spot_img
Home Blog Page 1598

କଡ଼େଇ ଜବତ କରି ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିରରେ ଲୁହାକଡ଼େଇରେ ମହାପ୍ରସାଦ ରନ୍ଧାଯିବା ଅଭିଯୋଗ ପ୍ରସଙ୍ଗ । କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କଡ଼େଇ ଜବତ କରି ୭ ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ ମଧ୍ୟ ଜଣାଇଦିଆଯାଇଛି l କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ରୋଷ ମଧ୍ୟରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ଯ ପ୍ରଶାସକ ।

୧୮ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ

ପୁରୀ : ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ । ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାର୍ଯ୍ଯ କରାଯିବ । ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି  । ୧୮ ତାରିଖ ଦିନ ଗୋଟାଏରୁ ଯାଞ୍ଚ କାର୍ଯ୍ଯ ସରିବା ପର୍ଯ୍ଯନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଚାହିଁଲେ ସିଂହଦ୍ଵାର ଦେଇ ଆନନ୍ଦ ବଜାରରୁ ଯାଇହେବ । ଉତ୍ତର ଦ୍ୱାର ପଟେ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ । ପୂର୍ବରୁ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତରିତ ହୋଇସାରିଛି । ଏହାଛଡ଼ା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ମଧ୍ଯ ସ୍ଥାନାନ୍ତରିତ କରାଯାଇଛି ।  ଏହାପରେ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ । ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା  । ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା  । ବୈଷୟିକ ଯାଞ୍ଚ ପରେ ଏଏସଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଶୀଘ୍ର ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ। ଦିଲ୍ଲୀ ମଦନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ମାମଲାରେ ଜାମିନ ଦେଲେ ସର୍ବୋଚ୍ଚ ଅଦାଲତ। କଠୋର ସର୍ତ୍ତ ସହ ଜାମିନ ଦେଲେ ସୁପ୍ରିମକୋର୍ଟ। ପୂର୍ବରୁ ଇଡି ମାମଲାରେ ମିଳିସାରିଛି ଜାମିନ। ସିବିଆଇକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଆଇନ ଅନୁଯାୟୀ ହୋଇନଥିଲା ଗିରଫଦାରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଏହି ସବୁ ସର୍ତ୍ତ ମଧ୍ୟରେ ରହିଛି। ଦିଲ୍ଲୀ ମଦ ନୀତି ମାମଲାରେ କୌଣସି ବୟାନବାଜି କରିପାରିବେନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସଚିବାଳୟକୁ ମଧ୍ୟ ଯାଇପାରିବେନି। ସେତିକି ଜରୁରୀ ନଥିଲେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେନି। ମାମଲାରେ ଶୁଣାଣିକୁ ନେଇ ସାର୍ବଜନୀନ ଟିପ୍ପଣୀ କରିପାରିବେ ନାହିଁ।

ସରକାରୀ କାର୍ଯ୍ୟ କିମ୍ବା ମାମଲାରେ କୌଣସି ଟିପ୍ପଣୀ କରିପାରିବେନାହିଁ। ଆବଶ୍ୟକ ପଡ଼ିଲେ ଶୁଣାଣି ହେଉଥିବା ଅଦାଲତରେ ହାଜର ହେବେ। ଆବଶ୍ୟକ ସ୍ଥଳେ ତଦନ୍ତରେ ସହଯୋଗ କରିବେ। NCCSAର ବୈଠକ କରିପାରିବେନି। ଦିଲ୍ଲୀ ମଦ ନୀତି ମାମଲାରେ ନିଜର ଭୂମିକା ପ୍ରସଙ୍ଗରେ ଟିପ୍ପଣୀ କରିବେନି । କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା ହୋଇପାରିବେନି। ମାମଲା ସମ୍ପର୍କିତ ଫାଇଲ ବିଷୟରେ ଖୋଳତାଡ଼ ମଧ୍ୟ କରିପାରିବେନି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଯାହା ସବୁ ଅଦାଲକ ସର୍ତ୍ତ ରଖିଥିଲେ ସିବିଆଇ ମାମଲାରେ ମଧ୍ୟ ସେବି ସବୁ ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ।

ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ। ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ପୁଅ ସମୟ ସାହୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ସକ୍ରିୟ ରାଜନୀତିରେ ଓଡ଼ିଆ ପୁଅ । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ମୟୂରଭଞ୍ଜର ସମୟ ସାହୁ । ମାତ୍ର ୨୧ବର୍ଷ ବୟସରେ ଆମେରିକା ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଚର୍ଚ୍ଚାକୁ ଆସିଛନ୍ତି ସମୟ । ବର୍ତ୍ତମାନ ଡେମୋକ୍ରାଟିକ୍ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ସମୟ ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା। ତାଙ୍କ ବାପା ମାନସ ସାହୁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ । ପରେ ଆମେରିକାରେ ଚାକିରି ପାଇବାରୁ ସପରିବାର ଭାରତ ଛାଡ଼ିଥିଲେ । ବର୍ତ୍ତମାନ ପରିବାର ସହ ସେ ଆମେରିକାର ନାସୁଆ ସହରରେ ରହୁଛନ୍ତି । ୨୦୦୮ ମସିହାରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ ।ସମୟଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା । ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । ୨୦୨୦ରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା । ଏବେ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସ୍ଙ୍କ ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି । କମଳା ହାରିସ ମଧ୍ୟ ସମୟଙ୍କ ରାଜନୈତିକ ଜୀବନ ଓ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

ଆସିକା ବିଜେପି ବିଧାୟକଙ୍କ ବିରୋଧରେ ସରପଞ୍ଚ ମେଳି

ଆସିକା : ଆସିକା ବିଜେପି ବିଧାୟକଙ୍କ ବିରୋଧରେ ମେଳି ବାନ୍ଧିଲେ ସରପଞ୍ଚ । ବିଧାୟକ ସରୋଜ ପାଢ଼ୀଙ୍କ ମନ୍ତବ୍ୟକୁ ନେଇ ତେଜିଲା ଅସନ୍ତୋଷ । ବିଧାୟକଙ୍କ ବିରୋଧରେ ଧାରଣାର ଚେତାବନୀ ଦେଲା ସରପଞ୍ଚ ସଂଘ । ଆସିକା ବିଧାୟକ ସରୋଜ ପାଢୀ ଆସିକା ସରପଞ୍ଚଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଗତ ୨୪ ବର୍ଷର ସରକାର ସମୟରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳିରେ ସମସ୍ତ ସରପଞ୍ଚ ଫଲ୍ସ ବିଲ୍ କରି ମାଲେମାଲ୍ ହୋଇଛନ୍ତି। ଯଦି ତଦନ୍ତ ହୁଏ ତେବେ ଶହେରୁ ଶହେ ସରପଞ୍ଚ ଜେଲ ଯିବେ ବୋଲି ସେ କହିଥିଲେ । ଏମାନଙ୍କ ବିରୋଧରେ ତଦନ୍ତ ହେବା ଆବଶ୍ୟକ ବୋଲି କହିବା ପରେ ତେଜିଥିଲା ଅସନ୍ତୋଷ। ବିଧାୟକଙ୍କ ମନ୍ତବ୍ଯକୁ କଡା ନିନ୍ଦା କରିବା କରିଥିଲା ସରପଞ୍ଚ ସଂଘ। ବିଧାୟକ ସରୋଜ ପାଢ଼ୀଙ୍କ ମନ୍ତବ୍ଯ ନେଇ ଧାରଣା ଦେବାର ଚେତାବନୀ ଦେଇଛି ସରପଞ୍ଚ ସଂଘ।

ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

କଳାହାଣ୍ଡି : ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ। ନୂଆଁଖାଇ କଳାହାଣ୍ଡି ଜିଲ୍ଲାର ଭିନ୍ନ ଏକ  ପରମ୍ପରା । ସବୁଠି ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦ ଠାରୁ ଆରମ୍ଭ କରି ଦାଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ତେବେ ଆଜି ସମଗ୍ର ଗଡ଼ଜାତ ଅଞ୍ଚଳରେ ପାଳିତ ହେଉଛି ନୂଆଁଖାଇ। ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୪୦ ମିନିଟରେ ନବାନ୍ନ  ଲାଗି ହୋଇସାରିଛି। ଦିନ ୯ ଘଟିକାରୁ ମାଆଙ୍କ ମନ୍ଦିର ଦ୍ଵାରା ଖୋଲା ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ମାଆଙ୍କ ଠାରେ ଲାଗି ହୋଇଥିବା ନୂଆଁ ଚୂଡା, ଧାନ, ଗୁଡକୁ ନେଇ ଘରେ ନିଜ ଇଷ୍ଟଦେବତାଙ୍କୁ ପୂଜାର୍ଚ୍ଚନା ପରେ ସକାଳ ୧୦ଟା ୩ ମିନିଟ ରୁ  ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବାର ସମୟ ରହିଛି। ନୂଆଁଖାଇ ପାଇଁ ଉତ୍ସବ ମୁଖର ହୋଇଛି ଗଡ଼ଜାତ ଅଞ୍ଚଳ। ଘରେ ଘରେ ପିଠାପଣାର ମହକ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ପୂର୍ବ ବାଂଲାଦେଶ ଆଖପାଖରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ରାୟଗଡା ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କ କରାଯାଇଛି । କାଲିଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧିପାଇବ । କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡକୁ ସତର୍କତା ଜାରି ହୋଇଛି । ଏହି ୩ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ନେଇ ଝାରସୁଗୁଡା, ସମ୍ବଲପୁର, ଦେବଗଡ, କୋରାପୁଟ, ନବରଙ୍ଗପୁର, ଯାଜପୁର, ବରଗଡ, ରାୟଗଡା, କଳାହାଣ୍ଡି ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କଲା CTGST ବିଭାଗ । ୨୦ କେଜି ସୁନାରୁ ୧୬କେଜି ସୁନାର ହିସାବ ଠିକ ଥିବାବେଳେ ୪ କେଜି ସୁନାର ହିସାବ ମେଳ ଖାଉନାହିଁ । ଇନଭଏସ, ଡେଲିଭରି ସାର୍ଟିଫିକେଟ ଠିକ ନଥିବା ସୂଚନା ମିଳିଛି । ଫଳରେ ସୁନା ଜବତ ରଖି ୧୭ ବ୍ୟବସାୟୀଙ୍କୁ ପଚରାଉଚୁରା କରୁଛି CTGST । ଭୁବନେଶ୍ୱରର ୫ ବ୍ୟବସାୟୀଙ୍କ ସମେତ କଳାହାଣ୍ଡି, ଅନୁଗୁଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ସୁନା ଯାଉଥିଲା । ଯାହାକି ରାଜସ୍ଥାନରୁ ଆସିଥିଲା । ଗତ ୨୬ ତାରିଖରେ ମଧ୍ୟ ଏପରି ୩୦କେଜି ସୁନା, ୨୦୦କେଜି ରୂପା CTGST ଧରିଥିଲା । ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲା । ଯାହାର ତଦନ୍ତ ଏବେବି ଜାରିରହିଛି ।  ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଛନ୍ତି ।

ଷ୍ଟ୍ରେଚରରେ ଅସହାୟ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଲେ ବିଡ଼ିଓ

ନବରଙ୍ଗପୁର : ମାନବିକତା ଦେଖାଇଲେ ବିଡ଼ିଓ । ଷ୍ଟ୍ରେଚରରେ ଅସହାୟ ବୃଦ୍ଧାଙ୍କୁ ବୋହି ଆଣିଲେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଗତ କିଛିଦିନ ଧରି ଜଣଏ ଅଜଣା ଅସହାୟ ବୃଦ୍ଧ ମାଳିଗୁଡା ଗ୍ରାମର ନଦୀ ତଟରେ  ଭୋକିଲା ଅବସ୍ଥାରେ ପଡିରହିଥିଲେ । ଗ୍ରାମର ଯୁବକମାନେ ଏନେଇ  ବିଡ଼ିଓଙ୍କୁ ଅବଗତ କରାଇଥିଲେ । ଉଦ୍ଧାର ପାଇଁ ଆମ୍ବୁଲାନ୍ସ ଡାକିଥିଲେ । କିନ୍ତୁ ଆଗରେ କାଦୁଅ ଭର୍ତ୍ତି ରାସ୍ତା ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରି ନଥିଲା । ବିଡ଼ିଓ ପହଞ୍ଚି ଗ୍ରାମର କିଛି ଯୁବକ ଓ ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର କହଁରଙ୍କ ସହ ମିଶି ନିଜେ ଷ୍ଟ୍ରେଚରରେ ନଦୀ ପଠାରୁ ବୃଦ୍ଧଙ୍କୁ ବୋହି ବୋହି  ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ବୃଦ୍ଧଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବୃଦ୍ଧ ଜଣକ ସୁସ୍ଥ ହେବା ପରେ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯିବ ବୋଲି କହିଛନ୍ତି ବିଡ଼ିଓ ।

ଥମୁନି ମଣିଷଖିଆ ଗଧିଆ ଆତଙ୍କ, ଘରେ ପଶି ମହିଳାଙ୍କୁ କଲା ଲହୁଲୁହାଣ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର ଥମୁନି ମଣିଷଖିଆ ଗଧିଆ ଆତଙ୍କ । ବାହାରିଚରେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କଲା ଗଧିଆ । ଘର ଭିତରେ ପଶି ମହିଳାଙ୍କୁ କଲା ଲହୁଲୁହାଣ । ୨୩ ବର୍ଷୀୟ ଜଣେ ମହିଳା ଘରେ ଥିବାବେଳେ ଗଧିଆ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ଗତ ୩ ଦିନରେ ଗଧିଆଟି ଜଣେ ଶିଶୁ ସମେତ ୩ ଜଣଙ୍କୁ ଆକ୍ରମଣ କଲାଣି । ୨ ମାସରେ ଗଧିଆ ଆକ୍ରମଣରେ ୯ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୂର୍ବରେ ବରେଲି ଅଞ୍ଚଳରେ ମଧ୍ଯ ମଣିଷଖିଆ ଗଧିଆ ଉତ୍ପାତ ରଚିଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବାବେଲେ ରାତିସାରା ଉଜାଗର ରହି ଗଧିଆକୁ ଜଗୁଛନ୍ତି । ବନ ବିଭାଗ ମଧ୍ଯ ଗଧିଆ ଉପରେ ନଜର ରଖିଛି ।