spot_img
Home Blog Page 1660

ସେପ୍ଟେମ୍ବର ୨୧ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ

0

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧, ୨୨ ଏବଂ ୨୩ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି l ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ASI ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏ.ଏସ୍ ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଛି l

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହା କରାଯିବ। ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି l ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ। ଏହା ପୂର୍ବରୁ ଗତ ୧୮ ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆଇ NGRIର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ ।

ରାଡାର୍ ପେନିଟ୍ରେଟିଂ ସିସ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ତେଣୁ ଆସନ୍ତା ସେପଟେମ୍ବର ୨୪ ତାରିଖ ଠାରୁ ଦଶହରା ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର ଏହି ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିଜ ପତ୍ରରେ ଗୁରୁତ୍ବରୋପ କରିଥିଲେ।

 

 

ନିଲମ୍ବିତ IIC ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ

ଭୁବନେଶ୍ବର: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା । ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ । ଯୌନ ନିର୍ଯାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ । ମେଜର ଗୁରୁବଂଶ ସିଂ ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ ।

ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ । ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୋଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ । ଚରମ ସୀମାରେ ପୋଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ।

ଏସବିଆଇ ଶାଖାରେ ଅଗ୍ନିକାଣ୍ଡ, କାଗଜପତ୍ର ସହ କମ୍ପ୍ୟୁଟର ପୋଡି ପାଉଁଶ

ଆନନ୍ଦପୁର: ଘଷିପୁରା ଷ୍ଟେଟ୍ ବ୍ଯାଙ୍କ ଶାଖାରେ ଅଗ୍ନିକାଣ୍ଡ। ଆଜି ଭୋର ସମୟରେ ଶାଖା କାର୍ଯ୍ୟାଳୟରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର କରିଥିଲେ। ଖବରପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଅଗ୍ନିକାଣ୍ଡରେ ବ୍ଯାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ପୋଡି ଯାଇଛି। ଅଗ୍ନିକାଣ୍ଡରେ କୌଣସି ବଡ ଧରଣର କ୍ଷତି ଘଟିନଥିବା ସୂଚନା ଦେଇଛନ୍ତି ଶାଖା ପରିଚାଳକ। ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି  ।

୪୧ ଦିନ ପରେ ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର, ଶନିବାର ଠୁ କାର୍ଯ୍ଯରେ ଯୋଗ ଦେବେ

କୋଲକାତା: ଶେଷରେ ଥମିଲେ ଡାକ୍ତର। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା। ୪୧ ଦିନ ପରେ ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର। ଶନିବାର ଠାରୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର। ଆଜି ଡାକ୍ତରମାନେ ସ୍ବାସ୍ଥ୍ଯ ଭବନରୁ ସିବିଆଇ ଅଫିସକୁ ରାଲି କରିବେ। ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ଡାକ୍ତରମାନେ ଦାବି କରିବେ। ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଥିଲେ ଡାକ୍ତର।

ରାଜ୍ଯ ସରକାରଙ୍କ ସହ କରାଯାଇଥିବା ଆଲୋଚନାର କେତେକ ପ୍ରମୁଖ ପ୍ରସ୍ତାବ ସମ୍ପର୍କିତ ଚିଠା ମୁଖ୍ଯ ଶାସନ ସଚିବ ମନୋଜ ପନ୍ତଙ୍କୁ ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି। ସେମାନଙ୍କ ପ୍ରସ୍ତାବ ସମ୍ପର୍କରେ ସରକାରଙ୍କ ମତାମତକୁ ଡାକ୍ତରମାନେ ଅପେକ୍ଷା କରିବେ ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ୮ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଥିଲା ଘଟଣା । ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖରେ ଗିରଫ କରିଥିଲା ସିବିଆଇ।

ଏହା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ। ସ୍ଥିତି ଏପରି ହୋଇଥିଲା ଯେ ଏହି ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହା ସହ ରାଜ୍ଯ ସରକାର ବି ଏକ ସ୍ବତନ୍ତ୍ର ମହିଳା ଓ ଶିଶୁ ବିଲ -୨୦୨୪ ପାସ କରିଥିଲେ। ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସଦସ୍ଯ ପଦରୁ ସସପେଣ୍ଡ କରିଥିଲା ଆଇଏମଏ। ଗତ ୧୪ ତାରିଖରେ ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ।

ହରିୟାଣା ନିର୍ବାଚନ ଲାଗି ଅଣ୍ଟା ଭିଡିଲା ଆପ୍, ୧୧ ଜିଲ୍ଲାରେ କେଜ୍ରିୱାଲଙ୍କ କ୍ୟାମ୍ପେନ

ନୂଆଦିଲ୍ଲୀ: ଜେଲରୁ ମୁକୁଳିବା ସହ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜରିୱାଲ ହରିୟାଣାରେ କରିବେ ନିର୍ବାଚନ ପ୍ରଚାର। ଆଜି ଯମୁନାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାଗଧିରିରେ କରିବେ ରୋଡ ଶୋ। ବାବୱାଲି, ରାନିଆ, ଭିବାନି, ମେହମ, ପୁନ୍ଦରି ଆଦି ସ୍ଥାନରେ ହେବ ରୋଡ ଶୋ।

ଆସନ୍ତା ଦିନରେ ସେ ୧୧ ଜିଲ୍ଲାର ୧୩ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଗତ ୧୦ ବର୍ଷ ଧରି ବିଜେପି ହରିୟାଣାରେ ଶାସନ କରୁଛି। ଏହି ନିର୍ବାଚନରେ ବିଜେପିକୁ ଗାଦିଚ୍ଯୁତ କରିବା ଲାଗି ଆପ୍ ଉଦ୍ଯମ କରିବ। ହରିୟାଣାରେ କେଜରିୱାଲଙ୍କ ନିର୍ବାଚନ ପ୍ରଚାର ବେଶ୍ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର ୫ରେ ୯୦ ଆସନ ବିଶିଷ୍ଟ ହରିୟାଣାରେ ହେବ ବିଧାନସଭା ନିର୍ବାଚନ। ଅକ୍ଟୋବର ୮ରେ ହେବ ଗଣତି।

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ବଢିବ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୨ ତାରିଖରୁ ପୁଣି ବଢିବ ବର୍ଷା । ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷିବ । ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ ଲଘୁଚାପର ପ୍ରଭାବ । ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ । ବଢିପାରେ ନଦୀର ଜଳସ୍ତର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବା ବେଳେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ପ୍ରଭାବରେ ୨୨ ତାରିଖ ଦିନ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

୨୩ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ପ୍ରବଳ ବର୍ଷା ନେଇ ୧୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୩୦ ରୁ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ବାୟୁମଣ୍ଡଳରେ ୬୦ ରୁ ୭୦ ପ୍ରତିଶତ ଆଦ୍ରତା ରହିଥିଲା । ଫଳରେ କିଛି ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୁତ ହୋଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧ହଜାର ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ ୮ ପ୍ରତିଶତ ନିଅଣ୍ଟିଆ । ୧୦ ଟି ଜିଲ୍ଲାରେ ୧୯ ରୁ ୫୯ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଥିବା ବେଳେ ୧୯ଟିରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଭରତପୁର ଥାନା ପୋଲିସର ବର୍ବରତାର ସତ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ବର: ସାମ୍ନାକୁ ଆସିଲା ଭରତପୁର ଥାନା ପୋଲିସର ବର୍ବରତାର ସତ। ଥାର୍ଡ ଡିଗ୍ରୀର କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ନିର୍ଯାତନାର ଶିକାର ହୋଇଥିବା ଅଙ୍କିତା। ପୋଲିସ ସେଦିନ ପାଲଟି ଯାଇଥିଲା ରାକ୍ଷସ। ଅଙ୍କିତାକୁ ଉଲଗ୍ନ କରିବାକୁ ପୋଲିସ ପଛାଇନଥିଲେ। ଛାତିରେ ଲାତ ମାରିଥିଲେ। ହାତ ଗୋଡ଼ ବାନ୍ଧି ହାଜତରେ ପକାଇ ଦେଇଥିଲେ। ତାଙ୍କୁ ଆଇଆଇସି ଉଲଗ୍ନ କରିବାକୁ ଚେଷ୍ଟା କରିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଙ୍କିତା।

ଆଇଆଇସି ନିଜେ ବି ତାଙ୍କର ପ୍ୟାଣ୍ଟ ଖୋଲି ଦେଇଥିଲେ ବୋଲି କହିଛନ୍ତି ଅଙ୍କିତା। ପୋଲିସ ଥାର୍ଡ ଡିଗ୍ରୀର କଳା କାହାଣୀ ସମସ୍ତଙ୍କ ସାମ୍ନାରେ କହିଛନ୍ତି ସେ। ୧୪ ତାରିଖର ରାତିରେ ଏହି ଘଟଣା ଘଟିଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା  ।

ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।

ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

ସ୍ତ୍ରୀ ୨ ଫିଲ୍ମର କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

ହାଇଦ୍ରାବାଦ: ନିକଟରେ ରିଲିଜ ସ୍ତ୍ରୀ ୨ ଫିଲ୍ମର କୋରିଓଗ୍ରାଫର ଗିରଫ  । ଷ୍ଟ୍ରି ୨ ରିଲିଜ୍ ହେବା ପର ଠାରୁ ଏହି ଚଳଚ୍ଚିତ୍ରର ଗୀତ ‘ଅଜ କି ରାତ୍’ ଅନେକ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏହି ଗୀତର କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଯୌନ ନିର୍ଯାତନା ମାମଲାରେ ସାଇବରବାଦ ପୋଲିସ ଗିରଫ କରିଛି। ତାଙ୍କ ସହ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ତାଙ୍କର ପ୍ରକୃତ ନାମ ଶେଖ ଜାନି, କିନ୍ତୁ ସେ ଜାନି ମାଷ୍ଟର ଭାବରେ ଲୋକପ୍ରିୟ । ଜଣେ ପୋଲିସ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି ଯେ ସାଇବରାବାଦ ପୋଲିସ ଜାନି ମାଷ୍ଟରଙ୍କୁ ଗୋଆରୁ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। କୋର୍ଟରୁ ଟ୍ରାଞ୍ଜିଟ୍ ୱାରେଣ୍ଟ ପାଇବା ପରେ ପୋଲିସ ତାଙ୍କୁ ହାଇଦ୍ରାବାଦ ଆଣିବ।

 ଜାନି ମାଷ୍ଟର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କୋରିଓଗ୍ରାଫର  । ଧନୁଷଙ୍କ ‘ତିରୁଚିଥାମବାଲମ୍’ ଚଳଚ୍ଚିତ୍ରର ମେଘାମ କରୁକାଥା ଗୀତ ପାଇଁ ତାଙ୍କୁ ଫିଲ୍ମ ପୁରସ୍କାର ଦିଆଯାଇଥିଲା  ।

ଏହା ସହ ଜାନି ଅନେକ ବଡ ବଡ ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି  । ସେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା’, ରଜନୀକାନ୍ତଙ୍କ ‘ଜେଲର’ ଏବଂ ଥାଲାପାଥୀ ବିଜୟଙ୍କ ‘ଭାରିସୁ’ ଭଳି ଚଳଚ୍ଚିତ୍ରର ଏକ ଅଂଶ ହୋଇଛନ୍ତି। ‘ଷ୍ଟ୍ରି ୨’ ପୂର୍ବରୁ ମଧ୍ୟ ସେ ବଲିଉଡରେ କାମ କରିଥିଲେ। ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ଜୟ ହୋ’ ର ‘ଫଟୋ କପି’ ଗୀତକୁ ଜାନି ମାଷ୍ଟର କୋରିଓଗ୍ରାଫ୍ କରିଥିଲେ। ଏହା ବ୍ୟତୀତ ସେ ସହିଦ କପୁରଙ୍କ ଫିଲ୍ମ ‘ତେରି ବାତୋଁ ମେ ଏସା ଉଲଝା ଜିଆ’ର ଟାଇଟଲ୍ ଟ୍ରାକରେ ମଧ୍ୟ କାମ କରିଛନ୍ତି। ‘ଷ୍ଟ୍ରି ୨’ର’ ଆଜ କି ରାତ ‘ଗୀତ ବ୍ୟତୀତ ସେ’ ଆଇ ନେହିଁ’ର ବି ଦାୟିତ୍ବ ନେଇଥିଲେ ।

 

ପଦାରେ ପଡୁଛି ଭରତପୁର ଥାନାର କାରନାମା, ପାଟ୍ରୋଲିଂ ପାଇଁ ଲୋକଙ୍କ ଠୁ ପଇସା ନେଉଥିଲେ

ଭୁବନେଶ୍ବର: ଭରତପୁର ଥାନା ବିରୋଧରେ ପୁଣି ଆସିଲା ସାଙ୍ଘାତିକ ଅଭିଯୋଗ । ଏତଲାକାରୀଙ୍କ ଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବା ଅଭିଯୋଗକାରୀଙ୍କୁ ପାଟ୍ରୋଲିଂ ପାଇଁ ତେଲ ନଥିବା କହିଥିଲେ ଥାନାଧିକାରୀ ।

ଏପରିକି ଅଭିଯୋଗକାରୀଙ୍କ ଠୁ ୧ ହଜାର ଟଙ୍କାର ତେଲ ପକାଇବା ପରେ ପୋଲିସ ପାଟ୍ରୋଲିଂ କରି ଘଟଣାସ୍ଥଳରେ ପହଞ୍ଚିଥିଲା । ସିସିଟିଭି, ଭିଜୁଆଲ ସବୁକିଛି ପ୍ରମାଣ ଦେବା ପରେ ମଧ୍ୟ ଠିକ ସମୟରେ ଏତଲା ରୁଜୁ କରିନଥିଲା ପୋଲିସ । ଓଲଟା ଚୋର ନେଇ ବୋଟରେ ଇଞ୍ଜିନ ଭାବେ ବ୍ୟବହାର କରିସାରିଥିବା ହାଲୁକା ଭାବେ କହି ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଥିଲା ପୋଲିସ ।

 

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ YSRCP ସରକାର ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ଯେ ପୂର୍ବ ସରକାରରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ତାଙ୍କ ଅଭିଯୋଗ ପରେ ରାଜ୍ୟରେ ରାଜନୈତିକ ଆକ୍ରମଣ ଆରମ୍ଭ ହୋଇଛି।

 

ଏନଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ସିଏମ ନାଇଡୁ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରି କରିବାରେ YSRCP ସରକାର ଅବୈ ଧ ଉପାଦାନ ବ୍ୟବହାର କରିଛନ୍ତି। ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା  । ବର୍ତ୍ତମାନ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି  । ତେବେ ନାଇଡୁଙ୍କ ଅଭିଯୋଗକୁ YSRCP ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

 

ଏଥି ସହିତ ଆନ୍ଧ୍ରପ୍ରଦେଶର ଆଇଟି ମନ୍ତ୍ରୀ ନାରା ଲୋକେଶ ଏହି ପ୍ରସଙ୍ଗରେ ଜଗନ୍ ମୋହନ ରେଡ୍ଡୀ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ‘ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବର ସ୍ୱାମୀ ମନ୍ଦିର ଆମର ସବୁଠାରୁ ପବିତ୍ର ମନ୍ଦିର। ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ଜଗନ୍ ମୋହନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିଥିଲେ’

ଲୋକେଶ ଅଭିଯୋଗ କରିଛନ୍ତି ଯେ YSRCP କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇପାରି ନାହିଁ। ତିରୁପତିଙ୍କ ଭେଙ୍କଟେଶ୍ୱର ମନ୍ଦିରରେ ତିରୁପତି ଲଡୁ ଅର୍ପଣ କରାଯାଏ  । ଏହି ମନ୍ଦିର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ  ।