ନନ୍ଦିଘୋଷ ବ୍ୟୁରୋ : ନାମ ପରିବର୍ତ୍ତନର ଆଉ ଏକ ଉଦାହରଣ। ଏଥର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର। ଏହାର ନାମ ରଖାଯାଇଛି ଶ୍ରୀ ବିଜୟ ପୁରମ। ଔପନିବେଶ କାଳରୁ ପୋର୍ଟ ବ୍ଲେୟାର ନାମ ବେଶ୍ ପରିଚିତ ଥିଲା। ଔପନିବେଶିକ ଛାପରୁ ଦେଶକୁ ମୁକ୍ତ କରିବା ଲାଗି ଏହା କରାଗଲା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି- ସ୍ବାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ସୂଚକ ହେବ ଶ୍ରୀ ବିଜୟ ପୁରମ ନାମକରଣ। ସେ ଆହୁରି କହିଛନ୍ତି- ପୋର୍ଟ ବ୍ଲେୟାରରେ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତ୍ରିରଙ୍ଗା ଉଡାଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନିର ପୂର୍ବତନ ନୌସେନା ଅଫିସର କ୍ଯାପଟେନ ଆର୍ଚିବାଲ୍ଡ ବ୍ଲେୟାରଙ୍କ ନାମାନୁସାରେ ପୋର୍ଟ ବ୍ଲେୟାର ନାମିତ ହୋଇଥିଲା। ଗତ ୨୦୧୮ରେ ସରକାର ଆଣ୍ଡାମାନ ଓ ନିକୋବର ଅନ୍ତର୍ଗତ ରସ୍ ଆଇଲାଣ୍ଡ, ନୀଲ ଆଇଲାଣ୍ଡ ଓ ହାଭେଲକ ଆଇଲାଣ୍ଡକୁ ଯଥାକ୍ରମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ, ସହିଦ ଦ୍ବୀପ ଓ ସ୍ବରାଜ ଦ୍ବୀପ ନାମରେ ନାମିତ କରିଥିଲେ।
ଗୁଜରାଟ ମେଶୋ ନଦୀରେ ଅଘଟଣ; ଗାଧୋଇବାବେଳେ ବୁଡିଯାଇ ପ୍ରାଣ ହରାଇଲେ ୮ ଜଣ
ନନ୍ଦିଘୋଷ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୮ ଜଣ। ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ମେଶୋ ନଦୀରେ ଘଟିଛି ଅଘଟଣ। ଦେଗାମ ତାଲୁକା ଅଧୀନ ଭସନା ସୋଗଥି ଗ୍ରାମର କିଛି ଲୋକ ନଦୀରେ ଗାଧୋଇବାବେଳେ ବୁଡିଯାଇଥିଲେ ବୋଲି କହିଛନ୍ତି ସବଡିଭିଜନାଲ ମାଜିଷ୍ଟ୍ରେଟ ଏସ.ବି. ମୋଦିୟା। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୮ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକଙ୍କ ମୃତ୍ଯୁ ଘଟିଥିବା ଆଶଙ୍କା ରହିଛି। ପହଁରା ନଜାଣି ଗଭୀର ନଦୀକୁ ଚାଲିଯାଇଥିବାରୁ ସେମାନଙ୍କର ମୃତ୍ଯୁ ଘଟିଥିବା କୁହାଯାଇଛି। ନଦୀରେ ଏକ ଚେକ୍ ଡ୍ଯାମ ନିର୍ମାଣ ହେଉଥିବାରୁ ଜଳ ପରିମାଣ ଅଧିକ ଥିଲା।
ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିକାଶ ନିମନ୍ତେ ଓଡ଼ିଶାରେ ଜାତୀୟ ସ୍ତରର ମୌସୁମୀ ବୈଠକ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରର ମୌସୁମୀ ବୈଠକ । ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଏହି ବୈଠକ ଅୟୋଜିତ ହୋଇଛି । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟା କରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା । ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କାର୍ଯ୍ୟlନ୍ବୟନ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ଥିଲେ। ୧୫ଟି ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଭାଗ ନେଇଥିଲେ।
ଏହାସହ ଓମଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ଗୋଲ୍ଡ ପ୍ଲସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା। ଏହାସହ ଏ-ହେଲ୍ପ ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି । ନ୍ୟାସନାଲ ଡାଏରି ଡେଭଲପମେଣ୍ଟ ବୋର୍ଡ ଏବଂ ଓମଫେଡ ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ଶୁଭାରମ୍ଭ କରାଯାଇଥିଲା। ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି।
କ୍ଷମତା ଥାଉ କି ନଥାଉ; ଓଡିଶାବାସୀଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବିଜେଡି
ଭୁବନେଶ୍ୱର: ଲୋକଙ୍କ ନେତା ନବୀନ। ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ସାଥୀ ହୋଇ ରହିଛନ୍ତି ନବୀନ । କ୍ଷମତା ଥାଉ କି ନଥାଉ ସବୁବେଳେ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରି ଆସୁଛନ୍ତି । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିରୋଧୀ ଦଳ ଭାବେ ବିଜେଡି କେବେ ପଛଘୁଞ୍ଚା ଦେବନାହିଁ । ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ଓଡ଼ିଶାର ବିକାଶକୁ ଆଗେଇ ନେବାକୁ ସଭିଁଙ୍କ ସହଯୋଗ ଲୋଡୁଛି ଦଳ । ନବୀନଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କାମ ଗୁଡ଼ିକ ସରିବା ଯାଏଁ ତାହାକୁ ଜଗିବ ବିଜେଡି ।
ଓଡିଶାବାସୀଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ବିଜେଡି। ୧୯୯୭ରୁ ଗଠନ ହେବା ଦିନଠାରୁ ଓଡ଼ିଶାର ସ୍ବାର୍ଥ ପାଇଁ ସଂଗ୍ରାମ ଜାରି ରଖିଛି ଦଳ । ଏହାରି ଭିତରେ ନିର୍ବାଚନ ଆସିଛି ଆଉ ଯାଇଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେତିକି ତତ୍ପର ଥିଲେ ବିରୋଧୀ ଦଳ ନେତା ସମୟରେ ବି ଠିକ ସେତିକି ତତ୍ପର । ପ୍ରତ୍ୟେକ ଦିନ ଓଡ଼ିଶାର ବିକାଶ ରଥକୁ କିପରି ଆଗେଇବ ନେଇହେବ ଓ ଓଡ଼ିଶାବାସୀଙ୍କ ସମସ୍ୟା ଦୂର ହେବ ସେଦିଗରେ କାମ କରୁଛନ୍ତି । ନବୀନ ନିବାସରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ବହୁ ଉପାଦେୟ ପରାମର୍ଶ ଦେଉଛନ୍ତି । ବିରୋଧୀ ଦଳଭାବେ ବିଜେଡି କେବେ ପଛଘୁଞ୍ଚା ଦେବନି ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଲୋକଙ୍କ ବିକାଶ ସବୁବେଳେ ବିଜେଡିର ମୂଳ ଏଜେଣ୍ଡା ଥିଲା ଓ ରହିବ ବୋଲି ସେ ଯୁକ୍ତି ବାଢିଛନ୍ତି । ଦଳର ଛାମୁଆ ସଂଗଠନ ବୈଠକ କରି ଜନସେବାକୁ ଜାରି ରଖିବା ପାଇଁ ନବୀନ ଗୁରୁମନ୍ତ୍ର ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।
ଜନସେବା ସହ ଦଳୀୟ ସଂଗଠନ ଉପରେ ମଧ୍ୟ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ। ଶଙ୍ଖ ଭବନରେ ବିଭିନ୍ନ ଜିଲ୍ଲା ସଂଗଠନର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୂତ କରିବାକୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ପରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରିବାକୁ ବିଜେଡି ବଡ଼ ପ୍ଲାନ କରିଛି । ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଗକୁ ଜୋରଦାର ଲଢେଇ କରିବାକୁ ଦଳ ସଜବାଜ ଆରମ୍ଭ କରିଛି ।
ସଶକ୍ତ ବିରୋଧୀ ଦଳ ଭାବେ ବିଜେଡ଼ି ପୋଲାଭରମ, ମହାନଦୀ, କୋଟିଆ ଠାରୁ ଆରମ୍ଭ ରାଜ୍ୟ ସ୍ବାର୍ଥ ଥିବା ବଡ଼ବଡ଼ ପ୍ରସଙ୍ଗକୁ ମୁଦ୍ଦା କରିଛି । ଓଡ଼ିଶାର ଦାବିପୂରଣ କରିବାକୁ ବିଜେଡି ସଂଗ୍ରାମ ଜାରି ରଖିଛି । ଆଗକୁ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇକୁ ଜୋରଦାର କରିବାକୁ ଦଳ ଲମ୍ବା ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ।
ବିର୍ଲା ଆଇନ୍ ସ୍କୁଲରେ ପ୍ରଥମ ରାଜ୍ୟ ସ୍ତରୀୟ ମେଡିଟେସନ୍ ପ୍ରତିଯୋଗିତା ଉଦଯାପିତ
ଭୁବନେଶ୍ୱର: ବିର୍ଲା ଆଇନ୍ ସ୍କୁଲରେ ପ୍ରଥମ ରାଜ୍ୟ ସ୍ତରୀୟ ମେଡିଟେସନ୍ ପ୍ରତିଯୋଗିତା ଉଦଯାପିତ । ସ୍ଥାନୀୟ ବିର୍ଲା ଆଇନ୍ ସ୍କୁଲରେ ଚାଲିଥିବା ଦୁଇ ଦିନିଆ ମେଡିଟେସନ୍ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଗୁରୁବାର ଦିନ ଏହି ପ୍ରତିଯୋଗିତାକୁ ବିର୍ଲା ଗ୍ଲୋବାଲ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପି. ପି. ମାଥୁର ଉଦଘାଟନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ବି. କେ. ଦାସ ମେଡିଟେସନର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହିତ ଏହା ଆପୋଷ ବୁଝାମଣାରେ କିପରି ସହାୟକ ହୋଇପାରିବ ସେ ବିଷୟରେ ଅଧିକ ସୂଚନା ଦେଇଥିଲେ । ଲ’ ସ୍କୁଲର ଡିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ପ୍ରଥମ ଦିବସରେ ପ୍ରାଥମିକ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଦ୍ଵିତୀୟ ଦିବସରେ ସେମି ଫାଇନାଲ ଏବଂ ଫାଇନାଲ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ବିଜୟୀ ହୋଇଥିଲେ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା ।
ବିଶ୍ଵବିଦ୍ୟାଳୟର କୁଳସଚିବ, ସରୋଦ ବନ୍ଦରର ଆରବିଟ୍ରେଟର ଅଶୋକ କୁମାର ମହାପାତ୍ର ଏବଂ ସ୍କୁଲର ଡିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟାପକ ମଣ୍ଡଳୀ ଏବଂ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
ଭୁବନେଶ୍ବର କୋଳଥିଆ ବୃନ୍ଦାବନ ଗାର୍ଡେନକୁ ବିଏମସି ମେୟରଙ୍କ ଅଚାନକ ଗସ୍ତ
ଭୁବନେଶ୍ବର: ଭୁବନେଶ୍ବର କୋଳଥିଆ ବୃନ୍ଦାବନ ଗାର୍ଡେନକୁ ବିଏମସି ମେୟର ସୁଲୋଚନା ଦାସ ଅଚାନକ ଗସ୍ତ କରିଥିଲେ। ଜବବରଦଖଲ, ଡ୍ରେନଜ ପୋତି ହେବା ଓ ପରିମଳ ଅବ୍ଯବସ୍ଥା ନେଇ ସମୀକ୍ଷା କରିଛନ୍ତି। ଅବବ୍ଯସ୍ଥା ନେଇ ଏଜେନ୍ସିକୁ ତାଗିଦ କରିଛନ୍ତି ମେୟର । ସରକାରୀ ଜାଗାକୁ ଜବରଦଖଲ କରି କିଏ ବଗିଚା କରିଛି ତ ଆଉ କିଏ ଗାଈ ଗୁହାଳ । ବିଏମସି ଲଗାଇଥିବା ଗଛକୁ ତାରଜାଲି ଭିଡି ନିଜ କବଜାକୁ ନେଇଛନ୍ତି ଲୋକେ ।
ସେପଟେ ବିଡିଏ ତିଆରି କରୁଥିବା ଖେଳପଡିଆର ମାଟି ଆସି ଡ୍ରେନ ପୋତି ହୋଇଥିବା ସରକାରୀ ୟନ୍ତ୍ରୀଙ୍କ ପାଖରେ ଖବର ନାହିଁ । ପୋତି ହୋଇଥିବା ଡ୍ରେନକୁ ସଫା କରିବା ପାଇଁ ଯନ୍ତ୍ରୀ ଓ ଦାୟିତ୍ବରେ ଥିବା ବିଏମସି କର୍ମଚାରୀକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଚଳିତବର୍ଷ କୋଳଥିଆ ସ୍ବର୍ଗଧାମର ଉନ୍ନତି ପାଇ ଟଙ୍କା ବରାଦ ହୋଇଥିଲା। ହେଲେ ସେଠାର ରକ୍ଷାଣବେକ୍ଷଣ ଓ ସଫେଇ ଅଭାରୁ ବୁଦା ମାଡି ଯାଇଛି । ଏ ନେଇ ସ୍ଥାନୀୟ କର୍ପୋରେଟର, ଯନ୍ତ୍ରୀ, ଏଜେନ୍ସି ଓ ଡ୍ରେନଜ ବିଭାଗର ଅଧିକାରୀଙ୍କୁ ଡାକି ବ୍ଯବସ୍ଥିତ କରିବା ପାଇଁ ଆଲୋଚନା କରିଛନ୍ତି । ସେପଟେ ସଫେଇ ଓ ଗାରବେଜ ଉଠାଇବା ପାଇଁ ସଂପୃକ୍ତ ଏଜେନ୍ସିକୁ ୭ ଦିନର ମହଲତ ଦେଇଛନ୍ତି ମେୟର ।
୧୮ ତାରିଖ ପରେ ସ୍ପଷ୍ଟ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ରହସ୍ୟ
ପୁରୀ: ୧୮ ତାରିଖରେ ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ବୈଜ୍ଞାନିକ ପଦ୍ଧତିରେ ଭଣ୍ଡାର ଘରର ହେବ ଯାଞ୍ଚ। ଖୋଲିପାରେ ଗୁପ୍ତ ସୁଡ଼ଙ୍ଗର ରହସ୍ଯ । ଦିନ ଗୋଟାଏରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏଏସଆଇର ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ ରତ୍ନ ଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ କରିବେ । ଭଣ୍ଡାର ଗୃହ ଭିତରେ ଗୁପ୍ତ ସୁଡଙ୍ଗ, କୋଠରୀ ଓ ଗୁପ୍ତ ରାସ୍ତା ଥିବା ନେଇ ଚର୍ଚ୍ଚା ଉପରେ ସବୁକିଛି ଯାଞ୍ଚ କରାଯିବ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ହେତୁ ଏହାର ଶୀଘ୍ର ମରାମତି କରିବାକୁ ସେବାୟତ ଅନୁରୋଧ କରିଛନ୍ତି । ରତ୍ନ ଭଣ୍ଡାର କମିଟି ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଶୃଙ୍ଖଳିତ ଯାଞ୍ଚ ପାଇଁ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି ।
ଯାଞ୍ଚ କାର୍ଯ୍ଯରେ ଏଏସଆଇକୁ ହାଇଦ୍ରାବାଦର ଇଣ୍ଡିଆନ ଜିଓ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଦୁଇଜଣ ବୈଜ୍ଞାନିକ ସହାୟତା କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ଦିନ ଦ୍ଵିତୀୟ ଭୋଗମଣ୍ଡପ ପରେ ପରେ ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଯାଞ୍ଚ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବାକୁ ଥିବା ବେଳେ କେବଳ ମହାପ୍ରସାଦ କିଣିବାକୁ ଯାଇପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତ୍ତରଦ୍ୱାର ବାଟେ ପ୍ରସ୍ଥାନ କରିବେ ବୋଲି ନିଷ୍ପତି ନିଆଯାଇଛି । ବିଧି ବ୍ୟବସ୍ଥା ମଧ୍ୟରେ ସବୁ କାର୍ଯ୍ୟ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ପୂର୍ବରୁ ରତ୍ନଭଣ୍ଡାରରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ଅସ୍ଥାୟୀ ଭଣ୍ଡାର ଗୃହକୁ ସ୍ଥାନାନ୍ତରିତ ହୋଇଥିବାବେଳେ ଆଲମୀରା ଓ ସିନ୍ଧୁକ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି ।
ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ: ସଫେଇ କାମରେ ସହଯୋଗ କରିବାକୁ ଅପିଲ୍
ଭୁବନେଶ୍ୱର: ଭୁବନେଶ୍ୱରରେ ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ। ବିଏମସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ୫ ସୁତ୍ରୀର ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଉଠାଦୋକାନୀ ଷ୍ଟଲରେ ଅନୁମୋଦନପତ୍ର ରଖିବା ବାଧ୍ୟତାମୂଳକ। ସ୍ବାସ୍ଥ୍ୟରକ୍ଷା ପ୍ରତି ମୁଣ୍ଡରେ ସ୍କ୍ରାଫ ବା ଟୋପି, ମାସ୍କ, ଗ୍ଲୋବ୍ସ ପିନ୍ଧିବେ। ସଫା ପୋଷାକ ସାଙ୍ଗକୁ ଆପ୍ରୋନ୍ ପିନ୍ଧିବେ । ଗରାଖଙ୍କୁ ଖାଦ୍ୟ ଦେବାବେଳେ ଷ୍ଟିଲ୍ ବା ପୁନଃ ଉପଯୋଗ ଗିନା, କପ୍, ଥାଳି, ପ୍ଲେଟ ବ୍ୟବହାର କରିବେ । ସେହିପରି ଏକକ ବ୍ୟବହାର ପାତ୍ର, ପ୍ଲେଟ୍ ଇତ୍ୟାଦିରେ ଗରାଖଙ୍କୁ ଆଦୌ ଖାଦ୍ୟ ପରସିବେ ନାହିଁ । ଖାଦ୍ୟଦ୍ରବ୍ୟ ଘୋଡ଼ାଇ ରଖିବା ସହ ଥାଳି ଇତ୍ୟାଦିରେ ଅଏଲ୍ ପେପର ପକାଇ ଖାଦ୍ୟ ଦେବାକୁ କୁହାଯାଇଛି। ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବା ବାଧ୍ଯତାମୂଳକ। ବିଏମ୍ସି ସଫେଇ ଗାଡ଼ିରେ ବର୍ଜ୍ୟ ଦେବାକୁ ବିଏମସି କହିଛି ।
ସେହିଭଳି ଚା’ ଦୋକାନ କରିଥିଲେ ଏକକ ବ୍ୟବହାର କପରେ ଆଦୌ ଚା ଦେବେ ନାହିଁ । କେବଳ ପୁନଃ ଉପଯୋଗ କପ୍ ଏବଂ ମାଟିକପରେ ଚାହା ଦେବେ ଦୋକାନୀ । ଏବେ ସ୍ବଚ୍ଛତା ଅଭିଯାନ ୧୦ ବର୍ଷରେ ପହଞ୍ଚିଛି । ତେଣୁ ସବୁଜ ଓ ସ୍ବଚ୍ଛ ପରିବେଶ ଲାଗି ବିଏମସି ମେୟର ଆହ୍ବାନ ଦେଇଛି ।
ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା; ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା କଷ୍ଟ
ରାୟଗଡା: ଯୋଜନା ନାଁରେ ମିଳୁଛି ଯନ୍ତ୍ରଣା । ପ୍ରତିଶୃତି ଦେଇ ଠକିଦେଲେ। ବିଜେପି ସରକାର। ଜନନୀ ଯନ୍ତ୍ରଣାରୁ ବଳିଯାଇଛି ସୁଭଦ୍ରା ଯନ୍ତ୍ରଣା । ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ହେଲେ ଶାସନକୁ ଆସିବା ପରେ ବର୍ଷକୁ ଦୁଇଟି କିସ୍ତିରେ ମାତ୍ର ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଆଉ ଏବେ ସେହି ଦୁଃଖରୁ ବଳି ପଡ଼ିଛି ଆବେଦନ ପ୍ରକ୍ରିୟା । ଆଧାରରେ ଫୋନ୍ ଲିଙ୍କ୍ କରିବା ସାଙ୍ଗକୁ ଫର୍ମପୂରଣ କରିବାକୁ ଜନସେବା କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ପ୍ରାୟ ୪୨ ହଜାର ୯୨୪ ଜଣ ମହିଳା ଫର୍ମ ପୂରଣ କରିବାକୁ ହନ୍ତସନ୍ତ ହେଉଛନ୍ତି । ତେବେ ପ୍ରଶ୍ନ ଉଠୁଛି- ମହିଳାମାନେ କଣ ସତରେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ? ନା ଯୋଜନା କେବଳ ପ୍ରତିଶୃତି ପାଲଟିବ ।
ବିଜେପି ସରକାରଙ୍କ ନୀତି ନିୟମରେ ଏବେ ଅଣନିଶ୍ଵାସୀ ପାଲଟିଲେଣି ଜନସାଧାରଣ । ଜନସେବା କେନ୍ଦ୍ରଗୁଡିକରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି ମହିଳା। ଦିନ ତାମାମ ସାଇଟ୍ ଖୋଲୁ ନଥିବା ବେଳେ ଛୋଟ ଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଜନସେବା କେନ୍ଦ୍ର ବାରଣ୍ଡାରେ ବସିରହୁଛନ୍ତି ମହିଳା । ସେହିପରି କିଛି ମହିଳା ଦିନ ମଜୁରୀ ଛାଡି ଖରା ବର୍ଷାକୁ ଖାତିରି ନକରି କେନ୍ଦ୍ର ବାହାରେ ଜଗି ବସୁଥିବା ନେଇ ଦେଖିବାକୁ ମିଳିଛି। ତେବେ ନୂଆ ସରକାର ଆସିବା ପରେ ଗ୍ରାମବାସୀ ଏବେ ଦ୍ଵନ୍ଦ୍ଵରେ ପଡିଯାଇଛନ୍ତି । ବାସ୍ତବରେ ବିକାଶ ଆଡକୁ ଯିବେ ନା ତଳିତଳାନ୍ତ ହେବେ, ସେ ନେଇ ଚିନ୍ତାରେ ଦିନ କାଟୁଛନ୍ତି । ଯୋଜନା ହୋଇଛି ମହିଳାଙ୍କ ସୁବିଧା ପାଇଁ । ହେଲେ ଏହି ସୁବିଧା ଏତେ ଯନ୍ତ୍ରଣା ପରେ କଣ କାମରେ ଆସିବ ତାକୁ ନେଇ ସନ୍ଦେହରେ ମହିଳା ।

