spot_img
Home Blog Page 161

ଜମୁଛି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କୃଷ୍ଣମୟ ହୋଇଛି ଗୋପପୁର

ଜମୁଛି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କୃଷ୍ଣମୟ ହୋଇଛି ଗୋପପୁର । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସରେ ଅଭିନୀତ ହୋଇଛି ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ । କୃଷ୍ଣଙ୍କ ଲୀଳା ଦେଖିବାକୁ ମିଳିଛି । ରାଧା ଓ ଗୋପୀମାନେ ମଥୁରାରେ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳକୁ କୃଷ୍ଣ ନାଉଁରିଆ ବେଶରେ ଜଗି ରହିଥିଲେ । ତା ପରେ ଅନୁଷ୍ଠିତ ହୋଇଥିଲା ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନରେ ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧରେ ଅନୁଷ୍ଠିତ ହୋଇଥିଲା । ଯାହାକୁ ଦେଖି ରାଧାକୃଷ୍ଣଙ୍କ ପ୍ରେମରେ ବିଭୋର ହୋଇପଡିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଏପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା । ଦୁଇ ଭାଇଙ୍କୁ ଧନୁଯାତ୍ରା ପାଇଁ ନିମନ୍ତ୍ରଣ କରିବାକୁ ମହାମନ୍ତ୍ରୀ ଅକୃରଙ୍କୁ ଗୋପପୁରକୁ ପଠାଇଛନ୍ତି । ଚିଟାଉ ଦେଇ ପଠାଇଛନ୍ତି ମହାରାଜ କଂସ । ଆଜି ଯାତ୍ରାର ଅଷ୍ଟମ ଦିବସରେ ଅଭିନୀତ ହେବ ମହାରାଜ କଂସଙ୍କ ନଗରଭ୍ରମଣ । ଇନ୍ଦ୍ରଙ୍କ ସହ ଯୁଦ୍ଧ ଓ ବନ୍ଦୀ, ଯମପୁର ଆକ୍ରମଣ । ଅକ୍ରୁରଙ୍କ ଗୋପପୁର ଗମନ ଓ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ, କୃଷ୍ଣ ବଳରାମ ସହ ଅକ୍ରୁରଙ୍କ ସାକ୍ଷାତ, ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ ଦୃଶ୍ୟ ଅଭୀନିତ ହେବ ।

ନବବର୍ଷକୁ ସ୍ବାଗତ ପାଇଁ ରାଉରକେଲାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ

ରାଉରକେଲା ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ନବବର୍ଷକୁ ସ୍ବାଗତ କରିବା ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନାବାଳକ ମାନେ ମଦ କିଣିବା ଓ ମଦ ପିଇବା ଉପରେ ରୋକ ଲଗାଇବା ପାଇଁ ରାଉରକେଲା ଏସପି ସମସ୍ତ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ବର୍ଷ ଅବସରରେ ଦୁର୍ଘଟଣା ରୋକିବା ପାଇଁ ରାତିରେ ମଦ ପିଇ ଗାଡି ଚଳାଇଲେ ମଦୁଆ ଧରପଗଡ ଅଭିଯାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି । ରାଉରକେଲା ସହରରେ ଶାନ୍ତି ଶୃଙ୍ଖଳାର ସହ ନୁଆ ବର୍ଷ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଵା ରାଉରକେଲା ଏସପି ସୂଚନା ଦେଇଛନ୍ତି।

ବିନା ଦଳୀୟ ଚିହ୍ନ ବ୍ୟାନର ଲାଗିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ

ତ୍ରିଶୁଳିଆରୁ କଟକକୁ ପ୍ରବେଶ ପଥରେ ମହମ୍ମଦ ମୋକିମଙ୍କ ସହ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସଙ୍କ ବ୍ୟାନର ବିନା ଦଳୀୟ ଚିହ୍ନରେ ଲାଗିବା ଘଟଣାକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ। କହିଛନ୍ତି, ନୂଆବର୍ଷ ପାଇଁ ମୋର ଶୁଭେଛୁ ଏଭଳି ଏକ ବ୍ୟାନର ଲଗାଇ ଥାଇପାରନ୍ତି। ମୁଁ ପୂର୍ବରୁ ବିଧାୟକ ଥିଲି ଓ ସୋଫିଆ ବିଧାୟିକା ଭାବେ ଲୋକଙ୍କ ପାଖରେ ପରିଚିତ। ତେଣୁ ଦଳୀୟ ଚିହ୍ନ ଗୋଟିଏ ଶୁଭେଛା ବ୍ୟାନରରେ ରହିବା ଅତି ଜରୁରୀ ବୋଲି ଭାବୁ ନାହିଁ ବୋଲି ମହମ୍ମଦ ମୋକିମ କହିଛନ୍ତି। ସେପଟେ ମୋକିମ ନିଜର ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ କହିଛନ୍ତି ଯେ ସେ ବିଭିନ୍ନ ଅଂଚଳ ବୁଲି ରାଜନେତା ଓ ଶୁଭେଛୁଙ୍କୁ ଭେଟୁଛନ୍ତି। ଭୁବନେଶ୍ବରରେ କାଲି କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ବସ୍ତିବାସିନ୍ଦାଙ୍କୁ ଭେଟିଥିଲେ। ସମସ୍ତଙ୍କ ପରାମର୍ଶ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଶୀଘ୍ର ଘୋଷଣା କରିବି ବୋଲି କହିଛନ୍ତି ମହମ୍ମଦ ମୋକିମ

PUCC କରାଇବାର ଅବଧି ମାର୍ଚ୍ଚ ୩୧ ଯାଏ ବଢିଲା

PUCC କରାଇବାର ଅବଧି ମାର୍ଚ୍ଚ ୩୧ ଯାଏ ବଢିଲା। ଏପ୍ରିଲ ପହିଲାରୁ କଡ଼ାକଡ଼ି ଯାଞ୍ଚ କରାଯିବ। ଏହା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ମାର୍ଚ୍ଚ ୩୧ ଭିତରେ ନ କଲେ ଆଉ ଅବଧି ବଢାଯିବ ନାହିଁ। ଏହା ସହିତ ମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ। ଯେଉଁମାନେ PUCC ନେଇଛନ୍ତି, ସେମାନଙ୍କୁ RTO ଅଫିସରେ ଗ୍ରୀନ୍ ଷ୍ଟିକର ଦେଇଦେବୁ। FAKE CERTIFICATE ଅନିୟମିତତା ଆସିବା ପରେ ୪୨ଟି ଏୟାର ପଲ୍ୟୁସନ ଟେଷ୍ଟିଂ ସେଣ୍ଟରର ଲାଇସେନସ ବାତିଲ କରାଯାଇଛି।

ନୂଆ ସେଣ୍ଟର ପାଇଁ ଆବେଦନ ଆସିଲେ ୨୪ ଘଣ୍ଟାରେ ଅନୁମୋଦନ ମିଳିବ। ଯାହାର ଫାଇନ ଅଛି, ମୋବାଇଲ ନମ୍ବର କାରଣରୁ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି। ONE TIME SETTLEMENT ସୁବିଧା ଦିଆଯାଇଛି। ଯେଉଁମାନଙ୍କର ଅସୁବିଧା ଅଛି RTO ରେ ଯାଇ ମୋବାଇଲ ନମ୍ବର ସୁଧାରି ନିଅନ୍ତୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଆଜି ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ଘରେ ଏକ ବୈଠକ ବସିଥିଲା। ବୈଠକରେ ପରିବହନ ସଚିବ ଉଷା ପାଢୀ ବି ଉପସ୍ଥିତ ଥିଲେ।

କନ୍ଧମାଳରେ ହାଡ଼ ଭଙ୍ଗା ଜାଡରେ ଅସ୍ତବ୍ୟସ୍ତ ଜନଜୀବନ

କନ୍ଧମାଳରେ ହାଡ଼ ଭଙ୍ଗା ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ପାରଦ ତଳମୁଁହା ହେବା ସହ ଅସମ୍ଭାଳ ଶୀତ ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଚାଲୁଛି। ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ି ୬ ଓ ଜି ଉଦୟଗିରି ୪.୩ଡିଗ୍ରୀ ତାପମାତ୍ରା ରହୁଛି l ଲୋକେ ସ୍ଥାନେ ସ୍ଥାନେ ନିଆଁର ସାହାରା ନେଉଥିବାର ଦେଖିବାକୁ ମିଳୁଛି l ଅନ୍ୟପଟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ

ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ। ପାକିସ୍ତାନୀ ଆତଙ୍କୀମାନେ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଛି। ଅପରେସନରେ ସାମିଲ ହୋଇଛନ୍ତି ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ। ଜାମ୍ମୁ ଓ କାଶ୍ମୀରର ଡୋଡା ଅନ୍ତର୍ଗତ ଭାଲେସାରେ ପ୍ରବଳ ଶୀତ ସତ୍ତ୍ବେ ସର୍ଚ୍ଚ ଅପରେସନ ଜାରି ରହିଛି। ଶୀତକାଳ ଓ ବରଫପାତର ସୁଯୋଗ ନେଇ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କୀ ଚାଲିଆସିବାର ଆଶଙ୍କା ବଢ଼ିଛି। ଅନୁପ୍ରବେଶ ରୋକିବା ଲାଗି ଗୁଲମାର୍ଗ, ଜାମ୍ମୁ ସମେତ ବିଭିନ୍ନ ସ୍ଥାନରେ ଜାରି ରହିଛି ସର୍ଚ୍ଚ ଅପରେସନ। ନିୟୋଜିତ ହୋଇଛନ୍ତି ସୀମା ସୁରକ୍ଷା ବଳ। ଯବାନମାନ ଜୀବନକୁ ବାଜି ଲଗାଇ ଚଳାଇଛନ୍ତି କମ୍ବିଂ। ତାରବାଡ଼ ଲଗାଯାଇଥିବା ଅଞ୍ଚଳ, ଘନ ବରଫ ଭରା ଅଞ୍ଚଳ, ଜଙ୍ଗଲିଆ ସ୍ଥାନରେ ଜାରି ରହିଛି କମ୍ବି। ନୂଆବର୍ଷ ଆଗରୁ ଆତଙ୍କୀମାନେ ଅନୁପ୍ରବେଶ କରିବା ଆଶଙ୍କା ରହିଥିବାରୁ ଏହି ଅପରେସନ କରାଯାଉଛି। ସେପଟେ ଆତଙ୍କବାଦୀଙ୍କ ମୁକାବିଲା ଲାଗି ଡୋଡାରେ ସ୍ଥାନୀୟ ଭିଲେଜ ଡିଫେନ୍ସ ଗାର୍ଡଙ୍କୁ ଗରିଲା ଯୁଦ୍ଧ ସମ୍ପର୍କରେ ତାଲିମ ପ୍ରଦାନ କରିଛି ସେନା। ଏଥିରେ ଶତାଧିକ ଲୋକ ସାମିଲ ହୋଇଛନ୍ତି।

ଜୋମାଟୋ, ସ୍ବିଗି ସମେତ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମ କର୍ମଚାରୀଙ୍କ ଦେଶବ୍ୟାପୀ ହରତାଳ

ଜୋମାଟୋ, ସ୍ବିଗି, ବ୍ଲିଙ୍କଟ, ଜେପଟୋ, ଆମାଜନ ଓ ଫ୍ଲିପକାର୍ଟ ସମତେ ବିଭିନ୍ନ ଅନଲାଇନ ପ୍ଲାଟଫର୍ମ କର୍ମଚାରୀଙ୍କ ଦେଶବ୍ୟାପୀ ହରତାଳ। ନୂଆବର୍ଷ ପୂର୍ବରୁ ହଜାର ହଜାର କର୍ମଚାରୀଙ୍କ ଧର୍ମଘଟ ଯୋଗୁ ଗୁରୁତର ସମସ୍ୟା ଦେଖାଯାଇଛି। ଲକ୍ଷ ଲକ୍ଷ ଲୋକ ଅନଲାଇନ ଅର୍ଡର ଦେଇ ସୁଦ୍ଧା ଘାଟାର ସମ୍ମୁଖୀନ ହୋଇଛି। ବିଶେଷ କରି ଇ-କମର୍ସ ସେବାରୁ ଗୁରୁତର ବାଧା ପହଞ୍ଚିଛି। ଏହି ଦେଶବ୍ୟାପୀ ଧର୍ମଘଟ ଯୋଗୁ ରିଟେଲରମାନେ ବି କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ତେଲଙ୍ଗାନା ଗିଗ୍ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ ଓ ଇଣ୍ଡିଆନ ଫେଡେରେସନ ଅଫ ଆପ୍ ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ – IFAT ପକ୍ଷରୁ ଦିଆଯାଇଥିବା କାର୍ଯ୍ଯବନ୍ଦ ଡାକରାରେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟର ଶାଖା ସଂଗଠନ। ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ-ଏନସିଆି, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ଅନ୍ୟାନ୍ୟ ରାଜ୍ୟରେ ଏହାର ପ୍ରଭାବ ପଡିଛି। ଦରମା ଅନୁସାରେ ଅଧିକ ଖଟଣୀ, ଦୀର୍ଘ ସମୟର ଧରି ଡ୍ୟୁଟି, ଅଣନିରାପଦ ଡେଲିଭରୀ ଟାର୍ଗେଟ, କର୍ମକ୍ଷେତ୍ରରେ ମର୍ଯ୍ୟାଦାର ଅଭାବ, ସାଧାରଣ ମୌଳିସ ସାମାଜିକ ସୁରକ୍ଷାର ଅଭାବ ଆଦି ପ୍ରସଙ୍ଗକୁ ନେଇ ଧର୍ମଘଟ କରାଯାଇଛି। କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ନିକଟକୁ ପତ୍ର ଲେଖି IFAT ଏହି ଦାବି ପ୍ରସଙ୍ଗରେ ଦର୍ଶାଇଥିଲା। ଏହି ଆନ୍ଦୋଳନରେ ଦେଶର ପ୍ରାୟ ୪ ଲକ୍ଷ କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନ ଯୋଗୁ ଫୁଡ, ଗ୍ରୋସରୀ ଡେଲିଭରି ଗୁରୁତର ବାଧାପ୍ରାପ୍ତ ହୋଇଛି।

ଚମ୍ପୁଆରେ ଛଅ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବାରିଆ ଗାଁରେ ହାତୀପଲଙ୍କ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘର ଭାଗିଂଲେ ଛଅ ଟିକିଆ ହାତୀପଲ  । ଗତ କିଛି ଦିନ ହେବ ଉଖୁଣ୍ଡା ସେକ୍ସନର କଞ୍ଚନ ଡୁମୁରିଆ ଜଂଗଲକୁ ଆସିଥିବା ପଚିଶ ଟିକିଆ ହାତୀପଲ ଦୁଇଭାଗ ହୋଇ ଆଖପାଖ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗାଁର ଚିନ୍ତାମଣି ନାଏକ ଓ ଧିରେନ ନାଏକଙ୍କ ଘର ସଂପୂର୍ଣ ଭାଗିଂ ଦେଇଥିବାବେଳେ ଘର ଭିତରୁ ଧାନ ଚାଉଳ ଖାଇଛନ୍ତି  । ବହୁ ସମୟ ଧରି ଆତଙ୍କ ସୃଷ୍ଟି କରିବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାରେ ସଫଳ ହୋଇଛି। ହାତୀପଲକୁ ନେଇ ଗାଁ ରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ। କଟକ ଆଠଗଡ ଥାନା ରଥଗଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ-ବାଇକ ମୁଁହାମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ଆଠଗଡ ଅଞ୍ଚଳର ରାମ ନାଏକ ଓ କଟକ ଅଞ୍ଚଳର ତାପସ ନାଏକ। ବସ୍ ଟି ଆଠଗଡରୁ କଟକ ଯାଉଥିବା ବେଳେ ରଥଗଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବସ୍ କୁ ଜବତ କରି ତଦନ୍ତ କରୁଛି ଆଠଗଡ ପୋଲିସ ।

ବ୍ୟାଙ୍କ ବନ୍ଦ ଥିବା ସମୟରେ ସୁଡ଼ଙ୍ଗ କରି ଲୁଟିନେଲେ ୩୦୦ କୋଟି

ଯେତେବେଳେ ଲୋକମାନେ କ୍ରିସମସର ଛୁଟି ପାଳନ କରୁଥିଲେ, ଠିକ୍ ସେହି ସମୟରେ ସରକାରୀ ସଂସ୍ଥା ବନ୍ଦ ରହିଥିଲା । ଏଭଳି ସ୍ଥିତିରେ କିଛି ଅପରାଧୀ ଏହି ଶାନ୍ତ ମାହୋଲର ଫାଇଦା ଉଠାଇବାକୁ ପଛାଇନଥିଲେ । ଜର୍ମାନୀର ଏକ ଅତିସୁରକ୍ଷିତ ବ୍ୟାଙ୍କରେ ସୁଡ଼ଙ୍ଗ କରି ଅପରାଧୀମାନେ ୩୦୦ ତିଜୋରିକୁ ଭାଙ୍ଗି ପାଖାପାଖି ୩୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ପଶ୍ଚିମ ଜର୍ମାନୀର ଏକ ପ୍ରମୁଖ ସହର ଗେଲସେନକିର୍ଚେନ ସ୍ଥିତ ସ୍ପାର୍କସେ ସେଭିଙ୍ଗ ବ୍ୟାଙ୍କରେ ତିଜୋରିକୁ ଭାଙ୍ଗିବା ପାଇଁ ଅପରାଧୀମାନେ ଏକ ବଡ଼ ଡ୍ରିଲର ବ୍ୟବହାର କରିଥିଲେ । ବ୍ୟାଙ୍କରେ ପଶିବା ପାଇଁ ସେମାନେ ଏକ ସୁଡ଼ଙ୍ଗ କରିଥିଲେ । ତା’ପରେ ଭିତରକୁ ଯାଇ ଲକରରୁ ପଇସା କାଢ଼ି ଆରାମରେ ଫେରାର ହୋଇଯାଇଥିଲେ ।

ପୋଲିସ ବିଭାଗର ଜଣେ ମୁଖପାତ୍ର ଏହି ଘଟଣାକୁ ହଲିଉଡ ଫିଲ୍ମ ‘ଓଶନ୍ସ ଇଲେବନ’ ସହ ତୁଳନା କରିଛନ୍ତି । ଡକାୟତମାନେ କ୍ୟାଶ, ସୁନା ଓ ଅଳଙ୍କାର ଭରି ରହିଥିବା ୩ ହଜାରରୁ ଅଧିକ ତିଜୋରିକୁ ଭାଙ୍ଗିଥିଲେ । ସକାଳେ ନିଆଁ ଲାଗିବାର ଆଲାର୍ମ ବାଜିବା ପରେ ପୋଲିସକୁ ଏହି ଚୋରି ବାବଦରେ ସୂଚନା ମିଳିଥିଲା । ଏହାପରେ ଅଣ୍ଡରଗ୍ରାଉଣ୍ଡ ଲକର ରୁମରେ ସୁଡ଼ଙ୍ଗ ହୋଇଥିବା ଜଣାପଡ଼ିଥିଲା । ଏହି ଘଟଣା ପରେ ପୋଲିସ ଓ ଦମକଳ ବାହିନୀ ବିଲଡିଂରେ ଖାନତଲାସୀ ଆରମ୍ଭ କରିଥିଲେ । ଏହି ଘଟଣା ପରେ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ତୁର୍କୀର ଅନେକ ମୂଳ ବାସିନ୍ଦା ଏହି ବ୍ୟାଙ୍କର ଗ୍ରାହକ ଥିଲେ । ସେମାନେ ବ୍ୟାଙ୍କ ଲକର ରୁମରେ ସେଫ-ଡିପୋଜିଟରେ ସୁନା ଗହଣା ରଖିଥିଲେ । ସେମାନଙ୍କର ସେଫ ଡିପୋଜିଟର ବୀମା ରହିଛି, ମାତ୍ର ସେମାନେ ରଖିଥିବା ଜିନିଷର ମୂଲ୍ୟ ବୀମାର ଦାମ୍ ଠାରୁ ବହୁତ ଅଧିକ । ପ୍ରଭାବିତ ଗ୍ରାହକଙ୍କୁ ସ୍ପାର୍କସେ ବ୍ୟାଙ୍କ ସହ ସମ୍ପର୍କ କରିବାକୁ କୁହାଯାଇଛି । ବ୍ୟାଙ୍କ ପକ୍ଷରୁ ହେଲପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।