ନନ୍ଦିଘୋଷ ବ୍ୟୁରୋ: ଧୂଆଁଧୂଆଁ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା । ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।
ବାଣ ନିଆଁରେ ପୋଡ଼ି ହୋଇ ୩ ଶିଶୁ ମୃତ
କୋଲକାତା: ପଶ୍ଚିମବଙ୍ଗର ହାୱାଡା ଅନ୍ତର୍ଗତ ଉଲୁବେଡି଼ଆରେ ଅଘଟଣ । ବାଣ ନିଆଁରେ ଚାଲିଗଲା ୩ ଶିଶୁଙ୍କ ଜୀବନ । ଉଲୁବେଡ଼ିଆ ପୌର ପରିଷଦ ଅନ୍ତର୍ଗତ ୨୯ ନମ୍ୱର ୱାର୍ଡସ୍ଥିତ ରାଣୀତାଲାରେ ବାଣ ଫୁଟାଇବା ବେଳେ ଏକ ଘରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ସେହି ଘରେ ଥିବା ୩ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।
ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ମୃତକମାନେ ହେଲେ ୧୧ ବର୍ଷ ବୟସ୍କ ଶ୍ରାବନ୍ତିକା ମିସ୍ତ୍ରୀ, ୨ ବର୍ଷର ଇଶାନ ଧାରା ଓ ମମତାଜ ଖାତୁନ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ହରିୟାଣା ପରାଜୟକୁ ଗ୍ରହଣ କରିପାରୁନି କଂଗ୍ରେସ, ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ
ନୂଆଦିଲ୍ଲୀ: ହରିୟାଣା ନିର୍ବାଚନକୁ ନେଇ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ନାଲି ଆଖି ଦେଖାଇଛି କଂଗ୍ରେସ । ନିର୍ବାଚନରେ ପରାଜୟକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳର ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ନିର୍ବାଚନ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଧମକ ଦେଇଛି କଂଗ୍ରେସ ।
ଏହାସହ ଦଳ କହିଛି, ଏହା କୌଣସି ଆଶର୍ଯ୍ୟର କଥା ନୁହେଁ, ଅଭିଯୋଗକୁ ଯାଞ୍ଚ କରି ନିର୍ବାଚନ କର୍ତ୍ତୃପକ୍ଷ ନିଜକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାସହ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉତ୍ତର ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ହରିୟାଣା ନିର୍ବାଚନରେ ଅନୀୟମିତତା ଅଭିଯୋଗ ଆଣି ନିର୍ବାଚନ କମିଶନ କଂଗ୍ରେସ ଚିଠି ଲେଖିଥିଲା ।
କଂଗ୍ରେସର ଅଭିଯୋଗକୁ ନିର୍ବାଚନ କର୍ତ୍ତୃପକ୍ଷ ମଙ୍ଗଳବାର ଭିତ୍ତିହୀନ କହି ଖାରଜ କରିଦେଇଥିଲେ । ନିର୍ବାଚନ ଆୟୋଗ କଂଗ୍ରେସକୁ ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ନକରିବାକୁ ପରାମର୍ଶ ଦେଇଥିଲେ । ହରିୟାଣା ନିର୍ବାଚନରେ କଂଗ୍ରେସ ପରାଜୟର ସାମ୍ନା କରୁଥିବା ବେଳେ ଭିତ୍ତିହୀନ ଅଭିଯୋଗ କରିଥିବାରୁ ନିର୍ବାଚନ ଆୟୋଗ ଦଳକୁ ସମାଲୋଚନା କରିଥିଲେ । ଏପରି ଦାୟିତ୍ୱହୀନ ଅଭିଯୋଗ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିପାରେ ବୋଲି ଆୟୋଗ କହିଥିଲେ ।
ଦୁଇ ଶିଶୁଙ୍କୁ ବଳି ଅଭିଯୋଗ, ମନ୍ଦିର ନିକଟରୁ ଶବ ଉଦ୍ଧାର
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨ ଶିଶୁଙ୍କୁ ବଳି ସନ୍ଦେହ । ଦେବବନ୍ଦରେ ୨ ଜଣ ଶିଶୁଙ୍କ ଶବଠାବ ହେବା ପରେ ଘଟଣାକୁ ନେଇ ତୀବ୍ର ଉତ୍ତେଜନା । ଶହ ଶହ ଲୋକଙ୍କ ବିକ୍ଷୋଭ । ପରିବାର ଲୋକେ କହିଲେ, ତନ୍ତ୍ର ସାଧନା ପାଇଁ ପିଲାଙ୍କୁ ଦିଆଯାଇଛି ବଳି ।
ଦେବବନ୍ଦ ଅନ୍ତର୍ଗତ ଭାୟଲ ଗ୍ରାମରେ ୧୧ ବର୍ଷ ବୟସ୍କ ଦେବ ଓ ୯ ବର୍ଷ ବୟସ୍କ ମାହୀଙ୍କ ଶବ ସ୍ଥାନୀୟ ଏକ ମନ୍ଦିର ନିକଟରୁ ମିଳିବା ପରେ ତନ୍ତ୍ର ସାଧନା କାରଣରୁ ସେମାନଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତକାଲି ଦୁଇ ଶିଶୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ବହୁ ଖୋଜାଖଷାଜି କରିବା ପରେ ମନ୍ଦିର ନିକଟରୁ ସେମାନଙ୍କ ପରିବାର ଲୋକେ ସେମାନଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।
ଦୁଇ ଶିଶୁଙ୍କ ହାଡ ଭାଙ୍ଗିଥିବାରୁ ଦୁର୍ଘଟଣାରେ ସେମାନଙ୍କ ମୃତ୍ଯୁ ଘଟିଥିବା ପୋଲିସ ସନ୍ଦେହ କରିଛି । ଘଟଣାର ଯାଞ୍ଚ କରୁଛନ୍ତି ଏସପି ସାଗର ଜୈନ ।
ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କଲା ଗଣରାଜ୍ୟ ଫିଜି
ବେଙ୍ଗାଲୁରୁ: ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛି ଫିଜି । ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ଏକତ୍ରିତ କରି, ଶାନ୍ତି ଓ ସୁସଙ୍ଗତୀ କରିବାରେ ଯୋଗଦାନ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ଫିଜି ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏଚ.ଇ. ରାତୁ ବିଲିଆମେ ଏମ. କଟୋନିଭେରେ ‘ଓନରାରୀ ଅଫିସର ଅଫ ଦି ଅଡର ଅଫ ଫିଜି’ ଗୁରୁଦେବଙ୍କୁ ପ୍ରଦାନ କରିଛନ୍ତି ।
ଫିଜି ଭ୍ରମଣ ବେଳେ ଗୁରୁଦେବ ରାଜ୍ୟର ଉଚ୍ଚ ପଦସ୍ଥ କର୍ମଚାରୀଙ୍କୁ ସାକ୍ଷାତ କରିଥିଲେ । ଫିଜିର ଉପ ପ୍ରଧାନମନ୍ତ୍ରୀ ବିଲିଆମେ ଗଭୋକା ଏବଂ ମି. ଦିର୍କ ବାଗେନାର, ୟୁଏନ ନିବାସୀ ସମନ୍ୱୟକାରୀ ଫିଜିଙ୍କ ସହ ବାର୍ତ୍ତା ଆଦାନ ପ୍ରଦାନ କରିଥିଲେ । ନେତାମାନେ ଆର୍ଟ ଅଫ ଲିଭିଂ କିପରି ଦ୍ବୀପରେ ଯୁବା ସଶସ୍ତିକରଣ, ସ୍ଥାନୀୟ ସମ୍ପ୍ରଦାୟ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟରେ ଅପରିବର୍ତ୍ତନୀୟ ଆୟୁର୍ବେଦ ଜ୍ଞାନ ବିଷୟରେ ଆଲୋଚନା କରିଥିଲେ ।
ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ଯମ କରୁଛି ବିଜେପି ସରକାର
ଭୁବନେଶ୍ବର: ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ଯମ କରୁଛି ବିଜେପି ସରକାର । ଏଥିପାଇଁ ନବୀନଙ୍କ ସୁରକ୍ଷା ବ୍ଯବସ୍ଥାକୁ କମାଇ ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛି ବିଜେଡି । ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ନବୀନ କେବଳ ବିରୋଧୀ ଦଳ ନେତା ନୁହଁନ୍ତି, ସେ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ଯମନ୍ତ୍ରୀ ରହିଥିଲେ । ଦେଶର ଦ୍ବିତୀୟ ସର୍ବାଧିକ ସମୟ ମୁଖ୍ଯମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ନେତା ହେଉଛନ୍ତି ନବୀନ । ଓଡ଼ିଶାବାସୀ ତାଙ୍କୁ ସବୁବେଳେ ଭଲ ପାଉଛନ୍ତି ଆଉ ଆଗକୁ ମଧ୍ଯ ପାଇବେ । ବିକାଶମୂଳକ କାମ ପାଇଁ ନବୀନଙ୍କୁ ଓଡ଼ିଶାବାସୀ ହୃଦୟରେ ବସାଇଛନ୍ତି । ହେଲେ ବିଜେପି ସରକାର ନବୀନଙ୍କ ସୁରକ୍ଷା କମାଇ ଦେବା ସହ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଛି । ସୁରକ୍ଷା ହଟାଇବା ଆଇନତଃ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ । କିନ୍ତୁ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କଲେ ରାଜ୍ୟବାସୀ କେବେ ବି କ୍ଷମା ଦେବେନାହିଁ ବୋଲି ଅମର କହିଛନ୍ତି ।
ଦୁଇ ପ୍ରେମିକା ସହ ମିଶି ସ୍ତ୍ରୀକୁ ହତ୍ୟା ଘଟଣା, ରିମାଣ୍ଡରେ ଯିବ ଜହ୍ଲାଦ ସ୍ବାମୀ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁଇ ପ୍ରେମିକା ସହ ମିଶି ସ୍ତ୍ରୀଙ୍କୁ ଆନାସ୍ଥେସିଆ ଦେଇ ହତ୍ୟା ଘଟଣା । ରିମାଣ୍ଡରେ ଆସିବ ଜହ୍ଲାଦ ସ୍ୱାମୀ ପ୍ରଦ୍ୟୁମ୍ନ । ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ୍ । ରିମାଣ୍ଡ ବେଳେ ଅଭିଯୁକ୍ତକୁ ନେଇ ହତ୍ୟା କରାଯାଇଥିବା ଘରେ କ୍ରାଇମସିନ ରିକ୍ରିଏସନ କରିବ ପୋଲିସ । ସେପଟେ ହତ୍ୟାରେ ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ ମେଡିସିନ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ ଲ୍ୟବକୁ ପଠାଯାଇଛି ।
ଡେମୋ ଦେଖାଇବ ପତ୍ନୀହନ୍ତା ସ୍ବାମୀ । ସାଁପୁର ଘରେ କେମିତି ଦେଇଥିଲା ଇଞ୍ଜେକସନ୍ । କ’ଣ ଥିଲା ୨୮ ତାରିଖ ଅପରାହ୍ନ ୨ ଟାର ଘଟଣା । ସିସିଟିଭରେ ରହିଛି ନାଟକର ମୁଖ୍ୟ ଅଂଶ । ଅଭିଯୁକ୍ତ ରୋଜିପାତ୍ର ରୁମକୁ କିଏ କିଏ ଆସିଥିଲେ । ରାଜଧାନୀରେ ଦୁଇ ପ୍ରେମିକା ସହ ମିଶି ସ୍ତ୍ରୀଙ୍କୁ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଘଟଣାରେ ରିମାଣ୍ଡରେ ଆସିବ ସ୍ୱାମୀ ପ୍ରଦ୍ୟୁମ୍ନ । ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଛି କମିଶନରେଟ୍ ପୋଲିସ । ରିମାଣ୍ଡ ବେଳେ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ନେଇ ହତ୍ୟା କରାଯାଇଥିବା ଘରେ କ୍ରାଇମସିନ ରିକ୍ରିଏସନ କରିବା ସହ ଆନେସ୍ଥେସିଆ ଇଞ୍ଜେକସନ୍ କେଉଁଠୁ ଆଣିଥିଲେ ସେ ନେଇ ଖୋଳତାଡ ହେବ ।
ହତ୍ୟାରେ ବ୍ୟବହୃତ ସିରିଞ୍ଜ ଓ ଅନାସ୍ଥେସିଆ ମେଡିସିନିକୁ ରାଜ୍ୟ ଫରେନସିକ ଲ୍ୟାବ୍କୁ ପଠାଇଛି ତଦନ୍ତକାରୀ ଟିମ୍ । ସିରିଞ୍ଜରେ କେତେ ଜଣଙ୍କର ଫିଙ୍ଗର ପ୍ରିଣ୍ଟ ରହିଛି ଓ ଆନାସ୍ଥେସିଆ ମେଡିସିନରେ ଆଉ କିଛି ବିଷ ମିଶା ଯାଇଥିଲା କି ନାହିଁ, ସେ ସବୁର ତଥ୍ୟ ମିଳିବ । ସେପଟେ ଆନେସ୍ଥେସିଆ ନେଇ ବରିଷ୍ଠ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ କହିଛନ୍ତି, ଅପରେସନ ସମୟରେ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ଆନେସ୍ଥେସିଆ ଦିଆଯାଏ । ସାଧାରଣ ରୋଗୀକୁ କିଲୋଗ୍ରାମ ପିଛା ୧ ଦଶମିକ ୫ ମିଲିଗ୍ରାମ୍ ଡୋଜ ଦିଆଯାଏ । ସର୍ବାଧିକ ୧୫୦ ମିଲିଗ୍ରାମ୍ ଆନେସ୍ଥେସିଆ ଦେଲେ ରୋଗୀ ସହ୍ୟ କରିପାରିବ । ତଥାପି କିଛି କେସରେ ରୋଗୀମାନଙ୍କୁ ହାର୍ଟଟାଟାକ୍, ବିପି ହାଇ ଭଳି ସମସ୍ୟା ଦେଖାଯାଏ । କିନ୍ତୁ ଏହି ନିର୍ଦ୍ଦିଷ୍ଟ ମାମଲାରେ ହୁଏତ ଆନେସ୍ଥେସିଆ ସହ ଅନ୍ୟ କିଛି ମାରାତ୍ମକ ଡ୍ରଗ୍ସ ମିଶିଥିବା ଆଶଙ୍କା କରାଯାଉଛି । ଏପରିକି ୧୫୦ ମିଲିଗ୍ରାମରୁ ଅଧିକ ଡୋଜର ଆନେସ୍ଥେସିଆ ଦେଲେ ଜଣେ ମାତ୍ର ୫ ମିନିଟ ବଞ୍ଚିପାରିବ ।
ଗତ ୨୮ ତାରିଖ ଦିନ ପତ୍ନୀ ଶୁଭଶ୍ରୀଙ୍କୁ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ହତ୍ୟା ପାଇଁ ସହଯୋଗ କରିଥିଲେ ତାଙ୍କ ଦୁଇ ପ୍ରେମିକା ରୋଜି ଏବଂ ଏଜିତା । ଶୁଭଶ୍ରୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା ରୂପ ଦେବାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ପୋଲିସ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

