spot_img
Home Blog Page 1587

ଆଇପିଏଲ ମେଗା ନିଲାମ ବିଷୟରେ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିଥିଲେ ଋଷଭ ପନ୍ତ

ନନ୍ଦିଘୋଷ ବ୍ୟୁରୋ : ବିସିସିଆଇ ନିକଟରେ ଆଇପିଏଲ ୨୦୨୫ର ମେଗା ନିଲାମ ପାଇଁ ନିୟମ ପ୍ରକାଶ କରିଥିଲା । ଏହି ଅବଧି ମଧ୍ୟରେ ବୋର୍ଡ ଅନେକ ନିୟମରେ ପରିବର୍ତ୍ତନ ଆଣିଥିଲା ​​ଏବଂ ଦଳର ପର୍ସ ମଧ୍ୟ ବୃଦ୍ଧି କରିଥିଲା  । ନୂତନ ନିୟମର ଆଗମନ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଦଳ ଏହାର ସଂରକ୍ଷଣ ତାଲିକା ପ୍ରକାଶ କରିନାହାଁନ୍ତି । ବହୁ ତାରକା ଖେଳାଳିଙ୍କ ପୁରୁଣା ଦଳ ଛାଡିବା ବିଷୟରେ ମଧ୍ୟ ଆଲୋଚନା ହେଉଛି  । ତେଣୁ ବିଶ୍ବାସ କରାଯାଏ ଯେ, ଏଥର ନିଲାମ ବହୁତ ବଡ ହେବ। ଋଷଭ ପନ୍ତଙ୍କ ବିଷୟରେ ମଧ୍ୟ ଏକ ଗୁଜବ ଅଛି ଯେ, ସେ ଦିଲ୍ଲୀ ଦଳ ଛାଡିପାରନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ଆରମ୍ଭ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପର୍ଯ୍ୟନ୍ତ ସବୁକିଛି ତାଙ୍କ ନାମ ସହିତ ଜଡିତ ହୋଇଛି  । ଏହି ଖବର ମଧ୍ୟରେ ପନ୍ତ ତାଙ୍କ ପ୍ରଶଂସକଙ୍କୁ ନିଲାମକୁ ଯିବା ବିଷୟରେ ଏକ ପ୍ରଶ୍ନ ପଚାରି ଏକ ଆଲୋଡନ ସୃଷ୍ଟି କରିଛନ୍ତି  ।

୨୦୧୬ ରୁ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ ଦଳର ଏକ ଅଂଶ ରହିଆସିଛନ୍ତି । କାର ଦୁର୍ଘଟଣା ପରେ ଫେରିବା ପରେ ଦଳ ତାଙ୍କ ଅଧିନାୟକତ୍ୱରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଅବଶ୍ୟ, ଏହା ପ୍ଲେ ଅଫ୍ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଲା  । ଦିଲ୍ଲୀ ଦଳ ବେଙ୍ଗାଲୁରୁ ଏବଂ ଚେନ୍ନାଇ ବିପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍ ଜିତିଥିଲା ​​କିନ୍ତୁ ନେଟ୍ ରନ୍ ହାରରେ ହାରି ଯାଇଥିଲା । ଏପରି ପରିସ୍ଥିତିରେ, ଯେକ କୌଣସି ଫ୍ରାଞ୍ଚାଇଜ୍ ତାଙ୍କ ପ୍ରତିଭା ଏବଂ ପ୍ରଦର୍ଶନକୁ ବିଚାର କରି ତାଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି । ଏହି ସମୟରେ ପନ୍ତ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ ୧୧ ଅକ୍ଟୋବର ମଧ୍ୟରାତ୍ରିରେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ସେ ପଚାରିଲେ, ‘ଯଦି ମୁଁ ମେଗା ନିଲାମକୁ ଯାଏ, ତେବେ ମୋତେ ବିକ୍ରି କରାଯିବ କି ନାହିଁ? ଯଦି ବିକ୍ରି ହୁଏ, ତେବେ କେତେ ଟଙ୍କା ହେବ? ତାଙ୍କର ଏହି ପ୍ରଶ୍ନ ଦିଲ୍ଲୀର ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ଅନେକ ପ୍ରଶଂସକ ପନ୍ତଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ  । କେହି କେହି ୨୦ କୋଟି, କିଛି ୧୮ କୋଟି ଆଶା କରିଥିବାବେଳେ କିଛି ପ୍ରଶଂସକ ୧୨କୋଟିରୁ ଅଧିକ ପାଇବାକୁ ଆଶା ପ୍ରକଟ କରିଥିଲେ। କିଛି ପ୍ରଶଂସକ ଥିଲେ ଯେଉଁମାନେ ଏହାକୁ ଥଟ୍ଟା ଭାବରେ ଗ୍ରହଣ କରିଥିଲେ  । ରାତିରେ ପିଇବା ପରେ ଏଭଳି ଚିନ୍ତାଧାରା ଆସେ ବୋଲି ସେ କହିଛନ୍ତି । ଗତଥର ଦିଲ୍ଲୀ ଫ୍ରାଞ୍ଚାଇଜ୍  ଋଷଭ ପନ୍ତଙ୍କୁ ୧୬କୋଟି ଟଙ୍କା ରଖିଥିଲା।

ଚଳିତ ବର୍ଷ ନଭେମ୍ବରର ଶେଷ ସପ୍ତାହରେ ମେଗା ନିଲାମ ହେବାର ସମ୍ଭାବନା ରହିଛି । ଏଥିରେ ଅନେକ ତାରକା ଖେଳାଳିଙ୍କୁ ଦେଖିବାକୁ ମିଳେ  । ସେଥିପାଇଁ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି  ।

କୋରେଇରେ ଦୁର୍ଗା ମଣ୍ଡପରୁ ଲୁଟ୍

ଯାଜପୁର : ଯାଜପୁର କୋରେଇରେ ଦୁର୍ଗା ମଣ୍ଡପରୁ ଲୁଟ୍।  ମା’ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କ ସୁନା ରୂପା ଅଳଙ୍କାର ସହ ରୂପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଦୁର୍ବୃତ୍ତ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ରାତିରେ ମା’ ଙ୍କ ନିତୀକାନ୍ତି ଶେଷକରି ଆୟୋଜକ କମିଟି ସଦସ୍ୟ ଓ ପୂଜକ ମଣ୍ଡପ ଫାଟକରେ ତାଲା ପକାଇ ଶୋଇବାକୁ ପଳାଇଥିଲେ। ପରେ ବିଳମ୍ବିତ ରାତିରେ ଶୌଚ ହେବାକୁ ଉଠିବା ବେଳକୁ ମଣ୍ଡପ ଫାଟକ ଖୋଲା ରହିଥିବା ସହ ମା’ର ଦୁର୍ଗା ଓ ପାର୍ଶ୍ଵ ଦେବଦେବୀଙ୍କର ଗହଣା ଏବଂ ରୁପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରେ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ଜଣାଇବା ସହ ଆଜି ସକାଳୁ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

୧୭,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଇଙ୍ଗ !

ନନ୍ଦିଘୋଷ ବ୍ୟୁରୋ : ଦଶ ପ୍ରତିଶତ କର୍ମଚାରୀଙ୍କୁ  ଛଟେଇ କରିବାକୁ ଯୋଜନା କରିଛି ବୋଇଙ୍ଗ । ଯେଉଁଥିରେ ପ୍ରାୟ ୧୭,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ଛଟେଇ କରାଯାଇପାରେ । ଏମିତି କିଛି ଘୋଷଣା କରିଛି ବୋଇଙ୍ଗ । ସିଆଟେଲ ଅଞ୍ଚଳରେ ହୋଇଥିବା ଧର୍ମଘଟକୁ ଦୃଷ୍ଟିରେ ରଖି ବହୁ କ୍ଷତି ସହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି। ସିଇଓ କେଲି ଅର୍ଟବର୍ଗ ଶୁକ୍ରବାର କର୍ମଚାରୀଙ୍କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି  । ଯେଉଁଥିରେ ସେ କହିଛନ୍ତି, ବୋଇଙ୍ଗ ମଧ୍ୟ ୨୦୨୭ରେ ବ୍ୟବସାୟିକ ୭୬୭ ମାଲବାହୀ ବିମାନ ଉତ୍ପାଦନ ବନ୍ଦ କରିବ। ସେ କହିଛନ୍ତି ଯେ କମ୍ପାନୀ ଦିନକୁ ଦିନ କ୍ଷତିର ସମ୍ମୁଖୀନ ହୋଇଛି, ଏହି କାରଣରୁ ବିମାନ କାରଖାନାଗୁଡ଼ିକରେ କାର୍ଯ୍ୟ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। ବିମାନ ଚଳାଚଳ କମ୍ପାନୀ ବୋଇଙ୍ଗ ଆଜିକାଲି ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଯାହାକୁ ସଂଶୋଧନ କରିବା ପାଇଁ କର୍ମଚାରୀ ସ୍ତରକୁ ସଜାଡ଼ିବାକୁ ପଡିବ। କମ୍ପାନୀ କହିଛି ଯେ, ପ୍ରାୟ ୩୩,୦୦୦ କର୍ମଚାରୀଙ୍କ ଦ୍ୱାରା ପ୍ରାୟ ଏକ ମାସର ଧର୍ମଘଟ ବିମାନ ଉତ୍ପାଦନରେ ବିଳମ୍ବ କରିଥିଲା ଏବଂ ଏହା କମ୍ପାନୀର ସମସ୍ୟାକୁ ଆହୁରି ବଢାଇ ଦେଇଥିଲା।

ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କର ମିଳିଲା ମୃତଦେହ

ସମ୍ବଲପୁର : ସମ୍ବଲପୁର ସଡ଼କଘାଟ ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କର ମିଳିଲା ମୃତଦେହ। ସମଲେଇ ମନ୍ଦିର ଘାଟରୁ ନବମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ମୃତ ଛାତ୍ର ସମ୍ବଲପୁର ତିୱାରୀ ଗଳିର ଏସ କନିସ୍କ ଓ ହିମାଂଶୁ। ଗତକାଲି ଅପରାହ୍ନରେ ମହାନଦୀରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡ଼ି ଯାଇଥିଲେ । ମହାନଦୀକୁ ଗାଧୋଇବାକୁ ଆସିଥିବା ବେଳେ ପ୍ରଥମେ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଛାତ୍ର ପାଣି ଭିତରକୁ ଯାଇଥିଲେ । ତେବେ ପହଁରା ଜାଣି ନଥିବାରୁ ଉଭୟେ ଭାସି ଯାଇଥିବା ଜଣା ପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

କ୍ଲିନ ସୁଇପ ଲକ୍ଷ୍ଯରେ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ବାଂଲାଦେଶ ଶେଷ ଟି-ଟ୍ବେଣ୍ଟି । ହାଇଦ୍ରାବାଦରେ ସନ୍ଧ୍ଯା ୭ଟାରୁ ଆରମ୍ଭ ହେବ ଖେଳ । ୩ଟିକିଆ ସିରିଜର ପ୍ରଥମ ଦୁଇଟି ମ୍ଯାଚ ଜିତି ଭାରତ ସିରିଜ ଜିତି ସାରିଛି । ଆଜିର ମ୍ଯାଚକୁ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ଯରେ ରହିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ଯାଚକୁ ଦଳ ୭ ୱିକେଟରେ ଜିତିଥିବାବେଳେ ଦ୍ବିତୀୟ ଟି-ଟ୍ବେଣ୍ଟିରେ ୮୬ ରନରେ ଜିତିଥିଲା ଭାରତ । ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଥିବାରୁ ଏହି ମ୍ଯାଚକୁ ମଧ୍ଯ ଭାରତ ଜିତିବା ଆଶା ରଖିଛି । ଅନ୍ଯପଟେ ଲଗାତାର ଟେଷ୍ଟ ସହ ଟି-ଟ୍ବେଣ୍ଟି ସିରିଜ ହାରିଥିବା ବାଂଲାଦେଶ ସମ୍ମାନ ରଖିବାକୁ ଉଦ୍ଯମ କରିବ । ଆଜି ମ୍ଯାଚ ଜିତି ସମ୍ମାନ ବଞ୍ଚାଇବାକୁ ରଣନୀତି କରିଛି ଭ୍ରମଣକାରୀ ଦଳ ।

ଦକ୍ଷିଣ ଲେବାନନରେ ଇସ୍ରାଏଲର ହମଲା, ଏକାଧିକ ଟନେଲ ନଷ୍ଟ କରିଥିବା ଇସ୍ରାଏଲର ଦାବି

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ଜୋରଦାର ହମଲା। ଆତଙ୍କୀ ସଂଗଠନ ହିଜବୁଲ୍ଲାର ଠିକଣା ଗୁଡିକୁ ଖୋଜି ଖୋଜି ଧ୍ଵସ କରୁଛି ଇସ୍ରାଏଲ। ଇସ୍ରାଏଲକୁ ଟାର୍ଗେଟ କରି ରଖାଯାଇଥିବା ମିସାଇଲ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନଷ୍ଟ କଲା ଆଇଡିଏଫ। ହିଜବୁଲ୍ଲାର ଅନେକ ଟନେଲକୁ ଖୋଜି ଧ୍ଵସ କରିଛନ୍ତି ଇସ୍ରାଏଲ ସେନା। ଇସ୍ରାଏଲ ସୀମାନ୍ତ ଅଂଚଳରେ ଏଭଳି ଅନେକ ଟନେଲ ଠାବ । ଏଭଳି ଅନେକ ନଷ୍ଟ କରାଯାଇଥିବା ଟନେଲକୁ ନଷ୍ଟ କରିଛି ଇସ୍ରାଏଲ। ରକେଟ ଓ ମିସାଇଲ ମାଡ଼ କରିଛି ଇସ୍ରାଏଲ। ଅନ୍ୟପଟେ ଇସ୍ରାଏଲ ଟାର୍ଗେଟର ଶିକାର ହୋଇଛନ୍ତି ଦକ୍ଷିଣ ଲେବାନନରେ ମୁତୟନ ଜାତିସଂଘର ଶାନ୍ତି ସେନା। ଶାନ୍ତିସେନା ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ। ଦକ୍ଷିଣ ଲେବାନରେ ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରୁଥିବା ଆକ୍ରମଣ ଦ୍ୱାରା ଶାନ୍ତିସେନା ପ୍ରଭାବିତ ହୋଇଛି ବୋଲି କହିଛି ଭାରତ। ଜାତିସଂଘର ଲେବାନନରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ମିଶନରେ ୬୦୦ ଭାରତୀୟ ସୈନ୍ୟ ରହିଛନ୍ତି। ସେମାନେ ଇସ୍ରାଏଲ-ଲେବାନନ ସୀମାକୁ ଲାଗି ଥିବା ୧୨୦ କିଲୋମିଟର  ବ୍ଲୁ ଲାଇନରେ ମୁତୟନ ହୋଇଛନ୍ତି। ଏବେ ଇସ୍ରାଏଲ ସେଠାରେ ଆକ୍ରମଣ କରୁଥିବାରୁ ଭାରତୀୟ ସୈନ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଦୁଇ ଦିନ ମଧ୍ଯରେ ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର : ଓଡ଼ିଶାରୁ ମୌସୁମୀ ଫେରିବାର ସମୟ ଉପନୀତ । ଆଉ ଦୁଇ ଦିନ ମଧ୍ଯରେ ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା କହିଛି ପାଣିପାଗ କେନ୍ଦ୍ର । ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସଂପୂର୍ଣ୍ଣ ଫେରିଯିବ ମୌସୁମୀ । ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡିଶା, ପଶ୍ଚିମବଙ୍ଗ ଏବଂ ସିକ୍କିମର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛି ପାଣିପାଗ୍ କେନ୍ଦ୍ର । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବାର ୮ ଦିନ ପରେ ଓଡିଶାରେ ପ୍ରବେଶ କରିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ ବର୍ଷା ନଥିବାରୁ ମୌସୁମୀ ଫେରିଯିବା ନେଇ ବାଟ ଫିଟିଛି ।

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ, ୨ଟି ବଗିରେ ଲାଗିଲା ନିଆଁ

ଚେନ୍ନାଇ : ଚେନ୍ନାଇରେ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ଟ୍ରେନର ୬ଟି ବଗି ଲାଇନଚ୍ଯୁତ ହୋଇଯାଇଥିବାବେଳେ ୨ଟି ବଗିରେ ନିଆଁ ଲାଗିଯାଇଛି । ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଟ୍ରେନଟି ମହୀଶୁରରୁ ବିହାର ଦରଭଙ୍ଗାକୁ ଯାତ୍ରା କରୁଥିଲା । ରାତି ସାଢେ ୮ଟାରେ କବରପେଟ୍ଟାଇ ଷ୍ଟେସନ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୬ଟି ବଗି ଲାଇନଚ୍ଯୁତ ହେବା ସହ ୨ଟି ବଗିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ କିଛିଲୋକ ଆହତ ହୋଇଥିବାବେଳେ ସୌଭାଗ୍ଯବଶତଃ କେହି ମୃତାହତ ହୋଇନାହାନ୍ତି । ଅଗ୍ନିଶମ ବାହିନୀ ଓ ରେସ୍କ୍ଯୁ ଟିମ୍ ଉଦ୍ଧାର କାର୍ଯ୍ଯ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଲାଇନରେ ମାଲବାହୀ ଟ୍ରେନ ଥାଇ କିପରି ସେହି ଲାଇନରେ ପାସେଞ୍ଜର ଟ୍ରେନକୁ ଅନୁମତି ମିଳିଲା ? ଏହା ଯାନ୍ତ୍ରିକ ନା ମାନବିକ ତୃଟି ? କେଉଁ କାରଣରୁ ଏପରି ଅଘଟଣ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

ଆଜି ମହାନବମୀ , ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା

ଭୁବନେଶ୍ବର : ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।

ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ, ଦୁର୍ଘଟଣା ପରେ ଲାଗିଲା ନିଆଁ

ଚେନ୍ନାଇ: ଚେନ୍ନାଇରେ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ମହୀଶୁର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି ।

ଟ୍ରେନର ୫ରୁ ୬ଟି ବଗି ଲାଇନଚ୍ଯୁତ ହୋଇଯାଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ବାହାରୁଛି । ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିଶମ ବାହିନୀ ଓ ରେସ୍କ୍ଯୁ ଟିମ୍ ପହଞ୍ଚି ଟ୍ରେନ ନିଆଁକୁ ଲିଭାଇବା ସହ ଉଦ୍ଧାର କାର୍ଯ୍ଯ କରୁଛନ୍ତି ।

ଟ୍ରେନଟି ମହୀଶୁରରୁ ବିହାର ଦରଭଙ୍ଗାକୁ ଯାତ୍ରା କରୁଥିଲା । ରାତି ସାଢେ ୮ଟାରେ କବରପେଟ୍ଟାଇ ଷ୍ଟେସନ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ।

ପ୍ରଶ୍ନ ଉଠୁଛି, ଲାଇନରେ ମାଲବାହୀ ଟ୍ରେନ ଥାଇ କିପରି ସେହି ଲାଇନରେ ପାସେଞ୍ଜର ଟ୍ରେନକୁ ଅନୁମତି ମିଳିଲା ? ଏହା ଯାନ୍ତ୍ରିକ ନା ମାନବିକ ତ୍ରୁଟି ? କେଉଁ କାରଣରୁ ଏପରି ଅଘଟଣ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।