ନନ୍ଦିଘୋଷ ବ୍ୟୁରୋ: ସୋମବାରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବାବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ । ଏହାକୁ ପ୍ରଥମେ ଗୃହରେ ପାଠ କରିବାର ଆବଶ୍ୟକତା ରହିଛି । ହେଲେ ମୁଖ୍ଯମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ। ନୀତି ଆୟୋଗ ବୈଠକରବ ମୁଖ୍ଯମନ୍ତ୍ରୀ ସ୍ବତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ। KBK, BRGF, ଆଦିବାସୀ ବିକାଶ ଯୋଜନା କାଟି ଦେଇଛନ୍ତି। ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ KBK ଉଠାଇ ନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଏହା ସହ ରତ୍ନ ଭଣ୍ଡାରକୁ ନେଇ ରାଜନୀତି ନ ହେଉ। ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ଭକ୍ତ। ତାଙ୍କ ନିଷ୍ପତ୍ତିକୁ ରାଜ୍ଯ ସରକାର ମାନନ୍ତୁ ବୋଲି କହିଛନ୍ତି ତାରା।.
ବର୍ଷାରେ ଲାଗିବନି ବ୍ରେକ, ୩୧ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା
ଭୁବନେଶ୍ୱର: ବର୍ଷାରେ ଲାଗିବନି ବ୍ରେକ । ୩୧ ତାରିଖରେ ପୁଣି ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣିବଳୟ ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ। ୩୧ ରୁ ୨ ଯାଏଁ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାର ଆଶଙ୍କା କରି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ମୟୂରଭଂଜ, କେଉଁଝର, ସୁନ୍ଦରଗଡ଼ ଏବଂ ଯାଜପୁର। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ୩୧ ତାରିଖରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏବେ ରାଜ୍ୟରେ ୮ ପ୍ରତିଶତ ବର୍ଷା ନିଅଣ୍ଟ ରହିଛି। ୧୧ ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ ବର୍ଷା ନିଅଣ୍ଟିଆ ରହିଥିବା ବେଳେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଯେଉଁ ବର୍ଷା ହେବ-ସେଥିରେ ତାହା ଭରଣ ହେବ ବୋଲି ଆଶା କରାଯାଉଛି।
ଓଡିଶାରେ ପ୍ରଥମ ଥର ଆୟୋଜିତ ହୋଇଛି ‘ମିସ୍ ୟୁନିଭର୍ସ ଓଡ଼ିଶା’
ନନ୍ଦିଘୋଷ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ‘ମିସ୍ ୟୁନିଭର୍ସ ଓଡ଼ିଶା’ ଆୟୋଜିତ ହୋଇଛି। ସୌନ୍ଦର୍ଯ୍ୟ ଜଗତରେ ଏବେ ବିଶ୍ବରେ ସ୍ଥାନିତ ହେବାର ସ୍ବପ୍ନ ନେଇ ଆଗେଇଛି ଓଡ଼ିଶା। ରାଜ୍ୟର ୧୬ ଜଣ ସୁନ୍ଦରୀ ଏହି ସୋତ୍ରରେ ସାମିଲ ହୋଇଛନ୍ତି। ଓଡିଶାରେ ପ୍ରଥମ ଥର ପାଇଁ ‘ମିସ୍ ୟୁନିଭର୍ସ ଓଡିଶା’, ମିସ୍ ୟୁନିଭର୍ସ ଇଣ୍ଡିଆ ପାଇଁ ଏହାର ପ୍ରଥମ ପ୍ରତିନିଧି ଚୟନ କରିବାକୁ ଯାଉଛି। ଓଡ଼ିଶାର ସୁଶ୍ରୀ ସଂଗୀତା ଏବଂ ତାଙ୍କ କମ୍ପାନୀ ଗୋଲଡେନ୍ କର୍ଡ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସେଲିବ୍ରେଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନୁଧ୍ୟାନ କରିଛନ୍ତି । ରାଜ୍ୟର ବଛା ବଛା ୧୦୦ଜଣ ସୁନ୍ଦରୀଙ୍କ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିଜର ପାରଦର୍ଶିତା ଦେଖାଇବା ପାଇଁ ୧୬ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇ ଆଗାମୀ ମିସ୍ ୟୁନିଭର୍ସ ଓଡିଶା ଚୟନ କରିବେ ମିସ୍ ଗ୍ରାଣ୍ଡ ଇଣ୍ଡିଆ ୨୦୨୨ର ପ୍ରାଚୀ ନାଗପାଲ, ବହୁ ଜଣାଶୁଣା ଷ୍ଟାଇଲିଷ୍ଟ ତଥା ଇଭେଣ୍ଟ ନିର୍ଦ୍ଦେଶକ ସେରେନା ଖାଟ୍, ରାଜ୍ୟର ଜଣାଶୁଣା ଡିଜାଇନର୍ ସବ୍ୟସାଚୀ ଶତପଥୀ ଏବଂ ସେଲିବ୍ରେଟି ଫଟୋଗ୍ରାଫର ଆଶୁତୋଷ ସାହୁ ।
ପ୍ରତିଯୋଗୀମାନେ ତିନି ରାଉଣ୍ଡରେ ନିଜର ଟ୍ୟାଲେଣ୍ଟକୁ ପଦର୍ଶିତ କରି ଜଜମାନଙ୍କୁ ମୁଗ୍ଧ କରିଥିଲେ। ପରିଶେଷରେ ମିସ୍ ୟୁନିଭର୍ସ ଓଡିଶା ୨୦୨୪ର ବିଜେତା ହେଲେ ବାର୍ବି ମିଶ୍ର। ରନର୍ସ ଅଫ ହେଲେ ଜାନଭି ସୋନି ଓ ଦ୍ବୀତୀୟ ରନର୍ସ ଅଫ ହେଲେ ମୈତ୍ରୀ ମୋନାଲି ପ୍ରଧାନ।
ହସ୍ପିଟାଲର ଅବ୍ୟବସ୍ଥା ନେଇ ଭୁବନେଶ୍ବର ବିଏମସି ହସ୍ପିଟାଲ ସାମ୍ନାରେ ବିକ୍ଷୋଭ
ଭୁବନେଶ୍ବର: ଭୁବନେଶ୍ବର ବିଏମସି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ। ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସ୍ଥାନୀୟ ଲୋକେ। ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ଚାଲିଛି ହସ୍ପିଟାଲ। ହସ୍ପିଟାଲରେ ଆଉ ପୂର୍ବପରି ନାହାନ୍ତି ଡାକ୍ତର। ୪୧ ଡାକ୍ତରରୁ ଏବେ ୧୪ ଜଣ ଡାକ୍ତରକୁ ନେଇ ଚାଲିଛି ରୋଗୀ ସେବା। ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଖାଲି ପଡ଼ିଥିବା ଡାକ୍ତରଙ୍କ ପୋଷ୍ଟ ପୂରଣ, ଷ୍ଟାଫ ନିଯୁକ୍ତି, ବିଭିନ୍ନ ରୋଗ ଚିହ୍ନଟ ପାଇଁ ଅତ୍ୟାଧୁନିକ ମେସିନ ଯୋଗାଇ ଦେବା ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ।
ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଅନୁପ୍ରେବଶ ନେଇ ଜାମ୍ମୁ ଓ କାଶ୍ମୀରରେ ଆଲର୍ଟ
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ବଡଧରଣର ସର୍ଚ୍ଚ ଅପରେସନ। ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଅନୁପ୍ରେବଶ ନେଇ ଜାମ୍ମୁ ଓ କାଶ୍ମୀରରେ ଆଲର୍ଟ। ରିଆସିର ବାଦୋଆ ସମେତ ବିଭିନ୍ନ ସ୍ଥାନରେ ପୋଲିସ ଓ ସିଆରପିଏଫର ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଦୁଇ ମାସରେ ବଢିଛି ଅନୁପ୍ରବେଶ। ସହିଦ ହେଲେଣି ଅନେକ ଯବାନ।
ସପେଟେ ଡୋଡା ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ସମ୍ପୃକ୍ତ ଥିବା ୩ ଜଣ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛି ପୋଲିସ। ଏହି ଘଟଣାରେ ଜଣେ କ୍ଯାପଟେନ ସମେତ ୪ ଜଣ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଧରିବା ଲାଗି ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।
କିଛି ମାସ ହେଲା ଜାମ୍ମୁ କାଶ୍ମୀରେ ବଢ଼ିଛି ଆତଙ୍କବାଦୀଙ୍କ କାର୍ଯ୍ଯକଳାପ। ବିଶେଷ କରି ଜମ୍ମୁକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିଜର ଟାର୍ଗେଟ କରିଥିବା ଜଣାପଡିଛି। କାରଣ ଏହି ଅଞ୍ଚଳରେ ବଢିଛି ଆତଙ୍କବାଦୀ କାର୍ଯ୍ଯକଳାପ। କାଶ୍ମୀର ନୁହେଁ, ଜାମ୍ମୁ ଅଞ୍ଚଳକୁ ଟାର୍ଗେଟ କଲେଣି ଆତଙ୍କବାଦୀ। ୨୦୨୪ରେ ଏହି ଅଞ୍ଚଳରେ ୨୪ ଜଣଙ୍କୁ ଆତଙ୍କବାଦୀମାନେ ହତ୍ଯା କଲେଣି। ସେମାନଙ୍କ ଆକ୍ରମଣରେ ୫୫ ଜଣ ଆହତ ହୋଇଛନ୍ତି।
ସେପଟେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ଯାନୁଷ୍ଠାନରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସଂଖ୍ଯା କମିଛି କିନ୍ତୁ ଆକ୍ରମଣ ସଂଖ୍ଯା ବଢ଼ି ଥିବାରୁ ସୁରକ୍ଷାକର୍ମୀ ସଂସ୍ଥାଗୁଡ଼ିକର ଚିନ୍ତା ବଢିଛି। ବିଦେଶୀ ଆତଙ୍କବାଦୀ ମଧ୍ଯ ସକ୍ରିୟ ଅଛନ୍ତି। ଲୋକଙ୍କ ମଧ୍ଯରେ ବିଭେଦ ସୃଷ୍ଟି କରିବା ଟାର୍ଗେଟ ନେଇ ଲୋକଙ୍କୁ ହତ୍ଯା କରୁଛନ୍ତି। ବିଶେଷଜ୍ଞ କହିଛନ୍ତି-୮୦ ଦଶକର ଶେଷ ଭାଗରେ କାଶ୍ମୀରରେ ପ୍ରଥମେ ଏଭଳି ସ୍ଥିତି ଦେଖାଯାଇଥିଲା। ପରେ ତାହା ଗୁରୁତର ରୂପ ଧାରଣା କରିଥିଲା। ଯଦିଓ ସ୍ଥିତିରେ ସୁଧାର ଆସିଛି, ଜାମ୍ମୁ ଅଞ୍ଚଳ ଯେମିତି କାଶ୍ମୀର ନପାଲଟେ, ସେଥିପାଇଁ ରଣନୀତି ପରିବର୍ତ୍ତନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଲେ CISF ASI
ଭୁବନେଶ୍ବର: ଦୁର୍ଘଟଣାରେ ପ୍ରାଣ ହରାଇଲେ CISF ASI । ନାଇଟ ସିଫ୍ଟ ଡ୍ୟୁଟି ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଯାଉଥିବା ବେଳେ ଦୁର୍ଘଟଣା ପ୍ରାଣ ହରାଇଛନ୍ତି ଏଏସଆଇ । ଏକ ମଦ୍ୟପ କାର ଚାଳକ ତାଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତି ନିକଟରେ ଶନିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକ ASI ହେଲେ ଯାଜପୁର ଜିଲ୍ଲା ବିଂଝାରପୁର କନ୍ତିଆର ନିରଞ୍ଜନ ପ୍ରଧାନ। ତାଙ୍କର ପତ୍ନୀ କଳ୍ପନା ପ୍ରଧାନ ଓ ଦୁଇ ଜଣ ଝିଅ ଭୁବନେଶ୍ୱର ସ୍ଥିତ ଘରେ ରହୁଛନ୍ତି।
ଶନିବାର ରାତି ପ୍ରାୟ ୧ ସମୟରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଇସିଜି ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା ଗାଡି OD 02 0949 ନମ୍ବର କାରକୁ ଜବତ କରିବା ସହ ଶୋଭନ ମହାପାତ୍ରଙ୍କୁ ଅଟକ ରଖିଛି। ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ମୃତକ ଜଣଙ୍କ ପୂର୍ବରୁ ହାଇଦ୍ରାବାଦ, NTPC, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, FCI ତାଳଚେର, ନାଲକୋ ଅନୁଗୁଳ, କୋଲକାତା, ଚେନ୍ନାଇ, ଭୁବନେଶ୍ୱର ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ ।
ଆରୁଆଳି ଗ୍ରାମରେ ବଧୂହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର
ନନ୍ଦିଘୋଷ ବ୍ୟୁରୋ: ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ଆରୁଆଳି ଗ୍ରାମରେ ବଧୂହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଅଭିଯୋଗ ପରେ ସ୍ବାମୀ ଓ ଶ୍ୱଶୁର ଗିରଫ।
ସୂଚନା ମୁତାବକ, ଗୋପ ଥାନା ଅଧୀନ ମଦରଙ୍ଗ ଗ୍ରାମର କୁମର ବେହେରାଙ୍କ ବଡ଼ ଝିଅ ଭାଗ୍ୟବତୀ ବେହେରା ଗତ ୫ବର୍ଷ ତଳେ ଆରୁଆଳି ଗ୍ରାମର ଶ୍ରୀଧର ବେହେରାଙ୍କ ପୁଅ ଏକାଦଶୀ ବେହେରାଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ହଠାତ୍ ଭାଗ୍ୟବତୀଙ୍କ ଦେହ ଅସୁସ୍ଥ ଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାଗ୍ୟବତୀଙ୍କ ବାପଘରକୁ ଖବର ଆସିଥିବାବେଳେ ଗୋପ ମେଡ଼ିକାଲକୁ ଆସିବାକୁ କୁହାଯାଇଥିଲା। ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପରେ ମେଡିକାଲରେ ଝିଅର ମୃତ ଶରୀର ଦେଖି ଉଭୟ ପରିବାରଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା। ପରେ ଝିଅକୁ ମାରିଦେଇଥିବା ନେଇ ଗୋପ ଥାନାରେ ଅଭିଯୋଗ କରିବା କରିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଡାକ୍ତରଖାନା ପଠାଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଏକାଦଶୀ ବେହେରା ଓ ଶ୍ୱଶୁର ଶ୍ରୀଧର ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।
ଜମାକାରୀଙ୍କ ୪୦ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଫେରାର୍
କେନ୍ଦ୍ରାପଡ଼ା: ଜମାକାରୀଙ୍କ ୪୦ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଫେରାର୍। ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପୋଷ୍ଟ ଅଫିସରୁ। ପୋଷ୍ଟରମାଷ୍ଟର ହେଲେ ଜନତ ରାଉତ । ପ୍ରାୟ ୧୫୦ ଜମାକାରୀଙ୍କ ସବୁ ଟଙ୍କା ନେଇ ସେ ଫେରାର ହୋଇଯାଇଛନ୍ତି। ସେ ବହୁ ଦିନ ଧରି ଅଫିସ ନ ଆସିବାରୁ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ସେମାନେ ଉପଖଣ୍ଡସ୍ତରୀୟ ପୋଷ୍ଟ ଅଫିସକୁ ଯାଇ ବୁଝାବୁଝି କରିବା ପରେ ଏହା ଜଣାପଡ଼ିଥିଲା ଯେ, ଲୋକେ ଯେତେ ଟଙ୍କା ଜମା କରିଛନ୍ତି, ପାସବୁକରେ ଯେତେ ଟଙ୍କାର ଷ୍ଟାମ୍ପ ବାଜିଛି, ପ୍ରକୃତରେ ସେତିକି ଟଙ୍କା ସେ ଜମା କରି ନାହାନ୍ତି। ଏନେଇ ଚିନ୍ତାରେ ଜମାକାରୀ । ଭବିଷ୍ଯତରେ ପାଇଁ ଲୋକେ ଜମା ରଖିଥିବା ସବୁ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଜନତ ରାଉତ ଛୁ ମାରିଛି। ଲକ୍ଷେ ଅଧେ ନୁହେଁ, ୪୦ ଲକ୍ଷ ଟଙ୍କା ନେଇ ଫେରାର।
ଆଜି ନୂଆ ପୋଷ୍ଟ ମାଷ୍ଟର ଓ ନିରୀକ୍ଷକଙ୍କୁ ଘେରାଉ କରିଥିଲେ ଜମାକାରୀ। ମାସକ ଭିତରେ ସମାଧାନ ଓ ସଂପୃକ୍ତ ପୋଷ୍ଟମାଷ୍ଟରଙ୍କୁ ବହିଷ୍କାର ପାଇଁ ପ୍ରତିଶୃତି ଦେବା ପରେ ଲୋକେ ଶାନ୍ତ ହୋଇଛନ୍ତି। ଏହା ଆଗରୁ ରାଜନଗର କୃଷ୍ଣନଗର ପୋଷ୍ଟ ଅଫିସରେ ମଧ୍ଯ ୫୦ ଲକ୍ଷର ଘୋଟାଲା ହୋଇଥିବାର ଅଭିଯୋଗ ହୋଇଥିଲା।

