spot_img
Home Blog Page 1612

ନୂଆଦିଲ୍ଲୀସ୍ଥିତ ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡିଶା ଭବନ ଏବେ ରହିବା ପାଇଁ ଆଉ ସୁରକ୍ଷିତ ନୁହେଁ। ପୂର୍ତ୍ତ ବିଭାଗର ଆଧାରରେ ରାଜ୍ୟ ସରକାର ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିବା ସହ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ଜୁନ ୨୯ ତାରିଖରେ ଦିଲ୍ଲୀ ମ୍ଯୁନିସିପାଲ କାଉନସିଲର ମୁଖ୍ୟ ଆର୍କିଟେକ୍ଟ ସବୁ ସରକାରୀ କୋଠାର ସୁରକ୍ଷା ସମ୍ପର୍କିତ ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ପୂର୍ତ୍ତ ବିଭାଗ ରାଜ୍ୟ ସରକାର ତିନିଟି ଯାକ କୋଠା-ଓଡିଶା ଭବନ, ଓଡିଶା ନିବାସ ଓ ଓଡିଶା ସଦନର ସୁରକ୍ଷା ଯାଞ୍ଚ କରିଥିଲେ। ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ୨୦୨୨ ଏପ୍ରିଲ ୧୯ ତାରିଖରେ ଓଡିଶା ଭବନ ରହିବା ପାଇଁ ସୁରକ୍ଷିତ ନୁହେଁ ଏବଂ ଏହାକୁ ଦୁଇ ତିନି ବର୍ଷ ମଧ୍ୟରେ ଭାଙ୍ଗିବାକୁ ସୁପାରିଶ କରିଥିଲେ। ଏହି କୋଠା ଆଉ ମରାମତି ଯୋଗ୍ୟ ନୁହେଁ ବୋଲି ମଧ୍ୟ ପୂର୍ତ୍ତ ବିଭାଗ ରିପୋର୍ଟ ଦେଇଥିଲା। ତଦନୁଯାୟୀ ଓଡିଶା ଭବନକୁ ଅସୁରକ୍ଷିତ ଘୋଷଣା କରିବା ସହ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ, ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର

ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ। ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର। ଏଭଳି ଘଟଣା ଘଟିଛି ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚେରୁଆ ଗ୍ରାମରେ । ସେହି ଗ୍ରାମର ଶୈଳେନ୍ଦ୍ର ମଲ୍ଲିକ ଖାଇ ସାରି ପରିବାର ସହ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିିଛି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଶୈଳେନ୍ଦ୍ର ମଲ୍ଲିକଙ୍କ ପରିବାର ଖାଇ ସାରି ଶୋଇଥିବା ବେଳେ ଏକ ବିଷଧର ସାପ ଆସି ପରିବାରର ୪ ଜଣଙ୍କୁ କାମୁଡ଼ି ଦେଇଥିଲା। ଏହା କୌଣସି ମତେ ଜଣାପଡିବା ପରେ ଗ୍ରାମବାସୀ ମିଶି ଏକ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିଥିବା ବେଳେ ପରିବାରର ମୁଖ୍ୟ ଶୈଳେନ୍ଦ୍ରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଶୁଦ୍ଧିରେଖା, ଶୁଭରେଖା, ସୁରଭି। ପୋଲିସ ଶବକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ଶୈଳେନ୍ଦ୍ରଙ୍କ ପତ୍ନୀ ଓ ସାନପୁଅ ଅନ୍ୟତ୍ର ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ଉପକୂଳ ଓଡିଶାରେ ଭୀଷଣ ବର୍ଷା; ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ଅବପାତ। ଏହା ପ୍ରଭାବରେ ଆଜି ଉପକୂଳ ଓଡିଶାରେ ଭୀଷଣ ବର୍ଷା ହେବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ଲାଗି ବିଭିନ୍ନ ଜିଲ୍ଲାପ୍ରଶାସନକୁ ସରକାରଙ୍କ ନିର୍ଦ୍ଦେଶ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଗଭୀର ଅବପାତର ରୂପ ନେଇପାରେ । ଏହା ପୁରୀ ଏବଂ ଦିଘା ମଧ୍ୟରେ ଆଜି ରାତି ସୁଦ୍ଧା ଅତିକ୍ରମ କରିପାରେ। ଏହି ପରିପ୍ରେକ୍ଷୀରେ ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତି ସହ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ ଜିଲ୍ଲାକୁ ପ୍ରସ୍ତୁତି ପାଇଁ ସଜାଗ କରାଯାଇଛି । ଏ ସଂପର୍କରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି । ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ତଳିଆ ଅଂଚଳରେ ବର୍ଷା ଜମି ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବା।

ଆବଶ୍ୟକସ୍ଥଳେ ଅତ୍ୟଧିକ ବର୍ଷା ହେଲେ ତଳିଆ ଅଂଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ରସ୍ତରରେ ଥିବା ଯନ୍ତ୍ରୀମାନଙ୍କୁ ନଦୀ ବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ମହାନଗର ନିଗମ ଓ ପୌରାଂଚଳ କର୍ତ୍ତୃପକ୍ଷମାନଙ୍କୁ ଡ୍ରେନେଜ ସମସ୍ୟା ଉପୁଜିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ସେବା ବିଭାଗ ଏବଂ ଓଡ୍ରାଫ୍ ମୁତୟନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଭୀର ଅବପାତର ରୂପ ନେଲା ଅବପାତ; ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଗଭୀର ଅବପାତର ରୂପନେଲା ଅବପାତ। ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଛି । କିଛି ସମୟ ମଧ୍ୟରେ ପୁରୀ ଉପକୂଳ ଅତିକ୍ରମ କରିବ । ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଉତ୍ତର ଓଡିଶା, ଝାଡ଼ଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ। ଏହା ପ୍ରଭାବରେ ଆଜି ଉପକୂଳ ଓଡିଶାରେ ଭୀଷଣ ବର୍ଷା ହେବ । ଏନେଇ ୫ ଜିଲ୍ଲାକୁ ରେଡ, ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ଢେଙ୍କାନାଳକୁ ରେଡ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକରେ ୨୦୦ ମିମି ରୁ ଅଧିକ ବର୍ଷା ହୋଇପାରେ। ଭୂସ୍ଖଳନ, ଆକସ୍ମିକ ବନ୍ୟା, ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି। କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବ । ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଭାରତରେ ମଙ୍କିପକ୍ସର ଏଣ୍ଟ୍ରି: ବିଦେଶ ଫେରନ୍ତାଙ୍କ ଶରୀରରେ ଚିହ୍ନଟ ହେଲା ଲକ୍ଷଣ

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସର ଏଣ୍ଟ୍ରି। ବିଦେଶ ଫେରନ୍ତାଙ୍କ ଶରୀରରେ ଚିହ୍ନଟ ହେଲା ଲକ୍ଷଣ। ଭାରତରେ ମଙ୍କିପକ୍ସର ଏଣ୍ଟ୍ରି ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ସନ୍ଦିଗ୍ଧ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ଦେଶ ଭ୍ରମଣ କରିଥିଲେ। ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯିବାରୁ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ମଙ୍କିପକ୍ସ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହେବ।

ଅଗଷ୍ଟ ୧୪ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ ହେଲଥ୍ ଏମର୍ଜେନ୍ସି ଘୋଷଣା କରିଥିଲା। ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ ‘କ୍ଲେଡ୍ 1ବି’ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ଭାବେ ଘୋଷଣା କରିଥିଲା। ରିପୋର୍ଟ ଅନୁସାରେ, ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଭାରତ ବିଶ୍ବରେ ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଭାରତ ବିଶ୍ବରେ ଏକ ନମ୍ବର । ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ ପାଇଁ ସରକାର ଆଇନ କରୁଛନ୍ତି । ହେଲେ ଲୋକେ ମାନୁନାହାନ୍ତି। ସବୁ ନିୟମକୁ ଫୁ କରି ଦେଉଛନ୍ତି । ପରିଣତି ଅକାଳରେ ଯାଉଛି ଜୀବନ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଏବେ ବିଶ୍ବରେ ଏକ ନମ୍ବର ଭାରତ। ଏପରି ଆଖି ତରାଟି ଦେଲାଭଳି ତଥ୍ୟ ପ୍ରକାଶ କରିଛନ୍ତି ଇଂଲଣ୍ଡ ଲିଡ୍ ବିଶ୍ବବିଦ୍ୟାଳୟର ଗବେଷକ । ବିଶ୍ବରେ ସମୁଦାୟ ୫୨୦ ଲକ୍ଷ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ନିର୍ଗତ ହେଉଛି । ସେଥିରୁ ୧୮ ପ୍ରତିଶତ ଅର୍ଥାତ୍ ୯୦ ଲକ୍ଷ ୩୦ ହଜାର ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କେବଳ ଭାରତ ଛାଡୁଛି । ଏଥିରୁ ଅନୁମାନ କରାଯାଇପାରେ ଯେ, କେତେ ପରିମାଣରେ ବିଷାକ୍ତ ପ୍ଲାଷ୍ଟିକ ଦେଶରେ ବ୍ୟବହାର ହେଉଛି । ଭାରତୀୟ ବହୁଳ ମାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର କରୁଥିବାରୁ ନଦୀ, ନାଳ ଓ ବାୟୁରେ ପ୍ଲାଷ୍ଟିକର ସୁକ୍ଷ୍ମ ଅଂଶ ମିଶି ପି.ଏମ୍ ୨.୫ରେ ପରିଣତ ହେଉଛି। ଯାହାକି ଫୁସଫୁସ ଦେଇ ଶରୀରରେ କର୍କଟ ରୋଗ ସୃଷ୍ଟି କରୁଛି ।

୧୯୬୩ ମସିହାରେ ପ୍ଲାଷ୍ଟିକ ଉଦ୍ଭାବନ ହୋଇଥିଲା। ଜୈବ ବିଘଟନ କ୍ଷମତା ନଥିବାରୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ପ୍ରଥମ କରି ଭାରତରେ ୧୯୯୮ରେ ନିୟନ୍ତ୍ରଣ ଆଇନ ହେଲା। ପ୍ରଥମେ ସରକାର ୨୦ ମାଇକ୍ରନ୍ ମୋଟେଇର ପଲିଥିନକୁ ଅନୁମତି ଦେଇଥିଲେ। ପରେ ୭୫ ମାଇକ୍ରନ୍ ଓ ୨୦୨୨ରେ ୧୨୦ ମାଇକ୍ରନ୍ ପ୍ଲାଷ୍ଟିକ୍ ବ୍ୟବହାର ନେଇ ସରକାରୀ ନିୟମ ହେଲା। ଅଥଚ ନା ଏଥିପ୍ରତି ଜନସାଧାରଣ ସଚେତନ ନା ନିୟମ କଡ଼ାକଡ଼ି ପାଳନ ପାଇଁ ସରକାର ତତ୍ପର। ଫଳରେ ପ୍ରଦୂଷଣକାରୀ ରାଷ୍ଟ୍ର ଭାବେ ବିଶ୍ବରେ ନିନ୍ଦିତ ହେଲାଣି ଭାରତ।

ଉଲଂଘନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ରାଜ୍ୟ ଓ ଦେଶରେ ବଢି ବଢି ଚାଲିଛି ପ୍ଲାଷ୍ଟିକର ବ୍ୟବହାର। ସରକାରୀ ଉଦାସୀନତା ଯୋଗୁ ଅକାଳେ ଯାଉଛି ଜୀବନ। ବିଶ୍ବରେ ଏବେ ୪୦୦ ନିୟୁତ ଟନ୍ ପ୍ଲାଷ୍ଟିକ ଉତ୍ପାଦନ ହେଉଛି। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ହେଉଛି ପରିବେଶ ପ୍ରଦୂଷଣର ମୂଳ କାରଣ। ଖାଦ୍ୟ ପୁଡ଼ିଆ, ଜିନିଷ ପ୍ୟାକେଟରେ ଏହା ବ୍ୟବହାର ହେଉଥିବାରୁ ଲୋକେ ଏହାକୁ ଏଣେତେଣେ ଫୋପାଡି ଦେଉଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ଥାନୀୟ ପ୍ରଶାସନ ଏସବୁ ଦେଖିବା କଥା। କେବଳ ବର୍ଷକୁ ଥରେ କିମ୍ବା ଦୁଇଥର ପ୍ରଦୂଷଣ ଦିବସ ପାଳନ କିମ୍ବା ସଚେତନତା ଦିବସ ଆସିଲେ ଚଢ଼ଉ କରି ଉଲଂଘନକାରୀଙ୍କ ଠାରୁ କିଛି ଜରିମାନା ଆଦାୟ କରି ନିଜ ଦାୟିତ୍ବ ସାରି ଦେଉଛି ପ୍ରଶାସନ। ବାକି ବର୍ଷ ଯାକ ଲୋକେ ଓ ଦୋକାନୀ ବିଷାକ୍ତ ପ୍ଲାଷ୍ଟିକ ବ୍ୟାଗ ବର୍ଷତମାମ ବ୍ୟବହାର କରୁଛନ୍ତି । ବିଘଟନ ହୋଇପାରୁନଥିରୁ ପରିବେଶ ପ୍ରଦୂଷଣ କରିବାରେ ବଡ଼ କାରଣ ସାଜିଛି ପ୍ଲାଷ୍ଟିକ।

ନୂଆଁଖାଇ ଅବସରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ ସିଏମ କିଷାନ ସହାୟତା କାର୍ଯ୍ୟକ୍ରମ ଏବଂ ପିଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ତାଷୀ ଓ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ଉପକୃତ ହେବେ । ୯୨୫କୋଟି ଟଙ୍କାର ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଏମ କିଷାନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, କୃଷି ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଭିସିରେ ଯୋଡି ହୋଇଥିଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

ଯୋଜନା ନାଁରେ ଗ୍ରାମାଞ୍ଚଳ ଲୋକଙ୍କୁ ଡିଜିଟାଲ ଯନ୍ତ୍ରଣାରେ ପକାଉଛନ୍ତି ସରକାର !

ଭୁବନେଶ୍ବର: ରାସନ କାର୍ଡ଼ କାର୍ଯ୍ୟକ୍ଷମ ପାଇଁ ଟିପ ଚିହ୍ନ ହେଉ କି ସୁଭଦ୍ରା ଯୋଜନା ପାଇଁ ଆଧାର ଅପଡେଟ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହା ଏବେ ପାଲଟିଛି ଡିଜିଟାଲ ଯନ୍ତ୍ରଣା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଲୋକଙ୍କ ଯନ୍ତ୍ରଣାର ଚିତ୍ର । ୧୫ରୁ ୧୮ ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ବି ମିଳୁନି ସେବା । ଲମ୍ବା ଲାଇନକୁ ନେଇ ଗଣ୍ଡଗୋଳ, ମାରପିଟ, ରାସ୍ତାରୋକ ଯାଏଁ କଥା ଗଲାଣି, ତଥାପି ସୁଧୁରୁନି ସମସ୍ୟା । ଭିତ୍ତିଭୂମି ଅଭାବ ଏ ସବୁର କାରଣ । ଇଣ୍ଟରନେଟ ଭଳି ଭିତ୍ତିଭୂମି ନ ସଜାଡ଼ି ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ସରକାର ଲଦି ଦେବା ଯୋଗୁଁ ସମସ୍ୟା ବଢି ଚାଲିଛି । ଏହାକୁ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ, ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏକ୍ସପର୍ଟ ।

ସୁଭଦ୍ରା ଯୋଜନାରେ ଆଧାର ଅପଡେଟ ପାଇଁ ରାସ୍ତାରୋକ । ରାସନ କାର୍ଡ ଅପଡେଟ ପାଇଁ ଘର ମୁହାଁ ଦାଦନ ଶ୍ରମିକ । ୮୦ ବର୍ଷର ବୃଦ୍ଧ-ବୃଦ୍ଧା ଡିଲରଙ୍କ ପାଖକୁ ବୁହା ହେଉଛନ୍ତି ଟ୍ରଲିରେ । କିଛିଦିନ ହେବ ଏଭଳି ଖବର ରାଜ୍ୟର ବିଭିନ୍ନ ଆଡୁ ଆସୁଥିଲେ ବି ସମାଧାନର ବାଟ ନାହିଁ । ଗ୍ରାମାଞ୍ଚଳରେ ଉତ୍କଟ ସ୍ଥିତିରେ ପହଞ୍ଚିଲାଣି ଏଭଳି ସମସ୍ୟା । ଭିତ୍ତିଭୂମିର ଅଭାବ ଏହାର ମୁଖ୍ୟ କାରଣ । ଇଣ୍ଟରନେଟ ଟାଓ୍ବାର ନଥିବାରୁ ସର୍ଭର ପ୍ରାୟ ସମୟରେ ଡାଉନ୍ ରହୁଛି । ଏହାସହ ପାଓ୍ବାର କଟ୍ ସମସ୍ୟାକୁ ଦ୍ବିଗୁଣିତ କରିଛି । ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ହେଲେ ଆଧାର ଅପଡେଟ କରିବା ବାଧ୍ୟତାମୂଳକ । ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଅପଡେଟ କରିବାକୁ ଜନସେବା କେନ୍ଦ୍ରରେ ନାହିଁ ନଥିବା ଭିଡ଼ ରହୁଛି । କେଉଁଠି ରାତିସାରା ଅନିଦ୍ରା ହୋଇ ଲାଇନରେ ଛିଡ଼ା ହେବାକୁ ପଡ଼ୁଛି ତ ପୁଣି କେଉଁଠି ଅଖିଆ ଅପିଆ ଦିନ ସାରା ଛିଡ଼ା ହୋଇ ଲୋକେ ମୂର୍ଚ୍ଚା ଯାଉଛନ୍ତି । ସରକାର ରାସନ କାର୍ଡ ଓ ସୁଭଦ୍ରା ଯୋଜନାର ସର୍ତ୍ତ ପୂରଣ କରିବା ପୂର୍ବରୁ ଭିତ୍ତିଭୂମି ସଜାଡ଼ି ନଥିବାରୁ ଏଭଳି ସମସ୍ୟା ଉପୁଜୁଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ରାଜ୍ୟର ପ୍ରାୟ ୫ ହଜାର ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ । ୮ ହଜାରରୁ ଅଧିକ ଗାଁରେ ସୀମିତ ରହିଛି ଇଣ୍ଟରନେଟ ନେଟଓ୍ବର୍କ । ଅଧିକାଂଶ ଗାଁରେ ଏବେ ବି ରହିଛି ବିଜୁଳି ସମସ୍ୟା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏଭଳି ସମସ୍ୟା ଅଧିକ । ଦୂରଦୁରାନ୍ତ ଗାଁରେ ବିଜୁଳି ଥିଲେ ବି ଇଣ୍ଟରନେଟ ନଥିବାରୁ କିଛି କାମ ହୋଇପାରୁନାହିଁ । ହେଲେ ଏବେ ରାସନ କାର୍ଡରେ ହିତାଧିକାରୀଙ୍କ ତଥ୍ୟ ଅପଡେଟ ପାଇଁ ଟିପ ଚିହ୍ନକୁ ବାଧ୍ୟତାମୂଳକ କରାଯାଇଛି । ପୁଣି ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଧାର ଅପଡେଟ ବାଧ୍ୟତାମୂଳକ । ଏସବୁ କାମ ବିନା ଇଣ୍ଟରନେଟରେ ଅସମ୍ଭବ । ଜନସେବା କେନ୍ଦ୍ରରେ ଭିଡ଼ ଅସମ୍ଭାଳ ହେଉଥିବା ବେଳେ ଭିତ୍ତିଭୂମି ଅଭାବ ସମସ୍ୟା ଦ୍ବିଗୁଣିତ କରିଛି । ଯୋଜନାର ସର୍ତ୍ତ ପୂରଣ ପାଇଁ ନିଷ୍ପତ୍ତି ପୂର୍ବରୁ ଭିତ୍ତିଭୂମି ସଜାଡ଼ିବା ଜରୁରୀ ଥିଲା ବୋଲି ମତ ଦେଇଛନ୍ତି ସମୀକ୍ଷକ ।

ଡିଜିଟାଲ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମାଞ୍ଚଳ ଲୋକେ । ଡିଜିଟାଲ ଡିଭାଇଡ୍ ଏତେ ମାତ୍ରାରେ ଅଧିକ ଯେ, ସୁଭଦ୍ରା ଯୋଜନା ଓ ରାସନକାର୍ଡ଼ ଅପଡେଟ ପାଇଁ ଗାଁ ଗହଳିର ଲୋକଙ୍କୁ ହିନସ୍ତା ହେବାକୁ ପଡୁଛି । ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ସବୁ ଜାଗାରେ ଉନ୍ନତ ଭିତ୍ତିଭୂମି ଥିବା ଜରୁରୀ ହୋଇପଡ଼ିଛି ।

ଜଳମଗ୍ନ କୋରାପୁଟ: କୁନ୍ଦୁରା ଜିଗାପୁରଠାରୁ ଜୟପୁର ରାସ୍ତା ବିଚ୍ଛିନ୍ନ, ଅନ୍ଧାରରେ ୧୦ ରୁ ଅଧିକ ଗାଁ

କୋରାପୁଟ: ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା। ଅଧିକ ବର୍ଷା ଯୋଗୁଁ  ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି। କୁନ୍ଦୁରା ଜିଗାପୁର ଠାରୁ ଜୟପୁରକୁ ରାସ୍ତା ବିଛିନ୍ନ ହୋଇଛି । ଅନ୍ଧାରରେ ରହିଛନ୍ତି ୧୦ ରୁ ଅଧିକା ଗ୍ରାମ । କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକର ପ୍ରାୟ ୩ ଟି ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ଯା ପରିସ୍ଥିତି । ବ୍ଲକର ଦିଗାପୁର, ମସିା ଗାଁ, ଗୁମର ପଞ୍ଚାୟତର ପ୍ରାୟ ୧୫ ଖଣ୍ଡ ଗ୍ରାମର ଚାଷ ଜମିରେ ପାଣି ପସିଯାଇଛି । ଶନିବାର ରାତିଠାରୁ  ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଜୟପୁର ଉପକ୍ଷଣ୍ଡ କୁନ୍ଦ୍ରା ଓ ଦିଗାପୁର ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି । ଫଳରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକାଂଶ ଗ୍ରାମରେ ଘର ଭାଙ୍ଗିଥିବାର ବି ସୂଚନା ରହିଛି ତା ସହିତ ଅନେକ ଗ୍ରାମରେ ବିଜୁଳି ସରଵାରହ ବନ୍ଦ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଚାଷ ଜମି ସହିତ ସମସ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଚାଷୀ। କୋଟପାଡ ବିଧାୟକ ପରିସ୍ଥିତିକୁ ଅନୁଧ୍ଯାନ କରିଥିଲେ । ସ୍ଥାନୀୟ ବିଧାୟକ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା ଓ ନରେନ୍ଦ୍ର ପୋଖରୀରେ ମାଛ ମଡ଼କ, ପର୍ଯ୍ୟଟକଙ୍କ ମଧ୍ଯରେ ଉଦବେଗ

ପୁରୀ: ପବିତ୍ର ପୁଷ୍କରିଣୀରେ ଭାସୁଛନ୍ତି ଶହଶହ ମଲା ମାଛ। ମାଛ ମଡ଼କ ଯୋଗୁଁ ପୁଷ୍କରିଣୀର ଜଳ ପ୍ରଦୂଷିତ ହୋଇଛି । ଶ୍ୱେତଗଙ୍ଗା ଓ ନରେନ୍ଦ୍ରରେ ମାଛ ମଡ଼କ ଯୋଗୁଁ ପର୍ଯ୍ଯଟକଙ୍କ ମଧ୍ଯରେ ଉଦବେଗ ପ୍ରକାଶ ପାଇଛି। ତେବେ କେଉଁ କାରଣରୁ ମାଛଙ୍କ ଏପରି ମୃତ୍ଯୁ ହୋଇଛି ତାହା ଜଣା ପଡ଼ି ନଥିବାବେଳେ ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ ଯୋଗୁଁ ଏପରି ଘଟିଥିବା ବୁଦ୍ଧିଜୀବୀ କହିଛନ୍ତି। ଜଳ ନିଷ୍କାସନ ସମସ୍ୟା ତଥା ପ୍ରଦୂଷିତ ଜଳ ମିଶିବା ଫଳରେ ପୁଷ୍କରିଣୀ ଜଳ ପ୍ରଦୂଷିତ ହୋଇଛି। ଅଭିଯୋଗ ପରେ ଜଳ ନମୁନା ପରୀକ୍ଷା ନିମିନ୍ତ CIFA କେନ୍ଦ୍ରକୁ ପଠାଯାଇଥିବା ଜିଲ୍ଲା ମତ୍ସ୍ଯ ଅଧିକାରୀ ସୂଚନା ଦେଇଛନ୍ତିl

ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ଅଜଣା ରୋଗରେ ଛେଳିଙ୍କର ମୃତ୍ୟୁ ହେଉଛି । ବିଭିନ୍ନ ସ୍ଥାନରେ ୨୦ ରୁ ଅଧିକ ଛେଳିଙ୍କ ମୃତ୍ୟୁ ଘଟିଥିବାରୁ ଚାଷୀଙ୍କ ମଧ୍ଯରେ ଆତଙ୍କ ଖେଳି ଯାଇଛି। ଏଭଳି ହଠାତ୍ ଛେଳିଙ୍କ ମୃତ୍ୟୁ କାହିଁକି ହେଉଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ଏହାକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି l ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ଛେଳିଙ୍କ ପରୀକ୍ଷା କରିବା ସହ ଲୋକଙ୍କ ସଚେତନ କରୁଛନ୍ତି ।