spot_img
Home Blog Page 1597

ଜଳତରଙ୍ଗ ପ୍ରପାତରେ ଅଘଟଣ, ବୁଡିଗଲେ ୨ ଛାତ୍ରୀ ଏବେବି ଜଣେ ନିଖୋଜ

ଏଲୁର: ମାଡ଼ିଆସିଲା ପାହାଡ଼ି ପାଣି । ଜଳପ୍ରପାତରେ ବୁଡ଼ି ୨ ଡାକ୍ତରୀ ଛାତ୍ରୀଙ୍କ ମୃତ୍ଯୁ । ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ଆନ୍ଧ୍ର ସୀତାରାମରାଜୁ ଜିଲ୍ଲା ଜଳତରଙ୍ଗ ପ୍ରପାତରେ ଘଟିଛି ଏଭଳି ବଡ଼ ଅଘଟଣ । ଗତକାଲି ଆନ୍ଧ୍ର ଏଲୁର ମେଡିକାଲ କଲେଜର ୧୩ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ ।

ଜଳପ୍ରପାତ ନିକଟରେ ବସିଥିବାବେଳେ ହଠାତ ପାଣି ମାଡ଼ିଆସିଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁ ପାହାଡ଼ି ପାଣି ମାଡ଼ି ଆସି ଛାତ୍ରଛାତ୍ରୀଙ୍କୁ ଭସାଇ ନେଇଥିଲା । ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଗତକାଲି ସନ୍ଧ୍ଯାରେ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏବେବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ପାରାଦୀପ: କୁଜଙ୍ଗରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ରାସ୍ତାରେ ଗାଡ଼ି ଅଟକାଇ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ । କୁଜଙ୍ଗ କୋଠିଆ ସାହି ନିକଟରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ହେଲେ ବଳରାମପୁର ଗାଁର ଚନ୍ଦନ ତରାଇ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ଜଗନ୍ନାଥପୁରର ୭ରୁ ୮ ଜଣ ଯୁବକ ରାସ୍ତାରେ ଚନ୍ଦନଙ୍କୁ ଅଟକାଇ ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଗୋଡ଼ରେ ବୁଲେଟ ଚଢାଇ ହତ୍ଯା ଉଦ୍ଯମ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଡ଼ ଓ ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ ଘଟଣାରେ ଗୁରୁତର ଚନ୍ଦନ ଚାଞ୍ଚଲ୍ଯକର ବୟାନ ଦେଇଛନ୍ତି ।

ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀଙ୍କ ଲୋକମାନେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ଚିକେନ ଭଲ ହୋଇନି କହିବା ପଡ଼ିଲା ମହଙ୍ଗା, ପତିଙ୍କୁ ପିଟିପିଟି ମାରଦେଲେ ପତ୍ନୀ

ପାଟନା: ବିହାରର ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଜଣେ ପତ୍ନୀ ନିଜ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ସ୍ୱାମୀଙ୍କ ଦୋଷ ହେଉଛି ଯେ ତାଙ୍କ ପତ୍ନୀ ଖାଇବାକୁ ଦେଇଥିବା ଚିକେନ୍‌ରେ ଅଧିକ ଲୁଣ ରହିଥିଲା। ଯେତେବେଳେ ସ୍ୱାମୀ ପତ୍ନୀଙ୍କୁ ଏ କଥା କହିଥିଲେ ସେ ରାଗି ଯାଇଥିଲେ। ସେହି ସମୟରେ ମହିଳାଙ୍କ ଭଉଣୀ ମଧ୍ୟ ସେମାନଙ୍କ ଘରେ ଥିଲେ। ମହିଳା ଜଣକ ତା’ପରେ ଭଉଣୀ ସହିତ ସ୍ୱାମୀଙ୍କୁ ଏତେ ମାଡ ମାରିଥିଲେ ଯେ ତାଙ୍କ ଜୀବନ ଚାଲିଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ଉଭୟ ଭଉଣୀଙ୍କୁ ଗିରଫ କରିଛି।

 

ମୃତକଙ୍କ ନାମ ଶମଶେର ଆଲାମ ଛଦ୍ମନାମ ଲାଲୁ ବୋଲି ଜଣାପଡିଛି। ତାଙ୍କ ପତ୍ନୀ ଶେହନାଜ ବେଗମ୍ ଏବଂ ନାବାଳିକା ଭଉଣୀଙ୍କୁ ପୋଲିସ ଗିରଫ କରିଛି। ଶମଶେର ଏବଂ ଶେହନାଜଙ୍କର ତିନୋଟି ସନ୍ତାନ ଅଛନ୍ତି। ଅଭିଯୋଗ ହୋଇଛି ଯେ ଚିକେନ୍‌ରେ ଅତ୍ୟଧିକ ଲୁଣ ଥିଲା, ଯାହା ବିଷୟରେ ଶମଶେର ଆଲାମ ପରିବାର ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା।

 

ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଶେହନାଜ ବେଗମ୍ ଏକ ଲୁହା ରଡ ଏବଂ ବାଡି ଆଣି ଶମଶେରଙ୍କୁ ପିଟିବା ଆରମ୍ଭ କରିଥିଲେ । ନିଜ ଜୀବନ ରକ୍ଷା କରିବାକୁ ଶମଶେର ଉଭୟ ମହିଳାଙ୍କ ସାମ୍ନାରେ ଭିକ ମାଗିଥିଲେ। କିନ୍ତୁ ଉଭୟ ଭଉଣୀ ମାଡ ମାରିବା ପରେ ଏତେ ରକ୍ତସ୍ରାବ ହୋଇଥିଲା ଯେ ତାହା ଅଟକାଇବା ସମ୍ଭବ ହୋଇ ପାରିନଥିଲା।

 

ଉଭୟଙ୍କ ତିନି ପିଲା ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାମାନେ ତାଙ୍କୁ ଅନ୍ୟ ଏକ କୋଠରୀରେ ତାଲା ପକାଇ ଦେଇଥିଲେ। ତା’ପରେ ସେ ଶମଶେରଙ୍କୁ ପିଟିବାକୁ ଲାଗିଲେ।

ଚିତ୍କାର ଶୁଣି ପଡୋଶୀ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ। ଭିତରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶମଶେରଙ୍କୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ ପଡୋଶୀ। ସେତେବେଳକୁ ଶମଶେରଙ୍କ ମୃତ୍ୟୁ ହୋଇଯାଇଥିଲା।

 

 

୨୬ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ଘଡଘଡି ସହ ୪୦ ରୁ ୫୦ କିମି ବେଗରେ ବହିବ ପବନ

0

ଭୁବନେଶ୍ବର: ଆଜିଠୁ ରାଜ୍ଯରେ ପୁଣି ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ ଉପକୂଳ ମିଆଁମାର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ପ୍ରଭାବରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବ । ଏଥିପାଇଁ ଆଜି ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୬ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ଅନ୍ଯପଟେ ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ଯାବର୍ତ୍ତନ ଆରମ୍ଭ ହେଉଛି । ଉତ୍ତର ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ଯାବର୍ତ୍ତନ କରିବା ସମ୍ଭାବନା ରହିଛି । ଓଡ଼ିଶାରୁ ମୌସୁମୀ ଯିବାକୁ ଆଉ କିଛିଦିନ ସମୟ ଲାଗିବ । ଓଡ଼ିଶାରୁ ସାଧାରଣତଃ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ଅପସାରଣ ହୋଇଥାଏ ।

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଅନୁରା କୁମାର ଦିସାନାୟେକେ

କଲମ୍ବୋ: ଶ୍ରମିକ ପରିବାରରୁ ଟପ ପୋଷ୍ଟ। ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଅନୁରା କୁମାର ଦିସାନାୟେକେ। ରାଷ୍ଟ୍ରପତି ନିର୍ବାଚନରେ ନ୍ଯାସନାଲ ପିପୁଲସ ପାୱାର ବା ଏନପିପି ପ୍ରାର୍ଥୀ ଅନୁରା ବିଜୟୀ ହୋଇଛନ୍ତି। ସମାଗି ଜନ ବାଲୱେଗାୟା ପ୍ରାର୍ଥୀ ସାଜିଥ ପ୍ରେମଦାସା ଓ ୟୁନାଇଟେ଼ଡ ନ୍ୟାସନାଲ ପାର୍ଟି ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପରାସ୍ତ ହୋଇଛନ୍ତି।

ଅନୁରାଙ୍କ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ନିର୍ବାଚନରେ ନ୍ଯାସନାଲ ପିପୁଲ୍ସ ପାର୍ଟି ସହ ଜନତା ବିମୁକ୍ତି ପେରେମୁନା ବା ଜେଭିପି ସହ ମେଣ୍ଟ ହୋଇଥିଲା। ଶ୍ରୀଲଙ୍କାର କମ୍ଯୁନିଷ୍ଟ ଦଳ ଭାବେ ଜେଭିପି କାର୍ଯ୍ୟ କରୁଛି। ୨୧ ତାରିଖ ନିର୍ବାଚନରେ କୌଣସି ପ୍ରାର୍ଥୀ ୫୦ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇ ନଥିବାରୁ ରାଷ୍ଟ୍ରପତି ନିର୍ବାଚନ ଆଇନ-୧୯୮୧ ଅନୁସାରେ ଦେଶରେ ଦ୍ବିତୀୟ ପ୍ରିଫେରେନ୍ସ କାଉଣ୍ଟ ହୋଇଥିଲା।

ଏହି ବ୍ଯବସ୍ଥା ଅନୁସାରେ ଯେଉଁ ପ୍ରାର୍ଥୀ ସବୁଠାରୁ କମ୍ ଭୋଟ ପାଇଥିବେ ସେମାନଙ୍କ ନାଁକୁ ବାଦ୍ ଦେବେ। ପ୍ରଥମ ନିର୍ବାଚନରେ ଦିସାନାୟେକେ ୪୯.୮ ପ୍ରତିଶତ, ପ୍ରେମଦାସା ୨୫.୮ ପ୍ରତିଶତ ଓ ରାନିଲ ୧୬.୪ ପ୍ରତିଶତ ଭୋଟ ପାଇଥିଲେ। ଅନୁରା ଦିସାନାୟେକେ ମାର୍କ୍ସବାଦୀ ଚିନ୍ତାଧାରାରେ ଦୀକ୍ଷିତ। ସେ ଶ୍ରମିକ ପରିବାରରୁ ଆସିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥିଲେ ୧ କୋଟି ୭୦ ଲକ୍ଷ ଭୋଟର। ଆଇଏମଏଫ ସହ ହୋଇଥିବା ବିବାଦୀୟ ୨.୯ ବିଲିୟନ ଡଲାରର ବେଲ ଆଉଟ ପ୍ଯାକେଜକୁ ନ ହଟାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ ଅନୁରା।

ଭରତପୁର ଥାନା ବିବାଦ ଘଟଣାରେ କ୍ରାଇମବ୍ରାଞ୍ଚକୁ ହାତରେ ଡିଜିଟାଲ ଏଭିଡେନ୍ସ

ଭୁବନେଶ୍ବର: ଭରତପୁର ଥାନା ବିବାଦ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଡିଜିଟାଲ ଏଭିଡେନ୍ସ ସହ ପାରିପାର୍ଶ୍ବିକ ପ୍ରମାଣ । ଖୁବଶୀଘ୍ର ଏହାର ଖୁଲାସା କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଅଧିକାରୀ ।

ସେ କହିଛନ୍ତି, ବୟାନ ରେକର୍ଡର ସମସ୍ତ ରିପୋର୍ଟକୁ ADGଙ୍କୁ ଦିଆଯାଇଛି । ମୋବାଇଲର CDR ଯାଞ୍ଚ କରାଯାଉଛି । କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ ତଦନ୍ତ କରୁଛି ଏବଂ ଖୁବଶୀଘ୍ର ଘଟଣାର ଖୁଲାସା ହେବ । ଘଟଣାକୁ ଏବେ ୭ ଦିନ ବିତିସାରିଛି । ନିଲମ୍ବିତ ପୋଲିସ ଅଧିକାରୀଙ୍କ ସହ କ୍ୟାପଟେନ ଗୁରୁବଂଶଙ୍କର ବୟାନ ରେକର୍ଡ କରାଯାଇଛି । ବାନ୍ଧବୀ କିଭଳି ଆହତ ହେଲେ ? ଥାନାରେ ତାଙ୍କୁ କିଭଳି ବ୍ୟବହାର କରାଗଲା ?

ଆଇଆଇସି ଘଟଣାସ୍ଥଳରେ କିଭଳି ବ୍ୟବହାର କରିଥିଲେ ? ପଥରଗାଡ଼ିଆ ରାସ୍ତାରେ ପ୍ରକୃତରେ କଣ’ ଘଟିଥିଲା ? ସେନେଇ ପଚରାଉଚରା କରାଯାଇଛି । ଘଟଣାରେ ପୀଡ଼ିତାଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । କିନ୍ତୁ ଏନେଇ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଭରତପୁର ଲଜ୍ଜାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ଶେଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦାବି ଆଗରେ ନଇଁଲେ ରାଜ୍ଯ ସରକାର । ଭରତପୁର ଲଜ୍ଜାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ରାତିଅଧରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ମୁଖ୍ଯମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ନ୍ୟାୟିକ ତଦନ୍ତ ହେବ ।

୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଉଚ୍ଚସ୍ତରୀୟ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କ ପ୍ରତି ପୋଲିସ ବର୍ବରତାର ଦୃଢ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେନା ଅଧିକାରୀଙ୍କୁ ପୋଲିସର ନିର୍ଦ୍ଦୟ ବ୍ଯବହାର ସାରା ଦେଶକୁ ଦୋହଲାଇଦେଇଛି। ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ ନବୀନ ।

ଇରାନର କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ

ନୂଆଦିଲ୍ଲୀ: ଇରାନର ଦକ୍ଷିଣ ଖୋରାସାନରେ କୋଇଲା ଖଣିରେ ବଡ ଧରଣର ବିସ୍ଫୋରଣ । ୫୧ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ଯା ଅଧିକ ହେବା ଆଶଙ୍କା କରାଯାଉଛି ।

ମଦାଞ୍ଜୋ କମ୍ପାନୀ ଦ୍ବାରା ପରିଚାଳିତ କୋଇଲା ଖଣିରେ ମିଥେନ ଗ୍ଯାସ ଲିକ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରୁ ଦେଶ ଆବଶ୍ଯକ କରୁଥିବା ୭୬ ଭାଗ କୋଇଲା ଉତ୍ପାଦିତ ହୋଇଥାଏ । କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେବଳ ବି- ବ୍ଲକରେ ଥିବା କୋଇଲା ଖଣିରେ ମୋଟ ୪୭ ଜଣ କାମ କରୁଥିବାବେଳେ ସେମାନଙ୍କ ମଧ୍ଯରୁ ୩୦ ଜଣ ପ୍ରାଣ ହରାଇଥିଲେ । ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସି- ବ୍ଲକରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ମାସୁଦ ପେଜେସକିଆନ ଉଦବେଗ ପ୍ରକାଶ କରିଛନ୍ତି ।

ଗୋଟିଏ ଦିନ ଆଗରୁ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ

ପୁରୀ: ଧାର୍ଯ୍ଯ ସମୟର ଗୋଟିଏ ଦିନ ଆଗରୁ ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ । ଲେଜର ସ୍କାନିଂ ଓ ରାଡାର ସର୍ଭେ କାର୍ଯ୍ଯ ଶେଷ ହୋଇଛି । ରାଡାର ସର୍ଭେର ତଥ୍ଯ ତର୍ଜମା କରାଯିବା ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବ । ଏଥିପାଇଁ ୧0 ଦିନରୁ ଅଧିକ ସମୟ ଲାଗିପାରେ  l ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଅଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଏହାକୁ ନେଇ ବିଶେଷଜ୍ଞମାନଙ୍କ ପରାମର୍ଶ ଓ ମତାମତ ନିଆଯିବ । ବିଶେଷଜ୍ଞଙ୍କ ମତାମତ ତଥା ଛତିଶା ନିଯୋଗ ଓ ପରିଚାଳନା କମିଟିରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ମରାମତି ପାଇଁ ଅନୁମୋତି ଲୋଡ଼ାଯିବ । ଶୃଙ୍ଖଳିତ ଭାବେ ସବୁ କାର୍ଯ୍ଯ ସରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ, ଏଏସଆଇ,ପୋଲିସ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସିଂହଦ୍ବାର ବ୍ୟାରିକେଡରେ ନାହିଁ ସେଡ୍, ଜଗା ଦର୍ଶନ ପାଇଁ କଲବଲ ହେଉଛନ୍ତି ଭକ୍ତ

ପୁରୀ: ଶ୍ରୀମନ୍ଦିରରେ ଦିନକୁ ଦିନ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ଯା । କାଳିଆ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ଯଟକ ଲମ୍ବା ଧାଡ଼ି ଯୋଗୁଁ ହେଉଛନ୍ତି କଲବଲ । ସିଂହଦ୍ୱାର ନିକଟ ବ୍ୟାରିକେଡରେ ସେଡ ନଥିବାରୁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ପିଲାଠୁ ବୁଢା ।

ସିଂହଦ୍ବାର ଠାରୁ ସାତ ପାହାଚ ସବୁଠି ପ୍ରବଳ ଭିଡ଼ । ସିଂହଦ୍ବାର ଆଗରେ ସେଡ ବ୍ଯବସ୍ଥା ନଥିବାରୁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ସଭିଏଁ । ପୂର୍ବ ସରକାର ସମୟରେ ବ୍ଯାରିକେଡ ଦେଇ ଯିବାବେଳେ ଶ୍ରଦ୍ଧାଳୁଙ୍କୁ ବିଶ୍ରାମ ସହ ପାନୀୟ ଜଳ ଓ ଫ୍ଯାନ ବ୍ଯବସ୍ଥା କରାଯାଇଥିଲା । ହେଲେ ଏବେ ମୁଣ୍ଡଫଟା ଖରାରେ ଠିଆ ହୋଇ ନୟାନ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ଖାଲି ଖରା ନୁହେଁ, ବର୍ଷା ହେଲେ ଭିଜି ଭିଜି ଅପେକ୍ଷା କରୁଛନ୍ତି ଭକ୍ତ । ତେଣୁ ଦର୍ଶନ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ସହ ସେଡ ନିର୍ମାଣ ପାଇଁ ଦାବି ହେଉଛି ।

ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଯାତାୟାତରେ ଅନେକ ସୁବିଧା ହୋଇଛି । ତେବେ ଦ୍ବାର ନିକଟରେ ବ୍ଯାରିକେଡ ସେଡ ନଥିବାରୁ ବାହାରୁ ଆସୁଥିବା ପର୍ଯ୍ଯଟକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ପର୍ଯ୍ୟାପ୍ତ ମାତ୍ରାରେ ହେଉ ନଥିବା ମଧ୍ୟ ଅଭିଯୋଗ ହେଉଛି  l ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପ୍ରଶାସନ । ସମସ୍ୟାର ସମଧାନ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି  l ଏପରିକି ନୂଆ କରି ନିର୍ମାଣ କରାଯାଇଥିବା ବଡ଼ଆଖଡ଼ା ମଠ ପଛପଟେ ଦେଇ ବ୍ୟାରିକେଡରେ ସେଡ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଥିବା ବେଳେ ଦର୍ଶନ ପାଇଁ ଅବ୍ଯବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ।