଡ଼ ଅଘଟଣ ଘଟିଛି । ବଳଭଦ୍ର ମୁହଁମାଡ଼ି ତଳେ ପଡିଲେ, ଯାହା ବିଶ୍ବବାସୀଙ୍କୁ ବ୍ୟଥିତ କରିଛି । ଯାହାକୁ ନେଇ ଜଣକ ପରେ ଜଣେ ବିରୋଧୀ ବିଧାୟକ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ଅଭିଯୋଗ କରିଛି, ବର୍ତ୍ତମାନର ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି । ଆଉ ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର । ବିଭ୍ରାଟ କିଛି ହୋଇନି । ସମସ୍ୟା ଲୁଚାଇବା ଦୁଃଖ ଓ ପରିତାପର ବିଷୟ ।  ବଡ଼ ଠାକୁର ପଡ଼ିଯିବା ସରକାରଙ୍କ ପାଇଁ ସତର୍କ ଘଣ୍ଟି ବୋଲି ଦଳ ଅଭିଯୋଗ କରିଛି ।

ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଘଟଣା ଘଟିବା ଦିନ ପ୍ରଶାସକ କି ମନ୍ତ୍ରୀ ନଥିଲେ । ଘଟଣା ଘଟିବା ପରେ ରାତି ୧୦ଟାରେ ଆଇନ ମନ୍ତ୍ରୀ ପହଞ୍ଚିଲେ । ଏହି ଘଟଣା ପରେ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କହିଲେ, ଏହା ଛୋଟ ଘଟଣା ଓ ପ୍ରଭୁଙ୍କ ଲୀଳା । ଏହା କହିବା ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।  ରଥଯାତ୍ରା ଦେଖି ଲାଗୁଥିଲା ବିଜେପି ଦଳର ରଥଯାତ୍ରା ବୋଲି । ଘଟଣାକୁ ହାଲୁକା ଭାବେ ସରକାର ନେଇଛନ୍ତି ।

ଅନ୍ୟପଟେ ମୁଲତବି ପ୍ରସ୍ତାବରେ ଆଇନ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକମାନେ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଆଇନ ମନ୍ତ୍ରୀ ଗୃହରେ କହିଲେ ରଥଯାତ୍ରା ସମୟରେ କିଛି ନୀତି ବିଭ୍ରାଟ ହୋଇନି । ତା’ହେଲେ ଗଣମାଧ୍ୟମ ଯାହା ଦେଖାଇଲା କ’ଣ ମିଛ ? ମହାପ୍ରଭୁ ବଳଭଦ୍ର ପହଣ୍ଡି ସମୟରେ ମୁହଁ ମାଡି ପଡିବା କ’ଣ ମିଛ ? ରଥ ପାଖରେ ଦଳାଚକଟା ହୋଇ ଜଣେ ପ୍ରାଣ ହରାଇବା କ’ଣ ମିଛ ? ଅଣସେବାୟତଙ୍କ ହାତ ଟାଣି ରଥରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାହାର କରିବା କ’ଣ ମିଛ ? ଆଇନମନ୍ତ୍ରୀ ସତ ନ ମାନିବାରୁ ମୁଲତବି ଆଲୋଚନା ସମୟରେ କକ୍ଷତ୍ୟାଗ କଲୁ ବୋଲି କହିଛି ବିଜେଡି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଯେଉଁମାନେ କୌଣସି କଥା ମାନିବେ ନାହିଁ, ସେ ସରକାରଙ୍କୁ କେହି ସହଯୋଗ କରିବେନି । ବିରୋଧୀଙ୍କ ଅଭିଯୋଗ ନିରାଧାର ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

ନୂଆ ସରକାରଙ୍କ ନୀତି ଓ ନିଷ୍ପତ୍ତିରେ କିଭଳି ଭାବରେ ସୁଧାର ଆସିବ ସେ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କୁ ବହୁ ପରାମର୍ଶ ଦେଇଛି । ଯାହାକୁ ନେଇ ବିଧାନସଭାରେ ସରଗରମ ହୋଇଛି ।

ଓଡ଼ିଶାରେ ଲଜିଷ୍ଟିକ ଭିତ୍ତିଭୂମି ସୁଦୃଢ କରିବାରେ ନବୀନ ସରକାରଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଓଡ଼ିଶାରେ ଲଜିଷ୍ଟିକ ଭିତ୍ତିଭୂମି ସୁଦୃଢ କରିବାରେ ନବୀନ ସରକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ରାଜ୍ୟରୁ ରପ୍ତାନୀ ପରିମାଣ ପ୍ରାୟ ୧ ଲକ୍ଷ କୋଟିରେ ପହଞ୍ଚିଛି । ଝାରସୁଗୁଡ଼ା ଓ କଳିଙ୍ଗନଗର ଲଜିଷ୍ଟିକ ହବ୍ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୪ଟି ହବ୍ ପ୍ରସ୍ତୁତ ହେଉଛି । ରାଜ୍ୟ ସରକାର ୨୦୨୨ରେ ଆଣିଥିବା ସଫଳ ଲଜିଷ୍ଟିକ ନୀତି ଯୋଗୁଁ ରପ୍ତାନୀ ବୃଦ୍ଧି ପାଇଛି । ପୂର୍ବ ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ଲଜିଷ୍ଟିକ ଭିତ୍ତିଭୂମି ରାଜ୍ୟରେ ହୋଇଥିବାରୁ ଏହି କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ବୋଲି ଧାମରା ପୋର୍ଟ ମୁଖ୍ୟ କହିଛନ୍ତି । ସିଆଇଆଇ ପକ୍ଷରୁ ପୂର୍ବ ଭାରତରେ ଲଜିଷ୍ଟିକ ଅଭିବୃଦ୍ଧି ନେଇ ଏଭଳି ମତ ରଖିଛନ୍ତି ବିଶେଷଜ୍ଞ ।

ବିନିର୍ମାଣ କ୍ଷେତ୍ରରେ ଭିତ୍ତିଭୂମି ସୃଷ୍ଟି କରିବାରେ ନବୀନ ପଟ୍ଟନାୟକ ସରକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ରୋଡ଼, ରେଲ, ପୋର୍ଟ ଓ ଏୟାର କନେକ୍ଟିଭିଟି କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଇଛି । ରାଜ୍ୟରୁ ରପ୍ତାନୀ ପରିମାଣ ବଢିବାରେ ଲାଗିଛି । ବର୍ଷକୁ ପ୍ରାୟ ଲକ୍ଷେ କୋଟି ଟଙ୍କାର ରପ୍ତାନୀ ହେଉଥିବା ବେଳେ ୧୨ ଶହ ୭୭ କୋଟି ଟଙ୍କାର ବିଦେଶୀ ପାଣ୍ଠି ଆସିଛି । ଏଥିପାଇଁ ପୂର୍ବ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଧାମରା ପୋର୍ଟ ସିଇଓ ଦେବେନ୍ଦ୍ର ଠକ୍କର । ସିଆଇଆଇ ପକ୍ଷରୁ ଆୟୋଜିତ ଲଜିଷ୍ଟିକ ବୈଠକରେ ଯୋଗଦେଇ ବିଭିନ୍ନ ଶିଳ୍ପପତି ଓ ବରିଷ୍ଠ ଅଧିକାରୀ ଓଡ଼ିଶାରେ ଅପାର ସମ୍ଭାବନା ବାବଦରେ ଉଲ୍ଲେଖ କରିଛନ୍ତି । ଲୁହାପଥର, କୋଇଲା, ଆଲୁମିନିୟମ, କ୍ରୋମାଇଟ ଭଳି ଖଣିଜ ପଦାର୍ଥ ସହ ଓଡ଼ିଶାର ସି’ ଫୁଡ଼ ଚାହିଦା ବିଦେଶରେ ଅଧିକ ଥିବାର ଲଜିଷ୍ଟିକ କ୍ଷେତ୍ରରେ ଓଡ଼ିଶା ଅନେକ ଆଗକୁ ଯିବ । ସାରା ଦେଶରେ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ଓଡ଼ିଶାରେ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଟାର୍ଗେଟ ରହିଛି ।

ପାରାଦୀପ, ଗୋପାଳପୁର, ଧାମରା ବନ୍ଦର ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ବେଳେ ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ଭାବେ କାର୍ଗୋ ୟୁନିଟ ଖୋଲିଛି । ରେଳ ନେଟଓ୍ବର୍କ ଧିରେ ଧିରେ ବିସ୍ତାରିତ ହେଉଛି । ତା’ ସାଙ୍ଗକୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଉନ୍ନତ ଭିତ୍ତିଭୂମି ମଧ୍ୟ ଲଜିଷ୍ଟିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପାରାଦୀପ, ଝାରୁସୁଗୁଡ଼ା, କଳିଙ୍ଗନଗର, ଅନୁଗୁଳ, ରାଉରକେଲା ଓ ଧାମରାରେ ମଲ୍ଟି-ମୋଡ଼ାଲ ଲଜିଷ୍ଟିକ ହବ୍ ପାଇଁ କାମ ଚାଲିଥିବାରୁ ଆଗକୁ ଓଡ଼ିଶାରେ ଲଜିଷ୍ଟିକ ନେଟଓ୍ବର୍କ ଅଧିକ ସୁଦୃଢ ହେବା ଆଶା କରାଯାଉଛି ବୋଲି କଣ୍ଟେନର ନିଗମ ଅଧିକାରୀ କହିଛନ୍ତି ।

ଲଜିଷ୍ଟିକ କ୍ଷେତ୍ରର ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ନୀତି, ସ୍କିଲଡ୍ ମାନବ ସମ୍ବଳ, ପୁଞ୍ଜି ବିନିଯୋଗ ଜରୁରୀ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଲେ ପୂର୍ବ ଭାରତରେ ଲଜିଷ୍ଟିକ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ନେବ ।