spot_img
Home Blog Page 1588

ମହାନଦୀକୁ ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଡ଼କ ଘାଟରେ ଅଘଟଣ । ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ଛାତ୍ର ନିଖୋଜ । ଦୁଇଜଣ ଛାତ୍ର ସମ୍ବଲପୁର ତିୱାରୀ ଗଳିର । ସେମାନଙ୍କ ନାଁ ଏସ କନିସ୍କ ଓ ହିମାଂଶୁ ।

ଆଜି ଅପରାହ୍ଣରେ ମହାନଦୀକୁ ଗାଧୋଇବାକୁ ଆସିଥିବା ବେଳେ ପ୍ରଥମେ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଛାତ୍ର ପାଣି ଭିତରକୁ ଯାଇଥିଲେ । ତେବେ ପହଁରା ଜାଣି ନଥିବାରୁ ଉଭୟେ ଭାସି ଯାଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ଦୁଇଜଣଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଅନ୍ଧାର ହୋଇଥିବାରୁ ସର୍ଚ୍ଚ ଅପରେସନ ବାଧାପ୍ରାପ୍ତ ହୋଇଛି ।

ରାଉରକେଲା ଦୁର୍ଗାପୂଜା: ଛିଡ଼ିଲା ରାମଦୋଳି, ୩ ଆହତ

ରାଉରକେଲା: ପୂଜାରେ ଅଘଟଣ । ରାଉରକେଲାରେ ଛିଡ଼ିଲା ରାମ ଦୋଳି । ଟେଲିଫୋନ ଭବନ ଦୁର୍ଗାପୂଜା ମଣ୍ଡପ ନିକଟରେ ଦୋଳିରୁ ଖସିପଡି ତିନି ଜଣ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୋଳିକୁ ବନ୍ଦ କରି ଦିଆଯାଇଛି । କେଉଁ ପରିସ୍ଥିତିରେ ଦୋଳି ଛିଡ଼ିଲା ତାହାର ତନାଘନା ଆରମ୍ଭ କରିଛି ସେକ୍ଟର-୭ ଥାନା ପୋଲିସ ।

ବଢୁଛି ନବୀନଙ୍କ କ୍ରେଜ୍: ନିର୍ବାଚନର ୪ ମାସ ପରେ ଲୋକେ ବିଜେଡି ମୁହାଁ

ଭୁବନେଶ୍ବର: ନିର୍ବାଚନର ୪ ମାସ ପରେ ଲୋକେ ବିଜେଡି ମୁହାଁ । ନବୀନଙ୍କ କ୍ରେଜ ରାଜ୍ୟରେ ବଢୁଥିବାବେଳେ ଏହାର ପ୍ରଭାବ ପଡ଼ୁଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନରେ । ବିଜେଡିର ସଦସ୍ଯ ହେବାକୁ ଲୋକଙ୍କ ମଧ୍ଯରେ ଆଗ୍ରହ ବଢିବାରେ ଲାଗିଛି । ମହିଳା ଓ ଯୁବପିଢିମାନେ ବିଜେଡି ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଜନତାଙ୍କଠାରୁ ଆରମ୍ଭ କରି ନେତାମାନଙ୍କ ପର୍ଯ୍ଯନ୍ତ ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ବିଜେଡିକୁ ପୁଣି କ୍ଷମତାକୁ ଫେରାଇ ଆଣିବା । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରୁ ଏହି ଅଭିଯାନ ଆରମ୍ଭ ହେବାକୁ ଲକ୍ଷ୍ଯ ରଖିଛନ୍ତି ଦଳୀୟ ନେତା ଓ କର୍ମୀ ।

ସଫଳ ହେଉଛି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ । ନବୀନଙ୍କ କ୍ରେଜ ହେଉଛି ସହାୟକ । ସହଜ ହେବ ୧ କୋଟି ସଦସ୍ୟ ଲକ୍ଷ୍ୟ । ୨୦୨୪ ନିର୍ବାଚନର ୪ ମାସ ପରେ ବଦଳିଯାଇଛି ଓଡ଼ିଶାବାସୀଙ୍କ ମୁଡ୍ । ବିଜେଡି ଓ ନବୀନଙ୍କ ପ୍ରତି ବଢୁଛି ବିଶ୍ବାସ ଓ ଭରସା । ରାଜ୍ଯରେ ବିଜେଡି ଏକ ନମ୍ବର ଦଳ ହେବା ସହ ପ୍ରଥମ କରି ସଶକ୍ତ ବିରୋଧୀ ଦଳ ଭାବେ ଜନସେବା ଜାରି ରଖିଛି । ଏହାଛଡ଼ା ସାଂଗଠନିକ କାର୍ଯ୍ଯକ୍ରମକୁ ପୂରା ଦମରେ ଆୟୋଜିତ କରୁଛି । ଏଥର ଏକ କୋଟି ସଦସ୍ଯ ଟାର୍ଗେଟରେ ଆରମ୍ଭ ହୋଇଥିବା ସଦସ୍ଯ ସଂଗ୍ରହ ଅଭିଯାନକୁ ନେଇ ସବୁଠି ଉତ୍ସାହ ଦେଖାଦେଇଛି । ବିଜେଡି ସଦସ୍ୟ ହେବାକୁ ଲୋକଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ନେତା ଓ କର୍ମୀ ଏକାଠି ହୋଇ ଦଳକୁ ପୁଣି ବଡ଼ ସଫଳତା ଦେବେ ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

୨୦୨୪ ନିର୍ବାଚନରେ ବିଜେଡି ପାଇଥିଲା ୧ କୋଟି ୧ ଲକ୍ଷ ୨ ହଜାର ୪୪୫ ଖଣ୍ଡ ଭୋଟ । ଭୋଟ ହାର ଥିଲା ୪୦.୨୨ ପ୍ରତିଶତ । ସେହିପରି ଶାସକ ବିଜେପି ୪୦.୭ ପ୍ରତିଶତ ଅର୍ଥାତ ୧ କୋଟି ୬୪ ହଜାର ୮୨୭ଟି ଭୋଟ ପାଇଥିଲା । ତେବେ ଶାସନ ମଙ୍ଗ ଧରିବା ପରଠୁ ବିଜେପି ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି । ଭତ୍ତାଠୁ ଆରମ୍ଭ କରି ସୁଭଦ୍ରା ପର୍ଯ୍ଯନ୍ତ ସବୁ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ୩୦୦ ୟୁନିଟ ମାଗଣା ବିଜୁଳି ଧୂଆଁବାଣ ପାଲଟିଛି । ତେବେ ଏହାରି ଭିତରେ ନବୀନଙ୍କ ଲୋକପ୍ରିୟତା ଆଗ ଅପେକ୍ଷା ଆହୁରି ବଢିଯାଇଛି । ସମସ୍ତଙ୍କ ହୃଦୟରେ ଆଜି ବି ନବୀନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି ।

ବିଜେଡିର ଟାର୍ଗେଟକୁ ଦେଖି ଶାସକ ବିଜେପି ମଧ୍ୟ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ନାଁ ନନେଇ ବିଜେପିର ମିସଡ କଲ ଅଭିଯାନକୁ ନବୀନ ମଧ୍ଯ ସମାଲୋଚନା କରିଥିଲେ । ଏବେ ବିଜେଡିର ସଦସ୍ଯତା ସଫଳତା ଦେଖି ଉଭୟ ବିଜେପି ଓ କଂଗ୍ରେସ ଚିନ୍ତାରେ ପଡ଼ିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

ସୁରକ୍ଷିତ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତ୍ରିଚି: ସୁରକ୍ଷିତ ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ । ତ୍ରିଚି ବିମାନ ବନ୍ଦରରେ ବିମାନଟି ସୁକ୍ରକ୍ଷିତ ଲ୍ୟାଣ୍ଡ କରିଛି । ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ।

ସୂଚନାଯୋଗ୍ୟ, କେରଳ ତ୍ରିଚିରୁ ଶାରଜାହ ଅଭିମୁଖେ ଉଡାଣ କରିଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସର AXB 613 ନମ୍ବର ବିମାନ । ବିମାନରେ ୧୪୦ରୁ ଅଧିକ ଯାତ୍ରୀ ଥିଲେ । ବିମାନ ଉଡାଣ କରିବା ପରେ ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ପାଇଲଟ । ଏହାପରେ ବିମାନକୁ ନେଇ ଆକାଶରେ ଚକ୍କର କାଟିଥିଲେ ପାଇଲଟ । ସନ୍ଧ୍ୟା ୫ଟା ୪୦ ମିନିଟରେ ବିମାନ ଉଡାଣ ଭରିଥିବାବେଳେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ତ୍ରିଚି ବିମାନ ବନ୍ଦର ଉପରେ ଚକ୍କର କାଟିଥିଲା । ଏହାପରେ ବିମାନକୁ ସୁରକ୍ଷିତ ଅବତରଣ କରାଇଥିଲେ ପାଇଲଟ । ରାତି ୮ଟା ୨୦ ମିନିଟରେ ବିମାନକୁ ସୁରକ୍ଷିତ ଲ୍ଯାଣ୍ଡିଂ କରାଇଥିଲେ ପାଇଲଟ । ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବିମାନକୁ ବେଲି ଲ୍ଯାଣ୍ଡିଂ କରାଇବାକୁ ଯୋଜନା କରିଥିଲେ କର୍ତ୍ତୃପକ୍ଷ । ତେବେ ଲ୍ଯାଣ୍ଡିଂ ଗିଅର କାମ କରିବାରୁ ବିମାନର ଅବତରଣ ସୁରକ୍ଷିତ ହୋଇଥିଲା ।

ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ ତ୍ରୁଟି, ଆକାଶରେ କାଟୁଛି ଚକ୍କର

ତ୍ରିଚି: ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ମଝି ଆକାଶରେ ବିମାନରେ ହାଇଡ୍ରୋଲିକ ତ୍ରୁଟି । କେରଳର ତ୍ରିଚିରୁ ସାରଜାହା ଯାଉଥିବା ବେଳେ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ବିମାନଟି ୨ ଘଣ୍ଟା ହେବ ତ୍ରିଚି ବିମାନ ବନ୍ଦରରେ କାଟୁଛି ଚକ୍କର ।

ବିମାନର ଜରୁରୀ ଅବତରଣ ପାଇଁ ପ୍ରୟାସ ଚାଲିଛି । ବିମାନରେ ୧୪୦ ଯାତ୍ରୀ ଅଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ଅନ୍ୟପକ୍ଷରେ କୌଣସି ପ୍ରକାର ଅଘଟଣ ସମ୍ଭାବନାକୁ ନଜରରେ ରଖି ବିମାନ ବନ୍ଦରରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଓ ୧୮ ଦମକଳ ଗାଡି ସଜାଗ ରଖାଯାଇଛି ।

ତ୍ରିଚି ବିମାନ ବନ୍ଦରରେ ଜରୁରୀକାଳୀନ କାଳିନ ପରିସ୍ଥିତି ଘୋଷଣା । ବେଲି ଲ୍ୟାଣ୍ଡିଂ କରିବ ବିମାନ ।

ପୁଣି ଆନ୍ଧ୍ର ନଜରରେ କୋଟିଆ: ସାମ୍ନାକୁ ଆସିଲା ଜଙ୍ଗଲ ଜମି ପଟ୍ଟା ବଣ୍ଟନ ପ୍ଲାନ୍

ଭୁବନେଶ୍ବର: କୋଟିଆକୁ ହାତେଇବା ପାଇଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ଚାଲ ଚଳାଇଛି । ଏବେ ଆଦିବାସୀ ସଙ୍ଗଠନକୁ ଲଗାଇ କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ଚକ୍ରାନ୍ତ କରାଯାଇଛି । ଯାହାକୁ ନେଇ ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଜନ ସଂଗଠନ ରାଜ୍ୟ ସରକାରଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି । ଆନ୍ଧ୍ର ଏଭଳି କରିବା ପୂର୍ବରୁ ଓଡିଶା ସରକାର ତୁରନ୍ତ କଡା ପଦକ୍ଷେପ ନେବା ସହ କେନ୍ଦ୍ର ଏ ପ୍ରସଙ୍ଗରେ ହସ୍ତକ୍ଷେପ କରୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । ସେପଟେ କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡ଼ିଶାର କୋଟିଆକୁ ଆନ୍ଧ୍ର ହାତକୁ ବିଜେପି ଟେକି ଦେଉଛି ବୋଲି ସନ୍ଦେହ ସୃଷ୍ଟି ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ ।

କେବେ ଯୋଜନା ଲଲିପପ, କେବେ ଭୋଟ ତ ପୁଣି କେବେ ନିର୍ମାଣ । ଏପରି କରି କୋଟିଆ ଅକ୍ତିଆର ପାଇଁ ଆନ୍ଧ୍ର ରୀତିମତ ଚଳାଇଛି ଷଡଯନ୍ତ୍ର । ଏଥର ସାମ୍ନାକୁ ଆସିଛି କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ପ୍ଲାନ । ଆନ୍ଧ୍ରର ଆଦିବାସୀ ସଂଗଠନ କୋଟିଆବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ଆନ୍ଧ୍ର ସରକାରଙ୍କ ନିକଟରେ ଦାବି କରିବାକୁ ନେଇ ଓଡ଼ିଶାରେ ଝଡ଼ ଉଠିଛି । ଏହି ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଉତ୍କଳ ସମ୍ମିଳନୀ ।

ଆନ୍ଧ୍ର ସରକାର କୋଟିଆର କିଛି ଲୋକଙ୍କୁ ଧରି କୋଟିଆ ଦଖଲ ପାଇଁ ଉଦ୍ୟମ କରୁଥିବାରୁ କୋଟିଆର ଆଦିବାସୀମାନଙ୍କୁ ଓଡିଶା ସରକାର ତୁରନ୍ତ ଜଙ୍ଗଲ ଜମି ପଟ୍ଟା ଦିଅନ୍ତୁ ବୋଲି ଦାବି ହୋଇଛି । ଆନ୍ଧ୍ରରେ ଏବେ ଏନଡିଏ ସରକାର ଚାଲିଛି । ଆନ୍ଧ୍ର ଏଭଳି କାହିଁକି କରୁଛି କେନ୍ଦ୍ର ସରକାର ପଚାରନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । କୋଟିଆ ଦଖଲରେ ଆନ୍ଧ୍ର ସଫଳ ହେଲେ ଓଡ଼ିଆ ଜାତି ଓ ଅସ୍ମିତା ଉପରେ ବିରାଟ ଆଘାତ ହେବ । ଭାଷାର ସୁରକ୍ଷା ସହ ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ । ଏ ପ୍ରସଙ୍ଗରେ ଆସନ୍ତା ୨୨ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଉତ୍କଳ ସମ୍ମିଳନୀର ପ୍ରତିନିଧି ଦଳ । ସମସ୍ତ ଦଳର ବିଧାୟକ ଓ ସାଂସଦଙ୍କୁ ନେଇ ଏ ବିଷୟରେ ଏକ ସେମିନାର କରିବାକୁ ଯୋଜନା ହେଉଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି ।

କୋଟିଆ ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ବଡ଼ ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ । କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡ଼ିଶାର କୋଟିଆକୁ ଆନ୍ଧ୍ର ହାତକୁ ବିଜେପି ଟେକି ଦେଉଛି ବୋଲି ସନ୍ଦେହ ଉପୁଜୁଥିବା କହିଛି ମଞ୍ଚ । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଅର୍ଥ ଅଜାଡି ଦେଉଛି । ସେପଟେ ଆନ୍ଧ୍ରର କୋଟିଆ ଦଖଲ ପ୍ରସଙ୍ଗରେ ମଧ୍ୟ ଓଡ଼ିଶାର ବିଜେପି ସରକାର ଚୁପ । ଓଡ଼ିଶାର ଡବଲ ଇଞ୍ଜିନ ସରକାର ଡବଲ ବିକାଶର କଥା କହୁଥିବା ବେଳେ ଏସବୁ ଡବଲ ବିନାଶର ସଂକେତ ବୋଲି କହିଛି ମଞ୍ଚ । ସେପଟେ କୋଟିଆ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସରକାର ଯେଭଳି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି । ଚାରିମାସ ଧରି ନୂଆ ସରକାର ଶାସନକୁ ଆସିଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ପୂର୍ବ ସରକାରରେ କୋଟିଆର ବହୁ ଉନ୍ନତି ହୋଇଛି । କିନ୍ତୁ ଏବେର ସରକାର ଏହା ଉପରେ ଦୃଢ଼ ପଦକ୍ଷେପ ନେବାର ସମୟ ଆସିଛି ବୋଲି କହିଛି ଓଡିଶା ବିକାଶ ପରିଷଦ ।

କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଆନ୍ଧ୍ର ଅଧିକ ସୁବିଧା ଦେଉଛି । ତେଣୁ ବର୍ତ୍ତମାନ ସରକାର କୋଟିଆବାସୀଙ୍କୁ ସ୍ୱତନ୍ତ୍ର ସୁବିଧା ଦିଅନ୍ତୁ । କୋଟିଆର ସୁରକ୍ଷା ପାଇଁ ନୂଆ କୌଶଳ ଆପଣାଇବାକୁ ପଡିବ । ତୁରନ୍ତ ଏକ କୋଟିଆ ଉତ୍ସବ ପାଳନ କରାଯାଉ, ପର୍ଯ୍ୟାପ୍ତ ସ୍କୁଲ କରାଯାଉ । କୋଟିଆରେ ସ୍ୱତନ୍ତ୍ର ଥାନା ଓ ଫୋର୍ସ ଅଛନ୍ତି । ଗୁଇନ୍ଦା ଅଧିକାରୀମାନେ ଆନ୍ଧ୍ରର ଅନୁପ୍ରବେଶ ସମ୍ପର୍କରେ ଆଗୁଆ ସୂଚନା ଦେଇ ଫୋର୍ସ ସେମାନଙ୍କୁ ଅଟକାଇବା ଦରକାର ବୋଲି ଦାବି ରଖିଛି ଉତ୍କଳ ସମ୍ମିଳନୀ । ଏଥିସହିତ ରାଜ୍ୟ ସରକାର ତୁରନ୍ତ ସୀମାନ୍ତ ସୁରକ୍ଷା ସେଲ ଗଢ଼ନ୍ତୁ ବୋଲି ଦାବି ହୋଇଛି ।

କଟକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ବିବାଦ

କଟକ: ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ବିବାଦ । ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବା ଓ ଜମି ବର୍ଗଫୁଟ ପିଛା ଟଙ୍କା କୋହଳ କରିବାକୁ ଦାବି । ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି କରିଛି ବାଲିଯାତ୍ରା ମିଳିତ ମଞ୍ଚ ।

ଏହା ବ୍ୟତୀତ କଟକ ବ୍ୟବସାୟୀଙ୍କୁ ପ୍ରାଧାନ୍ୟ ଦେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ବାଲିଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରତୀକ । ଏଠାରେ ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥାଏ । ବିଭିନ୍ନ ବର୍ଗର ବ୍ୟବସାୟୀ ଲାଭନ୍ବିତ ହୋଇଥାନ୍ତି । କିନ୍ତୁ ବିଗତ କିଛିବର୍ଷ ହେବ କଟକରେ ଲାଗି ରହିଥିବା କିଛି ଅସହିଷ୍ଣୁ ନିୟମ ବ୍ୟବସାୟୀଙ୍କୁ କୁଠାରଘାତ କରିଛି । ଯାହାକୁ ଚଳିତବର୍ଷ ପରିବର୍ତ୍ତନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛି ମଞ୍ଚ ।

ଯଦି ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ମଞ୍ଚ ଯେଉଁ ନିଷ୍ପତ୍ତି ନେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି ।

ରାଜଧାନୀରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତ ଯୁବକ ଜଣଙ୍କ ହେଲେ ମନୋଜ କୁମାର ଗୌଡ଼ । ତାଙ୍କ ଘର ତପୋବନ ବସ୍ତିରେ । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ । ଭରତପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ତପୋବନ ଜଙ୍ଗଲରୁ ମିଳିଛି ତାଙ୍କ ମୃତଦେହ । ଗତକାଲି ବିଳମ୍ବିତ ରାତିରେ ଘଟଣା ଘଟିଛି ।

ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । କିନ୍ତୁ ବିଦ୍ୟୁତ ତାରକୁ ଧରିଥିବା ଅବସ୍ଥାରେ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଜଙ୍ଗଲ ଭିତରେ କିନ୍ନରମାନେ ରାତି ବେଳା ଚଳ ପ୍ରଚଳ କରୁଥିବାରୁ କେହି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଥିବା ସନ୍ଦେହ କରାଯାଉଛି । ମନୋଜଙ୍କ ମୃତ୍ୟୁ ଖବର ପାଇ ଶହ ଶହ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଢ ହୋଇଛନ୍ତି । ଭରତପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।

ଫଟୋ ଉଠାଇବା ବେଳେ ୪୦ ଫୁଟ ତଳକୁ ଖସି ଝିଅ ମୃତ, ମାଆ ଗୁରୁତର

କନ୍ଧମାଳ: କାଳ ହେଲା ଫଟୋ ଉଠାଇବା । ୪୦ ଫୁଟ ପୋଲ ତଳକୁ ଖସି ପଡ଼ିଲେ ମାଆ ଝିଅ । ଘଟଣାସ୍ଥଳରେ ୨ ବର୍ଷୀୟା ଝିଅର ମୃତ୍ଯୁ ହୋଇଥିବାବେଳେ ମାଆ ଗୁରୁତର । ଗତ ୯ ତାରିଖରେ କନ୍ଧମାଳ ଜିଲ୍ଲା ରାଇକିଆ ନାହଡ଼ିମାହା ପୋଲରେ ଅଭାବନୀୟ ଘଟିଛି ଏହି ଘଟଣା ।

ପୋଲ ଉପରେ ମାଆ ଦିବ୍ଯାଶିଖା ଡିଗାଲ ଓ ୨ ବର୍ଷର ଝିଅ ରିୟାର ଫଟୋ ଉଠାଉଥିଲେ ସ୍ବାମୀ ବରିଶ ଡିଗାଲ । ଏହି ସମୟରେ ଅସାବଧାନତାରୁ ମାଆ ଝିଅ ପୋଲ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଉଭୟଙ୍କ ମୁଣ୍ଡରେ ଗଭାର ଆଘାତ ଲାଗିଥିଲା । ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିବାବେଳେ ମାଆ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବସ ଧକ୍କାରେ କନଷ୍ଟେବଳ ମୃତ

ଜଗତସିଂହପୁର:  ତିର୍ତ୍ତୋଲ ସରଣୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ହେଲେ ସୁରୁ ଜାମୁଡ଼ା । ସେ ତିର୍ତ୍ତୋଲ ଥାନାରେ କାର୍ଯ୍ଯରତ ଥିଲେ ।

ସୁରୁ ଡ୍ଯୁଟି ସାରି ଭଡ଼ା ଘରକୁ ନିଜ ସ୍କୁଟିରେ ଫେରୁଥିବାବେଳେ ସରଣୀ ଛକରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।