ବାଲେଶ୍ୱର; ସ୍ବାଧୀନତା ଦିବସରେ ଅଘଟଣ। ପତାକା ଉତ୍ତୋଳନ ବେଳେ ଶିକ୍ଷକ ମୃତ। ବାଲେଶ୍ୱର ସିମୁଳିଆ ଥାନା ମଇତାପୁର ଠାରେ ଥିବା ଏକ ଘରୋଇ ସ୍କୁଲରେ ଅଘଟଣ। ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଲୁହା ପାଇପଟି ବିଦ୍ୟୁତ ତାର ଉପରେ ପଡିଥିଲା l ତେଣୁ ଚାର୍ଜ ହେଇଯିବାରୁ ସ୍କୁଲର ଖେଳ ଶିକ୍ଷକ ଆହତ ହୋଇଥିଲେl ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷକ ପ୍ରିୟବ୍ରତ ବେହେରାଙ୍କ ଘର ବାଲେଶ୍ୱର ବସ୍ତା ଅଂଚଳର ହୋଇଥିବା ବେଳେ ବିଦ୍ୟାଳୟର ଦୁଇ ପିଲା ମଧ୍ୟ ଆହତ ହୋଇ ଭଦ୍ରକ ମେଡିକାଲ ଭର୍ତ୍ତି ହୋଇଛନ୍ତି l ଖବରପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି।
ଲଗାଣ ବର୍ଷାରେ ଭୁଶୁଡିଲା ନିର୍ମାଣ ଧୀନ ବ୍ରିଜ
ନିମାପଡା;ଲଗାଣ ବର୍ଷାରେ ଭୁଶୁଡିଲା ନିର୍ମାଣ ଧୀନ ବ୍ରିଜ । ପୁରୀ ଜିଲ୍ଲା ନିମାପଡା – ବଳଙ୍ଗା ମୁଖ୍ୟରାସ୍ତା ଧନୁଆଁ ଛକ ନିକଟରେ ଭୁସୁଡ଼ିଲା ନିର୍ମାଣ ଧୀନ ବ୍ରିଜ। ୪୪ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦରେ ନିର୍ମାଣ କରାଯାଉଥିବା ଏହି ରାସ୍ତା ଏବଂ ବ୍ରିଜ କାମରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାମକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଇଆସୁଥିବା ବେଳେ ଆଜି ପୁଣି ନିର୍ମାଣଧିନ ବ୍ରିଜଟି ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। । ଗତ କାଲି ଏହି ବ୍ରିଜଟିର ଛାତ ନୂତନ ଭାବେ ନିର୍ମାଣ କରାଯାଇଥିବା ବେଳେ ଆଜି ସକାଳ ସମୟରେ ଛାତଟିର ଅଧିକାଂଶ ସ୍ଥାନରେ ଫାଟ ଦେଖାଯିବା ସହ ଗୋଟିଏ ପାର୍ଶ୍ୱ ଦବିଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରବର୍ତ୍ତୀ ସମୟରେ ବ୍ରିଜଟି ଆଧାରୁ ଅଧିକ ଭୁସୁଡ଼ି ପଡିଥିଲା। ସଂପୂର୍ତ୍ତ ଠିକାସଂସ୍ଥା ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏକ ଜେସିବି ସାହାଯ୍ୟରେ ଭଲଥିବା ବାକି ଅଂଶ ଭାଙ୍ଗିବାକୁ ଚେଷ୍ଟା କରିଥିବା ସମୟରେ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ତେବେ ବାରମ୍ବାର ଏହି ରାସ୍ତା ନିର୍ମାଣକୁ ନେଇ ସମ୍ପୂର୍ତ୍ତ ଠିକାସଂସ୍ଥା ଉପରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଯଦି ତଦନ୍ତ କରାନଯାଏ ତେବେ ଆଗାମୀ ସମୟରେ ଲୋକେ ରାସ୍ତା ରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି।
ସାର ଦାମ ଆକାଶ ଛୁଆଁ,ଚାଷୀଙ୍କ ମୁଣ୍ଡରେ ଋଣ ବୋଝ
ଚାଷୀଙ୍କୁ ଘାରିଛି ସାର ଟେନସନ । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ସାରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି । ସାର ଦାମ ୩ ଗୁଣା, ଆଉ ବଜାରରେ କଳାବଜାରୀର ରାଜ। ଚାଷୀର ଖର୍ଚ୍ଚ ଲକ୍ଷେ, ଆୟ ଅଧା । କିଭଳି ଶୁଝିବେ ଋଣ, ଘାରିଛି ଚିନ୍ତା । ଚାଷୀଙ୍କୁ ଘାରିଛି ସାର ଟେନସନ। ଡିଏପି, ୟୁରିଆ ଓ ଗ୍ରୋମରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି । ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କିଭଳି କରିବେ, କିଭଳି ଋଣ ଶୁଝିବେ ସେହି ଚିନ୍ତାରେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀ। ଓଳଙ୍ଗର, ଓସ୍ତପୁର, ଖଣ୍ଡାସାହି, ବେଗୁନିଆବସ୍ତ, ଝାରିଆ ଗାଁ ହେଉଛି ପନିପରିବାର ଭଣ୍ଡାର। ଏଠାର ବାଇଗଣ, ପୋଟଳ, କଲରା, ଟମାଟୋ,କୋବି କେବଳ ଅସ୍ତରଙ୍ଗ ବଜାର ନୁହେଁ, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଯାଇଥାଏ । ଗତବର୍ଷ DAP ଥିଲା ୧୩ଶହ ଟଙ୍କା, ଆଜି ୨ହଜାର । ଗ୍ରୋମର ୧୭ଶହରୁ ୨୮ଶହ, ୟୁରିଆ ୫ଶହରୁ ୮ଶହ, ପଟାସ ୧୫ଶହରୁ ୨୩ଶହ ଟଙ୍କାରେ ପହଞ୍ଚିବା ସହ କୀଟନାଶକ ଦର ମଧ୍ୟ ଆକାଶଛୁଆଁ। ଚଳିତ ବର୍ଷ ବାଇଗଣ ଚାଷ କରି ଭଲ ଲାଭ ଆଶା ରଖିଥିଲେ ଚାଷୀ । କିନ୍ତୁ ସାର ଓ କୀଟନାଶକର ଦାମ ସେମାନଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି। ସମବାୟ ଓ ବଜାରରେ ମିଳୁନି ସାର। ସୁଯୋଗ ନେଉଛନ୍ତି କଳାବଜାରୀ । ବାଧ୍ୟ ହୋଇ ଚାଷୀ ଅଧିକ ଟଙ୍କା ଦେଇ କିଣୁଛି। ଓଳଙ୍ଗରରୁ ଝାରିଆ ପର୍ଯ୍ୟନ୍ତ ଶତାଧିକ ପରିବା ଚାଷୀ ଆଜି ଦେବାଳିଆ ଅବସ୍ଥାରେ। ସରକାର ଦରରେ ନିୟନ୍ତ୍ରଣ ରଖିବା ସହ ପର୍ଯ୍ୟାପ୍ତ ସାର ଯୋଗାଇଦେବାକୁ ଦାବି ହୋଇଛି । ସେପଟେ ଲଗାଣ ବର୍ଷା ସହ ରାଜ୍ୟରେ ବନ୍ୟା ପରିସ୍ଥିତି ସମସ୍ୟା ବଢ଼ାଇଛି।

